Unknown

 

 

 

 

 

 

 

 

 

 

 

ବୁନ୍ଦାଏ ପାଣି

ଶ୍ରୀ ଗୋପୀନାଥ ମହାନ୍ତି

 

 

 

 

 

 

 

 

 

 

 

 

ବୁନ୍ଦାଏ ପାଣି

 

ଆକାଶରେ ବହଳ ହୋଇ ଧଳା ପାଉଁଶିଆ ଗୋଳିଆ ଗୋଳି ଯୁଆଡ଼େ ଚାହିଁଲେ ସକାଳ ସାଢ଼େ ଆଠ, ଅଗଷ୍ଟ ମାସ, ଅନ୍ୟଦିନ ଭଳି ହୋଇଥିଲେ ସୂର୍ଯ୍ୟକୁ ତ ଅନାଇ ହୁଅନ୍ତା ନାହିଁ, ଖରାବି କାଟନ୍ତାଣି, କାରଣ ଟାଣ୍‌ଖରା ଏ ଜଳବାୟୁର ବିଶେଷତ୍ୱ ହିଁ,–କିନ୍ତୁ ସୂର୍ଯ୍ୟ କେଉଁଠି ଛପିଛି କିଛି ବାରି ହେଉନାହିଁ, ଖରା ବା କାହୁଁ, ଆଲୁଅ ଚହଟିଛି ସତ ଏଇ ଗଦା ଗଦା ମେଘ ବାମ୍ଫ ଭେଦି ବସୁଧା ଉପରକୁ, ମେଘ ବାମ୍ଫ ଭିତରେ କି ଉପରେ କଣ ଯେ ଅଛି, ଦିଶୁ ନାହିଁ । ବାରି ହେଉ ନାହିଁ-। ନଦିଶୁ, ଭଲ ତ, ଚତୁର୍ମାସ୍ୟା ଅଥଚ ଏ ସକାଳୁ ମେଘ ଗାଳୁ ନାହିଁ । ଆଲୁଅ ଫିଟିଛି ଅଥଚ ଖରା ନାହିଁ, ଉପରେ ଇନ୍ଦ୍ର ଦେବତା ଛତା ଘୋଡ଼େଇଛି, ଏମିତି ଦି ଚାରି ଘଣ୍ଟା ମିଳିଲେ ଲୋକେ ନିଜ କାମଧନ୍ଦା ସାରି ନେବେ । ଟିକିଏ ହେଲେ ଉଶ୍ୱାସ ପାଆନ୍ତେ, ନହେଲେ ଗଳ-ଗଳ-ଗଳ-ଗଳ, ଝର-ଝର-ଝର-ଝର, ପଚର-ପଚର-ପଚର-ପଚର, ଆଉ ଅନ୍ଧାର ବିଲିବିଲି, ଲାଗିଥିବ ପନ୍ଦର ଦିନ ଯାକେ !

 

ଭାବୁଥିଲେ ଶଶୀ ମିଶ୍ରେ । ସେ ଏଠି ହାଇସ୍କୁଲରେ ଭୂଗୋଳ ଓ ଅଙ୍କ ଶିକ୍ଷକ ।

 

‘‘ଆପଣ ବାହାରି ନାହାଁନ୍ତି ! ଯିବେ ନାହିଁ ?’’ ତାଙ୍କ ପଡ଼ିଶା ଓ ସହକର୍ମ୍ମୀ ଯୁବକ ଯମେଶ୍ୱର ପ୍ରଧାନ ସାଇକଲ ଧରି ବାହାରି ଗଲାବେଳେ ପଚାରିଥିଲେ ।

 

‘‘ଘରେ ଅସୁବିଧା’’, ସେ କହିଥିଲେ, ‘‘ଆପଣ ଯାଉନ୍ତୁ’’ । ତାଙ୍କ ବୟସ ସତଚାଳିଶ ହେବ । ଯମେଶ୍ୱର ତାଙ୍କପରି ଖାଲି ମ୍ୟାଟ୍ରିକ୍ ପାଶ୍ ନୁହନ୍ତି, ବି.ଏ., ବି.ଇଡ଼ି. । ଚାକିରିରେ ଉପରକୁ ଉଠିବାକୁ ଉଚ୍ଚାଶା ମଧ୍ୟ ତାଙ୍କ ମନରେ ଥାଏ, କିନ୍ତୁ ସେ ବୟସରେ ଶଶୀ ବାବୁଙ୍କଠାରୁ କୋଡ଼ିଏ ବର୍ଷ ସାନ । ଇସ୍କୁଲର ସବୁଠୁଁ ପୁରୁଣା ଶିକ୍ଷକ ବୋଲି ଶଶୀ ବାବୁଙ୍କୁ ଟିକିଏ ଖାତିର ଥାଏ । ଶାନ୍ତ, ଭଦ୍ର, ନିରଭିମାନୀ, ନିରାଡ଼ମ୍ବର ଓ ନିରୀହ ଦିଶିଲେ ବି ଶଶୀ ମିଶ୍ର ନିର୍ଭୀକ ଓ ସ୍ପଷ୍ଟବାଦୀ ମଣିଷ ବୋଲି ଇସ୍କୁଲରେ ଶିକ୍ଷକ ଓ ଛାତ୍ରମାନଙ୍କ ଧାରଣା ଥିଲା । ଯମେଶ୍ୱର ତାଙ୍କୁ ବଡ଼ଭାଇ ଭଳି ମାନ୍ୟ କରୁଥିଲେ । ଅଟକି ରହି ପଚାରିଲେ, ‘‘ଆଜିପରା ଦିନରେ ଆପଣ ଯିବେ ନାହିଁ ?’’

 

ଶଶୀ ମିଶ୍ର ତାଙ୍କ ସାନ ବସାଘର ଆଗରେ ଠିଆ ହୋଇଥାନ୍ତି । ଫୁଙ୍ଗା ଦେହ, ଗୋରା, ମାଉଁସିଶା, କିନ୍ତୁ ମାଂସପେଶୀଯାକ ଯେମିତିକି ଶିଥିଳ ହୋଇପଡ଼ୁଛି । ଚେକା ମୁହଁ, କଦମ୍ବ ଫୁଲପରି ରୁଢ଼, ପାଚି ପାଚି ଯାଇଛି । ମୁଣ୍ଡବାଳ ଅଧେ ଅଧେ ପାକଲା ।

 

ଶୁଖିଲା ହସଟିଏ ହସିଦେଇ କହିଲେ, ‘‘ଆଜିପରା ଦିନ ହିଁ, ଆପଣ ଚଞ୍ଚଳ ଯାଉନ୍ତୁ, ପଟୁଆର ବାହାରି ପଡ଼ିବ ।’’

 

‘‘କେଡ଼େ ବଡ଼ ଦିନ !’’ ଯମେଶ୍ୱର କହିଲେ ‘‘ଇତିହାସରେ ଅନିଭା ହୋଇ ରହିଥିବ, କାଳକାଳକୁ ।’’

 

‘‘ସତ ।’’

 

‘‘ଏଇ ଦିନଟି ଆସିବ ବୋଲି କେତେ ଲୋକ ଝୁରିଝୁରି ମଲେ ।’’

 

‘‘ସତ ।’’

 

‘‘କେତେ ଲୋକ ଗୁଳିଚୋଟରେ ମଲେ, କେତେ ମଲେ ଫାଶୀ ଖୁଣ୍ଟରେ ।’’

 

‘‘ବାଃ’’

 

‘‘କଣ କହିଲେ ?’’

 

‘‘ଆପଣର ନିଶ୍ଚୟ ଆଜି ସଭାରେ ବକ୍ତୃତା ଦେବେ ?’’

 

‘‘ସଭା ହେଲେ କେତେ ବଡ଼ବଡ଼ିଆ ଅଛନ୍ତି, ଆମୁକୁ କିଏ ପଚାରିବ ?’’

 

‘‘ଆପଣ ଯୁବକ । ମନରେ କେତେ ଆଶା । ଆଜି ତ ଉଚ୍ଛ୍ୱାସ ଆପଣଙ୍କଠି ଉଛୁଳି ପଡ଼ୁଛି । ବକ୍ତୃତା ଦେଲେ ଭଲ କହନ୍ତେ । ନହେଲେ ଲେଖିପକାନ୍ତୁ, କବିତା ଲେଖନ୍ତୁ ଯମେଶ୍ୱର ବାବୁ । ଆଜିତ ଛୁଟି, ସେଠୁ ଫେରିଲେ ଲେଖିବେ । ଡେରି ହେଲା ଚାଲିଯାନ୍ତୁ ।’’

 

‘‘ଆପଣ ସତେ ଯିବେ ନାହିଁ ?’’

 

ତାଙ୍କ ବସାଭିତରୁ ତାଙ୍କ ସ୍ତ୍ରୀଙ୍କ କର୍କଶ ଚିତ୍କାର ଶୁଭିଲା ଓ ତା ସଙ୍ଗେ ସଙ୍ଗେ ତାଙ୍କ ଚାରିବର୍ଷ ପୁଅ ବେଣୁର ବିକଳ କାନ୍ଦଣା; ଗର୍ଜନ କରି କରି ତାଙ୍କ ସ୍ତ୍ରୀ ବାହାରିଲେ, ବେଣୁର ଡେଣାଧରି ଓଟାରୁଥାନ୍ତି । ଶଶୀ ମିଶ୍ର ଧାଇଁଯାଇ ବେଣୁକୁ ଛଡ଼େଇ ନେଇ କାଖେଇ ପକାଇଲେ, ପଦାରେ ଆସି ନିମ୍ବଗଛ ମୂଳେ ଠିଆ ହେଲେ । ତାଙ୍କ ସ୍ତ୍ରୀ ଗର୍ଜନ କରି କରି ଦୌଡ଼ି ଆସିଲେ, ମୁଣ୍ଡବାଳ ଫିଟି ପଡ଼ିଥାଏ, ଲୁଗାପଟା ଅସମ୍ଭାଳ, ଆଖି ଯେପରିକି ଗାଡ଼ରେ ପଶିଛି, ପଶି କୁହୁଳୁଛି । ଥରେ ଚାହିଁ କହିହେବ, ଏ ଦେହରେ ଏକଦା ଖୁବ୍ ମନୋହାରୀ ରୂପଶ୍ରୀ ଥିଲା । ଚାରିଆଡ଼ ମେଲାଖୋଲା । ଦି’ ଫର୍ଲଂ ଦୂରରେ ଉଚ୍ଚ ବଡ଼ ସଡ଼କ ଦିଶୁଛି । ଯମେଶ୍ୱର ବାବୁ ସାଇକଲଟେ ଧରି ଠିଆ ହୋଇଛନ୍ତି । ତାଙ୍କ ଆଖି ଆଗରେ ଶଶୀ ମିଶ୍ରଙ୍କ ସ୍ତ୍ରୀ ସ୍ୱାମୀଙ୍କ ପିଠିରେ ଗାଲରେ ଗୁମ୍ ଗାମ୍ ଠୋ ଠୋ ବିଧାଚାପୁଡ଼ା କୋରି ଲାଗିଲେ, ନଖରେ ଚୁମୁଟି ଓଟାରି ଲହୁ ଲୁହାଣ କଲେ । ତୁଣ୍ଡରୁ ଅନର୍ଗଳ ଗାଳି ଛୁଟିଥାଏ । ଶଶୀ ମିଶ୍ରେ ଉଁ ଚୁଁ ନ ହୋଇ ଠିଆ ହୋଇଥାନ୍ତି, ହସିଲାପରି ମୁହଁଟି, ମଝିରେ ମଝିରେ କହୁଥାନ୍ତି ‘‘ମନ ଶାନ୍ତି ହେଲା ତ ? ଘରକୁ ଯାଅ ।’’

 

ତାଙ୍କ ସ୍ତ୍ରୀ କ୍ରମେ କ୍ଳାନ୍ତ ହୋଇ ପଡ଼ିଲେ, ଘର ଭିତରକୁ ଚାଲିଗଲେ । ଶଶୀ ମିଶ୍ରେ ବେଣୁକୁ କାଖେଇ ବୁଝଉଥାନ୍ତି । ଯମେଶ୍ୱର କହିଲେ ‘‘ଆଜି ପରା ଦିନରେ ଯାହା ଆପଣ ଯାଇ ପାରୁ ନାହାନ୍ତି ! କେଡ଼େ ଦୁଃଖର କଥା ।’’

 

ଶଶୀ ମିଶ୍ର କହିଲେ, ‘‘କହିଲେ ? ଦୋଷ ଆଜିର ଏ ଦିନର ନା ମୋର ?’’

 

ଯମେଶ୍ୱର ତାଙ୍କ ମୁହଁକୁ ବଲବଲ କରି ଅନାଇଁ କହିଲେ, ‘‘ଏଁ ?’’

 

‘‘ୟା ଉତ୍ତର ଭାବିବା ଗରଜ ସମସ୍ତିଙ୍କର ନଥାଏ, ସେଥିପାଇଁ ବୟସ ବି ଭିନେ । ଆପଣ ପଚାରୁଥିଲେ, ମୁଁ କାହିଁକି ଯାଉନାହିଁ । ଏମାନଙ୍କ ମା’ର ଯେ ମୁଣ୍ଡ ଖରାପ । ଦିନେ ଦିନେ ତାଙ୍କ ପାଗଳାମି ଅତି ଭୟଙ୍କର ବି ହୋଇପଡ଼େ ଆପଣ ଜାଣିଛନ୍ତି ଆଜି ସକାଳୁ ତା’ ବଢ଼ି ଯାଇଛି । ତେଣୁ ମୋ କର୍ତ୍ତବ୍ୟ ତାଙ୍କୁ ଆଖିଏ ଆଖିଏ ରଖିବା ନ ହେଲେ ସେ ନିଜର ଖୁବ୍ କ୍ଷତି କରିପାରନ୍ତି-।’’

 

‘‘ମୁଁ ଯାଏଁ, ଯେ ପଚାରିବ କହିଦେବି । ଆମ ଇସ୍କୁଲର ତ ସମସ୍ତେ ଥିବେ ।’’

 

‘‘ଯାଉନ୍ତୁ, କିନ୍ତୁ ମୋ ଅନୁପସ୍ଥିତି ପାଇଁ ସଫେଇ ଦେବା ଦାୟିତ୍ୱ ଆପଣ ମୁଣ୍ଡକୁ ନିଅନ୍ତୁ ନାହିଁ । ନ ବୁଝାଇଲେ ଲୋକେ ମୋ ସମ୍ବନ୍ଧରେ ଗୋଟାଏ ଭୁଲ୍ ଧାରଣା କରିବେ, ଏଇଆ ତ ? ଭଲ ଧାରଣା କଲେ ମୋ ସମସ୍ୟାରୁ କାଣିଚାଏ ଶୁଧୁରିବ ? କଦାପି ନୁହେଁ ? ଆପଣଙ୍କ ସଙ୍ଗରେ ଯଦିବା ମୁଁ ଯାଇପାରିଥାନ୍ତି, ତେବେ ବି ମୋ ସମସ୍ୟା ଶୁଧୁରନ୍ତା ?’’

 

ଯମେଶ୍ୱର ଦମ୍ଭ ହୋଇ ଠିଆ ହେଲେ । ମୁଁ ପତିତକୁ ଉଦ୍ଧାର କରିବାକୁ ବାହାରିଛି ବୋଲି କାହା ମନରେ ଯଦି ଗୋଟାଏ ଧାରଣା ହୋଇଯାଏ ତାଠିଁ ସେତେବେଳେ ଯେଉଁ ଉଲ୍ଲାସ ଖେଳିଯାଏ ତାଙ୍କ ମନରେ ହଠାତ୍ ସେହିପରି ହେଲା । ଶଶୀ ବାବୁଙ୍କୁ ଦୟା, ସହାନୁଭୂତି ଓ ଧୈର୍ଯ୍ୟ ମିଶାଇ ଓଦା ଚାହାଣିରେ ପୋଛି ପୋଛି ଦେଇ ସେ କହିଲେ :

 

‘‘ଏଇ ସ୍ୱାଧୀନତା କଥା ଆପଣ ନିଜେ ବି କେତେଥର କହିଛନ୍ତି, ସେ ବିଷୟରେ କେତେ ଆଲୋଚନା କରିଥାଉଁ । ସତକୁ ସତ ଆଜି ସେ ଆସିଯାଇଛି । ସମସ୍ତେ ରୁଣ୍ଡିଥିବେ । କୁଳବୃଦ୍ଧ ମଧୁସୂଦନ କହିଲା ପରି, ଛାତିକୁ ମିଶାଇ ଛାତି, ସମସ୍ତେ ଏକାଠି ଚାଲିବେ ପଟୁଆରରେ, ସେ କ’ଣ ଜାତୀୟ କର୍ତ୍ତବ୍ୟ ନୁହେଁ ?’’

 

‘‘ସେ କଥା ଆପଣ ନିଜେ ବିଚାର କରିବେ ଯମେଶ୍ୱର ବାବୁ । ମୋ ବିଚାରଟା ଆପଣଙ୍କୁ ସୁଖ ଲାଗି ନପାରେ, ସେମିତି ଆପଣଙ୍କଟା ମତେ, ଆପଣତ ଖୁବ୍ ବିଦ୍ୱାନ୍, ନାନା ଦେଶ ବିଦେଶର କଥା ବି ପଢ଼ିଥିବେ । ଆମ ଦେଶ ଏଭଳି ଅଜ୍ଞାନ, ଅନ୍ଧାର ଦାରିଦ୍ର୍ୟରେ ପଡ଼ିରହିଛି, ସତେ ଅବା ଚେତା ବୁଡ଼ି ବୁଡ଼ି ଯାଉଥିବା କତରାଲାଗି ରୋଗୀଟିଏ । ଅଶିକ୍ଷା, ଅଭାବ ସାଙ୍ଗକୁ ଯାବତୀୟ କୁସଂସ୍କାର, ଅନ୍ଧବିଶ୍ୱାସ, ଅନ୍ୟାୟ, ଅବିଚାର, ଲୁଣ୍ଠନ, ଅତ୍ୟାଚାର, ତାକୁ ସବୁ ଦୂର କରିବା ନିଶ୍ଚୟ ଜାତୀୟ କର୍ତ୍ତବ୍ୟ । କିନ୍ତୁ ଏକାଠି ରୁଣ୍ଡି ପାଟି କରି କରି ପଟୁଆରରେ ଗଲେ କି ବାଟେ ବାଟେ ସଂକୀର୍ତ୍ତନ କରି କମ୍ପେଇଲେ ଦୁଃଖ ଯିବ ବୋଲି ମତେ ଲାଗୁ ନାହିଁ । ୟେ ଉତ୍ସବ କରିବା ଦିନଟିଏ ବୋଲି କହନ୍ତୁ, ମୁଁ କହିବି ତା’ ଯଥାର୍ଥ, ଖୁସି ମଉଜ, ମଉଛବ କରିବା କଥା ତ, ଭଲ କଥାଟିଏ ଶୁଭ କଥାଟିଏ ହେଲେ ଆମେ ଖୁସି ହେବାନାହିଁ କ’ଣ କାନ୍ଦିବା ? କିନ୍ତୁ ଜାତୀୟ କର୍ତ୍ତବ୍ୟ ତା’ ନୁହେ, ମଉଜ ମଜଲିସ୍ ବି ସମସ୍ତିଙ୍କ ଦେଇ ହୁଏ ନାହିଁ, ମନ ଫୁଲାଣିଆ ସିନା ଗୀତଗାଏ ।’’

 

ଶଶୀ ବାବୁ ବୁଝାଇବା ଆରମ୍ଭ କରି ଦେଇଥିଲେ, ଯେମିତି ସେ କ୍ଲାସରେ ପଢ଼ାଇବା ଆରମ୍ଭ କଲେଣି, କିନ୍ତୁ ଯମେଶ୍ୱର ବାବୁ ‘ଯାଏଁ’ ବୋଲି କହିଦେଇ ସାଇକଲ ଚଢ଼ି ଚାଲିଗଲେ ।

 

ଶଶୀବାବୁ ବେଣୁ ପାଖେ ତଳେ ବସି ପଡ଼ିଲେ । ବେଣୁ କେତେବେଳୁ କାନ୍ଦଣା ବନ୍ଦ୍‌କରି ଖେଳରେ ମନ ଦେଲାଣି । ମନକୁ ମନ ଭୁଟୁରୁ ଭୁଟୁରୁ ହେବା, ବେଳେ ବେଳେ ଘେରାଏ ଲେଖାଏଁ ନାଚି ନାଚି, ଡେଇଁ ଡେଇଁ ବୁଲିଆସିବା, ଚାଲିବା, ଦୌଡ଼ିବା, ପଡ଼ିବା ବସିବା, ମାଟି ଗୋଡ଼ି ଖପରା ପତ୍ର ଫୁଲ ଡାଙ୍ଗ କେତେ ଏଣୁ ତେଣୁ ଗୋଟେଇବା, କୁଢ଼େଇବା, ଫୋପାଡ଼ିଦେବା, ଭୂଇଁରେ ଗାରକାଟିବା, ପ୍ରକାର ପକାର ତା’ ଖେଳ, କେତେବେଳେ କି ପ୍ରକାର ହେବ ତା’ ଆଗରୁ ଜାଣିହେବ ନାହିଁ ।

 

ବେଣୁ ତାଙ୍କର ପଞ୍ଚମ ସନ୍ତାନ, ଏ ପର୍ଯ୍ୟନ୍ତ ସବାସାନ, ତା ଉପରେ ଚାରି ଭାଇ ଦଶମ, ନବମ, ଅଷ୍ଟମ, ଓ ସପ୍ତମ ଶ୍ରେଣୀରେ ପଢ଼ନ୍ତି । ସେ ଚାରୋଟିଯାକ କୁହାର ବୋଲାର ପିଲା, ପରିଶ୍ରମୀ, ଭଲ ପଢ଼ନ୍ତି । ସେ ଚାରିଜଣଙ୍କ ଉପରେ ଝିଅଟିଏ ଥିଲା, ପ୍ରଥମ ସନ୍ତାନ, ଦି ବର୍ଷର ହୋଇଥିଲା ନଷ୍ଟ ହୋଇଗଲା, ତହିଁର ଅଳ୍ପଦିନେ ଭାରିଜାଙ୍କଠିଁ ଉନ୍ମାଦରୋଗ ଦେଖାଦେଲା, ମଝିରେ ମଝିରେ କ୍ୱଚିତ୍ କେବେ ଦବିଯାଏ, ପୁଣି ବାହାରେ । ବଡ଼ପୁଅ ବୃନ୍ଦାବନ ଜନ୍ମିଲା ପରେ ଶଶୀବାବୁ ଭାବିଲେ, ଏଣିକି ଆଉ ନ ହେବା ଭଲ, ଯେ ଗରିବ, ଯାହା ସ୍ତ୍ରୀ ପାଗଳୀ, ତାର ସନ୍ତାନ କ’ଣ ହେବ ? କିଏ କହିପାରିବ ମା’ର ପାଗଳାମୀ ପଛେ ଛୁଆଙ୍କଠି ଦେଖା ନ ଦେବ ବୋଲି ? ଏପରି ତ କାହା କାହା ଘରେ କେବେ କେବେ ହୋଇଥାଏ । କିନ୍ତୁ ଗୋଟିଏ ପରେ ଗୋଟିଏ ହୋଇ ସେମାନେ ଆସିଲେ ।

 

ଶଶୀବାବୁ ବ୍ରତପାଳିଲା ପରି କଠୋର ବ୍ରହ୍ମଚର୍ଯ୍ୟ ଅଭ୍ୟାସ କଲେ, ଗୃହୀ ହୋଇ ସୁଦ୍ଧା ଏକ ପ୍ରକାର ଦୈରାଗୀ ଆଚରଣ କଲେ । କାମ ଦେଲା, ଚଭୂର୍ଥ ସନ୍ତାନ ପରେ ଆଉ ସନ୍ତାନ ହେଲା ନାହିଁ, ଗଲା ସାତବର୍ଷ ।

 

ହେଇ ଦିଶୁଛି, ତେଣୁ ତାଙ୍କ ସଙ୍ଗେ ଲୁଚକାଳି ଖେଳୁଛି, ଖଣ୍ଡେ ଦୂରରେ ଆମ୍ବଗଛ ଗଣ୍ଡି ସେ ପଟୁ ତା ମୁହଁଟି ଉଙ୍କି ମାରୁଛି, ତା ହସ ହସ ଆଖିରେ କୌତୁକ ଓ ଦୁଷ୍ଟାମି, ଶଶୀବାବୁ ଭାବୁଥାନ୍ତି, ସେମିତି ସେ କେଉଁଠି ଛପି ଛପି ମଜା ଦେଖୁଥିଲା । ଯେତେବେଳେ ସେ ‘ନିଷ୍ଠା କାଷ୍ଠା’ରେ ଥାନ୍ତି, ପ୍ରତ୍ୟହ ନିମ୍ବ ଓ ହେଙ୍ଗୁ ଖାନ୍ତି, ବାହାକୁ ତକିଆ କରି କାନିପାର ଟାଣ ଚଟାଣରେ ଶୋଇ ପଡ଼ନ୍ତି ଓ ଠାକୁର ଠାକୁରାଣୀଙ୍କ ଶାସ୍ତ୍ରୀୟ ବର୍ଣ୍ଣନା ମନେ ପକାଇ ମନେ ମନେ ତାଙ୍କ ରୂପ ଆଙ୍କନ୍ତି ।

 

ବର୍ଷା ରାତି, ଅନ୍ଧାର ବିଲିବିଲି, ଝଡ଼ି ଲାଗିଥାଏ, ସେଇ ଯେତେବେଳେ କେତେଠି କେତେ ନଈ ବନ୍ଧ ଭାଙ୍ଗିଲା, କେତେ କେତେ ଗାଁ ଗଣ୍ଡା ବଢ଼ିରେ ବୁଡ଼ିଲା, ସେତିକିବେଳେ ଅଦେଖାରେ ବେଣୁ ବୋଧହୁଏ ମୁହଁ ଦେଖାଇଥିଲା ଆଉ କୁଦା ମାରିଥିଲା ତାଙ୍କ କୋଡ଼ରୁ ତା ପାଗଳୀ ମା କୋଡ଼କୁ ।

 

ତାର ସୁନ୍ଦର ମୁହଁକୁ ଚାହିଁ ଶଶୀ ମିଶ୍ର ଭାବୁଥାନ୍ତି, ହେ ଭଗବାନ ! ଏଇ ଶେଷ ହୋଇଥାଉ, ଆଉ ନୁହେଁ, ....ଦେଖୁଥାନ୍ତି କେଡ଼େ ସୁନ୍ଦର ତା’ ରୂପ ! ଭାବୁଥାନ୍ତି, ଏମିତି ଦିଶୁଥିବେ ନର ଅବତାରରେ ଭଗବାନ, ରାମ, କୃଷ୍ଣ, ବୁଦ୍ଧ, ଏମିତି ଦିଶୁଥିବେ ମହାପ୍ରଭୁ ଶ୍ରୀ ଚୈତନ୍ୟ, ଏମତି ଦିଶୁଥିବେ ଧ୍ରୁବ, ଶୁକଦେବ, ପିଲାଦିନେ ବୃହସ୍ପତି, ବ୍ୟାସ, ବଶିଷ୍ଠ, ନାରଦ, ସନକ, ଯାଜ୍ଞବଳ୍‌କ, ନାନା ମୁନି ୠଷି ସିଦ୍ଧ ମହାପୁରୁଷ । ତାକୁ ଡାକିଲେ, କୋଡ଼କୁ ନେଲେ, ଗେଲ କଲେ । କେତେଗୁଡ଼ିଏ ଫୁଲ ଫଳ, ପତ୍ର ଏଠୁ ସେଠୁ ଛିଣ୍ଡେଇ ଆଣି ଥୋଇଲେ, ଗୋଡ଼ି ଗୁଡ଼ିଏ ବି, ମାଟି ଗୁଡ଼ିଏ ବି ଆଞ୍ଚୁଡ଼ି ଗଦାକଲେ । କହିଲେ ‘‘ଖେଳ୍ । ଘର ତୋଳ୍‍, ରୋଷେଇ କର୍, ପାଠ ପଢ଼୍‍ ।’’

 

ସେହି ଅସମଞ୍ଜସ ପରାମର୍ଶକୁ ଅନୁସରଣ କଲାଭଳି ପିଲାଟି ବି ସେଗୁଡ଼ିକୁ ମୁଠେଇ ଏଣେ ତେଣେ ଫୋପାଡ଼ି ଲାଗିଲା ଆଉ ହସିଲା । ସେତିକିବେଳେ ଦୂରରୁ ବାଜା ଶୁଭିଲା । ଆପଣା ଘରପଟୁ ଶବ୍ଦ ଶୁଭୁ ନାହିଁ । ଶଶୀବାବୁ ସେତେବେଳେ ମୁଠାଏ ମାଟିଧରି ହାତ ପାପୁଲି ଖୋଲିଥିଲେ । ଚିକ୍‌କଣ ‘ବନମାଟି’, ନାଲି, କଅଁଳ, ଉର୍ବର, କଳ୍ପନା ତେଜି ଉଠିଲା । ନିରେଖି ଚାହିଁଲେ, ଯେମିତି ଅତି ଅଦ୍ଭୁତ ପ୍ରକାରେ ତାଙ୍କ ଦୃଷ୍ଟି ଶକ୍ତି କେତେ ସୂକ୍ଷ୍ମ, ଗଭୀର ଓ ଶକ୍ତିଶାଳୀ ହୋଇ ଯାଇଛି, ଯହିଁରେ କେବଳ ବସ୍ତୁହିଁ ଦିଶୁଛି ସେତିକି ନୁହେଁ, ବସ୍ତୁ ଉପରେ କାଳର ସମ୍ପର୍କର ଚିହ୍ନ ବି ବାରି ହେଉଛି, ସତେ ଅବା କଳ୍ପନା ଭିତରୁ ଜନ୍ମ ହେଉଛି ନାନା ରୂପ, ନାନା ଭାବ, ଅଥବା କେଉଁ କିମିଆଁ ବଳରେ ଯାହା ବିଗତ, ନିଶ୍ଚିହ୍ନ, ତାହା ହୋଇଯାଉଛି ଚେଇଁଥିବା, ଚାଲୁଥିବା, ନିଶ୍ୱାସ ମାରୁଥିବା ଜୀଅନ୍ତା ବର୍ତ୍ତମାନ ।

 

ଶଶିବାବୁ ଦୁଇ ପାପୁଲିରେ ସେହି ମାଟିକୁ ସ୍ନେହରେ ଆଉଁଷି ଆଉଁଷି ଅନାଇଁ ରହିଥାନ୍ତି, ମୁହଁରେ ବିଚିତ୍ର ଭଙ୍ଗୀ, ଆଖି ଜିକି ଜିକି । ସେ ବେଣୁକୁ ବି ଭୁଲି ଯାଇଥାନ୍ତି । ଆଜି ନୁଆ ନୁହେଁ, ଏମିତି ତଦ୍‌ଗତ ତନ୍‌ମୟ ଅବସ୍ଥା ତାଙ୍କର କେତେ କେତେବେଳେ ଆସେ । ତାଙ୍କୁ ସେ ଅବସ୍ଥାରେ ଦେଖିଲେ କେହି କେହି କହିଥାନ୍ତି ‘‘ଆହା ବିଚରା ! ଗରିବ ମାଷ୍ଟର, ଏମିତି ତ ନିଅଣ୍ଟିଆ ଦରମା, ତହିଁରେ ପୁଣି ସେ ପୋଷିବାକୁ ପାଞ୍ଚ ପୁଅ, ତହିଁକି, ମାଇକିନିଆଟା’ ତ ! ବଦ୍ଧ ପାଗଳୀ, କୌଣସି କଥାକୁ ତ ଯୋଗ୍ୟ ନୁହେଁ ଯେ ମାଷ୍ଟର ଚୁଲି ଫୁଙ୍କି ଫୁଙ୍କି ତା’ ଦିନଯାଏ, ପିଲାଙ୍କୁ ବି ପାଳେ, ମର୍ଦ୍ଦଟାଏ ନଇଲେ ପିଲାଙ୍କୁ ଦୁଧ ବି ଦେଉଥାନ୍ତା ହୋ, ତାଙ୍କର ସବୁତ କରେ ସେ ! ଓଲଟି ମାଇକିନିଆଟା ତାକୁ ଅକଥ୍ୟ ଭାଷାରେ ଶୋଧେ ଯେ ସାହିରେ କାନ ଅତରା ପଡ଼େ, ନିସ୍ତୁକ ମାଡ଼ ଚଢ଼ାଉଥାଏ ଅଥଚ ଏ ବଳଦଟାର ଉଁ ନାହିଁ କି ଚୁଁ ନାହିଁ ! ତେଣୁ, ବିଚରା ମାଷ୍ଟରର ମୁଣ୍ଡ ଯଦି ବିଗିଡ଼ିଥିବ, ସେଥିରେ ଆଶ୍ଚର୍ଯ୍ୟ କଣ ?’’ କେତେ ଲୋକ ‘ଧରି ନେଇଥିଲେ’ ଯେ ତାଙ୍କ ମୁଣ୍ଡରେ ‘ଛିଟ୍’ ଅଛି ।

 

କିନ୍ତୁ ଏକାଦଶ ଶ୍ରେଣୀର ଛାତ୍ର ସନ୍ତୋଷ ଦାସ ପରି ଥିଲେ ଆହୁରି ବହୁତ ଛାତ୍ର ଯେଉଁମାନେ ଶଶୀ ମିଶ୍ରଙ୍କୁ ବହୁତ ଶ୍ରଦ୍ଧା ଓ ଭକ୍ତି କରୁଥିଲେ । ସ୍କୁଲରେ ପଢ଼ାଇଲାବେଳେ ହେଉ, ବାଟ ଚାଲିଲା ବେଳେ ହେଉ, ଶଶୀବାବୁ ହଠାତ୍ ଏପରି ଭାବବିହ୍ୱଳ ହୋଇଗଲା ବେଳେ ତାଙ୍କୁ ଦେଖିଲେ ସେମାନେ ଦୂରରୁ ମନେ ମନେ ତାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରନ୍ତି । ଭାବନ୍ତି ୟେ ତାଙ୍କର ଧ୍ୟାନସ୍ଥ ଅବସ୍ଥା, ଯେତେବେଳେ ତୃତୀୟ ନୟନ ଫିଟିଯାଏ, ସେମାନଙ୍କ ଧାରଣା ଯେ ସେ ମହା ବ୍ରହ୍ମଜ୍ଞାନୀ, ମହାନ୍ ସାଧକ, ଜଣେ ଛଦ୍ମବେଶୀ ସିଦ୍ଧ ପୁରୁଷ । ଏଥିରେ ଥରେ ବିଶ୍ୱାସ ହେଲାପରେ ସେମାନେ ଭାବିଥାନ୍ତି ଯେ ତାଙ୍କର ଏ ଅବସ୍ଥା ତାହାରି ପ୍ରମାଣ ହିଁ । ସେମାନେ ଭାବୁଥିଲେ,–ସେ ନିଜେ ସ୍କୁଲରେ ସିନା ମ୍ୟାଟ୍ରିକ ପାଶ୍, କିନ୍ତୁ ସ୍କୁଲ ଛାଡ଼ିଲା ପରେ ଘରେ ସେ ଏତେ ଶାସ୍ତ୍ର ପଢ଼ିଛନ୍ତି ଯେ ଜ୍ଞାନରେ ସ୍କୁଲର ଶିକ୍ଷକମଣ୍ଡଳିରେ ତାଙ୍କ ସଙ୍ଗେ ସମାନ ହେବାକୁ ଆଉ କେହି ନଥିଲେ । ସେମାନଙ୍କର ଏସବୁ ଧାରଣା ଯେ ତା ଛାଆଁକୁ ହୋଇଥିଲା ସେଭଳି ନୁହେଁ । ସ୍କୁଲଘଣ୍ଟା ବାହାରେ ନିଜେ ବେଳ ପାଇଲେ ଶଶୀବାବୁ ଆଗ୍ରହୀ ଛାତ୍ରମାନଙ୍କୁ ଉଦ୍‌ବୁଦ୍ଧ କରନ୍ତି । ସେ କହିଥାନ୍ତି ଯେ ଭାରତୀୟ ଶାସ୍ତ୍ରମାନ ଏତେ ଉନ୍ନତ ଯେ ପୃଥିବୀର ଅନ୍ୟ କୌଣସି ଦେଶର ଶାସ୍ତ୍ର ତାକୁ ଏ ପର୍ଯ୍ୟନ୍ତ ସମସରି ହୋଇ ପାରି ନାହିଁ । ପାଶ୍ଚାତ୍ୟ ଜଡ଼ ବିଜ୍ଞାନ ବିଷୟରେ ସେ କହିଥାନ୍ତି ଯେ ତାଠୁଁ ବଳି ଉନ୍ନତ ଜଡ଼ବିଜ୍ଞାନ ଭାରତରେ ଅସୁରମାନେ ବି ଜାଣିଥିଲେ । ସେତେବେଳେ ପାଶ୍ଚାତ୍ୟ ଦେଶମାନଙ୍କରେ ଯେଉଁ ଲୋକଥିଲେ–ଅର୍ଥାତ୍ କେହି ଯଦି ଥିଲେ–ସେମାନେ ଅତି ଅଶିକ୍ଷିତ ଅବସ୍ଥାରେ ପଶୁପରି ଚଳୁଥିଲେ । ଯାହା ବା ଜଡ଼ବିଜ୍ଞାନ, ଯନ୍ତ୍ରପାତି ପାଶ୍ଚାତ୍ୟ ଦେଶମାନଙ୍କରେ ପରେ ହେଲା, ସେ ସବୁ ତ ଭାରତୀୟ ଗୁପ୍ତ ଶାସ୍ତ୍ରମାନଙ୍କରୁ ହିଁ ସେମାନେ ନେଲେ । ଭାରତ ଅଧିକାର କଲେ, ନାନା ସ୍ଥାନରୁ ଗୁପ୍ତ ସଂସ୍କୃତ ପୋଥି ନେଇ ପଳାଇଲେ, କେତେକ କିଣି ନେଲେ, କେତେକ ନେଲେ ଶହ ଶହ ହଜାର ହଜାର ଟଙ୍କା ଲାଞ୍ଚ ଦେଇ, ସେଇଆକୁ ପଢ଼ି ତା ଭିତରୁ ବିଜ୍ଞାନ ବାହାର କଲେ ।

 

ଶଶୀ ମିଶ୍ରେ କହିଲା ବେଳେ ପିଲାଏ ଶୁଣି ବିଶ୍ୱାସ କରନ୍ତି, ତାଙ୍କ ମନରେ ବି ସେହି ବିଶ୍ୱାସ ନିଶ୍ଚୟ ଥିବ, ନହେଲେ ତାଙ୍କର ଭାଷା ଓ ଭାବଭଙ୍ଗୀ ସେ ବିଷୟରେ ଏଡ଼େ ନିଃସନ୍ଦେହ ବୋଲି ଜଣା ପଡ଼ି ନଥାନ୍ତା ପରା ! ଶଶୀ ମିଶ୍ର କି ପ୍ରକାରେ ଏସବୁ ତଥ୍ୟ ଜାଣିଲେ ? କେଉଁଠି ପଢ଼ିଥିଲେ, ନା ତାଙ୍କୁ କିଏ କହିଲା, ନା ଦିବ୍ୟ ଦୃଷ୍ଟି ବଳରେ ସେ ଦେଖିଲେ ? ପିଲାଏ କେବେ ତାଙ୍କ କଥା ଅବିଶ୍ୱାସ କରି ନାହାନ୍ତି, ତେଣୁ ତାଙ୍କୁ ଏସବୁ ପ୍ରଶ୍ନ ପଚରା ହୋଇନାହିଁ । କିନ୍ତୁ ଏହିପରି ନାନା ଜ୍ଞାନୀ, ଗୁରୁ, ଗୁରୁଜନ, ଦେଶରେ ସାଧାରଣ ମଣିଷଙ୍କର ଜ୍ଞାନ ଓ ଧାରଣା ବଢ଼ାଇଥାନ୍ତି । ସେ ବି ସେଇଆ କରିଥିଲେ । ସେହି ଶଶୀ ମିଶ୍ର କହୁଥିଲେ, ଅସୁରମାନେ ବିନା ଯନ୍ତ୍ର ଉପରେ ନିର୍ଭର କରୁଥିବା ଜଡ଼ ବିଜ୍ଞାନରେ ପାରଙ୍ଗମ ହେଲେ, ଦେବତାମାନେ ଆହୁରି ସୂକ୍ଷ୍ମବିଦ୍ୟା ଜାଣିଥିଲେ ତେଣୁ ତାଙ୍କୁ ଟପିଗଲେ, ସେହି ଦେବତାମାନେ ହିଁ ଏବର ଭାରତୀୟଙ୍କ ପୂର୍ବପୁରୁଷ । ସେମାନେ ଧରିଥିଲେ ଅସଲ ମାଲକୁ, ତା ନାଁ ବ୍ରହ୍ମ, ଶୂନ୍ୟ ବା ପ୍ରାଣ । ତାକୁ ଅକ୍ତିଆର କଲେ ତୁମେ ଯାହା ଚାହିଁବ ତା’ ହେବ । ଯାହା କରିବାକୁ ଚାହିଁବ ତା’ କରି ପାରିବ, ସେହି କ୍ଷମତାଟା ନା ଯୋଗ–ବିଭୁତି, କୌଣସି ମ୍ୟାଜିକ କୌଣସି ଜଡ଼ିବଜ୍ଞାନ ତାକୁ ସରି ନୁହେଁ, ତାରି ବଳରେ ଏ ପର୍ଯ୍ୟନ୍ତ ଦ୍ୱାପର ଯୁଗର ହନୁମାନ ଆଉ ବିଭୀଷଣ ପରା ବଞ୍ଚିଛନ୍ତି, ହିମାଳୟର ବରଫ ଉପରେ କି ଦଣ୍ଡକାରଣ୍ୟର ହୁଙ୍କା ଭିତରେ ଖାଲି ଶହ ଶହ ବର୍ଷର ଋଷିମୁନି ଅଛନ୍ତି, ସେତିକି ନୁହନ୍ତି, ସେମାନେ ତ ପିଲା ! ତମେ କେଉଁ ଗ୍ରହ ଉପଗ୍ରହକୁ ଯିବାକୁ ଚାହଁ । କୋଟି କୋଟି ଟଙ୍କା ଖର୍ଚ୍ଚହେବ ଆଉ ହଜାର ହଜାର ବୈଜ୍ଞାନିକ କାରିଗର ଯୁଗଯୁଗଯାକ ଲାଗିବେ, ଏତେ ସିଧି କି ଦରକାର ? ବ୍ରହ୍ମକୁ ଧରିଛି, ଚିହ୍ନିଛି ସେ ମନକଲେ ଆଖି ପିଛୁଡ଼ାକେ ଯାଇ ସେ ଗ୍ରହରେ ପହଞ୍ଚି ସାରିଥିବ ।

 

ସନ୍ତୋଷ, ସୁଧାଂଶୁ, ବିନୟ, ବଳରାମ, ପ୍ରଶାନ୍ତ ଆଦି ବଡ଼ ବଡ଼ ପିଲାଥିଲେ ସେ ସ୍କୁଲର ନେତା, ଅନ୍ୟ ପିଲାଏ ସେମାନଙ୍କ କଥା ମାନୁଥିଲେ, ପାଠ ପଢ଼ାରେ ସାଧାରଣ ହେଲେ ବି ଖେଳରେ ସେମାନେ ଇସ୍କୁଲର ନାଁ ରଖୁଥିଲେ, ତେଣୁ ସେମାନେ ଶିକ୍ଷକମାନଙ୍କ ଗେହ୍ଲା ପୁଅ । ସ୍କୁଲରେ କୌଣସି ଗଣ୍ଡଗୋଳ ହେବା ଉପକ୍ରମ ହେଲେ ତାକୁ ବନ୍ଦ କରିବାକୁ ସେହିମାନଙ୍କ ସାହାଯ୍ୟ ହିଁ ଲୋଡ଼ାପଡ଼େ । ସେମାନେ ନାଁ–ଡାକ୍, ସେମାନଙ୍କ ମତହିଁ ପିଲାଙ୍କ ଗହଣରେ ସତେ ଅବା ‘ରାଜ–ମତ’ । ସେମାନଙ୍କ ମତରେ ଶଶୀ ମିଶ୍ର ଜଣେ ଅତି ଅସାଧାରଣ ମହାପୁରୁଷ, ସନ୍ଥ, ଜଣେ ଦିଗ୍‌ଦ୍ରଷ୍ଟା, ଦିବ୍ୟଦର୍ଶୀ ସିଦ୍ଧ, ଯେ ନିଜ ଇଚ୍ଛାରେ ନିଜ ଖିଆଲରେ ହିଁ ଏଡ଼େ ହେୟ ଅବସ୍ଥାରେ ପଡ଼ି ରହିଛନ୍ତି ।

 

କାହିଁକି ତାଙ୍କ ସ୍ତ୍ରୀ ବଦ୍ଧ ପାଗଳ ? କାହିଁକି ତାଙ୍କ ପିଲାଗୁଡ଼ିକ ଭୋକରେ ହାଁ ହାଁ ? କାହିଁକି ରାଜପଥଉପରେ ସମସ୍ତିଙ୍କ ଆଖି ଆଗରେ ତାଙ୍କୁ ତାଙ୍କ ଭାରିଜାଠୁ ମାଡ଼ ଖାଇବାକୁ ପଡ଼େ, ଅତି ଅସଭ୍ୟ ଗାଳି ଶୁଣିବାକୁ ପଡ଼େ ?

 

ହୁଏତ ତାଙ୍କରି ଲୀଳା, ତାଙ୍କରି ଇଚ୍ଛା ।

 

ହୁଏତ ନିରୁଦ୍ଦେଶ୍ୟ ନିରର୍ଥକ ଘଟନା, ତା ଆଗରେ ସେ ସେତିକି ନିରୁପାୟ ଯେତିକି ସୃଷ୍ଟି ଓ ଜୀବନ କ୍ଷେତ୍ରରେ ଯେକୌଣସି ସାଧାରଣଜୀବୀ ।

 

କେଉଁଟା ଠିକ୍ କେହି ତାଙ୍କୁ ପଚାରି ନାହିଁ ।

 

ଆଉ ଏଣେ, ଶଶୀ ମିଶ୍ର ସେ ମାଟିକୁ ଛୁଇଁ ଛୁଇଁ ପୁଲକ ଅନୁଭବ କରୁଥାନ୍ତି, ବିସ୍ମିତ ହୋଇ ସିନେମା ଦେଖିଲାପରି ଦୃଶ୍ୟ ଦେଖୁଥାନ୍ତି । ଭାବୁଥାନ୍ତି, ଏଇ ମାଟିକୁ ମାଡ଼ିଥିବେ ସେହି ପ୍ରାଚୀନ ଯୁଗର ଲୋକେ, ଅକଳନ ଯୁଗର ମଣିଷ, ବେଦଦ୍ରଷ୍ଟା ଋଷିମାନେ, ଭଗବାନଙ୍କ ଅବତାରମାନେ, ମହା ମହା ଲୋକମାନେ । ଏହାରି ଉପରେ ବିତିଗଲା ଶହ ଶହ ହଜାର ହଜାର ଯୁଗର ମଣିଷଙ୍କ ଲୀଳା ଖେଳା, ସୁଖ ଦୁଃଖ । ତାଙ୍କ ପାଦ ଏ ମାଟିକୁ ଦୁଲୁକେଇ ଥିଲା । ତାଙ୍କ ଛାଇ ଏ ମାଟିକୁ ଢାଙ୍କିଥିଲା । ତାଙ୍କ ଝାଳ ନିଗିଡ଼ିଥିଲା ୟା ଉପରେ, ଭେଦିଥିଲା । ଗଲା ଚାଲି ଆଦିବାସୀମାନଙ୍କ ଯୁଗ, ବେଦମାନଙ୍କ ଯୁଗ, ରାମାୟଣ ଯୁଗ, ମହାଭାରତ ଯୁଗ, ପୁରାଣମାନଙ୍କ ଯୁଗ, ହଜାର ହଜାର ବର୍ଷ ସେ । ଗଲା ଚାଲି ହିନ୍ଦୁ ରାଜାମାନଙ୍କ ଯୁଗ, ପଠାଣ ରାଜାମାନଙ୍କ ଯୁଗ ମୋଗଲ ବାଦଶାମାନଙ୍କ ଯୁଗ, ମରହଟ୍ଟାଙ୍କ ପ୍ରାଧାନ୍ୟର ଯୁଗ, ନାନାପ୍ରକାର ରାଜାଙ୍କ ମେଳ ବା ଗୋଳର ଯୁଗ, ସେଉଠୁଁ ଆସିଲା ଇଂରେଜ ଅମଳ, ଓଡ଼ିଶାରେ ତା ଆୟୁଷ ଦେଢ଼ ଶହ ବର୍ଷ ବି ପୂରିଲା ନାହିଁ, ଶହେ ଚୌରାଳିଶି ବର୍ଷରେ ହିଁ ଶେଷ । ତା’ ଆଗର ମଣିଷ ପଛେ ବଞ୍ଚି ନଥାନ୍ତୁ, ବାଟ କରର ଗଛ ତ ଅନେକ ଅନେକ ଅଛନ୍ତି, ଶାଗୁଣା, ସାପ, ଗୋଧି, ଆଉ ଆଉ ଜୀବଜନ୍ତୁ ଅନର୍ଯାପ ଥିବେ, ସହଜେ ତ ରହିଛି ଏ ମାଟି, ସବୁ ଦେଖିଛି, ଯୁଗଯୁଗର ନାନା ପାଦର ଛାଞ୍ଚ ତହିଁରେ ଗୋଳି ହୋଇଛି, କାଣ୍ଟିଆ ଗାଡ଼ିଆରୁ ଭଟୁକିଟାଏ ଉପରକୁ ଉଠି ଫାଟିଗଲା ଭଳି ଶହେ ଚୌରାଳିଶିଟା ବର୍ଷ, କିବା କଥା !

 

ଅଥଚ ସେତିକି ପାଇଁ କେତେ କ୍ୟାଟ୍ ମ୍ୟାଟ୍ ବ୍ୟାଟ୍ ଡ୍ୟାମ୍ ଡ୍ୟାଡ଼ି ମାମ୍ମି, ସେଥିରୁ ଦଶପାଞ୍ଚଟା ଶବ୍ଦ ଉଚ୍ଚାରଣ ନ କଲେ ତୁଣ୍ଡ ଅପବିତ୍ର, ଜନ୍ମ ହିଁ ଧିକ୍, ଆଉ–ଖାଲି କଣ ଭାଷା ? ପୋଷାକ ଚଳଣି, ଆଚାର, ବିଚାର, ସ୍ୱଭାବ, ଚରିତ୍ର, ଏ ଦେଶର ସମାଜ, ସମୁଦାୟ ମଣିଷପଣିଆରେ କେଡ଼େ ପରିବର୍ତ୍ତନ ! ସତେ ଯେମିତି ଶହେ ଚୌରାଳିଶି ବର୍ଷର ଇଂରେଜୀ ରାଜୁତି ନୁହେଁ ଯେ ଦେଢ଼ ହଜାର ବର୍ଷର !

 

ବିସ୍ମିତ ହୋଇ ଭାବୁଥିଲେ ଶଶୀ ମିଶ୍ର ।

 

କାଲି ରାତି ବାରଟାବେଳୁ ସେ ରାଜୁତି ବି ସରିଛି ।

 

ଭାବୁଥାନ୍ତି,–ଦେଶରେ ପ୍ରାଚୀନ ଧାରାର ପରିବର୍ତ୍ତନ ଇଂରେଜୀ ରାଜୁତି ଯୋଗୁ ହେଲା ନା ସେଇଟା ଗୋଟାଏ ଯୁଗ ବଦଳିବା କାମ, କାଳର ନିର୍ଦ୍ଦେଶରେ ଘଟେ ଯେମିତି ସତ୍ୟଯୁଗ ଯାଇଥିଲା ଦ୍ୱାପର ଯୁଗ ଆସିଥିଲା, ଆଉ ଯୁଗ ବଦଳିବା ବେଳକୁ ଯୋଗକୁ ଏ ଦେଶରେ ଆସି ପହଞ୍ଚିଗଲେ ଇଂରେଜ ? ଇଂରେଜ କିଏ ? ୟୁରୋପ ମହାଦେଶର ଉତ୍ତର–ପଶ୍ଚିମ ପଟେ ସମୁଦ୍ର ଘେର ଭିତରେ ଥିବା ଗୋଟିଏ ଦ୍ୱୀପର ବାସିନ୍ଦା, ଇଲାକା ବାଡ଼ି ସେଡ଼େ ବଡ଼ କିଛି ବି ନୁହେଁ, ସବୁ ରୁଣ୍ଡେଇ ଗୁଣ୍ଡେଇ ଆୟତନରେ ଆମର ଏଇ ଓଡ଼ିଶା ଭଳିଆ, ମଣିଷ ବି ସେତେ କିଛି ଅଧିକ ନୁହନ୍ତି । ପରିବର୍ତ୍ତନର ମୂଳ ଘଟଣା ଯେଉଁ ବିଜ୍ଞାନ, ତହିଁରେ ପାରଙ୍ଗମ ବୋଲି ବେଶି ନାଁ ପଡ଼େ ଜର୍ମାନମାନଙ୍କର, ଇଂରେଜମାନଙ୍କର ସେତେ ନୁହେ । ବିଜ୍ଞାନରେ ଆବିଷ୍କାରମାନ ତ ନାନା ଆଡ଼ର ଲୋକ କରିଛନ୍ତି । ଏକୁଟିଆ ଇଂରେଜ ନୁହନ୍ତି । ଅତିକାୟ ହାତୀ ଉପରେ ମାହୁନ୍ତ ବୋଲି ସାନ ମଣିଷ ବକଟେ ବସିବା ଦୃଶ୍ୟ ଆଖିକି ଯେଡ଼େ ଆଶ୍ଚର୍ଯ୍ୟ ଉଦ୍‌ଭଟ ଆଉ ଅସମ୍ଭବ ଦିଶୁଥାଏ, ଏ ବିଶାଳ ପୃଥିବୀ ଉପରେ କ୍ଷୁଦ୍ର ଇଂରେଜ ଦ୍ୱୀପର ଦିନା କେତେ ରାଜଚକ୍ରବର୍ତ୍ତିପଣ ସେମିତି ଲାଗେ, ତାହା ବି ମହାକାଳ ଦେଖାଇବା ପ୍ରହସନ ନୁହେଁ ତ ଆଉ କଣ ! ଅଥଚ କେତେ ସହଜରେ ଭାରତବର୍ଷ ବି ମଙ୍ଗିଲା ନିଜେ ଇଂରେଜି ପାଲଟି ଯିବ ବୋଲି ! କଥା କହିବ ସେମିତି, ଭାବିବ ସେମିତି, ହସିବ ସେମିତି, କାଶିବ ସେମିତି ! ଭାରତବର୍ଷ ! ଯୁଗ ଯୁଗର କାଳ କାଳର ଶ୍ରେଷ୍ଠ ମଣିଷ ହୋଇଥିଲେ ସେମାନେ ! ଅନ୍ୟମାନେ ତାଙ୍କରିଠୁଁ ଶିଖୁଥିଲେ । କେଡ଼େ ପ୍ରକାଣ୍ଡ ଦେଶ ୟେ, କେଡ଼େ ପୁରୁଣା, କେତେ ପ୍ରକାର ପ୍ରକାର !

 

ଇଂରେଜ୍ ଅମଳ ପଛରେ ପଡ଼ି ରହିଲାଣି ।

 

ତାପରେ ?

 

ଶଶୀ ମିଶ୍ର ବେଣୁକୁ କୋଡ଼ରେ ଧରି ଦୂରକୁ ଆକାଶ ଆଡ଼କୁ ଅନାଇଁ ରହିଥିଲେ । ତଥାପି ସୂର୍ଯ୍ୟ ଦେଖା ନାହିଁ, ଆକାଶର ବର୍ଣ୍ଣ ଗୋଳିଆ ।

 

ମନେ ମନେ ସେଠି ସେ କିଛି ସଂକେତ ଖୋଜୁଥିଲେ । ଯେଉଁ ସଂକେତରେ ମିଳନ୍ତା ‘ତା ପରେ’ ର ଉତ୍ତର । ସତେ କଣ ସବୁ ଅଭାବ ମେଣ୍ଟିବ, ସବୁ ଆବଶ୍ୟକ ପୂରଣ ହେବ ?

 

ବେଣୁକୁ ଟାଣ୍‌କରି ଯାବୁଡ଼ି ଧରିଲେ, ଭାବିଲେ,

 

–‘‘ଏମାନେ ଅନ୍ତତଃ ଛାତି ଫୁଲେଇ କହିପାରିବେ,

 

–ଆମେ ସ୍ୱାଧୀନ ଦେଶର ମଣିଷ ।’’

 

ଶିରୀପୁର ତିରିଶ–ହଜାରି ସହରଟିଏ ଲମ୍ବେ ଲମ୍ବେ ତିନିମାଇଲ୍, ନେତନଈ ପୋଲ ଯାକେ, ଜିଲା ମହକୁମା ବଡ଼ସହରଠୁଁ ଛତିଶିମାଇଲ୍ ସଡ଼କ ପଡ଼ିଛି । ଶିରୀପୁରକୁ ରେଲ୍‍ ବି ନଥାଏ-। ତାକୁ ସହର ନକହି ଅଳ୍ପ ଛଡ଼ା ଛଡ଼ାରେ ଥିବା ମେଞ୍ଚାଏ ଗାଁ କହିଲେ କିଛି କ୍ଷତି ହୋଇ ନଥାନ୍ତା, ମଝିରେ ମଝିରେ ତ ଘାସପଡ଼ିଆ, ଆମ୍ବତୋଟା, ଧାନ କ୍ଷେତ, ବାଉଁଶ ବଣ ଓ ପୋଖରୀ-। ଚାଳଘର, ଖପର୍ଲି ଘର, କ୍ୱଚିତ୍ କାହିଁ କୋଠା । କେବଳ ସରକାରୀ ଘର ଓ ‘ବଡ଼ବଜାର’ କୁ ଛାଡ଼ି, ସେ ସବୁ କୋଠା । ଶିରୀପୁର ଦେଶର ଗୋଟିଏ ବଡ଼ ଚଟା ଭାତଥାଳି ଇଲାକାର ମଝି, ସେଠୁ ଚାରିଆଡ଼କୁ ସଡ଼କମାନ ଯାଇଛି, ବସ୍ ଓ ଟ୍ରକ୍ ସବୁ ଚାଲେ, ଉଞ୍ଚ ଉଞ୍ଚ ଶଗଡ଼ ଗାଡ଼ିର ଧାଡ଼ି ଲାଗିଯାଏ । ସେମିତି ଆହୁରି ସାନ ସାନ ସହରମାନ ଅଛି ସେସବୁ ବାଟରେ, ସେଗୁଡ଼ିକ ଗୋଟିଏ ଗୋଟିଏ ପେଣ୍ଠ, ଜନସଂଖ୍ୟା କେଉଁଟାର କୋଡ଼ିଏ ହଜାର, କେଉଁଟାର ବା ଦଶହଜାର-। ଶିରୀପୁରରୁ ଆଉ ଦିପଟେ ଯୋଡ଼ିଏ ସଡ଼କ ଧାଇଁ ଯାଇଛି ପାହାଡ଼ମାଳକୁ, ପାଖେ ଗଲେ ପଡ଼ିବ ତିରିଶି ମାଇଲ୍ ଦୂରରେ, ଆର ପାଖେ ପଚାଶ ମାଇଲ୍ ଦୂରରେ । ସେଠୁ ଆସେ କାଠ ଓ ‘ଅନ୍ୟାନ୍ୟ ବନଜ ପଦାର୍ଥ’ । ଶିରୀପୁରର ପ୍ରଧାନ ବ୍ୟବସାୟ ଧାନ ଚାଉଳ କିଣିବା, ରପ୍ତାନି କରିବା, ସେହିପରି ରବି ଫସଲ ଓ ଅନ୍ୟାନ୍ୟ ଫସଲ, କାଠ ଓ ଜଙ୍ଗଲଜାତ ଦ୍ରବ୍ୟ, ପ୍ରକାର ପ୍ରକାର ତନ୍ତ ଲୁଗା ବୁଣା ଓ ରପ୍ତାନି,–ଶିରୀପୁର ଅଞ୍ଚଳର ବୁଣାକାର ପ୍ରସିଦ୍ଧି, ଇତ୍ୟାଦି ଇତ୍ୟାଦି । ଅନ୍ୟାନ୍ୟ ସବୁ ପେଣ୍ଠପରି ଶିରୀପୁରରେ ବି ବ୍ୟବସାୟ ଥାଏ ମାର୍‌ବାଡ଼ି ସଂପ୍ରଦାୟଙ୍କ ହାତରେ, ବଡ଼ବଜାରରେ ପାନଦୋକାନି, ଗୁଡ଼ିଆ, ଅଳ୍ପ କିଛି ଦରଜୀ ଆଦିଙ୍କୁ ଛାଡ଼ିଦେଲେ ଆଉ ସବୁ ଦୋକାନ ତାଙ୍କରି-। ଧନ୍ଦା ବି ଇଟା କରାଇ ବିକିବାଠୁଁ ଚାଉଳ କଳ ପକାଇବା ଓ ଧାନଚାଉଳ, ଲୁଗାପଟା ଆଦି ରପ୍ତାନି କରିବା ପର୍ଯ୍ୟନ୍ତ । ରୋଜଗାର ପାଇଁ ଉତ୍ତମକ୍ଷେତ୍ର ରହିଛି ଦେଖି କେଜାଣି କେତେବର୍ଷ ହେବ ମାର୍‌ବାଡ଼ି ବ୍ୟବସାୟୀ ଅଧିକରୁ ଅଧିକ ସଂଖ୍ୟାରେ ପ୍ରାୟ ବର୍ଷକୁ ବର୍ଷ ଆସୁଥାନ୍ତି, କେତେକ ବସିପଡ଼ନ୍ତି ଶିରୀପୁରରେ, କେତେକ ସେଠୁ ଉଠିଯାନ୍ତି ଅନ୍ୟ କେଉଁ ସାନ ପେଣ୍ଠକୁ କିମ୍ବା କେଉଁ ଗାଁକୁ । ସ୍ଥାନୀୟ ଲୋକେ କହିଥାନ୍ତି, ସେମାନେ ଜଣେ ଜଣେ ଖାଲି ଲୋଟାଟିଏ କମ୍ବଳଟିଏ ଘେନି ଆସିଥାନ୍ତି, ତାପରେ ବର୍ଷ କେଇଟାରେ ଧନୀ ପୁଞ୍ଜିପତି ହୋଇଯାନ୍ତି-। ମନେ ମନେ ତାଙ୍କ ପ୍ରତି ସ୍ଥାନୀୟ ଲୋକଙ୍କର ଈର୍ଷା ।

 

କିନ୍ତୁ ଏପରି କେବେ ଶୁଣା ନାହିଁ ଯେ ମାର୍‌ବାଡ଼ିମାନେ ଠେଙ୍ଗା ବାଡ଼ି ବା ଆଉ କିଛି ଭୟାନକ ଅସ୍ତ୍ରଶସ୍ତ୍ର ଧରି ସ୍ଥାନୀୟ ଲୋକଙ୍କୁ ଗୁଣ୍ଡାମିରେ ଡରେଇ ତାଙ୍କ ଭାତରୁ ତାଷ ଜମି ବା ବ୍ୟବସାୟର ପନ୍ଥାମାନ ବଳପୂର୍ବକ କାଢ଼ିନେଲେ । ଓଲଟି ଶୁଣାଯାଏ, ମାର୍‌ପିଟ୍ ଗୁଣ୍ଡାମି, ମାଲିମକଦ୍ଦମାରେ ଆସାମୀ ହେବା ପରିସ୍ଥିତି, –ଏଭଳି ଘଟଣାରୁ ମାରିବାଡ଼ି ସାଧାରଣତଃ ପଛେଇ ରହନ୍ତି । ଟଙ୍କା ଖଟାଇ, ପରିଶ୍ରମ କରି, ପରସ୍ପରକୁ ସାହାଯ୍ୟ କରି, ବ୍ୟବସାୟରେ ଲାଗିବାକୁ ସ୍ଥାନୀୟ ଲୋକଙ୍କୁ କେହି ମନାକରି ନାହାନ୍ତି ।

 

କାରଣ ଯାହା ହୋଇଥାଉ, ମାର୍‌ବାଡ଼ି ଏଠିକୁ ଦୂର ପ୍ରଦେଶରୁ ଆସି ଉଧେଇଛନ୍ତି, ଧନୀ ହୋଇଛନ୍ତି, ବ୍ୟବସାୟ ତାଙ୍କରି ଯୋଗୁ ଏଠି ତେଜି ରହିଛି, ସ୍ଥାନୀୟ ଲୋକଙ୍କୁ ସେମାନେ ପାରିଶ୍ରମିକ ଦେଇ ନିଯୁକ୍ତି କରିଥାନ୍ତି; ପୁଣି, ଯେକୌଣସି ବିଷୟରେ ଚାନ୍ଦା ସଂଗ୍ରହ ଆରମ୍ଭ ହେଲେ ଲୋକେ ଆଗ ଚାଲି ଯାଆନ୍ତି ସେମାନଙ୍କ ପାଖକୁ । ତା ସହିତ ଏପରିବି କୁହାହୁଏ ଯେ, ଧନ ହିଁ ମାରବାଡ଼ିଙ୍କ ଆରାଧ୍ୟ ଦେବତା, ତାକୁ ଅର୍ଜ୍ଜନ କରିବାକୁ ସମ୍ପାଦିବାକୁ ସେମାନେ ନାନା କଷ୍ଟରେ ପଡ଼ନ୍ତି, ସେଥିପାଇଁ ଜାଣି ଜାଣି ନିଜର ସବୁ ସୁଖସୁବିଧା ଛାଡ଼ନ୍ତି, ଅତ୍ୟନ୍ତ କଞ୍ଜୁସ୍ ହୁଅନ୍ତି, ନିଷ୍ଠୁର ହୁଅନ୍ତି, ଶୋଷକ ହୁଅନ୍ତି, ଦୁର୍ନୀତି କରନ୍ତି, ଆଇନକୁ ଫାଙ୍କନ୍ତି, ଭଗବାନଙ୍କୁ ବି । କିନ୍ତୁ ଏକା ମାର୍‌ବାଡ଼ି ନୁହନ୍ତି, ଦକ୍ଷିଣର କୁମୁଟି, ସ୍ଥାନୀୟ ସାହୁ ମହାଜନ, ଯେକୌଣସି ଦେଶର, ଜାତିର ଯେ ମନ ସେ ଜୀବନରେ ଅନ୍ୟ ସବୁଠୁଁ ଧନକୁ ହିଁ ସବୁଠୁ ବଡ଼ ବୋଲି ମଣିବ, ତା ସ୍ୱଭାବ ଚରିତ୍ର ତା ଚଳଣି ଅନ୍ୟମାନଙ୍କ ପ୍ରତି ତା’ ଆଚରଣ ବଳେ ବଳେ ସେହିଭଳି ହୋଇଯିବ, ସେ ମାରବାଡ଼ି ହେଉ କି ପଞ୍ଜାବୀ ହେଉ କି ଈହୁଦୀ ଜର୍ମାନ ହେଉ କି ମାର୍କିନ ହେଉ । ଯେତେବେଳେ ସମାଜରେ ଲୋକେ ଧନ ଓ ଧନିକକୁ ହିଁ ମୁଣ୍ଡରେ ମୁଣ୍ଡାନ୍ତି, ସେତେବେଳେ ସେ ସମାଜରେ ମଣିଷଙ୍କ ଚରିତ୍ର ବି ସେହିପରି ହୋଇଯାଏ, ସେଠି ଆଦର୍ଶବାଦ, ସତ୍ୟ, ପରସ୍ପରକୁ ସ୍ନେହ ସହାନୁଭୂତି, ମର୍ଯ୍ୟାଦାବୋଧ ଆଦି ସ୍ୱପ୍ନରେ ବି ଭାବିହୁଏ ନାହିଁ ।

 

ମଣିଷ ସରଳ–ବିଶ୍ୱାସୀ ଓ ନିର୍ବିରୋଧ, ଯାହା କହିଲେ ଶୁଣି ଗିଳି ପକାଇବେ, ତାଙ୍କ ଉପରେ ଯାହା ଅଦୋଉତି କଲେ ସୁଦ୍ଧା କାହା ପ୍ରାଣ ନାଶ କରିବାକୁ ହାତ ଟେକିବେ ନାହିଁ, କାହା ଉପରେ ଖୁବ୍‍ ରାଗିଗଲେ ଘଣ୍ଟାଏ ଯାକ ମୁଖରାବ ଧ୍ୱନି କରିବେ, ତୁଣ୍ଡେ ତୁଣ୍ଡେ ଗୁଡ଼ାଏ ବଜାବଜି, ଗୁଡ଼ାଏ ଗର୍ଜ୍ଜନ, ତାପରେ ଆଉ କିଛି ନାହିଁ, ତୁନିହୋଇ ରହିବେ,–କାହାରି ମୁଣ୍ଡ ଫାଟିବ ନାହିଁ କି କାହାର ଘର ପୋଡ଼ା ହେବ ନାହିଁ । ଏ ଦେଶରେ କଅଁଳେଇ କହିଲେ, ପିଠି ଆଉଁସି ପକାଇଲେ ମଣିଷ ସଙ୍ଗେ ସଙ୍ଗେ ବଶ, ଏଠି ଭୂତ ଓ କିମିଆଁ ଡର ଦେଖାଇଲେ ଲୋକେ ଡରନ୍ତି, ଦାଢ଼ୀ ଓ ବାଡ଼ି ଥିଲେ ଲୋକେ ବାଟ ଛାଡ଼ନ୍ତି, ତେଣୁ ଏଠି ଅନ୍ୟପ୍ରାନ୍ତରୁ ଜୀବିକା ଖୋଜି ଆସିଥିବା ଲୋକଙ୍କ ଲାଗି ଟିକିଏ ସୁବିଧା ହୁଏ । ଖବର ପାଇ ଆସିଥାନ୍ତି ବି କେହି କେହି ।

 

ସେହିପରି, ସ୍ଥାନେ ସ୍ଥାନେ ରହିଯାଇଛନ୍ତି ବି କେତେଜଣ । ସେମାନେ ପଞ୍ଜାବୀ ଓ କିଛି କିଛି କାନ୍ତରାଟୀ ବାବୁମାନେ, ପଞ୍ଜାବୀ ମଟର ଟ୍ରକ ଡ୍ରାଇଭର, ମାଲିକ, କାଠଦଳ ମାଲିକ, କାଠ କାରିଗର, ତେଲେଗୁ ଦର୍ଜି ଓ ମେକାନିକ, ଅନ୍ୟାନ୍ୟ ନାନା ସ୍ଥାନରେ ନାନା ବୃତ୍ତିଧାରୀ, ସ୍ଥାନୀୟ ବାସିନ୍ଦାଙ୍କ ସଙ୍ଗେ ସେମାନେ ସମସ୍ତେ ମିଶି ଶିରୀପୁରର ଲୋକ ।

 

ସେଦିନର ସେ ବଉଦ ଢଙ୍କା ସକାଳଟି ଏମିତି ହୋଇଥିଲା ଯେମିତିକି ପାହାନ୍ତା ହିଁ ଲମ୍ବି ରହିଥିବ, ସରିବ ନାହିଁ । ସେହି ବିଶିଷ୍ଟ ସକାଳଟିରେ ଶିରୀପୁରର ସବୁ ଶ୍ରେଣୀରୁ ନାନା ପ୍ରକାର ମଣିଷ ଆସି କଚିରି ସାମ୍ନା ପଡ଼ିଆରେ ଏକାଠି ହୋଇଥିଲେ, କର୍ମଚାରୀ, ନାନା ବୃତ୍ତିଧାରୀ, ଧନୀ, ଅଭାବୀ । ପତାକା ଖୁଣ୍ଟରେ ଉଡ଼ୁଥିଲା ଗୋଟାଏ ବଡ଼ ତ୍ରିରଙ୍ଗା ପତାକା, ସେହିପରି ସାନସାନ ପତାକା ଅନେକଙ୍କ ହାତରେ ଥିଲା, କର୍ମଚାରୀ ହୋଇଥାନ୍ତୁ ବା ଅନ୍ୟକେହି ହୋଇଥାନ୍ତୁ ଅନେକ ଧଳା ଖଦଡ଼ ଟୋପି ପିନ୍ଧିଥିଲେ, ଗୋଟାଏ ମେଳା ମଉଚ୍ଛବ ପରି ଆନନ୍ଦ ଉଲ୍ଲାସର ଘୋ ଘା ଶୁଭୁଥାଏ । ମଝିରେ ମଝିରେ ନାନା ଧ୍ୱନି ଉଠୁଥାଏ । ‘‘ମହାତ୍ମାଗାନ୍ଧୀ କୀ ଜୟ’’ । ‘‘ଭାରତ ମାତା କୀ ଜୟ’’ ! ‘‘ବନ୍ଦେ ମାତରମ୍,’’ ‘‘ଇନ୍‌କୀଲାବ୍ ଜିନ୍ଦାବାଦ୍,’’ ଯାହାର ଯେପରି ଇଚ୍ଛା, ବେଳେ ବେଳେ କେଉଁ ଗୋଟିଏ ଧ୍ୱନି ହେଲା ପରେ ସମଗ୍ର ଜନତା ପୁଣି ଏକାଠି ତାକୁ ରଡ଼ନ୍ତି । ବଡ଼ ପତାକା ଖୁଣ୍ଟି ପୋତା ହୋଇଥିବା ଆଖ ପାଖରେ କିଏ କଣ ବକ୍ତୃତା ଦେଉଥାଏ, ସ୍ଥାନେ ସ୍ଥାନେ ଦଳେ ଠିଆହୋଇ ପାଟି କରୁଥାନ୍ତି ‘‘ସମସ୍ତେ ବସ’’, କିନ୍ତୁ ସମସ୍ତେ ଠିଆ ହୋଇଥାନ୍ତି । କ’ଣ ବକ୍ତୃତାରେ କୁହାହେଉଥାଏ ଶୁଭୁ ନଥାଏ । ତାପରେ ହଠାତ୍ ନାନା ବାଦ୍ୟ ବାଜିଲା, ଢୋଲ ଟମକ ଝାଞ୍ଜ ମୃଦଙ୍ଗ ନାନା ଫୁଙ୍କା ବାଦ୍ୟ । ପଡ଼ିଆର ଗହଳିରୁ ସଡ଼କ ଆଡ଼କୁ ଗୋଟିଏ ମଣିଷ ସୁଅ ଚାଲିଲା ଏଇ ଆଜିକାର ବିଶିଷ୍ଟ ପଟୁଆର ।

 

ଗଲା ମଝି ରାତିରେ ଢଂ ଢଂ ହୋଇ ଯେମିତି ବାରଟା ବାଜିଲା ଓ ଜନ୍ମ ହେଲା ୧୯୪୭ ସାଲର ଅଗଷ୍ଟ ମାସର ୧୫ ତାରିଖ ସେମିତି ଭାରତ ବର୍ଷରୁ ଇଂରେଜ୍ ରାଜୁତିର ଲୋପ ହେଲା, ଭାରତ ଗୋଟିଏ ‘ସ୍ୱାଧୀନ ଦେଶ’ ହେଲା । ଯେଉଁଠି ରେଡ଼ିଓ ଥିଲା, ସେଠି ଲୋକେ ଶୁଣୁଥିଲେ । ସେତେବେଳେ ରେଡ଼ିଓ ଦାମ ଶସ୍ତା ନଥିଲା କି ରେଡ଼ିଓର ବେଶୀ ପ୍ରଚାର ନଥିଲା, ଓଡ଼ିଶାରେ ତ ରେଡ଼ିଓ ଷ୍ଟେସନ ହିଁ ନଥିଲା, ଶିରୀପୁରରେ ବଡ଼ବଜାରରେ ବ୍ୟବସାୟୀମାନେ ରେଡ଼ିଓ ରଖିଥିଲେ, ଅନ୍ୟତ୍ର ଅଳ୍ପ କେତେଜଣ ବଡ଼ଲୋକଙ୍କ ଘରେ ବି ରେଡ଼ିଓ ଥିଲା । ରାତି ଅଧରେ ଅଧିକାଂଶ ଲୋକ ନିଘୋଡ଼ ନିଦରେ ଶୋଇଥାନ୍ତି, କେତେବେଳେ ତୁନିତାନି ଇଂରେଜ୍ ରାଜୁତି ଭାରତରୁ ଲୋପ ହୋଇଗଲା ଓ ସେହି ଶୋଇଲା ଲୋକେ ଜାଣିପାରିଲେ ନାହିଁ ଯେ, ଶହଶହ ବର୍ଷ କି ହଜାର ହଜାର ବର୍ଷ ହେବ ସେମାନେ ଓ ତାଙ୍କ ପୂର୍ବରୁ ତାଙ୍କ ପୂର୍ବପୁରୁଷମାନେ ଯେମିତି ନିଜଚଳଣି ଅର୍ଥାତ୍ ଦେଶର ରାଜୁତିର ଲଗାମ୍ କେଉଁ ଜଣା କି ଅଜଣା ଅପର ଲୋକର ହାତରେ ଥାଇ ନିଜେ ଆଖି ବୁଜିଦେଇ ସେହି ଅପରର ହାତର ଝାଙ୍କ ଆଉ ମୋଡ଼ରେ ତଡ଼ି ହୋଇ ଧାଉଁଥିଲେ, ନିଜର ସବୁ ଦୁର୍ଦ୍ଦଶା ଓ ଅସୁବିଧା ସକାଶେ ଦୋଷ ଦେଇ ଶୋଧିବା ଲାଗି ଭାଗ୍ୟ ଓ ଭଗବାନଙ୍କ ଛଡ଼ା ସେହି ଅପର ଜଣକୁ ବି ପାଇ ଆସିଥିଲେ, ହଠାତ୍ ସେହି ଜଣକ ଉପରୁ ତୁଲେଇବା–ଗାଳି ଖାଇବା ଦାୟିତ୍ୱ ଖସି ଆସି ନିଜ ଉପରେ ପଡ଼ିଗଲା ।

 

ଭଗବାନ୍ ତ ସବୁଦିନେ ଅଛନ୍ତି ଓ ଥିଲେ, ମହାକାଶରେ ‘ପୃଥିବୀ’ ବୋଲି ଗୋଟିଏ ବସ୍ତୁ ଜନ୍ମ ହେବା ଆଗରୁ ବି ସେ ଥିଲେ, ଯେତେବେଳେ ଲୋପ ହୋଇ ଆଉ ନଥିବ ସେତେବେଳେ ବି ସେ ଥିବେ, ସବୁ ଥିବା ନ ଥିବାକୁ ସବୁଠିଁ କରି, ଆବୋରି ପୁଣି ତା’ ଭିତରେ ବାହାରେ ଭଗବାନ୍, ଯେ ଭାବିବାକୁ ମନକରିବ ଯେ ଭଗବାନ୍ ଅଛନ୍ତି ସେ ଭାବିପାରେ, ଭାବିବାକୁ ନ ଚାହିଁଲେ ତହିଁରେ ଭଗବାନଙ୍କର କିଛି ଯାଏ ଆସେ ନାହିଁ । ଭଗବାନ୍ ବୋଲି ପଦଟିଏ ଓ ତା’ ସହିତ କୌଣସି ଧାରଣାଟିଏ–ତାହା ମଣିଷ ବୋଲି ଗୋଟିଏ ପ୍ରାଣୀର । ଭାଗ୍ୟ ବି ମଣିଷର ହିଁ ଧାରଣା, ଛନଛନେଇଁ ଉଠିଥିବା ଗଛଟିଏ ହଠାତ୍ ଯେତେବେଳେ ଝାଉଁଳି ପଡ଼େ ମଣିଷ କହିପାରେ ଯେ ତା ଭାଗ୍ୟ । କିନ୍ତୁ ନିଜେ ବୁଦ୍ଧି ବଣା ହୋଇ ବା ଅଳସେଇ ହୋଇ ଅବହେଳା ଅଯତ୍ନ କରି ନିଜ ନିପଟ ନିକମାପଣ, ନିର୍ବୁଦ୍ଧିଆପଣ କି ଅଜ୍ଞାନ ଲାଗି, ନିଜଦୋଷ ଦୁର୍ବଳତା ନାନାତ୍ରୁଟି ଲାଗି ନିଜ ସ୍ୱାର୍ଥପ୍ରତି ଯେତେବେଳେ ଯେଉଁ ବିପଦ ଆସେ ସେଥିଲାଗି ପରକୁ ଦୋଷ ଦେଇ ନିଜେ ଯେତେବେଳେ ଇଛା ସେତେବେଳେ କିଛି ତୁଣ୍ଡସୁଖ କରିବା କି ବିଳାସ ! କି ସାନ୍ତ୍ୱନା !

 

‘‘ମୁଁ କରିନାହିଁ, ସେ–’’ ।

 

‘‘‘ସବୁ ଅନର୍ଥ ତାରି ପାଇଁ’’ ।

 

‘‘ମାର୍ ମାର୍ ଭଣ୍ଡାରିଆ ମାର୍’’ ।

 

ସେମାନେ ଶୋଇଥିଲେ ନିଘୋଡ଼ ନିଦରେ, ସେହି କତରା, ସେହି କନ୍ଥା, ସବୁ ଦୁର୍ଦ୍ଦଶା ପାଇଁ ପରକୁ ଦାୟୀ କରିବା ଆସ କୁଆଡ଼େ ଉଭେଇଗଲା, ସେମାନେ ନିଦରୁ ଉଠିପଡ଼ିଲେ ଦେଖିବେ ସ୍ୱାଧୀନ କିନ୍ତୁ ନିରାଧାର, ନିଜ ଆଧାର ନିଜେ, କରି ପାରିଲେ ଗଢ଼ିବେ ସ୍ୱର୍ଗ ନହେଲେ ଜୀଅନ୍ତାରେ ଭୋଗିବେ ନରକ ଯନ୍ତ୍ରଣା ।

 

ଯେମିତି ଚଢ଼େଇ ବାହାରି ପଡ଼ିଛି ପିଞ୍ଜରାରୁ, ଦୁଧଭାତ ଫଳ ପାଣି ଥୋଇଦେବା ଦାୟିତ୍ୱ ଅନ୍ୟ କାହାରି ନାହିଁ । ବିଲେଇ ହୁରୁଡ଼େଇବା ଦାୟିତ୍ୱ ଅନ୍ୟ କାହାରି ନାହିଁ । ଉଡ଼ି ଶିଖିବା, ଉଡ଼ିବା ଦାୟିତ୍ୱ ବି ନିଜର, ନିଜକୁ ରକ୍ଷା କରିବା ଦାୟିତ୍ୱ ନିଜର । କାଉମାନେ ଡକାଡ଼କି ହୋଇ ଖବର କଲେଣି–‘‘ନୂଆ ଚଢ଼େଇ ପଦାକୁ ବାହାରିଛି, ଭଲ ଶୀକାର, ଖୁମ୍ପିବା ଚାଲ ।’’ କିନ୍ତୁ–ଖୋଲା ଆକାଶରେ ସ୍ୱାଧୀନ ଚଢ଼େଇ, କାହାରି କିଣା ଗୋଲାମ ନୁହେଁ, ନିଜ ଉପରେ ନିଜେ ରଜା, ସତ ! କିନ୍ତୁ ସେତିକିରେ ଯଦି କଥାଟା ସରିଥାନ୍ତା !

 

ସେମାନେ ଶୁଣିଥିଲେ, ଭାରତ ସ୍ୱାଧୀନ ହେବ । ଖବରକାଗଜରେ ରେଡ଼ିଓରେ ଯାହା ବାହାରୁଥିଲା ଯେ ଜାଣୁଥିଲେ ସେ ଅନ୍ୟମାନଙ୍କୁ ବି କହୁଥିଲେ । ସେମାନେ ଦେଖିଥିଲେ, ଆନ୍ଦୋଳନ ଚାଲିଥିଲା, ସଭା, ପିକେଟିଂ, ଧର୍ମଘଟ, ପଟୁଆର, କେଉଁଠି କେଉଁ ଗଣ୍ଡଗୋଳ, କେତେବେଳେ ପୁଲିସ ପକ୍ଷରୁ ଠେଙ୍ଗାମାଡ଼, ଧରପଗଡ଼, ଲୋକଙ୍କ ଜେଲଯାତ୍ରା । ସେମାନେ ନାନା ଧ୍ୱନି ଶୁଣିଥିଲେ । ଦେଖିବା ଶୁଣିବା ଉତ୍ତେଜନା ସେମାନଙ୍କ ମନକୁ ବି ଛୁଉଁଥିଲା, ସେମାନଙ୍କ ଭିତରୁ ବି କେତେ ଲୋକ ସେହି ବିରାଟ ଗଣ ଆନ୍ଦୋଳନରେ ଝାସ ଦେଇଥିଲେ, ନିଜ କଳ୍ପନା ଅନୁସାରେ, ରୁଚି ଅନୁସାରେ ନାନା ଆଶା କରିଥିଲେ, ନାନା ସ୍ୱପ୍ନ ଦେଖୁଥିଲେ । ‘ସ୍ୱାଧୀନତା’ ବୋଲି ଶବ୍ଦଟି ତାଙ୍କର ଆପଣାର ହୋଇଯାଇଥିଲା, ଯେମିତି ‘ଭଗବାନ’ ‘ଭାଗବତ’ ‘ସ୍ୱର୍ଗ’ । ସେମାନେ ଭାବିଥିଲେ ସ୍ୱାଧୀନତା ଆସିଗଲେ ତାଙ୍କ ନିଜ ପାଇଁ ଆଉ କିଛି ଝିନ୍‌ଝଟ ନଥିବ, ବରଂ ଗୋଟାଏ ପ୍ରକାର ଧାରଣା ଥିଲା ଯେ ସେଉଠୁ ସବୁ ବୋଝ ଉଶ୍ୱାସ ହୋଇଯିବ ।

 

ଆଉ, ସେମାନେ ଶୋଇଥିଲେ ।

 

କିନ୍ତୁ ରାତି ୧୨ ବଜେ ସ୍ୱାଧୀନତା ଆଗମନ ବେଳେ ଉଜାଗର ଥିଲେ ବଡ଼ବଜାରର ବ୍ୟବସାୟୀ ସଂପ୍ରଦାୟ, ଓ ସ୍ୱାଧୀନତାକୁ ସ୍ୱାଗତ ଜଣାଇବାକୁ ସେମାନେ ଓ ସେମାନେ ନିଯୁକ୍ତ କରିଥିବା ଲୋକେ ଜାଗତିଆର ଥିଲେ । ଅଭ୍ୟାସ ଥିଲା, ସେମାନେ କାନ୍ଥରେ ଗେରୁରେ ଲେଖିଥାନ୍ତି ‘‘ଲାଭ ଓ ଶୁଭ’’, ଯେମିତି ତା’ ଉପରେ ଦୃଷ୍ଟି ପଡ଼ୁଥିବ, ମନ୍ତ୍ରପରି ମନେ ମନେ ଗୁଣି ହେଉଥିବ ସେହି କଥା ଦୁଇପଦ, ଲାଭ, ଶୁଭ, ଆପଣା ଆପଣା ସ୍ୱାର୍ଥ ଓ ଧନ ସମୃଦ୍ଧିର ବୃଦ୍ଧି, ତା’ ସହିତ ଆପଣା ଆପଣା ନିରାପତ୍ତା, କୁଶଳ, ଧ୍ୟାନରେ ଥିବ ତାହାହିଁ, ନିଜ ଆଚାରରେ, ପରିପ୍ରତି ବ୍ୟବହାରରେ ତାହାରି ମୁହଁ ଦିଶୁଥିବ, ସେମାନେ ଭାବୁଥିଲେ ରାତି ବାରଟା ବେଳେ ‘ସ୍ୱାଧୀନତା’ ନାଁ ଘେନି ଆସି ପହଞ୍ଚିଗଲା ସେହି ଧ୍ୟେୟ, ଲକ୍ଷ୍ମୀ ବିଜେ କଲେ, ସେମାନଙ୍କ ପାଇଁ ଲାଭଶୁଭ ଏଥର ନିଶ୍ଚିତ ଓ ସ୍ଥାୟୀ । ତେଣୁ ସେଠି ଘରେ ଘରେ ମଙ୍ଗଳ ଆଳତି ସଙ୍ଗେ ସଙ୍ଗେ ଶଙ୍ଖ ଶବ୍ଦ ଶୁଭିଲା ଓ ତା ସହିତ–ନେତ ନଈକୂଳ କଣ୍ଡିଆ ଉପରେ ସେମାନେ ଖଞ୍ଜି ଦେଇଥିଲେ ଯେଉଁ ବମ୍–ବାଣ, ତୋପ ଫୁଟିଲାପରି ଢାଇ ଢାଇ ଢାଇ ହୋଇ ଗୋଟାକ ପରେ ଗୋଟାଏ ହୋଇ ଫୁଟି ରହିଲା ସେ ତିନି ମିନିଟ୍ କାଳ । ହଠାତ୍ ଯେମିତି ଶିରୀପୁର ସହର ଉପରକୁ ଗୋଳା ବର୍ଷଣ ହେଉଛି । ଦ୍ୱିତୀୟ ମହାଯୁଦ୍ଧ ବେଳେ ଇଂରେଜ ପଟ ଜିତିବେ ବୋଲି ସେମାନେ ଯୁଦ୍ଧଚାନ୍ଦା ବହୁତ ଦେଇଥିଲେ, ଯେତେବେଳେ ‘ଜାତୀୟ ସଞ୍ଚୟ ସାର୍ଟିଫିକେଟ୍’ କିଣିବାକୁ କୁହାଗଲା ସେଥିରୁ ବି କିଣିଲେ ହଜାର ହଜାର ଟଙ୍କାର, ଶାସକମାନେ କହିଲେ ସେମାନେ ନାହିଁ କରନ୍ତି ନାହିଁ, କେତେ ହାକିମ, କେତେ ପ୍ରକାର ହାକିମାତି, କଟକଣା ଓ କରନୋଲ୍‍ ଅମଳରେ ସେମାନେ ସରକାରଙ୍କୁ ଖୁସି କରିବାକୁ ବାଦବୁଦିଆ ଲାଗୁଥିଲେ । କିନ୍ତୁ ସ୍ୱାଧୀନତା ଆନ୍ଦୋଳନ ପ୍ରତି ତାଙ୍କ ଶ୍ରଦ୍ଧା କି ଅନୁରକ୍ତି ବି ଊଣା ନଥିଲା, ମୂଳରୁ ସେମାନେ ଆର୍ଥିକ ସାହାଯ୍ୟ ଦେଇ ଆସୁଥିଲେ । ବିଲାତି ଲୁଗା ବର୍ଜନ ହେଲା, ହାତକଟା ହାତବୁଣା ଖଦୀର ତତ୍ତ୍ୱବ’ ଆଦର୍ଶ କଥା, ତହିଁରେ ଆଧ୍ୟାତ୍ମିକତା ବି ଅଛି, ତା ପଛଆଡ଼େ ଦରିଦ୍ର ରୂପରେ ସ୍ୱୟଂ ପରମେଶ୍ୱରଙ୍କ ସେବା, କିନ୍ତୁ ଆଖି ଦୁରୁଶିଆ ହୋଇ ଆଖିଆଗରେ ଏ ଦେଶର ସୂତାମିଲ୍, ଲୁଗାମିଲ୍, ସୂତାପରି ବ୍ୟବହାର ହେଲାପରି ଅନ୍ୟ ଯେତେ ଯାହା ଉଦ୍ଭାବିତ ହୋଇପାରିବ ତାହାରି ମିଲ୍, ମିଲ୍‌ର ମାଲିକ, ଏ ଦେଶର ଧନପତି ମାନେ, ବିଦେଶର ନୁହନ୍ତି । ବିଦେଶୀ ଧନପତିର ଧନର ସାମ୍ରାଜ୍ୟ ଅପସରି ଯାଉ ଏ ଦେଶରୁ ସେ ସ୍ଥାନ ପୂରଣ କରନ୍ତୁ ଏ ଦେଶର ଧନକୁବେରମାନେ, ବସାନ୍ତୁ କଳକାରଖାନା, ଗଢ଼ନ୍ତୁ, ବିକନ୍ତୁ, ଗୋଟାନ୍ତୁ, ବାନ୍ଧନ୍ତୁ, ସାଇତେନ୍ତୁ । –‘‘ଅମୁକା ଧମୁକା ତେରେ ନାମ,–ସବ୍‌ କୋ ମୁନାଫା ଦେ’ ଭଗବାନ୍ ! ଦେ ଭଗବାନ୍ !’’ ଝାପ୍‌ସା ହୋଇ ସେହିପରି ଥିଲା ସେମାନଙ୍କ ଆଶା ଓ ସ୍ୱପ୍ନ । ‘‘ହେ ଭଗବାନ୍ ! ବୈଶ୍ୟର ସାମ୍ରାଜ୍ୟ ସଂସାରକୁ ଆସିଛି, ବୃତ୍ତିରେ, ଚରିତ୍ରରେ, ଏ ଦେଶର ଯେ ବୈଶ୍ୟ, ତା’ କପାଳ ଏଥର ଖୋଲୁ ।’’

 

ସକାଳର ପଟୁଆରରେ ସେମାନେ ଥିଲେ ମୁଖିଆ, ଆୟୋଜନର ଆଡ଼ମ୍ବରରେ ପଇସା ଖର୍ଚ୍ଚ କରିଥିଲେ, ବହିନା ଦେଇ ପଞ୍ଝା ପଞ୍ଝା ସଂକୀର୍ତ୍ତନିଆ ବାଦ୍ୟକାର ବହୁତ ଅନ୍ୟାନ୍ୟ ଲୋକଙ୍କୁ ଭେଳାଇଥିଲେ, ଯେତେ ଦୂରକୁ ତାଙ୍କ ବାହା ଲମ୍ବିପାରେ,–ପରେ ବି ବହୁତ ଦୂରକୁ, ସେତେ ଦୂରରେ ପ୍ରଚାର କରେଇଥିଲେ,–‘‘ଆସ, ପଟୁଆରରେ ଚାଲ,’’ ଥାଳିକି ଥାଳି ମିଠେଇ ବାଣ୍ଟିଥିଲେ । ସାଧାରଣ ଲୋକେ ଆଶ୍ଚର୍ଯ୍ୟ ହେଉଥାନ୍ତି–‘‘ଏତେ ଉଗ୍ର ସ୍ୱଦେଶ ପ୍ରୀତି ଥିଲା ଏମାନଙ୍କଠି ! ଦେଶ କାମରେ ଦିନେ ବି ଜେଲ୍ ଯାଇ ନାହାନ୍ତି ୟେ ବଡ଼ ବଜାରିଆ ଏ, କେହି କେହି ଅବଶ୍ୟ କଳାବଜାର କରି କିମ୍ବା କଣ୍ଟ୍ରୋଲ୍ ଦରଠୁଁ ବେଶି ଦରରେ ବିକି ନିହାତି କପାଳ ଫାଟିଥିଲେ କେବେ ଜେଲ୍‌ରେ ପଶିଛନ୍ତି,–କ୍ୱଚିତ୍, ତା ବି ଗିନେଇଁ ଚିଙ୍ଗୁଡ଼ିମାନେ, ପୁଲିସ୍ ଓ ହାକିମମାନଙ୍କର ସଦାବିଶ୍ୱସ୍ତ, ଅଥଚ ଭିତରେ ଭିତରେ ଏତେ ଦେଶପ୍ରୀତି ।’’ କିନ୍ତୁ ସେମାନେ ହୁରୁ ହୁରୁ କବ କବ ହେଉ ନାହାନ୍ତି, ହେଣ୍ଡି ମାରୁନାହାନ୍ତି, ଥାକୁଲୁ ଥାକୁଲୁ ନଥିଲୁ ନଥିଲୁ ହୋଇ ଧଳା ଖଦଡ଼ ଛାଉଣି ମୂର୍ତ୍ତିଗୁଡ଼ିଏ ଦଳହୋଇ ଧୀରେ ଧୀରେ ପଟୁଆର ଲାଞ୍ଜପଟକୁ ଚାଲିଚାଲି ଆସୁଛନ୍ତି, ମୁହଁରେ ହସ, ତହିଁରୁ କେହି କେହି ମୁରବି ଆଗରେ କେଉଁ ବଡ଼ ହାକିମ ପଛେ ପଛେ କି ନେତା ପିଠିପଟେ ଚାଲିଛନ୍ତି, ମଝିରେ ମଝିରେ ପଦେପଦେ ମନ୍ତବ୍ୟ ।

 

ଚାଲିଛି ସଂକୀର୍ତ୍ତନ, ପାଟି, ଧ୍ୱନି, ଜୟଜୟକାର । ସ୍ୱରାଜ୍ୟ ଆସିଛି ।

 

ପ୍ରକାର ପ୍ରକାର ଲୋକ, ପରସ୍ପର ବିରୋଧି ପରସ୍ପରଠୁଁ ବିସଦୃଶ ବିବିଧ ପ୍ରକାର କାନ୍ଧକୁ କାନ୍ଧ, ଭାଇକୁ ଭାଇ ।

 

ପଛରେ ଠାଏ ଚାଲିଛନ୍ତି ବୁଢ଼ା କଂଗ୍ରେସ କର୍ମୀ ମଧୁ ପ୍ରଧାନ, ଡେଙ୍ଗା ଧଡ଼ିଆ ହାଡ଼ୁଆ ଲୋକଟିଏ ମୁହଁଯାକ ଧଳାରୂଢ଼ ସାଲୁ ସାଲୁ, ମୁଣ୍ଡ ବାଳ ଝୋଟ, ଖଣ୍ଡେ ସାନ ହାତକଟା ସୂତାର ତନ୍ତବୁଣା ଖଦୀ ପିନ୍ଧିଛନ୍ତି, କାନ୍ଧରେ ଖଣ୍ଡେ ଗାମୁଛା, କାନ୍ଧରୁ ଖଣ୍ଡେ ନେଳି ଖଦଡ଼ ମୁଣି ଓହଳିଛି । ଉ.ପ୍ରା. ସ୍କୁଲରେ ଓଡ଼ିଆ ପଣ୍ଡିତ ଥିଲେ, ସେ ତ ଆଦ୍ୟ ଜୀବନରେ, ଅସହଯୋଗ ଆନ୍ଦୋଳନ ଆରମ୍ଭ ବେଳେ । ତାପରେ ଛ’ ସାତ ଥ’ର ଜେଲ୍‌ଯାଇ କାହିଁ ବାରବର୍ଷ ଜେଲ୍‌ରେ କାଟିଥିବେ, ଅନ୍ୟ ସମୟରେ ‘ଗାନ୍ଧୀକାମ’ରେ କର୍ମୀ ହୋଇ ନାନା ସ୍ଥାନରେ ବୁଲି ବୁଲି ନାନା କାମ କରି କଟିଛି, ତହିଁରେ ନାନା ଲୋକଙ୍କ ଆଖି ଫିଟିଛି, ନାନା ଲୋକଙ୍କ ଉପରେ ଚାଲିଥିବା ନାନା ପ୍ରକାର ଅତ୍ୟାଚାର ଅଟକିଛି, ବନ୍ଦ ହୋଇଛି । ସବୁ ପଛେ ନ ଯାଇଥାଉ । କିନ୍ତୁ ସେ ରାଜନୀତିଗତ କ୍ଷମତା ଖୋଜି ନାହାନ୍ତି କି କ୍ଷମତାରେ ଥିବା ଲୋକଙ୍କ ଗୋଡ଼ାଣିଆ ହୋଇନାହାନ୍ତି, କେଉଁ ହାକିମର ବଦଳି, କେଉଁ ବ୍ୟବସାୟୀର କଣ୍ଟ୍ରୋଲ ଆଇନଗତ ଲାଇସନ୍ସ ପାଇବା ଆଦିରେ ସାହାଯ୍ୟ କରିନାହାନ୍ତି । ତେଣୁ ସହରର ମାନ୍ୟଗଣ୍ୟ ଲୋକେ ତାଙ୍କୁ ଖାତିରି କରନ୍ତି ନାହିଁ । ତଥାପି ଆଜି ଲକ୍ଷପତି ଲଖିରାମ ଅଗରବାଲା ତାଙ୍କ ପାଖକୁ ଧାଇଁ ଆସି ଦଣ୍ଡବତ ହେଲେ । ପାଖେ ପାଖେ ଖଣ୍ଡେ ବାଟ ଚାଲିଲେ ।

 

ଢୋଲାଢ଼ୋଲା ଗୋଲ୍‌ଗାଲ ଲଖିରାମ, ସୁକୁମାର ଶରୀର, ଶିରୀପୁରର ପାଞ୍ଚ ସାତଜଣ ସବୁଠୁଁ ଧନ୍ୟ ବ୍ୟବସାୟୀଙ୍କ ଭିତରୁ ସେ ଜଣେ, ଚାଉଳ ଆମଦାନି ରପ୍ତାନି ତାଙ୍କର ପ୍ରଧାନ ବେଉସା, କିନ୍ତୁ ଏକମାତ୍ର ବେଉସା ନୁହେଁ । ପୁଣି ତାଙ୍କର ଉଭାଠୁଁ ବଳି ପୋତା, ମଧୁ ପ୍ରଧାନଙ୍କ କତିକି କତି ରହି ଅଳ୍ପବାଟ ଯାଉଯାଉ ମଧ୍ୟଯୁଗୀୟ ନାଟକରେ ସ୍ୱଗତୋଽକ୍ତି କଲାପରି ମନକୁମନ କହିଲେ,

 

‘‘ଆଜି କେଡ଼େ ବଡ଼ ଦିନ ଆଜ୍ଞା ! ସତ୍ୟଯୁଗ ଲେଉଟି ଆସିଲା । ଆମ ଦେଶକୁ ବିଦେଶୀମାନେ ଶାସନ କରୁଥିଲେ, କୁଆଡ଼ର ଲୋକ ସେ ଇଂରେଜ ! ନିଜ ଦେଶଛାଡ଼ି ସାତ ସମୁଦ୍ର ଡେଇଁ ଆସି ଆମରି ଦେଶରେ ବସି ରାଜା ହୋଇଥିଲେ ! ସବୁ ଲୁଟିକରି ଖାଇଗଲେ ଆଜ୍ଞା, ଆମ ଦେଶରେ ଯେତେ ଧନରତ୍ନ ଥିଲା ସବୁ ବୋହି ନେଇ ଚାଲିଗଲେ । ସେମାନେ ହେଲେ ଅସୁର । ଆଉ ମହାତ୍ମାଗାନ୍ଧୀ, ସେ ଯେ ସାକ୍ଷାତ୍ ଶ୍ରୀକୃଷ୍ଣ ଅବତାର । ଶ୍ରୀକୃଷ୍ଣ ଦ୍ୱାରକାରେ ରାଜା ହୋଇଥିଲେ, ସେଇ ଗୁଜ୍‌ରାତ୍ ଦେଶ, ଆଉ ଦେଖନ୍ତୁ ମହାତ୍ମାଜୀ ବି ଜନ୍ମ ହେଲେ ସେହି ଗୁଜ୍‌ରାତ୍ ଦେଶରେ, ତାଙ୍କର ଚକ୍ରକୁ ୟାଙ୍କର ଚରଖା, ଦେଖନ୍ତୁ କେତେ ମେଲ୍‍ ଅଛି ଆଜ୍ଞା ।

 

ଆଉ ଆପଣମାନେ କଣ ଊଣା ? ସମସ୍ତେ ଦେବଅଂଶୀ । ଯେମିତି ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଜନ୍ମ ହେବେ ବୋଲି ଦେବତାମାନେ ମର୍ତ୍ତ୍ୟରେ ଗୋପାଳ ଘରେ ଜନ୍ମ ହୋଇଥିଲେ ଏ କଳି ଯୁଗରେ ସେମାନେ ସେମିତି କଂଗ୍ରେସ୍ ନେତା ହୋଇ ଜନ୍ମ ହୋଇଛନ୍ତି ଆଜ୍ଞା । ନଇଲେ, ସେ ଶ୍ରୀ ବିଠ୍‌ଠଲଜୀ (ଶ୍ରୀକୃଷ୍ଣ)ଙ୍କ ତେଜ ଛଡ଼ା ଆପଣଙ୍କଠିଁ ଆଉ କଣ ଅଛି ଯେ ରାଇଫଲ୍‌ବାଲା ଇଂରେଜ୍ ସରକାର ବି ଆପଣଙ୍କୁ ଡରିଗଲା !’’

 

ମଧୁପ୍ରଧାନ ଅନ୍ୟକଥା ଭାବିଭାବି ଚାଲିଥାନ୍ତି । ମୁହଁରେ ଚିନ୍ତାର ଛାଇ । ନିହାତି ନିକୁଛିଆକୁ ସବା ଆଗ ଦରକାର ଥିଲା ବିଦେଶୀଙ୍କ କବଳରୁ ଭାରତର ସ୍ୱାଧୀନତା, ସେଇଟା ହୋଇଗଲା ଭଲହେଲା । କିନ୍ତୁ ଭାରତଭୂଇଁକୁ ଯୋଡ଼ାଏ ଅଲଗା ଅଲଗା ରାଷ୍ଟ୍ରରେ ବିଭକ୍ତ କରିବାକୁ ପଡ଼ିଲା, ସାଂପ୍ରଦାୟିକ ବିଦ୍ୱେଷର ନିଆଁ ଜଳି ଉଠି ଚରମକୁ ଉଠିଲା, କେତେକଣ ଭୟଙ୍କର କ୍ଷତି ଘଟିଲା । ସେ ସବୁ ତ ହେଲା, ଯାହାହେଉଁ ସ୍ୱାଧୀନ ଗଣତନ୍ତ୍ର ହୋଇ ଭାରତଟିଏ ଜନ୍ମହେଲା । ‘‘କିନ୍ତୁ –’’ ମଧୁପ୍ରଧାନଙ୍କର ଛାଁ କୁ ଛାଁ ମନେପଡ଼ି ଯାଉଥାଏ । ତାଙ୍କ ଆଶଙ୍କା ଓ ଦୁଶ୍ଚିନ୍ତା ସେଇଥିପାଇଁ । ଭାବି ଭାବି ଯାଉଥାନ୍ତି, ବହୁକାଳୁ ଦେଖି ଦେଖି ଆସିଛନ୍ତି, ବାହାରେ ଯାହା ଗୋଟାସୁଦ୍ଧା ଧଳା ଜିକ୍ ଜିକ୍, ସବୁବେଳେ ଭିତରେ ତା’ ନୁହେଁ । ଯେମିତି, ‘‘ୟେ ଗୋଟିକଯାକ ତୁଳସୀ’’, ପ୍ରକୃତରେ, ଧରାହୋଇଛି ଯେଉଁ ଦାନାଟି ସେଇଟି ତୁଳସୀ, ଅନ୍ୟ ଦାନାଗୁଡ଼ିକ ତୁଳସୀ ନ ହୋଇପାରେ, ଖାଲି କାଠର ମାଳି । କଥା ଓ କାର୍ଯ୍ୟ ପରସ୍ପରଙ୍କ ବିପରୀତ । ମନରେ ନିଷ୍ଠା ନାହିଁ, ତୁଣ୍ଡରେ ବାଟୁଳି ବାଜିବ ନାହିଁ । ଓଡ଼ିଆ ଭାଷାରେ ନୂଆ ଶବ୍ଦଟିଏ ପଶିଛି, ‘‘ଭେଜାଲ୍‌’’ । ଆଗେ ଓଡ଼ିଶାରେ ସେଭଳି ପଦାର୍ଥ ନ ଥିଲା କି ତା’ପାଇଁ ସେ ଅର୍ଥ ବୁଝାଇବାକୁ ଶବ୍ଦ ନ ଥିଲା । ଆନ୍ଦୋଳନରେ ଝାସଦେଇ ଲୋକେ ଜୀବନ ମୁରୁଛି ଦେଇ ଜେଲ୍‌ଗଲେ, ଆଗରେ କି ମହତ୍ତ୍ୱ, କି ନୀତି ଆଦର୍ଶ ! କିନ୍ତୁ ଜେଲ୍‌ରେ ଥିଲାବେଳେ ସେ ନିଜେ ତ ଦେଖିଛନ୍ତି, ତାଙ୍କ ଭିତରେ ଯେଉଁମାନେ ମୁଖିଆ ମୁଖିଆ, ତହିଁରୁ କେତେକଙ୍କଠି ଅତି ଛୋଟ ଛୋଟ କଥାରେ କି ସ୍ୱାର୍ଥପରତା, ନିଷ୍ଠୁରତା, କୃତିତ୍ତ୍ୱମୋହ, ନୀଚତା ! ଜେଲ୍ ବାହାରେ ଦେଖି ଆସିଛନ୍ତି, କେମିତି ଦିନକୁ ଦିନ ନେତା ଓ କର୍ମୀଙ୍କଠୁ ବେଶି ଝୁଙ୍କ ଦେଖାଗଲାଣି କ୍ଷମତା–ରାଜନୀତି ଆଡ଼କୁ । ନିଜେ ‘କିଛି ଗୋଟାଏ ହେବା’ ଯେମିତି ଦେଶକାମ ବୋଇଲେ ସେଇକଥା । ଏ ସ୍ୱାଧୀନତା ମହାଯଜ୍ଞର ପୁରୋହିତ ହୋଇଥିଲେ ଯେ, ସ୍ୱୟଂ ସେହି ମହାତ୍ମାଗାନ୍ଧୀ, ସେ ରାଜନୀତିର ମଙ୍ଗ ଆଉ ଚଳାଉ ନାହାନ୍ତି, ସଙ୍ଗଠନ କାମକୁ ବଡ଼ କରିଛନ୍ତି । ସ୍ୱାଧୀନତା ଆସିଲା ସତ, କିନ୍ତୁ କେମିତି ଯେପରି ଜଣା ପଡ଼ୁଛି, ତାଙ୍କ ସହକର୍ମୀଙ୍କ ମତିଗତି ଦେଖି ସେ ଅସୁଖୀ । ସ୍ୱାଧୀନତା ଆସିଗଲା, ଏତେଦିନର ସ୍ୱପ୍ନ ସତହେଲା, କିନ୍ତୁ ଏଣିକି କାମ କରିବା ବେଳ ଆଇଲା ଯେ, ତାକୁ କରିବ କିଏ ?

 

ସେଇଆ ଭାବୁଥିଲେ ମଧୁପ୍ରଧାନ ।

 

ଭାବୁଥିଲେ–‘‘ସେ କଣ ସାମାନ୍ୟ ହୋଇଛି ! ଗୋଟାଏ ଏଡ଼େ ବଡ଼ ଦେଶଟାକୁ ମୂଳରୁ ଗଢ଼ିବା କାମଟି ! ତାକୁ ପାଳିବା ସାଇତିବା ଚଳେଇବା ବଢ଼େଇବା କାମଟି ! ଯେ ଅଛନ୍ତି ଶ୍ରୀ ଅକ୍ଷର ବିବର୍ଜିତ ତାଙ୍କୁ ପାଠ ପଢ଼େଇ ସବୁ ଦାୟିତ୍ୱ ବୁଝେଇ ଏମିତି ତିଆରି କରି ପକାଇବାକୁ ପଡ଼ିବ ଯେ ସେମାନେ ସବୁ ମଲ ମଲି ଭିତରେ ଦେଶଟାକୁ ସୁରୁଖୁରୁରେ ଚଳେଇ ନେଇ ପାରିବେ, ସବୁ ଦାୟିତ୍ୱ ତୁଲେଇ ନେଇ ପାରିବେ । ଦେଶର ଲୋକଙ୍କୁ ତିଆରି ବି କରିନେବାକୁ ପଡ଼ିବ ଅତି ଅଳ୍ପ ସମୟ ଭିତରେ, ନ ହେଲେ ଚାରିଆଡ଼ର ପରିସ୍ଥିତି ସେଥିପାଇଁ କଣ ଅପେକ୍ଷା କରିଥିବ ?

 

‘‘କିନ୍ତୁ ଭାରି ଅଖାଡ଼ୁଆ କଥା,–କେଜାଣି କେତେ ଛଦ୍ମବେଶୀ, ଅବାଂଛିତ ଖଳଲୋକ କେଉଁ ସୂତ୍ରରେ ହେଲେ ଖଦ୍ଦଡ଼ ଖୋଳରେ ଢାଙ୍କିହୋଇ ଦେଶସେବକ ବୋଲି ପଶି ଆସିଛନ୍ତି, ଥରେ ପଶି ଖଞ୍ଜ ଉଣ୍ଡି ଜାଗାମାଡ଼ି ନେବାରେ ରହିଲେଣି ଯେମିତି ଖେମେତାଟା ତାଙ୍କ ହାତରେ ରହିବ, ସେମାନେ ତ ବହୁରୂପୀ, ସ୍ୱୟଂ ମହାତ୍ମାଗାନ୍ଧୀ ତାଙ୍କୁ ପାରିନାହାନ୍ତି ଟି, ଆଉ କିଏ ପାରିବ ? ଆମେ ଗାନ୍ଧୀ ପନ୍ଥିଏ ହାଡ଼ି ସାହିରେ ବାସ କରୁଁ, ଦିଓଳି ମଇଦାନ ସଫାକରୁଁ, ହରିଜନ ସେବା କରୁ, ସୂତା କାଟୁଁ, ଲୋକଙ୍କୁ ସତ୍ୟ ଅହିଂସା ସମାଚାର ବୁଝୋଉଁ, ପ୍ରାର୍ଥନା କରୋଉଁ, କରୁଁ ଯେତେ ପ୍ରକାର ସେବା ଆମଦେଇ ହେବ । ସେ ଖଳଲୋକ, ସେ ‘ଭେଜାଲ’ ମାନେ ନିଜକୁ ସଚ୍ଚା ସେବକ ଅସଲ ସେବକ ବୋଲି ଚିହ୍ନେଇ ବଳ କୌଶଳ ଫିକର ଲଗେଇ କ୍ଷମତା ଧରିରହିଲେ ଦେଶଟା ଯାକକୁ ମନଇଚ୍ଛା ଅମଳ କରିବେ, ଦୁହିଁବେ, ଶୋଷିବେ, ତେବେ ଆଉ ରାମରାଜ୍ୟ ? କ’ଣ ରାବଣ ରାଜ୍ୟଠୁଁ ହୀନିମାନିଆ ଅବସ୍ଥା ହେବ । ତେବେ ଆମେ ବର୍ଷ ବର୍ଷ ଯାକେ ଜେଲ୍‌ରେ ସଢ଼ୁଥିଲୁଁ କାହିଁକି ? କଣ ଦେଶଟାକୁ ବିଲେଇ ହାତରେ ଶୁଖୁଆ ପୋଡ଼ାଭଳି ସମର୍ପି ଦେବାକୁ ?

 

‘‘ଆମେ ତ ସତ୍ୟ ଅହିଂସା ମାନିବା ଲୋକ । ସେ ଖଳ ଲୋକଙ୍କୁ ଚିହ୍ନିଲେ ବି ଆମେ ତାଙ୍କ ମୁଣ୍ଡ ଛେଚିବା କଥା ଦୂରେ ଥାଉ, ତାଙ୍କ ପ୍ରତି ଅମଙ୍ଗଳ ବି ପାଞ୍ଚି ପାରିବୁ ନାହିଁ, ‘ଶଳା’ ବୋଲି ହୁଡ଼ିଦେବା ଦୂରକଥା, ‘ବେ’ କି ‘ତୁ’ ବୋଲି ଆମପାଟିରୁ କେବେ ବାହାରିବ ନାହିଁ, ଜିଭ ଓଲଟିବ ନାହିଁ, ମନ୍ଦ ମନ୍ଦ ଅସାଧୁ ଅସାଧୁ ବୋଲି ଆମେ ପାଟିକଲେ କିଛି ହେବ ନା ତତଲା ପାଣିରେ ଘର ପୋଡ଼ିବ ? ତାଙ୍କ ହାତରେ ଲୋକବଳ, ଧନବଳ, ଆପଣା ସ୍ୱାର୍ଥସିଦ୍ଧି ପାଇଁ ଯେ କୌଣସି ପାପ କରିବା ପାଇଁ ସେମାନେ ପଛେଇବେ ନାହିଁ, ତାଙ୍କର ପିଲାଦିନଠୁଁ ଅଭ୍ୟାସ । ପୁଣି ତାଙ୍କ ମୁହଁରେ ମୁଖା ଯେମିତି, ତାଙ୍କ ଭେକ ସେମିତି । ସବୁବେଳେ ତିଆର, ଧୋବ ଫରଫର ଖବ୍ଦଡ଼ୀ, ବୈଷ୍ଣବ, ଅଭିନୟ କରିବାରେ ଏଡ଼ିକି ପାରିବାର ଯେ ଖାଲି ଠାଣି ଆଉ ଛଟକରେ ବଶ କରିଦେବେ । ସେ ବିଦ୍ୟାରେ ତାଙ୍କ ପାଖେ ଗୋଟିପୁଅ ବି ହାରିଯିବେ । ଏମିତି ବୁଝେଇ ସଫେଇ ଗାଇଦେବେ ଯେ ଲୋକ ସତ ମଣିବ । ଆମେ ଯାଇ ତାଙ୍କ ଦୁଆର ମୁହଁ ଜଗି ଉପାସରେ ରୁଷି ବସିଲେ ସେମାନେ ମାଡ଼ି ଦଳି ଚାଲିଯିବେ ସିନା ତରଳିବେ ନାହିଁ, ବଦଳିବେ ନାହିଁ । ବାଘ ଖାଇବ ଶାଗ ନା କେହି ଅନଶନ କଲେ ତାଠିଁ ଛଳ ପଶିବ !

 

‘‘କିନ୍ତୁ ମୁଁ ଏଗୁଡ଼ାକ କି ଅଲକ୍ଷଣା କଥା ଭାବୁଛି ? ମୋ ମନର ୟେ ଭାବନା ତ ହିଂସା, ଦ୍ୱେଷ ! ପରର ଦୋଷକୁ ଭାବିଲା ମାତ୍ରେ ତା ଛାଇଟା ତ ପଡ଼ିଯିବ ନିଜ ଅନ୍ତର ଉପରେ, ମଣିଷ ନିଜେ କଳୁଷିତ ହେବ । ମୋର ସେ ଦଶା ନ ହେଉ ଯେତେବେଳେ ନିଜେ କୁଟାଖଣ୍ଡକ ଦିଖଣ୍ଡ କରିବି ନାହିଁ, ମୁହଁ ଆମ୍ବିଳା କରି ଘୁମୁରି ଘୁମୁରି ଅନ୍ୟ ସମସ୍ତଙ୍କ ଦୋଷ ବାଛୁଥିବି । ଯେ ଅଇଲା ଗଲା ତାକୁ ଡାକି କହୁଥିବି, ଦେଖ ହୋ କଣ ହେଲା ! ଅବିଶ୍ୱାସ ଓ ନୈରାଶ୍ୟ ତ ଚରମ ତାମସିକତା, ମଣିଷକୁ ସେ ଘୋଟିଲେ ସବୁ ସରିଗଲା । ନା, ସବୁ ଭଲ ହେବ, ହଠାତ୍ ନ ହେଉ, ହେବ । ସ୍ୱାଧୀନତା ତ ଆସିଲା ! କ୍ରୀତଦାସ ହୋଇ ଜନ୍ମ ହୋଇଥିଲି ସ୍ୱାଧୀନ ମଣିଷ ହୋଇ ଆଖି ବୁଜିବି, ମୋ ଜୀବନ ପାଇଁ ସେତିକି କଣ ବଡ଼ ସାନ୍ତ୍ୱନା ନୁହେଁ ?

 

‘‘ବାକି ଯାହା ଅଡ଼ୁଆ ରହିଲା, ସେ ଆମ ଦିହାତିରେ ସଜଡ଼ା ନ ହେଲେ ସଜାଡ଼ିବେ ତାକୁ ପୁଅ, ନାତି, ପଣନାତି । ଅକଳନ୍ତି ଯୁଗର ଅନ୍ଧାର, ଅଳିନ୍ଧୁ, ଭୋକ ଶୋଷ, ଅଭାବ ଘୋଟି ରହିଛି ଏ ଦେଶକୁ । ନିଜେ ମାହାପୁରୁ ଏତେଥର ଅବତାର ନେଇ ଜନ୍ମ ହେଲେ ତଥାପି ତୁଟିଲା ନାହିଁ, ଆଉ ରାଜନୈତିକ ସ୍ୱାଧୀନତା ଆସିଗଲା ବୋଲି ସବୁ କଣ ରାତିକା ରାତି ଶୁଧୁରି ଯିବ ? ସବୁ ଖଳପ୍ରପଞ୍ଚ ଦେବତା ପାଲଟି ଯିବେ ? ଏ କଣ ଦିନିକିଆ କଥା ! ଲୋକଙ୍କ ନିଦ ଭାଙ୍ଗି ଆସୁଛି-। ଦେଶରେ ଏକା ନଟକେ ସବୁ ଭଲ ହୋଇଯାଉ ବୋଲି ଲୋକେ ଆତୁରି ହେବେ-। ଅଥଚ ନିଜେ,–ଏକା ଥରକେ କଣ ଦଶ ଆଙ୍ଗୁଠି ନେଇ ପାଟିରେ ପୂରେଇବେ, କେତେ ଠିକିବେ । କେତେ ପାହର ଖାଇବେ । କେତେ କଚଡ଼ା ଖାଇ ନିଜ ଆଣ୍ଠୁଗଣ୍ଠି ଛିଣ୍ଡେଇବେ । କେତକାଳ ବିତିବ-। ସେଉଠୁ ଶିଖିବେ । ସେଇ ବାଗରେ ଆମେ ସମସ୍ତେ ଶିଖିବୁଁ,–ଯେ ଆମ ପାଇଁ ଭଲ କଣ ଅସାର କଣ, ଠିକ୍ କଣ ଭୁଲ କଣ ! ତାକୁ ଶିଖିଲେ ମଣିଷ ହେବୁଁ, ନିଜ ଦେଶକୁ ଭଲକରି ଚଳାଇ ଶିଖିବୁଁ, ଯେମିତି ଦେଶଟି ଯାକ ସବୁଠି ଥିବ ସୁଖ, ଶାନ୍ତି, ସମୃଦ୍ଧି, ସ୍ନେହ, ସମସ୍ତିଙ୍କଠିଁ ଶିରୀ ସମ୍ପଦ, ସତ୍ୟ, ଅହିଂସା, ମୈତ୍ରୀ, ପ୍ରୀତି । ଶୋଷଣ ନ ଥିବ, ଅଜ୍ଞାନ କି ଅଭାବ କାହାରିଠୁଁ ନ ଥିବ, ପୃଥିବୀଯାକରେ ଏ ଦେଶର ମର୍ଯ୍ୟାଦା ଥିବ, ଦେଶ ହୋଇଥିବ ସବୁ ବିଷୟରେ ଶକ୍ତିଶାଳୀ, ଉନ୍ନତ, ଆଦର୍ଶ । ସେଥିପାଇଁ କେତେ ବର୍ଷ ଲାଗିବ କେଜାଣି ! ମଝିରେ ବିପଦ ବି କମ୍ ନାହିଁ ତ-!

 

‘‘ଗାନ୍ଧୀ ଚେଲା ବୋଲେଇ ମେଣ୍ଢାଛାଲ ଘୋଡ଼ି ହୋଇ ଯେତେ ଗଧିଆମାନେ ଗୋଠରେ ପଶିଗଲେ ସେମାନେ ରଜା ହୋଇ ବସିବେ ନାହିଁ ତ ! ପଶିଥାନ୍ତୁ । ନିଜେ ଚିହ୍ନା ପଡ଼ିବେ-। ବିପଦ ତ ଆପଣା ଘର ଭିତରେ ବି ଥାଏ । ଆପଣା ପୁଅକୁ ବି ବିପଦର ଆଶଙ୍କା ଥାଏ, ବିପଦର ସମ୍ଭାବନା ଥାଏ ସବୁବେଳେ । ବାଟରେ ପୁଅ ଜନ୍ମକରି ଡାଆଣୀକୁ ଡରିଲେ ଚଳିବ ? ତା ବୋଲି ଆଶା ନତୁଟୁ, ସାହସ ନତୁଟୁ,–ଠାକୁରେ ଅଛନ୍ତି । ଦୟା କରିବେ ।’’

 

ଚାଲିଥାଏ ମଧୁ ପ୍ରଧାନଙ୍କର ମନେ ମନେ । ପଟୁଆରର ସେହି ଘୋ ଘୋ ପାଟିତୁଣ୍ଡ ତାଙ୍କ ମନ ଭିତରକୁ କେତେବେଳେ ଭେଦୁଥାଏ ଟିକିଏ ଟିକିଏ, ବାକିବେଳେ ଭେଦୁ ନ ଥାଏ, ଚାଲିଥାଉ ପାଦ, ଖୋଲାଥାଉ ଆଖି, ସେ ଏକୁଟିଆ ।

 

ଏମିତି ଅବସ୍ଥାରେ ନିଜ ଅଜାଣତରେ କେତେବେଳେ ତାଙ୍କର ହେତୁ ପଶିଲା, ସେ ଦେଖିଲେ ଯେ ଶେଠ୍ ଲଖୀରାମ୍, ଯେ ଗର୍ବରେ ବଡ଼ ବଜାରର ମାନଗୋବିନ୍ଦ, ଯାହା ପାଖକୁ ଗଲେ ଉପରେ ପଡ଼ି କହନ୍ତି ‘‘କଣ ଚାନ୍ଦାମାଗି ଅଇଲ କି ? ସୋ ବାତ୍ ପିଛେ, ହାମର୍ ମୁନିମ୍ କେ ସାଥ୍, କିଏ ରିପୋଟ୍ ରାପୋଟ୍ କରି ଦେଲେ ଆମେ ନିର୍ଦ୍ଦୋଷ ବେପାରୀ ଲୋକ ହଇରାଣରେ ପଡ଼ିବୁଁ ।’’ ସେହି ଶେଠ୍ ଲଖୀରାମ୍ ମୁଣ୍ଡରେ କଣ ଗୋଟାଏ ପଶିଲାଣି, ସେ ତାଙ୍କୁ ଖୁସାମତ କରୁଛନ୍ତି, ତାଙ୍କ ପାଖେ ପାଖେ ଚାଲୁଛନ୍ତି, କହିଲେଣି କଣ ନା ମହାତ୍ମାଗାନ୍ଧୀ ଯଦି କୃଷ୍ଣ ଅବତାର ପରି ତେବେ ସେ ମଧୁସୂଦନ ପ୍ରଧାନ ଭଗବାନଙ୍କ ଚିର ଆରାଧକ ଦେବତା ଜଣେ, ଯେପରି ସେତେବେଳେ ଦେବତାମାନେ ଗଉଡ଼ ହୋଇ ଜନ୍ମ ହୋଇ ଶ୍ରୀକୃଷ୍ଣଙ୍କ ସଖା ହୋଇଥିଲେ !

 

ମୁରୁକେଇ ହସିଦେଲେ ମଧୁସୂଦନ ପ୍ରଧାନ, ପାକୁଆ ପାଟିରେ କୌତୁକିଆ ହସଟିଏ । କହିଲେ, ‘‘ମୁଁ ଗୋଟାଏ ହଳନଙ୍ଗଳ ପେଲିବା ଲୋକ, ଖତମୁତ କାଦୁଅ ଚକଟିବା ଲୋକ, ଧାନ, କୋଳଥ, ଆଳୁ, ପିଆଜ ଲଗେଇବା ଲୋକ, ବାର ଦୁଆର ବୁଲିବା ଲୋକ, ବାରମ୍ବାର ଜେଲ୍ ଖଟିବା ଲୋକ, କୋଉ ମଣିଷରେ ସୁମାରି ନା କୋଉ ଗାଈର ଗୋବର ମୁଁ ଯେ ମୋର ଏ ବୁଢ଼ା ବୟସରେ ଆଜି ତେମେ ଆପଣେ ମୋଠିଁ ଦେବଅଂଶ ଦେଖି ପକାଇଲ ମହାଜନେ ! କୃଷ୍ଣ ଜନ୍ମ ବେଳକୁ ଯେଉଁଠି ସେ ବଢ଼ିବେ ଖେଳିବେ ସେଠି ଦେବତାମାନେ ଗୋପାଳ ହୋଇ ଜନ୍ମ ହୋଇଥିବା କଥାକୁ ଯଦି ଉପଲକ୍ଷ ଦେବ ନା, ତେବେ ଆମେ ତ ସେ ଦେବତାଙ୍କଠୁ କାହୁଁ ଦୂର ବରଂ ତୁମେ ଯେ ଦେବଅଂଶୀ, କାହିଁକି ନା ମହାତ୍ମାଗାନ୍ଧୀ ରୂପରେ ଶ୍ରୀକୃଷ୍ଣ ଅବତାର ହୋଇ ଗୁଜୁରାତ୍‌ରେ ଜନ୍ମ ହେଲା ବେଳକୁ ତମମାନଙ୍କ ଜନ୍ମ ସେହି ଆଖ ପାଖରେ । ତେଣୁ ତାଙ୍କ ନିଜେ ଲୋକ ହେଲ ତୁମେମାନେ ।’’

 

ଲଖୀରାମ୍ ଗଦଗଦ ଭାବ ଦେଖାଇ କହିଲେ, ‘‘ଦେଶ ଏଥର ସ୍ୱାଧୀନ, ଆପଣମାନେ ସେ ସ୍ୱାଧୀନତା ଆଣିଲେ, ଆପଣମାନେ ଦେଶର ନେତା, ଆପଣମାନେ ଏଥର ରଜା । ଆମେ କିଏ ? ଆମ ପ୍ରତି ଆପଣମାନଙ୍କ ଦୟା ରହିଲେ ହେଲା ।’’

 

ମଧୁସୂଦନ ପ୍ରଧାନ କହିଲେ ‘‘ରାଜା କିଏ ସେ କଥା ଆପଣ ଭଲକରି ଜାଣନ୍ତି ଲଖୀରାମ୍ ବାବୁ । ଇଂରେଜ ଏ ଦେଶର ରାଜା ନୁହନ୍ତି, ରଜା ତ ଏ ଦେଶର ଅଘୋର ଦୁଆରି ସମସ୍ତେ, ରାଣ୍ଡୀଚଣ୍ଡିଠୁଁ ଯେ ଶେଠ୍ ଲଖୀରାମ ଯାକେ, ସେମାନେ ବାଛିବେ ପ୍ରତିନିଧି, ଲୋକଙ୍କ ମନକଥା ସଭାରେ କହିବେ ସେହି ପ୍ରତିନିଧି, ପ୍ରତିନିଧିଏ ବାଛିବେ ତାଙ୍କ ନେତା ବା ମୁଖ୍ୟମନ୍ତ୍ରୀ । ସେ ବାଛିବେ ଅନ୍ୟାନ୍ୟ ମନ୍ତ୍ରୀଙ୍କୁ । ଏସବୁ ତ ଜଣେଇଁ ଜଣା । ନାନା ବିଭାଗ ରହିବ, ନାନା କର୍ମଚାରୀ ରହିବେ, ଶାସନ ଚାଲିବ । କିନ୍ତୁ ଅନେକ ପୁରୁଣା ବ୍ୟବସ୍ଥା ଓ ପୁରୁଣା ଆଇନ ଯେ ଉଠିଯିବ ତହିଁରେ ସନ୍ଦେହ ନାହିଁ, ତା’ ସ୍ଥାନରେ,–ଲୋକଙ୍କ ଉପକାର ହେଲାଭଳି ନୂଆ ନୂଆ ବ୍ୟବସ୍ଥା ନୂଆ ନୂଆ ଆଇନ୍ ନିଶ୍ଚୟ ହେବ । ଏ ପର୍ଯ୍ୟନ୍ତ ଅଳ୍ପ କେଇଜଣ ଲୋକ ଆମ ସମାଜରେ ସୁଖ ସୁବିଧାତକ ପାଉଥିଲେ, ଅନ୍ୟ ସମସ୍ତିଙ୍କୁ ଛେଳିକରି ରଖିଥିଲେ, ସେଇଟା ଆଉ ଚଳିବ ନାହିଁ । ସବୁ ଭାଇ ଭଲରେ ରହିବେ, ସେଇଥିପାଇଁ ତ ଏଡ଼େ ବଡ଼ ସ୍ୱରାଜ୍ୟ ଆନ୍ଦୋଳନ ହେଲା ।’’

 

‘‘ଆମେ ତ ସବୁ ଦିନେ ସେଇଆ କହୁଥିଲୁ ମହାରାଜ୍ ସମସ୍ତେ ଭଲରେ ରହନ୍ତୁ । କାମକର, ଖାଅ, ଧନ ସଞ୍ଚ, ପରକୁ ହିଂସାକର ନାହିଁ ।

 

ଧର୍ମ ଯୋଗୁଁ, ଜାତି ଯୋଗୁଁ, ଭାଷା ଯୋଗୁଁ, ସ୍ୱାର୍ଥ ଯୋଗୁଁ, ଯେ କୌଣସି କାରଣରୁ ବି ହେଉ ଏ ଦେଶର ଜଣକ ଆଉ ଜଣକ ଭିତରେ କଳିଗୋଳ ନ ରହୁ । ସମସ୍ତେ ମଣିଷ, ସମସ୍ତେ ଭାଇ, ଭାଇ ଜଣେ ଅନ୍ୟମାନଙ୍କର ହିତ କରି କରି ଆନନ୍ଦରେ ଚଳୁ । ତା’ ହେଲେ ସମସ୍ତେ ଆନନ୍ଦରେ ରହିବେ ।’’

 

‘‘ଆମେ ତ ସେଇଆ କହି ଆସିଛୁଁ । କଳି ତକରାଳ ମାଡ଼ ଫୌଜଦାରି ମାଲି ମକଦ୍ଦମା ହେଲେ ନା ବେପାର, ନା ତାଷ, ନା ଆଉ କିଛି ଧନ୍ଦା ! ଓଃ ! କେତେ ଲୋକଙ୍କୁ କାଟି ପକେଇଲେ ଆଜ୍ଞା ! ରେଲ୍‌ରେ ଡବା ଡବା ଭର୍ତ୍ତି ହୋଇ ଖଣ୍ଡିଆ ଖାବଡ଼ା ଜୀଅନ୍ତା ମୁର୍ଦ୍ଦାର ସବୁ ଯାଉଥିଲେ !’’

 

‘‘ଅଃ ! ପୁଣି ସେଇଗୁଡ଼ାକ ଚାରିଆଡ଼େ ଗପି ଲୋକଙ୍କୁ ମତେଇବେ ! କୋଉ ପଟଟି ତୁଳସୀ ବୃକ୍ଷ ଯେ !

 

‘‘ଆଜ୍ଞା, ଦେଖନ୍ତୁ ଆଗରେ ସେଠି କେଡ଼େ ଚମତ୍କାର । ଆଗରେ ସେଇ କାଳିଆ ନାକୁଆ ଡେଙ୍ଗା ଜଣକ, ଖଦ୍ଦଡ଼ ଧୋତି ପଞ୍ଜାବୀ ଟୋପି ପିନ୍ଧିଛି, ହାତରେ ପତକା, ସେ ପୁଲିସ ଇନିସ୍‌ପେକ୍ଟର ଦୋରା ନା ? ଥାନାରେ ଥିଲାବେଳେ ତା’ ନାଁ ପଡ଼ିଲେ ଲୋକେ ଥରହର କମ୍ପନ୍ତି । ଯାହାକୁ ମନ ତାକୁ ମାଡ଼, ଗାଳି ବେଜିତ୍ । ବୟାଳିଶି ଆନ୍ଦୋଳନ ବେଳେ ମନେଅଛି ନା, ବିଷ୍ଣୁପୁର ଗୁଳିକାଣ୍ଡ ବେଳେ ନିଜେ ୟେ ଗୋଡ଼େଇ ଗୋଡ଼େଇ ଘର ଦୁଆର ମୁହଁରେ, ଖଳା ବାରିରେ ବି ବନ୍ଧୁକ ଫୁଟେଇ ମଣିଷ ମାରିଛି । ଭାରତ ସ୍ୱାଧୀନ ହେଲା, ଏଣିକି ୟାର ବିଚାର ହୋଇ ଉପଯୁକ୍ତ ଦଣ୍ଡ ପାଇବା କଥା । ଦେଖନ୍ତୁ ଆଜ୍ଞା, କେଡ଼େ ଜୋର୍‌ରେ ଚିଲ୍ଲୋଉଛି–‘‘ଭାରତ ମାତା କି–’’ ‘‘ମହାତ୍ମାଗାନ୍ଧୀ ଜୀ’’–‘‘ବନ୍ଦେ ମାତରଂ’’–କେମିତି ନାଚୁଚି ଡେଉଁଚି ହାତ ହଲୋଉଚି !’’

 

‘‘ତାଠିଁ ମହାଭାବ ଅବତରିଛି ଶେଠ୍‌ଜୀ, ସତ୍ୟ ଅହିଂସା ବଳରେ ସଂଗ୍ରାମ ଜିଣା ହେଲେ ବିଜୟ ସଙ୍ଗେ ସଙ୍ଗେ ୟେ ମହାଭାବ ବି ଆସିଥାଏ । ରାମ ନାମ ଯେମିତି ଡକେଇତ ରତ୍ନାକରକୁ କରିଦେଲା ମହାଋଷି ବାଲ୍ମୀକି, ୟେ ମହାଭାବ ସେମିତି ଦୋରାକୁ କରି ଦେଇଛି ଏକନିଷ୍ଠ ଦେଶପ୍ରେମୀ । ସମସ୍ତିଙ୍କୁ ତ ଘୋଟିଛି, ତୁମକୁ ଘୋଟି ନାହିଁ ?’’

 

‘‘ଆମେତ ମୂଳରୁ–’’

 

‘‘ସେ ତ ଭିନେ କଥା, ଅଇଛା ଘୋଟି ନାଇଁ ? ମତେ କଣ ଘୋଟି ନାଇଁ ?’’

 

‘‘ଆପଣ ! ଆପଣ ମହତ୍ ଲୋକ ଆଜ୍ଞା ! କିଏ ନ ଜାଣେ ଆପଣଙ୍କ ତ୍ୟାଗର କଥା ! ଦେଶ କାମରେ ନାନା ଦୁଃଖ କଷ୍ଟ କଥା ! ଆପଣ ତ ଜାଣି ବ୍ରତ ପାଳିଥିଲେ । ଆମେମାନେ ଏତେ ଅଛୁଁ, କେବେ ଥରେ ସୁଦ୍ଧା ଆପଣଙ୍କ ନିଜ ସେବାରେ ଲଗାଇବାକୁ କାହାକୁ ଡାକି ନାହାନ୍ତି, ନିଜପାଇଁ ପଇସାଟିଏ ମାଗିନାହାନ୍ତି । ଆପଣଙ୍କୁ ତ ଗଛପତ୍ର ପ୍ରଶଂସା କରୁଛି, ଆପଣ ଖାଲି ମନ୍ତ୍ରୀ ନୁହେଁ ଯେ ପ୍ରଧାନମନ୍ତ୍ରୀ ହେବାକୁ ଉପଯୁକ୍ତ ।’’

 

‘‘ସେଇ କଥା ଗାନ୍ଧୀଜୀଙ୍କୁ ନେହେରୁଙ୍କୁ ପଟେଲଙ୍କୁ ରାଜେନ୍ଦ୍ର ପ୍ରସାଦଙ୍କୁ ରାଜଗୋପାଳଚାରୀଙ୍କୁ ସମସ୍ତିଙ୍କୁ ଲେଖିଦିଅ ଲଖୀରାମ ମହାଜନେ, ଯେ ଲଖୀରାମ୍ ବାବୁ କହିଛନ୍ତି ବୋଲି ସେମାନେ ମତେ ପ୍ରଧାନମନ୍ତ୍ରୀ କରିଦେବେ ।’’

 

‘‘ନାଇଁ ନାଇଁ ଯାହା କହିଛି ଭାବନ୍ତୁ ଆଜ୍ଞା, ୟେ ଦୋରା ଇନିସ୍‌ପେକ୍ଟର,– ଅଇଚ୍ଛା ଜୟ ଜୟ ରଡ଼ୁଛି, କଂଗ୍ରେସ ବାଲା ଦେଖିଲେ କୁଆଡ଼ୁ କୁଆଡ଼ୁ ମକଦ୍ଦମା ଲଗେଇ ଜେଲ୍‌ରେ ପୂରୋଉଥିଲା । ନିର୍ଦ୍ଦୋଷ ଲୋକଗୁଡ଼ାଙ୍କୁ ଗୁଳିରେ ଉଡ଼େଇ ଦେଇଛି ଆଜ୍ଞା, ଦେଶ ସ୍ୱାଧୀନ ହେଲା ନା, ଅଇଚ୍ଛା ଆଗ କାମ ହେଉଛି ୟାକୁ ଆଉ ୟା ଭଳିଆ ଲୋକଙ୍କୁ ଚାକିରିରୁ ତଡ଼ି ଜେଲ୍‌ରେ ଠୁଙ୍କିବା ।’’

 

‘‘ସେ ଯାହାଯାହା ବେଆଇନ୍ କାମ କରିଛନ୍ତି ବୋଲି ତୁମ ପାଖେ ସାକ୍ଷୀ ପ୍ରମାଣ ଅଛି ସବୁ ଲେଖିଲାଖି କଚିରିରେ ଅର୍ଜି ପକାଅ, ବଳେ ବିଚାର ହେବ । ମିଛକଥା ଲେଖିଲେ ସିନା ମକଦ୍ଦମା ତୁମ ଉପରେ ଓଲଟା ପଡ଼ିବ ବୋଲି ଡର, ସତ କଥାକୁ କି ଡର ? ବିଚାର ହେବ, ସମସ୍ତେ ଦେଖିବେ ଦୋଷୀ ଦଣ୍ଡ ପାଇବ । ବିନା ବିଚାରରେ କାହାରିକି ତ ଦଣ୍ଡ ଦେଇହେବ ନାହିଁ-!’’

‘‘ସେ ଦୋରା କଥା ଆପଣ ଏଥର ଗଲେ ଉପରେ କହନ୍ତୁ ଆଜ୍ଞା, ଆଗ ଆଜିକାଲି ଲେଖିକରି ପଠାନ୍ତୁ । ଜାଣିଛନ୍ତି ସେ ଆମକୁ ସବୁ କେମିତି ଧମକୋଉଛି ? କହୁଚି କୀଳା ପୋତେଇ ମାମଲା ଲଗେଇ ଜେଲ୍ ଦିଆଇବି ଗୋଟିକି ଗୋଟି ।’’

‘‘ନିର୍ଦ୍ଦୋଷ ଲୋକର ଆଗ ଗୋଡ଼ରେ କଣ୍ଟା ବାଜିବ ନାହିଁ ଆଜ୍ଞା, ଆପଣ ଯଦି ବିଶ୍ୱାସ କରନ୍ତି ଯେ, ଧର୍ମ ବୋଲି ଗୋଟାଏ କିଛି ଅଛି, ଯାହା ଯୋଗୁଁ ଏଡ଼େ ପ୍ରବଳ ପ୍ରତାପୀ ଇଂରେଜ ସରକାର ନିରସ୍ତ୍ର ଭାରତୀୟଙ୍କୁ ନିଜ ମୁଠା ଭିତରୁ ଛାଡ଼ି ଦେବାକୁ ବାଧ୍ୟ ହେଲା ତା ହେଲେ ଆପଣ ଏ କଥାରେ ବି ନିଶ୍ଚୟ ବିଶ୍ୱାସ କରିବେ । ଆପଣମାନେ କଳାବଜାର ନ କଲେ କୋଉ ଦୋରା ସେଥିପାଇଁ ଆପଣଙ୍କୁ ଦଣ୍ଡ ଦିଆଇବ ? ଆଉ ଧର୍ମ ବୋଲି ଯଦି ବିଶ୍ୱାସ ନାହିଁ, ତେବେ ତ ଭିନେ କଥା, ଆପଣା ଛାଇକୁ ଦେଖି ଡରିବେ । ଶୁଣି ନାହାନ୍ତି କଂସ ଆଉ ମୁରାସୁର କେମିତି ଡରରେ ଛାନିଆ ହେଉଥିଲେ । ସତେବେଳେ ଦଣ୍ଡ କାହୁଁ କାହୁଁ ପଡ଼ିଯିବ ।’’

‘‘ସତ କଥା, ସତ କଥା । ଆପଣ ସାଧୁପୁରୁଷ ଆଜ୍ଞା । ହେଲେ, ଗୋଟିଏ କଥା, ଧର୍ମ ସଙ୍ଗକୁ ଦୟା ବି କରିବା କଥା, କଥାରେ କହନ୍ତି ଦୟା, ଧର୍ମ । ଖାଲି ଧର୍ମ ନୁହେଁ, ଦୟା ଧର୍ମ । ଦୟା ନ ଥିଲେ ସେଇଟା କି ମଣିଷ ? କହିବି ? କହିବି ଗୋଟିଏ କଥା ?

 

‘‘କହନ୍ତୁ କିଏ ମନା କରୁଛି !’’ ମଧୁସୂଦନ ପ୍ରଧାନ ମୁରୁକି ମୁରୁକି ହସୁଥାନ୍ତି । ଲଖୀରାମ୍ ତାଙ୍କର ଅଜଣା ନୁହନ୍ତି । କୌତୁକ ଲାଗୁଥାଏ ଯେ ସେ ଆଜି କଥା କହିବାକୁ ଏଡ଼େ ବ୍ୟାକୁଳ ।

 

ପଟୁଆରର ଖଣ୍ଡେ ବାଟ ପଛରେ ସେବାରାମ୍ କହୁଥାନ୍ତି ଚୁଙ୍ଗୀରାମ୍ ଅଗର୍‌ଓ୍ୱାଲଙ୍କୁ, ‘‘ଦେଖୁଚ ଭାଇ ଏ ବୁଡ଼ବକ୍ ଲଖୀରାମ୍‌ଜୀଙ୍କୁ,–ଆଉ କାହାରିକି ପାଇଲା ନାଇଁ ତ ଧଇଲା ଯାଇ ସେ ମଧୁଆ ପ୍ରଧାନକୁ ! ଆରେ ସେଇଟା ତ ଗାନ୍ଧୀ ଗାନ୍ଧୀ ବୋଲି ପାଗଲ୍ ! କଣ ନା ଦେହ ମେହେନତ୍ କର, ରୋଟି ଖାଅ, ହାତରେ କାଟି ମୋଟା ପିନ୍ଧ, ମାଟିରେ ଶୁଅ, ଆପଣା ପିଲା ମାଇପଙ୍କୁ ସଡ଼କରେ ବସେଇ ଦୂରଦୂରକୁ ଚାଲିଚାଲି ବୁଲିବୁଲି ପରର ଭଲ କରୁଥାଅ, ଗୀତା ପଢ଼, ବାବାଜୀ ହୁଅ, ଖାଲିପେଟରେ ଆଦର୍ଶବାଦର ଗଙ୍ଗାଜଳ ପେଟେ ଲେଖାଁ ପିଇ ଦେଇ ଆରାମ୍‌ରେ ଆଖିବୁଜ, ଏଇଆ ତା ବାଟ । ସେ ନିଜେ ଫକୀର୍, ସେ ଦୁନିଆଁକୁ କରିବାକୁ ଚାହେଁ ଫକୀର୍, ଜଣ ନା ତୁମର ଯାହା ଅଛି, ତୁମେ ଯାହା ଅର୍ଜିଛ ସବୁ ଗରିବ ଗୁରୁବାଙ୍କୁ ବାଣ୍ଟିଦିଅ, ନିଜ ପାଇଁ ସଞ୍ଚିବା ପାପ, ସ୍ୱରାଜ୍ୟ ହେଇ ନ ଥିଲା ତ ସେମିତିଆ ସାଧୁବାବା ଆମର ଦରକାର ଥିଲେ, ତାଙ୍କ ହାତରେ କାମ ଉଠୋଉ ଥିଲୁଁ, ତାଙ୍କୁ ଲଡ଼ୁ ଖିଲୋଉଥିଲୁ, ଏବେ ସେମାନେ କଣ ଆମର ନେତା ହୋଇ ପାରିବେ ନା ପାରୁଛନ୍ତି ? ମଧୁ ପ୍ରଧାନ ପନ୍ଦର ବର୍ଷ ଜେଲ୍ ଖଟିଥିବ, ଦେଶ–ନାୟକ ହେବାକୁ ସେଇଆ ଯଦି ଯୋଗ୍ୟତା ହ’ନ୍ତା ତେବେ ଆଜୀବନ ଜେଲ ଖଟିଥିବା ଲୋକ ବି ମିଳିବେ । ମଧୁ ପ୍ରଧାନ ତା’ ହାତରେ ଭଲ ସୂତା କାଟି ପାରେ । ହଉ, ସୂତା କାଟିବା ଯଦି ନେତା ହେବାକୁ ଯୋଗ୍ୟତା ତେବେ ତହୁଁ ବଳି ତହୁଁ ବଳି କଟାଳୀମାନେ ଖୋଜିଲେ ମିଳିବେ, କେତେ ହାଟୁଆ ବାଟୁଆ ଅଛନ୍ତି । ଗୋରୁ ଚରେଇବା ଲୋକ ଗଉଡ଼, ମଣିଷ ଚରେଇବା ଲୋକ ନେତା । ଦେଖୁନ, ହାଓ୍ୱାଟା କୁଆଡ଼କୁ ମଧୁ ପ୍ରଧାନ ଆଉ ଏମିତିଆ ପୁରୁଣା ଗାନ୍ଧୀ ବାଲା ଖଦଡ଼ିଆଙ୍କୁ ପଚାରୁଚି କିଏ-? ଖାଲି ମହାତ୍ମାଗାନ୍ଧୀ ଥିବାଯାକେ ଏମାନଙ୍କୁ ଗୋଟାଏ ତୁଣ୍ଡ ମୁଲାହିଜା, ନ ହେଲେ ୟେ ଡାକିଲେ କେହି ଶୁଣୁ ନାହାନ୍ତି । ନେତା ତ ବାରି ହୋଇ ପଡ଼ିଲେଣି, ତାଙ୍କର ଧାରଣା ସବୁ ମହାତ୍ମାଗାନ୍ଧୀଙ୍କ ଧାରଣାଠୁ ଭିନେ, ନେତାମାନଙ୍କ ଧାରଣା ଠିକ୍ ରାଜନୈତିକ ଲୋକଙ୍କ ଧାରଣା ଯେମିତି ହେବା କଥା ସେମିତି, ଉପରେ ଭେକ ଠିକ୍ ଥିବ ଭିତରେ କାମ ଅନ୍ୟ ପ୍ରକାର ଯେମିତି ଏ ସଂସାରୀ ଲୋକ ଲୋଡ଼ନ୍ତି ସେମିତି,–ଦେଣକୁ ନେଣ, ବେପାର ବଢ଼ିବ, ଧନ ବଢ଼ିବ ଧନୀ ବି ବଢ଼ିବେ, ପାଞ୍ଚ ଆଙ୍ଗୁଠି ସମାନ ହେବ ନାହିଁ, ସାନବଡ଼ ରହିବ, ତେବେ ଧନୀ ବଢ଼ିଲେ ଧନ୍ଦା ବଢ଼ିଲେ ଅଧିକ ଅଧିକ ଗରିବ ଲୋକ ରୋଜଗାରର ବାଟ ପାଇଯିବେ, ବ୍ୟବସାୟ କାରବାର ବଢ଼ିବ, ବ୍ୟବସାୟ ଆଉ ବ୍ୟବସାୟୀଙ୍କୁ ଛାଡ଼ି କେଉଁ ଦେଶ ଧନୀ ହୋଇ ପାରିଲାଣି ନା ହେବ ? ନେତା ବି ଧନ ଉପରେ ଚାଲିବେ, ତାଙ୍କ ଘରେ ବି ଧନ ଜନ ଗୋପଲକ୍ଷ୍ମୀ ଭର୍ତ୍ତି ହେବେ, ସେମିତି ତା ତଳକୁ ତା ତଳକୁ ହୋଇ ଯେତେ କିସମର ନେତାଗିରି, କିଏ ରାଜନୀତିରେ ନେତା, କିଏ ଟାଉଟରିରେ, କିଏ ଚାକିରି କରେ ବୋଲି ହାତରେ ପାବାର୍, ସବୁଠି ସମସ୍ତିଙ୍କର ସେଇଆ । ତେଣୁ ସେ ନେତାପଣ ପାଇବା ପାଇଁ, ହାତରେ ରଖିବା ପାଇଁ, ତାକୁ ଲମ୍ବେଇବା ପାଇଁ ସବୁ ପ୍ରକାର କୂଟ ବୁଦ୍ଧି, ଫିକର, ଉପାୟ, ସେଥିରେ ଭଲ ବି ଅଛି ମନ୍ଦ ବି ଅଛି, ସିଧା ସିଧା ବି ଅଛି, ପେଞ୍ଚ ପାଞ୍ଚ ବି ଅଛି, ସଂସାରି ଲୋକ ଯାହା କରେ–’’

 

ସେବାରାମ୍ କହିଯାଉଥାନ୍ତି, ଚୁଙ୍ଗୀରାମ୍ ମୁଣ୍ଡ ହଲେଇ ହଲେଇ ସମର୍ଥନ କରୁଥାନ୍ତି । ଗୋଲଗାଲ ବାଙ୍ଗରା ଲୋକ ସେବାରାମ୍, ସାନ ସାନ ଗୋଲଗୋଲ ମିଟିମିଟି ଆଖି, ସୂତା ଓ ଲୁଗା ବିକ୍ରି ତାଙ୍କର ପ୍ରଧାନ ବ୍ୟବସାୟ, ବୟସ ଚାଳିଶି ହେବ, କିନ୍ତୁ କୌଶଳ, ଦୁଃସାହସ, କପଟ, ଚାତୁରୀ, ତୀକ୍ଷ୍‌ଣ ବୁଦ୍ଧି ସହିତ ବ୍ୟବସାୟରେ ଦକ୍ଷତା ଓ ଅସାଧାରଣ ସଫଳତା ଯୋଗୁଁ ବଡ଼ବଜାରର ପାକଳ ବ୍ୟବସାୟୀଙ୍କ ସଙ୍ଗେ ଅନ୍ୟ ବ୍ୟବସାୟୀମାନେ ତାଙ୍କୁ ବି ସମାନ ଆସନ ଦେଉଥିଲେ ।

 

‘‘ଶେଷକୁ ମଧୁ ପ୍ରଧାନକୁ ଧରିଲା !’’ ସେବାରାମ କହି ହସି ଉଠିଲେ, ‘‘ଆଉ କେହି ମିଳିଲା ନାହିଁ ? ଆରେ ବାବୁ ଏଣିକି ସ୍ୱରାଜ୍ୟ ହେଲା ଆମେ ଖାଲି ବେପାର କଲେ ହେବ ନାହିଁ, ରାଜନୀତି ଖବର ବି ରଖିବାକୁ ପଡ଼ିବ । ଆଉ, ଖାଲି ଖବର ରଖିବା ନୁହେଁ ରାଜନୀତିଟାକୁ ଅକ୍ତିଆରରେ ରଖିବାକୁ ପଡ଼ିବ । ମନକଲେ ସେଇ ଆମର ବେପାର ବଢ଼େଇବ, ମନ ନ କଲେ ସେ ଆମର ବେପାରର ବେକ କାଟି ପକାଇବ । ତେଣୁ, କୋଉ ଘୋଡ଼ା ଉପରେ ବାଜି ପକେଇବ, ତାକୁ ମଣିଷ ବୁଝି ବିଚାରି ବାଛେ, ନହେଲେ ଟଙ୍କା ବି ବୁଡ଼େ, କାମ ବି ଭଣ୍ଡୁର । ନେତା କିଏ କିଏ ତା’ ବି ଆମକୁ ଅଜଣା ?’’

 

ଚୁଙ୍ଗାରାମ୍ କହିଲେ ‘‘ତା ତ ଠିକ୍ କଥା । ଆମର ନରି ମିଶ୍ରକୁ କହିବ ଯେ ନେତା ।’’

 

ସେବାରାମ କହିଲେ ‘‘ସାବାସ୍ ସାବାସ୍ । ନ ହେଲେ ଯୋଗୀ ମହାନ୍ତି, ବିପିନ୍ ପାତ୍ର । ଧରା ଧରି କରାକରି ଯାହା କହିବ ତା’ କରିଦେବେ । ରାତି ଅଧରେ ଯିବାକୁ କହ, ଧାଇଁଯିବେ । କଥା ଅକଥା ଆଇନ ବେଆଇନ କିଛି ମାନିବେ ନାହିଁ । ତୁମେ ତାଙ୍କୁ ଖୁସି କର । ସେ ତମ କାମ କରିବେ । ସମସ୍ତିଙ୍କ ସାଙ୍ଗେ ଚିହ୍ନା, ସବୁ ଯାଗାର ଖବର ତାଙ୍କୁ ଜଣା । କିଏ କୋଉ ବାଟରେ ବଶ ହେବ ତା’ବି ଜଣା । ଯେ ଦେଖିବ କହିବ ୟେ ଆମର । ହାତରେ ସେତେ ଧନ କେବେ ହୋଇ ନାହିଁ ସିନା ବୁଦ୍ଧି ଅଛି । ପାଠପଢ଼ା ସେତେବେଶି ନାହିଁ ସିନା ଅକଲ ଅଛି । ଏ ଯୁଗରେ ଆମ ପଟକୁ ସେମିତି ଗୋଟିଏ ଗୋଟିଏ ନ ଥିଲେ ଆମେ ଅଚଳ ହୋଇଥାନ୍ତୁ । ଆଉ ୟେ ମଧୁ ପ୍ରଧାନ ଯେ, ଏମାନେ ସବୁ ତପସ୍ୟା କରିବା ଲୋକ । ତାଙ୍କୁ କଥା ପଦେ କହିଲେ ଧର୍ମ ଅଧର୍ମ ନ୍ୟାୟ ଅନ୍ୟାୟ କେତେ ଲେକ୍‌ଚର ଝାଡ଼ିଦେବେ, ନିଜେ ଆଡ଼େଇ ହୋଇ ଚାଲିଯିବେ । ଏତେ ଲୋକ ଏତେ କ୍ଷମତା ପାଇଲେ, ପାଉଛନ୍ତି, ଏମାନଙ୍କୁ କେହି ପଚାରୁଚି ? ଏମାନେ ଭୁକି ହେଉଛନ୍ତି, ଭୁକି ହେଉଥିବେ,–ଧର୍ମ ଗଲା, ଗାନ୍ଧୀନୀତି ରହିଲା ନାହିଁ, ଲୋକ ଅବାଟରେ ଚାଲୁଛନ୍ତି, ଗାନ୍ଧିଜୀଙ୍କ କଥା ଅନୁସାରେ ସମସ୍ତେ କାମ କରିବା ଦରକାର । ଭଲ ହରିନାମ ବି ଭଲ, ତତ୍ତ୍ୱ କଥା ଶୁଣେଇବା ବି ଭଲ, ଥାଉନ୍ତୁ ଦଳେ ସେଇଆ କହିବାକୁ । କିନ୍ତୁ ଏ ଦିଦିନର ମଣିଷ ଜୀବନ, କେଇଟା ବର୍ଷ ତା’ ଭିତରେ ସଂସାରର ନାନା ଧନ୍ଦା, ୟାର ବାଟ ଅଲଗା । ଯେ ଧନ ଅର୍ଜୁଛି ତା ମୁଣ୍ଡରେ ଗୋବର ନାହିଁ, ତା ବାଟ ସେ ଧରିବ ।

 

ଚୁଙ୍ଗୀରାମ କହିଲେ, ‘‘ଠିକ୍ ଠିକ୍ ।’’

 

ପଛରେ ଗୋଟିଏ ଦଳ ଆଗରେ ବକର ବକର ହୋଇ ଚାଲିଛନ୍ତି ନରିମିଶ୍ର, ବୟସ ତିରିଶି ହେବ, ପାତଳ ଲମ୍ବାଳିଆ ମୁହଁ, ଖଣ୍ଡା ନାକ, ବଡ଼ ବଡ଼ ଆଖି, ମୋଟା ଓଠ, ଶ୍ୟାମଳ ବର୍ଣ୍ଣ, ଡେଙ୍ଗାଳିଆ ଦମ୍ଭିଲା ମଣିଷ । ମୁଣ୍ଡରେ ଧଳା ଖଦ୍ଦଡ଼ ଟୋପି, କାନ୍ଧରେ ଧଳା ଖଦ୍ଦଡ଼ ମୁଣି, ଧୋବ ଖଦ୍ଦଡ଼ ପିନ୍ଧିଛନ୍ତି । ମଝିରେ ମଝିରେ ସମସ୍ତେ ମିଶି ମହା ଉଲ୍ଲାସରେ ଗୋଟାଏ ଜୟ ଜୟକାର ଧ୍ୱନି ଦେଉଛନ୍ତି । ତାପରେ ନରିମିଶ୍ର ଖୁବ ବିଶ୍ୱସ୍ତ ଭାବରେ କହି କହି ଚାଲିଛନ୍ତି ବାରମ୍ବାର ସେହି କଥା । ‘‘ମୁଁ ତୁମକୁ କହିଥିଲି କି ନାହିଁ ? ହେଲା କି ନାହିଁ, ସ୍ୱରାଜ ହେଲା କି ନାହିଁ, ଆମେ କହିଥିଲୁଁ, କଲୁଁ, ତୁମେ ଲୋଡ଼ିଥିଲ ହେଲା ।’’ ଗର୍ବ ଓ ଅହଂକାରରେ ତାଙ୍କ ବେକ ଟାଣହୋଇ ସଳଖି ଯାଉଥାଏ, ଛାତି ଫୁଲି ଉଠୁଥାଏ, ‘‘ସ୍ୱାଧୀନ, ଆମେ ସ୍ୱାଧୀନ, ଆମ ଦେଶ ସ୍ୱାଧୀନ । କେହି ଆମକୁ ଡରେଇ ପାରିବ ନାହିଁ, କେହି ଆମକୁ ଧମକେଇ ପାରିବେ ନାହିଁ । ପୁଲିସ କି ଆଉ କେହି କର୍ମଚାରୀ କି କେହି ହେଲେ । କର୍ମଚାରୀମାନେ ଏତେକାଳ ହାକିମ ହୋଇଥିଲେ, ଏଣିକି ସେମାନେ ଚାକର, ଦେଶର ଚାକର, ଦେଶର ପ୍ରଜାଙ୍କ ଚାକର, କାହିଁକି ନା ପ୍ରଜାମାନେ ଏଥର ମାଲିକ । ଏଥର ସବୁ ହେବ, ଯାହା ଆମେ ଚାହୁଁଥିଲେଁ ସବୁ ହେବ, ଏତେ ଦିନର କାମ, ଏକା ରାତିକେ ସବୁ ତୁଟିଯାଇ ପାରିବ ନାହିଁ । ହଜାରେ ହଜାରେ ବର୍ଷ ହେଲା ଆମେ ଅପେକ୍ଷା କରିଥାଇଁ, ହୁଏତ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ । ସବୁ କୁଡ଼ିଆ ଘର ପକ୍‌କା ହେବ । ସବୁ ଜମିରେ ପାଣି ମାଡ଼ିବ, ଧୋଇ ରହିବ ନାହିଁ, ମରୁଡ଼ି ରହିବ ନାହିଁ, ମରୁଡ଼ି ରହିବ ନାହିଁ, ସବୁଠି ଖୋଲିଯିବ କଳକାରଖାନା, ସହର ବସିଯିବ, ଏଠି ଜିନିଷ ତିଆରି ହୋଇ ବିଦେଶରେ ବିକ୍ରୀ ହେଉଥିବ । ଲଢ଼ିଲା ବେଳକୁ ଏମିତି ଅସ୍ତ୍ରଶସ୍ତ୍ର ଏମିତି ଲଢ଼ୁଆ ରହିବେ ଯେ ଦୂରରେ ଥାଇ ଶତ୍ରୁମାନେ ଭୟରେ ଥରହର ହେବେ-। ଆମ ଦେଶ ୟୁରୋପ, ଆମେରିକା, ଜାପାନକୁ ବଳିଯାଇ ଏ ପୃଥିବୀ ଭିତରେ ଜଗତଜିତା ହେବ-। ତେମେ, ଆମେ, ଆମ ଦେଶର ଯେ ଯେତେଠିଁ ଅଛନ୍ତି ଅଇଛା ଖାଇବାକୁ ପାଉ ନାହାନ୍ତି, ସମସ୍ତିଙ୍କ ଘରେ ମା’ ଲକ୍ଷ୍ମୀଙ୍କ ଅସରନ୍ତି ଭଣ୍ଡାର ଗଢ଼ିହେବ, ଆମର କାହିଁରେ କିଛି ଅଭାବ ରହିବ ନାହିଁ । ଯାହା କହିଥିଲି, ସେଇଆ ହେଲା । ଯାହା କହୁଛି, ସେ ସବୁ ହେବ, ମୋ ଉପରେ ବିଶ୍ୱାସ ରଖ । ଯାହାର ଯାହା ଯେତେବେଳେ ଦରକାର ମତେ କହ, ମୁଁ ଧାଇଁବି, କାନ୍ଧ ଲଗେଇବି, କାହା ସେବା କରିବାକୁ କେବେ ମୁଁ ମନା କରିଛି କିଏ କହିଦେବ ? କହୁ ତ ମୋ ଆଗରେ ଆସି-!’’ ନରିମିଶ୍ର ଇସ୍କୁଲରୁ ପଢ଼ା ଛାଡ଼ି କଚିରିରେ ପିଟିଶନ୍ ଲେଖୁଥିଲେ । ବୟାଳିଶି ଆନ୍ଦୋଳନ ବେଳେ ଥାନା–ପୋଡ଼ି ମକଦ୍ଦମାରେ ଦି’ବର୍ଷ ଜେଲ ଭୋଗିଥିଲେ । ଜେଲବେଳେ ବଡ଼ ବଡ଼ ରାଜନୈତିକ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ, ସେ ବାତାବରଣରେ ଆପେ ଆପେ ଏଭଳି ଏକପ୍ରକାର ଶିକ୍ଷା ପାଇଥିଲେ ଯହିଁରେ ତାଙ୍କ ସାହସ ଓ ଆଶା ବଢ଼ି ଯାଇଥିଲା । ଜେଲ୍‌ରୁ ଫେରି ସେ ଧରିଲେ ନୂଆ ବୃତ୍ତି,–ନେତାଗିରି, ବଡ଼ ବଡ଼ ନେତାଙ୍କର ସେ ହାତ ବାରିଶି ହେଲେ । ବାଟ ଖୋଲିଗଲା ।

 

ଜୟ ଧ୍ୱନି ରଡ଼ି ରଡ଼ି ଶିରୀପୁରର ପଟୁଆର ସହରର ସବୁ ପ୍ରଧାନ ରାସ୍ତାଏ ରାସ୍ତାଏ ଚାଲିଥାଏ । ବେଳୁ ବେଳୁ ବଳ ବଢ଼ୁଥାନ୍ତି । ଏକାଠି ଏତେଲୋକ ଚାଲିଛନ୍ତି, ତହିଁରେ ସବୁ ଶ୍ରେଣୀ, ସବୁ ବୃତ୍ତି ଓ ନାନା ବୟସର ଲୋକେ ବାରି ହେଉଛନ୍ତି । ତାର ଦୃଶ୍ୟ, ତାର ପାଟି ଚହଳ, ତାର ବାଜା, ସଂକୀର୍ତ୍ତନର ଶବ୍ଦ ବଳେ ଅନ୍ୟମାନଙ୍କୁ ବି ଓଟାରି ଆଣୁଛି । ଅନେକ ସ୍ତ୍ରୀ ଲୋକ ବି ଘର ଧନ୍ଦା ଛାଡ଼ି ଆସି ତହିଁରେ ମିଶିଗଲେ । କେତେ ସ୍ତ୍ରୀଲୋକ ପିଲା କାଖେଇ ଚାଲିଥାନ୍ତି । ବେଳେ ବେଳେ ହୁଳହୁଳି ଧ୍ୱନି ଦେଉଥାନ୍ତି । ସକାଳ ଦଶଟା ଡେଇଁ ଗଲାଣି । ମେଘ ଖୁବ୍ ସତାରିଛି । ଛାଇ ଘୋଡ଼େଇଛି, ମେଘ ନାହିଁ, ଆଲୁଅ ଫିଟିଛି, ଖରାନାହିଁ, ପଟୁଆର ସଡ଼କେ ସଡ଼କେ ଧୀରେ ଧୀରେ ଚାଲିଛି, ଆଗେ ଆଗେ ବୁହା ହେଉଛି ଗୋଟିଏ ବଡ଼ ତ୍ରିରଙ୍ଗ ପତାକା, ତା’ ପଛକୁ ସାନ ସାନ ସେହିପରି ବହୁତ ପତାକା ଉଡ଼ୁଛି, ବାଜା ବାଜୁଛି, ଜୟ ଜୟକାର ହରିବୋଲ ନାନା ଧ୍ୱନି ଚାଲିଛି, ପଟୁଆର ମାଡ଼ି ଚାଲିଛି ।

 

ବସ୍ତିରୁ କିଲିକାଲିଆ ହୋଇ ଲୋକେ ଉଠି ଆସୁଛନ୍ତି । ଭିଡ଼ ବଢ଼ୁଛି । ହୋହା ବଢ଼ୁଛି । ଜନତାର ଜୟଯାତ୍ରା ଚାଲିଛି । ସାହିପରେ ସାହି । ସାନ ସାନ ଦୋକାନୀ କି ବୃତ୍ତିଜୀବୀ । ପଲ ପଲ ମୂଲିଆ, ଖଟିଖିଆ, ଭଙ୍ଗା ଦରଭଙ୍ଗା ଚାଳି କି କୁଡ଼ିଆରେ ରହିବା ଲୋକ । ବେକାର । ଛୋଟ ଚାଷୀ, ବୃତ୍ତି କିଛି ଚାଷ ଆଉ ଅନ୍ୟବେଳେ ମୂଲ ଲାଗିବା । ନାନା ଅନ୍ୟ ଧନ୍ଦା । କିଏ ମୁଢ଼ି ଭାଜେ । କିଏ ବରା ଛାଣେ । କିଏ ଚିନାବାଦାମ ଭଜା ବିକେ । ବେମିରିଆ ବୁଢ଼ା ବୁଢ଼ୀ । ଭିକାରୀ । ଉତ୍ସାହ ସମସ୍ତିଙ୍କୁ ମତେଇଛି । ସେମାନେ ବିଶ୍ୱାସ କରୁଛନ୍ତି, ଭାଗ୍ୟ ବଦଳିଲା ଆଜିଠୁଁ ।

 

ହାଡ଼ିସାହି ମୁଣ୍ଡରେ ବାଡ଼ି ଖଣ୍ଡେ ଧରି ଭରାଦେଇ ଠିଆ ହୋଇ ରହିଛି ବୁଢ଼ା ଭୀମା ହାଡ଼ି, ଡେଙ୍ଗା ଲୋକ, ଅଳ୍ପ ବଙ୍କା ହୋଇଯାଇଛି, ମୁଣ୍ଡରୁ ଅର୍ଦ୍ଦାଉଳିଆ ହୋଇ ପୁଳାଏ ପୁଳାଏ ଧଳା ଝୋଟ ଏକର ସେକର ଲମ୍ବିଛି । ଭ୍ରୂଲତା ବି ଧଳା ହେଲାଣି, ମୁହଁଯାକ ହାଡ଼ ଆଉ ଗାଡ଼, ଛାତି ବିଦା କାଠି, ସରୁ ସରୁ ହାତ ଗୋଡ଼ରେ ଶିଥିଳ ହୋଇ ଚମ ଢଙ୍କା ମାଂସପେଶୀ କିଛି, ଅଣ୍ଟାରେ ସାନ ଖଣ୍ଡେ । ବୟସ ପଞ୍ଚସ୍ତରି ଡେଇଁଥିବ । ପଟୁଆରକୁ ଦେଖୁଛି, ପାଟି ଅଳ୍ପ ଆଁ । ସାହିରୁ ପିଲାଏ ମାଇପେ, କେହି କେହି କାମ ନ ଥିବା ଟୋକାଏ ପଟୁଆର ଆଡ଼କୁ ଧାଇଁଗଲେ । କିଏ ସବୁ ପାଟି କରୁଛନ୍ତି ।

 

‘‘ମିଠେଇ ବାଣ୍ଟିବେ, ଲୁଗା ବାଣ୍ଟିବେ, ଧସି ଆସ, ଧ’ସି’’ । ଭୀମା ହାଡ଼ିର ଉଁ ନାହିଁ କି ଚୁଁ ନାହିଁ ।

 

ଜଣେ ସ୍ଥାନୀୟ ନେତା ବିପିନ୍ ପାତ୍ର ପଟୁଆରରେ ଯାଉ ଯାଉ ଭୀମା ହାଡ଼ି ପାଖରେ ଅଟକି ଗଲେ । ବଡ଼ ମୁଣ୍ଡ, ଚେକା ମୁହଁ, ପୁଚୁକା ଗାଲ, ମୋଟା ମୋଟା ନିଶ, ଆଖିରେ ଚଷମା, ହୃଷ୍ଟପୁଷ୍ଟ ଶରୀର, ଜିଜ୍ ଜିଜ୍ କଳା ଧଳା ଖଦ୍ଦଡ଼ ଲୁଗା କାମିଜ ପିନ୍ଧିଛନ୍ତି, ବୟସ ପଇଁଚାଳିଶି ହେବ-। ପାତ୍ର ବଡ଼ ଜମିମାଲିକ, ଟଙ୍କା ମହାଜନି, ଇଟା କଣ୍ଟ୍ରାକଟରୀ, ଟ୍ରକ୍ ରଖି ମାଲ୍ ବୋହିବା ବ୍ୟବସାୟ, ଏପରି ନାନା ବ୍ୟବସାୟ ବି ତାଙ୍କର ଅଛି, ତାହା ଛଡ଼ା ସେ ଓକିଲ, ମଝିରେ ମଝିରେ କଳାକୋଟ୍ ପିନ୍ଧି କଚିରିକି ବି ଯାଆନ୍ତି । ସବ୍‌ବା ଉପରେ, ସେ ଜଣେ ରାଜନୈତିକ ନେତା-

 

‘‘କେମିତି ? ଭୀମା ?’’ ସେ ଆରମ୍ଭ କଲେ ‘‘କିଛି କହୁନୁ ଯେ ?’’

 

‘‘କଣ କହିବି ବାବୁ ?’’

 

‘‘ୟେ କଣ ହେଲା ?’’

 

‘‘କଣ ବାବୁ ?’’

 

‘‘କଣ କିଛି ଜାଣିନୋଉ ନା କଣ ? କାହିଁକି ଏ ପଟୁଆର ବାହାରିଛି ?’’

 

‘‘ତମୁକୁ ଜଣା ବାବୁ ।’’

 

‘‘ଆଉ ପାରିହେବ ନାହିଁ ତମୁକୁ ସବୁ । କିରେ ମହାତ୍ମାଗାନ୍ଧୀ ତମୁକୁ ଯେତେ ଅଚ୍ଛବ ଲୋକଙ୍କୁ ହରିଜନ କଲେ, ଛୁଆଁ ଅଛୁଆଁ ଭେଦ ଦୂର କଲେ, ଇଂରେଜ ସରକାର ଥିଲେ ଯେ ଆଜିଠୁଁ ସେମାନେ ଆମ ଦେଶରୁ ଗଲେ, ଆମ ଦେଶ ସ୍ୱାଧୀନ ହେଲା । ଏତେ ବଡ଼ ବଡ଼ କଥା ଘଟିଗଲା, ସାନସାନ ପିଲାମାନେ ବି ଜାଣନ୍ତି, ଆଉ ତୁ’ କିଛି ଜାଣି ନାହୁଁ ? ଛଟା ଗାଳୁଛୁ ? ଆରେ ଆଜିଠୁ ଭାରତ ସ୍ୱାଧୀନ, ଆମ ଦେଶ ସ୍ୱାଧୀନ । ଇଂରେଜ ଆମ ଦେଶରେ କିଛି ଭଲ କରୁ ନ ଥିଲେ । ଏବେ ତୁମେ ଆମେ, ଏ ଦେଶର ସମସ୍ତେ, ଯେତେ ଲୋକ ଅଛନ୍ତି, ଏ ଦେଶ ଗୋଟାକ ଯାକ ଆମ ସମସ୍ତିଙ୍କର । ଆମ ସମସ୍ତିଙ୍କର ଯେମିତି ଭଲ ହେବ ସେଇଆ ଉଦ୍ଦେଶ୍ୟ ରଖି ସବୁକାମ ହେବ । ତୁମେ ଆମେ ସମସ୍ତେ ଆମ ନିଜ ଇଚ୍ଛାରେ ନିଜ ଲୋକଙ୍କୁ ବାଛିବା, ସେଇମାନେ ଏକାଠି ବସି ସରକାର ହେଉଥିବେ, ଯାହା କଲେ ଆମର ଭଲ ହେବ ସେଇଆ କରୁଥିବେ । ଯେମିତି କେହି ଗରିବ ହୋଇ ରହିବେ ନାହିଁ । ଯେମିତି ସମସ୍ତେ ଭଲ ଖାଇବେ, ଭଲ ପିନ୍ଧିବେ, ଭଲ ଘରେ ରହିବେ, ପାଠ ଶିଖିବେ, ନାନା ଧନ୍ଦା କରିବେ, ସମସ୍ତିଙ୍କି କାମ ମିଳିବ, ସମସ୍ତିଙ୍କର ଯତ୍ନ ନିଆଯିବ, ଦେଶରେ କେତେ ଜଣ ଭଲ ଭଲ କାମ ହେଇ ଯାଉଥିବ, ହୁ ହୁ କରି ସବୁ ବଦଳି ଯାଉଥିବ, ଯୁଆଡ଼କୁ ଚାହିଁରେ ରାଇଜ ହସୁଥିବ, ଚାରିଆଡ଼େ ଲକ୍ଷ୍ମୀ, ଚାରିଆଡ଼େ ଖୁସି ଆନନ୍ଦ । ରାମ ରାଜ୍ୟ ଆସି ଗଲାରେ ଭୀମା, ସେଇଥିପାଇଁ ଏ ପଟୁଆର ।’’

 

ଭୀମା ଗମ୍ଭୀର ହୋଇ ମୁଣ୍ଡ ହଲାଉ ଥାଏ, କିଛି କହିଲା ନାହିଁ । ‘‘କିରେ କିଛି କହୁନୁ ଯେ-? ଭଲ ହେଲା ନାଇଁ ?’’

 

ଚାରି ପାଞ୍ଚ ଜଣ ବୟସ୍କ ଛାତ୍ର ମୁରୁକି ମୁରୁକି ହସୁଥାନ୍ତି, ନେତା ବିପିନ ପାତ୍ର ଓ ଭୀମା ହାଡ଼ିଙ୍କ କଥାଭାଷାକୁ ହସ କୌତୁକ କରୁ କରୁ ଶୁଣୁଥାନ୍ତି ।

 

‘‘ଆପଣ ୟେ ଭୀମା ହାଡ଼ିକୁ ସ୍ୱାଧୀନତା କଥା ବୁଝୋଉଛନ୍ତି, ଆଜ୍ଞା ! ଏସବୁ ତା’ ମୁଣ୍ଡରେ ପଶିବ ନା ? ସେ ଥିଲା ଦାଗୀ, ଚୋରି କରି ଜାଣିଥିଲା, ଏବେ ସିନା ବୁଢ଼ା ହେଲା ।’’

 

‘‘ଭୋକ ଉପାସରେ ପଡ଼ିଲେ ତମେ ବି ଚୋରି କରିବ ବାବୁ,’’ ଭୀମା ହାଡ଼ି କହିଲା, ‘‘ହେଲେ, ଏବେ ଲୋକେ ଘରେ ଧନ ଦରବ ଠୁଳ ହେଇଥିଲେ ବି ଆହୁରି ଆହୁରି ପାଇଁ ଚୋରି ଡକାୟତି କରନ୍ତି, କରୁଛନ୍ତି ତ, ସୁବିଧା ମିଳିଲେ ଆହୁରି କରିବେ । ୟେ ଦୁନିଆଁ ଲୁଟିରେ ଚାଲୁଛି । ମୁଁ ସେମିତି କେବେ କରି ନାହିଁ ।’’

 

‘‘ନା ତୁ ଟା ସନ୍ଥଟା !’’ ଛାତ୍ର କୃଷ୍ଣ ବୋଇତାଳ କହିଲା ।

 

‘‘ଥାଉ ଥାଉ ପିଲାଏ, ଭୀମା ସାଙ୍ଗରେ ଲାଗ ନାହିଁ । ତାର ମୋର କଥା ଭାଷା, ତୁମେ କାହିଁକି ସେ ବିଚରାକୁ ଉଖୁରୋଉଛ ? କେବେ ଅଭାବରେ ପଡ଼ି ଚୋରି କରିଥିଲା ତ କରିଥିଲା, ଆଉ ଇଂରେଜମାନେ ତ ଭାରି ସତ୍ୟବନ୍ତ ଥିଲେ ! ଛାଡ଼ ସେ କଥା । ଭୀମାର ବି ମର୍ଯ୍ୟାଦା ଅଛି । ହାଡ଼ି ସାହିଆଙ୍କ ଆଖିରେ ସେ ମାନ୍‌ତା ଲୋକ । ତା କଥା ସେମାନେ ମାନନ୍ତି । ମାନିବା କଥା । କମି ଦିନର ଲୋକଟିଏ ସେ ନା କମି କଥା ଜାଣିଛି ? କହ ଭୀମା, ରାମରାଜ୍ୟ ତ ଆସିଲା, ଭଲ ହେଲା କି ନାହିଁ ?’’

 

‘‘ଦେଖିଲେ ସିନା କହିବି ଆଜ୍ଞା, ଦେଖି ତ ନାହିଁ ! ରାମ–ଲୀଳା ଦେଖିଛି, ଅନେକ ଥର, ଆଗେ ଆହୁରି କେଡ଼େ ଭଲ ହେଉଥିଲା, ଏବେ ନାହିଁ । ସାହି ସାହି ବୁଲୁଥିଲେ । ଏବେ ନାହିଁ, ରାମ ରାଜ୍ୟ କଥା ମତେ ଜଣା ନାହିଁ । କରି ଦେଖେଇ, ଦିଅ । ସେଉଠୁ କଥା କହ ।’’

 

ଗହଳିରୁ ଶୁଭିଲା ‘‘ଆରେ ମାଇଲା ରେ ! ଦେଲା ବାତ୍ ବତେଇ, ‘କରି ଦେଖେଇ ଦିଅ’-। ଦେଖା ବାବା ଦେଖା, ଦେଖା ରାଜ୍ୟଯାକ ଲକ୍ଷ୍ମୀ ଭର୍ତ୍ତି କରି, ଘରେ ଘରେ ।’’

 

ପାତ୍ର ଚାରି ଆଡ଼କୁ ଆଖି ପକାଇଲେ, ଗୋଟିଏ ଛୋଟିଆ ଭିଡ଼ ସେଠି ଠୁଳ ହେଲାଣି । ହସି ଦେଇ କହିଲେ, ‘‘ବିଶ୍ୱାସ କର, ଯାହା କହୁଛି ବିଶ୍ୱାସ କର ।’’

 

ପଛ ଆଡ଼ୁ ଶୁଭିଲା ‘‘ବିଶ୍ୱାସ କର । ସବୁ ଶାସ୍ତ୍ର କହୁଛି, ବିଶ୍ୱାସ କର ।’’

 

ଭୀମା କହିଲା, ‘‘ମତେ ଚାରିକୋଡ଼ି ପାଖ ହେଲା, ବଳ ବହପ ଆୟୁଷ ଗଲା, ବୁଢ଼ୀ ମରି କୋଡ଼ିଏ ବର୍ଷ ଟପିଲାଣି । କଣ ବିଶ୍ୱାସ କରିବି ? ଆଉ ମୋର ଦି କୋଡ଼ି ବର୍ଷ ଖସି ପଡ଼ିବ-? ମଲା ମଣିଷ ବଞ୍ଚିବ ? ଏ ଦେହ କଅଁଳିବ ?’’

 

ପାତ୍ର କହିଲେ, ‘‘ସେଗୁଡ଼ା କଣ କହୁଚୁ ଭୀମା ? ମଣିଷ ଜନମ ପାଇ କାହାକୁ ରୋଗ ନ ହେବ ? ଯେତେ ସୁଖ ଭୁଞ୍ଜିଲେ ବି କିଏ ଦୁଃଖ ନ ଭୁଞ୍ଜିବ ? କିଏ ବୁଢ଼ା ନ ହେବ ? କିଏ ନ ମରିବ ? ତା’ତ ସମସ୍ତିଙ୍କ ପାଇଁ ।’’

 

‘‘ବଦଳିବ ନାହିଁ ଟି’’ ଭୀମା କହିଲା, ‘‘ସେଇଆ କହ । ଯେଝା କର୍ମ ଯେ ଭୋଗ କରିବେ-। ଆଉ ନୂଆ କଥା କଣ ? ଢିଙ୍କି ସରଗକୁ ଗଲେ ବି ଧାନ କୁଟିବ ।’’

 

ଆରେ ସେଗୁଡ଼ାକ କାହିଁକି କହୁଚୁ ଖୁସି ହ, ସ୍ୱରାଜ୍ୟ ଆସିଲା । ଏଥର ଦେଖିବୁ କେତେକଣ କେମିତି ଭଲ ହୋଇଯିବ । ତମର ଏ ହାଡ଼ିସାହି, ୟେ ହେଇଯିବ କୋଠାମାନ ।’’

 

ଭୀମା ଚମକି ପଡ଼ିଲା, ତା ଆଖିରେ ନିଆଁ କୁହୁଳିଲା, କହିଲା, ‘‘ସେଇଆ କରିବି ଭାବିଚ-? ଆଗ ଆମୁକୁ ଜୀବନରୁ ମାରିସାର, ସେଉଠୁ ଆମ ଡିହବାଡ଼ି ନବ କୋଠା ତୋଳିବ-। ଜୀବନ ଥାଉଣୁ ଆମେ ଛାଡ଼ିବୁ ନାଇଁ ବାବୁ । ସ୍ୱରାଜ ଆଣିଲ ଏଇଆ କରିବ ବୋଲି !’’

 

‘‘ଆରେ ଭଲା ଖମ୍ବଆଳୁ ବୁଝିଲୁରେ ଭୀମା । କିଏ କାହିଁକି ତମ ଜମି ନବ ? ଏଣିକି ତେମେ ପଇସା କମେଇ ବଡ଼ ଲୋକ ହେଇ ନିଜେ କୋଠା ତୋଳିବ ।’’

 

‘‘ଯା’ ମ ବାବୁ, କେତେ ଥଟ୍ଟା କରୁଚ ? କୋଠା ପିଟିଲୁ ନାଇଁ ବୋଲି କଣ ଆମେ କୁଆଡ଼େ ଭାସି ଯିବୁ ? ଯେମିତି ଓପାସ ଭୋକରେ ପିଲାଏ ମଣିଷ ହେଉଛନ୍ତି ସେମିତି ହଉଥିବେ, କାହାର ଖଟିଲେ ଦି ପଇସା ଆଣି ଖାଉଥିବେ ।’’

 

‘‘ଆଚ୍ଛା କଥା !’’ ପାତ୍ର ଅଭିମାନ କରି କହି କହିକା ଗଲେ, ‘‘ମଣିଷ କେତେ ବୁଝେଇବ କେତେ ବତେଇବ ? ସାମାନ୍ୟ ସ୍ୱରାଜ୍ୟ ପଦକ ୟାଙ୍କ ମୁଣ୍ଡରେ ପଶୁନାହିଁ, ଏମିତି ଶହଶହ ହଜାର ହଜାର ! ଏତେ ସଭା କରାଗଲା, ଏତେ ଏତେ ଥର ବକ୍ତୃତା ହେଲା ଯାହା କହି ଦେଲେ ଏ କାନରେ ପଶି ସେ କାନରେ ବାହାରି ଗଲା !’’

 

ପାତ୍ରେ ଗର୍ ଗର୍ ହୋଇ ପଟୁଆରରେ ମିଶିବାକୁ ଚାଲିଗଲେ । ଦେଲାବେଳେ ବକ୍ତୃତା ସେ ବହୁତ ଦେଇଛନ୍ତି । ସେତେବେଳେ ସେ ଉତ୍ତେଜିତ ହୋଇ ଉଠନ୍ତି, ସତେ ଯେମିତି ମାରେ–କି–ନ ମାରେ, ଛାତି ଫୁଲି ଉଠେ, ଶବ୍ଦ ସବୁ ତା’ପଛକୁ ତା’ପଛକୁ ବାଣ ପରି ଛୁଟନ୍ତି । ସତେ ଅବା ତହିଁରୁ ନିଆଁ ବାହାରେ, ଶ୍ରୋତାମାନଙ୍କ ଗହଳିରେ ଚହଳ ପଡ଼ିଯାଏ, ଅତୀତରେ, ଦେଶର ସ୍ୱାଧୀନତା ବିଷୟ ଭାବିଲା ମାତ୍ରେ ସେ ଅନୁଭବ କରିଥିଲେ ଯେପରିକି ତା’ ତାଙ୍କର ନିଜର ମର୍ଯ୍ୟାଦା, ବଂଶଗୌରବ ଓ ସଂପତ୍ତି ଉପରେ ପୈତୃକ ଅଧିକାରର ପ୍ରଶ୍ନଟିଏ, ଲାଗୁଥିଲା, ତାହାରି ଉପରେ ଆକ୍ରମଣ ହୋଇଛି ଓ ସେ ସେହି ଆକ୍ରମଣ ବିରୁଦ୍ଧରେ ଠିଆ ହେଉଛନ୍ତି । ମୂଳରୁ ସେ ସ୍ୱାଧୀନତା ଆନ୍ଦୋଳନ ଆଡ଼କୁ ଆକୃଷ୍ଟ ହୋଇଥିଲେ, ମହାତ୍ମାଗାନ୍ଧୀଙ୍କୁ ଦେବଅଂଶୀ ଯୁଗପୁରୁଷ ବୋଲି ଭାବି ନେଇଥିଲେ, ଭାବପ୍ରବଣ ହେବା ମୁହୂର୍ତ୍ତରେ ସେହି ଆନ୍ଦୋଳନର ଅନୁକ୍ରମରେ କେତେବେଳେ ନିଜେ କେଉଁ ଅଂଶରେ କେତେ ସମୟ ଯାକେ ଉଭାହୋଇ ଯାଉଥିଲେ । କିନ୍ତୁ ଠିକ୍ ତାପରେ ଉତ୍ତେଜନା ଓହ୍ଲାଇ ଯାଉଥିଲା, ନିଜର ସଂସାରୀ ଧନ୍ଦାରେ ସେ ଲାଗି ରହୁଥିଲେ । ସେତେବେଳେ କାମଥିଲା ସବୁଦିନ ପରି ନିଜର ନାନା ପ୍ରକାର ବୈଷୟିକ ଉନ୍ନତି ଓ ତା’ର ଉଦ୍ଦେଶ୍ୟ । ବୟାଳିଶି ଆନ୍ଦୋଳନ ବେଳେ ସେ ମାତି ଉଠିଥିଲେ, ସେଥିର ତାଙ୍କୁ ଜେଲ ହେଲା, ନା’ ମାସ । ତାଙ୍କ ଜୀବନରେ ପ୍ରଥମ ଓ ଶେଷଥର ଜେଲ୍ ଦଣ୍ଡ ଭୋଗ ସେ । ସେତେବେଳେ ସେ ନାନା ସ୍ଥାନର ନାନା ରାଜନୈତିକ କର୍ମୀ ଓ ନେତାଙ୍କ ସଙ୍ଗେ ଚିହ୍ନା ହୋଇଥିଲେ, ନାନା ବିଷୟରେ ନାନା ଲୋକଙ୍କ ବିଚାର ଶୁଣିଥିଲେ, ତାଙ୍କ ନିଜ ଭିତରେ ରାଜନୈତିକ ଉଦ୍ଦେଶ୍ୟ ଓ କାର୍ଯ୍ୟ ଆଦି ବିଷୟରେ କେତେଗୁଡ଼ିଏ ଧାରଣା ସ୍ପଷ୍ଟ ଧାଡ଼ି ବାନ୍ଧିଥିଲା । ଭାରତର ସ୍ୱାଧୀନତା ଆସୁଛି, ଯଦିଚ ତା’ କେତେ ବର୍ଷ ଲାଗିବ କହିହେଉ ନାହିଁ, ୟେ ବିଶ୍ୱାସ ତାଙ୍କଠିଁ ଦୃଢ଼ ହୋଇଥିଲା । ତା ସଙ୍ଗେ ସଙ୍ଗେ ସ୍ୱପ୍ନଟିଏ ମନକୁ ସୁଖ ଦେଉଥିଲା,–ଦେଶ କାମ କରି ଅନେକ ଜେଲ୍ ଭୋଗୁଛନ୍ତି, ସେମାନଙ୍କ ସଙ୍ଗରେ ସେ ବି, ଲୋକେ ସେ କଥା ଅବଶ୍ୟ ମନେ ରଖିବେ, କିନ୍ତୁ ଜେଲ୍‌ରୁ ଫେରି ସେ ଲୋକ ଗହଳିରେ ଜଣେ ହୋଇ ଆଉ ତୁନି ହୋଇ ଖାଲି ନିଜ ଧନ୍ଦାରେ ହିଁ ଲାଗିନାହାନ୍ତି, ଦେଶର ମୁଖିଆମାନଙ୍କ ଗହଣରେ ସେ ବି ଜଣେ ହୋଇଛନ୍ତି, ଦଶ ଲୋକ ତାଙ୍କ ନିର୍ଦ୍ଦେଶକୁ ଅନାଇଁ ରହିଛନ୍ତି, ତାଙ୍କୁ ବି ବଡ଼ ବୋଲି ମାନୁଛନ୍ତି । ତାଙ୍କୁ ଲାଗୁଥିଲା, ଆଗ ଧାଡ଼ିରେ ନିଜ ଆସନ ଠିକଣା ରଖିବା ପାଇଁ ନିଜଆଡ଼ୁ ଉଦ୍ୟମ କରିବା ବି ଦରକାର, ଖାଲି ସମସ୍ତିଙ୍କ ପ୍ରତି ସଦିଚ୍ଛା, ସ୍ନେହ ଓ ଭାବପ୍ରବଣତାରେ ତା ଘଟେ ନାହିଁ । ଆଗକୁ ଚାଲିଯିବାକୁ ଇଚ୍ଛାଥିଲେ ସେଥିପାଇଁ ଉପାୟ କରିବାକୁ ପଡ଼େ । ପାତ୍ରେ ଜେଲ୍‌ରୁ ଫେରିଲେ, ରାଜନୈତିକ କାମରେ ନାନା ନେତାଙ୍କ ସଙ୍ଗେ ଓ ଅନ୍ୟାନ୍ୟ ଲୋକଙ୍କ ସଙ୍ଗେ ବାରମ୍ବାର ମିଶିଲେ, ନାନା ଲୋକଙ୍କୁ ନାନା କାର୍ଯ୍ୟରେ ସାହାଯ୍ୟ ସହଯୋଗ ଦେଲେ । ସେ ନେତୃତ୍ୱର ସିଢ଼ି ଧରଲେ । ସେ ଦେଶକୁ ଭଲପାଆନ୍ତି ସତ, ତା ସହିତ ବେଶି ଭଲପାଆନ୍ତି ନିଜକୁ, ନିଜ ଧନସଂପତ୍ତିକୁ ଓ କ୍ଷମତାକୁ ।

 

ଦିନେ ସାଢ଼େ ଏଗାର, ହଠାତ୍ କେତେବେଳେ ଆକାଶ ମଝିରେ ଅରାଏ ଟିକିଏ ସଫା ହୋଇ ଯାଇଥାଏ । ସେଠି ଦାଉଦାଉ ହୋଇ ସୂର୍ଯ୍ୟ, ତଳେ ପିଁ ପିଁ ହୋଇ ଖରା ଭେଦି ଯାଉଥାଏ । ଆଗରେ କଚିରି ହତା, ପୁରୁଣା କୋଠାଗୁଡ଼ିକ ଆଗରେ ଖୋଲା ଭୂଇଁ ଉପରେ ଛାଡ଼ିଛାଡ଼ି ଠା ଠା ହୋଇ ଝଙ୍କା ଝଙ୍କା ଓସ୍ତଗଛ କେତୋଟି, ଦେବଦାରୁ ଗଛ କେତୋଟି, ସେଇ ଛାଇତଳିଆ ଜାଗାରେ ପଟୁଆରରେ ଚାଲିଥିବା ଲୋକେ ବସିବେ, ଝାଳ ମାରିବେ, ସେଠି କିଛି ବକ୍ତୃତା ହେବ । ପିଲାଙ୍କୁ ମିଠେଇ ବଣ୍ଟା ହେବ । ସହରର ବ୍ୟବସାୟୀମାନେ ଆୟୋଜନ କରିଛନ୍ତି, ସେମାନେ କେହି କେହି କାଙ୍ଗାଳି ଭୋଜୀ କରାଇବେ ଓ ଦରିଦ୍ରଙ୍କୁ କିଛି ଲୁଗା ବାଣ୍ଟିବେ, କିନ୍ତୁ ତା ହେବ ପଛେ, ବଡ଼ବଜାରରେ । ପଟୁଆର ସେଠୁ ଦିଶିଲାଣି, ଅଛି ଖଣ୍ଡେ ଦୂରରେ, ତହିଁରେ ଭିଡ଼ କି ଚହଳ ଆଉ ଆଗପରି ନାହିଁ । ଜୟ ଜୟକାର ଧ୍ୱନି ଲାଗେ ଲାଗେ ଆଉ ଶୁଭୁନାହିଁ, ଛାଡ଼ି ଛାଡ଼ିକା, ମାଣ୍ଟେଇ ମାଣ୍ଟେଇ, ଆଗପରି ଏଡ଼େ ପାଟି ନାହିଁ, କାହାର ଜୟ ବୋଲି ଡାକିଲେ ବେଶି ଲୋକ ପାଳି ଧରୁନାହାନ୍ତି । ପଟୁଆରର ଚାଲି ବି ପଡ଼ିଲାଣି ମାନ୍ଦା ।

 

ପଟୁଆରଠୁଁ ଖଣ୍ଡେ ଛାଡ଼ି ଆଗେ ଆଗେ ଚାଲିଛି ଏକୁଟିଆ ହୋଇ ଜଣେ । ବେଶି ଉଚ୍ଚ ନୁହେଁ, ଉଚ୍ଚତାରେ ସାଧାରଣଠୁଁ ଟିକିଏ ଊଣା ହେବ । ଗୋରା ଲୋକ, ଚାଳିଶି ଟପିଛି, ତଥାପି ପାତଳ ଶରୀର, କିନ୍ତୁ କେମିତି ଏକ ପ୍ରକାର ଟାଙ୍କି ଦେଲାପରି ଦେହର ଭଙ୍ଗୀ, ମାପିଲାପରି ଏକମଛାକେ ପାହୁଣ୍ଡ ପଡ଼ୁଛି, ସଳଖ ଗତି, ଏକର ସେକର ନାହିଁ । ଟାଇ ସମେତ ସୁଟ୍‌ଟିଏ ପିନ୍ଧି ଚାଲିଛି ସେ ଲୋକଟି, ତରତର ନୁହେଁ, କି ମଠ ମଠ ନୁହେଁ, ସତେ ଯେମିତି ନିଜ ନିର୍ଦ୍ଦେଶରେ ନିଜ କାମରେ ଚାଲିଛି, ପଟୁଆର ସହିତ ତାର ସମ୍ବନ୍ଧ ନାହିଁ ।

 

ସେ ଶିରୀପୁରର ଏସ.ଡ଼ି.ଓ. ସଲିମ୍ ଆଲି । ଦୁଇ ବର୍ଷ ହେଲା ସେଠି ସବ୍‌ଡ଼ିଭିଜନ୍‌ର ମୁଖ୍ୟ ପ୍ରଶାସକ ଓ ମ୍ୟାଜିଷ୍ଟ୍ରେଟ୍ । ହଠାତ୍ ଅଟକି ଗଲେ, ପଛକୁ ଅନାଇଁ ହସିଦେଲେ । ଟିକିଏ ଅପେକ୍ଷା କଲେ, ପଛରୁ ଆସୁଛନ୍ତି ଶିରୀପୁର ସବ୍‌ଡ଼ିଭିଜନର ‘ସେକେଣ୍ଡ ଅଫିସର’ ଅର୍ଥାତ୍ ତାଙ୍କ ଅଧସ୍ତନ କର୍ମଚାରୀ ବିନୋଦ ଦାସ, ତାଙ୍କ ହାତରେ ଗୋଟିଏ ଠେଙ୍ଗା, ଠେଙ୍ଗା ଆଗରେ ଉଡ଼ୁଛି ତ୍ରିରଙ୍ଗ ପତକାଟିଏ, ଦେହରେ ଖଦ୍ଦଡ଼ର ଧଳା ପ୍ୟାଣ୍ଟ ଓ ଅଧା ହାତ କାମିଜ୍, ମୁଣ୍ଡରେ ଖଦ୍ଦଡ଼ ଟୋପି । ବିନୋଦ ଦାସ, ଶ୍ୟାମଳ ବର୍ଣ୍ଣ, ଡେଙ୍ଗା ଓସାର ଛାତି, ଛେରା ପିଟା ମଣିଷଟିଏ, ବୟସ ତିରିଶି ଡେଇଁଛି । ମୁହଁଟି ଗୋଲ୍, ମାଉଁସିଆ, ଖରା ବାଜି ଝାଳେଇ ଥାଏ । ସେ ପାଖ ହେବାରୁ ସଲିମ୍ ଆଲି ବୁଲି ପଡ଼ିଲେ । ପାନ ପତ୍ର ପରି ମୁହଁ, ଓସାର କପାଳ, ପୋଟଳ ଫାଳପରି ଆଖି, ତହିଁରେ ଗଭୀର, ଢଳ ଢଳ ଚାହାଣୀ, ଠିଆ, ଖଣ୍ଡା ନାକ, ପାତଳ ଓଠ, ଆଂସ କଣ ଥାଇ ଦମ୍ଭିଲା ଥୋମଣି, ହଠାତ୍ ସେ ମୁହଁରେ ହସଟିଏ ଫୁଟିଲା, ମୁକ୍ତା ପରି ଜିକିଜିକି ଦାନ୍ତ କେତୋଟି ଝଟକି ଉଠିଲେ ।

 

ପଦବୀ ଓ ପାହିଆରେ ସବ୍‍ଡିପୋଟିଠୁଁ ଡିପୋଟି ବଡ଼ । ଡିପୋଟିଠୁଁ ଏସ.ଡ଼ି.ଓ. ବଡ଼ । ବିନୋଦ ଦାସ ସବ୍‍ଡିପୋଟି । ସେ ଟିକିଏ ମୁଣ୍ଡ ଝାଙ୍କି ଦେଇ ଉପରିକଙ୍କୁ ‘ନମସ୍କାର’ ବୋଲି କହିଲା, ପ୍ରତି ନମାସ୍କରଟିଏ ଶୁଣିଲା ।

Unknown

 

ସଲିମ୍ ଆଲି କହିଲେ, ‘‘ଆଜି ଆପଣଙ୍କୁ ଠିକ୍ ମାନିଛି ବିନୋଦ ବାବୁ । ସତେ ଯେମିତି ନେତାଜୀ ।’’

 

ବିନୋଦ ଦାସ କହିଲେ ‘‘ଚାକିରିରେ ତ ମୁଣ୍ଡ ବିକିଛି, ନେତା ହେବା ଭାଗ୍ୟ ଏ ଜନ୍ମରେ କପାଳରେ ଲେଖିନାହିଁ । ତେବେ ଆଜିଠୁଁ ସମସ୍ତିଙ୍କର ଭାଗ୍ୟ ବଦଳିଲା । ଏଣିକି ସବୁ ଶୁଧୁରିଯିବ-।’’

 

ସଲିମ୍ ଆଲି କହିଲେ ‘‘କେମିତି ?’’

 

ବିନୋଦ ଦାସ କହିଲା, ‘‘ବିଦେଶୀ ଲୋକଙ୍କ ମନମୁଖୀ ଶାସନ ଏ ଦେଶରୁ ଉଠି ଗଲାଣି । ଦେଶ ସ୍ୱାଧୀନ ହେଲା, ଗଲା ଚାଲି ଅନ୍ୟାୟ, ଅତ୍ୟାଚାର, ଶୋଷଣର ଯୁଗ । ଯେତେ ଯାହା ଅବିଚାର ହୋଇଯାଇଛି ଏଥର ସେସବୁ ସଜଡ଼ା ହେବ । ସବୁ ଦୋଷୀ ସବୁ କୁକର୍ମୀ ଦଣ୍ଡପାଇବେ । ଚାକିରିଆ ହେଉ, ସାଧାରଣ ଲୋକ ହେଉ ଯେ ସଚ୍ଚୋଟ ନିଷ୍ଠାପର ରହି ଲୋକଙ୍କ ଉପକାର କରିବେ ସେମାନେ ଉତ୍ସାହ ପାଇବେ, ସମ୍ମାନ ପାଇବେ, ଦେଶର ଦଶଅଣା ଲୋକ ଯେ ଗରିବ ହୋଇ ପଡ଼ି ରହିଛନ୍ତି ନାନା ଦୁଃଖକଷ୍ଟ ନିର୍ଯ୍ୟାତନା ଭୋଗୁଛନ୍ତି ସେମାନଙ୍କର ଅଭାବ ଅସୁବିଧା ରହିବ ନାହିଁ, ମଣିଷ ବୋଲି ସମସ୍ତେ ମର୍ଯ୍ୟାଦା ପାଇବେ, ଦେଶ ଲୋକଙ୍କ ଉନ୍ନତି କରିବାକୁ ସରକାର ମନପ୍ରାଣ ଢାଳି ଦେଇ କାମରେ ଲାଗି ରହିବେ, ଚାହୁଁ ଚାହୁଁ ସାରା ଦେଶ ସୁସ୍ଥ ସବଳ ହୋଇ ହସି ଉଠିବ । ବିଶାଳ ସ୍ୱାଧୀନ ଦେଶ ଆମର, ଏଡ଼େ ବଡ଼ ଦେଶର ଶାସକ ଏ ଦେଶର ସାଧାରଣ ମଣିଷ, ତାଙ୍କର ଯହିଁରେ ହିତ ହେବ, ତାଙ୍କ ସରକାର ବଳେ ତା କରିବ । ସବୁ ଗୁଣରେ ଭାରତ ହେବ ଏ ପୃଥିବୀ ଭିତରେ ଶ୍ରେଷ୍ଠତମ । ଏସବୁ ସମ୍ଭବ ହେବ, କାରଣ ଭାରତ ଏଣିକି ସ୍ୱାଧୀନ ଦେଶ ।’’

 

କହୁ କହୁ ବିନୋଦ ଦାସର ମୁହ ଗର୍ବ ଆନନ୍ଦ ଓ ଆଶାରେ ଝଲସି ଉଠୁଥାଏ । ସଲିମ୍ ଆଲି ଓ ତା’ ଭିତରେ ସଦ୍‌ଭାବ ଥାଏ । କିନ୍ତୁ କହିଲା ବେଳେ ମନେ ପଡ଼ୁଥାଏ ୟେ ତା’ର ଉପରିକ, ସେ ତାଙ୍କ ତଳିଆ କର୍ମଚାରୀ, ତା ପାଇଁ ସରକାରର ପ୍ରତିନିଧି ୟେ ସଲିମ୍ ଆଲି, ଇଂରେଜ ସରକାର ଥିଲାବେଳେ ସବ୍‌ଡ଼ିଭିଜନ୍ ଭିତରେ ତାଙ୍କର ପ୍ରଧାନ ଖୁଣ୍ଟ ଏଇ ଏସ.ଡ଼ି.ଓ,–ସବୁଦିନେ ତଳିଆ କର୍ମଚାରୀଠୁଁ ପାଇଛନ୍ତି ‘‘ହଁ ଆଜ୍ଞା’’, ‘‘ହଉ ଆଜ୍ଞା’’, ଆଜି ଶୁଣିଥାନ୍ତୁ ରୋକ ଠୋକ୍ ପଦେ, ସତେ ଯେପରି ଲୋକଙ୍କ ପ୍ରତିନିଧି ହୋଇ ସେ କଥା କହୁଛି ।

 

ସଲିମ୍ ଆଲି ତାକୁ ଗୋଡ଼ଠୁ ମୁଣ୍ଡଯାକେ ଥରେ ଅନାଇଁ ଯାଇ ହସି ଦେଲେ । କହିଲେ, ‘‘ଆପଣ ଆଜି ଖୁବ୍ ଉତ୍ତେଜିତ ।’’

 

ବିନୋଦ ହସିଲା, କହିଲା ‘‘ଆଜିପରା ଦିନ । ଭାବିଲା ବେଳକୁ ! କିଏ ଉତ୍ତେଜିତ ନୁହେଁ ସାର ? ଆପଣ ନୁହନ୍ତି ?’’ ସଲିମ୍ ଆଲି ହସିଲେ, କହିଲେ ‘‘ଛାଡ଼ନ୍ତୁ ! କର୍ମଚାରୀ ଧୀର ମତି ସ୍ଥିର ବୁଦ୍ଧିରେ ତାର ଦାୟିତ୍ୱ ତୁଲାଇ ଯାଏ, ଉଁ କି ଚୁ କରେ ନାହିଁ । ଅନ୍ୟମାନଙ୍କ ପରି ସେ ଉତ୍ତେଜନାରେ ମାତି ଗଲେ ଗାଡ଼ି ଟାଣିବ କିଏ ?’’ ବିନୋଦ କହିଲା, ‘‘ଗାଡ଼ି ତ ସବୁବେଳେ ଟାଣୁଥିବା ସାର୍, କିଏ କେମିତି କାମ କରୁଛି ଭଗବାନ ସବୁ ଦେଖୁଛନ୍ତି । କିନ୍ତୁ ୟେ ବେଳ, ୟେ ସମୟ,–ଓଃ ଯୁଗ ବଦଳିଗଲା, ଅନ୍ଧାର କଟିଗଲା, ଆଲୁଅ ଫିଟିଲା ।’’

 

ସଲିମ ଆଲି କହିଲେ, ‘‘ଆଜି କିଏ କେଉଁ ସ୍ୱପ୍ନ ଦେଖୁଥିବେ, ଆପଣଙ୍କ ସ୍ୱପ୍ନ ଆପଣ ମତେ କହିଲେ । ଭଗବାନ କରନ୍ତୁ, ଆପଣଙ୍କ ସ୍ୱପ୍ନ ସଫଳ ହେଉ, ଆପଣଙ୍କ ତୁଣ୍ଡରେ ଫୁଲ ଚନ୍ଦନ ପଡ଼ୁ । ଭଗବାନ ତ କରିବେ, ସେ ସବୁ କରନ୍ତି । ଯାହା କରନ୍ତି ତାହା ଘଟେ, ଯାହା ଘଟେ ସବୁ ସେ କରନ୍ତି । କିନ୍ତୁ ତାଙ୍କ ଉଦ୍ଦେଶ୍ୟ ମଣିଷ ତ ଜାଣିପାରିବ ନାହିଁ । ସ୍ୱାଧୀନତା ଆସିଲା । ଖୁବ୍ ଚମତ୍କାର କଥା, ଖୁବ୍ ଭଲ ହେଲା । କିନ୍ତୁ ଆମେ ମଣିଷ ଭାବିବା, ଏଣିକି ଆମ କର୍ତ୍ତବ୍ୟ କଣ ? ଆମ ଦାୟିତ୍ୱ କେତେ ? ଭାବୁଚନ୍ତି ସେ କଥା ?’’

 

ବିନୋଦକୁ ଲାଗୁଥାଏ, ତାଙ୍କ କଥା କେଉଁଠି ଟିକିଏ ବେସୁରା, ବିଗିଡ଼ା ଶୁଭୁଛି, ବାରି ହେଉ ନାହିଁ, ଅବିକଳ କଣ ସେଥିରେ ଅଭାବ ଅଛି । ଚଞ୍ଚଳ ଚଞ୍ଚଳ ଭାବିଗଲା, ହୁଏତ ମନେ ମନେ ଭୟ ଛାନିଆଁ ଯେ ଆଗପରି ଆଉ ଏମାନଙ୍କୁ ଇନ୍ଦ୍ର ଚନ୍ଦ୍ର ବୋଲି କେହି ଭାବିବେ ନାହିଁ, ଏଣିକି କର୍ମଚାରୀ ଏ ଦେଶର ଚାକର, କିଏ ବଡ଼ କିଏ ସାନ, ସାଧାରଣ ଲୋକ ହିଁ ଏଣିକି ଏ ଦେଶର ମାଲିକ ।

 

ଅଥବା–

 

ବିନୋଦର ମନରେ ଗୋଟିଏ ସରୁ ସନ୍ଦେହ ବାରମ୍ବାର ଉଙ୍କିମାରି ପୁଣି ଲୁଚି ଯାଉଥାଏ,–ୟାଙ୍କ ସହାନୁଭୂତି ପାକିସ୍ତାନ୍ ପଟେ ନୁହେଁ ତ ?

 

ସଲିମ୍ ଆଲି ଓଡ଼ିଆ ମୁସଲମାନ୍ । ତାଙ୍କ ଚେହେରାରେ କେଉଁଠି କୌଣସି ବିଶଷ୍ଟ ଧର୍ମର ଚିହ୍ନ ନ ଥିଲା । ଶିକ୍ଷିତ ଭାରତୀୟ ଜଣେ, ତାଙ୍କ ନାଁ ରାମଚନ୍ଦ୍ର ମିଶ୍ର ବୋଲି କହିଲେ କେହି ପାଲଟି ପଚାରନ୍ତେ ନାହିଁ । ତାଙ୍କ ବାପା ମୌଲବୀ ରୋଞ୍ଜନ୍ ଆଲି କେତୋଟି ସଂସ୍କୃତ କାବ୍ୟକୁ ଓଡ଼ିଆରେ ଅନୁବାଦ କରି ପଦ୍ୟରେ ପ୍ରକାଶ କରିଥିଲେ, ହାଇସ୍କୁଲ୍‌ରେ ସଂସ୍କୃତ ପଣ୍ଡିତ ଥାଇ ଖ୍ୟାତି ପାଇଥିଲେ, ଅବସର ଘେନିଥିଲେ । ସେ ଜଣେ ନୈଷ୍ଠିକ ମୁସଲମାନ୍ । ଧର୍ମପ୍ରାଣ ଅମାୟିକ ଲୋକ ବୋଲି ହିନ୍ଦୁ ମୁସଲମାନ୍ ନିର୍ବିଶେଷରେ ନିଜ ଅଞ୍ଚଳରେ ସମସ୍ତିଙ୍କ ଶ୍ରଦ୍ଧା ପାଇଥିଲେ । ସଲିମ୍ ଆଲି କୃତୀ ଛାତ୍ର, ଏମ୍. ଏ. ପାଶ୍ କରି ଡିପୋଟି ହୋଇଥିଲେ । ଏକେ ତ ହିନ୍ଦୁ, ମୁସ୍‌ଲିମ୍ ସସଂପର୍କ ଓ ବନ୍ଧୁତା ବିଷୟରେ ଓଡ଼ିଶା ଭାରତରେ ଆଦର୍ଶ ସ୍ଥାନୀୟ ଥିଲା, ତହିଁରେ ପୁଣି ସଲିମ୍ ଆଲି ନିଜେ ଏଭଳି ଜଣେ ସଳଖ ଗାରରେ ବାଟ ଚାଲିବା ଲୋକ ବୋଲି ଲୋକେ ଭାବୁଥିଲେ ଯେ ସେ ଧର୍ମ କି ଜାତି କି ଦଳ କି ସଂପ୍ରଦାୟ କୌଣସିଠିଁ କେବେ ଲିପ୍ତ ହେବାର କେହି ଦେଖୁ ନ ଥିଲେ-। ସେ ନିଜ ଚାକିରି କାମର ପରିସର ଛଡ଼ା ଅନ୍ୟ କେଉଁଠିକି ଯିବାର ବି କେହି ଦେଖୁ ନ ଥିଲେ, ତାଙ୍କର ‘ବିଶ୍ୱସ୍ତ’ କି ‘ପ୍ରିୟପାତ୍ର’ ବୋଲି ସୁଦ୍ଧା କେହି ଶିରୀପୁରରେ ଥିବାର ଜଣା ନ ଥିଲା-। ଦୂରରୁ ତାଙ୍କ କାର୍ଯ୍ୟ ଦେଖି, କାର୍ଯ୍ୟ କ୍ଷେତ୍ରରେ କିଏ କେତେବେଳେ ତାଙ୍କ ସଂସ୍ପର୍ଶରେ ଆସି, ଲୋକେ ତାଙ୍କ ବିଷୟରେ ଯାହା ଧାରଣା କରିଥିଲେ । ତଥାପି, ସେ ଧାରଣା ଉଚ୍ଚ ହିଁ ଥିଲା,–ଜଣେ ଦକ୍ଷ, ବୁଦ୍ଧିମାନ୍, ବିଚାରବନ୍ତ, ସଚ୍ଚୋଟ, ସତର୍କ କର୍ମଚାରୀ, ସବୁବେଳେ ନିରପେକ୍ଷ, ଖୁବ୍ ଥଣ୍ଡା ମୁଣ୍ଡ-

 

ତଥାପି ପବନରେ ବାହାରୁ ଉଡ଼ି ଆସିଥିବା କେଉଁ ଦୁର୍ଗନ୍ଧ ତୁନି ତୁନି ଯେପରିକି କିଛି ସନ୍ଦେହ ବିଞ୍ଚି ଦେଇଥିଲା, କିଏ କେତେବେଳେ ମନକୁ ମନ କେଉଁ ଦୁଃସ୍ୱପ୍ନକୁ ଭାବି କେଉଁଠି କଣ ଟୁପୁରୁଟାପୁରୁ ହୋଇଥିଲା । ଆଉ ବିନୋଦ ବି ହଠାତ୍ କଣ ମନେ ପକାଇଲା ।

 

କଣ ? ହ, ଥରେ, ତାଙ୍କ ବସାକୁ ସେ ଯାଇଥିଲା । ଥାକରେ ଦେଖିଥିଲା ପବିତ୍ର କୋରାନର ଇଂରେଜି ଅନୁବାଦ, ଓଟାରି ନେଇ ଆଖି ପକେଇ ଥିଲା । ସେଉଠୁ ସେ ଆସିଥିଲେ । ପବିତ୍ର କୋରାନ୍ ବିଷୟରେ ଆଗ କଥା ଉଠାଇଥିଲା ସେ । ସଲିମ୍ ଆଲି ବୁଝେଇ ଥିଲେ, ‘‘ପଢ଼ିଲେ ଆଶ୍ଚର୍ଯ୍ୟ ହେବେ, ସବୁ ଧର୍ମର ମୂଳ ସତ୍ୟ କେମିତି ଏକ, ସବୁ ଧର୍ମର ମୌଳିକ ଶିକ୍ଷା ଏକ, ସ୍ଥାନେ ସ୍ଥାନେ ଲାଗିବ, ଗୀତା ପଢ଼ୁଛି ନା ବାଇବ୍ଲ ନା ୟାକୁ । କୋରାନରେ ଭଗବାନ୍ କହିଛନ୍ତି, ନାନା ସମୟରେ ମନୁଷ୍ୟ ଜାତିକୁ ମୁଁ ମୋର ଶାଶ୍ୱତ ଶିକ୍ଷାର ବାଣୀ ଦେଇ ଆସିଛି, ମନୁଷ୍ୟ ଜାତି ଭୁଲିଯାଏ, ହୁଡ଼େ, ମୁଁ ପୁଣି ସତର୍କ କରିବାକୁ ଦୂତ ବରଗେ, ଶାଶ୍ୱତ ବାଣୀ ଦିଏଁ । ସେହି ପର୍ଯ୍ୟାୟରେ ସେ କୋରାନ୍‌ର ବାଣୀ ବି ଦେଲେ । ଈଶ୍ୱର ଏକ, ମନୁଷ୍ୟ ଏକ, ସତ୍ୟ ଏକ, ଶାସ୍ତ୍ର ଏକ, ସବୁ ଧର୍ମର ମୌଳିକ ଶିକ୍ଷା ଏତିକି ।’’ ସେତିକି କହିଥିଲେ ଓ ସେଇ ଥରକ ଯାହା, ଆଉ କେବେ ଧର୍ମକଥା ତାଙ୍କ ସଙ୍ଗେ ବିନୋଦର ପଡ଼ି ନାହିଁ ।

 

‘ତଥାପି ମନରେ ସେହି କ୍ଷୀଣ ସନ୍ଦେହର ଛୁଆନ୍ତା ଲାଗେ କି ନ ଲାଗେ ।’

 

ବିନୋଦ କହିଲା, ‘‘ଯାହା ଯାହା ଦାୟିତ୍ୱ ଆସୁ, ଆମେ ନିଶ୍ଚୟ ତୁଲେଇବୁଁ । ଜୀବନ ପଛେ ଦେବାକୁ ପଡ଼ୁ, କ୍ଷତି ନାହିଁ । ୟେ ସ୍ୱାଧୀନତା ରହିବ, ଆମ ଦେଶକୁ ଆମେ ଗଢ଼ିବୁଁ । ନୁହେଁ ସାର୍ ।’’

 

‘‘କିଏ ମନା କରିବ ସେକଥା ?’’ ସଲିମ ଆଲି କହିଲେ, ‘‘କିନ୍ତୁ ସେ କଥା ତ ପଡ଼ି ନାହିଁ-। ସବୁ ଭଲ ହେଉ ବୋଲି ଚାହିଁବେ ସମସ୍ତେ । କରିବେ କେତେଜଣ ? ଲୋକେ ନିଜ ନିଜ ସ୍ୱାର୍ଥରେ ହିଁ ଲାଗିବାକୁ ଅଭ୍ୟସ୍ତ, ପୁଣି ଜଣକର କି ଗୋଟାଏ ଶ୍ରେଣୀର ସ୍ୱାର୍ଥ ଅନ୍ୟ ବ୍ୟକ୍ତି କି ଶ୍ରେଣୀର ସ୍ୱାର୍ଥର ବିରୋଧୀ । ଆପଣା ସ୍ୱାର୍ଥକୁ ଛାଡ଼ି ଗାଁଯାକର ଇଲାକାଯାକର ଦେଶଯାକର ସମସ୍ତିଙ୍କ ସମବେତ ସ୍ୱାର୍ଥକୁ ବଡ଼ ବୋଲି ଭାବିବାକୁ ଅଭ୍ୟାସ କରିବାକୁ ଆମୁକୁ କେତେବର୍ଷ ଲାଗିବ ? ତା’ ନ କରି ପାରିବା ଯାକେ ଶାନ୍ତି ନା ଶୃଙ୍ଖଳା ନା ନ୍ୟାୟ, ନା ଆଦର୍ଶ, କଣ ରହି ପାରିବ ଦେଶରେ ? ସେସବୁ ନ ରହିଲେ କି ପ୍ରଗତି କି ଉନ୍ନତି ସମ୍ଭବ ହେବ ? ସମସ୍ତେ ତ ରହିବେ ନିଜ ନିଜର ଲାଭ ଉଠେଇବା ଧନ୍ଦାରେ, ଲୋଭରୁ କଣ ହୁଏ ତା’ତ କଚିରିରେ ହିଁ ଦେଖୁଛନ୍ତି । ଆସିଗଲା ସମୟ ଯେତେବେଳେ ସମସ୍ତିଙ୍କ ନୈତିକମାନ, ଦାୟିତ୍ୱବୋଧ, କର୍ତ୍ତବ୍ୟବୋଧ, ନିଷ୍ଠାପରତା, ଅଧ୍ୟବସାୟ, ସାହସ, ସବୁ ରହିବା ଉଚିତ ଖୁବ୍ ଉଚ୍ଚରେ, ତାହେଲେ ଯାଇ ସ୍ୱାଧୀନତା ଢେର ଉପରେ ଚଢ଼ି ଦେଶ ବହୁତ ଉଚ୍ଚକୁ ଉଠି ପାରିବ । ତା ନ ହୋଇ ସେସବୁ ଅଶାନ୍ତି ନାନା ସମସ୍ୟା ନାନା ବିପଦ ଘୋଟିବ, ଦେଖିପାରୁ ନାହାନ୍ତି ? ଭାବପ୍ରବଣତା ତ ଆମଠିଁ ଖୁବ୍ ଅଛି, କିନ୍ତୁ କାମ ନ କଲେ ପାଟିକି ଭାତ ଉଠି ପାରିବ ?’’

 

‘‘ହେବ ସାର୍, ସବୁ ହେବ । ଏଇ ଲୋକେ ସ୍ୱାଧୀନତା ଆଣିଲେ, ଏଇମାନେ ତାକୁ ଭଲକରି ତୁଲେଇବେ । ବେକରେ ପଡ଼ିଲେ ବଜେଇ ଶିଖେ । ଆଉ ଆପଣଙ୍କ ପରି ସ୍ୱଦେଶ ପ୍ରେମୀ ଅଫିସର ବି ଥିବେ । ସେମାନେ ବି ବାଟ ବତାଇବେ । ଜଣେ ଠିଆ ହେଲେ ତାଙ୍କ ସାଙ୍ଗକୁ ଆଉ ଦଶ ଜଣ ବି ତାଙ୍କ ଦେଖାଦେଖି ବାହାରି ପଡ଼ିବେ ।’’

 

କହି ଦେଇ ବିନୋଦ ମନେ ମନେ ଅନୁତାପ କଲା, ତା କଥାରେ ଟିକିଏ ବେଶି ପିଲାଳିଆମି ରହିଗଲା ପରା, କଣ ସେ ଭାବିଥିବେ ! କିନ୍ତୁ ସଲିମ୍ ଆଲି ଚିନ୍ତାମଗ୍ନ ଥିଲାପରି ଦିଶୁଥିଲେ, ମୁହଁ ଗମ୍ଭୀର, କହିଲେ –

 

‘‘ଆପଣ ମୋଠୁଁ ଦଶବର୍ଷ ସାନ, ଯୁବକ ଲୋକ, ଯୁବକ ସବୁବେଳେ ଆଶାବାଦୀ ହେବା ଭଲ । ଖାଲି ଯୁବକ କାହିଁକି, ସମସ୍ତେ ଆଶାବାଦୀ ଓ ଉତ୍ସାହୀ ହେବା ଭଲ । କିନ୍ତୁ ତା’ ସଙ୍ଗେ ସଙ୍ଗେ ଚେଇଁ ରହିବା ଦରକାର । ଦେଖିବା, ଚାହିଁବା, ଭାବିବା ଦରକାର, ଯାହା ଆଦର୍ଶ ବୋଲି ହୃଦ୍‌ବୋଧ ହେଲା ସେହିପରି କାମ କରିବା ଦରକାର । କଥା ଆମେ ଏତେ ବେଶି ଶୁଣିଥାଇଁ ଯେ ଆଶଙ୍କା ଲାଗେ ଗୋଟାଏ ତୁଚ୍ଛା କଥାର ବେଳ, ତୁଣ୍ଡ ସୁଖର ବେଳ କାଳେ ଚାଲି ଆସିବ, ସମସ୍ତେ ବଡ଼ ବଡ଼ କଥା କହିବେ, କାମ ବେଳକୁ କିଛି ନାହିଁ । ୟା କର ତା କର ବୋଲି ପରକୁ କହିବେ, ନିଜବେଳକୁ ହାତଗୋଡ଼ ଚଳିବ ନାହିଁ । ଆପଣ ଅଫିସରଙ୍କ ଦେଶପ୍ରେମକୁ ଏତେ ଗୁରୁତ୍ୱ ଦେଉଛନ୍ତି କାହିଁକି ? ତାଙ୍କୁ ଉପରୁ ଯେଉଁ ଆଦେଶ ଆସୁଥିବ ସେମାନେ ସେହି ଆଦେଶ ମାନି କାମ କରିବାକୁ ନିଯୁକ୍ତ ହୋଇଛନ୍ତି । ସବୁ ନିର୍ଭର କରିବ ଦେଶବାସୀଙ୍କ ଉପରେ । ସେମାନେ ତାଙ୍କ ନେତାଙ୍କୁ ଠିଆ କରାଇବେ । ପୁଣି ସେମାନେ ନିଜେ ଠିକଣା ରହିଲେ, ନିଜେ କାମ କଲେ ଯାଇ ଦେଶ ସୁନା ହୋଇ ପାରିବ । ସେମାନେ ତାଙ୍କ ଦେଶପ୍ରେମକୁ ନିଜ ନିଜ ଆଗରେ ପରିଶ୍ରମରେ ନୈତିକତାରେ କାର୍ଯ୍ୟରେ ଦେଖାଇ ପାରିଲେ ସବୁ ଭଲ ହେବ ।’’

 

‘‘କିଛି ଭାବିବେ ନାହିଁ ସାର୍, ଆପଣଙ୍କର ଯେପରି ପରିଷ୍କାର ବିଚାର, ଆପଣ ଚାକିରି ନ କରି ଦେଶକାମ କରିଥିଲେ ଦେଶକୁ କେତେବଡ଼ ନେତୃତ୍ୱ ଦେଇଥାନ୍ତେ ।’’ ବିନୋଦ ଉଚ୍ଛ୍ୱସିତ ହୋଇ କହି ପକାଇଲା, ତା’ ମନରେ ଆଉ ସନ୍ଦେହର ଛାଇ ନ ଥିଲା ।

 

ସଲିମ୍ ଆଲି ଚାଇଁକିନା ହସିଦେଲେ । କହିଲେ, ‘‘କିନ୍ତୁ ଦେଖୁଛନ୍ତି ତ, ଚାକିରି କରିଛି । ଷୋଳ ବର୍ଷର ଚାକିରି ଖଣ୍ଡିକ ଛାଡ଼ିବାକୁ ଇଚ୍ଛା ବି ନାହିଁ । ଆଉ, ଯେଉଁ ନେତୃତ୍ୱ କଥା କହୁଛନ୍ତି ନା ସେଥିପାଇଁ ଭିନେ ପ୍ରକାର ଯୋଗ୍ୟତା ଦରକାର ଓ ମୁଁ ଜାଣେ ମୋଠି ତା’ ନାହିଁ, ଆପଣ ବି ଚାକିରି ନ କରି ଦେଶକାମ କରିଥିଲେ ଏତେ ବେଳକୁ ନେତା ହୋଇ ସାରନ୍ତେଣି ବୋଧହୁଏ । ମୁଁ ଜାଣେନାହିଁ ଆପଣ ସେପରି ଭାବୁଛନ୍ତି କି ନାହିଁ । ବର୍ତ୍ତମାନ ତ ନେତା ହେବାକୁ ସମସ୍ତିଙ୍କର ମନ, କାରଣ ଅନ୍ତତଃ ଇଂରେଜ ସରକାର ଆଉ ଦଣ୍ଡ ଦେଇ ପାରିବେ ନାହିଁ,–ନିଜ ଭିତରେ ଯଦି ପିଟାପିଟି ଲାଗିବ କାହାର କାହାର ସେକଥା ଭିନେ । କିନ୍ତୁ ଏ ସଂସାରରେ ଯେ ଯେଉଁବାଟ ଧରେ, ବିନୋଦ ବାବୁ, ଯେ ଯେଉଁକାମ ବାଛିନିଏ ତାର ଶାନ୍ତି ସେଇଥିରେ । ଦେଶକାମ କରିବାକୁ ମନ କଲେ ଖାଲି ରାଜନୀତି ହିଁ ଏକମାତ୍ର ବାଟ ନୁହେଁ, ନିଜ ନିଜ ପରିସରରେ ନିଜ ଶକ୍ତି ଭିତରେ ସମସ୍ତେ କିଛି କିଛି କରିପାରିବେ । ଖାଲି ବକ୍ତୃତା ଦେଇ ବୁଲିଲେ ତ ଦେଶକାମ ହୁଏନାହିଁ । ଆପଣା କର୍ତ୍ତବ୍ୟ କିଏ କେଉଁ ପରିମାଣରେ ପାଳନ କରି ପାରୁଛି ସେଇଟା ଅସଲ କଥା । ନିଶ୍ୱାର୍ଥ ନିଷ୍କାମ ହୋଇ ପରର ହିତକୁ ବଡ଼ କରି ଆପଣା କର୍ତ୍ତବ୍ୟକୁ ଠିକ୍ ଠିକ୍ କରିଗଲେ ସେଇଟା ହେବ ଦେଶକାମ, ସେଥିପାଇଁ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ, ନିଜ ପାଇଁ ସବୁ ପ୍ରକାର ଲାଭ, ସ୍ୱାର୍ଥର ମୋହ ଛାଡ଼ିବାକୁ ପଡ଼ିବ । ନାଁ ଖୋଜିବା ଚଟକ ବି ଅନ୍ତର ଭିତରେ ଲେଶମାତ୍ର ନ ଥିବ । ଯେତେ କଷ୍ଟ ଯେତେ କ୍ଷତି ଆସୁ ସହିବାକୁ ପଡ଼ିବ । ୟେ ଖୁବ୍ ଅସାଧାରଣ ସାଧନା, ସହଜରେ ହୁଏ ନାହିଁ-। ପ୍ରକୃତରେ କହିଲେ, ଆମେ କେତେ ଜଣ ଅଛୁଁ ସେପରି ? କିଏ କେତେ ଅଂଶରେ-? ସାରା ଦେଶରେ ବା କେତେଜଣ ଅଛନ୍ତି ? ଅଥଚ ସ୍ୱାଧୀନତା ଆସିଗଲା, ଅତି ତରବର ନିଜକୁ ନିଜେ ବଦଳାଇ ଉନ୍ନତ କରି ରାତିକା, ରାତି ସେହିପରି ହୋଇ ପାରିଲେ ଏଡ଼େ ବଡ଼ ଦାୟିତ୍ୱକୁ ଦେଶ ସମ୍ଭାଳି ପାରିବ । ଆଜି ସ୍ୱାଧୀନତାର ପ୍ରଥମ ଦିନରେ ସେହି ଚିନ୍ତା ଆମ ମନକୁ ଆସିବା ଉଚିତ ବିନୋଦବାବୁ । ଏ ପବିତ୍ର ଦିନରେ ଦାୟିତ୍ୱ ଚିନ୍ତା ହିଁ ପ୍ରଧାନ ।’’

 

ବିନୋଦ ଖୁବ୍ ମନ ଦେଇ ଶୁଣୁଥିଲା, କହିଲା ‘‘ଠିକ୍ କହିଲେ ସାର୍ ! ତଥାପି ମୁଁ କହିବି, ଦେଶର ଲୋକେ ଏ ଡାକକୁ ମାନିବେ । ନିଜ ଘର ନିଜେ ଖୁବ୍ ଭଲରେ ଚଳେଇବେ । କାମ କରୁ କରୁ ଅଭିଜ୍ଞତା ବଢ଼ିବ, ଭୁଲ ହେଲେ ବି ଠିକ୍ ଶିଖିବେ । ଏ ଦେଶରେ କାଲିର ମଣିଷ ଆଜିର ମଣିଷ ଏକ ନୁହନ୍ତି, ଏମାନେ ଉଦ୍‌ବୁଦ୍ଧ, ଏମାନେ ଦୃଢ଼ପ୍ରତିଜ୍ଞ ।’’

 

ସଲିମ ଆଲି ତା’ ମୁହଁକୁ ଚାହିଁଦେଲେ, ତାଙ୍କ ଦୃଷ୍ଟି ମୁନିଆଁ ହୋଇ ତା’ ଆଖି ଭିତରକୁ ଗଳି ଯାଉଥିଲା । ତାଙ୍କ ଶାନ୍ତ ସଂଯତ ମୁହଁ ସେମିତି ଥମ ଥମ ଦିଶୁଥିଲା, କଚିରିରେ ସେ ମକଦ୍ଦମା ବିଚାର କରି ବସିଥିଲା ବେଳେ ତାଙ୍କ ମୁହଁରେ ଯେଉଁ ଭାବ ଦେଖିଲେ ପ୍ରଗଳଭ ଲୋକ ବି ତୁନି ହୋଇ ଯାଉଥିଲା, ତାଙ୍କ ମୁହଁ ସେମିତି ଦିଶୁ ଥିଲା । କହିଲେ,–

 

‘‘କେଉଁଥିରୁ ଆପଣଙ୍କର ଧାରଣା ହେଲା ଯେ ଆମେ ସମସ୍ତେ ହଠାତ୍ ଉଦ୍‌ବୁଦ୍ଧ ଓ ଦୃଢ଼ପ୍ରତିଜ୍ଞ ? କଣ ଏ ପଟୁଆର ଦେଖି ? ଆନନ୍ଦ ଉଲ୍ଲାସରେ ସମସ୍ତେ ଭାସୁଚୁଁ, ୟା ଯଦି କହିବେ ତ ମୁଁ ମାନିବି । ଧରାଯାଉ ଅପୁଆ ଘରେ ପୁଅଟିଏ ହେଲା, ସମସ୍ତେ ଖୁସି, କ୍ଷୀରି ପୁରି ଭାସିବ । ସେତିକି କଣ ଯଥେଷ୍ଟ ? ଅନାନ୍ତୁ ଏ ଦରିଦ୍ରମାନଙ୍କୁ, ଧାଇଁ ଧାଇଁ ରୁଣ୍ଡୁଛନ୍ତି, ଚାରିଆଡ଼ୁ କିଛି ମିଳିବ ବୋଲି, ତାଙ୍କ ଭିତରେ ବି ଠେଲାପେଲା ଧରାଧରି, ଯେ ଦୁର୍ବଳିଆ କି ରୋଗୀ ସେ ପଡ଼ିଛି ପଛରେ, କେହି ତାକୁ ବାଟ ଛାଡ଼ୁନାହିଁ । ମଣିଷ ଚରିତ୍ର ଏମିତି ବଦଳେ ନାହିଁ । ସେମାନେ ଆଶା କରିଛନ୍ତି, ଜୀବିକାର ଆଧାର ପାଇବେ, ମଣିଷ ପରି ବଞ୍ଚିବେ, ତାଙ୍କର ଦରକାର ଧନ, ଧନ୍ଦା, ଘର, ଜମି, ଜୀବନର ସବୁ ସୁଖ ସୁବିଧା । ସବୁ ମିଳିଯିବ ? ସବୁ ? ଯାହାର ଅଛି ସେ ଖୁସିରେ ତହିଁରୁ ଚେନାଏ ଛାଡ଼ିଦେବ ? ସମସ୍ତେ ସାଧୁ ହୋଇ ଯିବେ ? ନା ଯେ ଦୁଷ୍ଟ, ଅସାଧୁ, କୁଚକ୍ରୀ, ମନ୍ଦବୁଦ୍ଧି, ବେଶି ସ୍ୱାର୍ଥପର, ସେ ତା’ ବାଟରେ ତା କାମରେ ଲାଗିଥିବ ? ଭଲ ଆଉ ମନ୍ଦ ଭିତରେ ଲଢ଼େଇ ସବୁକାଳେ ଲାଗିଥାଏ ।’’

 

ବିନୋଦ ତୁନି ଥାଏ । ସଲିମ ଆଲି ପୁଣି କହିଲେ, ‘‘ଛାଡ଼ନ୍ତୁ ସେ ସବୁ କଥା । ଦେଶର ରାଜନୀତି କଥା ଭାବିବାକୁ ବହୁତ ଲୋକ ଅଛନ୍ତି । ଆମେ ଆମ ଆଗରେ ଥିବା କାମ କରୁଥିବା, ସେଥିପାଇଁ ସମୟ ନିଅଣ୍ଟ ।’’

 

ବିନୋଦ କହିଲା, ‘‘ଆପଣ ଯେପରି ଗୁରୁତ୍ୱ ଦେଇ ଯେଡ଼େ ଗହୀରରେ ଏସବୁ କଥା ଭାବୁଚନ୍ତି, ଯେଭଳି ଆନ୍ତରିକତା ସହକାରେ–’’

 

କଥା ମଝିରେ କଥା କହିଲେ ସଲିମ ଆଲି, ‘‘ଛାଡ଼ନ୍ତୁ, ଛାଡ଼ନ୍ତୁ, ଏସବୁ ଆଲୋଚନା କେବଳ ଆପଣ ଆଉ ମୁଁ ଦୁଇଜଣ ନାଗରିକଙ୍କ ଭିତରେ, ସାତପାଞ୍ଚ ଏଥିରେ କିଛି ନାହିଁ । ଆମେ କାମ କରିବାକୁ ଆସିଛୁଁ, କାମ କରୁଥିବା, ଯେ କୌଣସି କର୍ମଚାରୀ ପାଇଁ ଦୀକ୍ଷା ସେତିକି । ତାର ଆତ୍ମପ୍ରକାଶ ନିଜର କାମ ଦ୍ୱାରା, କାମରେ ବି ସେ ତା’ର ନାଁକୁ ଛାପେ ନାହିଁ । ଆଚ୍ଛା ହଉ, ପଟୁଆରର ଲୋକ ତ ପହଞ୍ଚି ଗଲେଣି ଏଠି, ଏଥରକ ଅନ୍ୟ କାମ ।’’

 

ଛୋଟ ବସାଘରଟିଏ, କୋଠାଘର, ଆଗରେ ଝାଟିମାଟିର ବାଡ଼ ଘେରାଇ ତାର ଛୋଟ ବଗିଚା, ମଝିରେ ତାଟି କବାଟ, ସିଧା ସାମ୍ନାରେ ଖାଲି ପଡ଼ିଆ, ସେଠି ଠାଏ ଠାଏ ଗୋଟାଏ ଗୋଟାଏ ନିମ୍ବଗଛ, ଆମ୍ବଗଛ । ବାଏଁ ଡାହାଣେ ଛାଡ଼ି ଛାଡ଼ିକା ଅନ୍ୟାନ୍ୟ ଘର । ପଡ଼ିଆ ସେକରେ ଅନ୍ୟଘର, ତାପରେ ଉଚ୍ଚ ବଡ଼ ସଡ଼କ, ଯେ ଶିରୀପୁରରୁ ପଡ଼ିଛି ବଡ଼ ସହରକୁ । ଛୋଟ ବସାଟିର ଡାହାଣ କର ବାଟଦେଇ ରାସ୍ତାଟିଏ ବଡ଼ ସଡ଼କ ଯାକେ ଯାଇଛି, ଦୁଇକରେ ଛାଡ଼ି ଛାଡ଼ି ଆମ୍ବଗଛ, ଜାମୁଗଛ, ନିମ୍ବଗଛ ।

 

ସେହି ଛୋଟ ବସାଘରେ ଥାଏ ବିନୋଦ ଦାସ । ସେଠି ତା’ର ମା’ ବୁଢ଼ୀ, ସତୁରୀ ବର୍ଷ ହେଲାଣି, ଦେହ ଭାଙ୍ଗିଲାଣି, ନଇଁ ନଇଁ ବାଡ଼ି ଖଣ୍ଡିଏ ଧରି ଚାଲନ୍ତି । ତାର ସ୍ତ୍ରୀ ଅନୁରାଧା, ସାତ ବର୍ଷର ବିବାହିତ ଜୀବନ, ତିନୋଟି ସନ୍ତାନ, ପାଞ୍ଚ ବର୍ଷର ତିନି ବର୍ଷର ହୋଇ ଯୋଡ଼ିଏ ପୁଅ, କୁଟୁରୁ, ମୁଟୁରୁ, ବର୍ଷକର ହୋଇଛି ଝିଅଟି ତା ନାଁ ମିଉଁ । ଛୁଆଟିକୁ ଧରିବାକୁ ବାର ତେର ବର୍ଷର ଝିଅଟିଏ ରହିଥାଏ,–ଟୁଇଁ । ଠିକା ଚାକରାଣୀଟିଏ ଦୁଇଓଳି ଆସି ବାସନ ମାଜି ଦେଇଯାଏ, ଘର ଓଳାଏ । ବଜାର ସଉଦା ଓ ବୋଲହାକ କରିଦିଏ ଚପରାସିଟି, ଜଗୁମିଶ୍ର, ସେଥିପାଇଁ ଦିଓଳି ତାକୁ ଚା’ ଜଳଖିଆ ଦିଆଯାଏ, ଆଉ କେତେବେଳେ ଅନ୍ୟପ୍ରକାରେ ଫଳେ ପୁଷ୍ପେ ଦିଆଯାଏ । ବିନୋଦ ଦାସ କେତେଗୁଡ଼ିଏ ନୀତି ମାନି ଚଳେ,–ତହିଁରୁ ଗୋଟିଏ ହେଲା, ଉଚିତ ମୂଲ୍ୟ ନ ଦେଇ କାହାରିଠୁଁ ଜିନିଷ କି କାମ ନ ନେବା, କାହାରିକି ଶୋଷଣ ନ କରିବା,–ସେଥିପାଇଁ ଲୋକେ ହସନ୍ତୁ ପଛେ,–ଯେ ‘‘ଚାକିରିତ ଚୋରି, ବଣିଜ ତ ମିଛ, ହାକିମଟାଏ ହୋଇ ଏମିତି କଣ ୟେ ହେଉଛି ! ନିର୍ବୋଧ ବୋଲି ଶୁଣ୍ଠା ନା ଲୋକଦେଖାଣିକି ଛଟାଗଲା ?’’ ପଛଆଡ଼େ କହନ୍ତି ବି କେହି କେହି । ଆପଣା ଆପଣା ଭିତରେ ଟୁପୁରୁଟାପୁରୁ ହୁଅନ୍ତି । ମାଇପେ ବୁଲି ଆସନ୍ତି ବିନୋଦର ବସାକୁ, ବାଁରେଇ ହୋଇ ଅନ୍ଧି ସନ୍ଧି ବୁଲି ଦେଖନ୍ତି । ସବୁଠିଁ ସେହି ଏକାପ୍ରକାର ଭେକ,–ଯାହାର ଅର୍ଥ ହୁଏ, ‘‘ଚଳି ଯାଉଛି କୌଣସିମତେ । ବରଂ ଅଭାବ ଅଛି ବୋଲି କୁହାଯାଇ ପାରେ ।’’ ଚାରିଆଡ଼ ସଫାସୁତୁରା, ସେ କୃତିତ୍ୱ ବିନୋଦର ପରିଶ୍ରମୀ ସ୍ତ୍ରୀ ଅନୁରାଧାର । ତା’ ହାତରେ ତା ବାପଘରର ସରୁ ସୁନାକାଚ ଦି’ପଟ, ବେକରେ ସରୁ ସୋରିଷିଆ ହାରଟିଏ, ଲୁଗାପଟା, ଜିନିଷପତ୍ର ଇତ୍ୟାଦିରେ ଅତି ଦାମୀ ବୋଲି କିଛି ନ ଥିଲା । କିଣିଖିଆ ଘର, ଭଣ୍ଡାର ଘରେ ମାସକର ପ୍ରୟୋଜନଠୁଁ ବେଶି ଚାଉଳ ଡାଲି କି ଅନ୍ୟାନ୍ୟ ପଦାର୍ଥ ବି ନ ଥାଏ, କେତେବେଳେ କେଉଁଟା ଶୂନ୍ୟ ବି ହୋଇ ଯାଇଥାଏ । ମାଇପେ ବୁଲି ଆସିଲେ ତହିଁରୁ କେହି କେହି ହିତେଇ ହୋଇ ଅନୁରାଧାକୁ ବା ତା ଶାଶୁଙ୍କୁ ଅନ୍ୟାନ୍ୟ ଘରର ଚଳଣି କଥା କହନ୍ତି, ବିଶ୍ୱସ୍ତ ହୋଇ ବୁଲେଇ ବଙ୍କେଇ କେତେ ବୁଦ୍ଧି ବିତରଣ କରନ୍ତି, କେମିତି ଟିକିଏ ଆଖି ବୁଜି ଦେଲେ କି ଆଙ୍ଗୁଠି ହଲେଇ ଦେଲେ ଘର ଭର୍ତ୍ତି ହୁଏ । ବୁଢ଼ୀଙ୍କର ସେହି ପଦେ ଉତ୍ତର,–‘‘ଏଗୁଡ଼ାକ ମୋ ମୁଣ୍ଡରେ ପଶେ ନାଇଁଲୋ ମା, ମତେ କହନାଇଁ ।’’ ଅନୁରାଧା ଶୁଣିଲେ ହସେ, କହେ ‘‘ଆଉ ଯେମିତି ଚଳୁଛି ଆମର କି ଯାଏ ? ଆମର ତ କିଛି ଅଟକୁ ନାହିଁ ।’’ କେହି ଅତି ବିଶ୍ୱସ୍ତ ହୋଇ ଉପଦେଶ ଦେଇ ଲାଗି ରହିଲେ ଅନୁରାଧା କହେ, ‘‘ହେଇଟି, ତମ ଗୋଡ଼ତଳେ ପଡ଼ୁଛିଟି, ମୋ ଆଗରେ ସେ ସବୁ କଥା ପକା ନାହିଁ, ନଇଲେ ୟାଙ୍କ କାନରେ ଯଦି ପଡ଼ିବ ନା,–ୟେ ମୋ’ ଅବସ୍ଥା ରଖିବେ ନାହିଁ । ତାଙ୍କର ବାରମ୍ବାର ତାଗିଦା ଯେ ପରଘର କଥା ଏ ଘରେ ପଡ଼ିବ ନାହିଁ, ଯାହା ନିଜ ଦରମାରେ କିଣା ହୋଇନାହିଁ ତା’ ୟେ ହତା ଫାଟକ ପଟକୁ ପଶିବ ନାହିଁ । ଦାଣ୍ଡ ଦୁଆର ମୁହଁ ଡେଇଁବା ତ ଭିନେ କଥା ।’’

 

‘‘କାଇଁକି ? ଲକ୍ଷ୍ମୀଙ୍କି ମଣିଷ ପାଦରେ ଠେଲେ ?’’

 

‘‘ସେ କଥା ତାଙ୍କୁ ପଚାର । ସେ କହନ୍ତି, ସବୁ ପ୍ରକାର ଧନ ଯେ ଲକ୍ଷ୍ମୀ ତା ନୁହେଁ । କୁଆଡ଼େ ପେଟ ବିକଳରେ ଲୋକେ ଅଲକ୍ଷ୍ମୀଙ୍କି ଲକ୍ଷୀପରି ଭାବନ୍ତି, ଆଉ ଅଲକ୍ଷ୍ମୀ କୁଆଡ଼େ ଲକ୍ଷ୍ମୀପରି ବେଶ ପକାଇ ସାଜିସୁଜି ହୋଇ ମଣିଷ ଆଗରେ ଠିଆ ହୋଇଯାଏ, ତାଙ୍କୁ ଲୋଭାଏ ।’’ ଅନୁରାଧାର ଖଳ ଖଳ ହସରେ ଅନ୍ୟ ସବୁ ଯୁକ୍ତିତର୍କ କୁଆଡ଼େ ଉଡ଼ିଯାଏ ।

 

ଅନୁରାଧା ପରିଶ୍ରମୀ ସୁଶ୍ରୀ ଝିଅଟିଏ । ସାତ ବର୍ଷର ବୋହୂପଣିଆ କରି ଓ ତିନୋଟି ସନ୍ତାନର ମା ହୋଇ ସାରି, ତା’ ସଂସାରର ସବୁ ଦାୟିତ୍ୱ ମୁଣ୍ଡରେ ବୋହି ଯେ ତଥାପି ତାଠୁଁ ବଡ଼ ମଣିଷଙ୍କ ଆଖିକି ସାଧାରଣତଃ ଝିଅ ଝିଅ ଲାଗନ୍ତା । ହୋଇପାରେ, ତାର ଗୋଟିଏ କାରଣ ତା ଆକୃତି, ସେ ଏ ଦେଶର ସାଧାରଣ ଝିଅଙ୍କଠୁଁ ଉଚ୍ଚତାରେ ସାନ, ଯଦି ଚ ତା ସ୍ୱାମୀ ସାଧାରଙ୍କଠୁଁ ଡେଙ୍ଗା, ସେ ତା ସ୍ୱାମୀର ବେକ ତଳକୁ ପାଏ, ଗରି ଗରି ହାତ ଗୋଡ଼, ମୋଟୀ ନୁହେ, କିନ୍ତୁ ସରୁ ବି ନୁହେ । ଅଣ୍ଟା ସରୁ ନ ହୋଇ ଥିବାରୁ ଓ ପେଟ ଟିକିଏ ଫରକଟେଇ ଥିବାରୁ ସେ ଆହୁରି ସାନ ଦିଶେ । ମଧୁର ବର୍ଣ୍ଣ, ମୁଣ୍ଡରେ ବହଳ ବାଳ, ଖୋଲି ଦେଲେ ଆଣ୍ଠୁ ପିଠିକି ଲମ୍ବନ୍ତା, ବେଣୀ ପଡ଼ି ଖୋଷା ବନ୍ଧା ହୋଇଥାଏ, ମୁହଁଟି ଗୋଲ ବି ନୁହେଁ, ଲମ୍ବ ବି ନୁହେଁ, ଓସାର ଓ ଠିଆ କପାଳ, ଅଳ୍ପ ଉଚ୍ଚ ହୋଇ ମୁଣ୍ଡର ଢାଲୁରେ ଢଳି ପଡ଼ିଛି । ତା ତଳେ ଧନୁପରି ଭ୍ରୂଲତା ଯୋଡ଼ିଏ, ଢିପ ଉପରେ ଥୁଆ ହୋଇଛି, ବହଳ କଳା । ବଡ଼ ବଡ଼ ଆଖି, ଟିକିଏ ଦୂର ଦୂର ଛଡ଼ା, ଓସାର ବେଶି ଥିବାରୁ ଚକାଚକା ଦିଶେ । ଦମ୍ଭ ନାକଦଣ୍ଡା, ନାକ ଟିକିଏ ଚେପ୍‌ଟା ଓ ଆକାରରେ ମୁହଁ ଅନୁପାତରେ ସାନ, ସେହି ନାକ ଓ ଆଖି ଏକାଠି ସେ ମୁହଁରେ ପିଲାପରି ସରଳ ଓ କୌତୁକୀ ଭଙ୍ଗୀଟିଏ ଖଞ୍ଜି ଦେଇଥାନ୍ତି । ମୁହଁଟି ପୂରିଲାପରି ହେଲେ ବି ଗାଲ ଉପରର ହାଡ଼ ଦମ୍ଭିଲା ହୋଇ ପଦାକୁ ଦିଶେ, ଗାଲ ତଳେ ଥୋମଣୀର ଦାଢ଼ ବାରିହୁଏ । ଥୋମଣିଟି ମଧ୍ୟ ଟିକିଏ ଆଗକୁ ଝୁଙ୍କିଥାଏ । ତା ବସନ କି ଭୂଷଣରେ କିଛି ଆଡ଼ମ୍ବର ନ ଥିଲା, ତା ପାଇଁ ବିଶ୍ରାମ କି ସୁସ୍ଥି ବି ଖୁବ୍ ଊଣା, ବଢ଼ି ଅନ୍ଧାରୁ ଉଠି ସମସ୍ତିଙ୍କ କାମ ସରିଲେ ବେଶି ରାତିରେ ବିଛଣା ଧରିବା ପର୍ଯ୍ୟନ୍ତ ସେ ତା କାମରେ ଲୋଟୁଥାଏ । ଆର୍ଥିକ ଅନଟନ ଯୋଗୁ ଘରର ଚଳଣିରେ ବି ଟାଣଟୁଣ । କିନ୍ତୁ ତା’ ମୁହଁଟି ଦିଶେ ସବୁବେଳେ ଶାନ୍ତ, ସନ୍ତୁଷ୍ଟ, ହସହସ, ତା’ ମୁହଁରେ ସ୍ୱାଭାବିକ ଭଙ୍ଗୀ ହିଁ ସେହିପରି, ମୁହଁରେ ଗଢ଼ଣଟିର ଭାଙ୍ଗ ସବୁ ସେହି ଠାଣୀକୁ ଫୁଟାଇବାକୁ ତିଆରି ହୋଇଛି, ସତେଯେପରି ଏ ସଂସାର ଭିତରେ ସେ ଗୋଟିଏ ବ୍ୟତିକ୍ରମ, ତାର କିଛି ଅଭିଯୋଗ ନାହିଁ ।

 

ସେଦିନ ଦିନ ଗୋଟାଏ ବେଳୁ ତା’ ଶାଶୁ ତାରାଦେଇ ବାରମ୍ବାର ତା’ ସଙ୍ଗେ ଲଗାଇଥାନ୍ତି, ‘‘ତୁମେ ଏଥର ନିଜପାଇଁ ବାଢ଼ ଗୋ ବୋହୂ, ବାଇନ (ବିନୋଦ ବାବୁଙ୍କୁ ସେ ‘ବାଇନ’ ଡାକନ୍ତି) ପେଇଁ ଅନେଇଁ ବସିଥିଲେ ସଞ୍ଜ ବୁଡ଼ିବ, ଏମିତି ଏମିତି ହୋଇ ତୁମ ପେଟ ଗରମ ହେବ, ପେଟ ଗରମ ହେଲେ ଯାବତ ରୋଗ ଘୋଟିବ, ରୋଗ ଘୋଟିଲେ, ଦେହରୁ ଶିରୀ ଅଣ୍ଟାରୁ ବଳ ତୁଟିଲେ ଦେଖିବ ସଂସାରରେ କେହି କାହାରି ନୁହେଁ । ତୁମେ ପଡ଼ିଗଲେ ୟେ ପିଲା ତିନିଟାଙ୍କ ଅବସ୍ଥା ସରିଯିବ ଗୋ ବୋହୂ । ମୋ ସାନ କୁହା ମାନ, ଖାଇ ବସ ।’’

 

ଆଉ ସେ ହସି ଦେଇ କଥା ପାଲଟାଇ ତାଙ୍କୁ କହୁଥାଏ, ‘‘ତେମେ ଖାଇ ବସ ବୋଉ, ତମ ବଅସକୁ ତମ ଦେହକୁ ଅବେଳା ଆଦୌ ସହିବ ନାହିଁ, ତେମେ ବେମାର ପଡ଼ିଯିବ । ମୋ କାମ ତ ସରି ନାହିଁ, ମୁଁ ଖାଇବି ନାହିଁ କି ? ଦିଏଁ, ତମପାଇଁ ? ପୂଜା ତ ସଇଲାଣି, ଆଉ ଡେରି କରିବ କାହିଁକି ?’’

 

ମୋର ଦେହଟା ଏଡ଼େ ସାର ହୋଇଛି ବୋହୂ ? ମୋ ବାଇନ ଆସିନାଇଁ ମୁଁ ବସି ପଡ଼ିବି ! ମୋର ଏଡ଼େ ପେଟ ପୋଡ଼ି ଯାଉଛି ?’’

 

ଛୁଆମାନେ ଖାଇଲେ, ଖେଳିଲେ, କଳି ଲାଗିଲେ, କାନ୍ଦିଲେ, ଶୋଇଲେ ମଝିରେ ମଝିରେ ଶାଶୁ ବୋହୂ ପରସ୍ପରକୁ ଖାଇ ବସିବାକୁ କହୁଥାନ୍ତି । ଦିନ ଦୁଇଟା ବେଳେ ଅନୁରାଧା ଜିତିଲା, ତାରା ଦେଈ ଖାଇଲେ, ସେ ତାଙ୍କ ବିଛଣା ଝାଡ଼ି ଦେଲା, ବାରମ୍ବାର ତା’ ଉପରେ ପାପୁଲି ଗଡ଼ାଇ ଗଡ଼ାଇ ସେ ତାକୁ ସାଉଁଳୁ ଥାଏ । ତା ଶାଶୁଙ୍କ ପାଇଁ ପାନ ଭାଙ୍ଗି ଛେଚି ଦେଲା । ସେ ଶୋଇଲେ, ତାଙ୍କ ଗୋଡ଼ ଘଷି ଦେବାକୁ ଆରମ୍ଭ କଲା । ସେ ଗୋଡ଼କୁ ଭାଙ୍ଗି ଜାକି ଦେଇ କହିଲେ,–

 

‘‘ଅନା ! ୟା ନାଁ ଗୋଟାଏ କଥା ! ଏତେ ବେଳ ଯାଏ ଉପାସରେ ବସି ରହିଲୁ ଯେ ହେଲା ନାଇଁ, ତା’ ଉପରେ ପୁଣି ମୋ ଗୋଡ଼ ଘଷି ନ ଦେଲେ ନ ହୁଏନା !’’ ସେ ବୋହୂକୁ କେତେବେଳେ ‘ତୁମେ’ କେତେବେଳେ ‘ତୁ’ ବୋଲି ସମ୍ବୋଧନ କରନ୍ତି, କରୁଣାରେ ତରଳି ବୋହି ଗଲାବେଳେ ତାଙ୍କ ଆଖି ଆଗରେ ବୋହୂଟି ସତେଅବା ତାଙ୍କ ଝିଅପରି ଦିଶେ, ସେ ସ୍ନେହରେ ତାକୁ କହନ୍ତି ‘‘ତୁ,–’’ । ବୁଝେଇ ବସନ୍ତି,

 

‘‘ଏଡ଼େ ସରଳ ହୋଇ ନିଜକୁ ଉଜାଡ଼ି ଉଜାଡ଼ି ଚାଲିଥିଲେ ଶେଷରେ କେହି ପଚାରିବେ ନାହିଁ ଲୋ ମା, ସେ ପୁଅ ହେଉ, ଗେରସ୍ତ ହେଉ, ବାପ ଭାଇ ହଉନ୍ତୁ । ନିଜ ଅକ୍ତିଆରରେ ନିଜେ ଥିବାଯାକେ ସମସ୍ତେ ମାନୁଥିବେ, ମୁଣ୍ଡେଇ ଥିବେ, ପରର ଭାରାକୁ ଆଶ ବଦଳେଇଲେ ସଇଲା, ତେଣିକି ତା’ ଦୟା, କେତେବେଳେ ମୁହଁ ଛିଞ୍ଚାଡ଼ି ଦେବ, ପଛକୁ ପଛକୁ ତ, ଛାଡ଼ ! ସମସ୍ତେ ତୋ ପରି ନୁହନ୍ତି ଲୋ ମା । କିଏ ଧନ ଦରବ ଗଣ୍ଠି କରିବ ସେ ତ ପଛ କଥା, ଭାଗ୍ୟର କଥା, ଆପଣା ଦେଇ ଆପଣା ଦେହଟା ହିପାଜିତି ତ’ କରିହେବ ? ଶାଗ ପଖାଳ ମିଳୁଥାଉ ପଛେ ତା’ ବେଳରେ ପେଟଟା ଭର୍ତ୍ତି କରୁଥିଲେ ୟେ ଠିକ୍ ଚାଲିଥିବ, ଏ ଦେହଟା ବଳଦଟାଏ ଟି ! ଗଲୁ ତୁ, ମତେ ଘଷ ନାଁ । ମୁଁ ଟିକିଏ ଆଖି ବୁଜି ଦିଏ,–’’

 

ଅନୁରାଧା ଗଲା, କିନ୍ତୁ ଖାଇ ବସିଲା ନାହିଁ । ଛୁଆ ତିନୋଟି ଯାକ ଖଟରେ ଶୋଇ ପଡ଼ିଛନ୍ତି । ଟୁଇଁ ବି ଖାଇ ସାରିଥିଲା । ଅନୁରାଧା ନିଜେ ନ ଖାଇବେ ବି ଟୁଇଁକୁ ଅଖିଆ ରଖେ ନାହିଁ, ଖାଇ ସାରି ପିଲାଙ୍କୁ ଜଗିଥିଲା, ବସି ବସି ମାଛି ହୁରୁଡ଼ୋଉଥିଲା କାନ୍ଥକୁ ଆଉଜି ବସି ଶୋଇ ପଡ଼ିଛି । କୁଟୁରୁର ମୁହଁ ଉପରେ ବାରମ୍ବାର ମାଛିଟାଏ ବସୁଛି ଆଉ କୁଟୁରୁ ନିଦ ବାଉଳାରେ ତାକୁ ତଡ଼ିବାକୁ ବେଳେ ବେଳେ ହାତ ହଲେଇ ଦେଉଛି ।

 

ଅନୁରାଧା ଖଟ ଉପରେ ବସି ପଡ଼ିଲା । ପିଲାଙ୍କ ଉପରୁ ମାଛି ହୁରୁଡ଼ୋଉ ହୁରୁଡ଼ୋଉ ତାଙ୍କୁ ସେହି ଚାହାଣିରେ ଅନାଇଁ ଦେଉଥାଏ ଯାହା କେବଳ ମା’ ପକ୍ଷରେ ହିଁ ସମ୍ଭବ । ଯାହାକୁ ବର୍ଣ୍ଣନା କରିବାକୁ ଭାଷା ଅଣ୍ଟେ ନାହିଁ, ମାର ସ୍ନେହ ଆଉ ନିଘା, ଯେମିତି ସେଇଠି ତାର ପ୍ରାଣ ଅଟକିଛି ନ ହେଲେ ସେ ୟେ ସଂସାରରେ ନାହିଁ । ତା’ ସହିତ ମା’ର ଅନ୍ୟମନସ୍କତା, ସତେଯେପରି ସେମାନଙ୍କ ଆଡ଼କୁ ମୁହଁ ବୁଲେଇ ରଖିଥିଲେ ବି ସେଠି ସେ ନାହିଁ, ସେମାନଙ୍କୁ ନିଜ ଚେତନା ଭିତରେ ପୂରାଇ ଦେଇ ଆବୋରି ଧରିଛି, ଅନ୍ତର ଭିତରେ କେଉଁ ଅନୁଭୂତିରେ ବୁଡ଼ିଛି, ଅଦେଖା ସ୍ୱପ୍ନ ହିଁ ଦେଖୁଛି ।

 

ଖୁଡ଼୍ ନାହିଁ ଖାଡ଼୍ ନାହିଁ, ଅନୁରାଧା ବସି ରହିଛି । ସେ ଖାଲି ଛୁଆଙ୍କ ପାଖେ ମା’ ଟିଏ । ସମୟର ଗତି ତାକୁ ଅଡ଼ୁଆ ଲାଗୁନାହିଁ, ସମୟ ଲାଗୁନାହିଁ ବୋଝ ବୋଝ କି ବିରକ୍ତିକର । ତା ପିଲାତିନୋଟି ଶାନ୍ତିରେ ଶୋଇଛନ୍ତି । ସେତିକି ଅନୁଭବ ହିଁ ତା ପାଇଁ ଆନନ୍ଦ । ଆଜିର ଦିନଟିର ବଡ଼ ଘଟନା ତା’ର ବି କେତେଥର ସ୍ମରଣପଡ଼ିଛି,–ଯେ ଆଜିଠୁଁ ଭାରତବର୍ଷ ସ୍ୱାଧୀନ, ଇଂରେଜ ଶାସନର ଲୋପ ହୋଇଛି । ସେଥିପାଇଁ କାମନା ଓ ଆବେଗ ତାଠିଁ ବି ଥିଲା, ଘଟିଛି ସେଥିପାଇଁ ସେ ଖୁସି । ଭଗବାନଙ୍କ ପାଖେ ଅନ୍ତର ଭିତରେ କୃତଜ୍ଞ । ଯେମିତି, କେଉଁଠି କଣ ଅଶୂଚିତା ମାଣ୍ଟେଇ ରହିଥିଲା, ତା ସହିତ କଣ ଅନ୍ୟାୟ ଓ ଅପମାନ ତା’ ଦୂର ହୋଇଛି, ମନ କହୁଛି ଧର୍ମରେ ଜୟ, ଧର୍ମ ଜିତିଛି । ଧାରଣାଟି ସେଇଠି ଅଟକି ଯାଉଛି, ତାପରେ ତାକୁ ଲମ୍ବୋଉଛି,–ଅନୁମାନ କରୁଛି, ଭଲ–ଭଲ–ଭଲ–ସବୁ ଭଲ, ସବୁ ଶୁଭ । କଣ ଭଲ ? ସେଇଟା ସେ ଆଗତୁରା ଅନୁଭବ କରି ପାରୁନାହିଁ, ତା ଚେହେରା ଦେଖିପାରୁ ନାହିଁ । ସେଥିପାଇଁ ତାର ଚିନ୍ତା ବି ନାହିଁ । ଏତିକି ବୁଝିଛି, ସଂସାର ଯାକକୁ ଯେତେବେଳେ ଯାହା ଭଲ ହେଉଥିବ ସେତେବେଳେ ତାର ସବୁ ବି ସେହି ଭଲରୁ ଭାଗ ପାଉଥିବ । ସ୍ୱାଧୀନତା ଆସିଲା, ରାଜ୍ୟର ସବୁ ମଙ୍ଗଳ ହେବ । ସେଇଆ ତ ସମସ୍ତେ କହୁଥିଲେ, ସେଇଆ ବି ସେ ଜଣେ ।

 

ସେହି ପରିପ୍ରେକ୍ଷୀରେ ତାର ତିନୋଟି ସନ୍ତାନଙ୍କୁ ଅନେଇ ଆନନ୍ଦ ଅନୁଭୂତି ଭିତରେ ସେ ତା ଚିନ୍ତା ଦ୍ୱାରା ଜୀବନକୁ ଆସ୍ତେ ଛୁଇଁ ଯାଉଛି, ଟିପ ଲାଗେ କି ନ ଲାଗେ, ମଠେଇ ମଠେଇ, ମାନ୍ଦା ମାନ୍ଦା ହୋଇ କିଛି କିଛି ଚିନ୍ତାର ପ୍ରକାଶ ଯେ, ଆସିଗଲା ଦେଶର ସ୍ୱାଧୀନତା । ଆସନ୍ତା ଜୀବନରେ ହୁଏତ ଏଭଳି କିଛି ସୁଖ ଆନନ୍ଦ ଘଟୁଥିବ ଯାହା ସ୍ୱାଧୀନତା ନ ଆସିଥିଲେ ଘଟି ନ ଥାନ୍ତା । କିନ୍ତୁ କଣ ବଦଳି ଗଲା ? ସବୁଦିନ ପରି ଆଜି ବି ସେମିତି ଦିନଟିଏ ତ । ସେମିତି କାଉ ବି ବୋବୋଉଛି । ପରା ଘୁମୁରୁଛନ୍ତି ଫଡ଼ ଫଡ଼ ହୋଇ ଉଡ଼ୁଛନ୍ତି । ସେହି ଦୃଶ୍ୟ, ସେହି ପ୍ରାଣୀ । ଆଲୁଅ ଅନ୍ଧାର, ଦିନ ରାତି, ସୁଖ ଦୁଃଖ, ଭଲ ମନ୍ଦ, ଯୋଡ଼ ବିଯୋଡ଼, ଓଲଟାପାଲଟା ଏକାଠି ହୋଇ ବୋହି ଯାଉଥିବ ଜୀବନ, ସବୁଠୁଁ ପୁରୁଣା ସବୁଠୁ ଆଦିମ ସବୁଦିନେ ଅଛିଣ୍ଡା ଅସରନ୍ତି ନଈ, ସବୁଦିନେ ତାର ସେମିତି ଛପିଲା ଛପିଲା ରହସ୍ୟ, ହଠାତ୍ କେତେବେଳେ କଣ ଯେମିତି –

 

ତା ଓଠରେ ଆଉ ଏକପ୍ରକାର ଚାଇଁ ହସ, ଛାତି ତଳେ ପ୍ରତୀକ୍ଷା, ସେହିଦିନ ଦି ପହରେ, ମନେ ମନେ ନିଶାରାତି, ଚାରିଆଡ଼େ ନିଶବଦ, ଘର ଅନ୍ଧାର, ତାପରେ ସେଇ, ପୁରୁଣା ନିଶା ଆଉ ଅନହୁତି ବାଇଲଗା,–ପାଗଳ, ପାଗଳ, ସବୁ ଭୁଲି ଯାଇଥାଏ । ଯେମିତି ଏ ଭୂଇଁର କେତେ କାଳର ତାତି ସୃଷ୍ଟି କରିଥିଲା ରାଉ ରାଉ ତୋଫାନ, ହଠାତ୍ କୁଆଡ଼ୁ ଗର୍ଜି ଗର୍ଜି ମାଡ଼ି ଆସିଲା, ଲାଗୁଥିଲା କେମିତି କଣ ଉଦୁମୁଦାକରି ନାକ କାନ ରୁନ୍ଧି ମୋଡ଼ି ଭାଙ୍ଗି ମାଡ଼ି ଚକଟି ପକାଉଛି, ତାପରେ ଆଉ ସେ ନାହିଁ, ଦୂରରେ ରହି ରହିକା ହଜି ହଜି ଯାଇଛି ତା’ର ହାଁ ହାଁ ଫାଁ ଫାଁ କ୍ଳାନ୍ତିର ଶବ୍ଦ, ଅଥବା ଶାନ୍ତିର ଗଭୀର ଦୀର୍ଘଶ୍ୱାସ, ଛାଡ଼ି ଯାଉଛି ଗୋଟାଏ ବିହ୍ୱଳ ବିହ୍ୱଳ ଭାବ, ଆଉ ଶୀତଳତା, ଆଖିପତା ମାଡ଼ିପଡ଼ୁଛି, ବୁଜି ହୋଇ ଯାଉଛି । ସେ ଅନୁଭୂତିକୁ ନା ଦେଇ ହୁଏ ନାହିଁ, ତାକୁ ଚାପ ଦେବାକୁ ବସିଲେ ସେ ଆଉ ନ ଥାଏ ।

 

ଭାବୁଥାଏ ଅନୁରାଧା,–କଥାରେ କଣ କହିବ ଯେ ? ସତେ କଣ କିଛି କହିହୁଏ ?

 

ତା ମୁହଁରେ ତଥାପି ସେହି ହସ । ହସ ଉହାଡ଼ରେ ତାର ସ୍ୱାମୀ, ବିନୋଦ ଦାସ, ଯେ ଉପସ୍ଥିତ ନାହିଁ । ସ୍ୱାମୀ ଉପରେ ତାର ଆଖିବୁଜା ନିର୍ଭର ଓ ବିଶ୍ୱାସ । ତାର ନୀରବ ହସ ଅତୀତକୁ ତୁନିତାନି ପଚାରୁ ଥାଏ, ମିଉଁକୁ ତ ବର୍ଷେ ପୂରିଲା, ସେଉଠୁ ? ତାପରେ ଆଉ କି ନୂଆ କଣ୍ଢେଇ ? ଭାବୁଥାଏ,–ଆସିଗଲା ଭଲ ଦିନ, ଭାରତର ସ୍ୱାଧୀନତା, ନିଶ୍ଚୟ ଏଣିକି ସବୁଆଡ଼େ ସର୍ବଶୁଭ । କହିବା ଲୋକେ କହିଥିଲେ ପରା,–ସତ୍ୟଯୁଗ ଆସିବ । ସବୁ ପୂରି ଉଠୁ । ଛିଣ୍ଡା, ଫଟା ସବୁ ଦର୍‌ହ ହେଉ । ସବୁ ଟାଙ୍ଗରା ଶାଗୁଆ ହେଉ । ସବୁଠି ବଢ଼ୁ ଧନ–ଜନ–ଗୋପ–ଲକ୍ଷ୍ମୀ । ଗୋଠ ଗୁହାଳ ପୂରି ଉଠନ୍ତୁ । ଗଛମାନେ ଗାଈମାନେ ଫଳ ଯାଆନ୍ତୁ, ଫଳ ଯାଆନ୍ତୁ ।

 

ମିଉଁକୁ ସେ କୋଳକୁ ଉଠେଇ ନେଲା ଓ ଜାମାର ଛାତି ବୋତାମ ଖୋଲିବାକୁ ଲାଗିଲା-

 

ବିନୋଦ ଫେରିଲା ସେଦିନ ଦିନ ଅଢ଼େଇଟାରେ, ରଡ଼ିଲା,–‘‘ବୋଉ !’’

 

ଅନୁରାଧା କବାଟ ଖୋଲିଲା । ବିନୋଦ ପଚାରିଲା ‘‘ଖାଇନ ନିଶ୍ଚୟ, ମୁଁ ଜାଣେ ପରା-।’’ ଅନୁରାଧା କହିଲା । ‘‘ଯାଏ, ସବୁ ଉଷୁମ୍ କରେଁ । ତୁମେ ଧୁଆ ଧୋଇ ହୋଇ ଆସିଲା ବେଳକୁ ସବୁ ଠିକ୍ ହୋଇଯିବ ।’’ ବିନୋଦ କହିଲା, ‘ଆଜି ପୁଣି ତମୁକୁ ବେଶି ଭିଡ଼ । ମୁଁ ଜାଣି ଜାଣି ଜଗୁକୁ ଆଜି ଛୁଟି ଦେଇ ଦେଇଛି । ସମସ୍ତେ ସ୍ୱାଧୀନତା ପାଳୁଛନ୍ତି ସେ ବିଚରା ଚପରାସୀ ହେଲା ବୋଲି କ’ଣ ସ୍ୱାଧୀନତା ପାଳିବ ନାହିଁ ?’’

 

ଅନୁରାଧା କହିଲା, ‘‘କିଏ ମନା କଲା ?’’

 

ବିନୋଦ ଲୁଗା ପାଲଟୁଥାଏ । କହିଲା, ‘‘ତମୁକୁ ନୁହେଁ, କଥାକୁ କହିଲି । ଚାରିଆଡ଼େ ଦେଖିବ, ମଣିଷର ମଣିଷ ପ୍ରତି ଘୋର ନିଷ୍ଠୁରତା, ଅବିଚାର, ଅପମାନ, ଅନାଦର, ଅବହେଳା । ଆପଣା ଭାଗ୍ୟକୁ ହେଉ, ଯେଉଁଥିପାଇଁ ହେଉ, ଯେ ଟିକିଏ ସୁବିଧା ଜାଗାରେ ବସିଛି, ତଳ ଲୋକଙ୍କୁ ପୁଣି ସାଧାରଣ ଲୋକଙ୍କୁ ସେ କେଡେ ସାନ ବୋଲି ମଣେ ! ଆଜିର ପବିତ୍ର ଦିନଟି ସମସ୍ତିଙ୍କି ସେହି କଥା ବିଷୟରେ ସତର୍କ କରାଇ ଦେବା ଦରକାର । ଏଣିକି ଯେ ନୂଆଯୁଗ ।’’

 

ଅନୁରାଧା ଖାଇବାକୁ ବାଢ଼ିଦେଲା । ଘର ଓଳେଇଛି, ସାନ ତାଳଚଟେଇ ଖଣ୍ଡେ ତଳେ ପାରିଛି । ଥୋଇ ଦେଇଛି ଭାତଥାଳି, ତାଟିଆରେ ଡାଲି, ବଡ଼ି ଆଳୁ ବାଇଗଣ ତରକାରି, ଗାଡ଼ୁଆ ଥାଳିଆରେ ବେସର ଦିଆ ଗୋଟା ଗୋଟା ଛେଲା କେରାଣ୍ଡି ମାଛ ଚଡଚଡ଼ି, ଅନ୍ୟତ୍ର ଖଡ଼ାଶାଗ ଖରଡ଼ା, ବାଇଗଣ ଭଜା, କାଗେଜି ଓ ଲୁଣ ଲଙ୍କା । ଭାତରେ ଟିକିଏ ଗୁଆଘିଅ ପକାଇ ଦେଲା । ବସି ବସି ବିଞ୍ଚିଲା ।

 

‘‘ତୁମେ ବି’ତ ଏକାସାଙ୍ଗେ ବସି ପଡ଼ନ୍ତ, କେତେ ଭଲ ହ’ନ୍ତା ।’’

 

ସବୁଥର ପରି ଏଥର ବି ଅନୁରାଧା କହିଲା, ‘‘ତୁମର ତୁମେ ଖାଅ ତ, ମୋର କଣ ପଳେଇ ଯାଉଛି ?’’ ଓ ସବୁଥର ପରି ବିନୋଦ ବି ତାକୁ ଆଉ ନ ବଳାଇ ଖାଇ ଲାଗିଲା ।

 

‘‘ସବୁ ଭାରି ସୁଆଦ, ଭାରି ସୁଆଦ’’, ସେ କହିଲା ।

 

‘‘ଭୋକ ବେଳେ ଆମ୍ବିଳା ଆମ୍ବ ବି ସୁଆଦ, ନୁହେଁ ? ‘‘ଅନୁରାଧା କହିଲା, ହସିଦେଲା ଓ ତା’ ମୁହଁକୁ ଚାହିଁଲା ।

 

‘‘ତୁମ ହାତ ହିଁ ସୁଆଦ ।’’

 

‘‘ଭୋକ ବେଳେ ସବୁ ହାତ ସୁଆଦ ଲାଗିବ ମ, ମୋରି ହାତରେ କଣ ନିଖ ମରିଛି ?’’

 

‘‘ଏ ଚମତ୍କାର ଚଡ଼ଚଡ଼ି ପାଇଁ ଆଉ ଟିକିଏ ଲଙ୍କା ଦିଅ, ଗଣ୍ଡାଏ କଞ୍ଚା ରସୁଣ ଦିଅ, କଞ୍ଚା ଶୋରିଷ ତେଲ ଟିକିଏ ଢାଳିଦିଅ ।’’

 

‘‘ଦଉଚି,’’ ସେ ଜାଣେ ବିନୋଦ ଏଇଆ ଖୋଜିବ, ଖୋଜିଥାଏ ।

 

‘‘ଆଜି ସ୍ୱାଧୀନତାର ପ୍ରଥମ ଦିନ,’’ ବିନୋଦ ଖାଉଖାଉ କହିଲା, ‘‘କମ୍ ବଡ଼ ଦିନଟିଏ ୟେ, ଭାରତ ବର୍ଷରେ ଗଲା ଦୁଇଶ ବର୍ଷରେ ଏମିତି ଦିନଟିଏ ଦେଖା ନ ଥିଲା । ଏକା ଓଡ଼ିଶା କଥା ଭାବ, ଓଡ଼ିଶାକୁ ଇଂରେଜ୍ ନେବାର ହେଲାଣି ଶହେ ଚୌରାଳିଶି ବର୍ଷ । ଏତେକାଳ ଇଂରେଜି ରାଜତ୍ୱ ଥିଲା, ଆଜି ତା ଆଉ ନାହିଁ । ତୁମ ହାତରେ ଅମୃତ ଅଛି, ଶାଗପତ୍ର ଦୋ’ଟି ହଳଦି ପାଣି କରିଦେଲେ ସେ ବି ସୁଆଦ ଲାଗିବ । ମୁଁ ଜାଣେଁ । ତେବେ, ଆଜିପରା ଉତ୍ସବ ଦିନରେ,–ଦାମୀ ଭୋଜିଭାତର ରନ୍ଧାଭଳି ଗୋଟାଏ କିଛି କରିଥିଲେ ବୋଧହୁଏ ହୋଇଥାନ୍ତା ।’’

 

ଅନୁରାଧା କହିଲା, ‘‘ମତେ କହିଥିଲେ କଣ ମନା କରିଥାନ୍ତି, ଆଗରୁ କହିଥାନ୍ତ, ବଜାର କରି ଦେବାକୁ ଜଗୁମିଶ୍ରକୁ ମୋ ପାଖକୁ ପଠେଇଥାନ୍ତ କି ନିଜେ ହେଲେ ଟିକିଏ ଚାଲିଯାଇଥାନ୍ତ । ଯେମିତି ଯାଅ ସେମିତି ସାଇକଲ ଚଢ଼ି ଖେପି ଯାଇଥାନ୍ତ, ଯାହା ହେଲେ କିଛି କରିଥାନ୍ତି ! କହିଲ ତ ନାହିଁ !’’

 

ବିନୋଦ କହିଲା, ‘‘ମତେ ଲାଗୁଛି ଜଗୁ ବି ଖବର ବୁଝିବାବୁ ଆସିପାରେ ଆଉ ଟିକିଏ ଗଲେ । ନ ହେଲେ ମୁଁ ଯାଇ ବଜାର କରି ଦେଇ ଆସିବି, ମୁଁ ଭାବୁଥିଲି ଅନ୍ତତଃ ରାତିଓଳି କିଛି ଗୋଟାଏ ହେଲେ କର, କିଛି ପିଠାପଣା ହେଲେ, କି ମିଠେଇ ଫିଠେଇ,–ଆଉ, ଦିଆଲୀ ବେଳର ଦିପାଳିଗୁଡ଼ିକରୁ କିଛି ତ ଥିବ, ଥୋଡ଼ାଏ ଦୀପ ବସେଇ ଦେବ ।’’

 

‘‘ଯାହା ମୋ ଦେଇ ହେବ ନିଶ୍ଚୟ କରି ଦେବି । କିନ୍ତୁ ଦେଖ, ତେମେ ଆଉ ଖୁଣିବ ନାହିଁ । ଛୁଆଙ୍କ ଖବର ବୁଝିବାକୁ ହେବ । ଘରର ସାଧାରଣ କାମ ବି ହେବ, ଲୋକବଳ ସାହାଯ୍ୟ ଯାହାଙ୍କର ଥାଏ ତାଙ୍କର ସିନା ଭିନେ କଥା–’’

 

‘‘ଠିକ୍, ଠିକ୍ ଯେତିକିହେବ ସେତିକି । ଗୋଟାଏ ସ୍ମୃତି ରଖିବାକୁ । ଅଧିକା ନାହିଁ । ଆଗରୁ ତିନ୍ତାତିନ୍ତି ନାହିଁ ବଟାବଟି ନାହିଁ, ତେଣୁ ଓଷାବାର ଭଳି ପିଠାପଣା କର ମୁଁ କହୁନାହିଁ । ଛଣାଛଣି କରି ଯେତିକି ହୋଇପାରିବ, ପରିମାଣ ବି ଅଳ୍ପ । ମନ ହେଉଛି କିସ୍‌ମିସ୍ ଆଉ ମସଲା ମସଲି ପକାଇ ଯେମିତି ଚମତ୍କାର ବୁନ୍ଦିଆ ଲଡ଼ୁ ତୁମେ କରିଥାଅ, ମହମହ ବାସେ, ରଖିଥିଲେ ରହିଥାଏ ଦିନାକେତେ, ସେମିତିଆ କିଛି ତୁମେ ତିଆରି କରନ୍ତ, କିନ୍ତୁ ତହିଁରୁ କେତେଟା ହୁଅନ୍ତା ଆକାରରେ ଅତିକାୟ, ଧର ଗୋଟାଏ ଲେଖାଁ ଓଜନରେ ପାଏ ।’’

 

‘‘ହେବ । ତେବେ–’’

 

‘‘ଖର୍ଚ୍ଚ କଥା ତ ? ଆରେ ଆମର ତ ଚୁଲି ନାହିଁ ଚାଳନାହିଁ, ଯତ୍ର ଆୟ ତତ୍ର ବ୍ୟୟ, ଓଲଟି କରଜ ବଢ଼ୁଛି, ଅତି ବଳେଇଲେ ପୁଣି ଚିଠିଖଣ୍ଡେ ଲେଖିବି ତୁମ ଭାଇଙ୍କି, ତାଙ୍କଠୁଁ ଆଉକିଛି କରଜ ଆଣିବି, ଶୁଝିବି, ମଝିରେ ମଝିରେ ତାଙ୍କଠୁଁ କରଜ ଆସେ ବୋଲି ଚଳିଯାଏ, ପୁଣି ଦରକାର ପଡ଼ିଲେ ସେଇଆ ହେବ, ଡର କଣ ?’’

 

ଅନୁରାଧା ହସିଦେଇ କହିଲା, ‘‘ଆଉ ତାଙ୍କ କରଜ କେମିତି ଶୁଝିବ ?’’

 

‘‘ମୁଁ ନ ପାରିଲେ ସେ ଦାୟିତ୍ୱ କୁଟୁରୁ ଆଉ ମୁଟୁରୁ ତୁଲେଇବେ, ସେମାନେ ତ ଦିନେ ମଣିଷ ହେବେ ।’’ ହସୁଥିଲା, ଗମ୍ଭୀର ହେଲା, ଦୀର୍ଘଶ୍ୱାସ ପକେଇଲା । କହିଲା, ‘‘ସେଇଥିପାଇଁ ତ କହୁଛି, ଆଜିର ଏ ଦିନଟି ଆମପାଇଁ ବେଶି ସ୍ମରଣୀୟ । ଦେଶର ସ୍ୱାଧୀନତା ଆସିଗଲା । ୟା ପରିଣାମ କଣ ସମସ୍ତେ ବୁଝିଲେଣି ? ଦେଖିବ, ସବୁ ବିଷୟରେ ଶୁଭ ସଂସ୍କାର ଶୁଭପରିବର୍ତ୍ତନ ହେବ । ଯେ ସଚ୍ଚୋଟ, କାମିକା, ଗୁଣବାନ୍, ତାକୁ ଆଉ ଗୋଦାମ ରଦ୍ଦି ହେବାକୁ ଦିଆଯିବ ନାହିଁ, ତାକୁ ଆଗକୁ ଅଣାଯିବ, ପୁରସ୍କାର ଦିଆଯିବ, ଉତ୍ସାହ ଦିଆଯିବ, ତା ପ୍ରତି ଯେତେ ଅନ୍ୟାୟ ଅତ୍ୟାଚାର ଘଟିଛି ତା’ର ପ୍ରତିକାର କରାଯିବ । ଆମର ଦିନ ଆସିଗଲା । ଏତେକାଳ ଥିଲା । ଅନୀତିମନ୍ତ ନିହିତ ସ୍ୱାର୍ଥର ଦିନ, ଚୋରଘର ସବୁଦିନେ ଅନ୍ଧାର ରହେ ନାହିଁ, ଆଲୁଅ ଆସିଲା, ତାଙ୍କୁ ଖାଇବ, ଆଉ ଆମୁକୁ କେହି ଦାବି ରଖିପାରିବେ ନାହିଁ ।’’

 

ବିନୋଦ ଉତ୍ତେଜିତ ହୋଇ ଉଠିଥିଲା । ଇତ୍ୟବସରରେ ତା’ ବୋଉ ବି ଉଠିଆସି ବସିଥାନ୍ତି । ବିନୋଦ କହିଲା, ‘‘ଏଇ ଭାତ ଥାଳି ପାଖେ ମନେ ପଡ଼ୁଛି, ଭୁଲି ତ ହେଉ ନାହିଁ ! ଏଇ ଚାକରିରେ ଆଠବର୍ଷ ଚାଲିଲା । ଫଳ କଣ ହେଲା ସମସ୍ତେ ତ ଜାଣ । ପାଠପଢ଼ା ବେଳେ ଯେତେ ନାଁ କରି ଫାଷ୍ଟ ହୋଇ ସାର୍ଟିଫିକେଟମାନ ପାଇ ଚାକିରି ବେଳକୁ ଡିପୋଟି ବି ନୁହେଁ, ଏଇ ସବ୍‌ଡ଼ିପୋଟି, ଶହେଟା ଟଙ୍କାରେ ଆରମ୍ଭ । ଆଗ ଦି’ଟା ବର୍ଷ ନାଁକୁ ସମତଳରେ, କଟକ ଜିଲାରେ, ପୁରୀ ଜିଲାରେ, ବେଶିବେଳ ଗଲା କେନ୍ଦ୍ରାପଡ଼ା ଆଉ ପୁରୀ ତଳମାଳର ନଈବଢ଼ି କାମରେ । ଡଙ୍ଗାରେ, ପାଣି କାଦୁଅରେ, କେତେଥର ଡଙ୍ଗା ଓଲଟିଛି, କେତେବେଳେ ଭଉଁରୀରେ ପଡ଼ିଛି । ଛାଡ଼ ସେ କଥା । ବାହାଘର ହେଲା, ତେମେ ଆସିଲ, କିନ୍ତୁ ମୋ ଚାକିରି କାମରେ ବଦଳି ତୁମ ପାଇଁ ହେଲା ବନବାସ । ଆଗ ଗଲେ ବାଲିଗୁଡ଼ା, ଅଗନାଗ୍ନି ବଣ ବାଟରେ ଶକଟଯାନ, ମନେ ପଡ଼ୁଛି, ତୁମେ ମୋଠୁଁ ଲୁଚେଇ ଲୁଚେଇ କାନ୍ଦୁଥିଲ । ମୋ କାମ ଖାଲି ଶଗଡ଼ ବାଟରେ ନ ଥିଲା । ସେଇ ଭୟଙ୍କର ବଣ ଭିତରେ ଯେଉଁଠି ମହାବଳ ବାଘ ଆଉ ହାତୀଙ୍କ ଘର, ଚାଲି ଚାଲି ପାହାଡ଼ଚଢ଼ି ଓହ୍ଲେଇ କନ୍ଧ ଘର ପିଣ୍ଡାରେ ରାତି କଟେଇ ମୋ କାମ । ଜନ୍ତୁ ତ ଜନ୍ତୁ, ସ୍ୱାର୍ଥପର ନିଷ୍ଠୁର ଶୋଷକ ଯେ ସମାଜରେ ଭଦ୍ରଲୋକ ବୋଲାନ୍ତି ସେ ତାଙ୍କଠୁଁ ବଳି ଭୟଙ୍କର । ତାଙ୍କଠୁଁ ବଳି ଭୟଙ୍କର ହେଲେ ଲାଞ୍ଚଖୋର, କର୍ମଚାରୀମାନେ, ସବୁଠିଁ ଏକା କଥା । ଆମ ସାଙ୍ଗର ଯାହାଙ୍କର ଚାକିରିରେ ମୁରବୀ ବଳ ଅଛି ବା ଥିଲା, ସେମାନେ ସେମିତିଆ କାହା ପୁଅ କି ଯୋଇଁ କି ଆଉ କିଛି, ତାଙ୍କ ବଦଳି ଖାଲି ସମତଳ ଇଲାକାରେ, ଏ ସହରରୁ ଏ ସହର, ସେମାନେ କାମ ନ କଲେ ବି ତାଙ୍କର ପ୍ରଶଂସା, କେଉଁଠି ଗୋଟାଏ ଘାସ ଓପାଡ଼ି ଦେଲେ ଶାଳଗଛ ଓପାଡ଼ିଛନ୍ତି ବୋଲି ହୁରି ପଡ଼ିବ । ସେମାନେ ହେବେ ବଡ଼ବଡ଼ିଆଙ୍କ ହାତବାରିଶି, ହାତ ପାଖେ ରହିଥିବେ, ସବୁ ସୁଖ ସୁବିଧା ପାଇବେ, ଆଗ ତାଙ୍କରି ପଦୋନ୍ନତି । ଆମପାଇଁ ବନବାସ । ବାଲିଗୁଡ଼ା ପରେ ପଟ୍ଟାଙ୍ଗି, ସେଠୁ ତ ଏଠିକି ।

 

ଆଜି ସବୁ ମନେ ପଡ଼ୁଛି । ରକ୍ତ ପାଣି କରି ଚାକିରି କଲି, ଜୀବନ ଦେଇ ଲୋକଙ୍କ ସେବା କଲି, ତାଙ୍କୁ ବାଘମୁହଁରୁ ଗଧିଆ ମୁହଁରୁ ରକ୍ଷା କରିବାକୁ ପ୍ରାଣପଣେ ଚେଷ୍ଟା କଲି, ସେଥିପାଇଁ ପୁଲିସର ଅହନ୍ତା । କେତେ ସାଙ୍ଗ ହାକିମ ଉପର ହାକିମଙ୍କ ଶତ୍ରୁତା, ଧନୀ ପୁଞ୍ଜିପତି, ବେପାରି ଆଉ ଜମିଦାରଙ୍କ ଶତ୍ରୁତା ତ ପଦେ ପଦେ । ରୁମମୂଳ ବଙ୍କା କରିପାରି ନାହାନ୍ତି କାହିଁକି ନା ଛିଦ୍ର କିଛି ନାହିଁ, ପାଉ ନାହାନ୍ତି । ସବୁ ପ୍ରଲୋଭନକୁ ପାଦରେ ଆଡ଼େଇ ଦେଇ ଖଣ୍ଡା ଦାଢ଼ରେ ବାଟ ଚାଲି ଆସିଛି ସେତିକି ମୋ ପ୍ରତି ଭଗବାନଙ୍କ ଦୟା । ଏ ତପସ୍ୟାର କଷ୍ଟତା, ଭୋଗିଛ ତେମେମାନେ, ଏ ଡିମ୍ବ ଛୁଆଟିମାନେ, ତା ବି ଆଖିରେ ଦେଖି ଆସିଛି, ଟଳି ନାହିଁ ।

 

ପ୍ରଶଂସାରେ ତ ଚାରିଆଡ଼େ ଚହଳ ପଡ଼ିଛି, ଯେଉଁଠୁ ବଦଳି ହୋଇଛି ସେଠି ଗଛ ପତ୍ର ବି କାନ୍ଦିଛନ୍ତି । କିନ୍ତୁ ସରକାରଠୁ ପାଇଛି କି ନ୍ୟାୟ ? କି ପୁରସ୍କାର ? ସୁପରସେସନ । ତା ମାନେ, ଚାକିରିରେ ଯେ ମୋ ତଳେ ଥିଲା, ତାର ପଦୋନ୍ନତି କରା ହୋଇଛି, ମୋର ନୁହେଁ ଓ ଏମିତି ବହୁତ ବହୁତ, ନାନା ଦୁର୍ନୀତି କରି ସୁଦ୍ଧା ଲୋକେ ପଦୋନ୍ନତି ପାଇଛନ୍ତି, କାର୍ଯ୍ୟଦକ୍ଷତା ନ ଥାଇ ପାଇଛନ୍ତି ।

 

ଆପତ୍ତି–ଆବେଦନ–ଅନୁରୋଧ କେତେ ଲେଖି ଲେଖି ଦାଖଲ କଲି, ଉପରିକମାନଙ୍କୁ କହିଲି, କିଛି ଫଳ ହେଲା ନାହିଁ ।

 

ଅନ୍ଧ ବୁଝାମଣା, ଓଲଟା ନ୍ୟାୟ ।

 

ବିଦେଶୀ ଶାସନ ଅମଳ ଥିଲା, ତାଙ୍କର କୁକୁର ଦରକାର ଥିଲା, ଯେ ଧ’ କହିଲେ ଧାଇଁଯାଇ କାମୁଡ଼ିବ, ବିବେକ ଓ ନ୍ୟାୟ କଥା ଭାବିବ ନାହିଁ । ସେହି ଅଧର୍ମ ଯୋଗୁଁ ଇଂରେଜଙ୍କ ଶାସନ ଏଠୁ ଗଲା, ଦୁଃଖୀ ଅତ୍ୟାଚାରିତଙ୍କ ତତଲା ନିଶ୍ୱାସରେ ଉଡ଼ିଗଲା, ସେ ନିଶ୍ୱାସର ତୋଫାନରେ ସବୁକାଳେ ସବୁ ଦାମ୍ଭିକ ଅତ୍ୟାଚାରୀ ଶାସକ ଆଉ ଶୋଷକ ଉଡ଼ିଯାଆନ୍ତି । ଆସିଲା ଏ ନୂଆ ଯୁଗ, ନୂଆ ମୂଲ ତଉଲର ଦିନ, ଲୋକଙ୍କ ଶାସନ ! ଏଥର ?’’

 

ମା’ ଆଉ ସ୍ତ୍ରୀ କାବାହୋଇ ତା’ ମୁହଁକୁ ଅନାଇଁ ରହିଥାନ୍ତି । ତା’ ବୋଉ କହିଲେ, ‘‘ହଉ ହଉ, ଭଗବାନ କରନ୍ତୁ, ମୋ ପୁଅର ସବୁ ଦୁଃଖ କଷ୍ଟ ଦୂର ହଉ, ତା ଆଶା ପୂରଣ ହଉ, ସେଇଆ ମୋ ଆଖି ଦେଖୁ କାନ ଶୁଣୁ ।’’

 

‘‘ଆମ ପାଇଁ ଭାବ୍ ନାଁ ବୋଉ, ସତରେ ଥିଲେ ଭଗବାନ ଅନେଇ ଥିବେ । ସଂସାରଯାକ ପାଇଁ ଭଗବାନଙ୍କୁ ଡାକ୍ । ଧର୍ମ ଯୁଗ ଆଇଲା, ସବୁ ଦୁଃଖୀରଙ୍କୀଙ୍କ ଦୁଃଖ ଯାଉ, ଜଗତ ଉଜ୍ଜଳ ହେଉ ।’’

 

ମା ବୁଢ଼ୀ ତଥାପି କହିଲେ, ‘‘କେତେ ତ ଦେଖିଲିଣିରେ ପୁଅ, ବଡ଼ ହିଂସିକା, କୁଟିଳ ଦୁନିଆଁ ୟେ । ଭଗବାନଙ୍କ ବିଚାର ଭଗବାନଙ୍କୁ ହିଁ ଜଣା । ନିର୍ଦ୍ଦୋଷୀ ବି ଦଣ୍ଡ ଭୋଗୁଛି । ଦୋଷୀର ବଡ଼ତି ହେଉଛି । ଭଲ କଥାଟିଏ ହବ ହବ ହଉ ହଉ ଶେଷ ବେଳକୁ ହଠାତ୍ ବିଗିଡ଼ି ଯାଉଛି, ଆଉ ହଉ ନାହିଁ । ଏଇ କାମକୁ ଏଇ ଫଳ ବୋଲି ଭାବୁ ଭାବୁ ବିଚାର ଫଳୁ ନାହିଁ । ସବୁ ଦେଖି କହୁଥାଇଁ ଯାହା ଭାଗ୍ୟ ଯେପରି । ସତେ ଭଗବାନ ମୋ ପୁଅକୁ ଏଥର ଦୟା କରିବେ ! ହେ ମହାପ୍ରଭୁ !’’

 

ବିନୋଦ ହସିଦେଲା, କହିଲା ‘‘ଦେଖିବୁ–ଦେଖିବୁ ।’’

 

ସଞ୍ଜ ଘଡ଼ି କେତେବେଳୁ ଗଡ଼ି ଯାଇଥାଏ । ଶଶୀ ମିଶ୍ର ବଜାର ସାରି ଘରକୁ ଫେରୁଥାନ୍ତି-। ବସ୍ତିବାଟ ନୁହେଁ, ସେ ବାଟେ ଦିଗୁଣା ବୁଲାଣି । ନିଛାଟିଆ ବଡ଼ ପଡ଼ିଆ ବାଟ । ଖାଲି ପଡ଼ିଆ, ଗୋଚର, ତା ଆର ମୁଣ୍ଡରେ ଇସ୍କୁଲ ପିଲାଙ୍କ ଖେଳ ପଡ଼ିଆ, ସେଉଠୁ ପୁଣି ବସ୍ତି ପଡ଼ିବ, ଯେଉଁଠି ବିନୋଦର ବି ବସା, ତା’ କର ଦେଇ ଚାଲିଗଲେ ପଡ଼ିବ ସେହିପଟ, ଯେଉଁଆଡ଼େ ଶଶୀ ମିଶ୍ରଙ୍କ ବସା ।

 

ଫାଙ୍କା ପଡ଼ିଆରେ ଚାଲୁ ଚାଲୁ ଯୁଆଡ଼େ ଚାହିଁଲେ ହାଲୁକା ହୋଇ ଅନ୍ଧାର, ଆଲୁଅ ଏଠି ନାହିଁ । କିନ୍ତୁ ଆକାଶରେ କଣ ହେଲା କେଜାଣି, ଆଉ ମେଘ ଘୋଡ଼ାଇ ନାହିଁ, ତାରାଗୁଡ଼ାକ ବିଞ୍ଚି ହୋଇ ପଡ଼ିଛନ୍ତି । ଅନ୍ଧାରୀ ଆକାଶରେ ଅଗଣତି ତାରା କେତେ ଦାଉ ଦାଉ, କେତେ ମିଟିମିଟି, ଜିକିଜିକି, ଶଶୀ ମିଶ୍ର ତାହାରି କଥା ଭାବୁଥିଲେ । ଭାବୁଥିଲେ, ୟେ ଅଘଟନ, ୟେ ଆତଙ୍କପ୍ରଦ, ୟେ ଅସୁନ୍ଦର, ଅଗଷ୍ଟ ମଝିରେ ସ୍ୱାଭାବିକ ହୋଇଥାନ୍ତା । ମେଘ ଲଦାଲଦି କଳା ଆକାଶ, ଅଥବା ଅନ୍ଧାରେ ଅନ୍ଧାରେ ବରଷା, ଫସଲ ପାଇଁ ଗଛବୁରୁଛ ପାଇଁ ଏ ଦିନେ ବର୍ଷା ହିଁ ଲୋଡ଼ା । ଏମିତିଆ ଶୁଖିଲା ପାଗ ନୁହେ । ତାରା ଝଲମଲ ନୁହେଁ । ଭାବୁଥାନ୍ତି–ହୁଏତ ଅନାବୃଷ୍ଟି ହିଁ ହେଲା, ଅଥବା ଅଦିନରେ ମେଘ ଅଜାଡ଼ିବ, ଦି’ଟାରୁ କେଉଁଟା ବି ପାଳକ ନୁହେଁ, ପୁଣି ଭାବୁଥାନ୍ତି–ଅଥଚ ଖୋଲା ପଡ଼ିଆ ଉପରେ ଖୋଲା ଆକାଶ, ଏମିତି ତାରାଫୁଟା ଅନ୍ଧାର ରାତି ଦେଖି କେତେ କବିଙ୍କି ବାଇ ଲାଗିଛି । ସେମାନେ ଅପୂର୍ବ ଭାବ ଓ ସୌନ୍ଦର୍ଯ୍ୟସୃଷ୍ଟି କରିଛନ୍ତି । ତାହେଲେ–କୌଣସି ବସ୍ତୁର ବା ଘଟଣାର ଅର୍ଥ ଓ ତାତ୍ପର୍ଯ୍ୟ ତା’ ନିଜ ଭିତରେ ଥାଏ ନା ଗ୍ରହୀତାଠିଁ ଥାଏ ? ନିଶ୍ଚୟ ଥିବ ଗ୍ରହୀତାଠିଁ । ନିଜଠିଁ ଏ ବିଶ୍ୱାସ ଥିବାଯାକେ ଗ୍ରହୀତା ସ୍ୱାଧୀନ ରହି ପାରିବ । ସେଥିପାଇଁ ତ ଗୀତାରେ ଉପଦେଶ ଦିଆ ଯାଇଛି ଯେ ସବୁଠୁ ବଡ଼ କଥା ହେଲା ଆତ୍ମବଶୀ ହୋଇ ରହିବା, ଅନାସକ୍ତ ହେବା ଅଥଚ କର୍ମନିରତ ରହିବା, ହାନିଲାଭ, ସୁଖଦୁଃଖ କୋଣସି ଥିରେ ଖୁସି କି ଦୁଃଖିତ ନ ହେବା, ସବୁ ଅବସ୍ଥାରେ ନିଜ ନୀତି ଆଉ ଚରିତ୍ରକୁ ଠିକ୍ ରଖିବା । କାମନା ନାହିଁ, ନ ହେଲା ବୋଲି ଛଳ ବି ନାହିଁ, ଭୟ ଦୁଃଖ ଉଦ୍‌ବେଗ କିଛି ନାହିଁ, ନିଜର ଯାହା ହୋଇଯାଉ ଖାତିର ନାହିଁ, ଲୋଭ ନାହିଁ କି ସ୍ୱାର୍ଥ ନାହିଁ, କି ଚିନ୍ତା ନାହିଁ କି ଦକ ନାହିଁ, ସେଉଠୁ ନିଜ ଛାଏଁ ନିଜେ, ସେଇ ସିନା ଅସଲ ମଣିଷପଣିଆଁ, ଅସଲ ସ୍ୱାଧୀନତା । ସେ ସ୍ୱାଧୀନତାକୁ ତ କେଉଁ ଅନ୍ଧାରି ଯୁଗରୁ ଚିହ୍ନି ସାରିଥିଲେ ଭାରତର ଲୋକେ, ନିଜ ନିଜ ଜୀବନରେ ଆଦର୍ଶ ବୋଲି ତାକୁ ଘେନି ସାରିଥିଲେ । ତେଣୁ, ଯଦି ମରଣ ଆସୁଛି ବୋଲି ଜାଣୁଥିଲେ ତେବେ ବି କାତର ହେଉ ନ ଥିଲେ, ଆପଣା ନୀତିରୁ, ବିଚାରରୁ କି ବାଟରୁ ତିଳେ ହେଲେ ଘୁଞ୍ଚୁ ନ ଥିଲେ ।

 

କୁଆଡ଼େ ଗଲେ ସେ ଲୋକେ ?

 

ଭୋକ କରି କରି ମଲାଣି, ପାଗ୍‌ଳୀର ମୁଣ୍ଡ ଠିକଣା ଥିଲେ ସେ ଏ ଓଳି ପାଇଁ ରନ୍ଧା ବସେଇବଣି, ନ ହେଲେ ସେ କାମ କରିବାକୁ ପଡ଼ିବ ତାଙ୍କୁ ନିଜେ, ଘରେ ପହଞ୍ଚିଲା ପରେ, ଛୁଆମାନେ ଅବଶ୍ୟ ସାହାଯ୍ୟ କରିବେ ଲୋଡ଼ିଲେ, ଅନ୍ତତଃ ବଡ଼ ଦିହେଁ । କିନ୍ତୁ ତାଙ୍କ ପଢ଼ା ମାରା କରିବାକୁ ମନ ହୁଏ ନାହିଁ । ଯେମିତି ମନ ସେମିତି ବଞ୍ଚନ୍ତୁ, ପଢ଼ୁଥାନ୍ତୁ ଦି ଅକ୍ଷର, ବଡ଼ ହେଲେ, ବେଳ ଆସିଲେ, ବଳେ ଯାହା କିଛି ହେବେ । ଝାଟି ଥାଉ, ଥିଲେ କେତେବେଳେ ହେଲେ ମାଟି ଲାଗିବ । ଯା ହେବାର ତା’ ହେବ ସିନା, କିନ୍ତୁ ସେଥିପାଇଁ ହାତ ଟେକି ଦେଇ ଅପେକ୍ଷା କରି ବସି ରହିବା କଥା ନୁହେଁ, ଆଗରେ ଦିଶୁଥିବା ହାତର କାମ ହାତେ ହାତେ କରିଯିବାକୁ ପଡ଼ିବ । ସେମିତି, ପାଠପଢ଼ା ବେଳେ ପାଠପଢ଼ା । ମା’ର ଉନ୍ମାଦ ରୋଗ କଣ ଏ ପିଲାଙ୍କ ଭିତରୁ କେତେବେଳେ କାହାଠିଁ ଅଥବା ସମସ୍ତିଙ୍କଠି ଦେଖା ହେବ ? ବଡ଼ ହେଉଥିବେ, ପାଠପଢ଼ି ଯୋଗ୍ୟ ହେଉଥିବେ, ମଣିଷ ହୋଉଥିବେ, ହଠାତ୍ ଶୂନ୍ୟରୁ ଚଡ଼କ ପଡ଼ିଲା ପରି ଦିନେ ଦେଖିଲା ବେଳକୁ ପାଗଳ । ୟେ ପିଲାଏ ବି କଣ ସେହିପରି ହେବେ ?

 

ସବୁ ସମ୍ଭବ, ସବୁ ବିଭୀଷିକା, ସବୁ ଆଶଙ୍କା ସତ ହେବା ବି ସମ୍ଭବ ।

 

ନିଛାଟିଆ ବେଳରେ ଏକୁଟିଆ ଥିଲାବେଳେ ହଠାତ୍ କେତେଥର ସେ ଆଶଙ୍କା ତାଙ୍କ ମନ ଭିତରେ ହଲଚଲ ହୋଇଛି, କିନ୍ତୁ ଶୋଇ ଶୋଇ ସ୍ୱପ୍ନରେ ହାଲୁକା ଭୂମିକମ୍ପଟାଏ ଅନୁଭବ କଲାପରି ଲାଗିଛି, ଲାଗିଛି, ଭୂମିକମ୍ପ ସେ ନିଶ୍ଚୟ, ଥରୁଛି ସବୁ । ଝରକା କବାଟ ବି ଧଡ଼ ଧଡ଼ ଖଡ଼ ଖଡ଼ ଶୁଭୁଛି,–ବିପଦ ଘଟୁ ନାହିଁ । କିନ୍ତୁ ଆଉ ଟିକିଏ ଜୋର୍‌ରେ ଭୂଇଁ ଥରିଲେ ଘୋର ବିପଦ ଘଟିବ, ଅବସ୍ଥା ଅସମ୍ଭାଳ ହୋଇଯିବ । ତା ପରେ ସ୍ୱପ୍ନ ବି ଭାଙ୍ଗିଯାଏ, ଆତଙ୍କପ୍ରଦ ଅନୁଭୂତିର ସ୍ମୃତି ଅତି କ୍ଷୀଣ ହୋଇ ଅନୁଭବରେ ବାରି ହେଉଥାଏ, କିନ୍ତୁ ଆଶଙ୍କାର କାରଣ ଯେ ଘଟି ନାହିଁ, ମନରେ ଏ ବିଷୟରେ ସ୍ଥିରବିଶ୍ୱାସ ଥାଏ ।

 

କିନ୍ତୁ ଯେଡେ କ୍ଷୀଣ ହେଉ ପଛେ, ଅନୁଭୂତି କରିବାକୁ ଆପଣାଠିଁ କେଉଁ ଚୋରା ଅଚିହ୍ନା ଯନ୍ତ୍ରରେ ସେହି ଯେଉଁ ଭୟର କାରଣ ବାରି ହୁଏ, ଥରେ ବାରି ଦେଲେ ମନ ଭିତରେ କି ଛାତି ଭିତରେ ଝାଇଁ ମାରିଦିଏ କେତେ ବେଳଯାକେ, ତାକୁ ମୋଟା ଆଙ୍ଗୁଠିରେ ମୁଠେଇ ଯାବୁଡ଼ି ହେବ ନାହିଁ ବୋଲି କଣ ତାର ଅସ୍ତିତ୍ୱ ନାହିଁ ? ସେ ମିଛ ? ତର୍କର କଥା ସେ ମାନେ ନାହିଁ । ନ ମାନେ ବୋଲି ପ୍ରମାଣ କରେ ଯେ ଯାହା ଜୀଅନ୍ତା ତାହା କଳଠୁ ଭିନେ, କଳ ଶୃଙ୍ଖଳା ମାନେ, ନିୟମ ପ୍ରକାରେ ଚଳେ । ଜୀଅନ୍ତାଟା ଖିଆଲୀ, ମନୁଆଁ, ସେ କେତେବେଳେ କଣ କରିବ, କଣ ହେବ ତାହା ଆଗରୁ ହିସାବ କରି ଧାର୍ଯ୍ୟ କରିହେବ ନାହିଁ । ସେହି କାରଣରୁ ମଧ୍ୟ,–ଆଶା କରିବା ନିରର୍ଥକ, ଆଶଙ୍କା କରିବା ବି ।

 

ଏହିପରି ଭାବିଭାବି ଚାଲିଥିଲେ ଶଶୀ ମିଶ୍ରେ, ନିଜ ସଙ୍ଗେ ନିଜେ କଥା ଭାଷା ହେଲାପରି ତାଙ୍କୁ ଲାଗୁଥିଲା । ଅନ୍ଧାର ରାତି, ନିଛାଟିଆ ପଡ଼ିଆ, ସେଠି ରହନ୍ତି ବହୁତ ବିଷାଣ୍ୟ ସାପ, କଙ୍କଡ଼ା ବିଛା, ତାଙ୍କର କେହି ସାଙ୍ଗୀ ନାହିଁ, ତାଙ୍କଠିଁ ଆଲୁଅ ନାହିଁ, ଡାଙ୍ଗ ଖଣ୍ଡେ ବି ନାହିଁ । କିନ୍ତୁ ସେଥିଯୋଗୁଁ ଅଟକି ଯାଇ ନାହିଁ କିଛି, ସତେ ଯେମିତି ବନ୍ଧୁ ମେଳରେ ଗହଳି ଭିତରେ ସେ ଗପସପ ହୋଇ ଚାଲିଛନ୍ତି ।

 

ପଡ଼ିଆ ସରି ଆସୁଛି; ଦୂରରୁ ଦିଶିଲାଣି,–ଏଣିକି ଲୋକାଳୟ,–ସଡ଼କରେ ଖୁଣ୍ଟଉପରେ ଆଲୁଅ, ଘରେ ଘରେ ଆଲୁଅ । ମଠେଇ ମଠେଇ ଚାଲିଲେ, ଭାବିଭାବି । ଆଜି କଣ ଦିଆଲୀ ? କେତେ ଘରେ ଧାଡ଼ି ଧାଡ଼ି ମାଳମାଳ ଦୀପ ସଜା ହୋଇ ଜଳୁଛି । ଶଶୀ ମିଶ୍ରେ ହେତୁ କଲେ,–ଦିଆଲୀ, ନୁହେ ଊଣେଇଶ ଶହ ସତଚାଳିଶି ଅଗଷ୍ଟ ପନ୍ଦର ରାତି ଇଂରେଜ ଅଧୀନରୁ ଭାରତ ସ୍ୱାଧୀନତା ପାଇବା ଦିନ ଆଜି, ସେହି ଦିନର ରାତି, ଶ୍ରାବଣ ମାସର କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ରାତି । ଘରେ ଘରେ ମାଳମାଳ ଦୀପ ବସିଗଲେ ହିଁ ଦିଆଲୀ ହୁଏନାହିଁ । ସେମିତି ଦୀପବସା ଉତ୍ସବ ତ ହୋଇଥିଲା ଆଉଥରେ, ଦି ବର୍ଷ ତଳେ, ସେତେବେଳେ ଦିନ ରାତି କେତେ ପାଲା କେତେ ମଉଛବ, କେତେ ସଭା, ରାତିରାତି ବାଣଫୁଟା, ଦୀପ ଜଳା, ସାହି ସାହିକେଶ ନାଚ ଗୀତ । କିନ୍ତୁ ସେ ନଥିଲା ଦିଆଲୀ, କି ସେ ନଥିଲା ଭାରତ ସ୍ୱାଧୀନତା ପାଇବା ଉପଲକ୍ଷେ ବିଜୟ ମଉଛବ । ସେତେବେଳେ ଦ୍ୱିତୀୟ ମହାଯୁଦ୍ଧ ସରିଥିଲା, ଇଂରେଜପଟିଆମାନେ ଯୁଦ୍ଧ ଜିତିଥିଲେ, ଜର୍ମାନି ଜାପାନ–ପଟିଆମାନେ ହାରିଯାଇଥିଲେ, ତେଣୁ ଇଂରେଜ ସରକାର ବିଜୟ ମଉଛବ କରାଇଥିଲେ-। ଘରେ ଘରେ ମାଳ ମାଳ ଦୀପ ରୋଶନି, ସେ ରାତିରେ ଆଉ ଆଜି, ସେତେବେଳେ ତା’ ବୁଝାଉଥିଲା ଯେ ଯୁଦ୍ଧ ଜିତି ଇଂରେଜ ସରକାର ହେଣ୍ଡି ମାରୁଛନ୍ତି । ଦି ବର୍ଷ ପରେ ତା’ ବୁଝୋଉଛି ଯେ ଏ ଦେଶରୁ ଇଂରେଜ ସରକାର ଓପଡ଼ା ହୋଇ ସାରିଲେଣି । ଶଶୀ ମିଶ୍ର ଭାବୁଥାନ୍ତି,–ଦୃଶ୍ୟ ତ ଅନେକ ସମୟରେ ଏକାଭଳି ଦିଶେ, କିନ୍ତୁ ତାତ୍ପର୍ଯ୍ୟ କେଡ଼େ ଭିନ୍ନେ ! କିନ୍ତୁ ତାତ୍ପର୍ଯ୍ୟ କଣ କାହା ଉପରେ ଲେଖା ହୋଇଥାଏ ? କେଡ଼େ ଗହନରେ ତାର ସ୍ଥିତି ! ଜଣା ନ ପଡ଼ିବା ଯାକେ କେଡ଼େ ଅଜଣା ! ଘଟଣାକୁ ଚାହଁ ପଦାର୍ଥକୁ ଚାହଁ, ତାର ତାତ୍ପର୍ଯ୍ୟ ଦିଶିବ ନାହିଁ, ତାର କିଛି ଦିଶିବ ନାହିଁ, ଖାଲି ଗୋଟାଏ ଦର୍ପଣ ହିଁ ଦିଶିବ, ତହିଁରେ ନିଜ ମୁହଁ ନିଜ ଚେହେରା ହିଁ ଦିଶିବ । ମୁଁ ଯେଉଁଠି ଯେଉଁ ତାତ୍ପର୍ଯ୍ୟ ଆରୋପ କରୁଛି ମତେ ଲାଗୁଛି ତାଠିଁ ସେହି ତାତ୍ପର୍ଯ୍ୟ ଅଛି । କିଏ ଜାଣେ ପ୍ରକୃତରେ କଣ ? ସେମାନେ ସ୍ୱାଧୀନତା ବୋଲି ଉତ୍ସବ କରୁଛନ୍ତି । ଉତ୍ସବ କରିବାକୁ ମନହୁଏ, ସେଥିପାଇଁ ବର୍ଷ ଭିତରେ ନାନା ପୁଣ୍ୟପର୍ବ ଖଞ୍ଜା ହୋଇଛି, ବୁଝୁଛି ତା । ଆଜି ଚତୁର୍ଦ୍ଦଶୀ, କାଲି ଯେ ଚିତାଲାଗି ଅମାବାସ୍ୟା, ଅର୍ଥାତ୍ ଚିତୋଉ ଅମାସ୍ୟା, ତା ତାତ୍ପର୍ଯ୍ୟ ବି ଭିନ୍ନେ ଭିନ୍ନେ-। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପାଇଁ ସେଇଟା ହେବ ସୁନା ଚିତା ପିନ୍ଧିବା ଦିନ । ତାଙ୍କୁ ଚିତାଲାଗି କରାହେବ-। ଆମ ପାଇଁ ସେ ଦିନଟି ଚିତୋଉ ପିଠାକରି ଖାଇବା ଦିନ । ଆଃ ! ନଡ଼ିଆ ଆଉ ପିଠୋଉକୁ ଚିକ୍‌କଣ କରି ବାଟି ମାଟି ପଲମରେ ଚିତୋଉ ପିଠା କରା ହୋଇଥିବ ଖାଇବା, ଓଠକୁ କି ନରମ, କି ଚିକ୍‌କଣ ! ପାଟିରେ ଚାପି ଧରିଲା ମାତ୍ରେ ବାଧା ନ ଦେଇ ବରଂ ନିବିଡ଼ ଭାବେ ଲାଗି ଲାଗି ଯିବାକୁ, ଦବି ଦବି ଯିବାକୁ, କୁଆଡ଼େ ମିଳେଇ ଯିବାକୁ, ସେ ଯେପରିକି ଗଢ଼ା ହୋଇଛି, ମିଳେଇ ଗଲା ପରେ ପାଟିରେ ବହୁତ ବେଳଯାକେ ରହିଯାଏ ତା’ର କଅଁଳ ପରଶ, ଯେମିତି ପଦ୍ମ ପତ୍ର ଧରି ଗାଲ ଉପରେ ଧୀରେ କି ଅନ୍ୟବେଳେ କୌଣସିଠିଁ ଅନୁଭବ କରି ହୁଏ ନାହିଁ ।

 

ଶଶୀ ମିଶ୍ର ଭାବୁ ଥାଆନ୍ତି,–କିନ୍ତୁ ନିଜ ଘରେ କେବର ସେ ସୁଖର ସ୍ମୃତି, ଯେତେବେଳେ ଚିତୋଉ ଅମାବାସ୍ୟାକୁ ଘରେ ଚିତୋଉ ପିଠା ହୋଇଥିଲା, ସେ ଖାଇଥିଲେ ? ବୃନ୍ଦାବନକୁ ପନ୍ଦର ବର୍ଷ ଚାଲିଛି, ସେ ଜନ୍ମ ନ ହେଉଣୁ, ତା ଉପରେ ଯେ ଜୟଶ୍ରୀ ସେ ଦୁଇବର୍ଷର ହୋଇଥିଲା ଚାଲିଗଲା ପରେ ତା ମା’ ମୁଣ୍ଡ ପ୍ରଥମ ଥରକ ଖରାପ ହେଲା, ମଝିରେ ମଝିରେ ଦିନା କେତେ ଛାଡ଼ି ଛାଡ଼ିକା ପାଗଳାମି ବାହାରିଲା, କ୍ରମେ କ୍ରମେ ଆହୁରି ଆହୁରି ବଢ଼ିଲା । ଯେଉଁ ଲୋକ ସବୁ ପୁଣ୍ୟ ପର୍ବ ଉପାସ ବ୍ରତ ଟିକି ନିଖି କରି କରୁଥିଲା, ତାର ହୋସ୍ ରହିଲା ନାହିଁ ଦିନ କି ରାତି ।

 

ପୁଣି, ନିଜକୁ ପଚାରିଲେ,–ସବୁବେଳେ ମୋର ବି କଣ ହୋସ୍ ରହିଛି ? ହୋସ୍ ରହିଛି ଯେ ସବୁବେଳେ ସେ ସ୍ତ୍ରୀ ଲୋକଟି ଚିକିତ୍ସା ଲାଗି ହିଁ ଯୋଗ୍ୟ, କାରଣ ତାଠିଁ ପାଗଳାମି ଅଛି ?

 

ନିଜକୁ କ୍ଷମା କରିବାକୁ ଚେଷ୍ଟା କରି ସେ ଉଦାର ମନରେ ସଂସାରଯାକକୁ କ୍ଷମା କଲେ–ଆଃ ! ଦୁର୍ବଳ ଆଉ ଦୁଃଖୀ ମଣିଷ ! ଦୁଃଖର ପ୍ରକାର ଆଉ ବିକାରର ସୀମା ନାହିଁ, ସେମିତି ଦୁର୍ବଳତାର ବି । ଦୁଃଖକୁ ବା ଚିହ୍ନି ହୁଏ, କିନ୍ତୁ ଅନେକ ସମୟରେ ଦୁର୍ବଳତାକୁ ତ ଚିହ୍ନି ବି ହୁଏ ନାହିଁ, ନିଜେ ଯାହା ନୁହେଁ, ମୁଖା ପିନ୍ଧି ସେହି ଓଲଟା ପରିଚୟଟା ସେ ଦେଖାଇ ହୁଏ, ଯେମିତି, ନିଜେ ଭାରି ବଳୁଆ, କି ଭାରି ସାହସୀ, କି ଭାରି ନିଷ୍ଠୁର, ଅଣ–ଉପରୋଧୀ ! ଅଥଚ ସତେ ସତେ ପୁଚୁ ପୁଚୁ । ବିଚରା ! ନିଜକୁ ତ ଭୁଲାଇ ପାରେ ନାହିଁ, ଭାବେ ଜଗତଯାକକୁ ଭୁଲାଇ ପାରୁଛି,–ତା ହାବ ଭାବରେ, କଥା ଭାଷାରେ, ତା ବେଶ ଭୂଷାରେ, ତା କାମରେ ! ସେ ଦୁର୍ବଳ ବୋଲି ସେ ପାଗଳ ପରି ସଞ୍ଚି ହୁଏ, ସେ ସଞ୍ଚି ହୁଏ ବୋଲି ସେ ଛାତିକି ପଥର କରେ, ଚମକୁ ପଥର କରେ, ସେ ନ୍ୟାୟ ନୀତି ଦୟା ମାୟା କଥା ପାଶୋରି ପକାଏ । ନିଜେ ଅସହାୟ ଦୁର୍ବଳ ବୋଲି ତ ! ଆହା ! କେଡ଼େ ଭୁଲ ତା’ର ! କିନ୍ତୁ କାହିଁକି ? ନିଜକୁ ଅସହାୟ ଦୁର୍ବଳ ବୋଲି ଭାବୁଛି ବୋଲି ସିନା ସେ ଏଡ଼େ ଦୁର୍ବଳ ଆଉ ଦୁଃଖୀ ! ସେପରି ଭାବୁଛି ବୋଲି ତ ସେ ଅନ୍ୟାନ୍ୟ ଜନ୍ତୁଙ୍କ ସଙ୍ଗେ ସମାନ ସ୍ତରରେ ଅଛି ଏବେ ବି । ବିଜ୍ଞାନ ଓ କଳକାରଖାନା କାରିଗରିରେ ବଢ଼ି ବଢ଼ି ସେ ପଛେ ଚନ୍ଦ୍ର ପିଠିରେ ଚାଲୁ, ମଙ୍ଗଳ ଆଉ ବୃହସ୍ପତି ଗ୍ରହମାନ ବୁଲି ଦେଖି ଆସୁ, ତଥାପି ସେ ଜନ୍ତୁଭଳି ମୂର୍ଖ, ଅଜ୍ଞ, ତା’ ଆଖି ତା ମନ ଖାଲି ତୁଚ୍ଛା ମୋହରେ ହିଁ ବନ୍ଧା, ସେ ଡରୁଆ, ତରକା, ହୁରୁଡ଼ା, ଦକଦକ, ଦୁଃଖୀ, ଦୁର୍ବଳ, ତେଣୁ ପରସ୍ପର ପ୍ରତି ହିଂସ୍ରକ ।

 

ଅଥଚ ତା’ଠିଁ ଏଇ ଅନ୍ଧାର କାଟି ଆଲୁଅ ଜାଳିବାକୁ ହଜାର ହଜାର ବର୍ଷ ହେଲା ବାରମ୍ବାର ବାରମ୍ବାର ଚେଷ୍ଟା କରିଛନ୍ତି କେତେ ମହାପୁରୁଷ, ପୃଥିବୀ ସାରା ସବୁ ଦେଶରେ, ସବୁ ଯୁଗରେ, ତାଙ୍କର ଭିନ୍ନେ ଭିନ୍ନେ କେତେ ଭାଷା, କେତେ ପନ୍ଥା, କେତେ ବାଗ, ଉଦ୍ଦେଶ୍ୟ ସେହି ଏକା । ସେମାନେ ନିଜ ଜୀବନକୁ ଉଦାହରଣ କରି ଥୋଇ ଯାଇଛନ୍ତି କେବଳ ଗୋଟିଏ କଥା ବୁଝାଇବା ପାଇଁ,–ଭଲ ପାଇ ଶିଖ ।

 

ଶଶୀ ମିଶ୍ର ଖୁସି ହୋଇଗଲେ । ମନେ ପଡ଼ିଗଲା, ପଢ଼ିଥିଲେ, ନାରଦ ବୁଝେଇ ଥିଲେ ଭକ୍ତିର ସ୍ୱରୂପ । ଭଗବାନଙ୍କୁ ପ୍ରେମ । ସେ ପ୍ରେମ ଯାହାଠିଁ ଆସିଗଲା ତାକୁ ଅମୃତ ମିଳିଗଲା । ସେଉଠୁ ସେ କିଛି ଲୋଡ଼ିବ ନାହିଁ, କୌଣସି କଥା ପାଇଁ ଦୁଃଖ କରିବ ନାହିଁ, କୌଣସି କଥାକୁ ଚିଡ଼ିବ ନାହିଁ, କୌଣସି କଥା ପଛରେ ମାତି ଭାସିଯିବ ନାହିଁ । ସେ ନିଜ ନିଜ ଛାଏଁ ଆନନ୍ଦରେ ଅଧୀର ହେବ, ତୁନି ହୋଇଯିବ, ନିଜଠୁଁ ସନ୍ତୁଷ୍ଟ ରହିଯିବ । ଶାନ୍ତି ଓ ପରମାନନ୍ଦ ତାର ସ୍ୱଭାବ ହେବ, ସେମିତି ସବୁ ସଦ୍‌ଗୁଣ । ସେ ଭାବିଲେ ଭଗବାନ୍ ତ ନିଜଠିଁ, ନିଜ ବାହାରେ, ସବୁଠିଁ । ସେମିତି ଭଗବାନଙ୍କୁ ପ୍ରେମ ବି ସର୍ବବ୍ୟାପୀ ପ୍ରେମ, ତହିଁରେ ତୋର ମୋର ନାହିଁ, ପାତର ଅନ୍ତର ନାହିଁ, ବାଛ ବିଚାର ନାହିଁ, ସ୍ୱାର୍ଥର ଗନ୍ଧ ନାହିଁ, ଭେଦର କି ହିଂସାର ବିଷ ନାହିଁ । ଅଦ୍ଭୁତ ସାଧନା ସେ ପ୍ରେମ ମାର୍ଗ । କିନ୍ତୁ ଆଗ ତ ଭଲ ପାଇ ଶିଖିବା କାମ । ଅଭ୍ୟାସ ଯୋଗ । କେବେ ଆରମ୍ଭ କରିବି, କେବେ ?

 

ଶଶୀ ମିଶ୍ର ଦି’ ପାଖକୁ ଅନେଇଁଲେ, ପଡ଼ିଆ ନୁହେଁ, ବସ୍ତି ଭିତରେ ସେ ଚାଲିଛନ୍ତି, ବସ୍ତିରେ ଦି ପାଖ ଘରେ ମାଳମାଳ ଦୀପ ଜଳୁଛି, ସ୍ଥାନେ ସ୍ଥାନେ ପିଲାଏ କେହି କେହି ଫୁଲଝରି କି ଘଡ଼ିବାଣ ଲଗାଉଛନ୍ତି, ଖୁସିରେ ହାଉହାଉ ହେଉଛନ୍ତି । ଦୂରରୁ କେତେଠୁଁ ବାଜା ଶୁଭୁଛି । ସ୍ୱାଧୀନତାର ପ୍ରଥମ ଦିନର ସଞ୍ଜ ଉତ୍ସବ ଚାଲିଛି । ଶଶୀ ମିଶ୍ର ଗଦ୍‌ଗଦ ହୋଇ ମନେ ମନେ ଭଗବାନଙ୍କୁ ଜଣାଣ କଲେ, ମହାପ୍ରଭୁ, ଏ ଦେଶର ମଙ୍ଗଳ କର, ଏ ଦେଶକୁ ରକ୍ଷା କରିଥାଅ, ଏ ଦେଶର ମଣିଷଙ୍କୁ ମଣିଷ କର, ଏମାନଙ୍କର ସବୁ ଦୁଃଖ ଦୂର କର ।

 

ମନରେ ଗୋଟାଏ ଉଦ୍‌ଭଟ କଳ୍ପନା ଆସିଲା, ସତେ ଯେମିତି ସେ ନିଜେ ନାରଦ, ଆହୁରି ଉଦ୍‌ଭଟ ହୋଇ ମିଳେଇ ଯାଉ ଯାଉ ଭାବିହେଲା, ନାରଦ ବିଭା ହୋଇ ନ ଥିଲେ, ତାଙ୍କ ସ୍ତ୍ରୀ ପାଗଳ ହୋଇ ନ ଥିଲେ, ତାଙ୍କର ପାଞ୍ଚଟି ପୁଅ ନ ଥିଲେ ।

 

‘‘ଆରେ, ଶଶୀ ବାବୁ ଯେ, ନମସ୍କାର ଆଜ୍ଞା ।’’

 

ଆଗରେ ବିନୋଦ ଦାସ, ସ୍ଥାନୀୟ ସେକେଣ୍ଡ ଅଫିସର, ତାଙ୍କ ବସାର ହତା ଫାଟକ ଦୁଆର ମୁହଁରେ ଠିଆ ହୋଇଛନ୍ତି । ଆଞ୍ଜୁଳା ଦେଖାଇ ତାଙ୍କୁ ଆଶୀର୍ବାଦ କରି ଶଶୀ ମିଶ୍ର ହସି ହସି ଠିଆ ହୋଇ ରହିଲେ ।

 

‘‘ବଜାର କରି ଫେରୁଛନ୍ତି ପରା, ଟିକିଏନାକୁ ଆସନ୍ତୁ ଆସନ୍ତୁ, ଆଜିପରା ଦିନରେ ଆପଣଙ୍କ ପରି ମହତ୍ ଲୋକଙ୍କର ଆମ ଘରେ ପାଦଧୂଳି ପଡ଼ିଲେ ଆମର ଭାଗ୍ୟ,’’ ବିନୋଦ କହିଲା ।

 

‘‘ଆଜ୍ଞା ମୁଁ କିବା ଅଧମ ! ଯେ ନିଜେ ମହତ୍ ତାଙ୍କ ଆଖିରେ ସଂସାରର ଗୋଡ଼ି ମାଟି ବିଲୁଆ କୁକୁର ବି ମହତ୍, ତେଣୁ ସିନା ଆପଣଙ୍କ ତୁଣ୍ଡରେ ଏ ବଚନ !’’ ଶଶୀବାବୁ କହିଲେ ।

 

ଦିହେଁ ବିନୋଦର ବସା ପିଣ୍ଡାକୁ ଗଲେ, ସେଠି ବି ମାଳମାଳ ଦୀପ । ‘‘ଆରେ ହେ କୁଟୁରୁ, ହେ ମୁଟୁରୁ –’’ ବିନୋଦ ଦାସ ରଡ଼ିଲା, ‘‘ଆସ, ଗୋଡ଼ ତଳେ ପଡ଼, କିଏ ଆସିଚନ୍ତି ? ବଡ଼ାପା ।’’ ଛୁଆ ଦିହେଁ ଦଣ୍ଡବତ ହୋଇ ହସି ହସି ଭିତରକୁ ପଳାଇଲେ ।

 

‘‘ଚାହା ଟିକିଏ ଆସୁ ?’’

 

‘‘ଆଜ୍ଞା ମୁଁ ତ ପିଏ ନାହିଁ ।’’

 

‘‘ହଉ ହଉ, ଜଳଖିଆ ଆଣ ।’’

 

‘‘ତା ବି ଅଇଛା ନୁହେଁ ଆଜ୍ଞା, ଟିକିଏ କାମ ବାକି ଅଛି ।’’

 

‘‘ହଉ ହଉ, ଜଗୁ ସଙ୍ଗରେ ଦେଇଦିଅ ପିଲାଙ୍କ ପାଇଁ ।’’ ପୁଣି ବିନୋଦ କହିଲା, ‘‘ଆଜିଠୁଁ ଆମ ଦେଶର ନୂଆ ଇତିହାସ ଚାଲିଲା, ୟେ ଯୁଗ ହେବ ସୁଖ ସମୃଦ୍ଧିର ।’’ ଶଶୀ ମିଶ୍ର କହିଲେ, ‘‘କାହିଁକି ନ ହେବ ? ଯେଉଁ ଭଗବାନ ଏ ଦେଶପାଇଁ ଏ ଯୁଗ ଆଣିଲେ ତାଙ୍କୁ ଆମେ ଡାକିବା ଯେ ୟେ ନୂଆଯୁଗର ଯୋଗ୍ୟ ହେବାଲାଗି ସେ ଆମ ସମସ୍ତିଙ୍କୁ, ଏ ଦେଶର ଲୋକଙ୍କୁ ଭଲ ହୃଦୟ ଭଲ ବୁଦ୍ଧି ଦିଅନ୍ତୁ, ବଳ ଦିଅନ୍ତୁ, ସବୁ ସଦ୍‌ଗୁଣ ଦିଅନ୍ତୁ, ସୌଭାଗ୍ୟ ଦିଅନ୍ତୁ । ଆମେ ନିଜକୁ ନ ଗଢ଼ିଲେ କିଛି ହେବ ନାହିଁ, ତାଙ୍କ କୃପା ନ ଥିଲେ ବି କିଛି ହେବ ନାହିଁ ।’’ ବିନୋଦ ହସି ଦେଇ କହିଲା, ‘‘ଆପଣଙ୍କୁ କେମିତି ଦିଶୁଛି !’’ ଶଶୀ ମିଶ୍ର କହିଲେ, ‘‘ମୁଁ ଟା କିବା ମଣିଷ ଆଜ୍ଞା ? ମୋ ଭଳିଆ ଗୋଟାକୁ ଏକଥା ପଚାରୁଛନ୍ତି ! ଯଦି ପଚାରିଲେ ତେବେ କହୁଛି–ଆପଣ ଅବା କଣ ଦେଖୁଥିବେ, କିନ୍ତୁ କାଲି ଆଉ ଆଜି ଭିତରେ କେଉଁଠି କିଛି ପରିବର୍ତ୍ତନ ମୁଁ ଦେଖିଲି ନାହିଁ ତ ! ଆମଠିଁ ଯେଉଁ ଦୋଷଗୁଣ ଥିଲା, ଯେଉଁଠି ଯେଉଁ ତ୍ରୁଟି ବିଶୃଙ୍ଖଳା ଥିଲା, ଯେଉଁ ମଣିଷଠି ଯେଉଁ ସ୍ୱଭାବ, ସବୁ ତ ସେଇଆ ଅଛି, ସେମିତି ଅଛି । କିଏ କାହା ଖୋଇ ଛାଡ଼ିଛି କି ?’’

 

ବିନୋଦର ମୁହଁରୁ ହସ ତୁଟିଲା ନାହିଁ, ସେ ଆହୁରି ଉତ୍ସାହିତ ହୋଇ କହିଲା, ‘‘ମୁଁ ତା ଅସ୍ୱୀକାର କରୁନାହିଁ । କାଲି ଯାହା ଅଭାବ, ତ୍ରୁଟି, ଦୋଷ ଥିଲା ସେ ସବୁ ଆଜି ବଦଳି ନାହିଁ । କିନ୍ତୁ କାଲି ଯେଉଁ କବାଟ ବୁଜା ଥିଲା ଆଜି ତା’ ଖୋଲିଛି । ଏକା ଦିନକେ ତ ଅବସ୍ଥା ବଦଳେ ନାହିଁ କି ସବୁ ଭଲ ହେଉ ବୋଲି କହିଦେଲେ ବଦଳେ ନାହିଁ । ସେଥିପାଇଁ ଉଦ୍ୟମ ପ୍ରୟୋଜନ ହୁଏ, ବେଳ ବି ଲୋଡ଼ା । ପରାଧୀନ ଥିଲାବେଳେ ସେଇଟା ସମ୍ଭବ ବି ନ ଥିଲା, ଏଣିକି ହେବ । କମ୍ ବଡ଼ କଥା-?’’

 

ଶଶୀବାବୁ କହିଲେ, ‘‘ଆଶା ଦେଖାଇ ଆଶା ନ ମେଣ୍ଟାଇବାଠୁଁ ବଳି ଆଉ ଦୁଃଖ ଅଛି ନାଁ ? କଣ କରିବି ? ମୁଁ ଖାଲି ଭାବୁଛି ସେହି କଥା । ଏତେ ଏତେ ତ୍ୟାଗୀ ମହାପୁରୁଷ ନିଜର ସବୁ ସୁଖ ଉଜାଡ଼ି ଦେଇ ପ୍ରାଣ ପଣେ ଦେଶପାଇଁ ଲାଗିଥିଲେ, କିନ୍ତୁ ସ୍ୱାଧୀନତା ନ ଆସୁଣୁ କେତେ କେତେ ବଡ଼ବଡ଼ିଆଙ୍କ ଭିତରେ ଆପଣା ଆପଣା ସ୍ୱାର୍ଥ ପାଇଁ କ୍ଷମତା ପାଇଁ ଭିଡ଼ା ଓଟରା ସତେ ଯେମିତି ତଳେ ତଳେ ରହିଥିଲା । କେତେ ଛଦ୍ମବେଶ ତଳେ କେତେ ହିଂସ୍ରକ ଜନ୍ତୁ ଏକାଠି ରୁଣ୍ଡ ହୋଇଥିଲେ, ଉପରେ ପ୍ରକାରେ, ଭିତରେ ଆଉ ପ୍ରକାରେ । ଗାନ୍ଧୀ ମହାତ୍ମା ଯାହା କହିଲେ ସେମାନେ ତା’ ପାଳିଲେ କି ? ଅଇଛା ତ ସ୍ୱାଧୀନତା ଆସିଗଲା, ଦୁଷ୍ଟ ଲୋକଙ୍କୁ ପାଳକ ପଡ଼ିବ ନାହିଁ ତ ?

 

ବିନୋଦ ହସିଦେଇ କହିଲା, ‘‘ପାଳକ ପଡ଼ିଲେ ତାଙ୍କ ନାଁରେ ଦରଖାସ୍ତ କରିବାକୁ ଇଂରେଜ ସରକାରଙ୍କ ଦିବ୍ୟ ସମୀପ ଆଉ ନାହିଁ, ସେଥିପାଇଁ କଣ ଭାଳେଣି ପଡ଼ିବ ? ଯେମିତି, କଥାରେ କହନ୍ତି, ସେ ଇଂରେଜ ବୋଲି ସିନା ବାଘ ବକ୍ରୀଙ୍କୁ ଏକା ଘାଟରେ ପାଣି ପିଆଉଥିଲେ ଆଉ କିଏ ପାରିବ ?’’

 

ଶଶୀ ବାବୁ କହିଲେ, ‘‘ମୁଁ ସେକଥା କହୁ ନାହିଁ ।’’

 

‘‘ଭାବନ୍ତୁ ବି ନାହିଁ ମନରେ’’, ବିନୋଦ କହିଲା, ‘‘ସରକାର ଥିଲା, ସରକାର ରହିବ, ଶାସକମାନେ ଶାସନ ଶୃଙ୍ଖଳା, ଆଇନ୍ କାନୁନ୍, ତାକୁ କେମିତି ଲୋକେ ମାନିବେ ସେଥିପାଇଁ ସବୁ ବ୍ୟବସ୍ଥା, ସେସବୁ ରହିବ ହିଁ । ଦୁଷ୍ଟ ଲୋକ ଖସିଯାଇ ପାରିବ ନାହିଁ । ସେଇଟା ଥିଲା ବିଦେଶୀ ସରକାର, ଏଇଟା ଯେ ଆମ ଲୋକଙ୍କ ନିଜ ସରକାର, ୟା ମାଲିକ୍ ଲୋକେ । ଶାସନ ବ୍ୟବସ୍ଥା ତ ଆହୁରି ବଢ଼ିଆ କରାଯିବ, ଆମ ଲୋକଙ୍କୁ କଣ ଦରକାର ସେ କଥା ସିନା ଆମ ଲୋକେ ଜାଣନ୍ତି ଯେ ସେହି ଅନୁସାରେ ସବୁ ବ୍ୟବସ୍ଥା କରିବେ, ବିଦେଶୀକୁ କଣ ଜଣା ?’’

 

ଶଶୀ ମିଶ୍ର କହିଲେ, ‘‘ଦେଶଯାକ ଲୋକଙ୍କର ସେଇଆ ସବୁ ଆଶା ଆଜ୍ଞା, ସମସ୍ତିଙ୍କର ସେଇ ଆଶା । ଆଗରୁ କାଳ କାଳକେ ସେଇ ଆଶା ବି ଲୋକେ କରୁଥିଲେ, ହୋ’ ଅନାଦି କାଳ ହେଲା, ସକଳ ରାଇଜରେ, ଯୁଗେ ଯୁଗେ ଯେ ଏ ପୃଥ୍ୱୀଟାଯାକ ଏମିତି ସ୍ଥାନଟିଏ ହୋଇଥାଉ ଯେଉଁଠି ଅଭାବ, ଦୁଃଖ, ଅଶାନ୍ତି, ଭୟ, ଆଶଙ୍କା, କିଛି ନ ଥାଉ କାହାରି ପାଇଁ । କେହି ଅନ୍ୟ କାହାରିକି ହରକତ ନ କରୁ । ସେମିତି କରିବି ବୋଲି କେହି ହାତ ବଢ଼ୋଉ ବଢ଼ୋଉ ତା’ ହାତ ବନ୍ଦ କରାହେବ । ଦୁଷ୍ଟକୁ ଦଣ୍ଡ, ଦୁଷ୍ଟ ନିବାରଣ ହେଲା ଭଗବାନଙ୍କର ଆଗ କାମ । ପାଗ, ଭାଗ୍ୟ, ଫସଲ, ଗୋରୁ, ବୃତ୍ତି, ଉପୁଜାଣ, ଅର୍ଜନ, ସ୍ୱାସ୍ଥ୍ୟ, ବଳ, ସନ୍ତାନ, ଶିରୀ, ସମୃଦ୍ଧି ସବୁ ଭଲଥାଉ, ଲୋକେ ସୁଖ ଶାନ୍ତିରେ ଥାଉନ୍ତୁ । ସବୁବେଳେ ଆନନ୍ଦ ପାଆନ୍ତୁ, ଭଗବାନ ନର ଅବତାର ହୋଇ ଲୀଳା ଦେଖାଇଲା ବେଳେ ବି ଲୋକେ ସେଇଆ ଆଶା କରିଛନ୍ତି, ମହା ଧାର୍ମିକ ଦୟାଳୁ ରାଜାମାନଙ୍କ ଥାଇତାରେ ବି ସେଇଆ ହେଉ ବି ଆଶା କରିଛନ୍ତି, ସମସ୍ତେ ବିପଦରେ ପଡ଼ିଥିଲା ବେଳେ ଦୁଃଖରେ ପଡ଼ିଥିଲା ବେଳେ ବି ତ ସହଜେ ।’’

 

‘‘ହଁ ଯେ,–କାରଣ ଥିଲା ତ ଆଶା କଲେ ସେ ଗୋଟାଏ କଥା, ନଇଲେ ତ ଅଳସୁଆ ସ୍ୱପ୍ନ ଦେଖିଲା ଭଳି–’’

 

‘‘ଠିକ୍ କହିଲେ, ଠିକ୍ କହିଲେ,–’’ ଉତ୍ସାହରେ ତେଜି ଉଠିଲେ ଶଶୀ ମିଶ୍ର, ‘‘ସେଇ ଯେଉଁ କାରଣଟା, ଅସଲ ସେଇଆ, ସେ କଣ ସହଜ ପଡ଼ିଛି ? ଆଗ ଦରକାର ଇଚ୍ଛାମୟଙ୍କ ଇଚ୍ଛା, ତାଙ୍କ ଦୟା, ସେ ଆମ ହାତରେ ନାହିଁ, କାହାରି ହାତରେ ନାହିଁ । ଏ ପଟୁ ମଣିଷଙ୍କ ଆଡ଼ୁ ଦରକାର–ସତ୍ ବିଚାର, ସତ୍ କାମ, ନିଜ ଦୋଷ ତ୍ରୁଟି ସୁଧାରିବାକୁ ଆପ୍ରାଣ ଉଦ୍ୟମ, ବର୍ଷ ବର୍ଷ ଯାଏ ସେଥିପାଇଁ ସମସ୍ତେ ଲାଗି ରହିଥିଲେ ଭଗବାନଙ୍କ ଦୟା ମିଳିବ, ସେଉଠୁ ଯୁଗ ବଦଳିବ । ନ ହେଲେ, କେତେବେଳେ ଏଠି ଟିକିଏ ତାଳି, ସେଠି ଟିକିଏ ତାଳି, ସେ କିଛି କାମକୁ ପାଏ ? ସ୍ୱାଧୀନତା ଆସିଲା, କେଡ଼େ କଥା ହେଲା ! ୟା ସଙ୍ଗେ ସଙ୍ଗେ ହାଓ୍ୱାଟା ବଦଳନ୍ତା କି !’’

 

‘‘ବଦଳିବ, ବଦଳିବ, ବିଶ୍ୱାସ କରନ୍ତୁ ।’’ ବିନୋଦ କହିଲା ।

 

ହଠାତ୍ ଦିହେ ତୁନି ହୋଇଗଲେ । ଆସିଗଲା ସେମିତି ଗୋଟିଏ ନିଶ୍ଚଳ ମୁହୂର୍ତ୍ତ ଯେତେବେଳେ ଜଣକରୁ ବେଶି ମଣିଷ ଏକା ଜାଗାକେ ପାଖ ପାଖ ଥାଇ ତୁଣ୍ଡ ନ ଫିଟାଇ ସତେ ଯେପରି ଏକା ସ୍ୱପ୍ନରେ ଲୀନ ହୋଇଯାଆନ୍ତି । ଭାଷା ସେଠି ପହଞ୍ଚେ ନାହିଁ । ଊଣେଇଶ ଶହ ସତ୍‌ଚାଳିଶି ଅଗଷ୍ଟ ପନ୍ଦର ରାତି ଆଣିଥିଲା ଆଶା ଓ ବଦ୍‌ବେଗ, କୁହା ଓ ଅକୁହା, କେତେ ଅନ୍ତରକୁ ଏକାଠି ଯୋଡ଼ିଥିଲା । କିଏ ଶଶୀ ମିଶ୍ର, ବୁଢ଼ା ଶିକ୍ଷକଟିଏ, କିଏ ବିନୋଦ ଦାସ, ଜଣେ ଯୁବକ ପ୍ରଶାସନିକ କର୍ମଚାରୀ, କିଏ କେଉଁଠିକାର, ଚାକିରି କରିବାକୁ ଆସି ଠାଏ ଥିବାଯାକେ ଚିହ୍ନା ଜଣା, ସେତିକି କିନ୍ତୁ ସେହି ମୁହୂର୍ତ୍ତକ ପାଇଁ ଦିହେଁ ଆପଣାକୁ ଭୁଲି ତରଳି ଯାଇଥିଲେ, ମିଶି ଯାଇଥିଲେ, ପରସ୍ପରକୁ ଆଦରି ନେଇଥିଲେ ସତେ ଯେମିତି ଜୀବନଯାକର ସଂପର୍କ । ତା’ ପରେ ସେ ମୁହୂର୍ତ୍ତ ଚାଲିଗଲା, ନିଜ ନିଜର ଅଲଗା ଅସ୍ତିତ୍ୱ ଲେଉଟି ଆସୁଥିଲା, ଦୁହେଁ ଏକା ସଂଗରେ ଅନୁଭବ କଲେ ସେ ରାତିରେ ଜଳୁଥିବା ମାଳମାଳ ଦୀପର ଆଲୁଅକୁ ।

 

ଶଶୀମିଶ୍ର କହିଲେ, ‘‘ଯାଏଁ ଆଜ୍ଞା ।’’

 

‘‘ଅଟକେଇ ଦେଲି । କେତେ ଦୁଃଖ ସୁଖ ହେଲେଁ,’’ ବିନୋଦ କହିଲା, ‘‘ଟିକିଏ ରହନ୍ତୁ–ହେଇ ଜଗୁ, ଉଠିଲେ ଯେ’’– । ତାରଚ ପରାସୀ ଜଗୁ ପାଆକିଆ ଲଡ଼ୁ ପାଞ୍ଚୋଟି ଗୋଟିଏ ଜାଗାରେ ଘେନି ଆସି ଶଶୀମିଶ୍ରଙ୍କୁ ବଢ଼ାଇ ଦେଇ କହିଲା ‘‘ଆଜ୍ଞା, ପିଲାଙ୍କ ପାଇଁ ମା’ ପଠାଇଦେଲେ ।’’

 

‘‘ଏଡ଼େ ଏଡ଼େ ଲଡ଼ୁ । ଏତେ ! ହଉ ହଉ, ଆଶୀର୍ବାଦ କରୁଛି । ଭଗବାନ ସବୁ ବିଷୟରେ ଏ ପରିବାରର ମଙ୍ଗଳ କରିଥାନ୍ତୁ’’, ଗଦ୍‌ଗଦ୍ ହୋଇ ସେ କହିଲେ, ‘‘ଆପଣଙ୍କର ସକଳ ମନୋବାଞ୍ଛା ପୂର୍ଣ୍ଣ ହେଉ, ସର୍ବ କୁଶଳ ହୋଇଥାଉ ।’’

 

ଚାଲିଗଲେ ।

 

ସେ ଦିନ ପଛରେ ରହିଯାଇଥାଏ ଯେତେବେଳେ ପ୍ରଥମେ ସେମାନେ ସ୍ୱାଧୀନତା ଆସିଥିବା ଯୋଗୁ ଉତ୍ସବ ପାଳିଥିଲେ । ସାଧାରଣ ନିର୍ବାଚନ ସରିଥାଏ, ମନ୍ତ୍ରୀମାନେ ଦାୟିତ୍ୱ ନେଇ ସାରିଥାନ୍ତି ।

 

ସଲିମ୍ ଆଲି ବଦଳି ହୋଇଛନ୍ତି, ଆସିଛନ୍ତି, ରାଘବ ଚୌଧୁରୀ । ପୁରୁଣା ଏସ୍‌. ଡ଼ି. ଓ ଆବାସର ଖୋଲା ବଗିଚାକୁ ବଡ଼ ରାସ୍ତାରୁ ଉଢ଼ୁଆଳ କରି ଯେଉଁ ଗହଳି ଆମ୍ବତୋଟା ତା’ର ହତା ଭିତରେ ଇଂରେଜ ଅମଳରୁ ଠିଆ ହୋଇଛି, ସେଠି ଖାନ୍ଦାନୀ ଚଢ଼େଇମାନେ ସେମିତି କିଚିରି ମିଚିରି ହେଉଛନ୍ତି, ଯେମିତି ଆଗେ ହେଉଥିଲେ, ଯେମିତି ତାଙ୍କ ପୂର୍ବପୁରୁଷମାନେ ହେଉଥିଲେ, ସେମିତି ସେ ଗଛମାନଙ୍କ ଗଣ୍ଡିରେ ଉଈଧାର ଲାଗିଥାଏ, ଉପରକୁ ଉଠେ, ବର୍ଷାହେଲେ ଧୋଇ ଖସି ପଡ଼ୁଥାଏ ପୁଣି ଉଠୁଥାଏ । ସେମିତି ସେଠି ଗୁଣ୍ଡୁଚି ମୂଷାମାନେ ଦଉଡ଼ ଧାପଡ଼ ଲଗାନ୍ତି; ଯାଉନ୍ତୁ ସଲିମ୍ ଆଲି, ଆସନ୍ତୁ ରାଘବ ଚୌଧୁରୀ ।

 

ବଡ଼ ସଡ଼କରେ ସେମିତି ଆଗପରି ଲାଗି ରହିଛି ଆତଯାତ, ମଣିଷ, ଗୋରୁ, ଶଗଡ଼, ଟ୍ରକ, ବସ ଯେତେ ଯାହା । ଚାଲିଛି ଚାଲିଛି ଚାଲିଛି । ବା କେତେବେଳେ,–ଚାଲି ନାହିଁ, ନାହିଁ, ଫୁଙ୍ଗା ପିଠିଆ ଖାଲି ରାସ୍ତା । ସଲିମ୍ ଆଲି ? ରାଘବ ଚୌଧୁରୀ ! ନିରର୍ଥକ ନା ଗୁଡ଼ାଏ ।

 

କେଉଁଠି କେଉଁ ବସ୍ତି, ଲୋକେ କୁହାକୁହି ହେଲେ, କେଉଁଠି ଗାଁ ଗଣ୍ଡାରେ ଲୋକେ, ବିଲ ଉପରେ, ଗଛମୂଳେ, ହାଟ ବଜାରରେ,–ପଦେ ପଦେ କଥା,–‘‘ହାଃ ସେ ବଡ଼ ଭଲଲୋକ ଥିଲା । ଧର୍ମ ବିଚାର, ପାତର ଅନ୍ତର ନାହିଁ । ମାଗଣା କାହାଠୁ ଶାଗପତ୍ରଟିଏ ନିଏ ନାହିଁ, ଭାରି ନିଷ୍ଠାପର । ତା ଆଖିରେ ବଡ଼ ସାନ ନାହିଁ । ଗରିବ ଦେଖିଲେ ଆଗ ଦୁଃଖ ବୁଝେ । ଗୁହାରିଟିଏ କାନରେ ପଡ଼ିଲେ ଥିରି ହୋଇ ବସେ ନାହିଁ । ପାଣି କାଦୁଅ କଣ୍ଟା ଝଣ୍ଟା ମାନେ ନାହିଁ, ଲୋକଙ୍କ ଭଲ କରିବାକୁ ଧାଇଁଯାଏ ।’’

 

କେତେ କେତେ ଗୁଣ ବର୍ଣ୍ଣନା, ଯେ ଯେଉଁଟା ଜାଣେ । ତୁଳନା ପଡ଼େ । କେହି କେହି ବୁଢ଼ା ଲୋକ କହନ୍ତି, ‘‘ଦି କୋଡ଼ି ବର୍ଷ ତଳେ ଏମିତି ଆସିଥିଲେ ଆଉ ଜଣେ, ଶତ୍ରୁଘ୍ନ ଦାସ, ବ୍ରାହ୍ମଣ, ଆଉ କେହି ଆସି ନାହାନ୍ତି ।’’

 

ସେମାନଙ୍କ ଟୁପୁରୁ ଟାପୁରୁ ଖବର କାଗଜକୁ ଯାଏ ନାହିଁ, ଯେମିତି ଯାଏ ନାହିଁ ସେମାନଙ୍କ ଦୀର୍ଘ ନିଶ୍ୱାସର ଶବ୍ଦ, କଥା କଥା, ନିଶ୍ୱାସ ନିଶ୍ୱାସ, ପବନରେ ମିଳେଇଯାଏ । ଖବର କାଗଜରେ କାହା ଜୀବନ ମରଣର ଆଉ ଯେତେ ଯାହା ଖବର ବି ବାହାରେ, ଛାପିବା ବିଧି ବୋଲି ଭାବି ଖବର କାଗଜ ଛାପେ, ସଂପୃକ୍ତ ଅଳ୍ପ କାହା କାହା ଛଡ଼ା ଆଉ କେହି ମନେ ରଖନ୍ତି କ୍ୱଚିତ୍ ।

 

ସଲିମ୍ ଆଲିଙ୍କ ବିଷୟରେ ଅନ୍ୟତ୍ର ଭିନେ ଆଲୋଚନା ବି ହୋଇଥିଲା, କେତେ ବ୍ୟବସାୟୀ, ବଡ଼ ବଡ଼ ଜମି ମାଲିକ, ମହାଜନ, ଅନ୍ୟ କେଉଁ ଧନୀ କି ପ୍ରତାପୀ ଲୋକ ସ୍ୱାଧୀନ ଭାବେ ମତ ଦେଇଥିଲେ–‘‘ଓହୋ କଣ୍ଟା ଗଲା । ପୋତା ମୁହାଁ ଭାରି ଜଣେ, ସତେ ଯେମିତି ଏଇ ଏକୁଟିଆ ସଂସାରଟାକୁ ଟେକି ଧରିଛନ୍ତି । ଏତେଲୋକ ଆସୁଛନ୍ତି ଯାଉଛନ୍ତି, କେହି ପାଟି ଫିଟେଇ ନାହାନ୍ତି, ୟାଙ୍କରି ଯେମିତି କି ନୂଆ ଆଇନ । ଯା ଏଥର । ଯା କୋରାପୁଟ ପାହାଡ଼ ଗଣୁଥା, ବାଘଭାଲୁଙ୍କ ଉପରେ ଆଇନ ଜାରି କରୁଥା ।’’

 

ସେମାନଙ୍କ ପାଟି ବହୁତ ଦୂରକୁ ଶୁଭେ ।

 

‘‘ଆଉ ଏ ରାଘବ ଚୌଧୁରୀ ନା–ଦେଖିବ ରଇଥା । ଯେତେହେଲେ ରାଜାଘର ପିଲା । ଆରେ, ଜମିଦାର କିଏ, ରାଜା କିଏ ? ଶୁଣିଛୁଁ, ଆଗେଥିଲା ରାଜାଘର ପରି ଘର, ନଥାଉ ଏବେ । ଏଁ ? ଜାତିରେ ତେଲି ? ଜାତିରେ କି ଥାଏ ? ତେଲି ଜାତିରେ ବହୁତ ବଡ଼ ବଡ଼ ବ୍ୟବସାୟୀ । ଏଁ-? ଶୁଣ୍ଢି ? ସେ ତ ଆହୁରି, ନାଁ ଡାକ ମହାଜନମାନେ, ଶହ ଶହ ମାଣ ଜମି । କଣ କହିଲ-? ବ୍ରାହ୍ମଣ ? ନ ହେବ କାହିଁକି ? ଚୌଦପୁରୁଷି ଜମିଦାର ଘରମାନ ସେହି ପଦବୀ ପାଇ ଅଛନ୍ତି-। ଅଛନ୍ତି କରଣ, ଖଣ୍ଡାଏତ, ଛାଡ଼ ସେ ଜାତିଫାତି, ୟେ କେଉଁ ଜାତିଆଣ ମଣ୍ଡଳି ସଭା ବସିଛି ନା କଣ ? ଅସଲ ଯେ ଦେଖ ମଣିଷଟା କେମିତି । ନ ଆସୁଣୁ ତାଙ୍କ ଗୁଣ ପବନରେ ଉଡ଼ି ଉଡ଼ି ଆସିଥିଲେ, ଯେମିତି ଖାଇବା ଲୋକ ସେମିତି ଖାଇବା ଲୋକ । ଦିଅ, ନିଅ । ଦିଅ, ନିଅ-। ଦେଣ ନେଣର ସଂସାର ଚାଲିଛି । ଆଉ, ବାଣ୍ଟିକୁଣ୍ଟି ଖାଅ, ତା’ ମାନେ ଖାଅ, ଖୁଆଅ । ଖାଲି ଖାଇଗଲେ ହେବ ରାକ୍ଷସ । ଖାଲି ଖୁଆଉ ଥିଲେ ଖପ୍ତି ହୋଇ ସର୍ବନାଶ ହେବ । ସବୁଠି ମାନ୍ୟଗଣ୍ୟ ଲୋକେ ଯଶ ଗାଉଛନ୍ତି । ଉପରୋଧ ରଖେ । ବଡଲୋକର ଇଜ୍ଜତ ରଖେ । ବେପାରୀଙ୍କି ସୁବିଧା ଦିଏ-। ସେମିତି, ତଳିଆ ଲୋକଙ୍କୁ । ସମସ୍ତେ ଅର୍ଜ ଦି ପଇସା । ଖାଅ । ବେପାରୀ ଧନ ଅର୍ଜିବା ବାଟରେ ତେମେ କଣ୍ଟା ଛାଟିଲେ ସେ ବେପାରରେ ଦିପଇସା କରେ କେମିତି ? ତା’ ନ କଲେ ବେପାର ଚଳେଇବ କେମିତି ? ବେପାର ନ ଚଳିଲେ ଦେଶର ଧନ ବଢ଼ିବ କେମିତି, ଭୋକୀ ରଙ୍କୀ ଭିକ ପାଇବେ କାହାଠୁଁ ? ମୂଲିଆ ମୂଲ ପାଇବେ କାହାଠୁଁ ? ରାଘବ ଚୌଧୁରୀ ବୁଝିବା ଲୋକ, ଯେତିକି ଘରର କର୍ତ୍ତା ବୁଝେ । ସବୁ କହୁଥିବ, ଠିକଣା ବୁଝି ଗାଲି ପାରିଦେବ । ଆଖି ବୁଜିଦେବ । କିଛି ଦେଖିନାହିଁ ସେଉଠୁ ଆଖିଖୋଲି ରାମ୍ ରାମ୍ କହି ମାଳା ଗଡ଼େଇବ ।’’

 

ସେମାନେ କର୍ତ୍ତୃପକ୍ଷଙ୍କୁ ଜଣାଇଁ ଦେଇଥିଲେ, ‘‘ରାଘବ ଚୌଧୁରୀ ଆସିଲେ ଯେ, ଜାଣି କଥାଟାଏ କଲ । ସନ୍ତୋଷ ହେଲୁଁ । ଏଥର ସବୁ ଠିକ୍ ଚାଲିବ ।’’

 

ମୋଟାସୋଟା ଡେଙ୍ଗା ଗୋରା ରାଘବ ଚୌଧୁରୀ, ବାରି ହୁଏ ବଡ଼ ମୁଣ୍ଡ, କଳା ମୋଟା ଫ୍ରେମ୍‌ର ଚଷମା ତଳେ ସାନସାନ ଆଖି । କାନ ଉପର ପଟ ମୁଣ୍ଡବାଳ ଧୋବ । ଆସି ପହଞ୍ଚି ଅଫିସରେ ଯୋଗଦେଇ କର୍ମଚାରୀମାନଙ୍କୁ ଅଲଗା ଅଲଗା ଭେଟିଲା ବେଳେ ସୁବିଧା ଦେଖି ହସି ହସି ବୁଝେଇ ଦେଲେ,

 

‘‘ସମସ୍ତେ କହୁଛନ୍ତି ସବୁ ବିଗିଡ଼ି ଯାଇଛି । ମୁଁ ତ ଏବେ ଆସିଲି, ମତେ କି ଜଣା ? ତେବେ, ଏଇ କାମ କରି କରି ତ ବାଳ ପାଚିଲାଣି ଅଡ଼ୁଆ ଥିଲେ ଗନ୍ଧ ବାରି ପାରେଁ ।’’ କହି ଦେଇ ଆଖି ମିଞ୍ଜି ମିଞ୍ଜି କରି କରି ଥରେ ଶ୍ରୋତାର ମୁହଁକୁ ଚଟ୍‌କରି ମୁନିଆଁ ଚାହାଣୀରେ ଅନାଇଁ ଦେଇ ସେ ମୁହଁ ବୁଲାଇ ଦିଅନ୍ତି, ଠୋ ଠୋ ହସନ୍ତି, କହନ୍ତି, ‘‘ଥାଉ, ସେସବୁ ପଛକଥା । ଅଳିଆ ଥିଲେ ସଜାଡ଼ିବା, ଘାଣ୍ଟିବା ନାହିଁ, ଆଉ ଅଳିଆ ନ ହେଉ । ସମସ୍ତେ ନିଜ ନିଜ କାମ କରନ୍ତୁ । ମତେ ବିଶ୍ୱାସ କରନ୍ତୁ, ମତେ ପର ବୋଲି ନ ଭାବନ୍ତୁ । ପୁଣି ହୋ ହୋ ହସ । ପୁଣି କହନ୍ତି, ‘‘ଆମ ଭିତରେ ବୁଝାମଣା ରହିଥାଉ, ନହେଲେ ସମସ୍ତିଙ୍କର ଅସୁବିଧା । ମୁଁ ଜାଣେ, ସମସ୍ତିଙ୍କର ଘର ଦୁଆର, ଦୁଃଖ ସୁଖ ଅଛି, ଅଭାବ ଅସୁବିଧା ଅଛି, ନହେଲେ ଲୋକେ ଚାକିରି କରିବାକୁ ଆସନ୍ତେ ବା କାହିଁକି ?’’ ପୁଣି ? ହୋ ହୋ ହସନ୍ତି । ପୁଣି ବୁଝାନ୍ତି, ‘‘ମଣିଷର ଆଶା ଥାଏ, ଲୋଭ ଥାଏ, ଦୋଷ ଦୁର୍ବଳତା ଥାଏ, ନ ହେଲେ ସେ ତ ମଣିଷ ନ ହୋଇ ଦେବତା ହୋଇଥାନ୍ତା । କିଏ କଣ, କିଏ ତା ଘରେ କେମିତି ମୁଁ ସେ ବିଷୟରେ ମୁଣ୍ଡ ଖେଳେଇବାକୁ ଯାଉନାହିଁ । କିନ୍ତୁ କାମ ଠିକ୍ ଚାଲିଥିବ, କାଗଜପତ୍ର ସବୁ ଠିକ୍ ଥିବ । ଦାଣ୍ଡର କେହି ଯେମିତି ଦୋଷ ନ ବାଛେ, ଅପବାଦ ନ ରଟେ । ଦାଣ୍ଡକୁ ସମସ୍ତେ ଜଗିଥିବଟି । ୟେ ହେଲା ଆମରି ଦେଶର ସରକାର, ଧର,–ଦାଣ୍ଡଲୋକଙ୍କ ସରକାର, ଲଗାମ୍ ରହିଥିବ ମନ୍ତ୍ରୀମାନଙ୍କ ହାତରେ, ଆଗପରି ଆଉ ମୋଟେ ନୁହଁଟି-! ସବୁ କଥା ଜାଣି ଯଦି କେହି ମତେ ବଦନାମ୍ କରେଇବ, ତାକୁ ଭଗବାନ୍ ବି ସାହା ହେବେ ନାହିଁ-। ମୁଁ କହେ,–ବାବା, ତମ ଗୁଣ ତମଠିଁ ଥାଉ, ଗୁମର ବି ଥାଉ, ମତେ ସେଗୁଡ଼ା, କହନା, ମୁଁ ବହୁତ ଦେଖିଛି, ତୁମେ ଜଗି ରଖି ଚଳ ।’’ ଟିକିଏ ଗୁମ୍ ହୋଇ ଯାଆନ୍ତି ।

 

ପଥରା ଲାଗେ, ସେ କାହାରି ନୁହନ୍ତି ।

 

ପ୍ରତି ତଳିଆ କର୍ମଚାରୀଙ୍କୁ ତାଙ୍କର ସେହି ଏକା ଭଙ୍ଗୀରେ ଏକା ଉପଦେଶ ।

 

ଅଫିସରେ କଚିରି ଇଜ୍‍ଲାସରେ ଦିଶିଲା ଗମ୍ଭୀର ହୋଇ ବସି ସେ ମକଦ୍ଦମା ବିଚାର କରୁଛନ୍ତି । କଣ ସେବ ଭାବୁଛନ୍ତି ତା ତାଙ୍କ ମୁହଁକୁ ଦେଖି ଜାଣିହେବ ନାହିଁ । ସେ ମୁହଁର ଭଙ୍ଗୀ ଅପର ମଣିଷକୁ ଦୂରେଇ ରଖେ, ବୁଝାଇ ଦିଏ, ତୁମ ମୋ ଭିତରେ ବାଡ଼ ଅଛି, ମୁଁ କାହାରି ନୁହେ । ସେ ଭଙ୍ଗୀ ପୁରୁଣା ଅମଳର ମୁଖାଟିଏ, ବହୁକାଳୁ ସେହି ଏକା ପ୍ରକାର । ଇଜ୍‍ଲାସରୁ ଉଠି ‘ଖାସ୍–କାମ୍ରା’ରେ ପଶିଲେ ଲୋକଦେଖି ଗଳେଇ ପକାଇବାକୁ କେତେ ବେଳେ ସେ ମୁଖା କେତେବେଳେ ଅନ୍ୟମୁଖା ଥାଏ । ଅନ୍ୟ କେତେ କେତେ ବେଳେ, ଯେତେବେଳେ ଭିତରେ ପଶିବାକୁ କାହାରିକି ଅନୁମତି ନ ଥାଏ, ଏକୁଟିଆ ଥାଆନ୍ତି । ଅଥବା ଏପରି କେହି ଥାନ୍ତି ଯାହାଙ୍କ ସଂଗେ ଆତ୍ମୀୟତା କରିବାକୁ ତାଙ୍କର ଇଚ୍ଛା ହୁଏ, ସେତେବେଳେ ଯେପରିକି ଜଣେ ଖୋଲା, ଅଖଳା, ସହଜ, ସ୍ୱାଭାବିକ ଲୋକ । ସେତେବେଳେ ଥରେ ଥରେ ସେ ଦେହରୁ ଗେଞ୍ଜି ବି ଓହ୍ଲେଇ ପକାଇଥାନ୍ତି । ପିନ୍ଧିଥାନ୍ତି ଖାଲି ଗୋଟାଏ ଅଣ୍ଡରଓ୍ୱାୟାର । ପିଆଜି ପକୋଡ଼ି ମଗାଇ ଚୋବାଉ ଥାନ୍ତି, ଚା ପିଉଥାନ୍ତି, ହସି ହସି କଥା କହୁଥାନ୍ତି । କିନ୍ତୁ ଅଫିସ୍‌ର ଖାସ୍–କାମ୍ରାରେ ଅତି ଅଳ୍ପଥର ସେଭଳି ସ୍ୱାଭାବିକ ହେବାକୁ ତାଙ୍କର ଯୋଗ ପଡ଼େ ।

 

ସେପରି ବେଶି ଯୋଗ ପଡ଼େ ତାଙ୍କ ବସାରେ ‘ଭିତିରି ବୈଠକଖାନା’ରେ । ବସାରେ ତାଙ୍କର ତିନୋଟି ବୈଠକଖାନା, ଗୋଟିଏ ତ ସାଧାରଣ ଗୃହସ୍ଥର ବାସର ବୈଠକଖାନା, ସଂପୂର୍ଣ୍ଣ ବେ–ସରକାରୀ, ନିଜେ, ନିଜ ପରିବାରର ଲୋକେ, ବନ୍ଧୁ ବାନ୍ଧବ ସେଠି ବସାଉଠା କରନ୍ତି । ସରକାରୀ ଲୋକ ହେଲେ ସୁଦ୍ଧା କାହାକୁ ବିଶିଷ୍ଟ ଭାବି ଆତ୍ମୀୟଭଳି ଅତିଥି ଚର୍ଚ୍ଚା କରିବା ଦରକାର ପଡ଼ିଲେ ବି ସେ ବଖରାକୁ ବ୍ୟବହାର କରାଯାଇଥାଏ । ସିଧାସଳଖେ ସେ ଘରକୁ ପଶି ହେବ ନାହିଁ, ମଝିରେ କାଠପର୍ଦ୍ଦା ଲାଗିଛି । ଆଉ ଗୋଟିଏ ଯେ ସେ ଅଫିସ୍‌ଘର, ମେଲା ଫର୍‌ଚା, ସରକାରୀ କର୍ମଚାରୀ, ଏସ୍. ଡ଼ି. ଓ. ବୋଲି କାମଥାଇ ଭେଟିବାକୁ ଆସିଥିବା ବେ–ସରକାରୀ ଲୋକେ ସେହି ବଖରାଟି ସଙ୍ଗେ ଖୁବ୍ ଚିହ୍ନା ପରିଚ, ବେଳେବେଳେ ସେହି ବଖରାରୁ କାହାରିକୁ ଡକାହୁଏ ଆଉ ଗୋଟିଏ ବଖରାକୁ । ଅଫିସଘର ପାଖ ପିଣ୍ଡାରୁ ଗୋଟାଏ କବାଟବାଟେ ପଶିଗଲେ ଗୋଟିଏ ସାନ କନ୍ଦି, ଯୋଡ଼ିଏ ସାନ ବଖରାର ତିନିପଟେ ସେ ଢେର ବୁଲିଛି, ତା ସେକରେ ଘରର ଉଚ୍ଚ ପାଚିରି । ସେହି ଗୋଟିକୁ ‘‘ଭିତିରି ବୈଠକଖାନା’’, ତାର ଯୋଡ଼ିଏ ଦୁଆର ମୁହଁ, ଗୋଟିଏ ତ’ ପଦାରୁ ଆସି ଭିତରେ ପଶିବାକୁ, ଗୋଟିଏ ବାସଗୃହ ଭିତରକୁ । ଜଣାନାହିଁ, କାହିଁକି ସେ ବଖରାଟି ତିଆରି ହୋଇଥିଲା । ସେ ଗୋଟିଏ ‘କୁଣିଆ ରହିବାଘର’ ହୋଇପାରେ, ‘ରୋଗୀ ରହିବା ଘର’ ହୋଇପାରେ, ଯେ କୌଣସି ଦରକାରରେ ଆସିଲା ଭଳି ଗୋଟିଏ ବଳକା ବଖରା ହୋଇପାରେ । କିନ୍ତୁ ରାଘବ ଚୌଧୁରୀ ତାକୁ ବ୍ୟବହାର କରୁଥିଲେ ସେଠି ଗୋପନୀୟ ସରକାରୀ କାର୍ଯ୍ୟର ଲେଖାଲେଖି କରିବାକୁ । କେତେବେଳେ ଷ୍ଟେନୋଗ୍ରାଫର୍ ବାବୁଙ୍କୁପାଖରେ ବସାଇ ମକଦ୍ଦମା ନଥି ପଢ଼ି ପଢ଼ି ତାଙ୍କୁ ରାୟ ଡାକି ଦେବାକୁ । ସରକାରୀ ଲୋକ ହେଉନ୍ତୁ କି ବେସରକାରୀ ଲୋକ ହେଉନ୍ତୁ, କେତେବେଳେ କାହା ସଂଗେ ଗୋପନୀୟ କଥା ଭାଷା ହେବାକୁ ବା ଘରୋଇ କଥା ପକାଇବାକୁ ଯାହାକୁ ସେ ପଦାରେ ପ୍ରକାଶ କରିବାକୁ ଚାହାନ୍ତି ନାହିଁ ।

 

ସରକାରୀ ଲୋକଙ୍କ ଭିତରୁ ସେହି ବଖରାକୁ ଡକରା ହୋଇ ପଶିଯାଆନ୍ତି । ସାଧାରଣତଃ ସହକାରୀ ସିଭିଲ୍ ସପ୍ଲାଇ ଅଫିସର ଗୁଣାକର ସିଂହ, ବା କେତେବେଳେ କେଉଁ ବ୍ୟବସାୟୀ, ଯେମିତି,–ସେବାରାମ, ଚୁଙ୍ଗୀରାମ୍, ଲଖିରାମ୍ ଆଦି କେହି ପଶିଲା ବେଳେ ଆଗ୍ରହରେ ଆଗ୍ରହରେ ଚାଲିଯାଆନ୍ତି, ଲେଉଟି ଆସନ୍ତି ହସ ହସ ହୋଇ ।

 

ରାତି ପ୍ରଥମ ପହର ଗଡ଼ିଗଲେ ହଠାତ୍ କେତେବେଳେ କାହାର ଟ୍ରକ୍ କି କାର୍ ବଙ୍ଗଳା ହତା ଭିତରେ ପଶେ, କେଉଁ ଜିନିଷ ଓହ୍ଲା ହୁଏ, ବୁହାହୋଇ ଭିତରକୁ ଯାଏ । ଅଥବା ଭିତରୁ ଆସି ଗାଡ଼ିରେ ଲଦାହୁଏ, କୁଆଡ଼େ ବାହାରକୁ ଯାଏ ।

 

ବଡ଼ଲୋକ ଘର, ବଡ଼ଲୋକି ଚଳଣି, ବାହାରେ ଜିନିଷ ପତ୍ର ଦର ଯେତେ ବଢ଼ୁ ଅଭାବ ଏଠି ନାହିଁ, ଏ ଘର ଯେମିତି ପ୍ରାଚୁର୍ଯ୍ୟରେ ଫାଟି ପଡ଼ୁଛି । ସ୍ତ୍ରୀ ଓ ପିଲାଏ କାର୍ ଚଢ଼ି ବଜାରକୁ ଗଲେ ଥରଥରକେ ଜାତି ଜାତି ଦାମୀ ଲୁଗାପଟା କିଣି ଆଣନ୍ତି, ବଡ଼ ବଜାରରେ ସେମାନେ କେବଳ ବଡ଼ ବଡ଼ ବ୍ୟବସାୟୀଙ୍କ ଦୋକାନକୁ ହିଁ ଯାନ୍ତି, ବ୍ୟବସାୟୀଙ୍କର ବିକ୍ରି କରି ଦେବାକୁ ହିଁ ଆଗ୍ରହ, ଦାମ୍ ପାଇଁ ବିଲ୍‌ ପଛେ ପଠାହେବ ବୋଲି ଅନୁନୟ କରନ୍ତି । ବସାରେ ନାନା ଓଷା ବାର ପୁଣ୍ୟ ପର୍ବ କରାଯାଏ, ପିଠାପଣା କରି ବଣ୍ଟାଯାଏ । ଯେଉଁମାନଙ୍କୁ ରାଘବ ଚୌଧୁରୀ ବେଶ ଆପଣାର ଭାବୁଛନ୍ତି ବୋଲି ଧାରଣା ଦିଅନ୍ତି ସେମାନେ ତାଙ୍କ ବସାକୁ ଆସିଲେ ସେ ସେମାନଙ୍କୁ ସୁଆଦିଆ ଦାମୀ ଦାମୀ ଖାଦ୍ୟ ବି ଖୁଆନ୍ତି, ଅନେକ ଲୋକଙ୍କୁ ଚା’ ଜଳଖିଆ ଦେବା ତ ତାଙ୍କ ପକ୍ଷରେ ଅତି ସାଧାରଣ କଥା । ତାଙ୍କ ଘରେ କାମ କରୁଥିବା ଚପରାସିମାନେ କୃତଜ୍ଞତାରେ ଅଭିଭୂତ ହେଲାପରି ତାଙ୍କର, ତାଙ୍କ ସ୍ତ୍ରୀଙ୍କର ଉଦାରତା ଓ ବଦାନ୍ୟତା ବିଷୟ ଗାଇ ବୁଲନ୍ତି, ସେମାନେ ପ୍ରଚାର କରନ୍ତି, ରାଘବ ଚୌଧୁରୀ ଖାଲି ସମ୍ମାନ ପାଇଁ ସିନା ଚାକିରି କରିଛନ୍ତି, ଦରମା ପାଇଁ ନୁହେଁ, ତାଙ୍କର ଯେତେ ଖୋଲା ହାତ, ଯେଉଁ ଖର୍ଚ୍ଚ, ସେ ତ ତାଙ୍କ ଘରୁ ଟଙ୍କା ଆଣି ଆଣି ଚାକିରିଗାଁରେ ଖର୍ଚ୍ଚ କରନ୍ତି, ଦରମା ତ ହାତକୁ ଆସୁ ଆସୁ ଉଡ଼ିଯାଏ ।

 

ଅଫିସ୍‌ର ଯେଉଁ କେତେଜଣ ଉପରେ ପଡ଼ି ରାଘବ ଚୌଧୁରୀଙ୍କ ମହିମା ଗାଇ ବୁଲୁଥିଲେ ତା ଭିତରେ ଆଗୁସାର ଥିଲେ ଗୁଣାକର ସିଂହ, ଆସିଷ୍ଟାଣ୍ଟ୍‍ ସିଭିଲ୍ ସପ୍ଲାଇ ଅଫିସର୍ । ସେ କହନ୍ତି, ‘‘ପ୍ରକୃତରେ, ସପ୍ଲାଇ କାମ ୟେ ଯେପରି ବୁଝନ୍ତି ଆଉ କେହି ସେହିପରି ବୁଝିବାର ମତେ ଜଣାନାହିଁ । କଥା କହୁ କହୁ ଚଟ୍ ସେ ସବୁ ବୁଝି ନେବେ । ଫଇସଲା ତ ଆଖିପିଛୁଡ଼ାକେ । ଏଡ଼େ କାର୍ଯ୍ୟଦକ୍ଷ ଯୋଗ୍ୟ ଲୋକ ମୁଁ କେଉଁଠି ଦେଖିନାହିଁ । ପାତିଆ ପରି ନହନହକା ମଣିଷଟିଏ ଗୁଣାକର, ଗୋରା, ଡେଙ୍ଗା, ବଡ଼ ବଡ଼ ଆଖି, ସେ ଆଖିର ଚାହାଣି ବୁଝିହୁଏ ନାହିଁ । ପାତଳ ଓଠରେ ଧାରେ ବାଙ୍କ ହସ, ଦିଶିଯାଏ, ଆଖି ମିଟିମିଟି ହୁଏ, ପୁଣି ଉଭେଇ ଯାଏ, ଆଖି ବି ଥମ୍ବିଯାଏ । ମୁହଁର ଭଙ୍ଗୀ କେତେ ବେଳେ ଭାବିଲା ପରି, ବେଶି ବେଳ ତରଳି ତରଳି ରହିଲା ପରି-। ନାଲିଚା ନାଲିଚା ବଡ଼ ବଡ଼ କାନ, ଠେକୁଆ କାନପରି ଠିଆକାନ । ବିରୁଡ଼ି–ଅଣ୍ଟା, କ୍ଷିପ୍ରଗତି, କିନ୍ତୁ ପାହୁଣ୍ଡ ସଳଖ ଓ ସମାନ । ସେ ଏକୁଟିଆ ଥାଆନ୍ତି, ତେଣୁ ଅନ୍ତତଃ ଦୁଇମାସରେ ଥରେ ସେ ଅଳ୍ପ ଦିନ ପାଇଁ ଛୁଟି ନେଇ ଦୂରଜିଲ୍ଲାରେ ତାଙ୍କ ଘରକୁ ଯାଆନ୍ତି । କାହାର କେତେବେଳେ କିଛି ବଳକା ଚିନି କି ସୁଜି କି କିରାସିନି କି ଆଉ କେଉଁ କଣ୍ଟ୍ରୋଲ୍‌ଦ୍ରବ୍ୟ ଦରକାର, କାହାର କେଉଁଠିକି ଯିବାକୁ ଦରକାର ଖଣ୍ଡେ କାର୍, କଣ ଜିନିଷ ପଠାଇବାକୁ ଦରକାର ଗୋଟିଏ ଟ୍ରକ୍, ବା ସେହିପରି ଆଉକିଛି ସୁବିଧା, କିଛି ଚାନ୍ଦା ଉଠେଇବା ଦରକାର, ଯେଉଁ ଆଡ଼ୁ ହେଉ କିଛି ଆର୍ଥିକ ସୁବିଧା କରାଇଦେବା ଦରକାର, ଗୁଣାକର ସିଂହ ଆଡ଼ ଆଖିରେ ଅନାଇଲେ ହିଁ ହେଲା । ନାନା ସ୍ୱାର୍ଥସିଦ୍ଧି ଲାଗି ତାଙ୍କ ପଛରେ ଗୋଡ଼ାଣିଆ ପଲ ଧାଇଁ ଥାନ୍ତି । ପୁଣି ସେହିମାନେ କହନ୍ତି, ନାନା ଦୁର୍ନୀତିର ମୂଳାଧାର ସେ, କଳାବଜାର, କିଳାପୋତେଇ, ସପ୍ଲାଇ ଆଇନ୍‌ର ନାନା ଖିଲାପ କାମ ତାଙ୍କରି ସାହାଯ୍ୟ ପାଇ ପାଇ ବଢ଼େ, ନିଜେ ସେ ଜଣେ ଭାଲୁ–ଶୋଷା । ଥରେ ସେ ଘରକୁ ଯାଉ ଯାଉ ରେଳରେ ଭଲ୍‌ରେ ତାଙ୍କର ସାନ ବିଛଣାଟିଏ ବଦଳାଇ ଦେଇ ଓହ୍ଲେଇ ପଡ଼ିଲେ, ବିଛଣାଟି ଆଉ ମିଳିଲା ନାହିଁ । ସେ ବହୁତ ଚେଷ୍ଟା କରିଥିଲେ । ଟୁପ୍ ଟାପ୍ ହେଉହେଉ ଗୋଟିଏ ସମ୍ବାଦ ଖେଳିଥିଲା ଯେ ତାଙ୍କ ଶେଯ ଭିତରପଟ ଯାକ ଖାଲି ମାଳ ମାଳ ଶହେଟଙ୍କିଆ ନୋଟ୍ ସିଲେଇ ହୋଇଥିଲା, ତା’ ଉପରେ ଥିଲା ଶେଯଖୋଳ, କୁଆଡ଼େ ତାଙ୍କ ବିଶ୍ୱାସ ଚାକର ଟୋକା ଯୋଗିଆ, ସେହି ଭିତିରି ସମ୍ବାଦ ପ୍ରଚାର କରିଥିଲା । ଘରୁ ଫେରି ପନ୍ଦରଦିନ ରହି ଯୋଗିଆ ବି ବିଦାହେଲା । ତାଙ୍କ ବିରୁଦ୍ଧରେ ମଧୁ ପ୍ରଧାନ କୁଆଡ଼େ ରାଘବ ଚୌଧୁରୀଙ୍କୁ ଅଭିଯୋଗ କରିଥିଲେ । ଚାହିଁଥିଲେ, ତାଙ୍କୁ ବଦଳି କରିବାକୁ ସରକାରଙ୍କୁ ଲେଖାଯାଉ ।

 

‘‘ସେ ଲେଖିବେ ଲେଖନ୍ତୁ,’’ ରାଘବ ଚୌଧୁରୀ କହିଥିଲେ, ‘‘କାହାକୁ କିଏ ମନା କରିଛି-? କିନ୍ତୁ ତାଙ୍କର କୌଣସି ଦୋଷତ୍ରୁଟି ଥିବାର ତ ମୁଁ ଜାଣେ ନାହିଁ କି ମୋ ଦୃଷ୍ଟିରେ ପଡ଼ି ନାହିଁ, ବରଂ ମୁଁ ତାଙ୍କ କାର୍ଯ୍ୟରୁ ଯାହା ଦେଖିଛି, ଏ ସବ୍‌ଡ଼ିଭିଜନର ଗୁରୁଭାର ପାଇଁ ପଡ଼େ ବିଚକ୍ଷଣ କାର୍ଯ୍ୟକୁଶଳ ଦାୟିତ୍ୱସଂପନ୍ନ ଏ କର୍ମଚାରୀଟିଏ ପୁଣି କେଉଁଠୁ ପାଇବା ସମ୍ଭବ ନ ହୋଇ ପାରେ-। ଯେ ଅଭିଯୋଗ କରିବାକୁ ଚାହାନ୍ତି ସେ ତା’ ଲେଖିକରି ଦିଅନ୍ତୁ, ଅଭିଯୋଗ ପ୍ରମାଣ କରାନ୍ତୁ, ତା ହେଲେ ଦୋଷୀ ଦଣ୍ଡ ପାଇବ, ଅଭିଯୋଗ ମିଥ୍ୟାବୋଲି ପ୍ରମାଣିତ ହେଲେ ସେ ନିଜେ ଦଣ୍ଡପାଇବେ-। ନିଜେ ଅଭିଯୋଗ କରି ତା’ ପରିଣାମର ଦାୟିତ୍ୱ ନେବାକୁ ପ୍ରସ୍ତୁତ ନ ଥିଲେ ସେଇଟା ଅଭିଯୋଗ ନୁହେଁ, କୁତ୍ସାରଟନା, ନୀଚକାର୍ଯ୍ୟ, ନିଜେ ବେଆଇନ୍ । ଜଣେ ଯଦି ପ୍ରକୃତରେ ଦୋଷୀ ସେ ଦଣ୍ଡପାଇବା ହିଁ ଉଚିତ, ତାକୁ ବଦଳି କରିଦେଲେ ସମସ୍ୟାର ସମାଧାନ ହେବନାହିଁ ।’’

 

କିଛିଦିନ ପରେ ଗୁଣାକର ସିଂହ ମଧୁସୂଦନ ପ୍ରଧାନଙ୍କୁ ସଡ଼କରେ ଠାଏ ଦିନ ଦିପହରେ ଭେଟିଥିଲେ, ହସି ହସି ଦଣ୍ଡବତ କରିଥିଲେ, କହିଥିଲେ, ‘‘ଗୋଟିଏ ଅନୁରୋଧ ଥିଲା ଆଜ୍ଞା ।’’

 

‘‘ମତେ !’’

 

‘‘ଆଉ ଏଡ଼େ ସଚ୍ଚୋଟ, ନିଷ୍ଠାପର, ଦାୟିତ୍ୱସଂପନ୍ନ ଲୋକ କିଏ ଅଛନ୍ତି ଯେ କାହାକୁ କହିବି ? ଆଜ୍ଞା, ଆପଣ ତ ଦେଖୁଥିବେ ଦିନରାତି ମୁଁ ଲାଗିପଡ଼ିଛି କେମିତି ସପ୍ଲାଇ କ୍ଷେତ୍ରରେ ଦୁର୍ନୀତି ଭ୍ରଷ୍ଟାଚାରର ଚେର ବି ନିର୍ମୂଳ ହେବ । ମୁଁ ସିନା ଯାହା ପାରୁଛି କରୁଛି ଆଜ୍ଞା, ଦେଖୁଥିବେ ଅନ୍ୟ ଆଡ଼ ପରି ଏଠି ଅବସ୍ଥା ଅସମ୍ଭାଳ ନାହିଁ । ତଥାପି, ମୋର ସନ୍ଦେହ, ଚୋର ଧରିବାକୁ ଯାହାକୁ ପଠାଯାଉଛି ସେ ଚୋରଠୁଁ ଖାଇ କେତେ ଚୋରି ଲୁଚେଇ ଦେଉଥିବ, ଅସମ୍ଭବ ନୁହେଁ । ଆପଣ ଯଦି ଟିକିଏ କଷ୍ଟ କରନ୍ତେ, ଥୋଡ଼ାଏ ଭ୍ରଷ୍ଟାଚାର ଖୋଳିତାଡ଼ି ବାହାର କରନ୍ତେ, ଏମିତି ଠିକଣା ଠିକଣା ଲୋକଙ୍କ ଦେଖନ୍ତରେ ଯେଉଁମାନେ କି ଚୋରଠୁଁ ପଇସା ଖାଇ ପଛେ ଓଲଟନ୍ତେ ନାହିଁ, କଚିରିରେ ବି ସତ ସତ କହି ଦିଅନ୍ତେ, ଓକିଲ ଜେରାକୁ ଡରନ୍ତେ ନାହିଁ, ତା’ ହେଲେ ପ୍ରକୃତରେ ସବୁ ଚୋରି ଚମାରି ଛତୁ ହୋଇଯାନ୍ତା । ଏଇଟା ଗୋଟାଏ ବଡ଼ ଦେଶ କାମ ଆଜ୍ଞା, କରନ୍ତେ ନାହିଁ ଏତିକି ?’’

 

ମଧୁସୂଦନ କହିଲେ ‘‘ଏ କାମ ପାଇଁ ପରା ସରକାର ଦରମା ଦେଇ କର୍ମଚାରୀ ଖଞ୍ଜି ଦେଇଛି ? ସେମାନେ କାମ ନ କଲେ ତାଙ୍କୁ ତ ବରଖାସ୍ତ କରିବା ଉଚିତ । ଅନ୍ୟଲୋକ ରଖିବା ଉଚିତ । ସେପରି ହେଉନାହିଁ କାହିଁକି ?’’

 

‘‘ସେମାନଙ୍କ ପାଇଁବି ତ କୋର୍ଟ କଚିରି ଅଛି ଆଜ୍ଞା, ନା ନାହିଁ ? ଆପ ପ୍ରମାଣ କରିବାକୁ ପଡ଼ିବ ଯେ ସେମାନେ ତାଙ୍କ କାମ କରିନାହାନ୍ତି । ଆପଣମାନେ ଚୋର ନ ଧରିଲେ ସେଇଟା ପ୍ରମାଣ ହେବ କେମିତି ?

 

ମଧୁସୂଦନ କହିଲେ, ‘‘ସବୁ କାମରେ ଦକ୍ଷତା ସମସ୍ତିଙ୍କର ନ ଥାଏ ଅଜ୍ଞ, ମୁଁ ବା କିବା ମଣିଷ ।’’ ହସିଦେଲେ । ପୁଣି କହିଲେ, ‘‘ନିଜେ ସତ୍ ରହିବାକୁ ଚେଷ୍ଟା କରିବା, ନିଜ ସ୍ୱାର୍ଥକଥା ଭୁଲି ଦଶଜଣଙ୍କର କେମିତି କିଛି ଉପକାର ହେବ ସେଇଆ ଭାବିବା, ସେଇଆ କରିବା, ନିଜ ବିବେକ ଯେପରି କହୁଛି ପରକୁ ସେପରି କିଛି ଉପଦେଶ ଦେବା, ମୋଟାମୋଟିରେ ଏଇଆ ମୋ କାମ ବୋଲି ମୁଁ ଭାବିଛି, କରିପାରିଛି କେତେଦୂର ତା’ ମୁଁ ଜାଣେ ନାହିଁ ।’’

 

ଆଉ, ଅନ୍ୟାୟ ଅନୀତି, ଦୁର୍ନୀତି ଦେଖିଲେ ?’’

‘‘ମୁହଁ ଖୋଲି କହିବା । ଯେ ତା କରୁଛି ତା ପାଖକୁ ଯାଇ ତାକୁ ବୁଝେଇବା, ଯେ ତାକୁ ରୋକିବ ବୋଲି ଦାୟିତ୍ୱ ନେଇଛି ତା ନିଘାକୁ କଥାଟାକୁ ଆଣିବା ଓ ବିହିତ ଉପାୟ କରିବାକୁ ତାକୁ ପରାମର୍ଶ ଦେବା । କିନ୍ତୁ ନିଜେ ଅସନାକୁ ଅଡ଼ୁଆକୁ କାଦୁଅକୁ ନ ଉହ୍ଲେଇବା ନୁହେଁ !’’

ଗୁଣାକର ସିଂହ ହସିଲେ, କହିଲେ ‘‘ମନଖୋଲି କଥା ହଉଥାଇଁ, ଦୋଷ ଧରିବେ ନାହିଁ ଆଜ୍ଞା,–ଯୁକ୍ତିଟା ଆଉ ଟିକିଏ ଲମ୍ବେଇ ଦେଲେ ଏଇଆ ହେବ,–ରାମ ରାମ ରାମ କହି ମୁହଁ ବୁଲେଇ ଦେବା ।’’

‘‘ଭାବୁଛନ୍ତି ବିପଦକୁ ମୁଁ ଡରୁଛି ? ଭୁଲ ଭୁଲ୍, ଭୁଲ୍’’ ମଧୁସୂଦନ ତେଜରେ କହିଲେ ।

‘‘ଆଜ୍ଞା କେଭେ ନୁହେଁ ।’’ ଗୁଣାକର ସିଂହ କହିଲେ, ‘‘ଆପଣମାନେ ଆଗ ଜୀବନକୁ ପାଣି ଛଡ଼େଇ ଦେଇ ସେଉଠୁ ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ । ବିପଦକୁ ଡରନ୍ତି ନାହିଁ । ଡରୁଥିବେ ଅସନାକୁ, ଅପ୍ରିୟତାକୁ, ଜଟିଳତାକୁ, ନିନ୍ଦା ଅପବାଦକୁ, ଆପଣମାନଙ୍କ ପକ୍ଷରେ ବ୍ୟକ୍ତିଗତ ଆତ୍ମିକ ଆନନ୍ଦ ମୂଲ୍ୟବାନ୍, ଶାନ୍ତି ମୂଲ୍ୟବାନ୍, ଇଜ୍ଜତ୍ ମୂଲ୍ୟବାନ । ଯେଉଁମାନେ ଦୁର୍ନୀତି କରି ସୁଖ ପାଆନ୍ତି ତାଙ୍କୁ ଏସବୁ ଶବ୍ଦ ଅଜଣା, ତାଙ୍କ ପାଖେ ଏସବୁ ମୂଲ୍ୟବୋଧ ନିରର୍ଥକ, ତାକୁ ଜବତ୍ କରିବାକୁ କି ଧରିବାକୁ ତାଙ୍କ ସଙ୍ଗେ ଲାଗିଲେ ନିଜ ଇଜ୍ଜତ୍ ନିଜ ଆନନ୍ଦ ଉପରେ ମଇଳା ଛିଟା ପଡ଼ିବା ଆଶଙ୍କା, ବୋଧହୁଏ ସେଇଥିପାଇଁ ଆଡ଼େଇ ରହନ୍ତି ।’’

ମଧୁସୂଦନ କହିଲେ, ‘‘କିନ୍ତୁ ମହାତ୍ମା ଗାନ୍ଧୀ ଶିଖେଇଥିଲେ ମଇଳା ଉଠେଇବାକୁ, ଏଇ ହାତରେ ବାଲ୍‌ଟି ବାଲ୍‌ଟି ଟୋକେଇ ଟୋକେଇ ମଇଳା ଉଠେଇଛି, ସେତେବେଳେ କିଏ ଡରିଛି, ନା ଅସନା ପଲ୍ଲୀ ନିର୍ମଳ କରିବାକୁ ଯାଇ କେହି ନାକ ଟେକିଛି ?’’

 

ଗୁଣାକର ସିଂହ କହିଲେ, ‘‘ଦୁଷ୍ଟ, ଦୁର୍ନୀତି ପରାୟଣ ସଙ୍ଗେ ଲାଗିଲେ ବୋଧହୁଏ, ଅନ୍ତର ଭିତର ଅସନା ଛିଟା ଲାଗୁଥିବ, ଧୋଇଲେ ଯିବ ନାହିଁ । ମୁଁ ଜାଣେ ନାହିଁ ଆପଣ ବୁଝୁଥିବେ-।’’

 

ଗପୁ ଗପୁ ସେମାନେ ନଈପାଖେ ଗୋଟିଏ ଗଛମୂଳ ଛାଇତଳେ ଠିଆ ହୋଇ ଯାଇଥିଲେ, ମଧୁସୂଦନ ପ୍ରଧାନ ଗୋଟିଏ ଗାଁକୁ ଯିବା ବାଟରେ । ହଠାତ୍ ମଧୁସୂଦନ ଗୁଣାକରଙ୍କ ମୁହଁକୁ ଅନାଇଁ ପଚାରିଲେ, ‘‘କିନ୍ତୁ ସିଂହବାବୁ, ଆପଣ ଆପଣମାନଙ୍କ ଦାୟିତ୍ୱ ନିଜେ ନ ତୁଲେଇ ମୋ ଭଳି ଲୋକଙ୍କ ଉପରେ ଲଦିବାକୁ ଲୋଡ଼ୁଛନ୍ତି କାହିଁକି ?’’

 

ଗୁଣାକର ସିଂହ କହିଲେ, ‘‘ଆମେ ଆମ ଦାୟିତ୍ୱ ନ ତୁଲୋଉଛୁ କିଏ କହିଲା ? ଯେ ସେପରି କହିଦେବ, ସେ ସେଇଟା ପ୍ରମାଣ କରିଦେବା ଆଗ ଦରକାର ।’’

 

‘‘କିନ୍ତୁ ଆମ ଉପରେ ଲଦିଦେବାକୁ ଇଛା ତ ? କାହିଁକି ?’’

 

‘‘ଆଜ୍ଞା, ଆଦୌ ସେପରି କଳ୍ପନା ବି ମୋର ନାହିଁ । ମୁଁ କିଏ ଯେ ଆପଣଙ୍କ ଭଳି ନେତୃସ୍ଥାନୀୟ ଲୋକଙ୍କ ଉପରେ ଦାୟିତ୍ୱ ଲଦିବାକୁ ଚାହିଁବି !’’

 

‘‘ତେବେ ଆଉ କଣ ?’’

 

‘‘ବୁଝୋଉଥିଲି, ଯଦି ଆପଣ ଭାବିବେ ଯେ ୟେ ଦାୟିତ୍ୱ ଆପଣଙ୍କର ବି । ପିଲାଟିଏ ଜନ୍ମଦେଲେ । ତାକୁ ଜଗିବାକୁ ଚାକର ରଖିଲେ । ପାଠ ପଢ଼େଇବାକୁ ମାଷ୍ଟର ରଖିଲେ, ଯଦି ଭାବିଲେ ଯେ ସେସବୁ କରିବା ବି ଆଗ ଆପଣଙ୍କ ଦାୟିତ୍ୱ । ହଉ, ଏବେ ବୁଝିଲି, ଆପଣ ଭାବୁଛନ୍ତି ଆପଣଙ୍କର ଅନ୍ୟକାମ ଜରୁରି, ଯେମିତି, ଲୋକଙ୍କୁ ସଦ୍‌ବିଚାର ବଖାଣିବା ଚେତେଇବା । ଆଉ ମୁଁ କହିବି ନାହିଁ ।’’

 

‘‘ଆପଣ ମୋ କଥା ବୁଝିଲେ ନାହିଁ ସିଂହବାବୁ, ଦୋଷ ମୋର, ମୁଁ ବୁଝେଇ ପାରିଲି ନାହିଁ । ନା, ଆଜି ମତେ ବେଳ ହେବ ନାହିଁ । ଆପଣଙ୍କର କେବେ ବେଳ ହେଲେ ଆପଣଙ୍କ ବସାକୁ ଯାଇ ବୁଝେଇବି । ବୁଝେଇବି ନିଶ୍ଚୟ, ଆମ କାମ ବାରମ୍ବାର ବୁଝେଇବା ।’’

 

ଗୁଣାକର ସିଂହ ହାତଯୋଡ଼ି ମୁଣ୍ଡରେ ମାରିଲେ, କହିଲେ ‘‘ଆପଣଙ୍କପରି ଲୋକ ଯାହାଙ୍କ ପାଦତଳୁ ଧୂଳି ନେଇ ମୁଣ୍ଡରେ ବୋଳିଲେ ପୁଣ୍ୟ ହେବ, କେଡ଼େ ସାନ ଲୋକଙ୍କୁ ବିନୟ ଆଉ ଉଦାର ପଣରେ କେଡ଼େ କଥା କହୁଛନ୍ତି ! ଆପଣମାନେ ଦେଶର ନେତା, ମନ ହେଇଚି ଚରଖା ଧରିଛନ୍ତି । ମନ ହ’ନ୍ତା ଶାସନର ମଙ୍ଗ ବି ଧରନ୍ତେ । ଆଉ ଆମେ ଦେଶର ଚାକର, ଦରମାଖିଆଚାକର । ନେତାଏ ମିଟିଂ ମାନଙ୍କରେ ସେଇଆ ବି କହନ୍ତି, ଠିକ୍ ବି କହନ୍ତି । ଆପଣ ହେଇ ବୋଲି ଡାକଟାଏ ମାରିଲେ ଆମପରି ଗଣ୍ଡା ଗଣ୍ଡା ଆପଣଙ୍କ ଗୋଡ଼ ତଳକୁ ଧାଇଁବା କଥା-।’’

 

‘‘ନାଇଁ ନାଇଁ ସେମିତି କହନ୍ତୁ ନାଇଁ, ମୁଁ ଯିବି ଆପଣଙ୍କ ପାଖକୁ, ଆପଣଙ୍କ ବସାକୁ ।’’

 

‘‘ନାଇଁ ଆଜ୍ଞା, ସେଇ ଦୟା ମନଭିତରେ ଥାଉ, ସେତିକି ଥିଲେ ମୁଁ କୃତାର୍ଥ । ମୁଁ ଯେ ଏତେ କଥା ଆପଣଙ୍କୁ କହିଲି, କ୍ଷମା କରିବେ, କିନ୍ତୁ ମୋ ଉଦ୍ଦେଶ୍ୟ ଥିଲା ଯୋଡ଼ିଏ । ଆପଣ ନିଜେ ବୁଝନ୍ତୁ, ମୁଁ ଯେଉଁ କାମ ଦାୟିତ୍ୱରେ ଅଛି ତା’ କେଡ଼େ ହଟହଟିଆ, କେଡ଼େ ଜଞ୍ଜାଳିଆ । ଯେତେ ଖଟିଲେ ଭଲ ବୋଲି କେହି ପଦେ କହିବେ ନାହିଁ । ବେପାରିଙ୍କର ତ ଜାଣି ଆମେ ଶତ୍ରୁ, ସେମାନେ ମନଇଚ୍ଛା ଲୋକଙ୍କ ଉପରେ ଚରିବୁଲନ୍ତେ, ଆମେ ତା କରେଇ ଦବୁ ନାଇଁ । ଲୋକଙ୍କର ବି ଆମପ୍ରତି ସନ୍ଦେହ, ଯେ ସବୁବେଳେ ଏମାନେ ତେଲହାତ କରୁଛନ୍ତି, ୟାଙ୍କ ହାତ କଣ ଚିକ୍‌କଣ ହେଉ ନ ଥିବ ?

Unknown

 

ଆର କଥାଟି ଆହୁରି ଗୁରୁତର । ସ୍ୱାଧୀନତା କେମିତି ଆସିବ ସେଥିପାଇଁ ଆପଣମାନେ ପ୍ରାଣପାତ କରି ଲାଗି ପଡ଼ିଥିଲେ, ଆସି ତ ଗଲା । ସେଉଠୁ, ଗୋଟିଏ ସ୍ୱାଧୀନ ଦେଶକୁ ଶାସନ କରିବାକୁ, ପାଳିବା, ଗଢ଼ିବା, ତାର ସବୁ ଆଡ଼ୁ ବଡ଼ତି କରିବା ଏସବୁ ଯେତେକାମ, ମୁଁ ଦେଖୁଛି ଆପଣମାନଙ୍କ ଭିତରେ ଅସଲ ଲୋକେ ଯେଉଁମାନେ, ପବିତ୍ର, ନିଷ୍ଠାପର, ବୁଦ୍ଧିମାନ୍, କର୍ମଠ, ଅକଳଙ୍କ, ତ୍ୟାଗୀ, ଜନସେବକ,–ସେମାନେ ସେକାମ ନିଜ ହାତକୁ ନେଲେ ନାହିଁ, ଛାଡ଼ି ଦେଲେ ଦରମାଖିଆ କର୍ମଚାରୀ କରିବେ ବୋଲି । ସେ କାମ ବରଗିବା, କରେଇବା, ତଦାରଖ କରିବା ଦାୟିତ୍ୱ ନେଲେ ନାହିଁ, ସେପରି ଦାୟିତ୍ୱ ମାନେ ତ କ୍ଷମତା, ଭାବିଲେ ସେସବୁ କଲେ କ୍ଷମତା ରାଜନୀତିରେ ମାତିବା ହେବ, ତହିଁରେ ନିଜର ଅଧଃପତନ, ତେଣୁ ଅନ୍ୟ ଯେଉଁମାନେ ତାକୁ ହାତକୁ ନେବାକୁ ଧସେଇ ପଶୁଛନ୍ତି, କାମୁଡ଼ା କାମୁଡ଼ି ହେଉଛନ୍ତି, ତାକୁ ନିଅନ୍ତୁ ସେମାନେ, ଆପଣମାନେ ତାକୁ ଛୁଇଁଲେ ନାହିଁ ଛୁଆନ୍ତା ହେବେ ଡରି ।

 

ସାମାନ୍ୟ ଚାକିରିଆଟାଏ ମୁଁ, ମୋ ଉପରର କେହି କର୍ମଚାରୀ କି ପ୍ରତାପୀ ବେ–ସରକାରୀଆ କେହି ମନ କଲେ ମତେ ଏଠୁ ଠେଲି ଦେବ ସେଠିକି, ସେଠୁ ଆଉ କୁଆଡ଼ିକି । ଏ ଚାକିରି ବି ଦିନେ ସରିବ । କିନ୍ତୁ ମଲାଯାକେ ଏ ଦେଶର ହାନି ଲାଭରେ ମୁଁ ବି ତ ଭାଗୀ ହେଉଥିବି-। ସେମିତି ମୋର ଯେତା ଗୋତାଏ ବି ସମସ୍ତେ ।

 

କିନ୍ତୁ ଯାହା କହିଦେଲି, ସେହିକଥା ଭାବି ଭାବି ଭବିଷ୍ୟତକୁ ଦେଖୁଛି, ଆମ ଆଶାଗୁଡ଼ାକ ତ ଆକାଶ ଯେଡ଼ିକି ଉଞ୍ଚ ସେଡ଼ିକି, କିନ୍ତୁ ସ୍ୱାର୍ଥପର ଲୋକଗୁଡ଼ାକ ହାତରେ କେଉଁ କାମଟା ଠିକଣା ବାଗରେ ହେବ ଯେ ଦେଶ ଲୋକଙ୍କର କେଉଁ ଆଶା ପୂରିବ ?’’

 

ମଧୁସୂଦନ ଗୁଣାକରଙ୍କ କାନ୍ଧରେ ହାତପାପୁଲି ଥୋଇଲେ । ହସିଦେଲେ, କହିଲେ, ‘‘ଆପଣ ନିଜେ ତ କିଛି କରି ପାରିବେ ? ତା ହେଲେ ଦେଶପାଇଁ ଆଉ ଭୟ କଣ ? ସେତିକି ଦେଶପ୍ରୀତି ଉନ୍ନତ ଚିନ୍ତା ଅଛି ବୋଲି ତ ଆପଣ ଦେଶକଥା ଏଡ଼େ ଗହୀରରେ ଭାବୁଛନ୍ତି ! ଏମିତି କେଇଜଣ ହେଲେ ତ ହେଲା ।’’

 

ଗୁଣାକର ସିଂହଙ୍କୁ ଲାଗିଲା, ‘ଆଲୋଚନା ବନ୍ଦ ରଖିବାକୁ ସେଇଟା ସଙ୍କେତ । ଦଣ୍ଡବତ ହୋଇ ବିଦାହେଲେ । ମଧୁ ପ୍ରଧାନ ଏକୁଟିଆ ଚାଲିଥାନ୍ତି ସହର ଆଡ଼କୁ ପିଠି କରି ସଡ଼କେ ସଡ଼କେ, ଆପଣା ଚିନ୍ତାରେ ବୁଡ଼ିଥିଲା ପରି ମୁହଁ ।

 

ଗୁଣାକର ସିଂହ ଭାବି ଭାବି ଗଲେ,–ହେଲା କି ନାହିଁ ? ମଧୁସୂଦନ ପ୍ରଧାନଙ୍କର ତାଙ୍କ ପ୍ରତି କି ଭାବ ହେଲା ? ଶେଷରେ ଯାହା କହିଗଲେ, ଲାଗୁଥାଏ ତାଙ୍କପ୍ରତି ମଧୁସୂଦନଙ୍କ ଧାରଣା ଓଲଟି ପଡ଼ିଛି, ଅତି ଉଚ୍ଚ ଧାରଣା ଘେନି ସେ ଯାଇଛନ୍ତି ।

 

‘‘କିନ୍ତୁ ଏପରି ହେବା କଣ ଅସମ୍ଭବ ଯେ ବୁଢ଼ା ଭାରି ଚତୁର, ଓ ଜାଣି ଜାଣି ଅଭିନୟ କରିଗଲା, ମୋ ବିଷୟରେ ଯେଉଁ ଧାରଣା କଲା ତା ବ୍ୟବହାରରେ ତା’ ଓଲ୍‌ଟା ଦେଖେଇଲା ?’’ ସେ କିଛି ଠିକ୍ କରିପାରିଲେ ନାହିଁ ।

 

ସେ ଜାଣିଥିଲେ ଯେ ମଧୁସୂଦନ ପ୍ରଧାନଙ୍କର ରାଜନୈତିକ କ୍ଷମତା ନ ଥିଲା ସତ, କିନ୍ତୁ ସମସ୍ତେ ଜାଣନ୍ତି ସେ ନିର୍ଲୋଭ, ସଚୋଟ, ନିଡ଼ରୁଆ, ଠୋ ଠୋ କରି ସତକଥା କହନ୍ତି, ସେ ଅପବାଦ ଦଦେଲେ ଉପରିସ୍ଥ କର୍ମଚାରୀ ନ ଶୁଣନ୍ତୁ, ପଛେ, ଲୋକେ କୁହାକୁହି ହେବେ, ନିନ୍ଦା ରଟିବ, କେତେବେଳେ ଅନ୍ୟ ଅଡ଼ୁଆ ବି ଲାଗିଯିବ, ତାଙ୍କର କ୍ଷତି ହୋଇପାରେ । କିନ୍ତୁ ବହୁକାଳୁ ସେ ନିଜବାଟ ବାଛି ନେଇଥିଲେ । ନିଜକୁ ବୁଝାଇଲେ, ‘‘ଯାହା ହେବ ହେବ । ଦେଖାଯିବ, ସେପଟେ ପାଞ୍ଚଜଣ ମୋ ବିରୁଦ୍ଧରେ କହିଲେ ଏପଟେ ପଚିଶିଜଣ କହିଲାଭଳି ବାଟ କରାଯିବ । ଡରିଛି କିଏ ?’’

 

ମଧୁସୂଦନ ପ୍ରଧାନ ଆହୁରି ଜଟିଳ ଧନ୍ଦାରେ ପଡ଼ିଥାନ୍ତି । ସେ ସ୍ୱପ୍ନ ଦେଖିଲେ ନା ସତରେ ଦେଖିଲେ ସେମିତି ଭାବଟିଏ ଆସୁଥାଏ, ଚାଲି ଯାଉଥାଏ, ପୁଣି ଆସୁଥାଏ । ଯେମିତି ଅନ୍ଧାର ରାତି ହୋଇଥିଲା, ଝକ୍‌କରି କୁଆଡ଼ୁ ବିଜୁଳି ମାରିଦେଲା, ସେହି ଆଲୁଅରେ ସେ ଗୋଟିଏ ମଣିଷର ଚେହେରା ଦେଖିଲେ, ସେ ଗୁଣାକର ସିଂହ । ପୁଣି ଲାଗୁଥାଏ, ସବୁ ନିଜ ମନର ଭ୍ରମ । ଲୋକଟା ଦୁର୍ନୀତି କରେ, ଦି ହାତରେ ଖାଏ, ହାମୁଡ଼େଇ ପଡ଼ି ଗାଉଁ ଗାଉଁ କରି ଖାଏ ବୋଲି କେତେ କେତେ ଘଟଣା କେତେ ଲୋକଙ୍କଠୁ ସେ ଶୁଣିଛନ୍ତି, କୁଆଡ଼େ ଅନ୍ୟାନ୍ୟ ଭ୍ରଷ୍ଟାଚାର ବି କରେ, କୁଆଡ଼େ ତା’ରି ମୁହଁ ପାଇ କୀଳାପୋତେଇ, କଳାବଜାର, ଜିନିଷ ପତ୍ରର କୃତ୍ରିମ ଅଭାବ, ଅପମିଶ୍ରଣ, ଚଢ଼ାଭାଉ, ସବୁ ପ୍ରକାର ଦୁଷ୍ଟାମି ବ୍ୟାପେ । କିନ୍ତୁ ଲୋକଟା ସଂଗରେ ଏଡ଼େ ଆନ୍ତରିକ କଥାଭାଷା କେବେ ସେ ହୋଇ ନ ଥିଲେ । ‘‘ସେ କେଡ଼େ ବିଦ୍ୱାନ୍, କେଡ଼େ ବୁଦ୍ଧିମାନ୍’’ ‘‘ସେ ଭାବୁଥାନ୍ତି, ‘‘କେଡ଼େ ହୃଦୟବାନ୍ ! ଦେଶର ହିତ ବିଷୟରେ ଆପଣା ଅନ୍ତର ଭିତରେ କେଡ଼େ ଗହୀରରେ ସେ ଚିନ୍ତା କରନ୍ତି । କେଉଁ ନିଷ୍ଠାପର ଦେଶସେବକ ୟାଙ୍କଠୁଁ ବେଶି ଭାବୁଥିବ । କେଡ଼େ ନିର୍ଭୀକ ସ୍ପଷ୍ଟବାଦୀ ଦୂରଦର୍ଶୀ ! ଏପରି ଲୋକ କଣ ପାଷଣ୍ଡଟାଏ ହୋଇଥିବ ?’

 

ଅଥଚ ଲାଗୁଥାଏ, ଲୋକଟି ବିଷୟରେ ସେଭଳି ସରଳ ଉଦାରତା ଓ ନିଷ୍ଠାପରତାର ଧାରଣା ଆଦୌ ଆସୁନାହିଁ, ତାର କଥା ତା ଭାବଭଙ୍ଗୀ ସବୁ ଉହାଡ଼ରେ ଏଭଳି କିଛି ଥିଲା ଯାହା ସେପରି ଧାରଣାକୁ ଅବାସ୍ତବ କରି ଦେଉଥିଲା, ତାକୁ ସାଧୁବୋଲି ଭାବିଲା ବେଳକୁ ଅଶାନ୍ତି ଲାଗୁଥାଏ, ମନଭିତର ଓଲଟି ପଡ଼ୁଥାଏ ।

 

କାହିଁକି ?–ସେ ଭାବୁଥାନ୍ତି, ଧନ୍ଦି ହେଉଥାନ୍ତି, ଆପଣା ସହଜାତ ପ୍ରବୃତ୍ତି ସଂଗେ ଲଢ଼ୁଥାନ୍ତି, ଯେଉଁ ପ୍ରବୃତ୍ତି ତାଙ୍କୁ ଏହି ଧାରଣା ଦେଇଥାଏ ଯେ ସବୁଠିଁ ସମସ୍ତିଙ୍କଠିଁ ଭଲ ହିଁ ଅଛି, ସବୁ ଜିନିଷ ଭଲ ହେବାର କି କଥା କାରଣ ସବୁଠି ଏକ ବ୍ରହ୍ମ ଅଛି, ଯାହା ସବୁ ଭଲପଣର ଶେଷ ଓ ସାର । ସେ ତ ଅଭ୍ୟାସ କରିଥିଲେ, ନିଜଠିଁ ମନ୍ଦକୁ ବାଛି ବାହାର କରିବ, ଶୁଧାରିବ, ପରଠିଁ ଖୋଜି ବାହାର କରିବ ଭଲକୁ ।

 

ଉତ୍ତର ପାଇଲା ଭଳି ଲାଗିଲା–ଯେ ମଣିଷକୁ ତା କଥାଶୁଣି ଚିହ୍ନିହୁଏ ନାହିଁ, ବୁଝାମଣା ନୀରବରେ ହିଁ ଘଟେ, ମଣିଷଟା ନିଜଗୁଣରେ ଅନ୍ୟ ମଣିଷକୁ ବାସେ କି ଗନ୍ଧାଏ । ନାଃ, ଲୋକଟା ମହା ଚାଇଁଆ, ମହା ପାଇଆ, ଯେମିତି ଏ ହାଟରେ କିଣି ସେ ହାଟରେ ବିକିଦେବ, ବଡ଼ ଚତୁରପଣ ଦେଖାଇ କଥା କହୁଥିଲା, ସବୁ ପେଖେନା ।

 

‘‘ପଣସ ଖାଇ ଆମ ମୁଣ୍ଡରେ ଅଠା ବୋଳିବାକୁ ବସିଛି । ଚୁମ୍ବକରେ ଏତିକି କହିଗଲା,–ମୁଁ ଖାଉଚି ତେମେ ଜଗ ।’’

 

ମଧୁସୂଦନ ପ୍ରଧାନ ମନକୁ ମନ ହସିଦେଲେ । ମନେ ମନେ କହୁଥାନ୍ତି ‘‘ଓଃ ! ଚୋର ! ଚୋର ! ଚୋର ! ସ୍ୱାଧିନତା ସତେ କି ନାନା ଛତୁ ଫୁଟିବାପାଇଁ ବର୍ଷା ! ସବୁଆଡ଼େ ସାଲୁବାଲୁ । ୟେଃ !’’

 

ଯେମିତି ତାଙ୍କ ଦେହରେ ଅସନା ପଙ୍କ ନେସି ହୋଇଗଲା । ପୁଣି ଧନ୍ଦି ହେଲେ–‘‘ଲୋକଟା ଅସତ୍ ହୋଇପାରେ କିନ୍ତୁ ତା ଯୁକ୍ତିରେ ଦାମ୍ ତ ଅଛି, ସୌଜନ୍ୟ, ଶିଷ୍ଟତା, ସୁରୁଚି, ନୀତି ଆଦର୍ଶ ଭାବି ଭାବି ସାରଲୋକେ ଅସନାରେ ପଶିବାକୁ କୁଣ୍ଠିତ ହୋଇ ଆଡ଼େଇ ହୋଇ ରହିବେ, ଜନ୍ତୁମାନେ ମନଇଚ୍ଛା ମାତିବେ, ନାଚିବେ, ଦେଶ ଗୋଟାକ ଯାକକୁ ଅମନ୍ଦ କରିବେ !

 

ବୁଝେଇବା, ବାରମ୍ବାର ବୁଝେଇବା,–ଯେମିତି ହୃଦୟ ବଦଳିବ, ଠିକ୍ । କେତେଜଣ ବୁଝନ୍ତି ? କେତେ ଯୁଗଲାଗେ ସେ ପର୍ଯ୍ୟନ୍ତ କଣ ଆସୁରୀଶକ୍ତି ଆହୁରି ନ ବ୍ୟାପି ଅଟକି ରହିଥାଏ-?

 

ଶାସ୍ତ୍ରପୁରାଣରେ ଅଛି, ଅସୁରବଳ ମାତନ୍ତି, ବଡ଼ ବଡ଼ ପ୍ରତାପୀ ଦେବତା ବି ତାଙ୍କ ଚାକର ହୋଇ ପ୍ରାଣରକ୍ଷା କରନ୍ତି, ଅସୁରଙ୍କ ସଙ୍ଗେ ପାରନ୍ତି ନାହିଁ । ଶେଷରେ ସେ ବିଚରାମାନେ ଗୁହାରି କରନ୍ତୁ ବିଷ୍ଣୁ କି ରୁଦ୍ର କି ଦେବୀ ଆଉ କେଉଁ ରୂପରେ ପରମେଶ୍ୱରଙ୍କୁ, ସେ ସେମାନଙ୍କ ଗୁହାରି ଶୁଣନ୍ତି, ତେବେ ଯାଇ ଅସୁର ଶକ୍ତିର ବିନାଶ ହୁଏ ।’’

 

‘‘ତା ହେଲେ ଆମ ଭଳି ଲୋକଙ୍କ ଦ୍ୱାରା କଣ ୟେ ପାପ ବନ୍ଦ କରିବାକୁ କିଛି ହେବ ନାହିଁ, ଖାଲି ଜୁଳୁଜୁଳୁ କରି ଚାହିଁଥିବା, ନ ହେଲେ ପାଟି କରୁଥିବା ?’’ ମଧୁସୂଦନ ପ୍ରଧାନ କ୍ଷୋଭରେ ନିଜକୁ ପଚାରିଲେ । ସେ ଧୀରେଧୀରେ ବାଟ, ଚାଲୁଥାନ୍ତି । ମଝିରେ ମଝିରେ ଦୀର୍ଘନିଶ୍ୱାସ ପକାଉଥାନ୍ତି, ଯେମିତି କେହି ଜଣେ ଯେ ଗୋଟାଏ ଅକଡ଼ିଆ ମକଦ୍ଦମାରେ ଗୁରେଇ ହୋଇ ପଡ଼ିଛି ।

 

ଭାବିଲେ ‘‘କିନ୍ତୁ ଦେଖି ସହି ହେବ ବା କିପରି ? କିନ୍ତୁ ମହାତ୍ମାଗାନ୍ଧୀ କଣ ଅହିଂସା ମାର୍ଗକୁ ଛାଡ଼ିଦେଲେ ? ନାହିଁ ତ ? କିନ୍ତୁ ୟା ବି ତ ସତ, ଯେ ଯେଉଁ ମଣିଷ ଧନ, କ୍ଷମତା, ସୁବିଧା ସୁଯୋଗର ସୁଆଦ ପାଇଛି ସେ ଯେମିତି କି ମଣିଷ ରକ୍ତ ସୁଆଦ ଚାଖିଥିବା ମହାବଳ ବାଘ । ବାଘକୁ ଶାଗ ଖା’ କହିଲେ ସେ ମଙ୍ଗିବ ନାହିଁ । ବାଘକୁ ଯେତେ ନେହୁରି ହୋଇ କହିଲେ ସେ ବୁଝିବ ନାହିଁ । ବାଘକୁ ସାଧ୍ୟକରେ ଶିକାରୀ, ଚୋରଙ୍କୁ ସାଧ୍ୟ କଲେ କରନ୍ତି ପୁଲିସ୍ ।

 

କିନ୍ତୁ ଦୁଷ୍ଟକୁ ସାଧ୍ୟ କରିବାକୁ କୂଟକପଟ ଆଉ ଦଣ୍ଡନୀତି ଭିତରେ ପଶିଲେ ନିଜଠି କେଉଁ ସତ୍ୟ ଅହିଂସା ସଂଯମ ନିରଭିମାନତା ଅତୁଟ ରହି ପାରିବ ? ତହିଁରେ ରୋଗ ଡେଇଁବ ନିଜ ଉପରକୁ ସିନା । ନିଜ ଚରିତ୍ରରେ କଳଙ୍କ ଲାଗିବ । ମଣିଷ ତଳକୁ ତଳକୁ ଖସିବ, ମଣିଷ ପଣିଆଁ ଯିବ, ଶାନ୍ତି ଯିବ ।

 

ଦରକାର ପଡ଼ିଲେ ମଣିଷ ବି ମାରିବ, ଅଥଚ ତହିଁରେ ନିଜର ଆଦୌ ଅଧୋଗତି ହେବନାହିଁ, ଆଦର୍ଶ ଟିକିଏ ବି ମଳିନ ପଡ଼ିବ ନାହିଁ, ଏକଥା କେମିତି ହୁଏ ତା’ତ ଭଗବତ୍ ଗୀତାରେ ଅଛି । କିନ୍ତୁ ଆଗ ସେମିତି ମଣିଷ ହେଲେସିନା ତାକୁ ସେଇଟାଲାଗୁହେବ ! ଏବେ କାହିଁ ସେଭଳି ମଣିଷ ଯେ ସବୁବେଳେ କାମ କରୁଥିବ, ନିର୍ବିକାର ନିଷ୍କାମ ହୋଇ କାମ କରୁଥିବ, ସବୁ କାମ ଭଗବାନଙ୍କ ପାଇଁ ବୋଲି ଭାବୁଥିବ, ସବୁଠିଁ ଭଗବାନଙ୍କୁ ଅନୁଭବ କରୁଥିବ, ନିଜେ ରହିଥିବ ସଂପୂର୍ଣ୍ଣ ଅନାସକ୍ତ ହୋଇ, ତାର ସବୁ ଇନ୍ଦ୍ରିୟଙ୍କୁ ସେ ଅକ୍ତିଆରରେ ରଖିଥିବ ।

 

କାହିଁ, କୋଉଠି ସେ ମଣିଷ ?

 

ମୁ କଣ ହେଇ ପାରିଲି ? ଆଉ କେବେ ହେବି ?

 

ନା, ୟେ ଚଳିବ ନାହିଁ, ଆଦୌ ଚଳିବ ନାହିଁ, ମଣିଷଙ୍କଖୋଇ ବଦଳେଇବାକୁ ପଡ଼ିବ, ସମାଜ ବଦଳେଇବାକୁ ପଡ଼ିବ ।

 

କିନ୍ତୁ କେମିତି ? କେବେ ? ୟେ ତ ଦିନୁଁ ଦିନ ବେଶି ବେଶି ଭୟଙ୍କର ?

 

ହଉ କିଛି, ହେ ଭଗବାନ ।’’

 

ଦୀର୍ଘଶ୍ୱାସ ହିଁ ।

 

ଭାବୁଭାବୁ ମନରେ ବେଳେ ବେଳେ ଆସୁଥାଏ, ‘‘ହୁଏତ ଏମିତି ଭାବୁ ଭାବୁ ଡଙ୍ଗା ଭାସି ଚାଲିଯାଇଥିବ ଭଉଁରୀମାଳ ମଝିକି ! ଘଟଣାର ଚଳନ୍ତି ସୁଅ କଣ କାହା ଭାବନାରେ ଅଟକେ !’’

 

ମନ୍ତ୍ରୀ ଆସିବେ । ଏସ୍. ଡି. ଓ. ରାଘବ ଚୌଧୁରୀ ତାଙ୍କୁ ପାଛୋଟି ଆଣିବା ପାଇଁ ଯାଇଛନ୍ତି ଶିରୀପୁର ସବ୍‌ଡ଼ିଭିଜନ୍ ସୀମାଗାରରେ ଥିବା ସଡ଼କ ପାଖ ଗାଁ ଗବ୍‌ଡ଼ାଲ୍ । ମନ୍ତ୍ରୀ ଯେଉଁ ବାଟେ ବାଟେ ଯିବେ ସେଠି ପ୍ରତି ଗାଁରେ ତୋରଣ ବନ୍ଧା ହୋଇଛି, ଅନ୍ତତଃ ଗୋଟିଏ, ଗୋଟିକରୁ ବେଶି ବି, ଯେଉଁ ପାରଙ୍ଗମ କାନ୍‌ତରାଟିମାନେ ସେସବୁ ସଡ଼କ ମରାମତି କାମ ପାଇଁ ‘ଟେଣ୍ଡର’ ମଗାହେଲା ବେଳେ ପ୍ରତିବର୍ଷ ଅଧିକାଂଶ କାମର ‘ଟେଣ୍ଡର ପ୍ରତିଯୋଗିତା’ ରେ ଜିତି ସେସବୁ କାମ ପାଆନ୍ତି, ସଡ଼କ ଦୁଇପାଖରେ ଥିବା ଅଞ୍ଚଳର ଗାଁ ଲୋକଙ୍କ ଅକୁହା ଇଚ୍ଛାକୁ ରୂପ ଦେବା ସକାଶେ ସେହିମାନେ ତାଙ୍କ ତରଫରୁ ବୋଲି ତୋରଣ ଗୁଡ଼ିକ ଠିଆ କରାଇଛନ୍ତି, ସଜାଇଛନ୍ତି, ରାଘବ ଚୌଧୁରୀ ଖାଲି ସେମାନଙ୍କୁ ତାଙ୍କ କର୍ତ୍ତବ୍ୟ ବୁଝାଇଥିଲେ, ମନ୍ତ୍ରୀ କଣ ସେମାନଙ୍କର ନୁହନ୍ତି ନା ସେମାନେ ଏ ଦେଶବାସୀ ନୁହନ୍ତି ? ସେହି ସଡ଼କରେ ମନ୍ତ୍ରୀ ମଟର ଗାଡ଼ି ଚଢ଼ି ଧାଇଁ ଚାଲିଯିବେ, ଅନ୍ତତଃ ଝକ୍‌ କରି ତାଙ୍କ ମୁହଁ ଟିକିଏ ଦିଶିଯିବ, ଅଥବା ତାଙ୍କ ଗାଡ଼ି ଦି’ମିନିଟ୍ ପାଇଁ ଅଟକିବ, ସେ ଥିରିକିନା ବେକଟି ବଢ଼ାଇ ଦେବେ, ଫୁଲମାଳ ପକାହେବ ବୋଲି । ଅଥବା ଯେଉଁଠି ମନ ସେଠି ଜନତାଙ୍କୁ ଉଦ୍‌ବୋଧନ ଦେବାକୁ ସେ ଟିକିଏ ଓହ୍ଲାଇ ପଡ଼ିବେ, ତାଙ୍କ ପାଦୁକା ଧୂଳି ପଡ଼ିବ ସେ ଗାଁ ମାଟି ଉପରେ,–ଆହା, କେଡ଼େ ଭାଗ୍ୟ ସେ ! ମନ୍ତ୍ରୀ ତ ସତେ ଅବା କାମଧେନୁ ! ଏସ୍‌.ଡ଼ି.ଓ. ଚୌଧୁରୀଏ ଯାଚି ଯାଚି ତୁଣ୍ଡେ ତୁଣ୍ଡେ ଏସବୁ ଜ୍ଞାନ ଗାଁ ଲୋକଙ୍କ ଭିତରେ ବାଣ୍ଟିବାପାଇଁ ଲୋକ ବରଗିଥାନ୍ତି,–ସେମାନେ ଆସନ୍ତୁ, ଗାଁ ଗାଉଁଲି ଭିତରୁ ଛୁଆ–ଅଣ୍ଡା–ବଚ୍ଚା ଘେନି ଚାଲିଆସନ୍ତୁ ସଡ଼କ କରରେ ଠିଆହୋଇ ମନ୍ତ୍ରୀ–ଦର୍ଶନ ପାଇଁ । ଆଉ ମନ୍ତ୍ରୀଙ୍କୁ ସ୍ୱାଗତ କରନ୍ତୁ ଏକା ସଙ୍ଗେ ‘‘ଜୟ୍ ହିନ୍ଦ୍’’ ଧ୍ୱନିଦେଇ ।

 

ରାଘବ ଚୌଧୁରୀ ଗବ୍‌ଡାଳ୍ ଚାଟଶାଳି ଘରେ ଅପେକ୍ଷା କରିଥାନ୍ତି । ସଡ଼କ କରରେ ଛାମୁଡ଼ିଆଟିଏ, ଫୁଲ ପତ୍ରରେ ସଜା ହୋଇଥାଏ । ଆଖ ପାଖ ଗାଁରୁ ଗୁଡ଼ିଏ ଲୋକ ଆସି ସେଠି ରୁଣ୍ଡିଥାନ୍ତି । ସଡ଼କ ଉପରେ ତୋରଣଟିଏ । ମାଳ ମାଳ ଆମ୍ବ ପତ୍ରର ହାର ଏପାଖୁ ସେପାଖ ଲମ୍ବିଥାଏ । ଅନେକ ଫୁଲହାର ସିଧା ସିଧା ଝୁଲୁଥାଏ । ପାଖେ ପଞ୍ଝାଏ ବସି ଢୋଲ ମହୁରୀ ବଜାଉଥାନ୍ତି, ଗାଁରେ ପର୍ବଟିଏ ହେଲେ ଯେମିତି ବାଜେ, ସେମିତି । ଶଙ୍ଖଧରି ପାଞ୍ଚଟି ଶଙ୍ଖୁଆ ଉପସ୍ଥିତ ଥାଆନ୍ତି । ପ୍ରଚାର ବିଭାଗର ସ୍ଥାନୀୟ କର୍ମଚାରୀ ମଝିରେ ମଝିରେ ଗୋଟିଏ ଚୁଙ୍ଗାବାଟେ ପାଟି କରି କରି ଲୋକଙ୍କୁ ଶିଖାଉଥାନ୍ତି, ମନ୍ତ୍ରୀ ଆସିଲେ ଏକାଠି କେମିତି ଧ୍ୱନି ଦେବେ । ଅଭ୍ୟାସ କରାଉଥାନ୍ତି, ‘‘ମହାତ୍ମାଗାନ୍ଧୀ କୀ ଜୟ !’’

 

ଶିଖେଇବାକୁ ପଡ଼େ ନାହିଁ । କିନ୍ତୁ ‘‘ଜୟ୍ ହିନ୍ଦ୍ !’’ ବେଳେ ଠିକଣା ଉଚ୍ଚାରଣ ବାହାରେ ନାହିଁ ।

 

‘‘କହ ଜୟ୍ ହିନ୍ଦ୍’’

 

‘‘ଜଏ ହିନ୍ଦୀ’’

 

‘‘ହେଲା ନାହିଁ, କହ ହିନ୍ଦ୍ ହିନ୍ଦ୍ ହିନ୍ଦ୍’’

 

‘‘ହିଁ ହିଁ ହିଁ’’

 

‘‘ହେଲା ନାହିଁ, ଜୟ୍ ହିନ୍ଦ୍’’

 

‘‘ଜୟ ହିନ୍‍–’’

 

‘‘ସେଇଆ, ହେଲା ଏଥର, ପୁଣି କହ, ଜୟ ହିନ୍ଦ୍’’

 

‘‘ଜୟ ହିଁ’’ ‘‘ଜୟ ହିନ୍ଦୀ’’

 

‘‘ଏତେ ବଳାନ୍ତୁ ନାହିଁ’’ ରାଘବ ଚୌଧୁରୀ କହିଲେ, ‘‘ତାଙ୍କର ମନ୍ତ୍ରୀ, ସେମାନେ ଅଭ୍ୟର୍ଥନା କରିବେ, ଏକାଠି ଧ୍ୱନି ଦେଲାବେଳେ ତା’ ଭିତରେ ସବୁ ଖାପିଯିବ । ସେଠି କିଏ କେଉଁ ଗାଁର ରାଜନୈତିକ କର୍ମୀ କି ନେତା ତା ସେ ଗୁପ୍ତରେ ବୁଝି ସାରିଥାନ୍ତି, ତାଙ୍କୁ ସାହାଯ୍ୟ କରିବାକୁ ଗୁଣାକର ସିଂହ ତାଙ୍କ ପାଖେ ପାଖେ ଥାନ୍ତି । ରାଘବ ଚୌଧୁରୀ ସେମାନଙ୍କ ପାଖକୁ ଯାଉଥାନ୍ତି, ମିଠା ହସ ହସି ସେମାନଙ୍କ ସଙ୍ଗେ ଆଳାପ କରୁଥାନ୍ତି, ସେମାନଙ୍କ ଅଞ୍ଚଳର ସୁବିଧା ଅସୁବିଧା ପଚାରୁଥାନ୍ତି, ନିଜ ଗାଁ ପାଇଁ କି ନିଜ ଲୋକଙ୍କ ପାଇଁ ଯେ ଯାହା ଲୋଡ଼ୁଥାଏ, ସଙ୍ଗେ ସଙ୍ଗେ ଉତ୍ସାହ ଦେଖାଇ ତାକୁ କହୁଥାନ୍ତି ‘‘ସବୁ କରିଦେବି, କିଛି ବେସ୍ତ ନାହିଁ । ଟିକିଏ ମନ୍ତ୍ରୀଙ୍କ ଗସ୍ତଟା ସରିଯାଉ କି, ସେଉଠୁ ମୁଁ ଲାଗିପଡ଼ିବି । ହେଇ ଦେଖ ମୁଁ ସବୁ ଲେଖିନେଲି ।’’ କାମ ହେଉ ନାହିଁ, ତ୍ରୁଟି ହେଉଛି ବୋଲି ଟୁପୁରୁ ଟାପୁରୁ କାନରେ ବାଜିଲା, ସେ ଗାଁର ମୁଖିଆମାନଙ୍କୁ ଏକାଠି କରି କହିଲେ–‘‘ସବୁ ହେବ, ଅଇଛା ସ୍ୱାଧୀନ ଦେଶ, ଲୋକଙ୍କ ସରକାର, ଲୋକେ ଯାହା ଚାହିଁବେ ତାଙ୍କ ସରକାର ସେଇଆ କରିବେ । କରୋଇଚନ୍ତି ତ ଦେଖୁଛ । ଲୋକେ ଉଚ୍ଛନ୍ନ ହେଇଛନ୍ତି ରାତି ପାହିଲବେଳକୁ ସବୁ ବଦଳି ଯାଉ । ତେବେ ଆମେ ସବୁ ତ ଏଇ ଦେଶର ଲୋକ, କେହି ବିଲାତରୁ ଆସିନାହୁଁ । ଆମେ ସମସ୍ତେ ଜାଣୁ ଯେ ଚାଉଳ ଗଣ୍ଡିଏ ପାଣି ହାଣ୍ଡିରେ ପକାଇ ଚୁଲିରେ ବସାଇ ଦେଉ ଦେଉ ଭାତ ହୁଏ ନାହିଁ ନୂଆ ଅରୁଆ ଚାଉଳ ହୋଇଥିଲେ ବି ଭାତଟା ଫୁଟିବାକୁ ଟିକିଏ ବେଳ ଲାଗିବ । ଆଉ, ଚାଉଳଟା ମାଟିରୁ ଆସିବାକୁ କେତେବେଳ ଲାଗିବ ? କଣ ବିଲକୁ ହଳ ଯାଉ ଯାଉ ? ନା ଧାନଟା ବୁଣି ଦେଲା ମାତ୍ରେ ? ନା, ରୋଇ ଦେଲା ମାତ୍ରେ ? ଯେଉଁ କାମକୁ ଯେତେବେଳ ଲାଗିବ । ହଠାତ୍ କୁଆଡ଼ୁ ହେବ ?

 

ତେମେ ଦେଶଯାକର ଲୋକେ ତୁମ ପସନ୍ଦ ଅନୁସାରେ ଭୋଟ ଦେଲ, ଲୋକ ବାଛିଲ, ସରକାର ଗଢ଼ିଲ ଆଉ ଦେଖୁଛ ତ, ସେ ସରକାର ତମରି ପାଇଁ ଦିନରାତି ଭାବୁଛି, କାମ କରୁଛି । ଆମେସବୁ ଯେତେବେଳେ କର୍ମଚାରୀ ସମସ୍ତେ ତାରି ହାତର କାମ କରିବା ସାଜ, କିଏ ଲଙ୍ଗଳ ତ କିଏ କୋଦାଳ, ଦେଖୁଛ ତ, ହାତ ବୁଲୁଛି, ହତିଆର ପତ୍ର ତା କାମ କରୁଛି, ସବୁ ତମରି ହିତ ପାଇଁ, ଆମେ ସବୁ ତ ବାତଚକ୍ର ପରି ବୁଲୁଛୁଁ, ପୁଣି ଘରେ ବସିଥିଲା ବେଳେ ବି ଖାଲି ତମରି ଚିନ୍ତା । କାମ କରୁଛୁ ନହେଲେ ବସି ଭାବୁଛୁଁ ଆଉ କି କି କାମ ରହିଲା । ସେଇ କଥାଟା ତମଆଡ଼ୁ ଯଦି ମନ୍ତ୍ରୀ ଶୁଣନ୍ତେ ନା, ତାଙ୍କ ମନ କୁଣ୍ଢେମୋଟ ହୋଇଯାଆନ୍ତା, ସେ ତମମାନଙ୍କ ଭଲ କରିବାକୁ ଆହୁରି ଟଙ୍କା ପଇସା ଖଞ୍ଜି ଦିଅନ୍ତେ । ଆଉ ଯଦି ଶୁଣିବେ ଯେ ସେ ଏତେ ଚେଷ୍ଟା କରି କରି ସୁଦ୍ଧା ସେଥିପାଇଁ ପ୍ରଶଂସା ପଦେ ନାହିଁ, ଖାଲି ନିନ୍ଦା, ତାଙ୍କ ମନ ଖଟା ପଡ଼ିଯିବ । ତାଙ୍କ ଏସ୍‌.ଡ଼ି.ଓ. ଙ୍କୁ ନିନ୍ଦା କଲେ ସେଇଟା ତାଙ୍କୁ ବାଜିବ ନାହିଁ ? ସେ ତ ଦାୟୀ ।’’

 

ଗହଳି ଭିତରୁ ତଥାପି ଟୁପୁରୁ ଟାପୁରୁ ଶୁଭିଲା ‘‘ସତ, ସେ ତ ଦାୟୀ ! ଆମେ ହରବର ହଉଚୁଁ, ସେ ଆସି ବୁଝୁ ନାହାନ୍ତି କାହିଁକି ?’’

 

ରାଘବ ଚୌଧୁରୀ ବୁଝିପାରିଲେ । ଭାବିଲେ, କେଉଁଠି ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବେ ନାହିଁ ତ ! ତେଣୁ ଆଉ ବେଶି ନ ଘାଣ୍ଟିବା ଭଲ ହେବ । କହିଲେ–

 

‘‘ଦେଖବାବୁ, ତୁମର ଯାହା ଇଚ୍ଛା ତା’ତୁମେ କହିବ କି କରିବ, ତୁମେ ଜାଣ, ମୁଁ ତୁମ ଇଲାକା ଦାୟିତ୍ୱ ନ ନେଉଣୁ କଣ ଏଠି ଚାଲିଥିଲା, କି କି ବିଷୟ ତମକୁ ବାଧିଥିଲା ଯେ ତୁମ ମନରେ ଅଦ୍ୟାପି ଅଶାନ୍ତି ଅଛି, ମୁଁ ତା ଜାଣେ ନାହିଁ । ମୁଁ ଆସିଲା ପରେ ପୂର୍ବର ସବୁ ଅଡ଼ୁଆ ଖିଆ ସଜାଡ଼ିଲ, ଆଉ ଅଳ୍ପଥିଲେ ଥିବ ମୁଁ ଜାଣେ ନାଇଁ, ଆଉ ଏବର କାମ ତ ସବୁ ଠିକ୍ ଠିକ୍ ଚାଲିଛି ହିଁ, ମଳିଧୂଳି ନାହିଁ । ମୁଁ କାହାଠୁଁ ପ୍ରଶଂସା କି ପୁରସ୍କାର ଖୋଜି ନାହିଁ, ମୋ କାମର ସାକ୍ଷୀ ଭଗବାନ । ମୁଁ ଜାଣେ, ମଣିଷ ହିଁ ଭଗବାନ, ମଣିଷଙ୍କ ହିତ ପାଇଁ ଯେତେ କାମ କରିବି କି କରେଇବି ସେ କାମ ଭଗବାନଙ୍କ କାମ, ଏଇଆ ଭାବି ମୁଁ ଲାଗିଥାଏଁ । ମୋର ଦାଣ୍ଡଦୁଆର ମେଲା, ବାରିଦୁଆର ମେଲା, ମୋ ପାଖକୁ ଯେ ଯେତେବେଳେ ଆସି ପହଞ୍ଚିଲେ ମୁଁ ଶୁଣିବାକୁ ତିଆର, ଦେଖିଥିବ ଆଉମାନେ ଅଛନ୍ତି, ତାଙ୍କୁ ଲୋକ ଗନ୍ଧାନ୍ତି, ହଉ ବାବା ଯାହାର ଯେମିତି ଇଚ୍ଛା । କିନ୍ତୁ ଲୋକେ ହିଁ ତ ମୋର ସବୁ, କିଏ ଯେଉଁ ଜାତିର ହେଉ, ଯେଉଁ ଧର୍ମର ହେଉ; ଯାହା ହୋଇଥାଉ ତା ପେଶା, ସେ ମଳିମୁଣ୍ଡିଆ ଖଟିଖିଆ ହଉ, ଭିକାରୀ ହଉ, ଧନୀ ହଉ, ମୋ ଆଖିକି ସେ ଦିଶେ ମୋ ରକ୍ତ ସମ୍ପର୍କର କେହି ଜଣେ ବୋଲି । ହାକିମି ମେଜାଜ୍ ମୋଠିଁ ନ ଥିଲା କି ମତେ କେବେ ସୁଖ ଲାଗି ନ ଥିଲା, ସ୍ୱାଧୀନତା ଆସିଲା ଦିନଠୁଁ ହାକିମ ପଦଟା ତ ଗଲାଣି ହିଁ, କାରଣ ଏଣିକି ଲୋକେ ହେଲେ ମାଲିକ, ଓ ଆଗେ ଯେ ହାକିମ ହୁକୁମା ଥିଲେ ସେମାନେ ସେ ଲୋକଙ୍କ ସେବାକାରୀ –’’

 

ସରକାରଙ୍କ ଲୋକସମ୍ପର୍କ ଓ ପ୍ରଚାର ବିଭାଗର ସ୍ଥାନୀୟ କର୍ମଚାରୀ ଆନନ୍ଦ ରାୟ ଲକ୍ଷ୍ୟ କରୁଥାନ୍ତି, ରାଘବ ଚୌଧୁରୀ କେମିତି ନିଜପାଇଁ ଢୋଲପିଟା ପ୍ରଚାର ଚଳାଇ ଦେଇଛନ୍ତି । ସେ କଥା କହିଲାବେଳେ ଗାଁ ବାଲାଙ୍କ ଭିତରୁ କେତେଲୋକ ତାଙ୍ଜକ ଆଡ଼କୁ ମୁଗ୍‌ଧ ମୁହଁ ଆଖି ଦେଖାଇ ନିଶ୍ଚଳ ହୋଇ ଠିଆ ହୋଇଛନ୍ତି, ସତେ ଯେମିତି ତାଙ୍କ କଥା ପିଇଯାଉଛନ୍ତି । ଆନନ୍ଦ ରାୟ ନିଜେ ଜଣେ ରାଜନୈତିକ ଲୋକଥିଲେ, ରାଜନୈତିକ ପ୍ରଚାର କାର୍ଯ୍ୟରେ ତାଙ୍କର କିଛି ଅଭିଜ୍ଞତା ଥିଲା ଓ ସେହି ପରିଚିତ ଯୋଗୁଁ ସେ ଚାକିରିଟି ପାଇଥିଲେ । ମାଉଁସିଆ ଗୋଲ ମୁହଁରେ ଗୋଟିଏ ସ୍ଥାୟୀ ଅଧାହସର ମୁଖା ଟାଙ୍ଗି ଦେଇ ମିଞ୍ଜି ମିଞ୍ଜି ଆଖିରେ ସେ ଏସ୍.ଡ଼ି.ଓ. ଙ୍କ ମୁହଁକୁ ଚାହିଁ ରହିଥିଲେ, ଯେମିତି ସେ ମୁହଁରୁ ମହୁ ନିଗୁଡ଼ୁଛି, ତା ସୁଆଦ ପାଇ ସେ ମୁଗ୍‌ଧ, କିନ୍ତୁ ସେ ଭାବୁଥାନ୍ତି ଏସ୍.ଡ଼ି.ଓ. ହୁଏତ ଭାବୁଛନ୍ତି ୟେ ଲୋକେ ତାଙ୍କ କଥାରେ ଭୋଳ୍, କିନ୍ତୁ ସେ ଜାଣି ନ ଥିବେ ୟେ ମଫସଲିଆମାନେ ତାଙ୍କୁ ଠକିବାକୁ ଛଟା ଗାଳୁଛନ୍ତି, ଏମାନେ ଏତେ ପ୍ରକାର ଅଭିନୟ ଚାତୁରୀ ଜାଣନ୍ତି ବୋଲି ତ ଯୁଗେ ଯୁଗେ ଆତ୍ମରକ୍ଷା କରିପାରିଛନ୍ତି !’’

 

ପଂଝା ପଂଝା ଗାଁଲୋକ ଆସୁଥାନ୍ତି, ଅପେକ୍ଷା କରୁଥାନ୍ତି । କୁଆଡ଼େ ଯାଉଥାନ୍ତି । ସକାଳ ଗଲା । ଖରା ବଢ଼ିଲା । ରାଘବ ଚୌଧୁରୀ ଅପେକ୍ଷା କରିଥାନ୍ତି ।

 

ବିନୋଦକୁ କହିଦେଇ ଯାଇଥିଲେ ‘‘ମୁଁ ଗବ୍‌ଡ଼ାଳ୍ ଯାଉଛି, ସେଉଠୁ ମନ୍ତ୍ରୀଙ୍କୁ ପାଛୋଟି ଆଣିବି । ଏଠି ଡାକ୍‌ବଙ୍ଗଳାରେ ସବୁ ବନ୍ଦୋବସ୍ତ ହୋଇଛି, ଆପଣ ବି ଠିକ୍ ସକାଳ ଆଠଟା ବେଳୁ ଡାକବଙ୍ଗଳାରେ ଥିବେ । ଚାରିଆଡ଼େ ଦୃଷ୍ଟି ରଖିଥିବେ ।’’

 

‘‘ଆଜ୍ଞ ସେ ଦଶଟା ଆଗରୁ ଆସି ପହଞ୍ଚିଯିବେ ତ ?’’

 

‘‘କାହିଁକି ? କହିଲେ–’’

 

‘‘ମୋର ଖାଇବାଟା ପଛେ ଦେଢ଼ଟା ବେଳ ହେଉଥାଉ, କ୍ଷତିନାହିଁ, କିନ୍ତୁ ଆଜି ଛୁଟି ତ ନୁହେଁ, ଠିକ୍ ସାଢ଼େ ଦଶଟା ବେଳେ କଚିରି ଆରମ୍ଭ କରିବାକୁ ତ ପଡ଼ିବ ।’’

 

‘‘ହଃ, ଦିନେ ଡେରି ହେଲେ କଣ ହେବ ?’’

 

‘‘ଆଗରୁ ମକଦ୍ଦମା ବିଚାର ପାଇଁ ତାରିଖ ପକାଇ ଦେଇଛି, ଓକିଲମାନେ ବି ଆସିବେ, ପକ୍ଷ ସାକ୍ଷୀ, ସମସ୍ତେ । ନ ଗଲେ ଆପତ୍ତି ହେବ ।’’

 

ନାଇଁ ନାଇଁ, ୟେ ତ ସାଧାରଣ ଦିନ ନୁହେଁ ମୁଖ୍ୟମନ୍ତ୍ରୀ ଆସୁଛନ୍ତି । ସାଢ଼େ ଦଶଟା ଗଡ଼ିଗଲେ ସୁଦ୍ଧା ଯଦି ମୁଁ ଫେରିଲି କି ମନ୍ତ୍ରୀ ନ ଆସିଲେ ତେବେ ଆପଣ ଡାକବଙ୍ଗଳାରେ ଅପେକ୍ଷା କରିଥିବେ । ମୁଁ ଆଉ ଅନ୍ୟ କିଛି ଆପତ୍ତି ଶୁଣିବି ନାହିଁ ।’’ ଚୌଧୁରୀ ଗମ୍ଭୀର ହୋଇ ମୁହଁ ଭୁର୍କୁଣ୍ଡେଇ କହିଲେ ।

 

‘‘ନାନା ଆଉ ଆପତ୍ତି ଆପଣ ଶୁଣିବେ ନାହିଁ ।’’ ହସି ହସି ବିନୋଦ କହିଥିଲା; ‘‘ସାଢ଼େ ଦଶ ଗଡ଼ିଗଲେ ମକଦ୍ଦମା ନଥି ମଗେଇ ଆଣି ତାରିଖ ପକେଇ ଦେବି, ନଥିରେ ଅଡରସିଟରେ ଲେଖିଦେବି ଯେ ମନ୍ତ୍ରୀ ଆସିବେ ବୋଲି ଆପଣ ମତେ ଅନ୍ୟ ଦାୟିତ୍ୱ ଦେଇଛନ୍ତି ।’’

 

ଚୌଧୁରୀ ମୁଣ୍ଡ ହଲେଇ ହଁ ଜଣାଇଲେ । କିନ୍ତୁ ବିନୋଦକୁ ଲାଗୁଥାଏ, ସେ ବିରକ୍ତ ହେଲେ । ସେ ଯେପରି ଚାହାନ୍ତି କାମ ସେପରି ହେବା ଦରକାର, କିନ୍ତୁ ଯଦି ସେଥିପାଇଁ କେହି କୈଫିୟତ୍ ମାଗେ କି ଅପବାଦ ରଟେ, ତେବେ ସେ ବରଗି ଥିଲେ ବୋଲି ସେ ସ୍ୱୀକାର କରିବାକୁ ବି ଚାହାନ୍ତି ନାହିଁ । ନିଜ ଆଦେଶର ଦାୟିତ୍ୱ ନେଇ ବିପଦ ମୁଣ୍ଡେଇବା ବିଷୟରେ ଏ ପ୍ରକାର ଆକାର ମଣିଷଟି ବଡ଼ ଡରକୁଳା ।

 

ବିନୋଦ ପହଞ୍ଚିଲା ବେଳକୁ ଡାକବଙ୍ଗଳା ହାତରେ ଲୋକଗହଳି, ସେମାନେ ଅପେକ୍ଷାକରିଛନ୍ତି । ସକାଳଆଠଟା ବାଜିବାକୁ ଆହୁରି ପନ୍ଦର ମିନିଟ୍ ଅଛି । ବିନୋଦ ଯାଇ ଚାରିଆଡ଼ ବୁଲିଆସିଲା, ମନ୍ତ୍ରୀଙ୍କୁ ଅଭ୍ୟର୍ଥନା ପାଇଁ ତାଙ୍କ ରହଣି ପାଇଁ ସବୁ ବ୍ୟବସ୍ଥା ପ୍ରସ୍ତୁତ ରହିଛି-। କର୍ମଚାରୀମାନେ ସେଥିପାଇଁ ନିଜ ନିଜ ଦାୟିତ୍ୱରେ ରହିଛନ୍ତି । ବିନୋଦ ସେମାନଙ୍କୁ ପଚାରି ବୁଝିଲା, ଆୟୋଜନ ଦେଖିଲା, ଯାହାକୁ ଯାହା ପରାମର୍ଶ ଦେଲା, ଆସିଲା ବସିବା ବଖରାକୁ-

 

ବାସିଧୋବ ଧଳା ଖଦଡ଼ର ଲୁଗା, ପଞ୍ଜାବୀ, ଟୋପି ପିନ୍ଧି ବଡ଼ଟେବୁଲ ସେ ପାଖ ଚୌକି ଧାଡ଼ିକରେ ବସିଛନ୍ତି ଚୁଙ୍ଗୀରାମ୍, ଲଖିରାମ, ନରିମିଶ୍ର ଓ ସେବାରାମ୍ । ସେବାରାମ ତାଙ୍କ ଗୋଡ଼ଯୋଡ଼ାକ ଟେବୁଲ ଉପରକୁ ଟେକି ଲମ୍ବେଇ ଦେଇଛନ୍ତି । ପହଞ୍ଚିଗଲେ ବିନୋଦ ଦାସ୍, ସେମାନେ ଦେଖିଲେ, ସ୍ଥାନୀୟ ବଡ଼ କର୍ମଚାରୀ ଜଣେ, ଏସ୍.ଡ଼ି.ଓ.ଙ୍କ ତଳକୁ ସେକେଣ୍ଡ ଅଫିସର୍ । ଲଖିରାମ୍ କହିଲେ, ‘‘ଆସନ୍ତୁ, ବସନ୍ତୁ ।’’

 

ସେବାରାମ୍ କହିଲେ, ‘‘ବିନୋଦ ବାବୁ ପରା, ବସନ୍ତୁ ।’’

 

ସେମାନେ କେହି ଉଠିଲେ ନାହିଁ ଦଣ୍ଡବତ ବି କଲେ ନାହିଁ ।

 

ବିନୋଦ ସେମାନଙ୍କର ଏ ପରିବର୍ତ୍ତନ ଲକ୍ଷ୍ୟ କଲା, କୌତୁକରେ ହସିଦେଲା, ବସିଲା, ତାପରେ ଆଗ ନରିମିଶ୍ର, ତାଙ୍କ ଉତ୍ତାରୁ ଚୁଙ୍ଗୀରାମ ତାକୁ ନମସ୍କାର କହିଲେ । ସେ ସେମିତି ହସିହସି ସମସ୍ତିଙ୍କୁ ନମସ୍କାର ଜଣାଇଲା, ଆଉ ଦୁଇଜଣ ବି ତାପରେ ତାକୁ ନମସ୍କାର କହିଲେ । ସେବାରାମ୍ ନ ଜାଣିଲା ପରି ତାଙ୍କ ଗୋଡ଼ ଦିଟାକୁ ଟେବୁଲ ଉପରେ ତାରି ଆଡ଼କୁ ମୋହିଁଲା ଭଳି ଟିକିଏ ଘୁଞ୍ଚେଇ ଦେଲେ ।

 

‘‘ଆପଣ ଭାରି କ୍ଲାନ୍ତ ଜଣା ପଡ଼ୁଛନ୍ତି ସେବାରାମ୍ ବାବୁ’’, ବିନୋଦ ହସିଦେଇ କହିଲା, ‘‘ଯେମିତି ଖୁବ୍ ଧାଁ ଧପଡ଼ କରିଛନ୍ତି ।’’

 

ସେବାରାମ୍ କହିଲା, ‘‘ମୁଁ ? ନା ସେମିତି କିଛି ନୁହେ, ମୁଣ୍ଡ ଉପରେ ଯାହାକାମ ଲଦାହେଉ, ସମ୍ଭାଳିବାକୁ ତ ପଡ଼ିବ, ଖାଲି କଣ ନିଜ ଧନ୍ଦା ହୋଇଛି ?’’

 

ନରିମିଶ୍ର କହିଲେ, ‘‘ଏଠିକା ପାର୍ଟି ସେକ୍ରେଟେରୀ, ହୋଇଛ ନା, ଖଟଣିଟା ସାଇଥିପାଇଁ-। ଆପଣ ଯେତେ ଲୁଚେଇଲେ କଣ ବିନୋଦବାବୁଙ୍କ ଆଖିରେ ନ ପଡ଼ିବ ? ହାକିମ ହୋଇଚନ୍ତିଟି, କିଏ ଗୋରୁ ଚରେଇଲେ ସେ ମଣିଷ ଚରେଇବା ଲୋକ ।’’

 

ସେବାରାମ୍ ଜାଣିଜାଣି ଚମକି ପଡ଼ିଲା ପରି ଗୋଡ଼ ଦି’ଟାକୁ ଟେବୁଲ୍‌ରୁ ଘୁଞ୍ଚାଇ ନେଇ ତଳେ ଥୋଇଲେ, କହିଲେ, ‘‘ଆରେ ଛାଡ଼ ସେ ପୁରୁଣା ଅମଳର କଥା, ଜାଣନା କିଏ ଗୋରୁ ଚରାଏ, କିଏ ମଣିଷ ଚରାଏ । ତମର କେତେପଟ ଗୋରୁ ଅଛି ?’’ ସମସ୍ତେ ହସିଲେ ।

 

ବିନୋଦ ମନେ ରଖିଲା, କେତେବେଳେ ବ୍ୟବସାୟୀ ସେବାରାମ୍ ସ୍ଥାନୀୟ ପାର୍ଟି ସେକ୍ରେଟେରି ହୋଇ ସାରିଲାଣି । ସେବାରାମ୍ ବିନୋଦକୁ ଆଖିମିଟିକା ମାରି କହିଲା, ‘‘ନା କଣ କହନ୍ତୁ ବିନୋଦ ବାବୁ, କଣ ମିଛ କହିଲି ? ସେ ଇଂରେଜ ଅମଳ ଥିଲା ଯେ ଅଫିସରମାନେ ଥିଲେ ସତେ ଯେମିତି ଇଂରେଜଙ୍କ ଭାଇ ବିରାଦର, ଯଦିଚ ସେମାନେ ସେ ସରକାରର ଥିଲେ ପୋଷା ନୌକର ।’’

 

ବିନୋଦ ଉପରେ ପଡ଼ି କହିଲା, ‘‘ପୋଷା କୁକୁର ବି କହନ୍ତୁ, କ୍ଷତି କଣ ?’’

 

‘‘ନା ନା, ତା କହୁନାହିଁ, ତେବେ ସେତେବେଳେ ତ ସାମାନ୍ୟ ଚପରାସିକି ବି ଡର, ପୁଲିସ୍ ପଗଡ଼ି ଦେଖିଲେ ପିଳେହି ପାଣି ।’’

 

ବିନୋଦ କହିଲା, ‘‘ତେବେ ଡର ଏକ୍‌ଦମ୍ ଛାଡ଼ିନାହିଁ । ଯେ କିଛି ବେ–ଆଇନ୍ କରିଛି ଯେଉଁଥିପାଇଁ ଦଣ୍ଡପାଇବା ଭୟ ଅଛି, ସେ ଏବେ ବି ଡରୁଥିବ ।’’

 

‘‘ସେ ତ ଭିନେ କଥା । ମୁଁ ତା କହୁନାହିଁ । ମୁଁ କହୁଛି, ଅଫିସର ହେଲା ବୋଲି ଜଣେ ଲୋକ ୟେ ଦେଶ ଲୋକଙ୍କଠୁଁ ବଡ଼ ହୋଇଗଲା, ସେଇଟା ଆଉ ଏ ଦେଶରେ ଚଳିବ ନାହିଁ ।’’

 

‘‘ବଡ଼ ହୋଇଗଲା ବୋଲି କିଏ କହୁଛି କି ?’’

 

‘‘କହୁ ନାହାନ୍ତି ସିନା, କାର୍ଯ୍ୟରେ ଟିକିଏ ଭିନେ ।’’

 

ବିନୋଦ କହିଲା, ‘‘ମୁଁ ଜାଣିନାହିଁ ସେବାରାମ୍ ବାବୁ, କିଏ ଯଦି ନିଜ ବ୍ୟବହାରରେ ଆପଣମାନଙ୍କ ଭିତରୁ କାହାରି ମନରେ କଷ୍ଟ ଦେଇଛି, ଆମେ ଜାଣିଲେ କଥାଟା ବୁଝି ଦିଅନ୍ତୁ । ସେପରି ଅଭିଯୋଗ ମୋ କାନକୁ ତ କେବେ ଆସି ନାହିଁ । କିଛି ହେଇଚି ? କଥାଟା ପଡ଼ୁ ।’’

 

ଲଖିରାମ୍ ଗମ୍ଭୀର ହୋଇ କହିଲେ, ‘‘ସେମିତି ହୋଇଥିଲେ ନିଶ୍ଚୟ ପଡ଼ିବ, ଯେଉଁଠି ଯେଉଁଠି ପଡ଼ିବାର କଥା ସେଠି ପଡ଼ିବ ।’’

 

ନରିମିଶ୍ର କହିଲେ, ‘‘ଆଜ୍ଞା, ପାର୍ଟିର ସ୍ଥାନୀୟ କମିଟିରେ ଆମ ଲଖିରାମ୍ ବାବୁ କୋଷାଧ୍ୟକ୍ଷ ହୋଇଛନ୍ତି ଆଜ୍ଞା, ୟେ ସମସ୍ତେ ଆମ ଲୋକ ।’’

 

ଚୁଙ୍ଗୀରାମ ନରିମିଶ୍ରଙ୍କ ଆଡ଼କୁ ଚାଇଁକିନା ଗୋଟାଏ ମୁନିଆଁ ଚାହାଣୀ ଛାଟି ମାରିଲା, ବିନୋଦ ଦେଖିଲା, ଭାବିଲା ସେ ଚାହାଣି କହୁଛି ‘‘ତୁମେ ବୃଥାଟାରେ ଭାରି ବକ୍ ବକ୍ ହେଉଛ ।’’

 

ବିନୋଦ କହିଲା, ‘‘ଆପଣଙ୍କ ପାର୍ଟିରେ କିଏ କଣ ସେକଥା ମୁଁ ଜାଣି ନାହିଁ ଆଜ୍ଞା, ପାର୍ଟି ସାଙ୍ଗରେ ମୋର ତ କିଛି କାମ ନ ଥାଏ ।’’

 

ଲଖିରାମ୍ କହିଲେ, ‘‘ଠିକ୍ କଥା ଆଜ୍ଞା, ଯାହା କାମ ତାକୁ ।’’

 

ନରିମିଶ୍ର କହିଲେ, ‘‘କିନ୍ତୁ ମୁଁ ତ ଭାବୁଛି ଆମ ପାର୍ଟିର କାମ ଏକପ୍ରକାର ସମସ୍ତିଙ୍କ କାମ-। ଦେଶକୁ ସ୍ୱାଧୀନ କଲା କିଏ ? ଅଇଛା ଶାସନର ଦାୟିତ୍ୱ ମୁଣ୍ଡେଇଛି କିଏ ? ଦେଶକୁ ଗଢ଼ିବାକୁ ତ ପଡ଼ିବ, ସେ ବି ତ ପାର୍ଟି କାମ ।’’

 

ସେବାରାମ୍ କହିଲେ, ‘‘ପାର୍ଟିକାମ ତ ନିଶ୍ଚୟ । ନଇଲେ ଆଉ ଆମୁକୁ ଏଡ଼େ କଷ୍ଟ କରିବାକୁ ପଡ଼ନ୍ତା କାହିଁକି ? କିନ୍ତୁ ପାର୍ଟି ଯେଉଁ ସରକାରକୁ ସେଥିପାଇଁ ଦାୟିତ୍ୱ ଦେଇ ଗାଦିରେ ବସେଇଛି ସେ ସରକାର ସେ କାମ ତୁଲେଇବାକୁ ବରଗି ଦେଲା ତା କର୍ମଚାରୀମାନଙ୍କୁ, ଦରମା ବି ସେଥିପାଇଁ ଦେଉଛି, ମାହାଳିଆ ରଖିନାହିଁ, ସେମାନେ ବୁଝୁନାହାନ୍ତି ଯେ କାମଟା ତାଙ୍କୁ କରିବାକୁ ପଡ଼ିବ ।’’

 

ବିନୋଦ କହିଲା, ‘‘ବୁଝୁ ନାହାନ୍ତି ବୋଲି ଆପଣ କାହିଁକି କହୁଛନ୍ତି ? କହି ପାରନ୍ତି,–କିଏ କରି ଜାଣିଲା ନାହିଁ କଣ ଭୁଲ୍ କଲା, କାହାଠିଁ ଆଉ କିଛି ଅଭାବ, ତେଣୁ ଯେତିକି କରିବା କଥା ସେ କରିପାରୁ ନାହିଁ, ଅଥବା ଆଉ କିଛି କାରଣ ଅଛି ଯେଉଁଥିପାଇଁ ଲୋକ କାମିକା ବୁଧିଆ ହୋଇ ସୁଦ୍ଧା କାମ ଦେଖାଇବାକୁ ସୁଯୋଗ ପାଉନାହିଁ ।’’

 

ସେବାରାମ କହିଲେ, ‘‘କାହିଁକି ହେଉ ନାହିଁ ତା’ର କାରଣ କହବୋଲି କାରଣ ପଚାରି ଦେଲେ ସରକାରୀ ଲୋକଙ୍କ ଭଳି କେହି ଉତ୍ତର ଦେଇପାରିବ ନାହିଁ । ସେହି ଗୋଟିଏ ବିଦ୍ୟାରେ ସେମାନେ ସମସ୍ତିଙ୍କଠୁଁ ବଳି । ତେବେ ଗୋଟିଏ କଥା ଆପଣ ନିଜେ ବିଚାର କରନ୍ତୁ,–ଯଦି ଆମ ପାର୍ଟିର କାମ ଦେଶକୁ ଗଢ଼ିବା, ଆଉ ସରକାରୀ କର୍ମଚାରୀଙ୍କ କାମ ଦେଶକୁ ଗଢ଼ିବା, ତେବେ ସରକାରୀ କର୍ମଚାରୀ ଆମ ପାର୍ଟିର ସ୍ଥାନୀୟ କର୍ମକର୍ତ୍ତାଙ୍କୁ ଅତ୍ୟାଚାର ଅପମାନ କରୁଛନ୍ତି କାହିଁକି, ଏଇଟା କଣ ଭଲ ହେଉଛି ?’’

 

‘‘କିଛି ବୁଝିପାରୁ ନାହିଁ ଆଜ୍ଞା ।’’

 

‘‘ଆମର ଲୋକମାନଙ୍କୁ ଧରି ଧରି ଜେଲ୍ ଦିଆ ଯାଉଛି, ଜୋରିମାନା କରାଯାଉଛି ।’’

 

‘‘କାହିଁକି ?’’

 

ଚୁଙ୍ଗୀରାମ କହିଲେ, ‘‘ଆପଣ ସିନା ଜାଣିଥିବେ !’’

 

‘‘ମୁଁ !’’

 

ଲଖିରାମ କହିଲେ, ‘‘କିଏ ବିଚରା ପଇସାଟିଏ ଅଧିକ ଦାମ୍ ନେଇଗଲା ବୋଲି କେଉଁ ସପ୍ଲାଇବାଲା କେସ୍‌ଟାଏ କରିଦେଲା, କିଏ ହିସାବ ଲେଖାରେ ଟିକିଏ ଭୁଲ୍ କରିଥିଲା, କିଏ କେଉଁ ଆଇନ୍ ଜାଣେ ନାହିଁ । ଆମେ କଣ କେତେଥର ଆପଣଙ୍କୁ ଜଣାଇ ନାହୁଁ, ଯେ ଆଜ୍ଞା ୟେ ଲୋକ ଭାରି ଭଲଲୋକ, ଏକ୍‌ଦମ୍ ସଚ୍ଚା, ଆଉ ୟେ ଆମ ନିଜ ଲୋକ, ବଡ଼ ପରୋପକାରୀ । ଦେଖିଲା ବେଳକୁ ତାକୁ ଜେଲ୍ ଜୋରିମାନା । ସେ ତ’ କଚିରି ଘର କଥା, ବିଚାରପତି ଧର୍ମ ଆସନରେ ବସିଥିବେ, ଯାହା ଉଚିତ ବୋଲି ଭାବିବେ ସେପରି ରାୟ ଦେବେ । ଆମେ ଅପିଲ୍ କରୁଁ ସିନା, କପାଳରେ ଯାହା ଥାଉ,–ସେ ବିଚାରପତିଙ୍କି କେବେ ସମାଲୋଚନା କରୁନାହିଁ । କହ, କହ ତୁମେମାନେ, କରୁଁ କେବେ ?’’

 

ସେମାନେ କହିଲେ, ‘‘କେବେ ନାହିଁ ।’’

 

ବିନୋଦ ତୁନି ହୋଇ ବସିଥାଏ ।

 

ଲଖିରାମ କହିଲେ, ‘‘କିନ୍ତୁ ଏପରି ହେଲେ ଆମ କଥାର କି ମୂଲ୍ୟଅଛି ବୋଲି ଲୋକେ ଭାବୁଥିବେ ?

 

ସେବାରାମ୍ ମୁଣ୍ଡ ହଲେଇ କହିଲେ, ‘‘କିଛି ନାହିଁ । ସେମାନେ ଜାଣୁଛନ୍ତି ଯେ ପାର୍ଟିରେ ଯେ ଯେଉଁ ଦାୟିତ୍ୱରେ ଥାଉ, କାମ ଉପରେ ତା କଥା ରହେ ନାହିଁ । ତେଣୁ ଆମେ ଲୋକଙ୍କୁ ଯାହା କରିବାକୁ କହିଲେ ସେମାନେ ମାନିବେ କାହିଁକି ?’’

 

ଚୁଙ୍ଗୀରାମ କହିଲେ, ‘‘ପାର୍ଟିକି ମାନିବେ କାହିଁକି, ସାହାଯ୍ୟ ଦେବେ କାହିଁକି ?’’

 

ଲଖିରାମ କହିଲେ ‘‘ଭୋଟ୍ ବେଳେ ଆଉ କେଉଁ ବିରୋଧୀ ପାର୍ଟିକୁ ଭୋଟ୍ ନ ଦେବେ କାହିଁକି ? ଲୋକଙ୍କ ଆଗରେ ଯେଡ଼େ ଯେଡ଼େ ଲମ୍ବା ଲମ୍ବା କଥା କହ ପଛେ, ଯେ ତାଙ୍କୁ ମୁନଫା କରେଇ ଦେବ, ସୁବିଧା କରେଇ ଦେବ ତାରି ପଛରେ ସେ ଧାଇଁଥିବେ, ବାବାଜି ବୈଷ୍ଣବଙ୍କ ପଛରେ ଧାଇଁବେ ନାହିଁ, ତାଙ୍କୁ ତ କିଛି ଭିକ୍ଷା ଦେଇ ବିଦା କରିବେ ।’’

 

ସେବାରାମ୍ କହିଲେ, ‘‘ଠିକ୍, ଠିକ୍, ସେଇଆ, ଯେଉଁ ପାର୍ଟିର ସରକାରଙ୍କ କର୍ମଚାରୀମାନେ ଲୋକଙ୍କୁ ଖୁସି ରଖି ନ ଜାଣିଲେ, ସେ ସରକାର ରହିପାରିବ ନାହିଁ, ଲୋକେ ଅନ୍ୟ ପାର୍ଟିବାଟେ ଅନ୍ୟ ସରକାର ଗଢ଼ି ନେବେ ।’’

 

ବିନୋଦ ତୁନି ହୋଇ ବସି ସେଦିନ ସେମାନଙ୍କର ସେ ଅଦ୍‌ଭୁତ ବ୍ୟବହାର ଓ କଥା ବିଷୟ ମନେ ମନେ ଭାବୁଥିଲା । ସେ ଶିରୀପୁରରେ ରହିବା ଦିନଠୁଁ ଦେଖି ଆସିଛି, ସେ ସବ୍‌ଡ଼ିଭିଜନର ସେକେଣ୍ଡ ଅଫିସର ଓ ତାକୁ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ କ୍ଷମତା ଦିଆ ହୋଇଛି ବୋଲି ସ୍ଥାନୀୟ ଲୋକଙ୍କ ଆଖିରେ ତାର ଖୁବ୍ ସମ୍ମାନ । ଏହି ବଡ଼ ବଡ଼ ଧନୀ ବ୍ୟବସାୟୀମାନେ ବହୁତ ଦୂରକୁ ଦୂରକୁ ସେମାନଙ୍କ ଜାଲ, ଖୁବ୍ ଗହୀରରେ ତାଙ୍କ ଚେର,–ନାନା ବାଟରେ ନିଜ ନିଜର ନାନା ସ୍ୱାର୍ଥକୁ ଆଖି ଆଗରେ ରଖି ସେମାନେ ଅନ୍ୟ ଲୋକଙ୍କ ସଙ୍ଗେ ବ୍ୟବହାର କରିଥାନ୍ତି । ସେ ଆସିଲା ଦିନଠୁଁ ସେମାନେ ତାକୁ କେଡ଼େ ସମ୍ମାନ ଦେଖାଉଥିଲେ, ସ୍ୱରରେ, କଥାରେ, ଅଙ୍ଗଭଙ୍ଗୀରେ, ହାବଭାବରେ, ସତେ ଯେମିତି ସେମାନଙ୍କଠୁ ସେ ବୟସରେ ବଡ଼, ମର୍ଯ୍ୟାଦାରେ ବଡ଼, ସେ ସେମାନଙ୍କର ଅତି ଆପଣାର ବନ୍ଧୁ ଓ ତା ସଙ୍ଗେ ସଙ୍ଗେ, ସେ ଏଭଳି କେହିଜଣେ ଯେ, ସେମାନଙ୍କ ଉପରେ ମନଊଣା କଲେ ତାଙ୍କର ଘୋର ଅନିଷ୍ଟ କରିପାରିବ । ସେତେବେଳେ ସେ ଭାବୁଥିଲା, ସେସବୁ ସେମାନଙ୍କ ଅଭିନୟ ଛଡ଼ା ଅନ୍ୟ କିଛି ନୁହେଁ, ନିଜ କାମ ଉଠେଇବାକୁ ୟେ ବେପାରି ଲକ୍ଷପତିଏ କୌଣସି ଉପାୟକୁ ହୀନ ବୋଲି ମଣନ୍ତି ନାହିଁ ପରା ! କଚିରିରେ କାଠବାଡ଼ ଓ ନାଲି ସାଲୁକନା ଘେରି ବୁଲିଥିବା ଉଚ୍ଚ ବେଦୀ ଉପରେ ଚୌକିରେ ସେ ବସି ମକଦ୍ଦମା ବିଚାର କଲାବେଳେ ତଳେ ଠିଆ ହୋଇଥିବା ଅଭିଜ୍ଞ ଓକିଲ ଓ ମୁକ୍ତିଆରମାନେ, ନିଜେ ଖୁବ୍‍ ଧନୀ, ମାନୀ, କ୍ଷମତାଶାଳୀ ହୋଇଥିଲେ ସୁଦ୍ଧା ତାକୁ ଯେଉଁ ସମ୍ମାନ ଦେଖାଉଥିଲେ ତାକୁ ପାଇବା ତାର ଅଭ୍ୟାସ ହୋଇଯାଇଥିଲା । ସେ ଜାଣିଥିଲା ଯେ ସେ ସମ୍ମାନ ବ୍ୟକ୍ତି ହିସାବରେ ବିନୋଦ ଦାସକୁ ଦିଆଯାଉଛି ସେପରି ନୁହେ, ସେ ସମ୍ମାନ ଦିଆଯାଉଛି ବିଚାରପତିଙ୍କ ଆସନକୁ । କିନ୍ତୁ ସେ କଥା ଜାଣିସୁଦ୍ଧା କାହା ବ୍ୟବହାର ଦ୍ୱାରା ସେଭଳି ସମ୍ମାନ ପାଇଲା ବେଳେ ସେଥିପ୍ରତି ସେ ଉଦାସୀନ ରହୁ ନ ଥିଲା ବରଂ ତାକୁ ଖୁସି ଲାଗୁଥିଲା । ଯଦି କେବେ କହାଠିଁ ବ୍ୟତିକ୍ରମ ଦେଖୁଥିଲା, ତୁଣ୍ଡରେ ସେ କିଛି ନ କହିଲେ ବି ତା’ ମନରେ ଟିକିଏ ହେଲେ ଛଳ ପଶି ଯାଉଥିଲା ।

 

ସେମିତି ମୂଳହୁଁ ଥିଲା ତା’ପ୍ରତି ସେ ବ୍ୟବସାୟୀମାନଙ୍କ ବ୍ୟବହାର, କିନ୍ତୁ ସେ ଆଜି ଦେଖୁଛି, ତା’ ଓଲଟି ପଡ଼ିଛି । ସେଥିପାଇଁ ନିଶ୍ଚୟ କିଛି କାରଣଥିବ । ବୋଧହୁଏ ସେମାନେ ତାକୁ ଜଣାଇ ଦେଉଛନ୍ତି ଯେ ସମୟ ବଦଳି ଗଲାଣି । ଏଣିକି ଶାସକ ଗୋଷ୍ଠୀ ଭିତରେ ବି ସେମାନଙ୍କ କଥାକୁ ଓଜନ ଦିଆଯିବ, ପାର୍ଟି ଆଖିରେ ସେମାନେ ଦାମୀ ଓ ଦରକାରି ମଣିଷ, ସରକାରୀ ଚାକିରିଆ ବୁଝିବା ଉଚିତ ଯେ ସେମାନେ କାହାରି ଗୁରୁ ଗୋସାଇଁ ନୁହନ୍ତି, ଯେ ସରକାରକୁ ଗଢ଼ିଛନ୍ତି ସରକାରୀ ଚାକିରିଆ ଓଲଟି ତାଙ୍କୁ ମାନ୍ୟ କରିବା ଉଚିତ ।

 

ସେ ଜାଣିଥିଲା, ସେମାନେ ତାକୁ ପ୍ରକୃତରେ ମନ ଭିତରେ ଡରୁଥିଲେ, କାଳେ କେତେବେଳେ କିଏ ତାଙ୍କ ନା’ରେ ତେଣ୍ଟା ଲଗାଇଦେବ ଓ କଥା ଉଠିବ ଯାଇ କଚିରିରେ । କେତେଥର କେଉଁ ବନ୍ଧୁ କି ବିଶ୍ୱାସୀ ଲୋକପାଇଁ ସେମାନେ ପରହାତରେ ବୁଲେଇ ବଙ୍କେଇ କହି ପଠାଇଛନ୍ତି । ପ୍ରଲୋଭନ ଦେଖାଇଛନ୍ତି । ଏପରି ଧୂର୍ତ୍ତବାଗରେ ଯେ ପ୍ରକୃତରେ ସେମାନେ କିଛି ଅବୈଧ ପ୍ରସ୍ତାବ ପଠାଇଛନ୍ତି ବୋଲି ସେମାନଙ୍କୁ ଦାୟୀ କରିହେବ ନାହିଁ, କିନ୍ତୁ ତାଙ୍କ ଇଙ୍ଗିତ ବୁଝିହେବ । ଆଉ ତା ଉତ୍ତରରେ ସେ କଠୋର ଭାବରେ ନିଜର ନୀତି ଆଦର୍ଶ ନିରପେକ୍ଷ ବିଚାର ରକ୍ଷା କରିବାକୁ ଦୃଢ଼ପ୍ରତିଜ୍ଞ, ଏଇ ସବୁ କଥା କହିଛି, କହି ପଠାଇଛି ଆଇନ ଆଖିରେ ବଡ଼ ସାନ, ଧନୀ ନିର୍ଦ୍ଧନ ନାହିଁ, ଯେ ବିଚାରକ ହୋଇ ନ୍ୟାୟର ନିକିତି ଧରିବ ସେ କାହାରିଦ୍ୱାରା କି କୌଣସି କାରଣ ଦ୍ୱାରା ପ୍ରଭାବିତ ହେବା ଉଚିତ ନୁହେଁ, ସେ କାହାରିକି ଡରିବ ନାହିଁ କି କାହାରିଠୁ କିଛି ଆଶା କରିବ ନାହିଁ । ସେମାନେ ଜାଣିଥିଲେ ସେ କଥା । ଜାଣିଥିଲେ, କଚିରି ଛଡ଼ା ଅନ୍ୟ କେଉଁଠି କେହି ତାକୁ ଯଦି ତା ବିଚାରାଧୀନ କୌଣସି ମକଦ୍ଦମା କଥା କହିବାକୁ ଚେଷ୍ଟା କରିବ, ସେ ଅପମାନ ପାଇବ, ତା ନାଁରେ ମକଦ୍ଦମା କରାଯିବ ବୋଲି ତାକୁ ଧମକେଇ ଦେଇ ସେ ବିଦାକରି ଦେଇ ବି ପାରେ । ନିଶ୍ଚୟ ସେମାନଙ୍କ ନିଜ ପାପ ନିଜମନକୁ ଖାଉଥିବ, ଅନ୍ୟାୟ ଉପାୟରେ ବେଶି ବେଶି ଲାଭ କରିବାକୁ ଚଞ୍ଚଳ ଚଞ୍ଚଳ ଲାଭ କରିବାକୁ ଲୋଭୀ ଲୋକର ଯେଉଁ ପ୍ରବୃତ୍ତି, ବିନୋଦ ଭାବିଥିଲା ସେଥିଯୋଗୁଁ ନିରପେକ୍ଷ ବିଚାରକ ତା’ ପାଇଁ ଆତଙ୍କ, ଯେ ଯେତେ ଧନୀ ହୋଇଥାଉ । କିନ୍ତୁ ଆଜି ଦେଖୁଛି ସେ ମନୋଭାବରେ ପରିବର୍ତ୍ତନ । ଅନୁମାନ କରିନେବା ଆଦୌ କଷ୍ଟ ହେଲା ନାହିଁ ଯେ ଏମାନେ ଆଉ କାହା ମୁହଁ ପାଇଛନ୍ତି । ଯେ ଆସୁଛନ୍ତି, ମନ୍ତ୍ରୀ, ତାଙ୍କ ସହିତ ତାଙ୍କର କଣ ସମ୍ବନ୍ଧ ଥାଇପାରେ ?

 

ସେହି ଅଳ୍ପ ସମୟ ତୁନିତାନି ଭିତରେ ତା ମନରେ ତରତର ହୋଇ ଭାବି ଭୋଇଗଲା ଏତେ କଥା । ଲଖିରାମ୍ ଓ ସେବାରାମ୍‌ଙ୍କ ଢୋକିଲା ଢୋକିଲା ଇଙ୍ଗିତ ଉହାଡ଼ରେ ଯେଉଁ ନାହୁଡ଼ର ଆସ୍ଫାଳନ ଥିଲା ତାର ପଦେ ଜବାବ ଦେବାକୁ ତା ଜିଭ ଖଲଖଲ ହେଲା । କହିଲା, ‘‘ଆପଣମାନେ ବୋଧହୁଏ ଭାବୁଛନ୍ତି, ଏଣିକି ସରକାରୀ କର୍ମଚାରୀମାନେ,–ସେ ପଛେ ପୁଲିସ ହୁଅନ୍ତୁ କି ମାଜିଷ୍ଟ୍ରେଟ ହୁଅନ୍ତୁ, ଯେ ମନ ସେ ହୁଅନ୍ତୁ, କୌଣସି ବିଷୟରେ କିଛି ନିଷ୍ପତ୍ତି ନେବା ନେବା ଆଗରୁ ଯେଉଁ ପାର୍ଟି ସରକାର ଗଢ଼ିଛି ଆଗ ସେ ପାର୍ଟିର ସ୍ଥାନୀୟ ନେତାମାନଙ୍କ ସଙ୍ଗେ ପରାମର୍ଶ କରି କାମ କରିବା ଉଚିତ ।’’ କହି ହସିଦେଲା, କହିଲା, ‘‘ହଉ, ତା ଯଦି ଆପଣମାନଙ୍କ ଇଚ୍ଛା ତେବେ ଚେଷ୍ଟା ଚଳାନ୍ତୁ ଯେମିତି ସେଇଆ ହେବ ବୋଲି ଗୋଟାଏ ଆଇନ ପାସ୍ ହୋଇଯିବ । ସେଉଠୁ ତ ରାଷ୍ଟ୍ରଯାକର ସବୁ କର୍ମଚାରୀ ତାକୁ ମାନି ଚଳିବେ, ଯେ ନ ମାନିବ ସେ ଚାକିରିରୁ ଯିବ, ଏଥିରେ ଆଉ ଅଡ଼ୁଆ କଣ ?’’

 

ସେବାରାମ କହିଲେ, ‘‘ଆଜ୍ଞା ଆମେ ସାଧାରଣ ଲୋକ ସେ ଆଇନ୍ କାନୁନ କଥା ଆମେ କି ଜାଣୁ ? କିନ୍ତୁ ସବୁ କଥାରେ ଲେଖାପଢ଼ି ଆଉ ଛପା ଆଇନ୍ ଖୋଜିଲେ କିଛି କାମ ହୁଏ-? ଗୃହସ୍ଥର ଘର ଚଳେଇବା କହନ୍ତୁ, ଆମର ଛୋଟିଆ ମୋଟିଆ ବେଉସା କହନ୍ତୁ, ଏସବୁ ତ ଅପାଠୁଆ ଲୋକ ବି ଭଲ ଚଳାନ୍ତି ? କେମିତି ? ଖାଲି ବୁଦ୍ଧି, ବୁଝାମଣା, ବିଶ୍ୱାସ ବଳରେ, ତୁଣ୍ଡ କଥାରେ କାମ ଚାଲେ । ସରକାରୀ ଅଫିସରେ କାଗଜ ଉପରେ କଲମ ଚାଷ ଲାଗି ରହିଥାଏ, କଣ କାମହୁଏ ଲୋକେ ବୁଝନ୍ତି, ପଚାରନ୍ତୁ, କହିବେ ।’’

 

ଲଖିରାମ କହିଲେ, ‘‘ସତ, ସତ ।’’ ଚୁଙ୍ଗୀରାମ କହିଲେ, ଆଇନ ନାଁରେ ତ ସବୁ ଚାଲିଛି-। କିନ୍ତୁ ପୁଲିସ କଣ ସବୁବେଳେ ଅସଲ ଦୋଷୀକୁ ଧରୁଛି ନା ମାଜିଷ୍ଟ୍ରେଟମାନେ ଅସଲ ଦୋଷୀକୁ ଦଣ୍ଡ ଦେଉଛନ୍ତି ? ଯେ କଚିରି ଘରେ ଚୌକି ଉପରେ ବସିଛନ୍ତି କେଉଁଠି କଣ ହେଲା ସେ କଣ ନିଜେ ଦେଖିଛନ୍ତି ନା ଜାଣିଛନ୍ତି ? ସେଇଠି ବସି ବସି କିଏ କଣ କହିଲା ଶୁଣି କଣ ଗୋଟାଏ ନିଷ୍ପତ୍ତି ଦେଇ ଦେଉଛନ୍ତି, ଫିରିଙ୍ଗି ଇଂରେଜି ସରକାର ସେଇ ଆଇନ କରିଗଲା ତ ଏବେ ବି ସେଇଆ ଚାଲିଛି ।’’

 

ନରିମିଶ୍ର କହିଲେ, ‘‘ଭୁଲିଲେ ଚଳିବ ନାହିଁ, ମାହାତ୍ମାଗାନ୍ଧୀ ନିଜେ କହିଥିଲେ ଇଂରେଜର ବିଚାରକୁ ତାଙ୍କର ବିଶ୍ୱାସ ନ ଥିଲା ବୋଲି, ସେ କଚିରି ଛାଡ଼ିବାକୁ କହିଥିଲେ ପରା, ଆଇନ ଭାଙ୍ଗିବାକୁ ଡାକ ଦେଇଥିଲେ–’’ ଚୁଙ୍ଗୀରାମ କହିଲେ, ‘‘ଆହା, ସେ ଦେବତା ଥିଲେ, ତଥାପି ସେ କଚିରିରେ ହାକିମ ତାଙ୍କୁ ଜେଲ ଦଣ୍ଡ ଶୁଣାଇଥିଲେ । ତାଙ୍କ କଚିରି କଣ, ତାଙ୍କ ଆଇନ କଣ ସେ କଥା କଣ ଏତିକିରୁ ବୁଝା ଯାଉନାହିଁ ?’’

 

ସେବାରାମ କହିଲେ, ‘‘କିନ୍ତୁ ଲୋକେ ଜାଣନ୍ତି, ତାଙ୍କ ସଙ୍ଗେ ମିଶି ଆମେ ଜାଣୁ କେଉଁଟା ଠିକ୍, କେଉଁଟା ଭୁଲ, କେଉଁଠି ଦଣ୍ଡଦେବା ଉଚିତ । କିଏ ନିର୍ଦ୍ଦୋଷ ।’’

 

ବିନୋଦ କହିଲା, ‘‘ତା ମାନେ, ମୁଁ ଯାହା କହୁଥିଲି ସେଇଆ । ଆପଣମାନଙ୍କର ଇଚ୍ଛା ଯେ ଏଣିକି ଆମ ଦେଶରେ ଆଇନ ଫାଇନ, ଅଫିସମାନଙ୍କରେ ଲେଖାପଢ଼ି ବ୍ୟବସ୍ଥା, କାମ କରିବା ପଦ୍ଧତି ସବୁ ବଦଳିଯାଉ, ନୂଆ ପ୍ରକାରେ ନୂଆ ପଦ୍ଧତିରେ କାମଚାଲୁ । ବେଶ୍, ସେଇଆ ହଉ । କିଏ ମନା କରୁଛି ? କିନ୍ତୁ କେମିତି କେଉଁଟା ହେବ ସେସବୁ ଠିକଣା କରି ସେଇଆ ହଉ ବୋଲି ଆଗ ସରକାରୀ ନିର୍ଦ୍ଦେଶ ଜାରି ହେବା ତ ଦରକାର ? ସେଇ କଥାଟାକୁ ତ ଆଇନ କୁହାଯାଏ, ଏ ଦେଶରେ ଯେଉଁ ଆଇନ ଚଳୁଛି ସରକାରୀ କର୍ମଚାରୀ ତାକୁ ମାନିବାକୁ ବାଧ୍ୟ । ସେଥିରେ ଏକଥା ନାହିଁ ଯେ ସେମାନେ କୌଣସି ଗୋଟାଏ ପାର୍ଟିର ଲୋକଙ୍କୁ ପଚାରି ସେହି ଅନୁସାରେ ନିଷ୍ପତ୍ତି ଦେବେ ।

 

ସେବାରାମ୍ କହିଲେ, ‘‘କେହି ପିଲା ହୋଇଛି ଯେ କେଉଁ କର୍ମଚାରୀଙ୍କୁ ସେପରି ଅନୁରୋଧ ସୁଦ୍ଧା କରିବ’’ ।

 

‘‘ସେଇଆ ତ ମୁଁ ବି ଆଶ୍ଚର୍ଯ୍ୟ ହେଉଛି,’’ ବିନୋଦ କହିଲା, ‘‘ତେବେ ଆପଣମାନେ ଏତେବେଳଯାଏ ମତେ ବୁଝୋଉଥିଲେ କଣ ?’’

 

ଚୁଙ୍ଗୀରାମ କହିଲେ, ‘‘ଛାଡ଼ନ୍ତୁ ଆଜ୍ଞା, କାହାର ଶକ୍ତି ଅଛି ଆପଣଙ୍କୁ କଣ କିଛି ବୁଝେଇପାରିବ ଯେଉଁଟା ଆପଣ ନିଜେ ଉଚିତ ବୋଲି ନ ଭାବିବେ ? ଆପଣ ହେଲେ ପ୍ରକୃତରେ ଧର୍ମାବତାର । ବୁଢ଼ା ହେଲି ଆଜ୍ଞା, ଶାସ୍ତ୍ର ଶୁଣି ଶୁଣି ବେଳ କଟେଇ ଥାଏଁ, ଶୁଣିଛି, ୟେ ସଂସାରରେ ଧର୍ମାବତାର ସ୍ୱୟଂ ଯମ ବେଦତା । ସେ ଦଣ୍ଡ ଦିଅନ୍ତି ବୋଲି ଲୋକଙ୍କର ସିନା ଧାରଣା ଯେ ସେ ଭୟଙ୍କର, ପଛେ ତାଙ୍କୁ ବିଭତ୍ସ କରି ବର୍ଣ୍ଣନା କରାହୋଇଛି ଲୋକେ ଡରିବେ ବୋଲି, କିନ୍ତୁ ସୂର୍ଯ୍ୟଙ୍କର ଧର୍ମାତ୍ମା ପୁଅ ସେ । ସବୁ ସଦ୍‌ଗୁଣରେ ପରିପୂର୍ଣ୍ଣ, ଚେହେରା ବି ସେମିତି, କୌଣସି ପ୍ରଲୋଭନରେ ଭୁଲିବା ଲୋକ ନୁହନ୍ତି ।’’

 

ସେବାରାମ୍ କହିଲେ, ‘‘ଚୁଙ୍ଗୀରାମ୍‌ଜୀ ଏଣିକି ଏଣିକି ବେଶି ବେଶି ଯମ କଥା ଭାବିଲେଣି, ନାଇଁ ଭାଇ ?’’

 

ହସ ଉଠିଲା ।

 

ବିନୋଦ ବି ସେ ହସଖୁସିରେ ଯୋଗଦେଲା । କିନ୍ତୁ ସେ ବୁଝିପାରିଲା, ଏମାନେ ଜାଣି ଜାଣି ତା ଆଗରେ କଇଁଛ ପରି ବେକ କାଢ଼ିଥିଲେ, ତାଙ୍କର ସେ ସ୍ୱରୂପକୁ ସେ ଦେଖୁ ବୋଲି, ତାପରେ ନିଜ ଇଚ୍ଛାରେ ପୁଣି ସେମାନେ ଲୁଚିଗଲେ, ପଦାରେ ସେହି ନିତିଦିନିଆଁ କଇଁଛ ଖୋଳ, ଅତି ସାଧାରଣ ।

 

ପ୍ରକୃତରେ ଏମାନଙ୍କ ଟଙ୍କାର କ୍ଷମତା ସମାଜକୁ ନାନା ବାଗରେ ଫାଶରେ ଛନ୍ଦି ଶାସନକୁ ଯଦି ନିଜ ନିଜ ମନଲାଖି ନଚେଇ ପାରିବ ତେବେ କଣ ହେବ ଏ ଦେଶର ଭବିଷ୍ୟତ ? ତା ମନ କଥାର ଉତ୍ତର ଦେଲାପରି ସେବାରାମ କହିଲେ, ‘‘ଏଥର ଦେଶଟା ସୁନା ହୋଇଯିବ । ଏମିତିଆ ମନ୍ତ୍ରୀ, ଏଡ଼େ ବିଚକ୍ଷଣ ସବୁ ଜାଣୁଥିବା ସବୁ ବୁଝୁଥିବା ନେତା, ଯେଉଁ ଦେଶର ଭାଗ୍ୟଥାଏ ସେଠି ଏମିତି ମନ୍ତ୍ରୀ ମିଳନ୍ତି । ସବୁଥିରେ ପକ୍‌କା । ବଡ଼ ଆଖି, ବଡ଼ ମନ, ଦିନକୁ କୋଡ଼ିଏ ଘଣ୍ଟା ଖଟନ୍ତି, କେଉଁଠି କଣ ହେଉଛି ସବୁ ତାଙ୍କୁ ଜଣା । ଖାଲି ଏ ସରକାରୀ କର୍ମଚାରୀମାନେ କାମ କଲେ ହେଲା ।’’

 

ବିନୋଦ କହିଲା, ‘‘ସରକାରୀ କର୍ମଚାରୀଙ୍କୁ ସରକାର ଯେମିତି ଚଳେଇବେ ସେ ସେମିତି ଚଳିବେ, ନୁହେଁ ? ତା ଉପରକୁ ତା ଉପରକୁ ହୋଇ ସଂସ୍ଥା ଖଞ୍ଜା ହୋଇଛି, ଉପରବାଲା ଯଦି ଚଳେଇ ଜାଣିବେ, ନିଘା ଦେବେ ଭଲ କାମ କଲେ ପଦୋନ୍ନତି କରିବେ, କାମ ନ କଲେ କି କାମରେ ତ୍ରୁଟି କଲେ ତାଙ୍କ ଚାକିରିରେ କ୍ଷତି କରିବେ, ଅଯୋଗ୍ୟ ଲୋକଙ୍କୁ ଚାକିରିରୁ ତଡ଼ି ଦେବେ, ତେବେ କର୍ମଚାରୀ କାମ ନ କରିବେ କାହିଁକି ? ମନ୍ତ୍ରୀ ହେଲେ ସରକାରଙ୍କ ମୁଣ୍ଡ । କର୍ମଚାରୀ ହେଲେ ସରକାରଙ୍କ ହାତ କିମ୍ବା ହାତରେ ଧରା ହୋଇଥିବା କାମ କରିବା ହତିଆର ।’’

 

ଲଖିରାମ୍ ହସିଦେଇ କହିଲେ, ‘‘ଦେଖ କେଡ଼େ ବୁଦ୍ଧି ! କେଡ଼େ ସୁନ୍ଦରକରି ନିଜ ପଟ ଉପରୁ ଦାୟିତ୍ୱ ଖସେଇ ଦେଇ ଥୋଇ ଦେଲେ ମନ୍ତ୍ରୀଙ୍କ ଉପରେ । କଥାରେ ଆପଣଙ୍କୁ କିଏ ପାରିବ ଆଜ୍ଞା !’’

 

‘‘ଚାକିରିରୁ ଗଲାଦିନ ସିନା ମୁଣ୍ଡ ଉପରୁ ଦାୟିତ୍ୱ ଖସେଇବି ଅଇଛା ତା’ କରନ୍ତି କାହିଁକି-?’’ କହି ବିନୋଦ ହୋ ହୋ ହୋଇ ହସିଲା । ଗମ୍ଭୀର ହୋଇ କହିଲା, ‘‘କିନ୍ତୁ କେହି କେହି ଭୁଲ୍‌ରେ ଭାବନ୍ତି, ଯେ ଏସବୁ ବିଷୟରେ ମନ୍ତ୍ରୀଙ୍କର ବୋଧହୁଏ ଦାୟିତ୍ୱ ନାହିଁ, କି କାମ କରାଯିବ, କେମିତି ହେବ, ସବୁ ଠିକ୍ କରିବେ କର୍ମଚାରୀ, ଭଲକରି କରିବା ଦାୟିତ୍ୱ ବି ତାଙ୍କର, ମନ୍ତ୍ରୀଙ୍କି ଖାଲି ଜଣେଇ ଦିଆହେଉଥିବ, କେତେବେଳେ ବା ତାଙ୍କୁ ଦି ଚାରିଟା ପ୍ରସ୍ତାବ କୁହା ହେଉଥିବ ଯେ ସେ ତହିଁରୁ ଗୋଟାକୁ ବାଛୁଥିବେ, କେତେବେଳେ ତାଙ୍କଠୁ କଣ ଆଦେଶ ମଗା ହେଉଥିବ,–ପୁରୋହିତ ଯଜମାନକୁ କହିଲାପରି କୁହା ହେଉଥିବ, ‘ଏଇ ଆଦେଶ ଲେଖି ଦିଅନ୍ତୁ ।’ ସେଇ ଭୁଲ୍ ଧାରଣାଟା ଯେମିତି ନ ହୁଏ, ସେଥିପାଇଁ କହିଲି ।’’

 

ସେବାରାମ୍ ହସିଦେଇ କହିଲେ, ‘‘ଆପଣ କହିଦେଲେ ଭଲ କଲେ । ମନ୍ତ୍ରୀ ବି ଆପଣଙ୍କ କହିବା କଥା ଜାଣିଲେ ଭଲ ହେବ । ଜାଣିବେ, ମୁଁ କହିଦେବି ।’’

 

ବିନୋଦ କହିଲା, ‘‘ମନ୍ତ୍ରୀ ଶୁଣନ୍ତୁ ଭାବି ମୁଁ ତ କଥା କହୁନାହିଁ ଯେ, ଆପଣ ଏକଥା ତାଙ୍କ ଆଗରେ କହିବେ । କହିଲେ କହିବେ, ମୋର ଆପତ୍ତି କଣ ?’’

 

ସେବାରାମ୍ କହିଲେ, ‘‘ସେ ତ ଖୁସି ହେବେ, ବୁଝିବେ କେଡ଼େ ବୁଦ୍ଧିମାନ୍ ଏ ଅଫିସର-।’’

 

ବିନୋଦ କହିଲା, ‘‘ସେ କଣ ଭାବିବେ ସେ କଥା ଭାବିବାକୁ ମୁଁ କିଏ ? କିନ୍ତୁ ମୁଁ ଏତିକି ବୁଝେ,–ମଣିଷ ନିଜପାଖେ ନିଜେ ଯଦି ପରିଷ୍କାର ଅଛି, ଲାଜୋଉ ନାହିଁ, ଚୋରପରି ହେଉ ନାହିଁ, ତେବେ ଯେ ଯାହାକହୁ ଯେ ଯାହାକରୁ ଚିନ୍ତା ନାହିଁ । ନିଜେ ଠିକ୍ ଥିଲେ ହେଲା ।’’

 

ସେବାରାମ୍ କହିଲେ, ‘‘ୟେ ମନ୍ତ୍ରୀ ଦୁଃଖୀ ଲୋକର ଦୁଃଖ ଯେମିତି ଚିହ୍ନନ୍ତି, ଗରିବ ଲୋକର ପେଟ ଚିହ୍ନନ୍ତି, ସେମିତି ଗୁଣୀ ଲୋକର ଗୁଣ ଚିହ୍ନନ୍ତି, ଗୁଣ ଦେଖି ପୁରସ୍କାର ବି ଦିଅନ୍ତି ।’’

 

ଲଖିରାମ୍ କହିଲେ, ‘‘ସାଧରଣ ଏଣୁ ତେଣୁ ଘରର କେହି ନୁହନ୍ତି ତ, ଖାନ୍‌ଦାନ୍ ପିଢ଼ିର ଲୋକ । ଆମେ ତ ଜାଣୁ ଆଗେ ତାଙ୍କ ଘରଥିଲେ ମୁଲୁକ୍ ଯାକର ରାଜା । ଏବେ ବଡ଼ ଜମିଦାର ସତ । ରଜା ପଦବୀ ନ ଥାଉ ସିନା, ରାଜାମାନଙ୍କ ଘରେ ବନ୍ଧୁବାନ୍ଧବ, ତାଙ୍କୁ ତାଙ୍କ ଆଡ଼େ ସମସ୍ତେ ବି ଜାଣନ୍ତି ରାଜାବୋଲି । ଘରେ ଟଙ୍କା ସୁନା ଖଣି, ପିଲାଦିନୁଁ ଦୁଧରେ ଗାଧୋଇ ଘିଅରେ ଆଞ୍ଚୋଇବା ଲୋକ, ଟଙ୍କା ପଇସା ତାଙ୍କୁ ଗୋଡ଼ିମାଟି । ଦୁଃଖ କଣ ତା’ତ ଜାଣନ୍ତି ହିଁ ନାହିଁ, ସେ ମନରେ ଲୋଭ କୁଆଡ଼ୁ ଆସିବ, ସଂକୀର୍ଣ୍ଣତା କୁଆଡ଼ୁ ଆସିବ ?’’

 

ସେବାରାମ କହିଲେ, ‘‘ଠିକ୍ ଠିକ୍ । ବେପାରିଟିଏ ଦି’ ପଇସା କମେଇ ନେଉଛି ବୋଲି ତାଙ୍କ ମନରେ ହିଂସାବାଦ ନାହିଁ, କିଏ ମୁଠିଏ ଭଲରେ ଖାଇଲା, ଖଣ୍ଡେ କୋଠା ତୋଳିଲା, ଗୋଟିଏ ଗାଡ଼ି ରଖିଲା, ସେଥିପାଇଁ ବି ସେ ମନରେ ଈର୍ଷାଦ୍ୱେଷ ନାହିଁ, ସେ ତ ପିଲାଦିନୁଁ ଦେଖିଥିବେ ତାଙ୍କ ଚାକରମାନେ ବି ଆହୁରି ଭଲରେ ଚଳନ୍ତି । ସେମିତି ଦେଖିଲେ ସେ କେବେ ରାଗରେ ଦାନ୍ତ ଚୋବେଇବେ ନାହିଁ କି ଏଇଟା ପଇସା ଖାଉଚିବୋଲି କହି ହୁଲସ୍ତୁଲ ପକେଇବେ ନାହିଁ, କି କିଛି ମିଳିଯାଉ ବୋଲି ଆଶାରଖି କାହାପାଖେ ଯୋଗୀଥାଳ ଦେଖାଇବେ ନାହିଁ ସେମିତି କରନ୍ତି ଭିକାରୀ ଘର ପିଲା ହୋଇଥିଲେ । ଯେ ଏପଟେ ନେତା ବୋଲାଇ ସେପଟେ ନାଁ ବୁଡ଼ୋଉଛନ୍ତି ତାଙ୍କୁ ଭଲ କରି ନିଘା କର, ସେ କେବେ ଖାନ୍ଦାନ୍ ଘରର ପିଲା ହୋଇ ନ ଥିବେ ।’’

 

ନରିମିଶ୍ର, ଲଖିରାମ୍ ଏକାସାଂଗରେ କହିଲେ ‘‘ଠିକ୍ ଠିକ୍ ।’’

 

ବିନୋଦ କହିଲା ‘‘ଆଉ ଏକ ରକମ ବି ଖାନ୍ଦାନ୍ ଅଛନ୍ତି ।’’

 

ଲଖିରାମ କହିଲେ ‘‘କିଏ ?’’

 

ବିନୋଦ କହିଲା ‘‘ଯେମିତି ଏ ମାଟି, ଏ ଆକାଶ –’’

 

ଚୁଙ୍ଗୀରାମ ପଚାରିଲେ, ‘‘ସେ ତ ଦୁସ୍ରା କଥା । ମଣିଷଙ୍କ ଭିତରେ ଭିନେ ପ୍ରକାର ଖାନ୍ଦାନ୍ କାହାକୁ କହୁଛନ୍ତି ?’’

 

‘‘ଯାହାଙ୍କ ପାଇଁ ସ୍ୱାଧୀନତା ଆସିଲା । ଏ ଦେଶର ସେହି ସାଧାରଣ ମଣିଷ । ସଂଖ୍ୟାରେ କୋଟି କୋଟି । ବାଛି ବାଛି କାହାକୁ କାହାକୁ ପଦାକୁ କାଢ଼ି ଦେଖାଇବା ଦରକାର ନାହିଁ-। ଯୋଉଠି ସେଇଠି ହାତପକାନ୍ତୁ, ପାଇବେ ସାଧାରଣ ମଣିଷ ।’’

 

ସେବାରାମ୍ କହିଲେ, ‘‘ତା କେମିତି ହେବ ? ଆଖି ବୁଜି ହାତ ପକାନ୍ତୁ, ପଡ଼ିବ କେଉଁ ଶେଠ୍‌ଙ୍କ ଉପରେ କି ମହାରାଜାଙ୍କ ଉପରେ କି କେଉଁ ଭିକାରୀ ଉପରେ ।’’

 

ବିନୋଦ କହିଲା, ‘‘ଆଦୌ ସେମିତି ପଡ଼ିବ ନାହିଁ । ଶେଠ୍ କି ମହାରାଜା ସାଧାରଣ ଗହଳିରେ ନ ଥିବେ । ଭିକାରୀଟି ଥାଇପାରେ ନ ଥାଇପାରେ, ଦଳରେ ଥିଲେ ସେମିତିଆ ଅନ୍ୟ ଭିକାରୀଙ୍କ ସଙ୍ଗେ ଥିବ । ସାଧାରଣ ମଣିଷଙ୍କ ଅବସ୍ଥାରେ ଅତି ଅଧିକ ତଫାତ୍ ନ ଥାଏ । ସାଧାରଣତଃ ସେମାନେ ଖଟିଖାଇବା ଲୋକ, ତାଙ୍କର ବହୁପ୍ରକାରର ବହୁତ ଅଭାବ । ଆମ ଦେଶରେ ସେହିମାନେ ହିଁ ବେଶି, ଯୁଗେ ଯୁଗେ । ଆଉ ସେହିମାନେ ବି ଖାନ୍ଦାନ୍ ।’’

 

ସେବାରାମ କହିଲେ, ‘‘ଆମର ମନ୍ତ୍ରୀ ତ ସେଭଳିଆ ନୁହନ୍ତି !’’

 

ବିନୋଦ କିଛି କହିଲା ନାହିଁ ।

 

ସେବାରାମ୍ କହିଲେ, ‘‘ତା ମାନେ, ସେ ମନ୍ତ୍ରୀ ସତ, ବଡ଼ ନେତା, କିନ୍ତୁ ଦେଶର ସାଧାରଣ ମଣିଷଙ୍କ ଭିତରୁ ଜଣେ ନୁହନ୍ତି, ତାଙ୍କର ଯେଡ଼େ ଉପକାର କରନ୍ତୁ ପଛେ, ସେ ଜଣେ ବାହାରିଆ ଲୋକ । ନା କଣ ?’’

 

ସେ ବିନୋଦ ଆଡ଼କୁ ଅନେଇଲେ ।

 

ଚୁଙ୍ଗୀରାମ୍ କହିଲେ, ‘‘ଭଲ ଯୁକ୍ତିଟା ତୁମର ହୋ–’’

 

‘‘ମୋର ନୁହେଁ, ସେକେଣ୍ଡ ଅଫିସର ଆଜ୍ଞା ଯାହା କହିଲେ ମୁଁ ଖାଲି ସେଇଆକୁ ମେଲେଇ ବୁଝୋଉଛି ।’’

 

ବିନୋଦ କହିଲା, ‘‘କାହିଁ ମୁଁ ତ ଏଗୁଡ଼ାକ କହିନାହିଁ କି ଏ ଅର୍ଥରେ କହିନାହିଁ ! ମନ୍ତ୍ରୀ ନିଜେ ଗରିବ ଘରେ ଜନ୍ମ ହୋଇଥାନ୍ତେ, ନିଜେ ଆଶଙ୍କା ଓ ଭୋକ ଉପାସରେ ଦିନ ବିତେଇଥାନ୍ତେ, ନାନା ଦୁଃଖକଷ୍ଟ ସହି ଭୂତ ପରି ଖଟି ଖଟି ପିଲାକୁଟୁମ୍ବଙ୍କ ତୁଣ୍ଡରେ ପଡ଼ିବ ବୋଲି ରୋଜଗାର କରିଥାନ୍ତେ, ଅଭାବଟା କେଡ଼େ କଷ୍ଟ କେଡ଼େ ଦୁଃଖ ଦିଏ ନିଜେ ତା ଅନୁଭବ କରିଥାନ୍ତେ, ତାହେଲେ କହିଥାନ୍ତି ତାଙ୍କର ବ୍ୟକ୍ତିଗତ ଅନୁଭୂତି ଅଛି । ସେସବୁ ହୁଏତ ତାଙ୍କର ନାହିଁ । କିନ୍ତୁ ଯେଉଁମାନଙ୍କର ଅଛି, ସେମାନେ ତ ତାଙ୍କୁ ହିଁ ବାଛିଛନ୍ତି ତାଙ୍କ ପ୍ରତିନିଧି ବୋଲି, ତାଙ୍କ ନେତା ବୋଲି, ମନ୍ତ୍ରୀ ବୋଲି । ତା ମାନେ କଣ ? ସେମାନଙ୍କର ଦୃଢ଼ ବିଶ୍ୱାସ ଯେ ତାଙ୍କ ଦୁଃଖ ୟେ ଭଲକରି ଜାଣନ୍ତି, ତାକୁ ଦୂରକରିବାକୁ ପ୍ରାଣପଣେ ଚେଷ୍ଟା କରିବେ ଓ ସେମାନଙ୍କ ପ୍ରତି ତାଙ୍କର ଖୁବ୍ ସହାନୁଭୂତି । ସେମାନଙ୍କର ଯଦି ସେପରି ବିଶ୍ୱାସ ହେଲା ସେଥିରେ ଆପତ୍ତି କରିବାକୁ ଶିରୀପୁର ସେକେଣ୍ଡ ଅଫିସର୍ କିଏ ?’’

 

ସେବାରାମ୍ କହିଲେ, ‘‘ଆପଣ ନ କରନ୍ତୁ, ମୁଁ ନିଶ୍ଚୟ କରିବି । ସେହି ସାଧାରଣ ମଣିଷ କଥା ଆପଣ ଯାହା କହିଲେ ଶୁଣି ମୋ କଲିଜା ତରଳିଗଲା । ଅସଲ ସେଇ । ଏ ମନ୍ତ୍ରୀ ଫନ୍ତ୍ରୀ ଫାଲ୍‌ତୁ । ଆମେ ଅନ୍ଧ ।’’

 

ବିନୋଦ ମନେମନେ ସେବାରାମ୍‌କୁ ବାହାଦୂରୀ ଦେଲା, ମନେ ପକାଇଲା କେମିତି ସେ କଥାର ଜାଲ ପକାଇ ତାକୁ ପାଦ ବଢ଼ାଇବାକୁ ବାରମ୍ବାର ଆମନ୍ତ୍ରଣ କରୁଛି ଓ ମନ୍ତ୍ରୀଙ୍କ ବିରୁଦ୍ଧରେ ସେ ପଦେ କହିଦେଲେ ସେବାରାମ ଜାଲରେ ମାଛକୁ ଗୁରେଇ ପକାଇ ମନ୍ତ୍ରୀପାଖରେ ପହଞ୍ଚାଇ ଦେବ । ବିନୋଦ କହିଲା ‘‘ଆପଣ କହୁଛନ୍ତି ଆପଣଙ୍କର ସେ ବହୁକାଳର ବନ୍ଧୁ, ଆପଣ ତାହାରି ସୁଯୋଗ ନେଇ ତାଙ୍କୁ ଯାହାଇଚ୍ଛା ତା’ କହିପାରନ୍ତି, କିନ୍ତୁ ମୋ ପାଇଁ ତ ସେ ଶାସନ ସଂସ୍ଥାର ସବୁଠୁ ବଡ଼ ଅଧିକାରୀ । ଦେଶର ମୁଖ୍ୟମନ୍ତ୍ରୀ । ତାଙ୍କୁ ଅନ୍ୟ କିଛି ବୋଲି ଭାବିବା ମୋ କଳ୍ପନାରେ ନାହିଁ, ମୋ ପାଇଁ ସମ୍ଭବ ବି ନୁହେଁ । ଯାଏଁ ବୁଝେଁ, କେଉଁଠି ପହଞ୍ଚିଲେଣି, କିଛି ସମ୍ବାଦ ଆସିଛି କି ନାହିଁ ।’’ ସେ ଉଠି ଚାଲିଗଲା ।

 

ମନ୍ତ୍ରୀ ଆସିଲେ ନାହିଁ । ଦିନ ବାରଟା ହେଲା ।

 

ଦିନ ସାଢ଼େତିନିଟା ବେଳେ ହଠାତ୍ ଘୋ ଘାରେ ଶିରୀପୁର ଉଠିଲା ପଡ଼ିଲା, ଆପେ ଆପେ ଖବର ଚହଟିଗଲା ଯେ ମନ୍ତ୍ରୀ ଆସିଛନ୍ତି, ବାଟରେ ଠାଏ ଅଭ୍ୟର୍ଥନା ସ୍ଥଳରେ ଅଟକି ରହିଛନ୍ତି । ଡାକବଙ୍ଗଳା ହତାରେ ଆଗରୁ ପୁଲିସ ଥିଲେ, ଅନ୍ୟାନ୍ୟ ନାନା କର୍ମଚାରୀ ଥିଲେ, ଆସି ପହଞ୍ଚିଲେ ଆହୁରି ଆହୁରି କର୍ମଚାରୀ, ମଟର, ମଟରସାଇକଲ, ସାଇକଲ, ସବୁଠି ଗହଳି ବ୍ୟସ୍ତତା-। କାରରୁ ଓହ୍ଲେଇ ରାଘବ ଚୌଧୁରୀ ଆସିଲେ, ଗମ୍ଭୀର ହୋଇ ବିନୋଦକୁ ଚାହିଁ ଦେଇ ମୁଣ୍ଡ ହଲାଇଲେ, ଘରର ମାଲିକ ପରି ଏପଟ ସେପଟ ଚାହିଁ ତରତର ପାହୁଣ୍ଡ ପକାଇ ଧାଇଁ ଚାଲିଲେ ଏଘରୁ ସେଘର, ଏପାଖୁ ସେପାଖ, ତାଙ୍କ ଗହଣରେ ଦଳେ କର୍ମଚାରୀ । ବିନୋଦ ବୁଝିଲା, ଏଥର ଏଠିକା ଦାୟିତ୍ୱ ସେ ନେଇଛନ୍ତି । ସେ ଆଜି ଭାତଖାଇ ଯାଇ ପାରିନାହିଁ, ମଝିରେ ଠାଏ ସୁବିଧା କରି ସାମାନ୍ୟ ଜଳଖିଆ ଖାଇ ଦେଇଥିଲା । ଏଣିକି ସେ ନିଜ କୁତୂହଳରେ ବାହାରେ ଟହଲିଲା, ଅପେକ୍ଷା କଲା ମନ୍ତ୍ରୀ ଆସିବେ । ବଡ଼ ପଟୁଆର ଚାଲିଚାଲି ମାଡ଼ି ଆସୁଥାଏ । ପତାକାମୟ-। ଜୟନାଦ ଓ ଘୋ ଘୋରେ କାନଅତରା ପଡ଼ୁଥାଏ । ଜନ୍ଦା ପିମ୍ପୁଡ଼ି ପରି ଲୋକ । ପଟୁଆର ପାଖ ହେଲା ।

 

‘‘ହେଇ ସେ !’’

 

ଫୁଲ ହାରରେ ଅଧା ଦେହ ଢାଙ୍କି ହେଲାପରି, ଧଳା ଟୋପି ନାଇ, ଖଦଡ଼ ଲୁଗା ପଞ୍ଜାବୀ ପିନ୍ଧା ଡେଙ୍ଗା ବଳୁଆ ଗୋରା ଲୋକ, ବଡ଼ ମୁହଁ, ମୁହଁରେ ହସ । ପାଖେ ପାଖେ ସେହି ଏକା ବେଶରେ ଆହୁରି କେତେ କେତେ । ବିନୋଦ ତହିଁରୁ କେତେ ଜଣଙ୍କୁ ଚିହ୍ନି ପାରିଲା । ସେବାରାମ୍, ଚୁଙ୍ଗୀରାମ୍, ଲଖିରାମ୍, ଅନ୍ୟାନ୍ୟ ବଡ଼ ବ୍ୟବସାୟୀ, ଧନୀ ବୃତ୍ତିଜୀବୀ, ବଡ଼ ବଡ଼ ଜମି ମାଲିକ, କେତେ ଜମିଦାର, ଏମାନେ ତ ନିଶ୍ଚୟ ପାଖେ ପାଖେ, ପୁଣି ନରି ମିଶ୍ର, ବିପିନ ପାତ୍ର, ଓ ସେହିଭଳି କେତେ କେତେ ‘ସ୍ଥାନୀୟ ନେତା’, ଆଉ ବଡ଼ ସହରରୁ ଆସିଥିବା ସେହିଭଳି କେତେ ଜଣ, ଯାହାଙ୍କୁ ସେ ଚିହ୍ନେ । ଟିକିଏ କରିକିଆ ହୋଇ ପଛେ ପଛେ ତୁନି ତୁନି ଚାଲି ଚାଲି ଆସୁଛନ୍ତି ଜିଲ୍ଲା କଲେକ୍ଟର୍, ଓ ଆଉ କେତେକ ବଡ଼ କର୍ମଚାରୀ ।

 

ପଟୁଆର ଡାକବଙ୍ଗଳା ହତାରେ ପହଞ୍ଚିଲା । ପୁଲିସ୍ ଦଳ ଧାଡ଼ି ହୋଇ ଠିଆ ହୋଇ ବିଧିପ୍ରକାରେ ମନ୍ତ୍ରୀଙ୍କୁ ଅଭିବାଦନ ଦେଲେ ! ମନ୍ତ୍ରୀ ଅଭିବାଦନ ନେଲେ । ତାପରେ ଭିତରେ ପଶିଲେ ।

 

ପନ୍ଦର ମିନିଟ୍ ପରେ ମନ୍ତ୍ରୀଙ୍କ ପ୍ରାଇଭେଟ୍ ସେକ୍ରେଟେରି ନିଜେ ଡାକି ଖୋଜିଲେ, ‘‘କାହିଁଗଲେ ଆଜ୍ଞା ସେବାରାମ୍ ବାବୁ, ନରିବାବୁ, ଲଖିରାମ୍ ବାବୁ, ଚୁଙ୍ଗୀରାମ୍ ବାବୁ, ବିପିନ ବାବୁ, ମନ୍ତ୍ରୀ ଡାକୁଛନ୍ତି ।’’ ସେମାନେ ତରତର ହୋଇ ତାଙ୍କ ସଙ୍ଗେ ସେ ବଖରା ଆଡ଼କୁ ଗଲେ । ପଛରୁ ଡାକ ଶୁଭିଲା, ‘‘ଆଉ ଆମେ ? ଆଉ ଆମେ ?’’ ବୁଲିପଡ଼ି ପ୍ରାଇଭେଟ୍ ସେକ୍ରେଟେରି କହିଲେ, ‘‘ଟିକିଏ ଅପେକ୍ଷା କରନ୍ତୁ, ଆଉ କାହାକୁ କାଳେ ସେ ଖୋଜିବେ ।’’ ‘‘ଆପଣ ଟିକିଏ ଆମକଥା ବି କହନ୍ତୁ ।’’ ‘‘ନାଁ ଲେଖି ଦିଅନ୍ତୁ, ସମୟ ହେଲେ ସେ ଡାକି ପାରନ୍ତି । ଜାଣନ୍ତିତ, ୟାପରେ ତ ସାଧାରଣ ସଭା, ତା ପରେ ବି ସେ ଘଣ୍ଟାଏ ଖଣ୍ଡେ ରହିବେ, ସେଉଠୁ ସିନା ଚାଲିଯିବେ ।’’

 

ସେବାରାମ୍ ଆଦି ଭିତରେ ପଶିଲେ ।

 

କେତେ ଲୋକ ଟିକିଟିକି କାଗଜରେ ନିଜ ନିଜ ନାଁ ଲେଖିଲେ, କେହି କେହି କିଛି ଅଭିପ୍ରାୟ ଲେଖିଲେ । କେତେ ଲୋକ କେତେ ଦରଖାସ୍ତ କାଢ଼ି ବଢ଼ାଇ ଦେଲେ, ପ୍ରାଇଭେଟ ସେକ୍ରେଟେରି ସେଗୁଡ଼ିକ ଯତ୍ନ ସହକାରେ ସଂଗ୍ରହ କଲେ । ପାଟି ଶୁଭୁଥାଏ, ‘‘ଆମେ ଦେଖା କରିବୁଁ-।’’ ‘‘ଆମେ କହିବୁଁ ।’’

 

କଲେକ୍ଟର ପିଣ୍ଡାରେ ଠିଆ ହୋଇ ଖୁବ୍ ମିଠା ହସ ହସି ବୁଝାଇଲେ, ‘‘ସେ ତ ଆପଣମାନଙ୍କର, ଆପଣମାନେ ତାଙ୍କର, ଆପଣମାନଙ୍କୁ ଭେଟିବେ ବୋଲି ଏଠିକି ଆସିଛନ୍ତି, ଭେଟିଲେଣି, ଆହୁରି ଭେଟିବେ, ଆହୁରି ଆହୁରି । ସଭାସ୍ଥଳରେ ହଜାର ହଜାର ଲୋକ ତାଙ୍କୁ ଭେଟିବେ । କିନ୍ତୁ ଏଇ ଛୋଟିଆ ବଖୁରି ଭିତରେ କାହିଁ ଏତେ ସ୍ଥାନ ? ଜଣ ଜଣଙ୍କୁ ଭେଟି କଥା ହେବାକୁ ସେ ବେଳ ବି କାହୁଁ ପାଇବେ ?’’

 

ଭିତରକୁ ଯାଇଥିବା ଲୋକେ ପଦାକୁ ବାହାରିଲେ, ହସ ହସ, ଖୁସି ଖୁସି । ମନ୍ତ୍ରୀ ବି ପଦାକୁ ବାହାରିଲେ, କେତେ ଲୋକ ଏକା ସାଙ୍ଗରେ ଗୁହାରି କରିବା ଆରମ୍ଭ କରିଦେଲେ । ମନ୍ତ୍ରୀ କାହା କାନ୍ଧରେ କାହା ମୁଣ୍ଡରେ କାହା ପିଠିରେ; ହାତରେ ଆଉଁସି ଦେଲେ । ସମସ୍ତିଙ୍କୁ ଲକ୍ଷ୍ୟକରି କହିଲେ, ‘‘ଖଣ୍ଡେ ଖଣ୍ଡେ ଲେଖିଦିଅନ୍ତୁ, ସବୁ ମୁଁ ବୁଝିବି । ଏଇଠି ଏ କଲେକ୍ଟର ଅଛନ୍ତି, ଏ ପ୍ରାଇଭେଟ୍ ସେକ୍ରେଟେରି ଅଛନ୍ତି । କେହି କେହି ଏମାନଙ୍କୁ ବି ଠିକେ ଠିକେ କହିଯାଉନ୍ତୁ, ୟେ ସବୁ ଟିପିନେଇ ମତେ ଦେବେ । ଦଶମିନିଟ୍‌ରେ ସେ କାମ ହୋଇଯାଉ । ମୁଁ ବି ଆଉ ଟିକିଏ କାମ ଅଛି ସାରିଦିଏଁ ।’’ ଭିତରେ ପଶିଲେ । ଡକା ହୋଇ ଆଉ କେତେଜଣ ଭିତରକୁ ଗଲେ । ବାହାରେ କଲେକ୍ଟର ଓ ପ୍ରାଇଭେଟ୍ ସେକ୍ରେଟେରି କେତେଜଣଙ୍କ ସଙ୍ଗେ କଥାଭାଷାକରି ସେମାନଙ୍କ ଗୁହାରି ଟିପୁଥାନ୍ତି । ଏସ୍‌.ଡ଼ି.ଓ. ଅନ୍ୟମାନଙ୍କୁ ପଚାରୁଥାନ୍ତି ‘‘ଆସ, କହ, ମୁଁ ଟିପିନେବି, କଲେକ୍ଟର ସାହେବଙ୍କୁ ଦେବି, ସେ ଦେବେ ମନ୍ତ୍ରୀଙ୍କୁ । ଯାହା କହିବ ସବୁ ଟିପାହେବ ।’’ ଘରେ ଥିବା ଲୋକ ପଦାକୁ ଆସିଲେ । ତାପରେ ଖବର ଆସିଲା, ମନ୍ତ୍ରୀ ଚାହିଁଛନ୍ତି ସ୍ଥାନୀୟ କର୍ମଚାରୀଙ୍କୁ ବାହାରେ ଏଇ ପିଣ୍ଡାରେ ଭେଟିବେ, ଖବର ଗଲେ ସେ ବାହାରିବ, ଆଉ କିଛି ସମୟ ପରେ ।

 

କଲେକ୍ଟର ଓ କେତେଜଣ ବଡ଼ ବଡ଼ କର୍ମଚାରୀ ଭିତରକୁ ଗଲେ । ମନ୍ତ୍ରୀ ଚା’ ଖାଇ ବସିଲେ । ବାହାରିଲେ । ସ୍ଥାନୀୟ କର୍ମଚାରୀମାନେ ଏକାଠି ଠିଆ ହୋଇଥାନ୍ତି । ଦଣ୍ଡବତ ହେଲେ । କଲେକ୍ଟର, ଅନ୍ୟାନ୍ୟ ଜିଲାସ୍ତରୀୟ କର୍ମଚାରୀ କେତେଜଣ, ଏସ୍‌.ଡ଼ି.ଓ., ଏମାନେ ସ୍ଥାନୀୟ ଆଫିସରଙ୍କ ନାଁ ଓ ପରିଚୟ କହିଦେଲେ, ମନ୍ତ୍ରୀ କହିଲେ, ‘‘ବେଶ୍, ବେଶ୍ ।’’ ହସିଦେଇ କହିଲେ, ‘‘ସବୁ ତ ଆପଣମନେ କରିବେ, ଆଉ କିଏ ? ପାଖେ ବୁଝିଲେ–ଅସଲ ହେଲେ ଗ୍ରାମଦେବତୀମାନେ, ସେ ସନ୍ତୁଷ୍ଟ ନ ହେଲେ, ସେ ଦୟା ନ କଲେ, ସବୁ ବିଗିଡ଼ିବ ।’’

 

ତାଙ୍କ ସଙ୍ଗେ ସମସ୍ତେ ହସିଲେ । ମନ୍ତ୍ରୀ କହିଲେ, ‘‘ଲୋକେ ସରକାର ଗଢ଼ିଛନ୍ତି, ଆମକୁ ଡାକି ଆଣି ବସେଇଛନ୍ତି । ସେ ଯଥାର୍ଥ ଦାବୀ କରୁଛନ୍ତି, ଆଶା କରୁଛନ୍ତି ସରକାର ତାଙ୍କ ଦୁଃଖ ଶୁଧାରିବେ । ଠିକ୍ କଥା । କିନ୍ତୁ ଶିରୀପୁର ସବ୍‌ଡ଼ିଭିଜନ୍‌ରେ ଆପଣମାନଙ୍କୁ ଛାଡ଼ିଦେଲେ ସେ ସରକାରର ହାତଗୋଡ଼ ଆଉ କିଏ ? ଆପଣମାନେ ଭଲକାମ କଲେ ସରକାରର ସୁନାମ, କାମ ନ କଲେ, ଖରାପ କାମ କଲେ ସରକାର ବଦନାମ ପାଇବ, ଲୋକେ ସରକାରକୁ ଛି ଛି କରିବେ । ଆପଣମାନେ ତ ସବୁ ବିଦ୍ୱାନ ଲୋକ, ଆପଣମାନଙ୍କୁ ମୁଁ ଆଉ ଅଧିକା କଣ କହିବି ? ସବୁ ଆପଣମାନଙ୍କୁ ଲାଗିଲା । ଟିକିଏ ଗୋଟିଏ କଥାକୁ ଧ୍ୟାନଦେଇ ଚଳିବେ । ଯେ ଯେଡ଼େ ଗରିବ ଯେଡ଼େ ମଳିମୁଣ୍ଡିଆ ହଉ, ଭିକାରୀଟିଏ ହଉପଛେ, ସେ ଏ ଦେଶର ଜଣେ ନାଗରିକ । ଏଠି ତ ଆଉ ବିଲାତର ରାଜା ରାଜା ନାହାନ୍ତି, ରାଜା ଏ ଦେଶର ସବୁ ନାଗରିକ । ସେ ବି ଗୋଟିଏ ସେଇଥିରୁ । ତେଣୁ ଆପଣମାନଙ୍କଠୁଁ ମର୍ଯ୍ୟାଦା କି ନିଘା ଯେମିତି ସେ କମ୍ ନ ପାଏ ।’’

 

ମନ୍ତ୍ରୀ ପୁଣି ହସିଦେଲେ, କିନ୍ତୁ ସବୁ କର୍ମଚାରୀ ହସିଲେ ନାହିଁ, କିଏ କାବା କାବା, କିଏ ମୁହଁ ଶୁଖେଇଲା, କାହା ମୁହଁ ଗମ୍ଭୀର । ମନ୍ତ୍ରୀ ପୁଣି କହିଲେ, ‘‘ଜାଣନ୍ତି ତ ଆପଣମାନେ, ଆମ ଦେଶଟି ପାଚିଆପରି, ଛୋଟ । ଲୋକେ ବି ଅଖଳା, ଡବଡ଼ବା, କୋଉ କଥା ଲୁଚି ରହେଁ ? ଏଠି ସୋରିଷଟିଏ ଫୁଟିଲେ ରାଜଧାନୀରେ ଢୁ’ ଶୁଗିବ । କାନରେ ପଡ଼ିଲେ ଆମେ ମନ୍ତ୍ରୀମାନେ ବି ଏମିତି କଣ ଯେ ଭଣ୍ଡାରିଜଳାରେ ବାହାର କରି ଦେବୁଁ ? ଆପଣମାନେ ହେଲେ ସରକାରୀ,’’–ଟିକିଏ ଅଟକି ଯାଇ ନିଜେ ପାଦପୂରଣ କଲେ,–‘‘ଚାକିରିଆ–’’, ଅଟକିଗଲେ । ହତାରେ ଶୁଣୁଛନ୍ତି ଜନତା, କହିଗଲେ, ‘‘ଆଉ ଆମେ,–ଆମୁକୁ ଲୋକେ ଗାଦିରେ ବସେଇ ସରକାର କରେଇଛନ୍ତି ଯେ, ଆମେ ଦେଶଯାକର ଚାକର । ଏଇ ଦେଶଲୋକଙ୍କ ଚାକର ବୋଲେଇବା ତ ଶ୍ରେଷ୍ଠ ଗୌରବ’’,–ତାଙ୍କ ସ୍ୱର ଗଦ୍‌ଗଦ ଶୁଭୁଥାଏ, କହିଲେ–‘‘ଜାତିର ପିତା–,’’ଲାଗିଲା ତାଙ୍କ ତଣ୍ଟି କୋହରେ ପୂରିଗଲା, ଟିକିଏ ଅଟକି ଗଳା ଖଙ୍କାରି ନାକପୋଛି କହିଲେ–‘‘ଜାତିର ପିତା ମହାତ୍ମାଗାନ୍ଧୀ ସେଇଆ କହୁଥିଲେ । ହଁ, ଯାହା କହୁଥିଲି, ଆମ କାନରେ ପଡ଼ିଲେ ଆମେ କଣ ତୁନି ରହିପାରୁଁ ? ସେକଥା କରିପାରୁଥିଲେ ଇଂରେଜ ସରକାର । ସେ ଅମଳ ଆଉ ନାହିଁ ।’’ ମୁଣ୍ଡ ହଲାଇ ହଲାଇ କହିଲେ ‘‘ଆଉ ନାହିଁ । ଆଉ ନାହିଁ । ଆମେ ତ ଭାବିବୁଁ, ଆମର ବାରଶ ବଢ଼େଇରେ ଯାଏ କି ଗୋଟିଏ ପୁଅରେ ଯାଏ ?’’

 

କଲେକ୍ଟର କହିଲେ,–‘‘ମୁଁ ଆପଣଙ୍କୁ ଏ ଜିଲ୍ଲାର ସବୁ ଅଫିସରଙ୍କ ତରଫରୁ ନିର୍ଭର ପ୍ରତିଶ୍ରୁତି ଦେଉଛି ସାର୍–’’

 

ମନ୍ତ୍ରୀ କହିଲେ, ‘‘ଆପଣ ତ ଦେଇ ସାରିଛନ୍ତି ମୋର ମନେ ଅଛି, ପ୍ରତି ବିଭାଗର ମୁଖ୍ୟ କର୍ମଚାରୀ ତା ଆଗରୁ ଦେଇ ସାରିଛନ୍ତି, ଯେଉଁ ଅଫିସରକୁ ପଚାରିବି ସେ ପ୍ରତିଶ୍ରୁତି ଦେବେ । କିନ୍ତୁ ପ୍ରତ୍ୟେକ ସରକାରୀ କର୍ମଚାରୀ ଈଶ୍ୱରଙ୍କୁ ସାକ୍ଷୀ ରଖି ମନେମନେ ପ୍ରତିଶ୍ରୁତି ଦିଅନ୍ତୁ, ସେ ତାଙ୍କ ବିଚାରରେ ବ୍ୟବହାରରେ ନିଜକୁ ଜଣେ ଦେଶସେବକ ମଣି କାର୍ଯ୍ୟ କରିବେ । ନିଜକୁ ନିଷ୍କଳଙ୍କ ରଖିବେ । ଅପରକୁ ତୁଚ୍ଛ ତାଚ୍ଛଲ୍ୟ କରିବା, ଶୋଷଣ କରିବା, ବେ–ଆଇନ୍‌ଭାବେ ଦଣ୍ଡଦେବା କି ଯନ୍ତ୍ରଣା ଦେବା ତାଙ୍କ ସ୍ୱପ୍ନରେ ବି ନ ଥିବ । ମୁଁ କହୁନାହିଁ ଯେ ସେମାନେ କାହାରିକି ଡରି ହରି ନିଜ ଆଇନ୍‌ଗତ କର୍ତ୍ତବ୍ୟ ଅବହେଳା କରନ୍ତୁ, ଶାସନ କାର୍ଯ୍ୟ ହୁଗୁଳା କରନ୍ତୁ, ଆଦୌ ନୁହେଁ । ଯେ ଆଇନ୍ ଭାଙ୍ଗିବ ସେ ତା ଫଳ ଭୋଗିବ । ଆପଣମାନେ ନ୍ୟାୟରେ ଥିବାଯାକେ ଆମେ ଆପଣଙ୍କ ପଛରେ ଅଛୁଁ । କିନ୍ତୁ ସେ ଗାର ଡେଇଁଲେ, ଆପଣମାନଙ୍କ ପଛରେ କେହି ନ ଥିବେ ।

 

ବୁଝୁଥିବେ, ଦେଶର ଏ ଘଡ଼ିସନ୍ଧି ବେଳ । ଚାରିଆଡ଼େ ଅନ୍ଧାର, ଚାରିଆଡ଼େ ନାନା ଅଭାବ, ୟେ ସଂସାରଯାକରେ ଆମେ କେତେ ଶହବର୍ଷ ପଛରେ ସମସ୍ତିଙ୍କଠୁଁ କେତେ ତଳେ ଯେ ପଡ଼ିରହିଛୁଁ, ଆମର କେତେ ଯେ ସମସ୍ୟା, ତାର ଠିକଣା ନାହିଁ । ଲୋକେ ଅପେକ୍ଷା କରି ପାରିବେ ନାହିଁ । ଯୁଗ ଯୁଗ ଯାକେ ସହି ସହି ହାଡ଼ କଣ୍ଟା ହୋଇସାରି ଆଉ ତାଙ୍କଠିଁ ସହିବା ଶକ୍ତି ବି ନାହିଁ । ଆଶା କରିଛନ୍ତି, ଦେଶ ସ୍ୱାଧୀନ ହେଲା, ଏଥର ଦୁଃଖ ଯିବ, ସେଇ ଆଶା ମେଣ୍ଟେଇବାର ଅସଲ ଦାୟିତ୍ୱ ତ ଆପଣମାନଙ୍କ ଉପରେ । ତେଣେ ମନ ନ ଦେଇ ଯଦି କେହି ଭାବିବେ ତାଙ୍କ କାମ ତାଙ୍କ ସ୍ୱାର୍ଥସିଦ୍ଧି, ଲୋକେ ଖାଲି ନେଉଟିଆ ପଟାଳି, କି ଗାଈଗୋରୁ ଛେଳିମେଣ୍ଢା ତେବେ ତା ଫଳ ଭୋଗିବେ, ନିଜ କୃତକର୍ମର ଫଳଭୋଗିବେ, ଆମୁକୁ ଆଉ ଦୋଷ ଦେବେ ନାହିଁ ।’’

 

ସେ ଚାଲିଗଲେ, ତାଙ୍କ ଗହଣରେ ସେବାରାମ୍ ଆଦି । ସେବାରାମ୍ ଦୂରରୁ ବିନୋଦ ମୁହଁକୁ ଅନାଇଁଦେଇ ଫାଇଁକିନା ମୁରୁକି ହସିଦେଲେ, ପୁଣି ଗମ୍ଭୀର ହୋଇ ଛାତି ଫୁଲେଇ ସଭାକୁ ଚାଲିଲେ ।

 

ଜୟ ଜୟକାର, ଜିନ୍ଦାବାଦ୍ ଧ୍ୱନି ଉଠୁଥାଏ ।

 

ସ୍ୱାଧୀନ ଦେଶର ଜଣେ ମୁଣ୍ଡିଆଳ, ପ୍ରଦେଶର ସର୍ବେସର୍ବା, ଆସିଛନ୍ତି, ସଭାରେ ସେ କଣ କହିବେ ଶୁଣିବାକୁ ପଡ଼ିବ,–ବିନୋଦ ଭାବି ଭାବି ଯାଉଥାଏ । ସ୍ୱାଧୀନତା ପରେ ଯାହା ଯାହା ସେ ଦେଖୁଥାଏ ତହିଁରେ ତା’ର ଆଶଙ୍କା ଆଉ ଭାବନା ଆପେ ଆସୁଥାଏ, କିନ୍ତୁ ବାରମ୍ବାର ନିଜକୁ ଓ ଅନ୍ୟମାନଙ୍କୁ ସେ ଆଶାଦେଇ ମତାଇ ଲାଗିଥାଏ, ନିରାଶା ପାଇଁ କାରଣ କିଛି ନାହିଁ,–ଏତେ ସମସ୍ୟା ! ପଦେ ପଦେ ଏତେ ଜଟିଳତା ! କେଡ଼େ ବିଶାଳ ଦେଶ ! ଶୁଭ ପରିବର୍ତ୍ତନ ଆସୁ ଆସୁ ସମୟ ତ ଲାଗିବ ହିଁ । ସମାଜରେ ଯେଉଁ ଅଳ୍ପଲୋକେ ଏତେକାଳ ସୁଖ ସୁବିଧାର ବଡ଼ଭାଗକ ପାଇ ଯାଉଥିଲେ, କ୍ଷମତା ପ୍ରତିପତ୍ତି ମୁଠେଇ ଧରିଥିଲେ, ସେମାନେ ଆପଣାର ସେହି ନିହିତ ସ୍ୱାର୍ଥକୁ ଅତୁଟ ରଖିବାକୁ କି ବଢ଼େଇବାକୁ ନାନା ଉପାୟ ଲଗାଇ ଚେଷ୍ଟା କରିବେ ତ’, ତା’ତ ଅତ୍ୟନ୍ତ ସ୍ୱାଭାବିକ । ସେମାନେ ସବୁ କ୍ଷମତା–କେନ୍ଦ୍ରକୁ ଦଖଲ କରିବାକୁ ଚେଷ୍ଟା କରିବେ, ସବୁପ୍ରକାର ପରିବର୍ତ୍ତନକୁ ଆପଣା ସ୍ୱାର୍ଥକଣ୍ଟରେ ମାପ ତା’ ପ୍ରତି ନିଜ ସମର୍ଥନ କି ବିରୋଧ ଠିକଣା କରିବେ । ସେ ଭାବୁଥିଲା,–ଯେ ଏ ପରିସ୍ଥିତିରେ ଖାଲି ଗୋଟିଏ ପ୍ରକାର ପରିବର୍ତ୍ତିତ ରୂପ ଦୀର୍ଘକାଳ ରହିଯିବା ସମ୍ଭବ ନୁହେଁ, ଚିରକାଳ ରହିବା ତ କାହିଁ ଦୂରର କଥା । କ୍ରିୟା–ପ୍ରତିକ୍ରିୟା ହୋଇ କେତେ କେତେ ଅବସ୍ଥା ! ଗୋଟିଏ ଅବସ୍ଥା ଆଡ଼କୁ ଅନାଇଁ ତାକୁ କଳିଲା ବେଳକୁ, ତା ତଳେ ତଳେ ଲାଗି ରହିଥିବ ଆଉ ଭିନେ କିଛି ଗଢ଼ିବାକୁ କ୍ରିୟା ପୁଣି ତାକୁ ବିରୋଧ କରୁଥିବା ପ୍ରତିକ୍ରିୟା, ତା’ ଫଳରେ ପୁଣି ଭିନେ ଅବସ୍ଥା, ପୁଣି ଭିନେ ରୂପ । ଚାଲିଥିବ । ଏଥିରେ ସନ୍ଦେହ ନାହିଁ ଯେ ଶାସନ ମହାତ୍ମାଗାନ୍ଧୀଙ୍କ ହାତରେ ନ ଥିଲା କି ତାଙ୍କ ନୀତି ଅନୁସାରେ ନୁହେଁ । ବିନୋଦ ଦୁଃଖିତ ହୋଇ ଭାବେ,–ହୋଇଥିଲେ କେଡ଼େ ଭଲ ନ ହୋଇଥାନ୍ତାଟି ! ପୁଣି ଭାବେ, ହୋଇଥାନ୍ତା କେମିତି ? ସମସ୍ତେ କଣ ମହାତ୍ମାଗାନ୍ଧୀ ? ସେମାନେ ଅଲଗା ଅଲଗା ଲୋକ, ପ୍ରତି ଲୋକର ନିଜ ଉଦ୍ଦେଶ୍ୟ, ନିଜ ରୁଚି, ନିଜ ବିଚାର ଅଛି, ନିଶ୍ଚୟ ନିଜର ସ୍ୱାର୍ଥ ବି ଅଛି । ସମସ୍ତେ ନୁହନ୍ତି ଆତ୍ମତ୍ୟାଗୀ ମହାପୁରୁଷ । ଓ ଏ ଶାସନ ‘ଗଣତନ୍ତ୍ର’ ବୋଲି ଯେଉଁ ପଦ୍ଧତି ଅଛି, ତାହା, ଏ ଦେଶକୁ ନୂଆ, ସେ ବିଷୟରେ ଏ ଦେଶରେ ଆମ ସମସ୍ତିଙ୍କର ପରିଷ୍କାର ଧାରଣା ବି ହୃଦ୍‌ବୋଧ ହୋଇନାହିଁ, ତାଲିମ୍ ବି ନ ଥିଲା, ଅଭ୍ୟାସ ବା କାହୁଁ ! ଅନେକେ ଅକ୍ଷର ବି ଚିହ୍ନିନାହାନ୍ତି । ଅଧିକାଂଶ ଲୋକଙ୍କୁ ନିଜ ପେଟପାଟଣା ଧନ୍ଦା ହିଁ ବଳେଇଛି, ଅନ୍ୟ କଥାକୁ ନିଘା ଦେବାକୁ ତାଙ୍କର ଗରଜ ନ ଥାଏ, କାହୁଁ ମନଯିବ ‘ଗଣତନ୍ତ୍ର’ କଣ ଶାସନ ଦାୟିତ୍ୱ’ କଣ ଏତେ କଥା ଶିଖିବାକୁ, ପ୍ରତ୍ୟେକେ ଜଣେ ଜଣେ ବିଚାରବନ୍ତ ରାଜନୀତିଜ୍ଞ ଭଳି ନିଜେ ଠିକଣା ବାଗରେ ଭାବିଚିନ୍ତି ଉପଯୁକ୍ତ ପ୍ରତିନିଧି ବାଛିଲା ଭଳି ଭୋଟ୍ ଦେବାକୁ ? ତାଙ୍କୁ ସେ ଶିକ୍ଷା ଦେଇ ବୁଧିଆ କଲେ କେଉଁ ରାଜନୈତିକ ଦଳ କି ରାଜନୈତିକ ନେତାଙ୍କ ସ୍ୱାର୍ଥକୁ ସୁହାଇବ ଯେ ସେ ଏହା କରିବେ ? ଯେ ଶିଖେଇବାକୁ ଆସିବ ସେ ପ୍ରକୃତରେ ମତେଇବାକୁ ହିଁ ଆସିବ,–‘‘ଆମେ ଭଲ, ଆମବାଟ ଶ୍ରେଷ୍ଠ, ଆଉଜ ଆମ ଆଡ଼େ ।’’ ମତେଇବା ବାଗ ବି ଖାଲି କଥାରେ ନୁହେଁ, ଲୋକ ଦେଖି ବାଗ ଭିନେ, ଯେ ଯହିଁରେ ବଶ ।

 

କିନ୍ତୁ ରାମରାଜ୍ୟ କି ସ୍ୱର୍ଗରାଜ୍ୟ ସ୍ୱରାଜ୍ୟ ସଂଗେ ସଂଗେ ନ ଆସିଲା ବୋଲି ନିରାଶ ହେବା ଯାହା ଜହ୍ନମାମୁଁ ‘ମୋ କାହ୍ନୁ ହାତରେ’ ଖସି ନ ପଡ଼ିଲା ବୋଲି ନିରାଶ ହେବା ସେଇଆ । ରାମରାଜ୍ୟ ଗଣତନ୍ତ୍ର ନ ଥିଲା, ସେ ଥିଲା, ସେ କାଳର ରାଜତନ୍ତ୍ର । ରାମଚନ୍ଦ୍ର ନିଜେ ଜାଣନ୍ତି, ସୀତା ଶୁଦ୍ଧ । ଲଙ୍କାରୁ ଉଦ୍ଧାର ହେଲାପରେ ସୀତା ଜଳନ୍ତା ନିଆଁରେ ପଶି ନାହିଁ ନ ଥିବା ପରୀକ୍ଷା ବି ଦେଇଥିଲେ । ତଥାପି ଅଯୋଧ୍ୟାର ଲୋକେ ତାଙ୍କ ନାଁରେ ଅପବାଦ ରଟେଇଲେ, ସେ କଥା ଶୁଣିବା ମାତ୍ରେ ରାମଚନ୍ଦ୍ର ତାଙ୍କୁ ଘରୁ ବାହାର, ରାଜ୍ୟରୁ ବାହାର କରିଦେଲେ, ଅଥଚ ନିଜେ ଜାଣନ୍ତି ସେ ନିଷ୍କଳଙ୍କ, ନିଜ ହୃଦୟ ଶୋକରେ ଭାଙ୍ଗି ପଡ଼ୁଛି ।

 

‘ଗଣତନ୍ତ୍ର’ ଶାସନରେ ଯେଉଁ ସଂଖ୍ୟାବହୁଳ ପାର୍ଟିଦ୍ୱାରା ଶାସନ ଚଳିବା ବ୍ୟବସ୍ଥା ରହିଛି, ‘ସୀତା ବନବାସ’ କାହାଣୀର ତାତ୍ପର୍ଯ୍ୟ ଯଦି ତହିଁରେ ରୂପ ଘେନିବ ତେବେ କଣ ହେବ ?–ବିନୋଦ ଆତଙ୍କରେ ଭାବିଲା । ଧର, କିଛି ବୁଝିବେ ନାହିଁ, ଜଣେ ମିଛରେ ବି ଗୋଟାଏ ହୋ ଉଠେଇ ଦେଲେ ସେଇଥିରେ ଭାସିଯାଇ ପାରିବେ,–ଏମିତି ଗୁଡ଼ିଏ ଲୋକ, ତାଙ୍କ ବେଶି ଭୋଟ । ଅଥବା ଧର, ନ୍ୟାୟ ବୋଲି ନୁହେଁ, ନିଜ ବିଚାରରେ ଠିକ୍ ବୋଲି ନୁହେଁ, ଅନ୍ୟ କୌଣସି ସ୍ୱାର୍ଥପର ଉଦ୍ଦେଶ୍ୟ ଲାଗି ସେହି ବେଶି ଭୋଟ୍ ବାଲାଏ ଗୋଟାଏ ଅନ୍ୟାୟ କଥାକୁ ସେମାନଙ୍କ ମତ ବୋଲି ପାଟି କରିବେ । ତାହେଲେ ତାଙ୍କର ଯେ ମୁଖ୍ୟ, ଯେ ନେତା, ସେ ବି କଣ ନ କହିବ, ‘‘ଏଇ ମତ କାଏମ୍ ରହିବ’’ ? ତାଙ୍କରି ଭୋଟ ବଳରେ ତ ସେ ନେତା ! କଥାଟା ଭୁଲ୍, ଅନ୍ୟାୟ, ପାପବୋଲି ତା’ ଅନ୍ତରାତ୍ମା କହୁଥିବ, ତା ବିବେକ ବିଦ୍ରୋହ କରୁଥିବ, ତଥାପି ସେ ସେହି ଅନ୍ୟାୟ ପଟ ହିଁ ନେବ । ଆଉ ଯଦି ସେ ନେତା ବି ଏଡ଼େ ପ୍ରତାପୀ, ଏଡ଼େ ଚତୁର, ଏଡ଼େ କୁଚକ୍ରୀ ହୋଇପାରିବ ଯେ ଅନ୍ୟ ସମସ୍ତିଙ୍କୁ ବଶୀଭୂତ କରି ରଖିପାରିବ, କି ବାଛି ବାଛି ନିଜ ପାଳିଆଙ୍କୁ ବୋଲକରାଙ୍କୁ ହିଁ ପ୍ରତିନିଧି ଦଳରେ ରଖାଇ ପାରିବ, ତେବେ ସେ ଯାହା ଚାହିଁବ ସେମାନେ ସେଇଆ ପାଳିଧରିବେ, ସେଇଟା ନ୍ୟାୟ କି ଅନ୍ୟାୟ ଭଲ ହେବ କି ଖରାପ ହେବ କିଛି ତଳେ ବି ବିଚାରିବେ ନାହିଁ, ସେଇଆ ହିଁ ହେବ, ସେତେବେଳେ କୁହାଯିବ–‘‘ଲୋକେ’ ଏଇଆ ଚାହିଁଲେ, ତେଣୁ ଏପରି କରିବାକୁ ନିଷ୍ପତ୍ତି ହେଲା, ‘ଲୋକ ଶାସନ’ରେ ‘ଲୋକମତ’ ଘେନି ରାଜ୍ୟ ଚଳେ ।’’

 

ଓଃ ! କେତେ କେତେ ଉପାୟରେ ଗଣତନ୍ତ୍ର ଗୋଟାଏ ପ୍ରହସନ ହୋଇଯିବା ଆଶଙ୍କା ଅଛି ଏ ଦେଶରେ ! ବାଟସୁବିଧା କରି ପାରିଲେ ‘ଲୋକମତ’ ନାଁ ଧରି ନାନା ସ୍ୱେଚ୍ଛାଚାର କରି ଦୁଷ୍ଟଲୋକେ ଲୋକଙ୍କୁ ହିଁ ଶୋଷଣ କରିପାରିବେ ! ଲୋଭ ଦେଖାଇ, ଭୁଲାଇ, ଫୁସୁଲାଇ, ଭଣ୍ଡାଇ, ନ ହେଲେ ଖାପ୍‌ଚାରେ ପକାଇ, ଡରାଇ, ଯେକୌଣସି ଉପାୟରେ ଭୋଟ୍‌ବେଳେ ନିଜଦଳର ପ୍ରାର୍ଥୀଙ୍କ ପାଇଁ ବେଶି ଭୋଟ୍ ଯୋଗାଡ଼କରି ପାରିଲେ, ନିର୍ଦ୍ଦିଷ୍ଟ ଆସନମାନଙ୍କରୁ ଅଧାରୁ ବେଶି ଆସନରେ ନିଜ ଦଳର ପ୍ରାର୍ଥୀଙ୍କୁ ଥୋଇପାରିଲେ ନିଜଦଳ ପାଞ୍ଚବର୍ଷ ପାଇଁ ଶାସକ ହୋଇ ବସିଯିବ, ତେଣିକି ଯାହା ଇଚ୍ଛା !

 

କିନ୍ତୁ କାହିଁକି ସେ ଆଶଙ୍କା କରୁଛି ? ବିନୋଦ ନିଜକୁ ପଚାରିଲା । ନିଜକୁ ଆଶ୍ୱାସ ଦେଲା,–ଲୋକେ କଣ ଚେତିବେ ନାହିଁ ? ନାଁ ଲୋକେ କଣ ଓଲୁ ? ଅକ୍ଷର ନ ଚିହ୍ନିଲେ ବି ଏଇଲୋକେ ନିଜ ସଂସାର ଚଳାନ୍ତି, ନିଜ ସମାଜରେ କେହି କେହି ଭଲଲୋକ ବୋଲି ପ୍ରଶଂସା ପାଆନ୍ତି, ବୁଧିଆ ଲୋକ ବୋଲି ଖାତିରି ପାଆନ୍ତି । ଏଇମାନେ ତ ଏତେବଡ଼ ସ୍ୱାଧୀନତା–ଆନ୍ଦୋଳନ କଲେ, ଦେଶ ସ୍ୱାଧୀନ ହେଲା ! ଆଜି ବୁଝି ନ ଥିଲେ କାଲି ବୁଝିବେ, ଆଜି ଚେତି ନ ଥିଲେ କାଲି ଚେତିବେ, ଦେଶ ତ ତାଙ୍କର !

 

ପୁଣି ମନଟା ରୁଗୁରୁଗୁ ହେଲା, ଭାବିଲା, ହ–ଲୋକେ ! ଲୋକେ କଣ କହିଥିଲେ, ଯେ ଲାଭଖୋର୍, କଳାବଜାରୀ, ଟାଉଟର୍, ସେଇ ଶେଉଳ ବାଳିଆ ଚିତଳମାନେ ସମସ୍ତିଙ୍କୁ ଆଗୁଳି ବସି ଲୋକଙ୍କ ପ୍ରତିନିଧି ବୋଲାଇ ହେବେ, ସ୍ୱୀକୃତି ବି ପାଇବେ ? ତାଙ୍କୁ କଣ ମୁହଁ ଦିଆ ହେଉ ନାହିଁ ?

 

ମନ୍ତ୍ରୀ ବିଚକ୍ଷଣ ରାଜନୀତିଜ୍ଞ, ନିଶ୍ଚୟ ସେ ସବୁ ବୁଝନ୍ତି । ତେବେ ? ତାର ଆଶାବାଦୀ ମନ ତଥାପି ଦବୁ ନ ଥାଏ, ଭାବିଲା, ଏପରି ବି ସମ୍ଭବ ଯେ ଜାଣିଶୁଣି ମନ୍ତ୍ରୀ କୌଶଳ କରି ଖେଳୁଛନ୍ତି, ନିଶ୍ଚୟ ସେ ଭିତରେ ଭିତରେ ଉପାୟ କରୁଥିବେ ।

 

ମନ୍ତ୍ରୀ ସରକାରୀ ଚାକିରିଆଙ୍କୁ ସମସ୍ତିଙ୍କ ଆଗରେ ଆଛାକରି ଧମକଟାଏ ଦେଲେ କାହିଁକି ? ସବୁ କର୍ମଚାରୀ କଣ ଶୋଷକ, ଦୁର୍ନୀତିପରାୟଣ ? ମନ୍ତ୍ରୀ କଣ ଗୁଣବାଛି କାହାରିକି ଦଣ୍ଡ କି ପୁରସ୍କାର ଦେବାକୁ ବ୍ୟବସ୍ଥା କରିଛନ୍ତି ? ସ୍ୱାଧୀନତା ହେଲା ଦିନୁଁ ସେଭଳି କି ସଂସ୍କାର ହେଲାଣି ନା ହେଉଛି ? ଓଲଟି ଯେତେ ଯେ ଥିଲେ ପ୍ରଜାକଣ୍ଟକ, ପ୍ରଜାପୀଡ଼କ, ନୃଶଂସ, ଶୋଷକ, ଦୁର୍ନୀତିପରାୟଣ, ଆଶ୍ଚର୍ଯ୍ୟ ପ୍ରକାରେ ସେହିମାନେ ବଛା ହୋଇ ହୋଇ ଠିକଣା ଜାଗାରେ ରଖା ହେଉଛନ୍ତି, ପଦୋନ୍ନତି ପାଉଛନ୍ତି, ଅଧିକା ସୁବିଧା ସୁଯୋଗ ପାଉଛନ୍ତି, ତାଙ୍କରି କପାଳ ଖୋଲିଲା । ସ୍ୱାଧୀନତା ସଂଗ୍ରାମରେ ମାତିଥିଲା ବେଳେ ମନ୍ତ୍ରୀ ଓ ତାଙ୍କ ସାଙ୍ଗସାଥୀମାନେ ସେମାନଙ୍କୁ କଣ ଚିହ୍ନି ନ ଥିଲେ ? ସାଧାରଣ ଲୋକଙ୍କ ସଙ୍ଗେ ଯଦି ସଂପର୍କ ଥିବ ତେବେ କାନ ଡେରିଲେ ଗଛପତ୍ର ତ ତାଙ୍କୁ ସେମାନଙ୍କ ଅପକୀର୍ତ୍ତି କଥା କହିପାରିବେ ସେମାନେ ଶୁଣିବେ ! ନା ଏମାନେ କ୍ଷମତା ପାଇ ତା ବି ଭୁଲିଗଲେ ? ନା ନିଜେ ବଦଳିଗଲେ ? ନା ଦୁଷ୍ଟ ଲୋକଙ୍କ ବାକ୍‌ଚାତୁରୀରେ, ଅଭିନୟରେ, ମାୟାରେ, ବୁଦ୍ଧି କୌଶଳରେ, ସେମାନଙ୍କୁ ଭେଳିକି ଲାଗିଯାଇଛି ? ସମୟ ହିଁ କହିବ, ଏବେ ତ କାରଣ ଜଣା ପଡ଼ୁନାହିଁ ।

 

ପୁଣି ନିଜ ମନକୁ ସେ ପ୍ରବୋଧ ଦେବାକୁ ଲାଗିଲା,–ନା, ସବୁ ଶୁଧୁରିଯିବ, ଟିକିଏ ବେଳ ଲାଗୁଛି ଯାହା । ଶାସନ ସଂସ୍ଥା ଥିଲା, କେତେ ଆଡ଼େ, କେତେ ଗହୀରକୁ ବୋଲି ତା’ର ଚେର, କିନ୍ତୁ ସ୍ୱାଧୀନ ଦେଶର ମନ୍ତ୍ରୀ ସଂସ୍ଥା ନ ଥିଲା, ଶାସନର ବାଗ ପାଇବାକୁ ଆପଣାକୁ ତାଲିମ୍ ଦେବାକୁ ବେଳଲାଗେ । ତାଙ୍କୁ ବି ଲାଗିବ ।

 

ସଭାସ୍ଥଳ ପାଖ ହେଲାଣି, ଲୋକାରଣ୍ୟ ।

 

ମଣିଷ ଗହଳି ଦେଖି ପୁଣି ମନେ ମନେ ନିଜକୁ ବିଶ୍ୱାସ ଦେଉଛି, ସବୁ ଶୁଧୁରିବ, ସବୁ ଭଲହେବ । ନ ହେବ କେମିତି ?

 

‘‘ଏତେ ପଛରେ ଗହଳିରେ ଠିଆ ହୋଇଛନ୍ତି ଆଜ୍ଞା,’’ ଅନେଇଲା, ପିଲାଟିଏ କାଖେଇ ଶିକ୍ଷକ ଶଶୀମିଶ୍ର ଠିଆ ହୋଇଛନ୍ତି, ପିଲାଟିର ଖୁଜୁବୁଜୁ ନାହିଁ, ତୁନିହୋଇ ରହିଛି, ଗୁଲୁଗୁଲୁ କରି ଚାରିଆଡ଼କୁ ଚାହୁଁଛି । ଶଶୀ ମିଶ୍ର କହିଲେ,–‘‘ଆଗକୁ ଯାଉନ୍ତୁ ଆଜ୍ଞା, ଆପଣମାନେ ବଡ଼ବଡ଼ ଲୋକେ ଆଗକୁ ସିନା ଯାଆନ୍ତେ ।’’

 

‘‘କିଏ ବଡ଼ କିଏ ସାନ ଆଜ୍ଞା ?’’ ହସିଦେଇ ବିନୋଦ କହିଲା, ‘‘ଆପଣଙ୍କଠୁଁ ମୁଁ ବଡ଼ ? ନା ଆଗରେ ରହିଲେ କିଏ ବଡ଼ ହୋଇଯାଏ ? ଚାରିଆଡ଼େ ଲାଉଡ୍‌ସ୍ପିକର ଖଞ୍ଜା ହୋଇଛି, ଏଠୁ ବି ସବୁ ଭଲ ଶୁଭିବ ।’’

 

‘‘ଆପଣ ବୁଦ୍ଧିମାନ ଆଜ୍ଞା, ସବୁ ଦେଖିବେ, ସବୁ ଶୁଣିବେ, ପୁଣି ମନଇଚ୍ଛା ଏଠି ପୂରା ଘରୋଇଭାବେ ସ୍ୱାଧୀନ ।’’

 

ବିନୋଦ ଖାଲି ହସିଦେଲା । ଗହଳି ଉପରେ ଦୃଷ୍ଟି ଖେଳୁ ଖେଳୁ ମନେ ମନେ ବିଚାର ଖେଳୁଥାଏ, ଯେପରି ସେ ବାହାରେ ଦେଖୁଛି ଫାଙ୍କା, ଗହଳି ପଶିଛି ତା ମନଭିତରେ, ସେ ଖାଲି ଶିରୀପୁରର ସଭାପଡ଼ିଆର ଗହଳି ନୁହେଁ, ଅକଳନ ଜଳରାଶି ପରି ଜନତା, ରାଜ୍ୟଯାକର । ସାନବଡ଼ ହୋଇ କେତେ ଢେଉ ଉଠୁଥିବ, ପିଟାପିଟି ହେଉଥିବ, ନିଶ୍ଚିହ୍ନ ହେଉଥିବ, କେତେବେଳେ କେଉଁଆଡ଼ୁ ପବନର ହଲପା । ଆଖିକି କେତେବେଳର କେଉଁ ବିଚିତ୍ର ରୂପ ଦିଶୁଥିବ, କିନ୍ତୁ ସେତିକିରେ ଶେଷ ନୁହେଁ । କେହି ତାକୁ କାଳ କାଳକୁ ବାନ୍ଧି ରଖି ପାରିବ ନାହିଁ । ସେହି ଜନତାର ଆଶା ଓ ପ୍ରୟୋଜନ ହିଁ ତା’ର ଇତିହାସର ସୁଅ, ସେ ତା’ର ନିଜର ଇତିହାସ ଗଢ଼ି ଗଢ଼ି ଚାଲିଥିବ । ସେଥିପାଇଁ କେତେ ନେତାଙ୍କୁ ଟେକିବ, ପୁଣି କଚାଡ଼ିବ, ଟେକିବ ଆଉ କାହାକୁ, ପୁଣି କେତେବେଳେ କଚାଡ଼ି ଦେବ ।

 

ଯେଉଁ ବ୍ୟବସ୍ଥାରେ ଟଙ୍କାକେ ଦଶଅଣା ଭାଗ ଲୋକ ମଣିଷ ପରି ଦି’ ଓଳି ପେଟପୂରା ଖାଇବାକୁ ବି ପାଆନ୍ତି ନାହିଁ, ମଣିଷ ହୋଇ ସାଧାରଣ ଗୁଜୁରାଣ ବି ମେଣ୍ଟେଇ ପାରନ୍ତି ନାହିଁ ଜୀବନଯାକ, ପଲ ପଲ ଲୋକ ସଡ଼କ କରରେ କି ଗଛମୂଳେ ଶୁଅନ୍ତି, ପଲ ପଲ ଭିକାରୀ ଛେଲୁଆ ଧରି ମାଗି ବୁଲନ୍ତି, ଯେଉଁ ବ୍ୟବସ୍ଥାରେ ହେତୁ ପାଉ ପାଉ ମଣିଷ ପିଲାମନରେ ନିରାଶାର ହା’ ପଶିଯାଏ, ଯହିଁରେ ଚାଲେ ଅଳ୍ପ ଦୁଷ୍ଟ ଲୋକଙ୍କ ଦ୍ୱାରା ବେଶି ଲୋକଙ୍କ ଉପରେ ଅନ୍ୟାୟ, ଅନୀତି, ଶୋଷଣ, ଉତ୍ପୀଡ଼ନ ଯେତେ ଯେ ଢିରା ଦେଲେ ବି ତାକୁ ସାଇତି ରଖିହେବ ନାହିଁ । ସୁଅତୋଡ଼ରେ ସେସବୁ ଭାସିଯିବ । ହଠାତ୍‌ ନୁହେଁ । ହୁଏତ ଚଞ୍ଚଳ ବି ନୁହେଁ । ମଝିରେ କେତେ କେତେ ପ୍ରତିରୋଧ, ତା’ର କେତେ କେତେ ଉପାୟ ! ସାକୁଲା ସାକୁଲି, ଭୁଲାଭୁଲି, କେତେ ଛଦ୍ମବେଶ ପକାଇ କେତେଲୋକ ଆସିବେ ଭୁଲ୍‌ବାଟ ଦେଖାଇବାକୁ, ହିତକାରିଆ ବୋଲାଇ ଆସୁଥିବେ ବୁଝାଇ ଶୁଝାଇ ଅଟକାଇ ରଖିବାକୁ । ଅସମ୍ଭବ କଣ–ପୁଣି କେତେବେଳେ କିଏ ବନ୍ଧୁକ ଦେଖାଇବେ, ଠେଙ୍ଗା ଇଞ୍ଚାଇବେ, ଝଣଝଣ କରିବେ ପୁଣି ଜଞ୍ଜିର । ବୃଥା କୋକୁଆ ଭୟ । କେତେଦିନ କିଏ ରୋକିବ ?

 

ମଞ୍ଚ ଉପରେ କେତେ ଲୋକ ବସିଛନ୍ତି, ତଳେ ଥାଟପଟାଳି । ମନ୍ତ୍ରୀ ଭାଷଣ ଦେଉଛନ୍ତି-। ଆଗ ମହାତ୍ମାଗାନ୍ଧୀଙ୍କ କଥା, ଶଶୀ ମିଶ୍ର କହୁଛନ୍ତି, ‘‘ଠିକ୍‌ ଯେ, ମହାତ୍ମା ଯାହା ଯାହା କହିଥିଲେ ସରକାର ତା’ କଲେ କୋଉଠୁ ? ଲୋକେ କଣ କଲେ ? ଲାଗୁଛି ୟେ ସବୁ ତ ଓଲ୍‍ଟା ଓଲ୍‌ଟା–’’

 

ବିନୋଦ କିଛି କହିଲା ନାହିଁ । ମନେ ମନେ ଭାବିଲା,–କିନ୍ତୁ ମାହାତ୍ମାଗାନ୍ଧୀ ଆଖି ଫିଟେଇ ଦେଇ ଗଲେ ଯେ ! ମଞ୍ଜି ବୁଣିଦେଇ ଗଲେ ଯେ ! ଅସଲ କାମ ତ ସେଇଆ ଦରକାର ଥିଲା ।

 

ମନ୍ତ୍ରୀ କହୁଛନ୍ତି ସ୍ୱାଧୀନ ହେବାର ଗୌରବ କଥା । ତାଳିମାଡ଼ ଚାଲିଲା । ବିନୋଦ ଭାବିଲା, ଗୌରବ ତ ଜଣେଇ ଜଣା, ଅସଲ ହେଲା ଯେଉଁ ଚଢ଼େଇ ପିଞ୍ଜରାରୁ ଖସିଗଲାଣି, ସ୍ୱାଧୀନତା କଣ ତା’ ଥରେ ଚାଖିଲାଣି ସେ ତା’ ଚେତନା ଭିତରେ ବଦଳି ସାରିଲାଣି । ତା ଆଖି ଫିଟିଯାଇଛି ।

 

ମନ୍ତ୍ରୀ କହୁଛନ୍ତି, ଦେଶରେ ସବୁ କ୍ଷେତ୍ରରେ କେମିତି ଅଭାବ ରହିଛି, ସବୁ ପ୍ରକାର ସବୁ ଅଭାବ ଏକାଠି ଠୁଳ କଲାବେଳକୁ କେମିତି ସେ ସତେ ଅବା ହିମାଳୟ ପାହାଡ଼ । ସରକାର ଓ ଦେଶବାସୀ ସମସ୍ତିଙ୍କୁ ଦିନରାତି ଲାଗିପଡ଼ି ଖଟିବାକୁ ପଡ଼ିବ, ତାଙ୍କ ସରକାର ତ ଲାଗିପଡ଼ିଛନ୍ତି, ନିଶ୍ଚୟ ଲୋକେ ବର୍ଷକୁ ବର୍ଷ ନାନା ଉନ୍ନତି ଦେଖିବାକୁ ପାଇବେ, ଏଥିରେ କୌଣସି ସନ୍ଦେହ ନାହିଁ-

 

ଶଶୀମିଶ୍ର କହିଲେ, ‘‘ଏ ସବୁ ତ ଆମେ କେତେଥର କେତେଠି ଶୁଣିଲୁଣି । ଏକା ରାତିକେ କି ଏକାବର୍ଷକେ ଆଶା ପୂରିଯିବ ତା ତ କେବେ ନୁହେଁ । ଆଗ କି କି କାମ, ତହିଁରୁ ବର୍ଷକେ କି ତିନିବର୍ଷ ପାଞ୍ଚ ବର୍ଷରେ କି କି କାମ ହେବ, ତହିଁରୁ ଏ ଜିଲାରେ କି ଏ ଶିରୀପୁର ଇଲାକାରେ କଣ ସବୁ ହେବ, କେମିତି ଲୋକେ ଆଉ ସରକାର ମିଳିମିଶି କରିବେ, ସେମିତି ଭଲା ଶୁଣେଇଥାନ୍ତେ କିଛି ? ଆଗ ତ ଖାଦ୍ୟ, ସେଥିପାଇଁ ଆଗ ଚାଷ, ସେଥିପାଇଁ ଆଗ ପାଣି, ଆଉ ନାନା କଥା । ସେମିତି, ଆଗତ ଖଦୀ । ଆଗ ବି ପିଇବା ପାଣି ମନ୍ଦିଏ ଲେଖାଁ, ସମସ୍ତିଙ୍କ ପାଇଁ ଘର, ସମସ୍ତିଙ୍କ ପାଇଁ ଧନ୍ଦା, ପାଠ, ଓଷଦ, ତମଧର୍ମରୁ ରାଇଜଯାକ ଲୋକେ ବଞ୍ଚନ୍ତୁ ତ ଆଗ, ସେଉଠୁ ଆଉଯାହା ବଡ଼ ବଡ଼ କାମ କର,–’’

 

ବିନୋଦ କହିଲା, ‘‘କରିବେ ଆଜ୍ଞା କରିବେ । ଯାହା ଯାହା ହେବ ବଳେ ଆପଣ ଜାଣିବେ ଯେ ।’’ କିନ୍ତୁ ତା ମନେ ମନେ ସେ ଭାବୁଥାଏ, ସେ ଯାହା କହିଲେ ତା ମିଛ ନୁହେଁ । ମନ୍ତ୍ରୀ କିଛି ରୋକ୍‌ଠୋକ୍‌ କଥା କହିଥିଲେ ଭଲ ହୋଇଥାନ୍ତା ।

 

ମନ୍ତ୍ରୀ ଆହୁରି କହୁଛନ୍ତି,–ଯେ ଯେଡ଼େ ବଡ଼ ପଦସ୍ଥ ଲୋକ ହେଉ, ଯେଡ଼େ ପ୍ରତାପୀ ହେଉ, ଲୋକଙ୍କ ଉପରେ କେହି ଅନ୍ୟାୟ, ଅତ୍ୟାଚାର, ଶୋଷଣ, ଉତ୍ପୀଡ଼ନ କରିପାରିବେ ନାହିଁ, କଲେ ସରକାର ତାଙ୍କୁ ଦୟା ମାୟା ନ ଦେଖାଇ ଦମନ କରିବେ । ଲାଭଖୋରି, କଳାବଜାରି ଚଳିବ ନାହିଁ, ବଡ଼ ବଡ଼ ବ୍ୟବସାୟୀମାନେ ତାଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ସେପରି କେହି କରୁଥିବାର ଦେଖିଲେ ସେମାନେ ତାକୁ ପଦାରେ ପକାଇବେ ।

 

ମନ୍ତ୍ରୀଙ୍କର ପଦେପଦେ କଥାରେ ତାଳିମାଡ଼ ପଡ଼ୁଥାଏ । ଯେମିତି କେଉଁଠି ଥୋକାଏ ଜଗି ବସିଛନ୍ତି, କଥା କଥାକେ ତାଳିମାଡ଼ ଆରମ୍ଭ କରି ଦେବେ, ସଙ୍ଗେ ସଙ୍ଗେ ଅନ୍ୟମାନେ ।

 

ବିନୋଦ ଭାବୁଥାଏ,–ତା ହେଲେ ମନ୍ତ୍ରୀ ଚୋରଗୁଡ଼ାଙ୍କୁ ପାଖରେ ପୂରୋଉଛନ୍ତି କାହିଁକି-? ନା ବଡ଼ ବଡ଼ ଚୋରଙ୍କୁ ସାତଖୁଣ ମାଫି ।

 

ଶଶୀମିଶ୍ର ମୁରୁକି ମୁରୁକି ହସୁଥାନ୍ତି, କହିଲେ ‘‘ଖାଲି ଦେଖିବାକୁ ବାକି ରହିଲା, ଗୋଟାଏ କଳାବଜାରିକି ନେଇ କେଉଁଦିନ କେଉଁ ଆଲୁଅ ଖୁଣ୍ଟରୁ ଫାଶିରେ ଲଟକା ହେବ ?’’

 

ବିନୋଦ କହିଲା, ‘‘କାହିଁକି ? ଆପଣ କଣ ଜାଣନ୍ତି ନାହିଁ, ଦାମ୍‌ରେ ଚାରିପଇସା କିଏ ଅଧିକ ନେଲେ ତାକୁ ଜେଲ୍‌ ଦିଆ ହୁଏ ।’’

 

‘‘ଆପଣଙ୍କ ପରି ସମସ୍ତେ ନୁହନ୍ତି ଆଜ୍ଞା, ତା ଛଡ଼ା, ଆହୁରି କେତେ କଥା ! ମହା ମହା ଅପରାଧୀ ହାତୀପରି ବୁଲନ୍ତି, ତାଙ୍କ ପାଖ କେହି ପଶନ୍ତି ନାହିଁ, ଅର୍ଥେନ ସର୍ବେ ବଶାଃ । ବାଧ୍ୟରେ ପଡ଼ି କାହାକୁ କେହି ଧରି ପକେଇଲେ, ଜାଣି ଜାଣି ଏତେ ଘଳିଆ ରଖିଥାନ୍ତି ଯେ ମକଦ୍ଦମା ହୁଏନାହିଁ, ହେଲେବି ଟଳି ପଡ଼େ । ବାକି ଯାହା ରହେ, ବଡ଼ ବଡ଼ ଓକିଲ ଲାଗିଲେ ବିଦ୍ୟା ବୁଦ୍ଧି ଖଟାଇ ତାକୁ ବି ପାରି କରେଇ ଦିଅନ୍ତି, ତଳ କୋର୍ଟରେ ନ ହେଲେ ତା ଉପର କୋର୍ଟରେ, ନ ହେଲେ ଆହୁରି ଉପର କୋର୍ଟରେ ।’’

‘‘ଆପଣ ଏତେକଥା ଜାଣିଲେ କେମିତି !’’

ଶଶୀବାବୁ ହସିଲେ, କହିଲେ, ‘‘ୟେ ସାଧାରଣ ଜ୍ଞାନ ଆଜ୍ଞା ସମସ୍ତେ କୁହାକୋହି ହୁଅନ୍ତି-। ଆଉ, କିଏ କେତେବେଳେ କେଉଁ କଥା ଗପିଯାଏ ।’’

ମନ୍ତ୍ରୀ ସାରୁଛନ୍ତି, କହିଲେଣି, ପରିଶେଷରେ,–’’ ବସିଲେ, ତାଳିମାଡ଼ ଲାଗିରହିଲା ଦୁଇମିନିଟ୍‌ । ମଞ୍ଚ ଉପରେ ଧନ୍ୟବାଦ ଦେବାକୁ ଏକାସାଙ୍ଗକେ ସେବାରାମ୍‌ ଓ ନରିମିଶ୍ର ମାଇକ୍‌ ଆଡ଼କୁ ଯାଉଛନ୍ତି । ନରିମିଶ୍ରଙ୍କୁ କିଏ ଜଣେ ଡାକିନେଲେ, ଲଖିରାମ୍ କି ବିପିନ ପାତ୍ରେ ହେବେ । ଆରମ୍ଭ କରିଦେଲେ ସେବାରାମ୍‌ ବାବୁ, ‘‘ଭାଇମାନେ, ଆଜି ଆମେମାନେ, ଆପଣମାନେ ଜାଣନ୍ତି–’’

ଶଶୀମିଶ୍ର କହିଲେ ‘‘ଯାଉଛି ଆଜ୍ଞା ନମସ୍କାର ।’’

‘‘ନମସ୍କାର’’ କହି ବିନୋଦ ବି ଲେଉଟି ଚାଲିଲା ।

ଭାରତର ସ୍ୱାଧୀନତା ଦେଶଲୋକଙ୍କ ପାଇଁ ଆଣି ଦେଇଛି ନାହିଁ ନ ଥିବା ଶୁଭ ସମ୍ଭାବନା,–ବିନୋଦ ଭାବୁଥାଏ, ସ୍ୱାଧୀନତା ସଙ୍ଗେ ସଙ୍ଗେ ଆସିଯାଇଛି ନାନା ଭୟଙ୍କର ସମସ୍ୟା, ପୂର୍ବର ସମସ୍ୟାକୁ ଆହୁରି ଜଟିଳ ଆହୁରି କଠିନ କରିଛି, ନାନା ଅପୂର୍ଣ୍ଣତା, ଅସୁବିଧା, ପ୍ରତିବନ୍ଧକ ଭିତରେ ଦାୟିତ୍ୱଧାରୀମାନଙ୍କୁ କାମ କରିବାକୁ ପଡ଼ୁଛି, ତା’ ବି ସତ, ଏକଥା ବି ସତ, ଯେଉଁପରି ଲୋକ କାମ ତୁଲେଇବେ ବୋଲି ଆଶା କରାଯାଉଥିଲା, ସେପରି ଲୋକ କାମ ଉପରେ ଥିଲାପରି ଜଣା ପଡ଼ିନାହିଁ, ବାଗ ବରଗ ବି ବାରି ହେଉନାହିଁ, ବରଂ ସନ୍ଦେହ ଓ ଆଶଙ୍କା ହିଁ ତା ମନରେ ଆସୁଛି । ତଥାପି, କଳ୍ପନାରେ ବି ଭାବି ହେଉ ନାହିଁ ଯେ ସବୁ ଆଶା ବିଫଳ ହେବ ।

ଅଥଚ ବିଶ୍ୱାସ ଆସୁନାହିଁ ।

ମନରେ ବାରମ୍ୱାର ସେହି ଦୁଶ୍ଚିନ୍ତା,–ଯେ, କରିବ କିଏ ? କେଉଁ ମନ୍ତ୍ରୀ ?–ଏଠି ତାଙ୍କର ବିଶ୍ୱାସୀ ଲୋକ ସେବାରାମ୍‌ ଆଉ ନରିମିଶ୍ରମାନେ । ଆଉ କର୍ମଚାରୀଙ୍କ ଭିତରେ ଯେଉଁମାନେ ସ୍ଥାନୀୟ କର୍ତ୍ତା, ତହିଁରେ ମୁଖ୍ୟ ରାଘବ ଚୌଧୁରୀ, ସେପରି କେତେଥିବେ, ସେମାନଙ୍କ ବିଶ୍ୱାସୀ ଗୁଣାକର ସିଂହମାନେ । ହୁଏତ ସମସ୍ତେ ନୁହନ୍ତି, କେତେ କେତେ ବିଭାଗ ବି ତ’ ଅଛି, କିନ୍ତୁ କେତେଜଣ ଚାକିରିଆ ସେ ଦେଖିଲାଣି ଯେ ଦେଶହିତ ପାଇଁ କାମ କରନ୍ତି ?

‘ହଉ’ ବୋଲି ଇଚ୍ଛା କଲେ ହିଁ ହେବନାହିଁ, ମନ୍ତ୍ରରେ କି କିମିଆଁରେ ହେବ ନାହିଁ । କାମରେ ଘଟିଲେ ହୁଅନ୍ତା । ତା’ର ଆରମ୍ଭ ବି ନାହିଁ । କରିବ କିଏ ? କହୁଛନ୍ତି କଳକାରଖାନା, ଶିଳ୍ପ ବାଣିଜ୍ୟ ବଢ଼ିବ, ଚାଷ କାମରେ ବି ନାନା ଯନ୍ତ୍ରପାତି ଲାଗିବ, ପୃଥିବୀର ସଭ୍ୟତା ମାପରେ ଭାରତ କେତେ ଶହ ବର୍ଷ ପଛରେ ପଡ଼ିଛି, ଅତି ଚଞ୍ଚଳ ସଭ୍ୟ, ସୁଦୃଢ଼, ଦମ୍ଭ ହେବାକୁ ପଡ଼ିବ । ଯେମିତି ପାଶ୍ଚାତ୍ୟ ଦେଶ । କିନ୍ତୁ ସେ କାମ କରିବାକୁ କି ଯେ କୌଣସି ପରିବର୍ତ୍ତନ କାମ କରିବାକୁ ଯେଉଁ ପ୍ରକାର ସଂସ୍ଥା, ଯେଉଁ ପ୍ରକାର ମଣିଷ ତିଆରି ହେବା ଦରକାର, ସମସ୍ତେ ସେ ପରିବର୍ତ୍ତନ ଆଦରିଲା ଭଳି ସମସ୍ତେ ତହିଁରୁ ଉପକାର ପାଇଲା ଭଳି ଯେପରି ସମାଜ ଦରକାର, ସେସବୁ ଗଢ଼ିବାକୁ କି ବ୍ୟବସ୍ଥା ହେଉଛି କିଛି ଜଣାନାହିଁ, ଲାଗୁଛି ସେପରି ଆରମ୍ଭ ହିଁ ହୋଇନାହିଁ । ଚାକିରିରେ ହେଉ, ବାହାରେ ହେଉ, ସଂସ୍କାର ଛାଞ୍ଚ ତ ଯାହାଥିଲା ସେଇଆ; ଏପରି ତ ଦିଶୁନାହିଁ ଯେ ନୂଆପ୍ରକାର ନୀତି ଧାର୍ଯ୍ୟ ହେଉଛି, ସେହି ଅନୁସାରେ ପୁରୁଣା ଭାଙ୍ଗି ଲୋକ ବାଛି ବାଛି ନୂଆପ୍ରକାରେ ଛାଞ୍ଚ ଗଢ଼ା ହେଉଛି, ଯେଉଁମାନେ ଅତୀତରେ ଦେଶର କଣ୍ଟକ ଥିଲେ, ଦୁର୍ନୀତି ଓ ଶୋଷଣ କରୁଥିଲେ, ପୁଣି ଏବେ ଯେଉଁମାନେ ସେପରି କରୁଛନ୍ତି, ସେମାନଙ୍କୁ ଶାସ୍ତି ଦିଆ ଯାଉଛି-। ତଡ଼ିବାକୁ ବନ୍ଦୋବସ୍ତ ହଉଛି । ନା, ପୋଷାକ ବଦଳେଇ ସ୍ୱର ବଦଳେଇ ସେହିମାନେ ଆଗ ବଳିପଡ଼ି ଚାଲିଛନ୍ତି ତ !

ଏଇଟା କଣ ସବାଆଗ କାମ ନୁହେ, ଯେ ଯାହାର ଜମି ନାହିଁ, ଜୀବିକା ନାହିଁ, ଭାତ ନାହିଁ, ଲୁଗା ନାହିଁ, ଘର ନାହିଁ, ଯେ ସବୁଠୁ ବେଶି ଦୁର୍ବଳ, ଯେ ଅନ୍ଧାରରେ ଅବହେଳାରେ ପଡ଼ିଛି, ତାର ଜୀଉଣା ପାଇଁ ବ୍ୟବସ୍ଥା ହେଉ ? ତାର ବିପଦ ତାର ଉଦ୍‌ବେଗ ଦୂର ହେଉ ? ଅନ୍ୟାୟ ଅସମତା, ଶୋଷଣ, ଭୟ ଦୂର ହେଉ ? ସ୍ୱାଧୀନ ଦେଶର ମଣିଷ ନିର୍ଭର ପାଉନ୍ତୁ, ଆମ ଦୁଃଖ ପଚାରିବାକୁ, ବୁଝିବାକୁ, ତାର ପ୍ରତିକାର କରିବାକୁ ଆମର ‘ଦେଶ’ ଅଛି, ଧାଇଁ ପଡ଼ିବ, ଏଣିକି ବଞ୍ଚିବାକୁ, ଖଟି ଖାଇବାକୁ ସୁଯୋଗ ମିଳିବ, ସଞ୍ଚିଲେ କେହି ଛଡ଼େଇ ନେବ ନାହିଁ, ଆମକୁ କେହି ଡରେଇ ପାରିବେ ନାହିଁ, କେହି ଶୋଷଣ କରି ପାରିବେ ନାହିଁ ? ଛପା ବିବୃତିରେ ନୁହେ, ସଭାରେ ବକ୍ତୃତାରେ ନୁହେ, ସେ ନିର୍ଭର ମିଳନ୍ତା ପ୍ରକୃତ କାର୍ଯ୍ୟରେ, ‘ଦେଶ’ ଆଦରନ୍ତା ବ୍ୟକ୍ତିକୁ, ବ୍ୟକ୍ତି ତା’ର ହୃଦୟ ଭିତରେ ବୁଝନ୍ତା, ମୋ ପାଇଁ ମୋ ‘ଦେଶ’ ।

କାହିଁ ତା’ର ସୂଚନା ? ଓଲଟି ସବୁଠିଁ ଜାତିଜାତି ଫାଉମରା ଛଦ୍ମବେଶୀ ଟାଉଟର୍‌ ପଲପଲ, ସାଲୁସାଲୁ, ଯାହା କଲେ ତ ସେଇମାନେ ଆଗୁଳିବେ, କେଉଁବାଟେ ୟାର ପ୍ରତିକାର ?

‘‘ମୁଁ କଣ କରିବି ?’’ –ଦୁଃଖିତ ହୋଇ ବିନୋଦ ଭାବୁଥାଏ ।

ମନେ ମନେ ସେ ତା’ର ଛାତ୍ର ଜୀବନରୁ ମନୁଷ୍ୟ ପ୍ରେମୀ, ସ୍ୱଦେଶ ପ୍ରେମୀ, ଦୀକ୍ଷିତ ସେ ତା’ର ନୀତି ଆଦର୍ଶ ଜଗି ନିଜ ପାଇଁ କଠିନ ପଥ ଧରି ବାଟ ଚାଲେ, ଯଦିଚ ନିଜକୁ ସେଭଳି ବୋଲି ସେ ପ୍ରଚାର କରେ ନାହିଁ । କିନ୍ତୁ ତଥାପି ସେ ରାଜନୈତିକ ଆନ୍ଦୋଳନରେ ମିଶିଲା ନାହିଁ, ତା ପଢ଼ା ଶେଷ କଲା, ନିଜ ଅଭାବ ମେଣ୍ଟାଇବ ବୋଲି ସରକାରୀ ଚାକିରିରେ ପଶିଲା ଓ ସେତେବେଳେ ଥିଲା ଇଂରେଜ୍‌ ସରକାର, ଯେ କୌଣସି ସାଧାରଣ ଲୋକପରି ବିଭା ହେଲା, ପରିବାର ପୋଷେ, ଦେଶକାମ କରିବ ବୋଲି ଚାକିରି ସେ ଛାଡ଼ି ନାହିଁ ।

ଚାକିରିରେ ସେ ତା ନ୍ୟାୟ ସମ୍ମତ ପ୍ରାଣପଣେ ନିଷ୍ଠାପର ଭାବେ କରେ, ଭାବେ, ସେ ବାଗରେ ବି ଲୋକଙ୍କର ଉପକାର କରିହୁଏ, ନାନା ଅନ୍ୟାୟ, ଅତ୍ୟାଚାର, ଭୟ, ଉଦ୍‌ବେଗରୁ ତାଙ୍କୁ ରକ୍ଷା କରିହୁଏ । କିନ୍ତୁ ଖୁବ୍ ସୀମିତ ତା’ ପରିସର, ଖୁବ୍‌ ସାମୟିକ । ଯେଉଁଟା ତା ପରିସର ବାହାରେ ଓ ଯେଉଁଠି ଯେଉଁ ସମୟରେ ସେ ଦାୟିତ୍ୱରେ ନ ଥିବ ସେଠିକି ତା’ ହାତ ପହଞ୍ଚିବ ନାହିଁ-

ଭାବୁଥାଏ,–ତାହେଲେ କଣ ମୁଁ ଏମିତି ଭାବୁଥିବି ଜୀବନଯାକ ? କେତେବେଳେ କେମିତି ମୋ ମନର ଭାରା ଉଶ୍ୱାସ କରିବାକୁ ଏ ସମସ୍ୟା ବିଷୟରେ ଆଲୋଚନା କରୁଥିବି ଶଶୀମିଶ୍ରଙ୍କ ସଙ୍ଗେ, କି ସେହିପରି ଆଉ କାହା ସଙ୍ଗେ ? ଗୁଡ଼ାଏ ନିଷ୍କ୍ରିୟ ନିଷ୍ଫଳ ଆଲୋଚନା, ପଞ୍ଝାଏ ଖଞ୍ଜ ବସି ବସି, କଥା କହନ୍ତି ହସି ହସି,’’ ମଧୁ ବାବୁଙ୍କ ବର୍ଣ୍ଣବୋଧରେ ହିଁ ଅଛି ।

ନିଜକୁ ନିଜ ଅବସ୍ଥାକୁ ଧିକ୍‌କାର ଦେଉ ଦେଉ ସେ ମନେ ପକାଇଲା, ଖବରକାଗଜ ପଢ଼ି ଏମିତି ରାଜନୀତି ଆଲୋଚନା କରିଥାନ୍ତି ଅନେକ ଅନେକ ଲୋକ, କି, ଛାତ୍ର, କିଏ ପେନ୍‌ସନ୍‌ ଭୋଗୀ, କିଏ ସରକାରୀ ଚାକିରିଆ କି ଅନ୍ୟ କେଉଁ ବୃତ୍ତିଧାରୀ, ଯେ ଜୀବନରେ କେବେ ନିଜେ ରାଜନୀତିରେ ପଶନ୍ତି ନାହିଁ । ସେମାନେ ଦୋଷତ୍ରୁଟି ବାଛନ୍ତି, ନାନା ରାଜନୈତିକ ବାଦ ଓ ପନ୍ଥା କଥା କହନ୍ତି, ନିଜେ କିଛି କରନ୍ତି ନାହିଁ, ସଂସାରରେ ଯେ ଯେଉଁଠି ଗଡ଼ି ମରନ୍ତି, ଯେ ଯେଉଁଠି ମାରିପିଟି ଖାଆନ୍ତି, ଆଉ ସେମାନେ ଯେ କେଉଁଠି ଘର ଭିତରେ, କାହା ପିଣ୍ଡାରେ କି କାହା ଦୋକାନରେ, କେଉଁ ଗଛମୂଳେ ମନଇଚ୍ଛା କାଗଜ ରାଜନୀତି ଚର୍ଚ୍ଚା କରନ୍ତି, ପରସ୍ପରକୁ ପରସ୍ପରର ମତ ଓ ବିଚାର ଶୁଣାନ୍ତି, କରନ୍ତି ନାହିଁ କିଛି ।

 

ଦେଶର ଅବସ୍ଥା ବିଗୁଡ଼ୁ କି ଆହୁରି ଭଲ ହେଉ, ଚାକିରି କାମ ବାହାରେ, ସେଥିପାଇଁ ତାର କିଛି କରିବାର ଆୟତ୍ତ ନାହିଁ । କରିବା ଆୟତ୍ତ ଥାଉ ପଛେ ବ୍ୟବସାୟୀ ସେବାରାମ୍‌ର, କଣ୍ଟ୍ରାକ୍ଟର ବିପିନ ପାତ୍ରର, ଟାଉଟର ନରିମିଶ୍ରର, ସେମାନେ ଚାକିରିରେ ବନ୍ଧା ନୁହନ୍ତି ବୋଲି ।

 

ତେବେ କଣ ସ୍ୱାଧୀନ ଭାରତରେ ଏଇଆ ହେବ ରାଜନୀତିର କ୍ରମ, ଯେ ଯେଉଁମାନଙ୍କର ଅନ୍ୟ ଆର୍ଥିକ ସଂସ୍ଥାନ ନାହିଁ ସେମାନେ ରାଜନୀତିରେ ପଶି ପାରିବେ ନାହିଁ, ଥିବା ଘର ଲୋକେ ହିଁ ପଶିବେ, ଓ ପଶିବେ ଯେ, ଦେଶ ପାଇଁ ତ୍ୟାଗ ଦେବା ପାଇଁ ନୁହେଁ ଅନ୍ୟ କିଛି ଲାଭ କରିବା ପାଇଁ ?

 

ସେପରି ହେଲେ କେତେ ଭୟଙ୍କର କଥା ହେବ ।

 

କିନ୍ତୁ ସେ ସମ୍ଭାବନାକୁ ଅପରିହାର୍ଯ୍ୟ ବୋଲି ସେ ଗ୍ରହଣ କରି ପାରିଲା ନାହିଁ । ଭାବିଲା–ନିଶ୍ଚୟ ଏପରି ଅନେକେ ବାହାରିବେ ଯେଉଁମାନେ ନିଜର ଆର୍ଥିକ ନିରାପତ୍ତା ଅଛି କି ନାହିଁ ଆଦୌ ଭାବିବେ ନାହିଁ । ଦେଶପାଇଁ ନିଆଁରେ ପଶିବେ, ଆଉ ଅନେକ ବାହାରିବେ ଯାହାଙ୍କର ଆର୍ଥିକ ସ୍ୱାଚ୍ଛଲ୍ୟ ବି ଥିବ କିନ୍ତୁ ସେମାନେ ଆସିବେ ପବିତ୍ର ଦେଶସେବା ପାଇଁ, ନିଜ ଲାଭ ପାଇଁ ନୁହେଁ । ଥିବେ ବି ସେପରି ବହୁତ, ଯଦିଚ ମୋ ନିଘାରେ ପଡ଼ି ନାହାନ୍ତି ।

 

ସେମାନେ ଥାଉନ୍ତୁ ନଥାନ୍ତୁ, ମୁଁ ନିଜେ ? ଭାବୁଥିବି ଖାଲି ଏମିତିଆ ?’’

 

ବିନୋଦ ଭାବିଲା । କେତେଥର ଯେପରି ଇଚ୍ଛା ହେଲାଣି, ପୁଣି ଇଚ୍ଛା ହେଉଛି–ଚାକିରି ସେ ଛାଡ଼ିଦେବ, ଲାଗିଯିବ ଦେଶ କାମରେ ।

 

ପୁଣି ମନେ ପଡ଼ିଗଲା,–‘‘ତାପରେ ?’’ ତା ବୋଉ, ତା ସ୍ତ୍ରୀ, ତାର ତିନି ଛୁଆ, ସେ ନିଜେ, ଏ ଛ’ଜଣଙ୍କୁ ସେ ପୋଷିବ କେମିତି ?

 

ସେ ଦୀର୍ଘଶ୍ୱାସ ପକାଇଲା । ମୁହଁ ଶୁଖାଇ ଚାଲିଲା ।

 

ବସା ହେଲା । ମନେ ପଡ଼ିଲା, ଆଜି ସେ ଖାଇ ନାହିଁ ।

 

ଖବରଟା ସେ ମନ୍ତ୍ରୀ ଲେଉଟି ଯିବାର ତିନିଦିନ ପରେ ପାଇଥିଲା, ଯଦିଚ ସେ ଦୁଇ ଘଟନା ଭିତରେ କିଛି ସମ୍ୱନ୍ଧ ନ ଥିଲା । ଅଫିସରେ ତାଲିକାଟା ଦେଖିଲା, ସତେଇଶି ଜଣଙ୍କର ପଦୋନ୍ନତି ହୋଇଛି, ସେମାନେ ଡିପୋଟି ହୋଇଛନ୍ତି । କୋଡ଼ିଏ ଜଣରୁ ତା ସହିତ ଏକା ବର୍ଷ ନିଆ ହୋଇଥିବା ବାର ଜଣରୁ ନ’ଜଣ, ଏଗାର ଜଣ ପୂର୍ବ ବର୍ଷମାନଙ୍କର, ଆଉ ସାତଜଣ ତା ଉତ୍ତାରୁ ଚାକିରିରେ ପଶିଥିଲେ, ତହିଁରୁ ଦୁଇଜଣ ତ ତାଠୁଁ ଚାରି ବର୍ଷ ପାଞ୍ଚ ବର୍ଷ ପରେ । ବିନୋଦର ମୁହଁ କଳା କାଠ ପଡ଼ିଗଲା, ମୁଣ୍ଡ ଭିତରେ ତାତି ଉଠିଲା । ସେ ବାଥ୍‌ ରୁମ୍‌କୁ ଉଠିଗଲା, କବାଟ ଦେଲା, ମୁଣ୍ଡକୁ ଧୋଇଲା ପୋଛିଲା, କୁଣ୍ଡେଇଲା, କାମକରି ବସିଲା ।

 

କଥାଟା ପ୍ରଘଟ ହେଲାଣି । ଚିହ୍ନା କର୍ମଚାରୀମାନେ କେହି କେହି କଣ କାଗଜ ଘେନି ଆସି ତା ସହିତ ସେ ବିଷୟରେ ଆଲୋଚନା କରିବାକୁ ଚାହିଁଲେ । ସେ ଧରା ଦେଲା ନାହିଁ । ଅଫିସ୍‌ର ବଡ଼ବାବୁ ଆସିଲେ, ରଘୁମିଶ୍ର, ଆରମ୍ଭ କଲେ, ‘‘ଏଇଟା ଅନ୍ଧାରି ମୁଲକର ହେଲା ବିଚାର ଆଜ୍ଞା, ନ୍ୟାୟ ନାହିଁ, ଖାଲି ଅନ୍ଧାଧୁନିଆଁ ।’’

 

‘‘କୋଉଟା ଆଜ୍ଞା ?’’

 

‘‘ଆପଣଙ୍କ ପରି ଅଫିସରଙ୍କର ପ୍ରମୋଶନ ନ ହେଉଣୁ ଏମାନଙ୍କର ସବୁ ହେଲା ।’’

 

ବିନୋଦ କହିଲା, ‘‘କାହା କାମ କେମିତି ଆପଣ କଣ ଜାଣିଛନ୍ତି ?’’

 

ବଡ଼ବାବୁ କହିଲେ, ‘‘ଆପଣଙ୍କ ମୁହଁ ଉପରେ କହିବାର ନୁହେଁ ଆଜ୍ଞା, ନ ହେଲେ କହିବି ଏଡ଼େ ଅସାଧାରଣ ଦକ୍ଷତା ଆଉ କାହାଠିଁ ମୁଁ କ୍ୱଚିତ ଦେଖିଛି । ଆମେମାନେ ସେଇଆ କଥାଭାଷା ହୋଇଥାଉଁ ଅଥଚ କେଡ଼େ ଅନ୍ଧ ବୁଝାମଣା ।’’

 

ବିନୋଦ କହିଲା, ‘‘ଆପଣମାନଙ୍କର ମୋ ଉପରେ ସେହି ସ୍ନେହ ଥିଲେ ସେହି ମୋ ପାଇଁ ଖୁବ୍‌ । କିନ୍ତୁ ଯେଉଁଟା ମୋ ହାତରେ ନାହିଁ ମୁଁ ସେଥିପାଇଁ କଣ କରିବି ?’’

 

‘‘ୟେ କଳିଯୁଗରେ ନ୍ୟାୟ ଧର୍ମ ନାହିଁ ଆଜ୍ଞା, ନହେଲେ ଆପଣଙ୍କ ପରି ନ୍ୟାୟବନ୍ତ କାର୍ଯ୍ୟଦକ୍ଷ ପ୍ରତିଭାବନ୍ତ ଅଫିସର କାହିଁ ଉପରେ ଉଠନ୍ତେଣି । ଏଠି ଲାଞ୍ଚୁଆ, ଖୁସାମତିଆ ଲୋକଙ୍କର ଉନ୍ନତି ହୁଏ, ସେଇଆ ଜଣେଇଜଣା’’

 

ତାଙ୍କ ସହାନୁଭୂତି ଶୁଣୁ ଶୁଣୁ ବିନୋଦର ଆଖି ଛଳ ଛଳ ହୋଇ ଆସିଲା । ସେ ପୁଣି ନିଜକୁ ଟାଣ କଲା । ସେହି ମୁହୂର୍ତ୍ତରେ ସମସ୍ତିଙ୍କ ପ୍ରତି ତାର ସନ୍ଦେହ ଆସୁଥାଏ । କହିଲା, ‘‘ଥାଉ, ଆମେ ସେ ସବୁ କଥା ନ ପକେଇବା ଭଲ । ମୁଁ ବୁଝେଁ ଗୋଟିଏ କଥା,–ମୋ କାମ । ପରୀକ୍ଷା ଦିଏ ମୋ ବିବେକ ପାଖରେ, ଯେ ନିଷ୍ଠାପର ଭାବରେ ମୋ କାମ ମୁଁ କଲି କି ନାହିଁ ? ମୋର ହୃଦ୍‌ବୋଧ ହେବା ଦରକାର, ଯେ ତାଠୁ ଭଲ ତାଠୁଁ ବେଶି ମୋ ଦ୍ୱାରା ହୋଇପାରି ନ ଥାନ୍ତା, ଆଉ ବେଶି କଣ ଲୋଡ଼ିବ ?’’

 

‘‘ସେଇଟା ସବୁଠୁ ବଡ଼କଥା ଆଜ୍ଞା, କିନ୍ତୁ ଏ ପ୍ରମୋଶନ୍‌ ହେବା ନ ହେବା କଥା, ଖାଲି ନିଜ କାମପାଇଁ ପ୍ରଶଂସା ପାଇଲା ଭଳିଆ ତ ନୁହେଁ, କେତେ କଥା ତା ଉପରେ ନିର୍ଭର କରେ, ଏଇଟା ଦାନାପାଣି କଥା, ଆପଣଙ୍କର ବା ଘରେ ପୈତୃକ ଧନ ସମ୍ପତ୍ତି ଥିବ ଆପଣଙ୍କ କଥା ଭିନେ, କିନ୍ତୁ ସମସ୍ତିଙ୍କର ତା’ତ ନୁହେଁ, ଦରମା ବଢ଼ିଲେ ଅବସ୍ଥା ଆହୁରି ଭଲହେବ, ପିଲାଏ ମଣିଷ ହେବେ, ଧନ କାହାର ଦରକାର ନାହିଁ ?’’

 

‘‘ହଉ, ନ ହେଲା ବା, ମଣିଷ ସେଥିପାଇଁ କଣ କରିବ ?’’

 

‘‘ହେବ ନିଶ୍ଚୟ ଆଜ୍ଞା, ଭଗବାନ କଣ ଦେଖୁ ନାହାନ୍ତି ? ବିନା କାରଣରେ ଡେରି ହେଉଚି ଏତିକି ଯାହା ।’’

 

ବଡ଼ବାବୁ କାମର ଆଲୋଚନା ଆରମ୍ଭ କଲେ ।

 

ବିନୋଦ କାମରେ ମନଦେଲା ।

 

ସେ ଏକୁଟିଆ ଥିଲାବେଳେ ଆସିଲେ ମୁକ୍ତିଆର ବିନୟ ସାମଲ । ବୟସ ପଇଁତିରିଶି ହେବ, ଅନେକ ମକଦ୍ଦମାରେ ସେ ଆସିଥାନ୍ତି, ଅନ୍ୟ ସମୟରେ କଥାଭାଷାରେ ଖୁବ୍‌ ଆପଣାର ହେବାକୁ ଚେଷ୍ଟା କରନ୍ତି, ବିନୋଦ ତାଙ୍କ ସହିତ ସତର୍କ ଭଦ୍ରତାରେ କଥାଭାଷା କରିଥାଏ । କହିଲେ, ‘‘ଗୋଟିଏ କଥା ଶୁଣିଲି, ବିଶ୍ୱାସ ହେଲାନାହିଁ, ହଜୁର ଯଦି ଅନୁମତି ଦିଅନ୍ତେ ପଚାରନ୍ତି ।’’

 

‘‘କଣ ଏମିତି କଥା ଆଜ୍ଞା ।’’

 

‘‘କୁଆଡ଼େ ପ୍ରମୋଶନ ତାଲିକା ବାହାରିଲା ଆଉ ହଜୁର୍‌ଙ୍କର–’’

 

ବିନୋଦ ଶୁଖିଲା ହସଟିଏ ହସିଲା, କହିଲା ‘‘ହେଇ ନାହିଁ, ଏଇ କଥା ତ ? ଗେଜେଟ୍‌ ଦେଖିଲେ ତ ବୁଝିବେ, ତା ବାହାରେ ମୁଁ ଆଉ ଅଧିକା କଣ କହିବି ?’’

 

‘‘କିନ୍ତୁ ୟେ କି ପ୍ରକାର ବିଚାର ? କାର୍ଯ୍ୟଦକ୍ଷତା, ଜ୍ଞାନ, ବିଦ୍ୟା ନାନା ସଦ୍‌ଗୁଣ କଥା ଭାବିଲେ ହଜୁର୍‌ ତ ସିଧା ଜିଲ୍ଲା କଲେକ୍ଟର ହେବାକୁ ଉପଯୁକ୍ତ, ତା ଆଗରେ ଡେପୁଟିକୁ ପ୍ରମୋଶନ ହୋଇଥିଲେ ଅଧିକା କଣ ହୋଇଥାନ୍ତା ! କି ନ୍ୟାୟ କି ବିଚାର ୟେ !’’

 

‘‘ବିଚାର ତ ଆପଣ କରିନାହାନ୍ତି ବିନୟ ବାବୁ, ସରକାର ଯାହା କଲେ, ସେଥିପାଇଁ ଆପଣ କାହିଁକି ଭାବୁଛନ୍ତି ?’’

 

‘‘ଭାବିବି ନାହିଁ । ଯେତେ ହେଲେ ଆମେ ପବ୍ଳିକ୍‌ ହଜୁର୍‌, ଆମେ ସରକାରଙ୍କ ଅଧିନସ୍ଥ ନୋହୁଁ । ସେ ଅନ୍ୟାୟ କରିବେ ଆମେ ତୁନି ରହିବୁଁ ? ଏ ଘୋର ଅନ୍ୟାୟ ତାଙ୍କର । ଭାବିଥିଲି ଦେଶ ସ୍ୱାଧୀନ ହେଲାଣି, ଏଣିକି ଓଲଟା ଓଲ୍‌ଟା ବିଚାର ହେବନାହିଁ, ଯେଉଁମାନେ ଯୋଗ୍ୟ, ସଚ୍ଚୋଟ, କାର୍ଯ୍ୟଦକ୍ଷ, ପରୋପକାରୀ, ବାଛି ବାଛି ସେହିଭଳି ଅଫିସର ଉପରକୁ ଉଠା ହେବେ । କିନ୍ତୁ ଦେଖୁଛି ଏ ଯୁଗ ତାହା ନୁହେ, ଖାଲି ଖୁସାମତ୍‌, ଧରାଧରି, ପ୍ରୀୟାପ୍ରୀତି, ଦିଆଘେନା, ଜିତୁଛି ଏଇଆ, ଛି ଛି ଛି ! ହଜୁର୍‌ ତୁନି ହୋଇ ବସନ୍ତୁ ନାହିଁ, ପ୍ରତିବାଦ କରନ୍ତୁ, ନିଜର ଦାବୀ ଜଣାନ୍ତୁ, ହଉ ଏନ୍‌କ୍ୱାଇରି ଆମେ ସମସ୍ତେ ହଜୁରଙ୍କୁ ସମର୍ଥନ କରିବୁଁ ।’’

 

‘‘ବିନୟ ବାବୁ, ଆପଣ ମୋ ପାଇଁ ଏତେ ଭାବୁଛନ୍ତି ସେଥିପାଇଁ ବହୁତ ଧନ୍ୟବାଦ । କିନ୍ତୁ ଏଗୁଡ଼ାକ କଣ ମୋରି ସଙ୍ଗରେ ଆଲୋଚନା କରିବେ ? ନା ଭାବୁଛନ୍ତି ଏ ଆଲୋଚନା ଶୁଣି ମତେ ଖୁସି ଲାଗୁଛି ।’’

 

‘‘ନାଇଁ ହଜୁର୍‌, ମୋ ମନଟା ସମ୍ଭାଳି ହେଲା ନାହିଁ ।’’

 

‘‘ଥାଉ । ଚାକିରି ୟେ । କାହାର କଣ ହେବ, କିଏ ପ୍ରମୋଶନ ପାଇବ କିଏ ନ ପାଇବ, କେଉଁ କାମପାଇଁ କିଭଳି ଲୋକ ଦରକାର, ଯେଉଁମାନଙ୍କ ଉପରେ ସେ ସବୁ ନିଷ୍ପତ୍ତି କରିବା ଭାର ଅଛି ସେମାନେ ତା ବୁଝନ୍ତୁ, ମୋର ସେ ବିଷୟରେ ମୁଣ୍ଡ ଖେଳେଇବା ଦରକାର ନାହିଁ, ମୁଣ୍ଡ ଖେଳେଇଲେ ଲାଭ ବି ନାହିଁ । ମତେ ଯାହା କରିବାକୁ ଦିଆ ହୋଇଛି ମୁଁ ସେତକ କରିପାରିଲେ ମୋ ଆଡ଼ୁ ମୁ ସଫା ।’’

 

‘‘ଆପଣ ମହତ୍‌ ହଜୁର୍‌ ।’’

 

‘‘ଧନ୍ୟବାଦ, କିଛି କାମ ଥିଲା ?’’

 

‘‘ଏବେ ନାହିଁ ହଜୁର ।’’ ସେ ଚାଲିଯାଉଥିଲେ, ବୁଲିପଡ଼ି କହିଲେ ‘‘କିନ୍ତୁ ବେଶିଦିନ କାହାରି ଅବିଚାର ଚଳି ପାରିବ ନାହିଁ ହଜୁର, ଯାହାଠି ଗୁଣଅଛି କେହି ତାଙ୍କୁ ଅଟକେଇ ରଖିପାରିବେ ନାହିଁ ସବୁଦିନେ ।’’

 

ସେ ତରତର ହୋଇ ଚାଲିଗଲା ।

 

ନିଜ ମନ ଦୁଃଖରେ ବି ବିନୋଦ ଟିକିଏ ହସିଲା–ୟେ ବିନୟ ସାମଲ ପ୍ରକୃତରେ କଣ ତା ପାଇଁ ସମଦୁଃଖୀ ହୋଇ ଧାଇଁ ଆସିଥିଲେ, ନା ଆଉକିଛି ମତଲବ୍‌ ରଖି ଆସିଥିଲେ ? ସମଦୁଃଖୀ ହେବେ କାହିଁକି ? ସେ ତ ତାକୁ କେବେ ହେଲେ ଅନ୍ୟାୟରେ କୌଣସି ସୁବିଧା ଦେଇ ନ ଥିଲା । ବରଂ କେତେଥର ରୋକିଛି, ମକଦ୍ଦମା ବିଚାର କରି ବସିଥିଲା ବେଳେ ସେ କୌଣସି ସାକ୍ଷୀକୁ କୌଣସି ଅପ୍ରାସଙ୍ଗିକ ପ୍ରଶ୍ନ ପଚାରି ଦେଲେ ପ୍ରଶ୍ନଟା ପଚରା ହୋଇ ପାରିବ ନାହିଁ ବୋଲି ତୁଣ୍ଡେ ତୁଣ୍ଡେ ରାୟ ଦେଇଛି । ଆଇନ୍‌ର ସେ ଭୁଲ୍‌ ଅର୍ଥ କଲେ ସଙ୍ଗେ ସଙ୍ଗେ ଧରି ଦେଇଛି, ତା ଆଖିରେ ପାତର ଅନ୍ତର ନାହିଁ । କେତେ ମକଦ୍ଦମା ତା କୋର୍ଟରେ ସେ ହାରିଥିବେ, କେତେ ଦରଖାସ୍ତ ତାଙ୍କର ନାମଞ୍ଜୁର ହୋଇଥିବ, ବିଚାରପତି କାମଟା ବି ସେଇଆ, ସେ ଆଇନକୁ ଜଗିବ, କୌଣସି ପକ୍ଷ ଆଡ଼କୁ ଢଳିବ ନାହିଁ । ତେବେ ମୁକ୍ତିଆର ବିନୟ ସାମଲ ଏତେ ସମବେଦନା ଜଣାଇଲେ କାହିଁକି ?

 

ହୁଏତ ସେମାନେ ତାକୁ ହସୁଛନ୍ତି । ଛାତିରେ ସତେକି ଛୁରି ଚାଲିଗଲା, ଭାବିଲା ଠିକ୍‌ ଖଞ୍ଜ, ଉଣ୍ଡି ପରର ଖଣ୍ଡିଆ ଉପରେ ଚୋଟ ମାରିବାକୁ ବି ତ’ କେତେ ଲୋକ ଖୁସି ପାଆନ୍ତି ।

 

ଆସିଗଲେ ଗୁଣାକର ସିଂହ, ଏ.ସି.ଏସ.ଓ. ।

 

‘‘କୁଆଡ଼େ ସିଂହବାବୁ ?’’

 

‘‘ନାଇଁ, ଯୋଉ କାମ, ନିଶ୍ୱାସ ମାରିବାକୁ ଫୁରସତ୍‌ ନାହିଁ । ଭାବିଲି ଟିକିଏ ଆପଣଙ୍କୁ ଦେଖି ଆସେଁ ।’’

 

‘‘ଭଲ କଲେ । ଏଥରର ଗେଜେଟ୍‌ ଦେଖିଲେଣି ବୋଧହୁଏ ।’’

 

‘‘ପଢ଼ି ନାହିଁ । କିଛି ଅଛି ?’’

 

‘‘ଆମ ଚାକିରିରେ ପ୍ରମୋଶନ ଫଳ ବାହାରିଛି ।’’

 

ଖୁବ୍‌ ଆଗ୍ରହରେ ଗୁଣାକର ସିଂହ କହିଲେ, ‘‘ଆରେ । ସତେ ନା ? ଆପଣଙ୍କର ତ ନିଶ୍ଚୟ ହୋଇଥିବ । ଆଉ କାହାର କାହାର ? ଆମ ସବ୍‌ଡ଼ିଭିଜନ୍‌ରୁ ଆଉ କିଏ ପାଇଲେ ?’’

 

‘‘ଏ ସବ୍‌ଡ଼ିଭିଜନରୁ ଜଣେ, ସୁନୀଲ୍‌ ବାବୁ, ଯେ ରଙ୍ଗପୁରରେ ତହସିଲଦାର ।’’

 

‘‘ତା ମାନେ ଆପଣ ଓ ସେ, ସେ ତ ଆପଣଙ୍କର ଦୁଇ ବର୍ଷ ତଳେ ।’’

 

‘‘ମୋର ହୋଇନାହିଁ ସିଂବାବୁ, ସତେଇଶି ଜଣ ହେଲେ, ତହିଁରୁ ମୋ ସାଙ୍ଗର ନ’ଜଣ, ମୋ ତଳୁ ସାତଜଣ ।’’

 

‘‘ଆଶ୍ଚର୍ଯ୍ୟ କଥା । ଆପଣଙ୍କର ନ ହେବାର କାରଣ କଣ ?’’

 

ବିନୋଦ ହସିଲା, କହିଲା, ‘‘ହେବାର କାରଣ କଣ ସେଇଟା ତ ଠିକଣା କରି ଜଣା ନାହିଁ ସିଂବାବୁ, ଜଣାଥିଲେ ମୁଁ ବହୁବର୍ଷ ହେଲା ପ୍ରମୋଶନ୍‌ ପାଆନ୍ତିଣି ।’’

 

ଗୁଣାକର ସିଂ କହିଲେ ‘‘ନା, ନା, ଆଦୌ ଠିକ୍‌ ହେଲା ନାହିଁ ଏ ନିଷ୍ପତ୍ତି, ଘୋର ଅନ୍ୟାୟ, ଘୋର ଅନ୍ୟାୟ ।’’

 

ବିନୋଦ ହସିଲା, କହିଲା, ‘‘ଆସ୍ତେ, ସିଂବାବୁ ଆସ୍ତେ । ନଇଲେ ସରକାର ଯଦି ଜାଣିବେ ଆପଣ ତାଙ୍କୁ ସମାଲୋଚନା କରୁଛନ୍ତି ତେବେ ଆପଣଙ୍କୁ ଅସୁବିଧା ।’’

 

ଗୁଣାକର ସିଂ କହିଲେ, ‘‘ହଃ, ଆପଣ ଏପରି ଖୁରଦାଢ଼ରେ ବାଟଚାଲି ଏତେ କାର୍ଯ୍ୟଦକ୍ଷ ହୋଇ ଏତେ ଖଟି ଖଟି ତ ଆପଣଙ୍କର ପ୍ରମୋଶନ ହଉନାହିଁ, ମୁଁ ବା କି ଲୋକ ଯେ ମୋର ବଳକା ଅନିଷ୍ଟ ହେବ ।’’

 

‘‘ହୁଏତ ଆପଣ ଠିକ୍‌ କହୁଛନ୍ତି ଯେ ଆପଣଙ୍କର ଅସୁବିଧା ହେବ ନାହିଁ, ଏ ଚାକିରିଟା ଗଲେ ବି ଚିନ୍ତା ନାହିଁ, କାରଣ ଘରେ,–’’

 

‘‘ଫାଦର୍‌–ଇନ୍‌–ଲ, ନଇଲେ ମୋର କଣ ଅଛି ?’’

 

‘‘ଠିକ୍‌ ଠିକ୍‌ । ସବୁ କାମକୁ ସେମିତି ଜଣେ ଲୋଡ଼ା, ଯାହାର ନାହିଁ ନିଶ୍ଚୟ ତା ପକ୍ଷରେ ଅସୁବିଧା ।’’

 

‘‘ନାଇଁ ନାଇଁ, ମୁଁ ଖାଲି ଭାବୁଛି ଆପଣଙ୍କ ଭଳି ଅଫିସରଙ୍କୁ ସେମାନେ ପ୍ରମୋଶନ ନ ଦେଲେ କିମିତି ?’’

 

‘‘ଗୋଟାଏ କାରଣ ତ ବୁଝୁଥିବେ, ଯେଉଁମାନେ ପ୍ରମୋଶନ ଦିଅନ୍ତି, କି ପ୍ରମୋଶନ ପାଇଁ ସୁପାରିସ୍‌ କରନ୍ତି, ତାଙ୍କ ଭିତରେ ମୋ ଫାଦର୍‌–ଇନ୍‌–ଲ’ କି ବ୍ରଦର୍‍–ଇନ୍‍–ଲ’ ନାହାନ୍ତି ।’’

 

‘‘ଆପଣ ଥଟ୍ଟା କରୁଛନ୍ତି ।’’

 

‘‘କଣ କରିବି ବୋଲି ଆପଣ କହୁଛନ୍ତି ? ସରକାରଙ୍କୁ କୃତଜ୍ଞତା ଜଣାଇ ଖଣ୍ଡେ ଚିଠି ଦେବି ?’’

 

‘‘ଭାରି ଦୁଃଖର କଥା । ଘୋର ଅନ୍ୟାୟ ।’’

 

‘‘ତାହେଲେ ? ଶୋକ କରିବି ?’’

 

ଗୁଣାକର ସିଂ କହିଲେ ‘‘ଯଦି ଚାକିରି କ୍ଷେତ୍ରରେ ଧୁଆ ମୂଳା ଅଧୁଆ ମୂଳା ସମାନ, କାଞ୍ଚନ ଠୁଁ କାଚର ବେଶି ଆଦର, ତା ହେଲେ କଣ ପାଇଁ ଚାକିରିରେ ଲୋକେ ପେଟର ଓଦାକନା ଦେଇ, ପିଲାଛୁଆଙ୍କୁ ଭୋକରେ ମାରି ସଚ୍ଚୋଟ ନିଷ୍ଠାପର କାର୍ଯ୍ୟଦକ୍ଷ ହୋଇ ରହି ବର୍ଷ ପରେ ବର୍ଷ ବିତୋଉଥିବେ ? ମଣିଷ ଆପଣାକାମ ଉପରେ ନୀତି ଜଗି ବସିଲେ ଲୋକଙ୍କ ପାଖେ ଅପ୍ରିୟ ହେବ, କାହା କଥା ନ ରଖିଲେ କିଏ କାହିଁକି ପ୍ରଶଂସା କରିବ ? ତେଣେ ସରକାର ବି ପୁରସ୍କାର ଦେବେ ନାହିଁ । ବୃଥା ଗଧଖଟଣି ।’’

 

ଆପଣ ସେପରି ଭାବୁଛନ୍ତି ସିନା, ସିଂବାବୁ, ମୁଁ ସେପରି ଭାବୁନାହିଁ । ମୋ ପୁରସ୍କାର ମୁଁ ଆପଣଙ୍କ ତୁଣ୍ଡରୁ ପାଉଛି, ଲୋକଙ୍କ ତୁଣ୍ଡରୁ ପାଉଛି, ଲୋକଙ୍କ ତୁଣ୍ଡରୁ ସବୁଦିନେ ପାଇ ଆସିଛି । ତାଠୁଁ ବି ବଡ଼ ପୁରସ୍କାର, ଆହୁରି ମୂଲ୍ୟବାନ ପୁରସ୍କାର ପ୍ରକୃତରେ ଯାହା ମୁଁ ଖୋଜିଥାଏଁ, ସେଇଟା ମୋ ନିଜ ବିବେକଠୁ । ଆଉ କିଏ କଣ ଭାବୁଛି, ଭାବିଲା, ଭାବି ମତେ ପ୍ରମୋଶନ ନ ଦେଲା, ତା ଚିନ୍ତା ପାଇଁ ତା କାର୍ଯ୍ୟପାଇଁ ମୁଁ ଦାୟୀ ନୁହେଁ, ସେ ଦାୟୀ । ଧରାଯାଉ, ସରକାର ଭାବୁଥିବେ, ବଡ଼ ବଡ଼ ଦାୟିତ୍ୱ ପାଇଁ ମୋ ଭଳିଆ ଲୋକ ତାଙ୍କର ଦରକାର ନାହିଁ, ଭିନେ ପ୍ରକାର ଲୋକ ଦରକାର । କେତେ ରଜା ଜମିଦାରଙ୍କ କଥା ଶୁଣିଥିବେ ତ, ନିଡ଼ରୁଆ ସଚ୍ଚୋଟ ଟାଣୁଆ ନୀତିମନ୍ତ ସ୍ପଷ୍ଟବାଦୀ କର୍ମଚାରୀ ତାଙ୍କୁ ଅଡ଼ୁଆ, ସେପରି ଲୋକଙ୍କୁ ତାଙ୍କର ସନ୍ଦେହ,–ସେମିତିଆ । ମୋର ସେଥିପାଇଁ ଚିନ୍ତା କାହିଁକି ହେବ ?’’

 

ଗୁଣାକର ସିଂ ବି ଗଲେ ।

 

ସେ କାମରେ ମନ ଦେଲା । ମକଦ୍ଦମା ପଡ଼ିଲା । ସେ ସବୁଦିନ ପରି ଗମ୍ଭୀର ହୋଇ ବସିଲା, ବିଚାରକାର୍ଯ୍ୟ ଚଳାଇଲା । ତା ପରେ ସବ୍‌ ଟ୍ରେଜେରୀ କାମ, ଜେଲ୍‌ଖାନା ପରି ଲୁହା ରେଲିଂ ଦିଆ କବାଟ ସେକରେ ତା କାମ, ଭିତର ବଖରାରେ ପଶି ଠିକ୍‌ ଇଟା ଆକାରରେ ରହିଥିବା ଅଫିମ–ଇଟା କାଢ଼ିବାକୁ ଥରେ ସିନ୍ଧୁକ ଖୋଲାହେଲେ ଅଫିମ ଗନ୍ଧରେ ମୁଣ୍ଡ ବୁଲେଇ ଦିଏ, ଗନ୍ଧଟା ପବନରେ ଓହଳିଥାଏ ବହେ ବେଳ, ହଜାର ହଜାର ଟଙ୍କାର ଷ୍ଟାମ୍ପ ଓ ଲକ୍ଷ ଲକ୍ଷ ଟଙ୍କାର ନୋଟ, ଟଙ୍କା ଓ ଖୁଚୁରା ଘେନି କାମ, ଟଙ୍କା ପଇସା ହିସାବ, ଅଫିସ୍‌ର ବଡ଼ବାବୁ ସେଠି ବି ମୁଖ୍ୟ କିରାନି, ପୁଣି ଉଠାଉଥିଲେ ତା’ ପ୍ରମୋଶନ କଥା, ବିନୋଦ ବିରକ୍ତ ହୋଇ କହିଲା, ‘‘ପୁଣି ସେକଥା ? ସେଗୁଡ଼ାକ ଏଠି କାହିଁକି ?’’

 

ଟ୍ରେଜରି କାମ ସାରି ବିନୋଦ ଫେରିଲା ନିଜ ବଖୁରିକୁ । କେତେ ଗୁଡ଼ିଏ ଫାଇଲ୍‌ ଆସିଥାଏ, ସେ ମନୋନିବେଶ କଲା । କିନ୍ତୁ ଧୀରେ ଧୀରେ ମନ ଅସମ୍ଭାଳ ହୋଇ ଉଠୁଥାଏ । ମନେ ପଡ଼ୁଥାଏ, ମନ ପ୍ରାଣ ଢାଳିଦେଇ କେତେ ସେ ଖଟିଛି ! କେହି କେବେ ତା’ କାମକୁ ବାଛି ଦେଇ ନାହିଁ । ପ୍ରଶଂସା ଛଡ଼ା ଅନ୍ୟ କିଛି ସେ ଶୁଣି ନାହିଁ, କିନ୍ତୁ ପଦୋନ୍ନତି ଦେଲାବେଳେ ତା ନାଁଟା ବିଚାରକୁ ଆସିଲା ନାହିଁ । ତାଠୁଁ ପାଞ୍ଚବର୍ଷ ପଛର ଯେ ତାକୁ ନିଆଗଲା, କେତେବେଳେ ସେ ବି ହେବ ତାର ଉପରିକ ! କେଡ଼େ ବଡ଼ କ୍ଷତି ! କି ଲଜ୍ଜା ! କି ଅପମାନ ! କାହିଁକି ଏପରି ହେଲା ! ଆଗେ ତା’ ସାଙ୍ଗରୁ ଚାରିଜଣଙ୍କୁ ପଦୋନ୍ନତି ଦିଆ ଯାଇଥିଲା, ସେତେବେଳେ କି ବାଧିଥିଲା, ଏଥର ତ ବହୁଗୁଣେ ଆହୁରି ଅପମାନ !

 

ସେ ଭାବିଲା, ଗୋଟାଏ କିଛି ତା’ର କରିବା ଉଚିତ । କିନ୍ତୁ କଣ ସେ କରିବ ?

 

ଯେତେଠିଁ ଯେତେ ସ୍ତରରେ ଯେଉଁମାନେ ତାର ଉପରିକ କର୍ମଚାରୀ ଥିଲେ ସେମାନଙ୍କ ପ୍ରତି ତାର ଅବିଶ୍ୱାସ ଆସିଲା । ଭାବିଲା, ଲୋକେ ଖାଲି ପିଠି ଚାପୁଡ଼େଇ କାମ ଉଠେଇ ନିଅନ୍ତି, ବନ୍ଧୁତା ଓ ଆନୁଗତ୍ୟ ପାଆନ୍ତି, ଉପକାର କରନ୍ତି ନାହିଁ । ସଲିମ୍‌ ଆଲିକୁ ସେ କେଡ଼େ ଭଲ ପାଉଥିଲା । କିନ୍ତୁ ପ୍ରକୃତରେ ସେ କଣ ତାକୁ ଟାଣକରି ସୁପାରିସ୍‌ କରିଥିବେ ? ସେହିମାନଙ୍କ ସୁପାରିସ୍‌ ଅନୁଯାୟୀ ତ ଜିଲ୍ଲା ହାକିମ ତାଙ୍କ ସୁପାରିସ୍‌ ଦେଇଥିବେ, ନ ହେଲେ ନିଜେ ସେ କଣ ବା କାମ ଦେଖିଛନ୍ତି ?

 

ଗୋଟାଏ କିଛି କରିବାକୁ ପଡ଼ିବ । କଣ ? ହଁ, ସରକାରଙ୍କୁ ସେ ଗୋଟିଏ ଆବେଦନ ପତ୍ର ଦେବ, ସେ ବୁଝନ୍ତୁ ନ ବୁଝନ୍ତୁ, ଫଳ ଯାହା ହେଉ । ତା ଆଗରୁ ସେ ଏସ୍‌. ଡ଼ି. ଓ. ରାଘବ ଚୌଧୁରୀଙ୍କି କହିବ ।

 

ଖବର ନେଲା, ଏସ୍‌. ଡ଼ି. ଓ. ‘ଖାସ୍‌ କାମ୍‌ରା’ ରେ ଅଛନ୍ତି, ଷ୍ଟେନୋ ବାବୁ ଥିଲେ ଚାଲିଗଲେଣି ।

 

ପହଞ୍ଚିଲା ।

 

‘‘ନମସ୍କାର ସାର୍‌ !’’

 

‘‘ଆସନ୍ତୁ, ବସନ୍ତୁ ।’’ ରାଘବ ଚୌଧୁରୀ ତା ମୁହଁକୁ ଅନାଇଲେ । ଖୁବ୍‌ କଅଁଳ ହୋଇ ପଚାରିଲେ, ‘‘କଣ ?’’

 

‘‘ଆପଣଙ୍କର ଯଦି ଅନୁମତି ହୁଏ ତେବେ ମୋର କିଛି ନିଜକଥା କହନ୍ତି ସାର୍‌ ।’’

 

‘‘କହୁ ନାହାନ୍ତି ?’’ ସେ ଆଗ୍ରହରେ ଅନାଇଁ ରହିଲେ ।

 

‘‘ମୋର ପ୍ରମୋଶନ ହେଲା ନାହିଁ, ମୋ ସାଙ୍ଗର ଲୋକ, ମୋଠୁଁ ପାଞ୍ଚବର୍ଷ ପଛର ଲୋକ ବି ଗଲେ ।’’

 

ଚୌଧୁରୀ ଦୀର୍ଘଶ୍ୱାସ ପକାଇଲେ ଉଠି ପଡ଼ି ଭିତରେ ଦିଥର ଏକର ସେକର ହେଲେ, ନିଜହାତରେ କବାଟଟି ବନ୍ଦ କରିଦେଇ ଆସି ବସିପଡ଼ି କହିଲେ,–

 

‘‘ମୁଁ ଜାଣେ । ମୁଁ ଭାବି ପାରି ନ ଥିଲି । ଆପଣଙ୍କର ଏଠିକା କାମ ବିଷୟରେ ମୋର ଯାହା ଧାରଣା ହୋଇଛି ମୁଁ ଭାବି ନ ଥିଲି ଏପରି ହେବ, ପୂର୍ବେ କଣ ହୋଇଥିଲା ମୁଁ ଜାଣେ ନାହିଁ । ମୁଁ ଦୁଖିତ । ଦୁର୍ଭାଗ୍ୟ କହିବାକୁ ପଡ଼ିବ । କିନ୍ତୁ ଆପଣ ନିରାଶ ହୁଅନ୍ତୁ ନାହିଁ ।’’

 

‘‘ଆଉ କି ଆଶା ରହିଲା ସାର୍‌ !’’ ବିନୋଦ ଗଡ଼ଗଡ଼ କରି କହିଗଲା ତାର ଚାକିରିଆ ଜୀବନର କାମକଥା ।

 

ରାଘବ ଚୌଧୁରୀ କହିଲେ, ‘‘ଆପଣ ମୋର ସାନଭାଇଟିଏ ପରି । ମୋ କଥାକୁ ବିଶ୍ୱାସ କରନ୍ତୁ, ଶୁଣନ୍ତୁ, ମଣିଷ ଜୀବନରେ ଏମିତି ହେବା ନୂଆ ନୁହେଁ । ମନପ୍ରାଣ ଢାଳି ଦେଇ ଖୁବ୍‍ ଭଲକାମ କରିବା,–ସେଇଟା ତ କର୍ତ୍ତବ୍ୟ, ମଣିଷ ନିଜେ କରି ପାରିବ । କେଉଁଠି ଦୋଷ ତ୍ରୁଟି ଥିଲେ ନିଘାରେ ପଡ଼ିଲେ ଲୋକେ ଧରିବେ, ଅଡ଼ୁଆ ଲାଗିବ । କାମ ନ କଲେ ଛାଡ଼େ କିଏ ? ଦରମା ତ ନେଉଛୁଁ, ଚାକିରି କରିଛୁଁ । କିନ୍ତୁ ପ୍ରମୋଶନ, ସେ ଅଲଗା କଥା । କାମ ବି ଦରକାର, ଭାଗ୍ୟ ବି ଦରକାର । ତେବେ, ଭଲକାମ କରୁଥିଲେ ପ୍ରମୋଶନ ଅଟକିବ ନାହିଁ । ଏଥରଟା ସିନା ଗଲା, ଆର ଥରକୁ ହେବ, ଧୈର୍ଯ୍ୟ ଧରନ୍ତୁ’’ ।

 

‘‘ମୁଁ ତାହେଲେ କଣ କରିବି ସାର ?’’

 

‘‘ଏଇଟା ଭୁଲି ଯାଆନ୍ତୁ । ଯେମିତି କାମ କରୁଥିଲେ ସେମିତି କରନ୍ତୁ । ଆଉ, ମୁଁ ତ ଅଛି, ମୋଠୁଁ ପରାମର୍ଶ ନେଉଥିବେ । କିଛି ଯଦି ନ ଭାବିବେ, ଗୋଟିଏ କଥା କହିବି । ନା କହିବି ନାହିଁ ।’’

 

ଉଦ୍‌ବିଗ୍ନ ହୋଇ ବିନୋଦ ପଚାରିଲା, ‘‘କହନ୍ତୁ ସାର୍‌ ।’’

 

‘‘ନା, ଆପଣ ଛଳ କରିବେ, ଅନ୍ୟଥା ଭାବିବେ । ଏଇ ଯେଉଁ ଖୁବ୍‌ ପାଠପଢ଼ା ପିଲାଏ, ଉଜ୍ଜଳ ଛାତ୍ର, ସିଧାସଳଖ ରୋକଠୋକ୍‌ ସେମାନେ ସେମିତି । ମୁଁ ବି ଦିନେ ନୂଆ ନୂଆ ସେମିତି ଭାବୁଥିଲି । ଭଲ ଛାତ୍ର ଥିଲି ତ । ଛାଡ଼ନ୍ତୁ ମୋ କଥା ।’’

 

‘‘କଣ କହୁଥିଲେ କହନ୍ତୁ ସାର୍‌, ଆପଣଙ୍କ ଉପଦେଶ ଲୋଡ଼ୁଛି ଆଉ କଥା ଶୁଣି ଛଳ କରିବି ?’’

 

‘‘ତେବେ ଶୁଣନ୍ତୁ । ଆପଣ ଭଲକାମ କରୁଛନ୍ତି, ଆପଣଙ୍କ ବିବେକ ବୁଝୁଛି, ଭାରି ଠିକ୍‌ କଥା, ଉଚିତ କଥା । କିନ୍ତୁ ସଂସାର ୟେ । ପ୍ରମୋଶନ ହୁଏ, କେମିତି ? କିଏ ଦିଏ ? ତା ଉପରେ ତା ଉପରେ ଥାକ ଥାକ ହୋଇ ଅଛନ୍ତି, ସେମାନେ କର୍ମଚାରୀ, କାମ ମାପନ୍ତି । କାହିଁରେ ? ତାଙ୍କ ମନରେ କିଭଳି ମନ ? ମଣିଷର ମନ । ମଣିଷ–ମନ ଉପରେ ଖାଲି କଣ ଆଇନ ପ୍ରକାରେ ହେଉଥିବା କାମକାର୍ଯ୍ୟ ପ୍ରଭାବ ପକାଏ ? ପ୍ରଭାବ ପକାଏ ନାନା କଥା । ଦୁନିଆଁକୁ ଦେଖନ୍ତୁ, ଭାବନ୍ତୁ, ବୁଝିପାରିବେ । ନାନା କାରଣରୁ ମନ ଏପରି ପ୍ରଭାବିତ ହୋଇଯାଏ ଯେ ଦେବା ହାତଟା ସୁପାତ୍ର ଆଡ଼କୁ ନ ଯାଇ ବେଳେ ବେଳେ ଅପାତ୍ର ଆଡ଼କୁ ଚାଲିଯାଏ । ଚଲାଖ ଲୋକେ ଉପରିକମାନଙ୍କୁ ନାନା ବାଗରେ ଖୁସି କରିବାକୁ, ପ୍ରଭାବିତ କରିବାକୁ ବରାବର ଖୋଜୁଥାନ୍ତି । ସେଇଟା ପାଠ ନୁହେଁ, ଶାଠ, କିନ୍ତୁ ଚାକିରିରେ ତ ମଣିଷମାନଙ୍କ ସଙ୍ଗେ ସଂପର୍କ, ସେଠି ଶାଠ ବି ଖୁବ୍‌ କାମରେ ଲାଗେ । ଇଂରେଜୀରେ ତାରି ନାଁ

 

‘ଟ୍ୟାକ୍ଟ’ ଆପଣ ଏ ବାଗରେ କେବେ ଭାବିଛନ୍ତି ?

 

‘‘ନା ।’’

 

‘‘ମୁଁ ସନ୍ଦେହ କରୁଥିଲି ବି ସେଇଆ । ଆପଣ ବିଚାରକ ହିସାବରେ ଧର୍ମଯୁଧିଷ୍ଠିର, ଖୁବ୍‌ ଭଲ । କିନ୍ତୁ ଶାସନ କାର୍ଯ୍ୟ ପରାୟେ, ଏଠି କଣ ବିଚାର କାମଟା ହିଁ ଏକମାତ୍ର କାମ ନା ଅନ୍ୟ କଥା ଅଛି ? ସେଇଟା ଭାବନ୍ତୁ । ଧରନ୍ତୁ ପୁଲିସ୍‌ ମକଦ୍ଦମା । ଆର ପାଖେ ଓକିଲ, ଆଇନ୍‌ କାମ ତାଙ୍କ ଜୀବିକା, ସେଥିପାଇଁ ସେମାନେ ପାଠ ପଢ଼ିଛନ୍ତି, ଦିନରାତି ଲାଗିଛନ୍ତି । ପୁଲିସର ସେ ସୁବିଧା ନାହିଁ, ସେ ଆଇନ୍‌ ଜ୍ଞାନ ଅର୍ଜନ କଲାଭଳି ବିଦ୍ୟା ବି ନ ଥିବ, ମକଦ୍ଦମାଟିଏ ଜାଗାଉପରେ ଏନକ୍ୱାଇରି କରି ଉପଯୁକ୍ତ ପ୍ରକାରେ ସାକ୍ଷୀ ପ୍ରମାଣ ଯୋଗାଡ଼ କରିବା ବି ପୁଲିସ୍‌ ପକ୍ଷରେ କେଡ଼େ କଷ୍ଟ, ସେଠି ତ ଆଉ ପଙ୍ଖା ତଳେ ବସି ଲେଖିବା କାମ ନୁହେ । ତେଣୁ ଏଇଟା ଜଣାଶୁଣା ଯେ କଚିରିରେ ପୁଲିସ୍‌ ଯେ ମକଦ୍ଦମା ଚଳାଏ, ନାନା ଅସୁବିଧା ଭିତରେ । ଆପଣ ଯଦି ବହି ଅନୁସାରେ ଚିପିଚିପି ସାକ୍ଷୀପ୍ରମାଣ ଆଇନ୍‌ ଯୁକ୍ତି ଖୋଜିବେ, ଆର ପକ୍ଷ ଓକିଲ ହେଣ୍ଡି ମାରିବେ ତ, ପୁଲିସ୍‌ ବି ହଟହଟା ହେବେ, ଆପଣ ଆସାମୀକୁ ଛାଡ଼ିଦେବେ, ଆରପକ୍ଷ କହିବେ ସେ ଧର୍ମ ଯୁଧିଷ୍ଠିର, ନ୍ୟାୟ ଦେଲେ ପୁଲିସ୍‌ କଣ କହିବ ! କହିବ, ୟେ ତ ଛାଡ଼ି ଦେଉଛନ୍ତି, ପ୍ରଳୟ ହେଉପଛେ ଆମେ କାହିଁକି ଏତେକଷ୍ଟ କରି ଦୁଷ୍ଟ ଲୋକଙ୍କୁ ଧରିବୁଁ କଚିରିକି ପଠେଇବୁଁ ? ସେଉଠୁ,–ଶାନ୍ତି ଶୃଙ୍ଖଳା ନଷ୍ଟ ହେବ, ନାନା ଅନିଷ୍ଟ ହେବ, ତା ପରେ ସାଧାରଣ ଲୋକେ ବି କହି ବୁଲିବେ, ଭଲା ହାକିମ ଅଛନ୍ତି ଆମ ଅଞ୍ଚଳରେ ଯେ ଧନଜୀବନ ବି ନିରାପଦ ନୁହେଁ, ନିନ୍ଦା ରଟିବ ସରକାରଙ୍କର । କେଉଁ କର୍ମଚାରୀ କେଉଁ ସରକାର ସେଭଳି ଧର୍ମ–ଯୁଧିଷ୍ଠିରଙ୍କୁ ବାହାବା ଦେବେ ? ନା କହିବେ,–‘ବିଚାର କାର୍ଯ୍ୟରେ ଖୁବ୍‌ ଭଲ, ସାଧାରଣ କାର୍ଯ୍ୟରେ ‘ଟ୍ୟାକ୍‌ଟ’ ଅଭାବ ।’’

 

ବିନୋଦ ବଲବଲ କରି ତାଙ୍କ ମୁହଁକୁ ଅନାଇଲା । କହିଲା, ‘‘ପୁଲିସ୍‌ କେସରେ ନୋ କନଭିକ୍‌ସନ ନୋ ପ୍ରମୋଶନ ! –ପୁରୁଣା ଲୋକେ ଯାହା କହୁଥିଲେ !’’

 

ଚୌଧୁରୀ କହିଲେ, ‘‘ମୁଁ କାହିଁ ତା କହିବି ? ଆପଣ ଭାବନ୍ତୁ ।’’

 

ବିନୋଦ କହିଲା, ‘‘କିନ୍ତୁ ଆଇନ୍‌ରେ ନ ପଡ଼ିଲେ ତଥାପି ବି ଯଦି ମକଦ୍ଦମାରେ କାହାକୁ ଦଣ୍ଡ ଦେବି, ଅପିଲ୍‌ରେ ଓଲଟିବ ନାହିଁ ? ସେତେବେଳେ ତ ଆପଣମାନେ ହିଁ ଲେଖିବେ–‘‘ୟାର ବିଚାର ଓଲଟା,’’ ନିଜ ବିବେକ ବି କ୍ଷମା ଦେବ ନାହିଁ, ନିର୍ଦ୍ଦୋଷ ଲୋକକୁ ଦଣ୍ଡଦେଲେ ଧର୍ମ ବି ସହିବ ନାହିଁ ।’’

 

ଚୌଧୁରୀ ମୁଣ୍ଡ ହଲାଇଲେ, କହିଲେ, ‘‘ନା ନା, ଜାଣି ଜାଣି ଅଧର୍ମ କରନ୍ତୁ ବୋଲି ମୁଁ କହିବି ନାହିଁ । କିନ୍ତୁ ସବୁଆଡ଼ ଜଗୁ କାମ କଲାବେଳେ ଅଜାଣତରେ ଭୁଲ୍‌ ବି କେତେବେଳେ ହୋଇଥାଏ । ଆମେ କଣ ହାଇକୋର୍ଟ୍‌ ହେଇଚୁ ? ଆମର ଭୁଲ ହେଲେ ଉପରକୋର୍ଟ ଅପିଲ୍‌ରେ ସଜାଡ଼ନ୍ତୁ । ହଁ, କିଏ କହିବ, ୟାଙ୍କର ବେଶି ରାୟ ଅପିଲରେ ଓଲଟେ, ଲେଖି ବି ଦେଉ ଦି’ ଧାଡ଼ି । କଣ ହେବ ? ତତଲା ପାଣିରେ କଣ ଘର ପୋଡ଼େ ?’’

 

ବିନୋଦ ଗୁମ୍‌ ହୋଇ ବସିଲା । ଚୌଧୁରୀ କହିଲେ, ‘‘ଶାସନ ୟେ, ଚାରିଆଡ଼କୁ ଜଗିବାକୁ ପଡ଼େ, ଅବସ୍ଥା ଦେଖି ବ୍ୟବସ୍ଥା, ଯେଉଁଠି ଯାହା, ଯାହାକୁ ଯାହା, ଏକା କଣ୍ଟରେ ଚାରିଆଡ଼େ କାମ କଲେ ଶାସନ କଣ ଚଳିପାରିବ ? କେଉଁ ଲୋକର କ୍ଷମତା କେତେ, ଦଉଡ଼ କେତେ ବାଟ, ତା ବି ନ ବୁଝିଲେ ନ ଚଳେ । ନିଜ କଥା ଭାବନ୍ତୁ, ଇଂରେଜ୍‌ ଅମଳରେ କାମ କଲେ, ସେତେବେଳେ ଥିଲା କେବଳ ବଡ଼ ବଡ଼ ଅଫିସରଙ୍କ ହାତରେ କ୍ଷମତା, ତାଙ୍କ ମନ ଘେନି ପାରିଲେ ପ୍ରମୋଶନ ହେଉଥିଲା । ଏବେ ତା’ତ ଦରକାର ହିଁ, କିନ୍ତୁ ତା’ ଉପରେ ଆହୁରି ଅଛନ୍ତି ଅନ୍ୟମାନେ, ଲୋକ ପ୍ରତିନିଧିଙ୍କ ମୁଖ୍ୟ ଯେ ମନ୍ତ୍ରୀମାନେ ସେମାନେ । ଲୋକଙ୍କ ସଙ୍ଗେ ସେମାନଙ୍କର ସିଧା କଥାଭାଷା, କାରବାର । କିଏ ତାଙ୍କର ବନ୍ଧୁ, କିଏ ତାଙ୍କର ବିଶ୍ୱାସୀ, ସେମାନେ କିଏ କେତେବେଳେ ତାଙ୍କ କାନରେ କଣ ଫୋଡ଼ି ଦେବେ ଆମେ ତା ଜାଣିବା କଷ୍ଟ । ସେଉଠୁ ଫଳ କଣ ହେବ ଆମେ କଣ ଜାଣିପାରିବୁ ? ମନ୍ତ୍ରୀ କହିବେ ସେକ୍ରେଟେରିଙ୍କୁ–ୟା କର । ସେକ୍ରେଟେରି କହିବେ କମିସନରଙ୍କୁ, କଲେକ୍ଟରଙ୍କୁ–ୟା ହଉ, ମନ୍ତ୍ରୀ ଚାହାନ୍ତି । ଏଇଥିରୁ ବୁଝୁଥିବେ ।’’

 

ବିନୋଦ କହିଲା, ‘‘ତା ହେଲେ ଆମେ କଣ କରିବା ଦରକାର ?’’

 

ରାଘବ ଚୌଧୁରୀ କହିଲେ, ‘‘ନୂଆ କିଛି ନୁହେଁ, ଆମ କାମ କରୁଥିବା । ଏତିକି ଯେ, ଖାଲି ଗୋଟାଏ ଆଡ଼କୁ ଆଖିରଖି ଯେ କାମ କରିବ ସେ ଅଡ଼ୁଆରେ ପଡ଼ିବା ଆଶଙ୍କା, ଚାରିଆଡ଼କୁ ନିଘାରଖି କାମ କରିବା ଭଲ । ଆଉ ଗୋଟିଏ କଥା ହେଲା, ଆମ ନିଜ ଭିତରେ ପୂରା ବିଶ୍ୱାସ ଓ ସହଯୋଗ ଦରକାର । ଭାବନ୍ତୁ ୟେ ଆମର ଗୋଟିଏ ଘର । ଘର ଠିକ୍‌ ଚାଲେ କେମିତି ? ପରସ୍ପର ଭିତରେ ବୁଝାମଣା ଥାଏ । ପରାମର୍ଶ ଦିଆନିଆ ଚାଲେ । ସମସ୍ତେ ମୁରବିକୁ ପଚାରନ୍ତି, ମୁରବି ପରାମର୍ଶରେ ଚାଲନ୍ତି । ଏକା ଏଠି ବୋଲି ନୁହେଁ, ସବୁଠିଁ, କର୍ମଚାରୀମାନଙ୍କ ଭିତରେ ଯଦି ଏଭଳି ମେଣ୍ଟ ନ ରହେ, ତେବେ ଭବିଷ୍ୟତରେ ଯେଉଁ ସମୟ ଆସୁଛି, ସେମାନେ ଅସୁବିଧାରେ ପଡ଼ିବେ ।’’

 

‘‘ମୁଁ ବୁଝିପାରୁ ନାହିଁ ସାର୍‌, କଣ ମୁଁ କରିବା ଉଚିତ ।’’

 

‘‘ଆପଣ ପିଲାଲୋକ । ଆପଣ ଆସୁନାହାନ୍ତି କାହିଁକି ମୋ ପାଖକୁ ବାରମ୍ୱାର ? ମତେ କଣ ପର ଭାବୁଛନ୍ତି ? ଭୁଲ୍‌, ଭୁଲ୍‌ ।’’

 

‘‘ତା ନୁହେ ସାର୍‌, ବେଳ ମିଳେ ନାହିଁ ।’’

 

‘‘ମନ ଥିଲେ ବେଳ କରିହେବ । ଯେତେବେଳେ ଇଚ୍ଛା ଆସନ୍ତୁ । ଏଠିକି ଆସନ୍ତୁ କି ବସାଠିଁକି ଆସନ୍ତୁ । ଏଥର କଣ ଏମିତି ଗୋଟାଏ ହୋଇଗଲା ସିନା, ମୁଁ ନିର୍ଭର ଦେଉଛି ଆଉ ହେବ ନାହିଁ । ସେତେବେଳେ ମତେ ମନେ ପକେଇବେ ।’’

 

‘‘ଆପତ୍ତି ଜଣାଇଁ ଗୋଟାଏ ଆବେଦନ ପତ୍ର ଦେବି ସାର୍‌, ଆପଣଙ୍କ ସୁପାରିସ୍‌ ଦରକାର ।’’

 

‘‘ଆପତ୍ତି ନୁହେଁ, ପ୍ରାର୍ଥନା । ଆମେ ଯେତେବେଳେ ସରକାରୀ ଚାକିରିଆ, ଆମ ଆବେଦନରେ ପ୍ରାର୍ଥନା ବୋଲି ରହିବ । ଦିଅନ୍ତୁ । ଭଲ କରି ଲେଖନ୍ତୁ । ମତେ ଦେଖାଇବେ । ଖୁବ୍‌ ବଡ଼ ହେବ ନାହିଁ, ଅଳ୍ପ ଲେଖିବେ ତହିଁରେ ସବୁକଥା ରହିବ ।’’

 

‘‘ଆପଣଙ୍କ ସୁପାରିସ ?’’

 

‘‘ସେ ଆପଣ ବ୍ୟସ୍ତ ହନ୍ତୁ ନାହିଁ । ଯାହା କରିବା କଥା ମୁଁ କରିବି । ଏ ସବୁଥିରେ ସୁପାରିସ୍‌ ପ୍ରକାଶ୍ୟରେ ତ କିଛି ଲେଖା ହୁଏ ନାହିଁ, ଗୋଟାଏ ଗତ ପ୍ରକାରେ ଲେଖି ଦେଇ ପଠାଇ ଦିଆଯାଏ, କିନ୍ତୁ ଖାଲି ସେତିକି ନୁହେଁ ତ,–’’ ସେ କହୁ କହୁ ଅଟକି ଗଲେ ପୁଣି କହିଲେ, ‘‘ଛାଡ଼ନ୍ତୁ, ଆଉ ମୋର ମୁଁ ଯାହା ଲେଖିବାର ଲେଖିବି, ଅସଲ କଥା, କଲେକ୍ଟରଙ୍କୁ କହିବି ।’’

 

‘‘ଆପଣ କହିଲେ କିଛି ହେବ ନିଶ୍ଚୟ–’’

 

ରାଘବ ଚୌଧୁରୀ କହିଲେ, ‘‘ଆପଣଙ୍କ ଭାଗ୍ୟ । ଏଥରଟା ତ ଗଲା, ଯାହା ହୋଇଗଲା ହୋଇଗଲା, ଆଉ ଲେଉଟିବ ନାହିଁ, ଅନ୍ତତଃ ଆର ଥରକୁ କାମରେ ଲାଗିବ ।’’

 

‘‘ଏଥର ହେବ ନାହିଁ ସାର୍‌ ? ଅନ୍ୟାୟ ହେଲା, ତଥାପି ବଦଳିବ ନାହିଁ ?’’

 

‘‘ଯେଉଁମାନଙ୍କ ନାଁ ଗେଜେଟ୍‌ରେ ବାହାରିଗଲା ତହିଁରୁ କାହାରି ନାଁ କଣ ଆଉ କଟା ହେବ ? ତା ହୁଏ ନାହିଁ । ହଠାତ୍‌ ଆଉ କଣ ଜାଗା ଖାଲିଥିବ ଯେ ବଳକା ଆଉ ଜଣକୁ ନିଆ ହେବ-? ସେମିତି ହୁଏ ନାହିଁ, ପୁଣି ଚାକିରି ଖାଲି ହେଲେ–’’

 

‘‘ସେ ଆଉ କେତେ ବର୍ଷ ଲାଗିବ କେଜାଣି ?’’

 

‘‘ବର୍ଷ କଣ ? ଭଗବାନ କଲେ ଆର ବର୍ଷକୁ,–କିନ୍ତୁ ଦେଖନ୍ତୁ, ଯାହା ମୁଁ କହିଲି, ମୁଁ ତ ଚେଷ୍ଟା କରିବି ହିଁ, ସେ କାମରେ ଆପଣ ମତେ ସାହାଯ୍ୟ କଲେ ହେଲା ।’’

 

‘‘ସାହାଯ୍ୟ କରିବି ? ମୁଁ ?’’

 

‘‘ନିଶ୍ଚୟ, ନିଜେ ହାତ ନ ଲଗେଇଲେ ପାଟିକି ଗୁଣ୍ଡା ଯାଏ ? ଆପଣଙ୍କୁ ବହୁତ ବୁଝେଇଲିଣି, ସବୁ କହି ସାରିଛି, ଏଣିକି ଆପଣଙ୍କ ଇଚ୍ଛା । ମୋଠିଁ ମୁହଁ ଉପରୋଧ ନାହିଁ, ଭଣ୍ଡା ଭଣ୍ଡି ନାହିଁ, ରୋକ୍‌ ଠୋକ୍‌ । ଚାକିରି ଗୋଟାଏ ଭାରି ପୁରୁଣା ବୃତ୍ତି । ତାକୁ ତା ବାଗରେ ସେବା କଲେ ସେ ବର ଦିଏ । ଅନ୍ୟ ବାଗରେ କଲେ ସେ ଶୁଣେ ନାହିଁ । ଆପଣଙ୍କ କ୍ଷେତ୍ରରେ,–ଭାଗ୍ୟ ନିଶ୍ଚୟ, ଅବିଚାର ? ତା’ବି ହେଲେ ହୋଇଥିବ । କିନ୍ତୁ ଏ ତ ପ୍ରଥମଥର ହେଲା ନାହିଁ, ଆଗରୁ ବି ହୋଇଛି । ସବୁ ତ୍ରୁଟି ଖାଲି ଅନ୍ୟମାନଙ୍କଠିଁ ଦେଖୁଥିବେ, ନିଜଠିଁ କିଛି ଖୋଜିବେ ନାହିଁ ? ସେଇଟା ଖୋଜନ୍ତୁ । ସଚ୍ଚୋଟ, କାର୍ଯ୍ୟଦକ୍ଷ, ଇତ୍ୟାଦି ଇତ୍ୟାଦି ସବୁ ମାନିଲି । ତେବେ କାହିଁକି ? ଏସବୁ ଥାଇ ସୁଦ୍ଧା ଚାକିରି ବାଗ ଧରିବାରେ କେଉଁଠି ଭୁଲ୍‌ ହୋଇଥିବ । ସେଇଟା ହିଁ ସମ୍ଭବ । ଏଇ ମନସ୍ତାପ ଆପଣଙ୍କ ମନରେ ଦୃଢ଼ପ୍ରତିଜ୍ଞା ଆଣୁ, ଯେ ମୁଁ ଚାକିରି ପ୍ରତିଯୋଗିତାରେ ଜିତିବି । ଭାବନ୍ତୁ, ଆପଣ ସୁସ୍ଥିରେ ଶୋଇଥିଲେ, ଭଗବାନ ଦେଲେ ୟେ ଗୋଟାଏ ମାମାନ୍ୟ ଠୋକ୍‌କର, ଏ ଗୋଟାଏ ଘଡ଼ିସନ୍ଧି ବେଳ, ଆପଣ ବଦଳିବେ । ଜଟିଳ ଜୀବନକ୍ଷେତ୍ର ୟେ, ଚାରିଆଡ଼େ କଠୋର ନିଷ୍ଠୁର ବାସ୍ତବତା, ଏଠି ଛାତ୍ରସୁଲଭ ସରଳତା ଓ ଆଦର୍ଶବାଦ ଖାପେ ନାହିଁ, ସେଇଟା ସତେ ଅବା କଳ୍ପନା–ବିଳାସ, ଏଠି ଅନ୍ୟାୟ, ଅବିଚାର, ଅସମତା, ଅସତ୍‌, ହିଂସା, କ୍ରୂରତା, ଶୋଷଣ, ଯନ୍ତ୍ରଣା ଏଇସବୁ ସତ୍ୟ, ସେଇ ପଚାସଢ଼ା ଖତମାଟିରୁ ଫସଲ ଉପୁଜେ, ବଢ଼େ, ନାଳ ରକ୍ତ ମାଂସ ଭିତରୁ ଜୀଅନ୍ତା ଶିଶୁ ଜନ୍ମ ହୁଅନ୍ତି, ଏସବୁ ବି ବୁଝିବା ଦରକାର ତ ? ନ ହେଲେ କୁଟୁମ୍ୱ କେମିତି ପୋଷିବେ-? ସଂସାରରେ ଠିଆ ହେବେ କେମିତି ?

 

ଆଜି କହୁଛି ବିନୋଦ ବାବୁ, ଆପଣଙ୍କୁ କହୁଛି, କାରଣ ଆପଣଙ୍କ ମନର ଦୁଃଖ ମୋ ହୃଦୟ ଭିତରେ ବାଜିଛି, ଖୁବ୍‌ ଦୁଃଖରେ ମୁଁ ଭାବପ୍ରବଣ ହୋଇ ପଡ଼ୁଛି । ଶୁଣନ୍ତୁ, ମୁଁ ଅବିକଳ ଆପଣଙ୍କପରି ହୋଇଥିଲି ଦିନେ । ଆହୁରି ତୀଖ, ଆହୁରି ବେପରୁଆ, ମୁଁ ବି ଥିଲି ଆଦର୍ଶବାଦୀ । ଭାବୁଥିଲି ଯାହା ହେବ ହେଉ, ଭାଙ୍ଗିବି ପଛେ ନଇଁବି ନାହିଁ । ମୋର ସେକାଳ କଥା ମନେ ପଡ଼ିଲେ ମନରେ ଗର୍ବ ବି ହୁଏ, ହସ ବି ମାଡ଼େ ।’’

 

ସେ ଅଟକି ଯାଇ ଅନ୍ୟମନସ୍କ ହେଲାପରି ଗୋଟାଏ ଆଡ଼େ ଅନାଇଁ ରହିଲେ । ବିନୋଦ ତାଙ୍କ ମୁହଁକୁ, ଆଖିକୁ ଦେଖୁଥାଏ, କାବା ହେଉଥାଏ, ଲାଗୁଥାଏ ସେ ଦେଖୁଛି ରୁକ୍ଷ ପଥର ସନ୍ଧିରୁ ପାଣି ଝରୁଛି, ସେ କେଉଁ ସ୍ମୃତି ଦେଖୁଛନ୍ତି ।

 

କହିଗଲେ, ‘‘ସେତେବେଳେ ଚାକିରି କରିବା ବେଳ ଛଡ଼ା ଅନ୍ୟ ସମୟରେ ମୁଁ ନାଟକ ବି ଲେଖୁଥିଲି, ଯୋଡ଼ିଏ ଲେଖିଥିଲି, ଗୋଟିଏ ମଞ୍ଚରେ ଅଭିନୟ କରାଇଥିଲି, କଲେଜ୍‌ ଦିନୁଁ ଅଭିନେତା ବୋଲି ମୋର ନାଁ ଥିଲା ।

 

ହଁ, ମୁଁ ଚାକିରି କରିଥିଲି, କିନ୍ତୁ ଥିଲି ସ୍ୱଦେଶ ପ୍ରେମୀ, ସ୍ୱାଧୀନମନା, ଆଦର୍ଶବାଦୀ, ନୀତିବାଦୀ, ନିର୍ଭୀକ । ଭଲକାମ କରେଁ ବୋଲି ଖୁବ୍‌ ଖ୍ୟାତି ପାଇଲି, ଲୋକେ ଜୟ ଜୟକାର କଲେ, କିନ୍ତୁ ପଦୋନ୍ନତି ମୋର ହେଲା ନାହିଁ । ମୋ ସଙ୍ଗଲୋକ ମୋର ହାକିମ ବି ହେଲେ । ହୁଅନ୍ତୁ ଯେ ଯାହା, ମୁଁ ଆହୁରି ବେଖାତିର୍‌ ହେଲି । ଆଉ ଥରେ ଅନ୍ୟମାନଙ୍କୁ ମୋ ଉପରେ ଡିଆଇଁ ଦେଲେ । ଖୁବ୍‌ ମର୍ମାହତ ହେଲି ।

 

ସେତିକିବେଳେ–’’ ସେ ନମସ୍କାର କଲେ ।

 

‘‘ସେ ସ୍ୱର୍ଗକୁ ଗଲେଣି, ତାଙ୍କ ସ୍ମୃତିକୁ ବାରମ୍ୱାର ଦଣ୍ଡବତ କରେଁ, ସେ ମୋ ଏସ୍‌.ଡ଼ି.ଓ. ଥିଲେ, ରାୟ ସାହେବ, ଦାଶରଥୀ ଶତପଥୀଏ । ଖୁବ୍‌ ନାଁ ଡାକ୍‌ ଅଫିସର ସେ କାଳର । କାମ କରି କରି ବାଳ ପାଚିଥିଲା । ମୁଁ ତାଙ୍କୁ ବି ଏକପ୍ରକାର ବେଖାତିରି କରି ଚଳୁଥିଲି, ଭାବୁଥିଲି ମୁଁ ମୋର ସିଧା ବାଟରେ ଥିଲେ ୟେ ଆଉ କି ଅନିଷ୍ଟ କରି ପାରିବେ, ଯଦିଚ ସେ କାଳର ଏସ୍‌.ଡ଼ି.ଓ. କଣ ତା’ ମୁଁ ଜାଣିଥିଲି, ଯାହା ଚାହିଁବେ ତା କରେଇ ପାରିବେ, କଳାକୁ ଧଳା, ଧଳାକୁ କଳା, କେଜାଣି କାହିଁକି, ତାଙ୍କର ମୋ ଉପରେ ଦୟାହେଲା । କବାଟ କିଳିଲେ । କହିଲେ, ‘ହୋ’ ବାବୁ, ଶୁଣ । ଚାକିରି କରି ଆସିଚଟି ? ନା ଆଉ କୋଉଥି ପାଇଁ ? ତେମେ କୁଆଡ଼େ ଏକମୁହାଁ ହୋଇ ଧାଇଁଚ-? ମୁଁ ତୁମ ବାପ ବୟସର । ବୁଢ଼ା ବ୍ରାହ୍ମଣ । କେତେ ପାଠ ପଢ଼ିଚ ? ମନୁ, ଚାଣକ୍ୟ, ୟାଙ୍କ ନାଁ ସବୁ ଶୁଣିଥିବ ତ ? ବ୍ରାହ୍ମଣର ଧର୍ମଠୁଁ ରାଜଧର୍ମ ଜିନିଷଟା ଭିନେ ଜାଣିଚ ? ଶାସନ ପାଇଁ ରାଜଧର୍ମ ଦରକାର, ଚାଣକ୍ୟ ନୀତି ଦରକାର, ଜାଣିଥିବ । ସଂସ୍କୃତ ଯେବେ ଜାଣିଥିବ କୌଟିଲ୍ୟ ଅର୍ଥାତ୍‌ ଚାଣକ୍ୟଙ୍କ ଅର୍ଥଶାସ୍ତ୍ର ପଢ଼ । ବାବୁ, କେଉଁଠି କେଉଁ ପାଠ ଲାଗିବ, କି କାଇଦା କାଟୁ କରିବ ସେଇଟା ଶାଠ । ୟେ ସଂସାର ବୋଲି ଯେଉଁ ଯୁଦ୍ଧକ୍ଷେତ୍ର ସେଠି ପୋଥି ବାଇଗଣ ଖୋଜି ଖୋଜି ଅନ୍ୟମାନଙ୍କ ପାଖେ ହାରି ଯାଇ ତେମେ ସବୁ ନାଙ୍ଗୁଡ଼ ଯାକି ପଳେଇଲେ କଣ ଯଶ ପାଇବ ଭାବିଚ ? ନା, କଣ୍ଟାକୁ କଣ୍ଟାରେ ଶଠକୁ ଶାଠ୍ୟରେ ଜିତିବ ? ଜିତ । ମନେରଖ, ଆଗ ନିଜଧର୍ମ, ମାନେ ଶାସକର ଧର୍ମ, ସେଇଆ କଲେ ଅର୍ଥ ଓ କାମ ଉଭୟେ ହାସଲ, ସଂସାରି କାମନା ସାର୍ଥକ ହେବ । ସେଉଠୁ ସମସ୍ତିଙ୍କୁ ଜିତି, ଖାଇପିଇ ସୁଖରେ ରହି ସବୁ ଆଶା ମେଣ୍ଟାଇ ସମୟ ହେଲେ ଯେତେବେଳେ ଦେହ ଛାଡ଼ିବ ସେତେବେଳେ ସବୁ କାମନା ସରିଥିବ, ଆପେ ମୋକ୍ଷ ହେବ-।’ ବୁଢ଼ା ପାନଖିଆ ପାଟିରେ ହୋ ହୋ ହସିଲେ । ମୋର କଣ ହେଲା କେଜାଣି ମୁଁ ବଦଳିବାକୁ ଆରମ୍ଭ କଲି, ଆଉ ଦି ବର୍ଷରେ ମୋର ପ୍ରମୋଶନ ହେଲା, କେତେ ଲୋକଙ୍କୁ ଟପି ଆଗ ଏସ୍‌.ଡ଼ି.ଓ. ହେଲି ।’’

 

ବିନୋଦ ତୁନିହୋଇ ବସିଥାଏ । ରାଘବ ଚୌଧୁରୀ ତା ପିଠି ଚାପୁଡ଼େଇଲେ । କହିଲେ, ‘‘ଆଦୌ ମନରେ ଦୁଃଖ କରନ୍ତୁ ନାହିଁ, ସବୁ ଠିକ୍‌ ହୋଇଯିବ । ଓଃ ! କଥା ଗପୁଗପୁ ସଞ୍ଜ ବୁଡ଼ିଗଲା, ଏଁ ! ଏଥର ଘରକୁ ଯିବା ।’’

 

ଧୀରେ ଧୀରେ ଚାଲିଚାଲି ବିନୋଦ ବସାକୁ ଫେରୁଥାଏ । ଜଗୁକୁ ଆଗରୁ ପଠାଇ ଦେଇଛି । ଉଚ୍ଚ ସଡ଼କକୁ ସିଧା ନଉଠି ସେ ତଳେ ତଳେ ନା’ଟ୍‌ ବାଟେ ପଡ଼ିଆ ଦେଇ ସାଇକଲଟି ଧରି ଧୀରେ ଧୀରେ ଚାଲିଛି । ମୁହଁ ଅନ୍ଧାର ପଡ଼ିଲାଣି, ତାର ବାଁ କରେ ଖଣ୍ଡେ ଦୂରରେ ଧଳା କୁହୁଡ଼ିର ଗୋଟାଏ ମଠୁଆଧାର ଭୂଇଁଠୁ ପୁରୁଷେ ଉଞ୍ଚରେ ଶୂନ୍ୟେ ଶୂନ୍ୟେ ହୁଗୁଳା ହୋଇ ଲମ୍ୱିଯାଇଛି ତା ଆଗକୁ ଆଗକୁ, ଡାହାଣ କରେ ଖଣ୍ଡେ ଦୂରରେ ମଥାନ ଉଞ୍ଚରେ ଠାଏ ଠାଏ ଗଛ, ଠାଏ ଠାଏ ମିଟି ମିଟି ଆଲୁଅ, ସେଇଟା ସଡ଼କ, ସାମ୍ନାରେ ଅନ୍ଧାର ଭିତରେ ସରୁ ପାଦଚଲା ବାଟର ପାଉଁଶିଆ ବଙ୍କା ଢଙ୍କା ଗାର । କାର୍ତ୍ତିକ, ଦିଆଲି ସରିଛି, ହାଲୁକା ଶୀତୁଳି ପଡ଼ିଛି ।

 

ନିଜେ ବାଛି ସେହି ଅନ୍ଧାରି ନିଛାଟିଆ ବାଟରେ ଧୀରେ ଧୀରେ ଚାଲୁ ଚାଲୁ ସେ ପୁଣି ଭାବୁଥିଲା, ଚାକିରିରେ ତାର ପଦୋନ୍ନତି ନ ହୋଇ ତା ସାଙ୍ଗରେ ଓ ତା’ ତଳର ଲୋକଙ୍କ ଯେ ପଦୋନ୍ନତି ହେଲା, ସେହି ଅପମାନ, କ୍ଷତି ଓ ମନସ୍ତାପ କଥା, ଭାବୁଥିଲା,–କେଡ଼େ ଅନ୍ୟାୟ, ଅବିଚାର, ନିଷ୍ଠୁରତା, ଅବହେଳା ।

 

ଗଭୀର ଦୁଃଖ ଭିତରୁ ନୀରବରେ ସେ ମନେ ମନେ କହିଲା, ଭଗବାନ, ତୁମେ ତ ମନକଥା ଶୁଣିପାର, ବିନା ଦୋଷରେ କାହିଁକି ଏଡ଼େ ଦଣ୍ଡ ମତେ ? କାହିଁ ତୁମର ସୁବିଚାର ?

 

ଆଉ ସେ ମନେ ପକାଇଲା, ବାରମ୍ୱାର ଅନ୍ୟାୟ ଅତ୍ୟାଚାର ଅକାରଣ ଅଘଟନରେ ଦୁଃଖ ପାଇ ପାଇ ତଥାପି ମଣିଷ ଭଗବାନଙ୍କୁ ଡାକୁଥାଏ, ମଲାଯାକେ ଡାକୁଥାଏ, ଭାଗବାନ ଶୁଣିବେ କାଳେ, କାଳେ ୟାପରେ କିଛି ଭଲ ହେବ । ଏପରି ବି କିଛି ହେଉଥାଏ ମଝିରେ ମଝିରେ, ଯହିଁରେ ମଣିଷର କିଛି ଆଶା ମେଣ୍ଟୁଥାଏ, ତାକୁ କିଛି ସୁଖ ମିଳୁଥାଏ, କିନ୍ତୁ ମଣିଷ ଜାତି ସୃଷ୍ଟି ହେଲା ଦିନୁଁ କେବେ ଏପରି ଘଟିଛି ଯେ ସଂସାରରେ ଚଳିଛି ନ୍ୟାୟ, ନିଜ କାର୍ଯ୍ୟ ଅନୁସାରେ ଫଳ, ଭଲ ଅବା ମନ୍ଦ ? ଜଣା ନାହିଁ । ‘‘ହଉଥା ଭଗବାନ୍‌ ଭଗବାନ୍‌’’, ସେ ଭାବିଲା, ‘‘ଲୁହ ଗଡ଼େଇ ଗଡ଼େଇ ଡାକୁଥା, ସ୍ତୁତି କର କି ଗାଳିଦିଅ, କଣ କେତେବେଳେ ଘଟିଯିବ ଜଣାନାହିଁ, ଖାଲି ଗୋଟାଏ ଆଶା, ମନକୁ ବୁଝେଇବା ପାଇଁ ଆଶ୍ୱାସ, କଣ ନା ଭଗବାନ ବୁଝିବେ, ତୁ ନାଥ ପରମ ଦୟାଳୁ, ଦୁଷ୍ଟ ନିବାରି ସନ୍ଥ ପାଳୁ । ବାଜେ କଥା । ସଂସାରରେ କେତେ ବ୍ୟକ୍ତି ବାହାରିଲେଣି ଯେ ଆଦୌ ଭଗବାନ ଅଛନ୍ତି ବୋଲି ବିଶ୍ୱାସ ହିଁ କରନ୍ତି ନାହିଁ ।’’

 

ନିଜ ଯୁକ୍ତିରେ ସେ ନିଜେ ଚମକି ପଡ଼ିଲା । ଯେଉଁ ପାରମ୍ପରିକ ସଂସ୍କାର ତା’ ଜନ୍ମରୁ ତା’ ମନର ମୂଳଦୁଆରେ ମିଶି ରହିଛି ତା’ ପ୍ରତିବାଦ କରି ଥରି ଉଠିଲା, ତା ମନର ତଳୁ ଉଠିଲା, ତା ମନର ତଳୁ ଉପରଯାକେ ସେ କମ୍ପ ଚହଲିଗଲା, ଭୟ ଉପୁଜେଇଲା । ସଙ୍ଗେ ସଙ୍ଗେ ସେ ନିଜ କଥାକୁ ନିଜେ କାଟିଲା, ‘‘ଆରେ ବାବ୍‌ବା ! ମଣିଷ କି ବୁଝିବ ଭଗବାନଙ୍କ କଥା ! ସେ ବିଷୟରେ ଯୁକ୍ତି କଣ ? ମଣିଷର ମଙ୍ଗଳ ହେଲା କି ନ ହେଲା ତାର କଣ ଏକମାତ୍ର ପରିଚୟ ଚାକିରିରେ ତାର ପଦୋନ୍ନତି ? ଭଗବାନ ସବୁ ଜାଣନ୍ତି, ସବୁ ଦେଖନ୍ତି, ତାଙ୍କ ନ୍ୟାୟ ବିଚାର ହିଁ ଶ୍ରେଷ୍ଠତମ, ତାକୁ ପ୍ରତିବାଦ କରିବ କିଏ ?’’

 

ତାକୁ ଲାଗୁଥାଏ, ତା ମନଭିତରେ ଥାଇ ଆଉ କିଏ କଥା କହୁଛି । ଭାବିଲା, ମହାତ୍ମାଗାନ୍ଧୀ ଯେ କହୁଥିଲେ ସେ ତାଙ୍କ ନିଜ ଭିତରେ ଆଉ କେଉଁ ସ୍ୱର ଶୁଣନ୍ତି, ଅନ୍ତରାତ୍ମା କି ପରମାତ୍ମାଙ୍କ ସ୍ୱର, ସେ କଣ ଏହିପରି ? ତାଙ୍କ ସ୍ମୃତି ମନେ ପଡ଼ୁ ପଡ଼ୁ ଆଗ ତା’ ମନରେ ହାହାକାର ଆସିଥିଲା–ମନେ ପଡ଼ିଥିଲା ସେହି ନିର୍ମମ ହତ୍ୟାର ସ୍ମୃତି, ଯାହା ଯୋଗୁ ଖାଲି ସାରା ଭାରତବର୍ଷରେ ନୁହେଁ, ପୃଥିବୀଯାକର ନାନା ସ୍ଥାନର ଲକ୍ଷ ଲକ୍ଷ କୋଟି କୋଟି ଲୋକ କାନ୍ଦିଥିଲେ, ଶୋକ ପାଳିଥିଲେ । ତା ପରେ ସେହି ପବିତ୍ର ସ୍ମୃତି ତାକୁ ଦେଲା ଧୈର୍ଯ୍ୟ, ଭାବିଲା, ପଚାରିଥିଲେ ସେ କଣ କହିଥାନ୍ତେ ? ତାଙ୍କ ଉତ୍ତର ତ ଅନୁମାନ କରି ହେଉଛି, ସେହି ଯାହା ସେ ସବୁବେଳେ କହନ୍ତି, ‘‘ଯାହାକୁ ଅନ୍ୟାୟ ବୋଲି ଭାବୁଛ, ତାକୁ ଆଦୌ ସହ ନାହିଁ, ସହିଲେ ହିଁ ତୁମେ ନିଜେ ସେ ଅନ୍ୟାୟରେ ଭାଗୁଆଳି । ଡରିଲେ ତୁମେ ପଶୁଠୁଁ ଅଧମ । ଡର ନାହିଁ, ଅନ୍ୟାୟ ବିରୁଦ୍ଧରେ ଠିଆହୁଅ । ନିଜ ବିବେକର ଯେଉଁ କାମକୁ ଅନୁମୋଦନ ନାହିଁ, ତାକୁ କର ନାହିଁ । କର୍ତ୍ତବ୍ୟ କର, ସ୍ୱାର୍ଥ ଲୋଭ ଛାଡ଼ ।’’

 

ନ ହେଉ ପ୍ରମୋଶନ, ଡିଅନ୍ତୁ ତାକୁ ଆହୁରି ଆହୁରି ତଳଲୋକେ, ହଉନ୍ତୁ ଧନୀ, କ୍ଷମତାଶାଳୀ, ହଉନ୍ତୁ ସେମାନେ ଉପରିକମାନଙ୍କର କି ମନ୍ତ୍ରୀମାନଙ୍କର ପ୍ରିୟ, ସେ ତେଣିକି ଅନେଇବ ନାହିଁ, ସେ ଆଶା କି ଲାଳଚା ରଖିବ ନାହିଁ, ଚାକିରି ସେ କରିଚି ଯୋଡ଼ିଏ କାରଣରୁ,–କୁଟୁମ୍ୱ ପୋଷିବାକୁ ତାର ଏ ବେତନ ଦରକାର, ଆଉ, ଏ କାମ କରିବା ଦ୍ୱାରା ସେ କେତେ ଲୋକଙ୍କର କିଛି ଉପକାର କରିବାକୁ ସୁବିଧା ସୁଯୋଗ ପାଇପାରୁଛି ।

 

ଏତିକିରେ ତା’ ଅଭାବ ପୂରିବ ନାହିଁ, ନିଅଣ୍ଟ ଚାଲିଥିବ । ଚାଲୁ । ହଜାର ହଜାର ଲକ୍ଷ ଲକ୍ଷ ଲୋକ ଅଛନ୍ତି ଯେଉଁମାନଙ୍କ ଆୟ ତା’ ଆୟଠୁଁ କେତେ ନାହିଁ କେତେ ତଳେ, କାହାର ସବୁଦିନେ ଦି’ଓଳି ବି ଚୁଲି ଜଳେ ନାହିଁ । ସେମାନେ ଓ ତାଙ୍କ ପିଲାକୁଟୁମ୍ୱ ଆହୁରି କଷ୍ଟରେ ଚଳନ୍ତି । ସେ ନିଜେ ସେପରି ବି ହୋଇଥାନ୍ତା, ତାଙ୍କ କଣ୍ଟରେ ତ ସେ ଧନୀ ହିଁ ! ଯେଉଁମାନେ ତାଠୁଁ ଧନୀ ତାଙ୍କ ସଙ୍ଗେ ସେ ନିଜକୁ ତୁଳନା କଲେ ତା ମନରେ କଷ୍ଟ ହେବ, ତା ନ କରିବା ହିଁ ଉଚିତ । ସଂସାରରେ ତହୁଁ ବଳି ତହୁଁ ବଳି ଅଛନ୍ତି ।

 

ସେ ଭାବୁଥାଏ । ଅଟକିଯାଇ ଭାବିଲା । କିଏ ଏକଥା କହିଲା ? ଲାଗିଲା, ତା’ ମତ ଭିତରେ ଥାଇ ଆଉ କିଏ । କି ବାହାରୁ କେହି । ସେ ଆଗ ହାତ ଯୋଡ଼ି ଅନ୍ଧାର ଆଡ଼କୁ ଅନାଇଁ ଦଣ୍ଡବତ କଲା । ହସିଦେଲା । ତାର ଦୁଃଖ ହାଲୁକା ହୋଇଗଲା ।

Unknown

 

ସେଉଠୁ ସେ ନିଜ ଦୁର୍ବଳତା ଲାଗି ଲଜ୍ଜିତ ହେଲା । ଭାବିଲା ହଠାତ୍‌ ଖବରଟା ପଢ଼ି, ଦୁଃଖିତ ହେବା କଥା ସେ ଦୁଖିତ ହେଲା, କିନ୍ତୁ ଏତେ ବେଶି ଅଧୀର ହୋଇ ପଡ଼ିଲା ଯେ ଯାଇ ରାଘବ ଚୌଧୁରୀଙ୍କ ପାଖେ ନିଜ ଦୁର୍ବଳତା ଦେଖାଇ ଆସିଲା, ସେହି ରାଘବ ଚୌଧୁରୀ, ଯେ ଦୁର୍ନୀତି ଓ କପଟାଚାରରେ ଜୁଡ଼ୁବୁଡ଼ୁ ବୋଲି ଜାଣି ନିଜେ ସେ ତାଙ୍କୁ କେଡ଼େ ଘୃଣା କରୁଥିଲା, ସତର୍କ ହୋଇ ଏଡ଼ି ଏଡ଼ି ଚାଲୁଥିଲା । ତା ହେଲେ ନିଜେ ସେ କେତେ ତଳକୁ ଖସି ପଡ଼ିଲା । ଆଉ ତା’ପାଇଁ କି କିମ୍ଭୀର କାନ୍ଦଣା ସେ ନ କାନ୍ଦିଲେଟି । ଆଉ ତା ଉହାଡ଼ରେ ତାଙ୍କ ଉପଦେଶ୍ୟ । ତାଙ୍କର ସେ ସ୍ନେହବୋଳା କଥାଗୁଡ଼ାକ ତ ପ୍ରକୃତରେ ବିଷଲଡ଼ୁ ହିଁ । ସେ ଭାବିଲେ ଯେ ପ୍ରମୋଶନ ନ ପାଇବାରୁ ସତକୁ ସତ ତା’ର ଅଣ୍ଟା ଭାଙ୍ଗିପଡ଼ିଲା, ଏଣିକି ସେ ତାଙ୍କ ପାଖେ ଶରଣ ପଶିବ । ନିଜ ବିବେକର ତଣ୍ଟି ଚିପିଦେଇ ତାଙ୍କରି କାଠିରେ ନାଚିବ, ତାଙ୍କରି ପରାମର୍ଶରେ ମକଦ୍ଦମା ରାୟ ଲେଖୁଥିବ, ସରକାରୀ କାମରେ ଯେକୌଣସି ନିଷ୍ପତ୍ତି ନେଉଥିବ, ସେ ପଣସ ଖାଇଲେ ୟେ ନିଜ ମୁଣ୍ଡ ଦେଖାଇ ଦେଉଥିବ ସେ ଅଠାବୋଳନ୍ତୁ ବୋଲି, ମିଛ କହି ଫନ୍ଦି ଫିକର କରି ଅଠା ଛଡ଼େଇ ହେବାରେ ବିଚକ୍ଷଣତା ଦେଖାଉଥିବ, ତାଙ୍କ ବିଚାରରେ ସେ ଏତେକାଳ ଅରଣା ହିଁ ଥିଲା, ପ୍ରମୋଶନ–ଲୋଭୀପଲଙ୍କ ଗତ ବାହାରେ ଜଣେ ମଣିଷ, ତାର ସଳଖ, ଟାଣ ବେକ, ଦମ୍ଭ ଚାଲି, ତାର ବୁଦ୍ଧି ବିବେକ, ସେମାନଙ୍କ ଆଖିରେ ଖେଣ୍ଟା ସେ, କିଛି ନ କହି ସୁଦ୍ଧା ତାଙ୍କର ମନେ ପକାଇ ଦିଏ ସେମାନେ ଖସି ପଡ଼ିଛନ୍ତି । କାଳେ ଚୌଧୁରୀଏ ତା’ପାଇଁ କଲେକ୍ଟରଙ୍କ ଆଗରେ ଦି’ପଦ ସୁପାରିସ କରି କହିଦେବେ ବୋଲି ସେ ଯଦି ତାଙ୍କ କଥାରେ ପଡ଼ି ତାଙ୍କ କଥାରେ ଗୋଡ଼ାଏ, ତେବେ ତ ସରିଲା । ଇସ୍‌ ! କେଡ଼େ ବିଭତ୍ସ ଇଙ୍ଗିତ ସେ ଦେଲେ । ସେ ମିଛ, ଶଠତା, ଛଳନା, ଖୁସାମତ୍‌ ଶିଖୁ, ତାଙ୍କୁ ପଚାରି ପଚାରି ସବୁକାମ କରୁ, ପଇସା ଖାଉ, ନ୍ୟାୟ ଅନ୍ୟାୟ ବୋଲି ବାଛ ବିଚାର ନ ରଖୁ, ସେ ହେଉ ରାଘବ ଚୌଧୁରୀଙ୍କ ଯୋଗ୍ୟ ଚେଲା, ଏଇଆ ତ !

 

ନା, କଦାପି ସେ ତା ହେବ ନାହିଁ । ସେ ଧରିଛି ଗୋଟାଏ ମଶାଲ, ନିଜେ ଯେତେ ଅତ୍ୟାଚାର, ଯେତେ ଉତ୍ପୀଡ଼ନ ପାଉ ସେ ମଶାଲ ସେ ତଳକୁ ବି ନୁଆଁଇବ ନାହିଁ, ନିଭାଇବା ତ କାହିଁ ଦୂର କଥା । ଯେତେ ଯେତେ ଲୋକଙ୍କୁ ତା ପଛରୁ ଆଗକୁ ଓଟାରି ପଦୋନ୍ନତି ଦିଆଯାଉ, ସେ ତିଳେ ବି ବିଚଳିତ ହେବ ନାହିଁ, ତାର ଉତ୍ସାହ, ତାର ଦକ୍ଷତା, ତା ପରିଶ୍ରମ ଆଦୌ ଧିମେଇବ ନାହିଁ, ବରଂ ବଢ଼େଇବ ।

 

କହନ୍ତି ନାହିଁ ? ‘‘କେତେ ଫଳ ତ ଖାଇଛି, ଗୋଟାଏ ଫଳ ନ ଖାଇଲି ତ କଣ ହେଲା-?’’

 

ବେଶିଲୋକ ନ ମିଳିଲେ କେହି ଜଣେ ହେଲେ ଥାଉ, ଯେ ନିଜେ ସତ୍‌ ଓ ଉନ୍ନତ ରହିଲା ବୋଲି ଅନ୍ୟମାନଙ୍କର କ୍ରୋଧ, ଶତ୍ରୁତା, ହିଂସ୍ର ଅମାନୁଷିକତାର ଶରବିନ୍ଧା ପାଇଁ ଲାଖ ହେଉଥିବ, ତାଙ୍କଦ୍ୱାରା ବାରମ୍ୱାର ଅତ୍ୟାଚାର ଉତ୍ପୀଡ଼ନ ଭୋଗୁଥିବ, ତାହେଲେ ସେମାନେ ଯେତେ ବଢ଼ିଲେ ସୁଦ୍ଧା ଭୁଲିପାରିବେ ନାହିଁ ଯେ ସେମାନେ କୁତ୍ସିତ, ଅନ୍ୟମାନେ ସେମାନଙ୍କୁ ଯେତେ ଡ଼ରିଲେ ବି ଭୁଲି ପାରିବେ ନାହିଁ ଯେ ସେମାନେ ଅମନୁଷ୍ୟ, କେହି ଭୁଲିଯିବେ ନାହିଁ ଯେ ଯେଡ଼େ ବିସ୍ତୃତ, ଯେଡ଼େ ବହଳ ଲାଗୁଥାଉ ଅନ୍ଧାର, ସେ ସମସ୍ତିଙ୍କୁ କାବୁକରି ପାରିନାହିଁ, ସମସ୍ତିଙ୍କଠୁଁ ସ୍ୱୀକୃତି ପାଇନାହିଁ, ତାର ବି ଶେଷ ଅଛି ।

 

ସେ ଘରେ ପହଞ୍ଚୁ ପହଞ୍ଚୁ ତାର ଛୁଆତିନୋଟି ଦୌଡ଼ି ଆସିଲେ, ସାନଟି, ତିନିବର୍ଷର ହେଲାଣି ତା ଝିଅ ମିଉଁକୁ, ତା ଦି ଗୋଡ଼କୁ କୁଣ୍ଢେଇ ଧରିଲା, ସେ ତାକୁ କାଖ କରି ଗେଲକଲା, ପୁଅ ଦୁହିଁଙ୍କୁ ଆଉଁସି ପକେଇଲା, କହିଲା ‘‘କିରେ, ପଢ଼ି ବସି ନାହଁ ? ତୁମ ମାଷ୍ଟ୍ରେ ଆସିବେ ପରା-?’’ ‘‘ପଢ଼ିବା–ପଢ଼ିବା’’ ଦିହେଁ ପାଟିକରି ନାଚିନାଚି ଗଲେ ।

 

‘‘ଭାରି କାମ ଥିଲା, ଡେରି ହେଲା, ନାଁ ?’’ ଅନୁରାଧା ପଚାରିଲା ।

 

‘‘ତାର ଆଉ ସହଳ କେବେ ?’’ ତା ବୋଉ କହିଲେ, ‘‘ସବୁ ଦିନେ ତ କାମ ଭିଡ଼ !’’

 

‘‘ନାଇଁ, ଆଜି ସେମିତି ନୁହେଁ ଯେ, ଟିକିଏ ଗପକରି ସେଉଠୁ ଚାଲିଚାଲି ବୁଲିବୁଲି ଆସିଲି ।’’

 

‘‘ସେଇଟା ଗୋଟାଏ କଥା !’’ ତା ବୋଉ କହିଲେ, ‘‘ଘରକୁ ଆସି ଖାଇ ଦେଇ ସିନା ବୁଲି ଯାନ୍ତୁ !’’

 

ସେ ମୁହଁହାତ ଧୋଇଲା, ଲୁଗା ବଦଳିଲା, ଜଳଖିଆ ଖାଇବସିଲା । ସବୁ ଯେମିତି କଳପରି କରିଯାଉଛି । ସ୍ୱପ୍ନପରି ଲାଗୁଛି । ମନଭିତରେ ଭାବର ଚାପ ବଢ଼ିବଢ଼ି ଉଠୁଛି, ଲାଗୁଛି, କହିଦେବି, କହିଦେବି । ପୁଣି ଜାଣିଜାଣି ଢାଙ୍କୁଣିକୁ ଚାପୁଛି । ଭିତରୁ ପୁଣି ଠେଲୁଛି ଭାବ ।

 

ତାର ଘର ୟେ,–ଏହି ମାନଙ୍କୁ ଓ ତାକୁ ଏକାଠି ଗୋଟେଇ ପୋଟେଇ ଏତେବଡ଼ ଦିଗହଜା ସଂସାରରେ, ଯେଉଁଠି ବେଳେ ବେଳେ ଲାଗେ ପ୍ରତି ବୁନ୍ଦାବୁନ୍ଦାକେ କଣ ଆଉସବୁ ଖୁନ୍ଦାଖୁନ୍ଦି, ତା ପାଇଁ ଏଠି ଥାନ ନାହିଁ, ସେତେବେଳେ ତାକୁ ଲାଗେ, ଏଠି ଅଛି ସେ ନିଜେ, ତାର ଥିତି, ଏଇ ବୁନ୍ଦାକ ତାର ଆପଣା ପାଇଁ ଅଛି, ତାର ଅସ୍ତିତ୍ୱର ଖୋଳ,–ବାହାରର ସବୁ ଘୋଳା–ବିନ୍ଧା, ସବୁ ଜଳାପୋଡ଼ା ଏଇଠିକି ଆସିଲେ ସେ ଭଲକରି ଅନୁଭବ କରିଥାଏ, ବାହାରେ ପଛେ ଦେହଥାଏ କାଠୁଆ, ଏଠି ଡରନାହିଁ ଲାଜ ନାହିଁ, ସ୍ୱାଭାବିକ ଭାବେ ମଣିଷ ପରି ଏଠି ସେ ଦୁଃଖକୁ ପ୍ରକାଶ କରିପାରେ, ସେମିତି ଧକେଇ ହେଉ ହେଉ ତ ସେ ତାର ନିଶ୍ୱାସ ପ୍ରଶ୍ୱାସର ସାଧାରଣ ଛନ୍ଦକୁ ଲେଉଟି ଆସିବ ।

 

କିନ୍ତୁ ‘‘ଏଠି ମା’କୁ ଭାରିଜାକୁ ଛୁଆଙ୍କୁ ସେ କଣ କହିବ ? –ଯେ ‘‘ମୁଁ ହାରିଗଲି,’’ ଏଇଆ-?

 

ତାର ମନେ ପଡ଼ିଲା, ସଲିମ୍‌ ଆଲି ଥିଲାବେଳେ ଛୁଟିଦିନେ ଥରେ ସକାଳେ ସେ ତାଙ୍କ ପାଖକୁ ଯାଇଥିଲା । ସେମାନେ କଥାଭାଷା ହୋଇଥିଲେ । ତାଙ୍କର ଅମାୟିକ ବ୍ୟବହାର, ନିଷ୍କପଟ ସହାନଭୂତିଶୀଳ କଥା, ତାଙ୍କ ଠାଣି, ତାଙ୍କ ଚାହାଣି କେତେବେଳେ ତା ମନକୁ ହୁଗୁଳା କରି ଦେଇଥିଲା । ଅନ୍ତରଙ୍ଗ ବନ୍ଧୁ ଆଗରେ ଦୁଃଖ ଗପିଲା ପରି ସେଦିନ ସେ ତାର ଉପରିକ, ଏସ୍‌. ଡ଼ି. ଓ. ସଲିମ୍‌ ଆଲିଙ୍କୁ ତାର ଦୁଃଖ କହିଥିଲା । ସେ କହିଥିଲା, ସେ ଜାଣିଛି ଯେ ଚାକିରି କ୍ଷେତ୍ରରେ ପଦୋନ୍ନତି କର୍ମଚାରୀର ସଚ୍ଚୋଟପଣ, ସଦ୍‌ଗୁଣ, କାର୍ଯ୍ୟଦକ୍ଷତା ସହିତ ସମ୍ୱନ୍ଧ ରଖେ ନାହିଁ, ବରଂ ସେସବୁ ଗୁଣ ସହିତ ଓଲଟା ଅନୁପାତ ରଖି ଘଟିଯାଏ, ଓ ଯେହେତୁ ଆପଣା ରୁଚି ଓ ନୀତିକୁ ଆଦରି ରହି ସେ ଖୁସାମତ, ଅନୀତି, ଦୁର୍ନୀତି, ଅନ୍ୟାୟ ମେଣ୍ଟ ଆଦିକୁ ଘୃଣା କରେ ଓ ସବୁ ଦିନେ କରିବାକୁ ଦୃଢପ୍ରତିଜ୍ଞ, ତା ପକ୍ଷରେ ପଦୋନ୍ନତି ଦୁରୂହ ହେବ । କିନ୍ତୁ ତା ମନରେ ଦୁଃଖ ହୁଏ ଯେ ତାର ଏଇ ନୀତିଯୋଗୁଁ ସବୁଦିନେ ତା’ର ଅନଟନ, ସେ ତାର ମା’ର, ସ୍ତ୍ରୀର, ପିଲାଙ୍କର ଉପଯୁକ୍ତ ଯତ୍ନ ନେବାକୁ ପଇସା ପାଏ ନାହିଁ, ତେଣୁ ବେଳେବେଳେ ତା ମନରେ ନୈରାଶ୍ୟ ଆସେ । ନିଜେ ଅଭାବ ଯୋଗୁଁ କଷ୍ଟ ପାଇଲେ ମନରେ ଗୌରବ ଆସେ, ଯେ ଏ କଷ୍ଟ ତାର ଇଚ୍ଛାକୃତ, ଅର୍ଜ୍ଜିତ, ଯେମିତି,–ଜଣେ ଧର୍ମଯୁଦ୍ଧ କରୁଛି, ତାଠିଁ ଚୋଟ ବାଜୁଛି । କିନ୍ତୁ ତାର ଆଶ୍ରିତମାନଙ୍କ କଷ୍ଟ ଦେଖିଲେ ନିଜକୁ ଲାଗେ ଗୋଟାଏ ଅପରାଧୀ ଭଳି, ଯେ ତାରି ଯୋଗୁଁ ଏମାନେ କଷ୍ଟ ଭୋଗୁଛନ୍ତି, ଅଥଚ ତାର ଦାୟିତ୍ୱ ସେମାନଙ୍କୁ ଭଲରେ ରଖିବା । ସଲିମ୍‌ ଆଲି ସବୁ ଶୁଣୁଥିଲେ, ହଠାତ୍‌ ପଚାରିଦେଲେ–

 

‘‘ଆପଣ ଆପଣଙ୍କ କର୍ତ୍ତବ୍ୟ କରିବାକୁ ଚେଷ୍ଟା କରିବେ, ସେଇଟା ଆପଣଙ୍କ ହାତରେ ଅଛି । ଆପଣ ସଳଖ ବାଟରେ ଯିବାକୁ ଚେଷ୍ଟା କରିବେ, ସେଇଟା ଆପଣଙ୍କ ହାତରେ ଅଛି । ଫଳାଫଳ ଆପଣଙ୍କ ହାତରେ ଅଛି ?’’

 

ସେ କହିଲା, ‘‘କୋଉଠୁ ?’’

 

‘‘ଆପଣ ଯେତେ ଚାହିଁଲେ ସୁଦ୍ଧା, ଅନ୍ୟ କାହାରିକି ସବୁଥିରେ ସୁଖୀ କରି ପାରିବେ ? ନାହିଁ । ଆପଣ ଆପଣଙ୍କ କର୍ତ୍ତବ୍ୟ କରିବେ, ସମସ୍ତିଙ୍କର ସୁଖଦୁଃଖର ନିୟନ୍ତା, ଫଳଦାତା,–ପରମେଶ୍ୱର ।’’

 

‘‘କିନ୍ତୁ ନିଜ ଲୋକଙ୍କ କଷ୍ଟ ଦେଖିଲେ–’’

 

‘‘ଯେତିକି ଆପଣଙ୍କ ଦ୍ୱାରା ସମ୍ଭବ ସେତିକି କରିବେ, ଯାହା ସମ୍ଭବ ନୁହେଁ ସେଥିପାଇଁ ଦୁଃଖ କାହିଁକି ? ସେମାନଙ୍କର ବି କଣ ଆପଣଙ୍କ ଯୋଗୁଁ ବିଶେଷ ଦୁଃଖ ? ଆପଣ ଯେତିକି ଦେଇ ପାରିବେ, ସେମାନେ ସେତିକିରେ ଚଳିବେ, ତାଠୁଁ ଶହେଗୁଣ ଅଧିକା ଲୋକମାନେ ଦେଇ ପାରନ୍ତି, କିନ୍ତୁ ତାର ଶହେ ଭାଗରୁ ଭାଗେ ସୁଦ୍ଧା ଆଉ କାହାଦେଇ ସମ୍ଭବ ହୁଏ ନାହିଁ, ସେମାନଙ୍କୁ ସେତିକିରେ ବି ଚଳିବାକୁ ପଡ଼ିଥାଏ । ପୁଣି କେବେ ଭଲଦିନ ଆସେ ।’’

 

‘‘ସବୁ ସତ ଯେ, ଏ ମନ ବୁଝେ ନାହିଁ ।’’

 

‘‘ସେଇଟା ହିଁ ବିପଦ,’’ ସଲିମ୍‌ ଆଲି କହିଥିଲେ, ‘‘ଆମର ଅସଲ ଶତ୍ରୁ ଆମର ନିଜ ମନ । ଜଣେ ଗୋଟାଏ ନୀତିକୁ ମୁଠେଇ ଧରି ବାଟ ଚାଲୁଥିଲା, ଯେତେ ଯେ ତାକୁ ଆଉ ଯୁଆଡ଼େ ଠେଲିଲେ କି ଓଟାରିଲେ ଜମା ଯାଉ ନ ଥିଲା, ସେଥିପାଇଁ କେତେକଷ୍ଟ ସହିଥିଲା, କିନ୍ତୁ ଆଉ ଦିନେ ଦେଖିଲା ବେଳକୁ ସେ ବଦଳିଗଲାଣି, ବାଟଭାଙ୍ଗି ଚାଲିଗଲାଣି । କିଏ ନେଲା ? କେମିତି ଗଲା ? ତାରି ମନ ତ ? ଆପଣ ଜାଣିଥିବେ, ଯେ ଗୋଟାଏ ସାଧନାରେ ଲାଗିଥାଏ କେତେଲୋକ ତା ସାଧନା ଭାଙ୍ଗିବାକୁ ଆସନ୍ତି । ପ୍ରଲୋଭନ ଦେଖାନ୍ତି । ଡରାନ୍ତି । ସବୁଠୁ କଷ୍ଟ ସେଇଟାକୁ ସହିବା ଯେଉଁଟା ପ୍ରିୟଜନଙ୍କୁ କ୍ଷତି କି ବିପତ୍ତି ପଡ଼ିବାର ଭୟ । ଯେଉଁ ମନ ସାହସ ଦେଉଥିଲା, ସେହି ସେତେବେଳେ ଓଲଟି ପଡ଼େ, କହେ ରାଜି ହୋଇଯିବା ଭଲ, ଯେଉଁ କଥାକୁ ଘୃଣା କରୁଥିଲା ତାରି ସପକ୍ଷରେ ସେହି ମନ ଦଶଟା ଯୁକ୍ତି ଠିଆ କରିଦିଏ । ସୁତରାଂ ଆପଣା ମନକୁ ଅକ୍ତିଆର କରି ନ ଶିଖିଲେ କିଏ କି ବିପ୍ଳବ କରିପାରିବ, କଲେ ବି ତହିଁରେ ଅଟଳ ରହି ପାରିବ କେତେ ଦିନ ?’’

 

ସଲିମ୍‌ ଆଲି ସେତେବେଳେ ତାକୁ ଆଉ ଗୋଟିଏ କଥା ଚେତେଇ ଦେଇଥିଲେ, କହିଲେ, ‘‘ବିନୋଦ ବାବୁ, ମଣିଷ ପଥର ନୁହେଁ ଯେ ତାକୁ ବାଧିବ ନାହିଁ । କେତେବେଳେ କେଉଁ ଦୁଃଖ ଆସିପାରେ । ସେତେବେଳେ ଧୀରସ୍ଥିର ହୋଇ ତାକୁ ସହିନେବା ହିଁ ବୁଦ୍ଧିମାନର କାମ । ସେଇଟା ହିଁ ବୀରତ୍ୱ । କିନ୍ତୁ ମନଟାକୁ ଯଦି ସେତେଦୂର ବାଗେଇ ନ ହେଲା, ଦୁଃଖ ତ ବାଧିବ ହିଁ, କିନ୍ତୁ ନିଜର ସେ ବାଧାକୁ ନେଇ ସ୍ତ୍ରୀ ଉପରେ ପିଲାଙ୍କ ଉପରେ ନ ଲଦିବା ଭଲ, ଲଦିଲେ ନିଜ ବାଧା କମିବ ନାହିଁ, ତାଙ୍କୁ ବି ବାଧିବ, ସେମାନେ ଅଧିର ହେବେ, ତାଙ୍କ ଆଶା ସାହସ ସରାଗ ସବୁ ମଉଳି ପଡ଼ିବ । ସେଇଟା କରିବା ପୁରୁଷ ପକ୍ଷରେ ଅଗୌରବ । ନିଜେ ବୋଝ ବୋହିବା, ନିଜେ ଧକ୍‌କା ସହି ସ୍ତ୍ରୀ ଓ ପିଲାଙ୍କୁ ସେ ଧକ୍‌କା ଦାଉରୁ ବଞ୍ଚେଇବା ତାର କର୍ତ୍ତବ୍ୟ । ତା’ ନ କଲେ କେଡ଼େ ନିର୍ବୁଦ୍ଧିତା ହେବ ଭାବିଲେ । ଆମେ ଖରାରେ ମରୁଭୂମିରେ ବୁଲିବୁଲି ଫେରିବା, ଘରେ ଖୋଜିବା ଶୀତଳ ପାଣିମନ୍ଦିଏ, ଅଥଚ ଆମରି ଅବିବେକିତା ଯୋଗୁଁ ସେ ପାଣି ମନ୍ଦିକ ଶୁଖି ଯାଇଥିବ ।’’

 

ବିନୋଦ ଭାବିଲା,–ତାହେଲେ କଣ ସେ କହିବ ନାହିଁ ?

 

କିନ୍ତୁ ନ କହିଲେ ବି ତା ମନଟା ସୁସ୍ଥ ଲାଗିବ କେମିତି ? ସେମାନେ କଣ ଶୁଣିବେ ନାହିଁ ଆଉ କାହାଠୁଁ ?

 

ସେ ଅନୁରାଧାକୁ ତା ବୋଉ ପାଖକୁ ଡାକିନେଲା ।

 

କହିଲା, ‘‘ଗୋଟାଏ କଥା ତୁମମାନଙ୍କୁ କହି ନାହିଁ, ଏଥର ବି ମୋର ପ୍ରମୋଶନ ହେଲା ନାହିଁ ।’’

 

ସେ ଦିହେଁ ତୁନି ହୋଇ ଅପେକ୍ଷା କଲେ ।

 

ସେ କହିଲା ‘‘ମୋ ସାଙ୍ଗର ବହୁତ ଲୋକଙ୍କର ହେଲା, ମୋ ତଳୁ ବି ସାତଜଣ ନିଆ ହେଲେ । ମୋର ହେଲା ନାହିଁ । ତମେମାନେ କଣ କହୁଚ ?’’

 

ସେ ଦିହିଁଙ୍କ ମୁହଁ ଶୁଖିଗଲା, ଦିହେଁ ଦୀର୍ଘଶ୍ୱାସ ପକାଇଲେ । ତା ବୋଉ କହିଲେ, ‘‘ନିଆଁଲଗାମାନେ,–ମୋ ପୁଅକୁ ପ୍ରମୋଶନ ଦେଲେ ନାହିଁ । ହଉ ନ ଦଉ । ଭଗବାନ ତ ଅଛି, ଯୋଉ ବାଟେ ହେଲେ ଦବ । ଯେ ତୁ ଆଉ ଏତେ ପରିଶ୍ରମ କର ନାହିଁ ।’’

 

‘‘ସେଇଟା ନ କଲେ ଭଗବାନ ଚିଡ଼ିବେ ଲୋ ବୋଉ, ପ୍ରମୋଶନ ଦେବା କ୍ଷମତାଟା ସିନା ତାଙ୍କ ହାତରେ ନାହିଁ !’’ ସେ ହସିଲା ।

 

‘‘ଛି ! ତେମେ ଭଗବାନଙ୍କୁ ଥଟ୍ଟା କରୁଛ !’’ ଅନୁରାଧା କହିଲା, ‘‘ସଂସାରରେ କେତେ କଥା ଅଛି, ଖାଲି କଣ ଟଙ୍କା କି ପ୍ରମୋଶନ୍‌ ? ତାଙ୍କର ଦୟା ଥାଉ ସେତିକି । ତାଙ୍କ ସଂସାର, ତାଙ୍କ ବିଚାର, ସବୁ ତାଙ୍କୁ ଲଗା, ସେ ବୁଝିବେ ।’’

 

ବିନୋଦର ମନରେ ଏକା ସଙ୍ଗେ ଯୋଡ଼ିଏ ସୁଅ ଠେଲାପେଲା ଲଗାଇଲା, ଗୋଟାଏ ତ ତା’ର ସ୍ତ୍ରୀର ସରଳ ବିଶ୍ୱାସ ଯୋଗୁଁ ବିସ୍ମୟ, ଆନନ୍ଦ ଓ ଗର୍ବ,–ଏଇଟା ସେ ଶୀତଳ ପାଣି ମନ୍ଦିକ, ସଲିମ୍‌ ଆଲି ଯାହା କହିଥିଲେ ବୋଲି ତାର ମନେ ପଡ଼ିଥିଲା, ଆରଟା ଠିକ୍‌ ସେ ଧାରଣାର ବିରୋଧୀ, ତା ସ୍ତ୍ରୀର ସରଳତାକୁ ମୂର୍ଖତା ବୋଲି ଅର୍ଥ କରି ମନର ରୁଗୁ ରୁଗୁ । କହିଲା, ‘‘କଣ ଆଉ ବୁଝିଲେ ତାଙ୍କୁ ଜଣା, ଚାକିରି ଆସି ଦଶବର୍ଷ ସରିବାକୁ ହେଲା, କିଏ କେତେ କଣ ପାଇଲେ, କଣ ହେଲେ, ମୁଁ ଯେ ଗୋଦାମ୍‌ରଦି, ଏଇ ବିଚାର ତ ?’’ କହି ଦେଉ ଦେଉ ପୁଣି ତା ମୁହଁ ଦୁଃଖରେ ଶୁଖିଗଲା, ଆଖି କୁହୁଳି ଉଠିଲା, କହିଲା,–‘‘ତେମେ ସବୁ ଯଦି କଷ୍ଟ ସହିବାକୁ ରାଜି ହେବ, ମୁଁ ଏ ଚାକିରି ଛାଡ଼ିଦେବି ।’’

 

ତା’ ବୋଉ କହିଲେ, ‘‘ମତେ କଣ ପଚାରୁଛୁ ? ମୋର ଆଉ କେଇଦିନ ? ମୋର ସୁଖ କଣ ଦୁଃଖ କଣ ? ବୋହୂଟା କଣ କହିବ ? ସେ କେବେ ଖୋଜିଚି ନିଜ ପାଇଁ କିଛି ? ସେ କଣ ଆଉ କାହାପରି ହେଇଛି ? ତୁ ଗଛମୂଳେ ରହିଲେ ସେଇଠି କେଲୁଣୀ ପରି ରହିଲେ ବି ତା’ର ଖୁସି-। ତୁ କଣ ଜାଣି ନୋଉଁ ? ତୋ ନିଜ ମନ କଣ କହୁଚି ? ସେଇଆ ଭାବ୍‌ । ସମସ୍ତେ ତୋରି ବେକରେ ବନ୍ଧା, ତୁ ତୋ ଘର ସମ୍ଭାଳୁଛୁ, ସମ୍ଭାଳିବୁ । ସବୁଦିନ କାହାରି ଏକାପରି ଯାଏ ନାହିଁରେ ପୁଅ, ଆଜି ବେସ୍ତ ହଉଚୁ, ଚାକିରି ଛାଡ଼ିଦେବି କହୁଚୁ, ଆହୁରି କିଛି ଭଲ ହେଲେ ତ ଭଲ, ନଇଲେ ସେତେବେଳେ ପସ୍ତେଇବୁ, ‘କାହିଁକି ଛାଡ଼ିଦେଲି’,–କହିବୁ । ଭାବିଚିନ୍ତି ଯାହା କରୁଚୁ କର । ମୁଁ କହୁଚି ଅପେକ୍ଷାକର, ହବ, ଭଗବାନ ମୋ ଗରିବ ଛୁଆର ଗୁହାରି ଶୁଣିବେ ରେ, ଶୁଣିବେ । ସବୁ ଭାଗ୍ୟର କଥା । ମୁଁ କଣ ଭାବୁଚି ଜାଣୁ ? ମୋରି ଭାଗ୍ୟ ଦୋଷରୁ ତୋର ଏ ଦଶା । ତୁ ଦେଖିବୁ ମୁଁ ମରିଯିବି ଯେମିତି ତୋର ସବୁ ଭଲ ହୋଇଯିବ ।’’

 

ଅନୁରାଧା କହିଲା, ‘‘ସେ କଥା ମୁହଁରେ ଧର ନାହିଁ ବୋଉ । କାହାର ପେଟ ଅପୋଷା ରହୁଚି କି ? ନା ବେଶି ପଇସା ମିଳିଲେ ମୁଣ୍ଡରେ ଶିଙ୍ଘ ଉଠେ ?

 

ବିନୋଦ କହିଲା, ‘‘ଅଭାବ ବାଧିଲେ ମଣିଷ ସହିବ, କିନ୍ତୁ ଅପମାନ ?’’

 

ଅନୁରାଧା ଚମକି ପଡ଼ିଲା, କହିଲା, ‘‘ଅପମାନ ?’’

 

ବିନୋଦ କହିଲା, ‘‘ତୁମେସବୁ ଚାକିରି କରି ନାହଁ ତ, ମୋ ଦୁଃଖ କେଉଁଠି ସେଇଟା ବୁଝି ପାରୁନା । ଯେଉଁ ଲୋକମାନେ ମୁଁ ଜାଣେ ଅପଦାର୍ଥ, ଅଯୋଗ୍ୟ, କିଏ ବା ଦୁର୍ନୀତିରେ ବୁଡ଼ିଛି, ଆଉ କେତେ କେତେ ଯେଉଁମାନେ ମୋ ଆଗରେ ପିଲା, ମୋର ସାତ ପଛରେ ଚାକିରିରେ ପଶିଥିଲେ, ସେମାନେ ଗଲେଣି ମୋ ଉପରକୁ, କିଏ କିଏ ମୋ ହାକିମ ହୋଇ ବି ବସିବେ, ମୋ ଉପରେ ହୁକୁମ ଚଳେଇବେ, ମତେ କାମ ବରଗିବେ, ମୋ କାମକୁ ବାଛିବେ, ମତେ ତାକୁ ସହିବାକୁ ପଡ଼ିବ, ଏଇଟା ଅପମାନ ନୁହେଁ ?’’

 

ଅନୁରାଧା କହିଲା, ‘‘ତୁମ ସରକାରୀ କାମ କଥା ଆମେ ତ କିଛି ବୁଝିପାରୁ ନାହିଁ, ତୁମେ କରୁଛ, ତୁମେ ବୁଝୁଛ, କେଉଁଟା କଣ । ଦେଖି ଶୁଣି ହୁଣ୍ଡା ବୁଦ୍ଧିରେ ମୋର ଧାରଣା ହୋଇଥିଲା, ସେ କାମ ଉପରେ ନାନା ପାହିଆ, ନାନା ଚାକିରି, ଯାହାର ଯାହା ଦାୟିତ୍ୱ, ସେ କାମ ଉପରେ କେଉଁ ପାହ୍ୟାଟା ଆର ପାହ୍ୟା ଉପରେ, ସେଇଥିପାଇଁ ଗୋଟାଏ ପାହ୍ୟାରେ ଥିବା ଅଫିସର ଆର ପାହ୍ୟାରେ ଥିବା ଅଫିସରଠୁଁ ବଡ଼, ତା ହାକିମ, କିନ୍ତୁ ସେ ବଡ଼ସାନ ଉଚ୍ଚନୀଚ ଭେଦଟା ସେଇ ଚାକିରି କାମକୁ ଲାଗୁ ହୋଇଥାଏ, ତା ବାହାରେ ସେ ଖାପେ ନାହିଁ । ଚାକିରିରୁ ଘରକୁ ଫେରିଲେ ସେ ଭେଦ ଗଲା, ଘରେ ସମସ୍ତିଙ୍କ ନିଜ ନିଜ ମର୍ଯ୍ୟାଦା ଅଛି, ସଂପର୍କ ବି ଭିନେ । ଧର ଚାକିରିରେ କିଏ ତମ ଚପରାସି, ଘରେ ସେ ତମ ପୁରୋହିତ ବି ହୋଇପାରେ, ସେଠି ତମେ ତା ଗୋଡ଼ତଳେ ପଡ଼ିବ । ଚାକିରିରେ ତୁମେ କାହାର ହାକିମ ହୋଇଥିବ, ଘରେ ସେ ତମର ଜଣେ ଗୁରୁଜନ ହୋଇପାରେ । ହୁକୁମ ଦେବା କଥା ଯାହା କହିଲ, ମୁଁ ଭାବୁଥିଲି କି ହୁକୁମ୍‌ ଦବା ପାହ୍ୟାରେ ଯେ ଥିବ ଆଇନ୍‌ ଅନୁସାରେ ସେ ହୁକୁମ୍‌ ଦବ, ଯାହାକୁ ଦବ, ଆଇନ୍‌ ଅନୁସାରେ ସେ କାମ କରିବ । ଏଥିରେ ଘରୋଇ ମାନ ଅପମାନ ନ ଥାଏ । ଏସବୁ ସେ କାମର ଗତ ।’’

 

‘‘ତମୁକୁ ଏକଥା କହିଲା କିଏ ?

 

‘‘ତୁମ ଛଡ଼ା ଆଉ କିଏ ହେବ ? ଯାହା ଶୁଣିଥିଲି, ସେଇଆ କହୁଚି । କିନ୍ତୁ ତମ ମନ ଯଦି ଅଶାନ୍ତି ହେବ, ତୁମେ ଯଦି ଭାବୁଚ ଏଇଟା ଅପମାନ, ଭାଗ୍ୟରେ ଯାହା ହେବାର ଥିବ ହେବ, ଅପମାନ କାହିଁକି ସହିବ ? କେବେ ନୁହେ ।’’

 

ତା ବୋଉ କହିଲେ, ‘‘ହଇରେ ତୁ ସତରେ ଚାକିରି ଛାଡ଼ିଦବୁ ଭାବୁଚୁ ଏମିତି ଝୁଙ୍କ ଉପରେ ଲୋକେ ଦାନାକୁ ଗୋଇଠା ମାରନ୍ତି ? ଥଏ ଧର, ଯାହା ବୁଝି ବିଚାରି କରିବୁ, ଏମିତି କଣ-? ତୁ ବି ତା ସଙ୍ଗେ ବାଇ ହେଲୁ ବୋହୂ ।’’

 

ଅନୁରାଧା କହିଲା, ‘‘ନାଇଁ ବୋଉ ମୁଁ ସତ କହୁଛି । ୟେ ତ ଥରେ ନୁହେଁ, ଏଇ ଗୋଟାଏ କଥା ତାଙ୍କ ମନ ଭିତରେ ଘୁଣ ଖାଉଛି । ଆଉ କିଛି ନୁହେଁ, ଏଇଆ, ଆଉ ମନେ ପଡ଼ିଗଲେ ମଝିରେ ମଝିରେ ସେ ଅଥୟ ହୋଇ ପଡ଼ନ୍ତି । ଯୋଉ ତ ଚାକିରି ! ଦେଖୁଛ । କାମ କରି କରି ସାରା । ଘର କଥା ତ ଦୂର, ଖାଇବା ପିଇବାରେ ବି ଠିକଣା ରହେ ନାହିଁ, ତା’ ଉପରେ ଯଦି ମନ ଭିତରେ ଅଶାନ୍ତି, ସେଭଳି ଚାକିରି କରି ଲାଭ କଣ ?’’

 

‘‘ଆଉ ତୋ ପିଲାଛୁଆଙ୍କୁ ତୁ ପୋଷିବୁ କେମିତି ?’’

 

‘‘କିଏ କାହାକୁ ପୋଷେ ବୋଉ ? ଭାଗ୍ୟରେ ଯାହା ଥାଏ । ସେ ଭାଗ୍ୟ ଦିଅନ୍ତି ଭଗବାନ୍‌ । ତାଙ୍କର ଯାହା ଇଚ୍ଛା ଥିବ କେହି ଅଟକେଇ ପାରିବ ?’’

 

ବିନୋଦ କହିଲା, ‘‘ତୁମେ ସତରେ କହୁଚ ମୁଁ ଚାକିରି ଛାଡ଼ିଦେବି ?

 

ଅନୁରାଧା କହିଲା, ‘‘କହିବାକୁ ମୁଁ କିଏ ? ତମଠୁଁ ମୁଁ ବେଶି ଜାଣେ ନା ମୋ ବୁଦ୍ଧି ବେଶି-? କିନ୍ତୁ ସତ କହୁଛି, ତୁମ ମନ ଯଦି ଶାନ୍ତି ଲାଗୁନାହିଁ, ତୁମେ ଯଦି ଚାକିରି ଛାଡ଼ିଦେବ ଭାବୁଚ, ତେବେ କଦାପି ମୁଁ ବାଧା ଦେବି ନାହିଁ । ମୋର ସବୁଥିକି ରାଜି । ମୁଁ ଏତିକି ଜାଣେ, ଭଗବାନ ନ ଚାହିଁଲେ କାହାରି ପେଟ ଅପୋଷା ରହିବ ନାହିଁ । ଆଉ ସେ ଯଦି ତା’ ନ ଚାହିଁବେ, ଯେ ଯାହା କରୁ କିଛି ଫଳ ହେବ ନାହିଁ । ଯାହା କର, ତୁମ ମନରେ ଶାନ୍ତି ଥାଉ । ଆଉ ଆମ କାହାର କିଛି ଲୋଡ଼ା ନାହିଁ ।’’

 

‘‘ଠିକ୍‌, ଠିକ୍‌, ସେଇଆ ଲୋ ବୋହୂ ସେଇଆ,–’’ କହି ତା ବୋଉ ଚାଲିଗଲେ । ଅନୁରାଧା ବି ରୋଷେଇ ଘରକୁ ଗଲା ।

 

ବିନୋଦ ଏକୁଟିଆ ଦାଣ୍ଡ ପିଣ୍ଡାରେ ବସି ଦୂରକୁ ଅନ୍ଧାରି ଆକାଶକୁ ଅନାଇଁ ରହିଲା । ତା ମୁଣ୍ଡ ଭିତରେ ଧକ୍‌ ଧକ୍‌ କମି ଆସିଲାଣି । କ୍ଳାନ୍ତ, ସହଜ, ଉଦାସ ଲାଗୁଥାଏ । ଲାଗୁଥାଏ ନାଟକରେ ସେ ଅଭିନୟ କରୁନାହିଁ, ଜଣେ ଅସଂପୃକ୍ତ ଦର୍ଶକ ହୋଇ ଆଡ଼େଇ ହୋଇ ଦୂରରେ ବସି ସେ ନାଟକ ହିଁ ଦେଖୁଛି । ତହିଁରେ ଉଜ୍ଜଳ ହୋଇ ଦିଶି ଯାଉଛି ତା ସ୍ତ୍ରୀର ମୁହଁଟି, ତା ଆଖି, ତା ଠାଣି, ତା କଥା । ସେ ସାହସ ପାଉଛି, ଆନନ୍ଦ ପାଉଛି, ଜୀବନର ନୂଆ ଅର୍ଥ ପାଉଛି, ଲାଗୁଛି, ଜୀବନ କେଡ଼େ ଆନନ୍ଦମୟ !

 

ସଂଘର୍ଷ ନ ଥିଲେ ସେ ଆନନ୍ଦକୁ ଚିହ୍ନନ୍ତା ବା କେମିତି ? କେମିତି ଭାବି ପାରନ୍ତା ଯେ ସେଇଟା ମୂଲ୍ୟବାନ ? ଅନ୍ଧାର ନ ଥିଲେ କେମିତି ବା ଦେଖିପାରନ୍ତା ଏଇ ସୁନ୍ଦର ତାରାମାନଙ୍କୁ ?

 

‘‘ଏସ୍‌. ଡ଼ି ଓ. ସାହେବ ସଲାମ୍‌ ଦେଇଛନ୍ତି, ଖାସ୍‌ କାମ୍ରାରେ ଅଛନ୍ତି’’ କହି ଏସ୍‌. ଡ଼ି. ଓ.ଙ୍କ ଚପରାସି ପର୍ଶୁ ଚାଲିଗଲା । ‘‘ଠିକ୍‌ ସାଢ଼େ ଦଶଟା ବାଜିଛି, ଆଜି ଏଡ଼େ ଚଞ୍ଚଳ !’’ ବିନୋଦ ଭାବିଲା, ସନ୍ଦେହ ହେଲା, ସେ ବୋଧହୁଏ ତନଖି କରୁଛନ୍ତି, ଠିକ୍‌ ସାଢ଼େ ଦଶରେ ସେ ନିଜ ଜାଗାରେ ଉପସ୍ଥିତ ଅଛି କି ନାହିଁ । ହସିଦେଇ ଉଠି ପଡ଼ିଲା, ‘ସଲାମ୍‌’ ଶବ୍ଦଟା ମନରେ ଅତୀତର ସ୍ମୃତି ଚିଆଁଇ ଦେଲା । ନୂଆ ଚାକିରି, ଏମିତି ଦିନେ ଶୁଣିଥିଲା, କଲେକ୍ଟର ସାହେବ ତାକୁ ‘ସଲାମ୍‌’ ଦେଇଛନ୍ତି । ଭାବୁଥିଲା ପ୍ରକୃତ ଗୁଣଗ୍ରାହୀ ମହାନୁଭବ ହୋଇଥିବେ ସେ କଲେକ୍ଟର, ପୁରୁଖା ଆଇ.ସି.ଏସ୍‌. ଅଫିସର, ନ ହେଲେ ତା’ଭଳି ନୂଆ ଆସିଥିବା ଜଣେ ତରୁଣ କର୍ମଚାରୀକୁ ‘ସଲାମ୍‌’ କହି ପଠାନ୍ତେ ? କୃତଜ୍ଞତାରେ ସେ ଗଦ୍‌ଗଦ ହୋଇଗଲା । ପୁରୁଣା କିରାନି ବାବୁ ଜଣେ ବସି କାମ କରୁଥିଲେ, କହିଲେ, ‘‘ଗଲେ ନାହିଁ ?’’ ‘‘କୋଉଠି କି ?’’ ‘‘କଲେକ୍ଟର ଡାକିଲେ ପରା ।’’ ‘‘କେତେବେଳେ ?’’ ‘‘ହେଇପରା ଚପରାସି କହିଗଲା ସଲାମ ଦେଇଛନ୍ତି ?’’

 

ସେଉଠୁ ସେ ବୁଝିଲା, ସଲାମ୍‌ ଦେବାମାନେ ଡାକିବା ।

 

ଭାବିଲା, ଇଂରେଜ୍‌ ଗଲେଣି, କିନ୍ତୁ ସେହି ଛାଞ୍ଚ ସେହି ଗତ ରହିଛି । କେତେଦିନ ରହିବ କିଏ ଜାଣେ ?

 

ରାଘବ ଚୌଧୁରୀ ତାକୁ ଦେଖି ମିଠା ହସଟିଏ ହସିଲେ, କହିଲେ, ‘‘ବସନ୍ତୁ, ବସନ୍ତୁ’’ । ତା ହାତକୁ ଟାଇପ୍‌ ହୋଇଥିବା ଆଦେଶଟିଏ ବଢ଼ାଇ ଦେଲେ । ତାକୁ ରଂପୁର୍‌ ତହସିଲ୍‌ ଇଲାକାରେ ଥିବା ଗଣ୍ଡିକଟା ଗାଁକୁ ଯିବାକୁ ପଡ଼ିବ, ସେଠି ଦୁଇ ଦଳଙ୍କ ଭିତରେ ଯୋଡ଼ିଏ ଠାକୁରଙ୍କୁ ଘେନି କଣ କଳି ଲାଗିଛି ଜଣା ପଡ଼ୁଛି, ଗୋଟିଏ ଠାକୁର ରଘୁନାଥ, ଆଉ ଗୋଟିଏ ଠାକୁର ଗୋପୀନାଥ । ଗୋପୀନାଥଙ୍କର ଗୋଟିଏ ଉତ୍ସବ ଆସୁଛି, ସେତେବେଳେ ତାଙ୍କ ବିଜେ ପ୍ରତିମା ଗୋଟିଏ ଯାତ୍ରା ପଡ଼ିଆକୁ ଯିବେ । ପ୍ରତିବର୍ଷ ଯାତ୍ରାଟି ହୁଏ । ଏବର୍ଷ ଗୋପୀନାଥ ଦଳ ଆଶଙ୍କା କରୁଛନ୍ତି, ଯେ ଗଲାବେଳେ ରଘୁନାଥ ଦଳ ତାଙ୍କୁ ପିଟିବେ । ଯିବା ବାଟ ତ ପୁଲିସ୍‌ ବତେଇ ସାରିଛନ୍ତି । ସେ ଯାତ୍ରାର ଦଶଦିନ ପରେ ସେହି ପଡ଼ିଆରେ ରଘୁନାଥଙ୍କର ଯାତ୍ରା ବି ହେବ, ତାଙ୍କ ବିଜେ ପ୍ରତିମା ଯିବେ । ସେ ଦଳ ଦରଖାସ୍ତ କରୁଛନ୍ତି, ଏବର୍ଷ ତାଙ୍କୁ ଗୋପୀନାଥ ଦଳିଆ ପିଟିବେ । ଜିଲ୍ଲା କଲେକ୍ଟରଙ୍କ ପାଖକୁ ବି ଦୁଇ ତରଫରୁ ଦରଖାସ୍ତ ପଡ଼ିଛି । ସେ ଏସ୍‌.ଡ଼ି.ଓ ଙ୍କୁ ଲେଖିଛନ୍ତି, ଏସ୍‌ ଡ଼ି.ଓ.ଙ୍କ ଦ୍ୱାରା ବିନୋଦକୁ ବରଗା ହେଉଛି ସେ ଯାଇ ତଦନ୍ତ କରି ବୁଝୁ, ପ୍ରକୃତ ଅବସ୍ଥା କଣ, ଗଣ୍ଡଗୋଳ କରିବା ଲୋକ କିଏ. ଓ ତାର ସୁପାରିସ୍‌ ସହିତ ରିପୋର୍ଟ ଦେଉ ।

 

‘‘କିନ୍ତୁ ମୁଁ ବୁଝିପାରୁ ନାହିଁ ସାର୍‌, ନିଜେ ରଂପୁର୍‌ର ତହସିଲଦାର ସୁନୀଲ୍‌ ବାବୁ ତ ଅଛନ୍ତି, ସେ ସେଠିକା ହାଲ୍‌ଚାଲ୍‌ ଜାଣନ୍ତି । ପଦବୀରେ ବି ମୋଠୁଁ ବଡ଼ ହେଲେଣି, ସେ ପ୍ରମୋଶନ ପାଇଛନ୍ତି, ତେଣୁ ତାଙ୍କୁ–’’

 

‘‘ନାଇଁ ନାଇଁ, ଯେତେହେଲେ ସେ ପିଲାଳିଆ । ଆଉ ରହିଲେଣି ତ ସେଠି ସେ, ସେ ଗାଁ ଲୋକଙ୍କ ସଙ୍ଗେ ତାଙ୍କର ଖୁବ୍‌ ଚିହ୍ନା ଜଣା ଅଛି, ବିଶେଷତଃ ରଘୁନାଥ ଦଳିଆଙ୍କର ଖାସ୍‌ଦାବୀ ଯେ ଇନ୍‌କ୍ୱାଇରି ଯେମିତି ତାଙ୍କୁ ଦିଆ ନ ଯାଉ, ସେ ପକ୍ଷପାତ କରିବେ । ଆର ପକ୍ଷ ବି କହନ୍ତି, ହଉ, ବାହାରୁ କେହି ଆସି ଇନ୍‌କ୍ୱାଇରି କରନ୍ତୁ । ବଡ଼ ଗାଁ, ବହୁତ ଧନୀଲୋକ, ଭଦ୍ରଲୋକ, ଆହୁରି ଏଣୁ ତେଣୁ ବି ଖୁବ୍‌ । ଗାଁର ବଡ଼ ବଡ଼ ଲୋକଙ୍କର ମନ୍ତ୍ରୀଙ୍କ ସଙ୍ଗ ବି ଖୁବ୍‌ ଚିହ୍ନା ଜଣା, ଯାହା କିଛି ହେଲେ ଚାଲିଲେ ତାଙ୍କ ପାଖକୁ । ପୁଣି ନାନା ବିରୋଧୀ ପାର୍ଟି ବି ଥୋଡ଼ାଏ ଲୋକଙ୍କୁ ହାତ କରିଛନ୍ତି, ମତୋଉଛନ୍ତି । ତେଣୁ ଗଣ୍ଡଗୋଳିଆ ପରିସ୍ଥିତି, ଖୁବ୍‌ ଦାୟିତ୍ୱପୂର୍ଣ୍ଣ କାମ, ବୁଝୁଛନ୍ତି ତ ? ଆଜିକାଲି ଥୋଡ଼ାଏ ଲୋକ ବହୁତ ଉତ୍ପାତ କଲେଣି, କାହାରି ଶିରୀ ଦେଖିପାରୁ ନାହାନ୍ତି । ଯେ ଟିକିଏ ଭଲରେ ଚଳିଲା, ଦି ପଇସା କଲା, ଲାଗିଲେ ତା’ ପଛରେ । ଭଦ୍ରଲୋକ ଦେଖିଲେ ତାଙ୍କୁ ହଟହଟା ନ କଲେ ସେ ଲୋକଗୁଡ଼ାଙ୍କ ମନରେ ଶାନ୍ତି ନାହିଁ । କିହୋ, ଗୋପୀନାଥ ତ ଠାକୁର, ଏ ଦଳର କି ସେ ଦଳର ଏକୁଟିଆ ବୋଲି ନୁହନ୍ତି, ଯେ ତାଙ୍କୁ ଭକ୍ତି କଲେ ତାଙ୍କର ସେ ଠାକୁର । ପ୍ରତିବର୍ଷ ତାଙ୍କ ଯାତ୍ରା ମଉଛବ ହୁଏ, ଏବର୍ଷ ବି ହେବ, ତମର କଣ ଯାଉଛି ? ତାଙ୍କ ବିଜେ ପ୍ରତିମା ବାହାରିଲେ ବାଟରେ ତୁମେ କାହିଁକି ଠେଙ୍ଗା ଧରି ଛକିବ ? ଲୋକ ଗୁଡ଼ାକ ପକ୍‌କା ବଦ୍‌ମାସ୍‌, ନାନା ବିରୋଧୀ ପାର୍ଟି ତାଙ୍କୁ ଟେହୁଛନ୍ତି । ଦୁଷ୍ଟଗୁଡ଼ାଙ୍କୁ ଧରି ଧରି ଜେଲ୍‌ ଜୋରିମାନା ନ କଲେ ରାଜ୍ୟରେ ଭଦ୍ରଲୋକମାନେ ବସବାସ କରି ରହିପାରିବେ ନାହିଁ । ଅଶାନ୍ତିଟା ଏଠୁ ସେଠିକି ହୋଇ ଚାରିଆଡ଼େ ବ୍ୟାପିବ, ସବୁଠିଁ ଦୁଷ୍ଟମାନେ ମାତିବେ । ଏ ବିଷୟରେ ଆମେ ଖୁବ୍‌ ଟାଣ୍‌ ନୀତି ଧରିଛୁଁ, କଲେକ୍ଟର ବି ସେଇଆ ଚାହାନ୍ତି, ମନ୍ତ୍ରୀ ତ ନିଜେ କହୁଥିଲେ ।’’

 

ବିନୋଦ କହିଲା, ‘‘ଆପଣ ଉପସ୍ଥିତ ଥାଉ ଥାଉ ମୋର ଯିବା କଣ ଦରକାର ସାର୍‌ ? ଆପଣ ତ ସବୁ ଜାଣନ୍ତି, ସେହି ଅନୁସାରେ ଯାହା ଉଚିତ ଭାବିବେ ତା କରିବେ ! ଫେର ଗୋଟାଏ ଇନ୍‌କ୍ୱାଇରି,–ଆଉ ମୁଁ–’’

 

‘‘ଦରକାର ଦରକାର’’, ରାଘବ ଚୌଧୁରୀ କହିଲେ, ‘‘ନଇଲେ ପଠାନ୍ତି ନା ? ଗୋଟାଏ ରେକର୍ଡ଼ ଥାଉ, ଯେ ଜଣେ ଅସଂପୃକ୍ତ କର୍ମଚାରୀ, ବିଚାରକାର୍ଯ୍ୟ କଲାପରି ଇନ୍‌କ୍ୱାଇରି କଲେ, ରିପୋର୍ଟ ଦେଲେ । ଆପଣଙ୍କ ସୁପାରିସ୍‌ ଅନୁସାରେ ମୁଁ ଅର୍ଡର ଦେଲି । ରିପୋର୍ଟ ଲେଖିବା ବେଳ ତ ଅଛି, ସେତେବେଳେ ଦିହେଁ ଏକାଠି ବସି ପଡ଼ିବା ଯେ, ନା କଣ ?’’

 

‘‘ଏକାଠି !’’ ବିନୋଦ ଆଶ୍ଚର୍ଯ୍ୟ ହେଲାପରି କହିଲା, ‘‘କାହିଁକି ? ସମାନ୍ୟ ଇନ୍‌କ୍ୱାଇରିଟାଏ କରି ରିପୋର୍ଟ ମତେ ଲେଖି ଆସିବ ନାହିଁ ?’’

 

ରାଘବ ଚୌଧୁରୀ କହିଲେ, ‘‘ଗୋଳମାଳିଆ କଥା କି ନା, ଟିକିଏ ଚତୁରତା ଓ ବାଗବରଗ ଦରକାର, ଇନ୍‌କ୍ୱାଇରି ସାରି ମୋ ପାଖକୁ ଆସିବେ, ଦିହେଁ ପରାମର୍ଶ କରି ସାରିଲେ ଆପଣ ସେହି ଅନୁସାରେ ରିପୋର୍ଟ ଲେଖିବେ ।’’

 

ବିନୋଦ କହିଲା, ‘‘କିଛି ଦରକାର ନାହିଁ ସାର୍‌, ଇନ୍‌କ୍ୱାଇରି ସରିଲେ ସଙ୍ଗେ ସଙ୍ଗେ ରିପୋର୍ଟ ଲେଖି ଦେଇଦେବି । ସେଥିପାଇଁ ଭାବନ୍ତୁ ନାହିଁ ।’’

 

ରାଘବ ଚୌଧୁରୀ କଣ କହିବି କହିବି ହେଲେ, ଗମ୍ଭୀର ହୋଇଗଲେ, କହିଲେ, ‘‘ତେବେ ? କିନ୍ତୁ ଅସଲ କଥା ଇନ୍‌କ୍ୱାଇରି ସୁପାରିସ୍‌ଟା କଣ କରିବେ ?’’

 

ବିନୋଦ କହିଲା, ‘‘ତା’ କଣ ବର୍ତ୍ତମାନ ମତେ ଜଣା ଅଛି ସାର୍‌ । କଥା ହେଉଛି, ମୁଁ ସେଠିକି ଯାଇ ନାହିଁ, କାହାକୁ ପଚାରି ନାହିଁ, ଗଲେ ସିନା ବୁଝିବି ?’’

 

ସମର୍ଥନ ଜଣାଇ ମୁଣ୍ଡ ହଲେଇ ରାଘବ ଚୌଧୁରୀ କହିଲେ, ‘‘ହୁ ହୁ ।’’

 

ତଦନ୍ତ ସାରିଲେ ସିନା ରିପୋର୍ଟ ଦେବି ?’’

 

‘‘ହୁଁ ହୁଁ ।’’

 

‘‘ଓ ଯାହା ଦେଖି ଆସିବି ଯାହା ଲେଖି ଆଣିବି ତାହାରି ଉପରେ ନିର୍ଭରକରି ସିନା ରିପୋର୍ଟ ଦେବି ? ତଦନ୍ତ ସରିଲେ ଯାହା ତଥ୍ୟ ମିଳିବ, ଯାହା ହୃଦ୍‌ବୋଧ ହେବ, ତାରି ଉପରେ ନିର୍ଭରକରି ସିନା ମୋର ମତ ଠିକଣା କରିବି, ଏଥିରେ ଆଉ ସନ୍ଦେହ କଣ ?’’

 

ରାଘବ ଚୌଧୁରୀ କିଛି ନ କହି ତା ମୁହଁକୁ ଅନାଇ ରହିଥାନ୍ତି । ଟିକିଏ ଗମ୍ଭୀର ହୋଇ କହିଲେ, ‘‘ଭାବନ୍ତୁ ନାହିଁ ଆପଣଙ୍କୁ ମୁଁ ପ୍ରଭାବିତ କରିବାକୁ ଚାହୁଁଛି ? କଥା କଣ କି, ଏଇଟା ଗୋଟାଏ ଶାସନଗତ ବିଷୟ, ଆପଣ ଯାଇ ଦେଖି ଆସନ୍ତୁ, ତାପରେ କହିବି । ଯେପରି ଉପାୟରେ କାମ ହେବ, ଯେ ଗଣ୍ଡଗୋଳ ବନ୍ଦ୍‌ ହେବ, ଦୁଷ୍ଟଲୋକ ଜବତ୍‌ ହେବେ, ମନ୍ତ୍ରୀ ଖୁସି ହେବେ, ଅନ୍ତତଃ ବିରକ୍ତ ହେବେ ନାହିଁ । ଏଣେ କାଗଜପତ୍ରରେ ଏପରି କିଛି ନ ଥିବ, ଯାହାକୁ ଧରି ଓକିଲମାନେ ଅପିଲ୍‌ରେ ଗଲେ ଜଜ୍‌ କୋର୍ଟରେ, ହାଇ କୋର୍ଟରେ ଆମକୁ ଅପଦସ୍ତ କରିପାରିବେ । କେମିତି ଏସବୁ କୁଳରକ୍ଷା ହେବ, ଇନ୍‌କ୍ୱାଇରି ରିପୋର୍ଟଟା ହେବ ତା’ରି ମୂଳଦୁଆ, ତା ଗୁରୁତ୍ୱ ବୁଝୁଛନ୍ତି ତ !’’

 

ବିନୋଦ କହିଲା, ‘‘ମୋର ବିଶ୍ୱାସ ଏସବୁ କାମ ଆପଣ କରିପାରିବେ । ଆପଣ ଇନ୍‌କ୍ୱାଇରି କରନ୍ତୁ, ଆପଣ ଆପଣଙ୍କର ମତ ଠିକଣା କରି ସୁପାରିସ୍‌ କରନ୍ତୁ ବା କାର୍ଯ୍ୟାନୁଷ୍ଠାନ କରନ୍ତୁ, ବେଶ୍‌ ଏକା ହାତକେ ସବୁକାମ ହୋଇଯିବ ।’’

 

ରାଘବ ଚୌଧୁରୀ କହିଲେ, ‘‘ଆପଣଙ୍କ ବିନା ସାହାଯ୍ୟରେ ? ତା କେମିତି ହେବ ? ଆପଣଙ୍କୁ ମୁଁ ପରାମର୍ଶ ଦେବି, ମୋ ପରାମର୍ଶ ମାନି ତାକୁ ନଜିର୍‌ କରି ଆପଣ ଇନକ୍ୱାଇରି ରିପୋର୍ଟ ଦେବେ, ତାକୁ ପଢ଼ି ତାରି ଭିତ୍ତିରେ ମୁଁ ମୋର ଅର୍ଡ଼ର ବା ସୁପାରିସ୍‌ ଦେବି, ଇନ୍‌କ୍ୱାଇରି ବି ହେବ, ଜଣାଯିବ ଆପଣ ଜଣେ ନିରପେକ୍ଷ ହାକିମ ଇନ୍‌କ୍ୱାଇରି କଲେ । ତା ଉପରେ ମୁ କାର୍ଯ୍ୟାନୁଷ୍ଠାନ ବି କରିବି ଓ କରାଇବି । କିଛି ଧୂଳିମଳି ରହିବ ନାହିଁ ।’’

 

‘‘କ୍ଷମା କରିବେ ସାର, ମୋ ଦ୍ୱାରା ସେପରି ଇନକ୍ୱାଇରି ଓ ସେପରି ରିପୋର୍ଟ ଲେଖା ହେବନାହିଁ, ଖୋଲା ମନରେ ଇନ୍‌କ୍ୱାଇରି କରିବି, ସଂପୂର୍ଣ୍ଣ ନିଷ୍ଠାପର ନିରପେକ୍ଷ ରହି କାର୍ଯ୍ୟ କରିବି, ତାହାରି ଉପରେ ଯାହା ମୋର ସିଦ୍ଧାନ୍ତ ହେବ ସେୟା ସ୍ପଷ୍ଟ ଭାବରେ ମୁଁ ରିପୋର୍ଟ ଦେବି । ଅନ୍ୟ କାହାରି ପରାମର୍ଶ ଦ୍ୱାରା, କି କାହାରି ପ୍ରଭାବ ଦ୍ୱାରା ମୁଁ ପ୍ରଭାବିତ ହେବିନାହିଁ । ସେପରି ହେଲେ ବିଚାରକାର୍ଯ୍ୟ ପାଇଁ ମୁଁ ନିଜକୁ ସଂପୂର୍ଣ୍ଣ ଅନୁପଯୁକ୍ତ ଭାବନ୍ତି ।’’

 

‘‘ଓହୋ, କିଏ ଆପଣଙ୍କୁ ପ୍ରଭାବିତ କରୁଛି, ଶାସନର ହିତ ଦିଗଟା ଆପଣଙ୍କୁ ଚେତେଇ ଦେଉଛି ମାତ୍ର, ଆପଣ ଯେ ନିଜକୁ ଧର୍ମରାଜ ମନେ କଲେଣି ? ଆରେ ଆମେ ପରା ଶାସନ ତୁଲେଇବା, ଉପରିକମାନେ ଯଦି କହିବେ ବାଘ ପାଟିରୁ ଜିଭଟା ଓପାଡ଼ି ଆଣ, ତେବେ ଶାସନ ଦୃଷ୍ଟିରୁ ଆମକୁ ତା’ବି ଉଦ୍ୟମ କରିବାକୁ ହେବ ।’’

 

‘‘ସେସବୁ କାମ ମୋ ଦେଇ ହୋଇପାରିବ ନାହିଁ ସାର୍‌, ଯାହା ଦେଖିବି, ଯାହା ବୁଝିବି ସେୟା ଲେଖିବି, ମୋ ବିଚାର, ଓ ବିବେକର ବେକ ମୋଡ଼ି ପାରିବି ନାହିଁ ।’’

 

‘‘ଏସବୁ କଥା ଆପଣଙ୍କୁ କିଏ କହୁଛି ? ଆପଣ ପ୍ରମାଣ ଉପରେ ଲେଖିବେ, ଯାହା ଯାହା ପ୍ରମାଣ ଆପଣ ସଂଗ୍ରହ କରି ଆଣିବେ, ଆଣନ୍ତୁ, ଯାହା ଯାହା ବାକି ଥିବ ତା ମୁଁ ଆପଣଙ୍କୁ ଯୋଗେଇ ଦେବି ।’’

 

ବିନୋଦ ବିସ୍ମିତ ହୋଇ ପଚାରିଲା, ‘‘ଆପଣ ?’’

 

‘‘ଆରେ ବାବା, ହଁ ହ ମୁଁ, ମୁଁ ବି ତ ସେଠିକି ଯାଇଛି, ଦେଖିଛି, ବୁଝିଛି, କେତେଲୋକ ମତେ କେତେ କଥା କହିଛନ୍ତି, ସେ ସବୁ କଣ ପ୍ରମାଣ ନୁହେଁ ? ଖାଲି ଆପଣ ଯାହା ଦେଖିବେ ସେତିକି ପ୍ରମାଣ ? ତେଣୁ ଆପଣ ବୃଥା ହରବର ହେଉନ୍ତୁ ନାହିଁ, ଘେରାଏ ଯାଇ ସୁବିଧାରେ ବୁଲି ଆସି କିଛି ଟିପାଟିପି କରି ଆଣି ମୋ ପାଖକୁ ଆସନ୍ତୁ, ଦିହେଁ ମିଶିବା, ସବୁ ପ୍ରମାଣ ଏକାଠି କରି ରିପୋର୍ଟ ଲେଖିବା, ସେହି ହେବ ଆପଣଙ୍କ ରିପୋର୍ଟ୍‌ ।’’

 

ବିନୋଦ କହିଲା, ‘‘ତା ହେବ ନାହିଁ ସାର୍‌, ମୁଁ ତନ୍ନ ତନ୍ନ କରି ଇନ୍‌କ୍ୱାଇରି କରିବି, ମୋ ତଦନ୍ତରୁ ଯାହା ପ୍ରମାଣ ମିଳିବ, ମୋର ଯାହା ହୃଦ୍‌ବୋଧ ହେବ, ସେଇଆକୁ ଭିତ୍ତିକରି ମୁଁ ମୋ ରିପୋର୍ଟ୍‌ ଲେଖିବି, ଦସ୍‌ଖତ କରିବି, ଆପଣଙ୍କୁ ଦେବି । ମୋ ରିପୋର୍ଟ୍‌ର ଦାୟିତ୍ୱ ମୋର, ଅନ୍ୟକଥାକୁ ମୁଁ ଲଗା ନୁହେଁ, ତେଣିକି ଯାହା ହେଉ ଭଗବାନ ଅଛନ୍ତି । ଯାହା ମୁଁ ମୋ ତଦନ୍ତରେ ନ ପାଇବି ତାହା ମୋ ରିପୋର୍ଟ୍‌ରେ ମୁଁ ବ୍ୟବହାର କରି ପାରିବି ନାହିଁ ।’’

 

ରାଘବ ଚୌଧୁରୀ ଯେପରିକି ତା କଥା ଶୁଣି ନାହାନ୍ତି ସେହିପରି ବ୍ୟବହାର ଦେଖାଇ କହିଗଲେ, ‘‘ଯାହା ଯାହା କହିବାର ଥିଲା କହିଲି ଶୁଣିଲେ । ଖାଲି ଏତିକି ଯେ, ମନେରଖିଥିବେ ଯେ ଆମ ଚାକିରିରେ ଆମେ ଯୋଡ଼ିଏ ଦାୟିତ୍ୱ ତୁଲୋଉଁ, ମକଦ୍ଦମା ବିଚାର ବେଳେ ବିଚାର କରୁଁ ସତ, ତା ସଙ୍ଗେ ସଙ୍ଗେ ଶାସନ ସଂପର୍କୀୟ ଦାୟିତ୍ୱ ବି ଆମ ଉପରେ ଥାଏ । କାହା କାର୍ଯ୍ୟଦକ୍ଷତା କଥା ବିଚାର କଲାବେଳେ ଏ ଦୁଇ କଥା ଦେଖାଯାଏ ।’’

 

ଏ କଥା ଉହାଡ଼ରେ ଧମକର ଯେଉଁ ଇଂଗିତ ଥିଲା ବିନୋଦ ତାକୁ ବୁଝି ପାରିଲା । କହିଲା, ‘‘ଦେଖନ୍ତୁ ଯାହାଙ୍କର ଯେପରି ଇଚ୍ଛା, ମଣିଷ କାମ କଲେ ଗଲା । ସତକୁ ଜଗିଥିଲେ, ଅନ୍ୟାୟ କିଛି ନ କଲେ, କେହି ପୁରସ୍କାର ନ ଦେଉ ପଛେ, ବିପଦ ପଡ଼ିବ ନାହିଁ, ସେଇଟା ମୁଁ ଜାଣେ ।’’

 

‘‘ହୁଁ’’ ରାଘବ ଚୌଧୁରୀ କହିଲେ, ତା ଆଖିକୁ କଟମଟ କରି ଅନାଇଲେ । କହିଲେ, ହଉ ‘‘ଯାଉନ୍ତୁ ।’’

 

ସକାଳ ଆଠଟାରେ ବସ୍‌ରେ ବସି ଦିନ ଏଗାରଟା ବେଳେ ବିନୋଦ ଗଣ୍ଡିକଟା ଗାଁରେ ବସ୍‌ରୁ ଓହ୍ଲାଇଲା ବେଳେ ରଂପୁର୍‌ ଥାନାର ପୁଲିସ୍‌ କନେଷ୍ଟବଳଟିଏ ତା ପାଇଁ ଅପେକ୍ଷା କରିଥିଲା । ସେ ଲକ୍ଷ୍ୟ କଲା, ତାକୁ ଦେଖି ସ୍ଥାନୀୟ ଲୋକଙ୍କ ଭିତରେ କିପରି ଏକପ୍ରକାର ତତ୍ପରତା ଖେଳିଗଲା, ପାଖେ କେତେଜଣ, ଆର ପାଖେ ଆଉ କେତେଜଣ ଦୂରରେ ଥିବା ଅନ୍ୟମାନଙ୍କୁ ହାତ ହଲାଇ ଠାରି ଦେଇ ଦୌଡ଼ି ଦୌଡ଼ି ପଳାଇଲେ ।

 

‘‘ରହିବାକୁ କୋଉଠି ଜାଗା କରା ହୋଇଛି ?’’ ବିନୋଦ ପଚାରିଲା ।

 

‘‘ଯୋଡ଼ିଏ ଜାଗା ଅଛି ସାର୍‌ । ଗୋଟିଏ ବଗିଚା ଭିତରେ ଜଣକର ଖାଲିଘର ଅଛି, ସେଠି ଇନିସ୍‌ପେକ୍ଟର ସାହେବ ଅଛନ୍ତି, ସବ୍‌ଇନିସ୍‌ପେକ୍ଟର ବାବୁ ରହିଛନ୍ତି, ପୁଲିସ୍‌ କ୍ୟାମ୍ପ ସେଇଠି ପଡ଼ିଛି । ହଜୁର ଚାହିଁଲେ ସେଇଠି ରହିବେ, ଖାଲି ବଖରା ଅଛି, ସବୁ ସୁବିଧା ଅଛି ।’’

 

‘‘ଆଉ କୋଉଠି ?’’

 

‘‘ଗାଁ ଆରମୁଣ୍ଡେ, ସେଠି ଅନ୍ୟ ଗାଁକୁ ଯିବାବାଟ, ପୋଖରୀଟିଏ, ଖଣ୍ଡେ ଛାଡ଼ି ମଶାଣିଟା, ଜାଗାଟା ଟିକିଏ ନିଛାଟିଆ । ସେଠି ଗାଁର ନି: ପ୍ରା: ସ୍କୁଲ ଘର ଅଛି, ଆଜି ରବିବାର ବୋଲି ଛୁଟି । ହଜୁର ମନ କଲେ ସେଠି ବି କ୍ୟାମ୍ପ କରି ପାରିବେ । ଗାଠୁଁ ଟିକିଏ ଛଡ଼ା, ପାଖରେ ଭଦ୍ରଲୋକ ବସ୍ତି ନାହିଁ, କେଇଟା କଣ୍ଡରା ଘର, ଧୋବା ଘର, ଗଉଡ଼ ଘର–’’ ସେ ଆହୁରି କ’ଣ ବର୍ଣ୍ଣନା ଲମ୍ୱେଇଥାନ୍ତା, ବିନୋଦ କହିଲା, ‘‘ସେଇ ଇସ୍କୁଲଠିଁକି ଯିବା ।’’

 

ବେଡ଼ିଂ, ଟିଫିନ–କ୍ୟାରିଅର ଗୋଟିଏ କୁଲିକୁ ଦେଇ ତା ପଛେ ପଛେ ବିନୋଦର ସୁଟ୍‌କେଶ୍‌ ଓ ନିଜର ଛୋଟ ବିଛଣାଟି ଧରି ଚପରାସି ଜଗୁ ଚାଲିଲା, ତା ପଛେ ପଛେ ଗଲା ବିନୋଦ ।

 

‘‘ସେ ଇସ୍କୁଲ୍‌କୁ ନେଇଯିବ ହଜୁର,’’ କନେଷ୍ଟବଳ କହିଲା, ‘‘ମୁଁ ଏ ବାଟେ ଯାଉଛି, ଇନିସ୍‌ପେକ୍ଟର, ସବ୍‌ଇନିସପେକ୍ଟରଙ୍କୁ ଖବର ଦେଇଦେବି, କହିଥିଲେ । ଇସ୍କୁଲଘରେ ଚୌକିଆ ଜଗିଛି, ବାକି ସବୁ ପହଞ୍ଚିଯିବେ ।’’

 

କୁଲିଟିର ନା ବଳି ଭୋଇ, ବୟସ ପଚାଶ ହେବ, ଟିକି, ବାଙ୍ଗରା ଲୋକ, ହାଡ଼ୁଆ କିନ୍ତୁ ଦମ୍ଭିଲା ଗଢ଼ଣ । ଜଗୁକୁ ପଛରେ ରହିବାକୁ କହି ବିନୋଦ ସେ କୁଲିର ପାଖେ ପାଖେ ଚାଲିଲା । କହିଲା, ‘‘ଯାଇହଉ, ତାଷଟା ଭଲ ହେଇଚି, ନା କଣ କହୁଚ ?’’

 

‘‘ହଁ, ଭଲ ହେଇଚି, ଇନ୍ଦ୍ର ପାଳିଲା,’’ ବଳି ଭୋଇ କହିଲା, ‘‘ତେବେ ଯାହାର ଜମିନାଇଁ, ତାର ତହିଁରେ କି ଆସେ ଯାଏ ?’’

 

‘‘ତୁମର ଚାଷଜମି ନାଇଁ ?’’ ବଳି ମୁଣ୍ଡ ହଲେଇଲା ।

 

‘‘କିଏ ଦେବ ? ଏ ଥିଲା ଲୋକେ ? ଆଉ କାହାର ଦବା ହାତ ଅଛି ? ନା ଧର୍ମ ଅଛି ? ତାଙ୍କର ବଢ଼ିଲେ ସେ ତାକୁ ନେଇ ଘରେ ପୂରେଇବେ । ଆମର ଯୋଉ ନିଅଣ୍ଟକୁ ସେଇ ନିଅଣ୍ଟ । ଭଲ ତାଷ ହେଲା ବୋଲି ମୂଲ କଣ ବଢ଼େଇବେ ?’’ ସେ ଗୁମ୍‌ ହେଲା, ଆଉ ତାର କହିବାକୁ ଯେପରିକି ଇଚ୍ଛା ନାହିଁ ।

 

‘‘ତୁମ ଗାଁରେ ପରା ଯାତ୍ରା ଆସୁଛି ?

 

‘‘ଆମର କି ଯାଏ ସେ ଯାତ୍ରା ଫାତ୍ରାରେ ବାବୁ । କୋଉ ପେଟ ପୂରିବ ? ସବୁ ବର୍ଷ ହୁଏ, ଏ ବର୍ଷ ବି ହେବ, ଯେ, ଏବର୍ଷ ବସିଛନ୍ତି ମୁଣ୍ଡ ଫଟାଫଟି ହେବେ । ସେ ପାଖକୁ ଯିବାକୁ ଡର-।’’

 

‘‘କାଇଁକି ?’’

 

‘‘କାଇଁକି ବୋଲି କଣ କହିବି ? ବଡ଼ଲୋକଙ୍କ ଖେଳ । ପଇସା ବେଶିଥିଲେ ଝଡ଼େଇ ହେବାକୁ ମନ ହୁଏ ସିନା, ଆମର ହବ ? କହ ବାବୁ, ଠାକୁର ତ ସମସ୍ତିଙ୍କର, ସେ କଣ କହିଛନ୍ତି କାହାସଙ୍ଗେ ଖୁରି କର ?’’

 

‘‘କିଏ ଖୁରି କରୁଛି ?’’

 

ୟାଡ଼ୁକୁ ସ୍ୟାଡ଼ୁକୁ ଅନାଇଁ ବଳି କହିଲା, ‘‘ବାବୁ, ବଡ଼ଲୋକଙ୍କ କଥା ଆମୁକୁ ପଚାର ନାହିଁ । ତାଙ୍କ ହାତରେ ପଇସା, ତାଙ୍କ ହାତରେ ପୁଲିସ୍‌ । ସହରରୁ ଗୁଣ୍ଡା ଆଣି ରଖେଇଛନ୍ତି ଦାଶରଥୀ ସାହୁ ଖମାର ଘରେ, ମଦ ମାଉଁସ ଦେଇ ସାଇତିଛନ୍ତି । ନାନା ହତିଆର ରଖିଛନ୍ତି । ବାଣ ସାଙ୍ଗରେ କୁଆଡ଼େ ବୋମା ରଖିଛନ୍ତି । ସେମାନେ ହେଲେ ଗୋପୀନାଥ ଦଳ । ଗାଁରେ ତ ଦି’ଦଳ । ୟାଙ୍କ ଠାକୁର ଗୋପୀନାଥ, ଏ ଦଳରେ ଦେଖିବ ବଡ଼ ବଡ଼ ଜମି ମାଲିକ, ବଡ଼ ବଡ଼ ବେପାରୀ, ପଇସା ସବୁ ଜାଣ ଏଇପଟେ । ଏମାନେ ଲୋଡ଼ୁଛନ୍ତି, ଗାଁର ଆଉ ସମସ୍ତିଙ୍କି ଡରେଇ ହରେଇ ରଖିବେ । ଲୋକବଳ ବେଶି ଆର ଦଳରେ, କାହାର ଅଳପ ଅଳପ ଜମି, କିଏ ଭାଗଚାଷୀ, କିଏ କୁଲି ମଜୁରିଆ, ଆଉ ଯେତେ ସାନସାନ ହାଟୁଆ ବାଟୁଆ ଜାତି । ତାଙ୍କ ଠାକୁର ହେଲେ ରଘୁନାଥ, ସେ ତ ଗାଁ ଯାକର କୋଉ କାଳର ଠାକୁର । ଆଗେ ତ ସେ ଲୋକେ ସେ ପଇସାବାଲାଙ୍କ ପାଖେ ଛେଳିହୋଇ ରହିଥିଲେ, ଯାହା କହିଲେ ଉଁ ନାଇଁ ଚୁଁ ନାଇଁ, ତେବେ ଏବେ ଆଉ ତା ନାଇଁ ।’’

 

‘‘କଣ ଫେର୍‌ ହେଲା ?’’

 

‘‘ହେଲାଣି ତ କେତେ କଥା ବାବୁ, ଆଉ କଣ ସେ କାଳ ଅଛି ? ତେମେ ଆପଣ କହୁନ-?’’

 

ବିନୋଦ ହସିଲା, କହିଲା, ‘‘ତମ ଗାଁ କଥା ମୁଁ କହିବି ? ତୁମେ କହ । ପାନ ଖାଇବ ? ନିଅ ।’’

 

‘‘ପକେଇ ଦିଅ ବାବୁ ।’’

 

‘‘ନାଇଁ ନାଇଁ, ନିଅ । ହଁ, ସେଉଠୁ ?’’

 

‘‘ଆଉ କଣ ?’’

 

‘‘ସେ କାଳ କଣ ବଦଳିଲା ବୋଲି କହୁଥିଲ ?’’

 

ବଳି କହିଲା, ‘‘ଗାନ୍ଧୀ ମହାତ୍ମା ତାଙ୍କରି ଅମଳ ଆଇଲା । ସମସ୍ତେ ମାତିଲେ । ଆଉ ଯାହା ହଉ ନ ହଉ, ଲୋକଙ୍କ ଭୟ ଛାଡ଼ିଗଲା । କେତେ କେତେ ଲୋକ ଗାଁ ଗାଁକେ କହି ପୋଛି ବୁଲିଲେ, ଯେ ସମସ୍ତେ ମଣିଷ, କେହି କାହାରିକି ଡରିବା କଥା ନୁହେଁ, ଦୋଷ କଲେ ପାପ କଲେ ଡର, ନ ହେଲେ କି ଡର ? ଦେଶ ସ୍ୱାଧୀନ ହେଲା, ଆହୁରି ଡର ଛାଡ଼ିଲା । ଏବେ ଦେଖ ବାବୁ ସେଇ ଗୋପୀନାଥ ଦଳରେ ଯୋଉ ବାବୁମାନେ ଏତେ ନାଟ କରୁଛନ୍ତି, ତାଙ୍କରି ପିଲାଏ ପାଠ ପଢ଼ୁଥିଲେ, ସେଇମାନେ ତ ବେଶି ମାତିଥିଲେ, ଲୋକଙ୍କୁ ବୁଝୋଉଥିଲେ, ସମସ୍ତେ ସମାନ, ସମସ୍ତେ ମଣିଷ, କେହି କାହାକୁ ଡରନା, ଜୁଲୁମ୍‌ କରିବା ଅଧିକାର କାହାରି ନାହିଁ । ତମ ସମ୍ପତ୍ତି ଅନ୍ୟାୟରେ ଛଡ଼େଇନେବା ଅଧିକାର କାହାରି ନାହିଁ ।’’

 

‘‘ଠିକ୍‌ କଥା ତ ।’’

 

‘‘ସେତେବେଳେ ତ କହୁଥିଲେ, ଅଇଚ୍ଛା ଓଲଟି ପଡ଼ିଲେ । ସେମାନେ ବି ହେଲେ ତାଙ୍କ ବାପ ଅଜାଙ୍କ ପରି । ଯେ’ କିଏ ଆଉ ଡରୁଛି ? ଲୋକଙ୍କ ଆଖି ଫିଟିଗଲା । ରଘୁନାଥ ଦଳିଆ ସେଇ ଲୋକେ । ତାଙ୍କ ଭିତରୁ ଲୋକେ ବି ଗାଁ ଛାଡ଼ି ବିଦେଶ ଗଲେ, କଲିକତା, ଟାଟା, ଆସାମ୍‌ କୁଆଡ଼େ କୁଆଡ଼େ । ଦି ପଇସା କଲେ । ସହରରେ କାମ ଧନ୍ଦା କରି ବି ଦି ପଇସା କଲେ । ଆରପଟ ପରି ଧନୀ ଏପଟେ ନାହାନ୍ତି, ତେବେ, ନିଜେ ଖଟି ନିଜେ ଭେଇ ଚଳିବା ଲୋକ ବାହାରିଲେଣି କେତେ । ଯେ ପଦାକୁ ଯାଉଚନ୍ତି ସେ ଆସି କହୁଚନ୍ତି । ମଣିଷ ତ ସମସ୍ତେ, ଖଟିଲେ ଖାଇବ, ମିଛଟାରେ ଅନ୍ୟ ମଣିଷଙ୍କୁ ଡରିବ କାହିଁକି ? ଏଇଥିରୁ ମହାଭାରତ ଆରମ୍ଭ । ଏ ପଟେ, ରଘୁନାଥ ପଟେ, ଏମାନେ ବି ମେଣ୍ଟ କଲେ, ଯାନି ଯାତ୍ରା, ନାଟ ତାମସା କରନ୍ତି । ସେ ଗୋପୀନାଥ ଦିଅଁ ସେମିତି । ଏ ପଟେ ଲୋକବଳ ସେ ପଟେ ଧନବଳ । ବଡ଼ବଡ଼ୁଆଙ୍କ ସାହାପେକ୍ଷ । କେଜାଣି କେତେ ମକଦ୍ଦମା ଲଗେଇଲେଣି । ଚଦାଚଦି ହେଇଚନ୍ତି, ଗୋପୀନାଥ ମହାପୁରୁଙ୍କ ବିଜେ ପ୍ରତିମା ଯାତ୍ରା ପଡ଼ିଆକୁ ନେଲା ବେଳେ ରଘୁନାଥ ପଟିଆଙ୍କ ସାହିବାଟେ ଯାତ୍ରା କରି କରି ଯିବେ, ସେତିକିବେଳେ ବାଜା ବଜେଇ ଟେହିବେ ।’’

 

‘‘କେମିତି ?’’

 

‘‘ଜାଣିନା ବାବୁ ? ନାନା କଜିଆ ବାଜା ଅଛି । ସେ ମୃଦଙ୍ଗ ବାଜା ନିଜେ ଡାକ ଦବ,–‘ଘଣ୍ଟ ଥୁଅ, ମାଦଳ ଥୁଅ, ଡେଇଁ ପଡ଼ରେ ବେଧେଇ ପୁଅ ।’’ କହିଲ କାହା ରକ୍ତ ସମ୍ଭାଳି ହେବ ।’’

 

‘‘ସେଉଠୁ ?’’

 

‘ଏପଟ ବାଲା ଆଗରୁ ହୁସିଆର କରିଛନ୍ତି, ଖବର୍‍ଦାର, ସାହିକି ଆମେ ଛାଡ଼ିବୁ ନାହିଁ, ତମର ପଇସାବଳ, ତମର ଆଇନ୍‌ବଳ, ଆମର ଯେ ଠେଙ୍ଗାବଳ । ଏମାନେ ଜିଦି ଧରିଛନ୍ତି, ତାଙ୍କରି ସାହିବାଟେ ଯିବେ ! ବାଜାରେ ଗାଳି ଦେବେ, ଗୀତ ଗାଇ ଗାଳି ଦେବେ, ଘର ଉପରକୁ ବାଣ ଫୋପାଡ଼ିବେ । କିଏ ପାଟି ଫିଟେଇଲେ ସାଙ୍ଗରେ ଗୁଣ୍ଡାଥିବେ ପିଟାହଣା ବେଜିତ୍‌ କରିବେ, ସାହି ନାରଖାର କରିଦେବେ ।’’

 

‘‘ତେମେ ବଳି କୋଉ ପଟ ? ରଘୁନାଥ ପଟ ତ ?’’

 

‘‘ଆମେ ଗରିବ ଗୁରୁବା କୋଉ ପଟ ହବୁ କାହିଁକି ବାବୁ ? ମୁଁ ତ ଯିବି ନାଇଁ, କି ମୋ’ ଘରୁ କେହି ଯିବେ ନାଇଁ । କିଏ ଜାଣି ଜାଣି ଗୋଳହାଣ ଭିତରକୁ ଯିବ ଯେ ? କେତେ କେତେ ଗାଁରୁ ପିଲା ମାଇପେ ମିଣିପେ ଯାତ୍ରା ଦେଖି ଆସିଥିବେ, ସେଇ ଗୁଡ଼ାକ କାଉଳି ହେବେ ବାବୁ, ନିର୍ଦ୍ଦୋଷୀ ଲୋକଙ୍କ ମୁଣ୍ଡ ଫାଟିବ, ହାଡ଼ ଗୋଡ଼ ଚୂନା ହେବ ।’’

 

‘‘କଣ କଲେ ଭଲ ହ’ନ୍ତା ତୁମେ ଭାବୁଚ ?’’

 

‘‘ମୁଁ ? ଏଡ଼େ ବଡ଼ ବଡ଼ ମୁଣ୍ଡ ଥାଉଣୁ ଏ ମୂଲିଆ ସେ କଥା କହିବ ? ତେମେ ଆପଣ ହାକିମମାନେ ଅଛ, ପୁଲିସ ବାବୁମାନେ ଅଛନ୍ତି, ଗାଁର ବଡ଼ବଡ଼ ଲୋକ ଅଛନ୍ତି, ତାଙ୍କ ବୁଦ୍ଧିରେ ଯୋଉଟା ନ ହେବ ସେଇଟା ହବ ମୋ ବୁଦ୍ଧିରେ ?’’

 

‘‘ତୁମେ କଣ କିଛି ଭାବି ପାରୁନାହଁ ବଳି ? ତୁମ ଘର ତ ପୁଣି ତୁମେ ସୁଖେ ଚଳୋଉଥିବ ?’’

 

‘‘ମୋର ହୁଣ୍ଡା ବୁଦ୍ଧି ବା, । ମୁଁ ହେଲେ କହନ୍ତି, ଗାଁ ଲୋକେ ଏକାଠି ବସି ନିଶାପ କରି ମିଳିମିଶି ନ ଯିବାଯାକେ ଠାକୁର ଦିହିଁଙ୍କଯାକ ଯାତ୍ରା ତାଙ୍କରି ଦେଉଳରେ ହଉ, ଯେ ଆସୁଚି ଆସୁ, ଦର୍ଶନ କରୁ, ଭୋଗ ପାଉ, ଠାକୁରଙ୍କୁ ତାଙ୍କ ବେଢ଼ା ବାହାରକୁ ନିଆ ନ ଯାଉ, କି ଠାକୁରଙ୍କ ପାଇଁ କଳି ନ ଲାଗୁ ।’’

 

‘‘ଏ ତ ଖୁବ୍‌ ଭଲ ନିଷ୍ପତ୍ତି, ଗାଁ ଲୋକଙ୍କୁ କହୁନା ?’’

 

‘‘କହିଲେ ଶୁଣିବ କିଏ ? ବାବୁ ଦେଖ, ତେମେ ମତେ ଗପେଇଲ, ମୋର ଦୋଷ ନାଇଁ ମୁଁ କହିଲି । ଶୁଣିଲେ ବଡ଼ ବଡ଼ମାନେ ମତେ କଣ ଯେ କରିବେ ସେ ଜାଣନ୍ତି । କାହା ଜିଭରେ ହାଡ଼ ଅଛି କଥା କହିବ ? ଶୁଣିଲେ କହିବେ ତୁ ଟା ଏଡ଼େ ବଡ଼ ମଣିଷ ହେଇଗଲୁ ପାଟି ଫିଟୋଉଚୁ ?’’

 

‘‘ନାଇଁ ନାଇଁ ତା କାହିଁକି କହିବେ ?’’

 

‘‘ତେମେ ଜାଣିନା ବାବୁ, କେହି ଶୁଣିବା ଅବସ୍ଥାରେ ନାହାନ୍ତି । ଗୋପୀନାଥ ପଟିଆଙ୍କର ତ ସହଜେ ପଇସା ବଳରେ ମୁଣ୍ଡ ଗରମ୍‌, ପଇସା ଯାହାର ସବୁ ତାର ଏ ଯୁଗରେ । ଆର ପଟେ ବି ଆଉ ମିଁ ମିଁ କିଆ ନୁହନ୍ତି କି ସମସ୍ତେ କିଛି ତୁଳସୀ ଗଛ ନୁହନ୍ତି, ବାଇବିଛୁଆତୀ ବି ଅଛନ୍ତି । କହୁଚନ୍ତି ଆରେ ଆମେ ଏତେଲୋକ, କାହାକୁ କି ଡର ? ମୁଣ୍ଡ ଗଲେ ଯାଉ, ଇଜତ ମହତ ରହୁ, କଥା ରହୁ, ମରିବା ତ ଦିନେ, ଡରିବା କାଇଁକି ? ଦି ପକ୍ଷ ଦୋକଛି ଚଢ଼େଇ ମୁସ୍ତେଜ୍‌ । ବୁଝେଇବ କାହାକୁ ?’’

 

‘‘ତା ହେଲେ ରଘୁନାଥ ପଟିଆ ବି କିଛି ଊଣା ନୁହନ୍ତି କହୁଚ ?’’

 

‘‘କିଏ ବେଶି କିଏ ଊଣା ତା’ ମୁଁ କଣ କଳି ପାରିବି ବାବୁ ? ସବୁ ମଣିଷ ଭଲ, କି ମଣିଷର ସବୁଗୁଣ ଭଲ ଏମିତି କୋଉଠି ହେଲାଣି ? ତେବେ ତାରି ଭିତରେ ସମସ୍ତେ ମିଳିମିଶି ଚଳିବା କଥା । ଏଠି ତା ନାହିଁ । ହଁ ଏଇଟା ସତ ଯେ ଏଥର କଳିଟା ବାହାରିଚି ସେ ଗୋପୀନାଥ ପଟଆଡ଼ୁ, ଗର୍ବରେ ସେମାନେ ଧରାକୁ ସରା ମଣୁଛନ୍ତି । ସେମାନେ ଲଗୋଉଛନ୍ତି ବୋଲି ସିନା ଆର ଦଳଟା ନାଚୁଛନ୍ତି, ନଇଲେ ତାଙ୍କର ପଇସାବଳ ଅଛି, ନା କାମଧନ୍ଦା ଛାଡ଼ି ଏଥିରେ ମାତିବାକୁ ବେଳ ପାଆନ୍ତେ ? ଦିନୁ ଦିନ ସହି ସହି ରାଗି ରାଗି ମାତି ଯାଇଛନ୍ତି, ରାଗିଲେ ମଣିଷ ଅସମ୍ଭାଳ ।’’

 

ଇସ୍କୁଲ ଘର ହେଲା । ପୁଲିସ୍‌ ଇନିସ୍‌ପେକ୍ଟର, ସବ୍‌–ଇନିସ୍‌ପେକ୍‌ଟରଙ୍କ ସହିତ ଗାଁର ପ୍ରାୟ ପନ୍ଦର ଜଣ ଭଦ୍ରଲୋକ ବିନୋଦ ଆଡ଼କୁ ଆଗେଇ ଆସିଲେ । ନମସ୍କାର ଓ ପରିଚୟ ଆଦି ଚାଲିଲା । ବିନୋଦ ବୁଝିଲା, ଗାଁର ଯେଉଁ ଲୋକେ ଆସିଛନ୍ତି ତହିଁରେ କେବଳ ଚାରି ପାଞ୍ଚ ଜଣ ରଘୁନାଥ ଦଳର, ଅନ୍ୟମାନେ ଗୋପୀନାଥ ଦଳର, ଗାଁର ଧନୀ ମୁଖିଆଲୋକେ । ଦୁଇଦଳ ଅଲଗା ଅଲଗା ଦଳ ହୋଇ ଠିଆ ହେଲେ । ବିନୋଦ କହିଲା, ‘‘ସାଢ଼େ ଏଗାର ବାଜିଛି, ମୁଁ ତ ବର୍ତ୍ତମାନ ପହଞ୍ଚୁଛି । ଏ ଭଦ୍ରଲୋକମାନେ ଯାଉନ୍ତୁ, ଗାଁରେ ଖବର ଦିଆଯାଉ ଦିନ ସାଢ଼େବାରରୁ ଗୋଟାଏ ଭିତରେ ଆମେ ସମସ୍ତେ ଗାଁ ମଝିରେ ଠାଏ ରୁଣ୍ଡ ହେବା, ସେଇଠି ସବୁ କଥା ଇନ୍‌କ୍ୱାଇରି ଆରମ୍ଭ ହେବ । ଇତ୍ୟବସରେ ମୁଁ ମୋ ଖିଆପିଆ କାମ ସାରିଦେବି ।’’

 

ସବ୍‌ଇନିସ୍‍ପେକ୍ଟର ମିଶ୍ରବାବୁ କହିଲେ, ‘‘ଆପଣ ସେଠି ରହିବେ ବୋଲି ସବୁ ସୁବିଧା ହୋଇଥିଲା ସାର୍‌ ।’’

 

‘‘କୋଉଠି ?’’

 

‘‘ଏ ଗାଁର ଦାଶରଥୀ ସାହୁଙ୍କ ବଗିଚା ଘରେ । ସାହୁବାବୁ ଏ ଅଞ୍ଚଳଯାକର ନାଁ ଡାକ ଭଦ୍ରଲୋକ, ସହଜେ ତ ଖୁବ୍‌ ବଡ଼ଲୋକ, କିନ୍ତୁ ଏପରି ଭଲଲୋକ କ୍ୱଚିତ୍‌ ଥାନ୍ତି । ସେଥିପାଇଁ ସମସ୍ତିଙ୍କର ତାଙ୍କୁ ଆଦର । ଆଉ, ଯେ ଏ ଗାଁକୁ ଆସନ୍ତି ତାଙ୍କରି ସେହି ବଗିଚାଘରେ ରହନ୍ତି । ଆମେ ସବୁ ତ ସେଇଠି ଅଛୁ, କିନ୍ତୁ ଆହୁରି ସେଠି ଖାଲିବଖରା ଅଛି । ସବୁ ବ୍ୟବସ୍ଥା ସେଠି ଅଛି, କିଛି ଅସୁବିଧା ହ’ନ୍ତା ନାହିଁ । ଦାଶରଥୀ ବାବୁ ସହରକୁ ଯାଇଛନ୍ତି, ଏ ବାବୁ ଭାଗୁ ସାହୁ, ସେ ତାଙ୍କ ତଳ ଭାଇ, ଆପଣଙ୍କୁ ଡାକିବାକୁ ଆସିଛନ୍ତି ।’’

 

‘‘ନାହିଁ, କାହିଁକି କଷ୍ଟକରି ସେଥିପାଇଁ ଆସିଲେ, ଏଠି ମୋର କିଛି ଅସୁବିଧା ହେବନାହିଁ-। ଖଟିଆ ଖଣ୍ଡେ ଥିଲେ ଭଲ ହୋଇଥାନ୍ତା, ନ ହେଲେ ବି ଚଳିଯିବ ।’’

 

‘‘ଖଟ ଆସିଯିବ ସାର୍‌, କିନ୍ତୁ–’’

 

‘‘ନାଇଁ ଥାଉ, ରାତିକି ଯଦି ରହେଁ ତେବେ ଦେଖିବେ ।’’

 

ଭାଗୁ ସାହୁ ଥାକୁଲା ହୋଇ ଲୋକଟିଏ, ବେକରେ ଗୋଟିଏ ସରୁ ସୁନା ‘ଗାପ’, ଦେହରେ ଧଳା କାମିଜ୍‌ଟିଏ, ବଡ଼ ମୁଣ୍ଡ, ବାଳ ଅଧେ ଅଧେ ପାଚିଥାଏ । କହିଲେ–

 

‘‘ସେଇଠିକି ପାଦ ପଡ଼ୁ ହଜୁରେ । ସେତିକି ମୋର ଗୁହାରି ।’’

 

‘‘ନାଇଁ ନାଇଁ ଏଇଠି ମୁଁ ରହିଲି ।’’

 

‘‘ଯେଉଁ ଅଫିସର ଆଇଲେ ସେତିକି ଆମୁକୁ ଦୟା କରିଥାନ୍ତି ହଜୁର, ବାପାଙ୍କ ଅମଳରୁ, ଆଜି ନୂଆ ନୁହେଁ । କଲେକ୍ଟର ସାହେବ କେତେଥର ରହିଛନ୍ତି, ଏସ୍‌. ଡ଼ି. ଓ ସାହେବ ଏପଟକୁ ଆସିଲେ ଇ ସେଇଠିକି ବିଜେ କରନ୍ତି, ତହସିଲ୍‌ଦାର ତ ସବୁଥର, ହଜୁରେ ନିଦୟା ହୁଅନ୍ତୁ ନାଇଁ ।’’

 

‘‘ହେଲା ହେଲା ସାହୁଏ, ମନରେ ଏଇ ସ୍ନେହ ଥାଉ । ବହୁତ ଧନ୍ୟବାଦ । ମୁଁ ତ ସରକାରୀ କାମରେ ଆସିଛି, ଇନ୍‌କ୍ୱାଇରି ସଇଲେ ଫେରିଯିବି, ନାକୁ କେଇଘଣ୍ଟା ପାଇଁ ଗୋଟାଏ ବସା, ମୋର ମୁଁ ଏଇଠି ରହିବି ।’’

 

ଇନିସ୍‌ପେକ୍ଟର ରାୟବାବୁ କହିଲେ, ‘‘ଆଉ ବଳାନ୍ତୁ ନାହିଁ ସାହୁ ବାବୁ, ଆଜ୍ଞାଙ୍କୁ ଯାହା ସୁବିଧା ହେବ । ତେବେ ଆପଣମାନେ ଯାଉନ୍ତୁ, ଆଉ ଘଣ୍ଟାଏ ପରେ ଗାଁ ମଝିକି ଆସନ୍ତୁ ।’’

 

ସେମାନେ ଚାଲିଗଲେ । ରାୟ କହିଲେ, ‘‘ପ୍ରକୃତରେ ଖୁବ୍‌ ଭଦ୍ରଲୋକ, ଖୁବ୍‌ସ୍ନେହୀଲୋକ ଏ ସାହୁଘର । ଆପଣ ଆସିବେ ବୋଲି ବିଚରା ଭାଗୁ ସାହୁ ସକାଳୁ ସେଠି ରହି ସବୁ ବ୍ୟବସ୍ଥା ବୁଝାବୁଝି କରୁଥିଲେ । ରୋଷେଇ ତ ସେଠି ହୋଇକରି ଥୁଆ ହୋଇଛି । ତା ହେଲେ ମଗାଇ ଦିଏଁ, ଏଇଠି ଖାଇ ବିଶ୍ରାମ ନେବେ ।’’

 

ବିନୋଦ ହସିଲା । କହିଲା, ‘‘ନା, ମଗେଇବା ଦରକାର ନାହିଁ, ତାହେଲେ ଘରୁ ଯାହା ମୋ ସ୍ତ୍ରୀ ରାନ୍ଧି ସଙ୍ଗରେ ପଠେଇଛନ୍ତି ସେଗୁଡ଼ିକ ନଷ୍ଟ ହେବ ଯେ । ବରଂ ଆପଣ ଦିହେଁ ବସିପଡ଼ନ୍ତୁ ମୋ ସଙ୍ଗରେ, ଯଥେଷ୍ଟ ଅଛି ।’’

 

‘‘ନା ସାର୍‌, ଆମର ତେଣେ ହୋଇଛି ।’’

 

‘‘ହଉ, ମୁଁ ବଳେଇବି ନାହିଁ । ଅଟେକେଇବି ନାହିଁ । ଖାଲି ଟିକିଏ । ମତେ ଟିକିଏ ଯଦି ବୁଝେଇ ଦିଅନ୍ତେ–’’

 

‘‘ସବୁ ବୁଝେଇ ଦଉଚି ଆଜ୍ଞା, କାଗଜପତ୍ର ସବୁ ସାଙ୍ଗରେ ଅଛି ।’’

 

ଇନିସ୍‌ପେକ୍ଟର ଓ ସବ୍‌ଇନସ୍‌ପେକ୍ଟର ଯାହା ବୁଝାଇ ଦେଲେ, ତାର ସାରାଂଶ ହେଲା ଯେ ଗୋପୀନାଥ ଦଳର ଲୋକେ ଭଦ୍ରଲୋକ, ଶାନ୍ତ ସୁଧାର, କୁହାର ବୋଲାର, ଆଇନ୍‌ ମାନି ଚଳନ୍ତି, ରଘୁନାଥ ଦଳର ଲୋକେ ତାର ଠିକ୍‌ ଓଲଟା, ଦିନୁ ଦିନ ତାଙ୍କ ଅଦୋଉତି ବଳୋଉଛି । କେଉଁବାଟେ ଗୋପୀନାଥଙ୍କ ବିଜେ ପ୍ରତିମା ଯାତ୍ରା ପଡ଼ିଆକୁ ଯିବେ ତାର ନକ୍‌ସା କଟା ହୋଇଛି, ପୁଲିସ୍‌ଠୁଁ ଲିଖିତ ଅନୁମତି ମିଳିଛି, ଗାଁରେ ସମସ୍ତିଙ୍କୁ ବୁଝାଇ ଦିଆହୋଇଛି କିନ୍ତୁ ତଥାପି ରଘୁନାଥ ଦଳିଆ ବସିଛନ୍ତି ଗୋଳମାଳ କରିବେ, ସେଥିପାଇଁ ସବୁ ଆୟୋଜନ କରି ସାରିଛନ୍ତି । ‘‘ଆପଣ ସେହିପରି ରିପୋର୍ଟ ଦେଇ ଦିଅନ୍ତୁ ଆଜ୍ଞା,’’ ଇନିସ୍‌ପେକ୍ଟର କହିଲେ, ‘‘ସୁପାରିସ୍‌ କରାଯାଉ ଯେ ଯାହାମନ ତା’ ହେଉ, ଆଇନ୍‌ କୋହଳ ନ ହେଉ, ଯେଉଁବାଟେ ଠାକୁର ନେବାପାଇଁ ଅନୁମତି ଦିଆ ସରିଛି, ଠାକୁର ସେହିବାଟେ ନିଆ ହେଉନ୍ତୁ । ସଙ୍ଗରେ ପୁଲିସ୍‌ ଥିବେ, କେହି ଗଣ୍ଡଗୋଳ କଲେ ଗିରଫ୍‌ କରିବେ । ସେତେବେଳେ କେହି ବାଧାଦେଲେ କି ଆକ୍ରମଣ କଲେ ଲାଠି ଚାଲିବ, ଆହୁରି ଗଣ୍ଡଗୋଳ କଲେ ଦରକାର ପଡ଼ିଲେ ଗୁଳି ଚାଲିବ, ସେଥିପାଇଁ ଆଗରୁ ବନ୍ଧୁକୀ ପୁଲିସ୍‌ ଅଣାହେଇ ରହିବେ । ତାପରେ ଧରପଗଡ଼, ମକଦ୍ଦମା, ବିଚାର ଓ ଜେଲ୍‌, ଗଣ୍ଡଗୋଳ କରିବା ଲୋକଙ୍କୁ ଉଚିତ୍‌ ଶିକ୍ଷା ମିଳିବ, ତାଙ୍କ ଅଣ୍ଟା ଭାଙ୍ଗିଯିବ, ସେପରି ଗଣ୍ଡଗୋଳ କରିବାକୁ ଆଉ କେହି ସାହସ କରିବେ ନାହିଁ ।’’

 

‘‘ଲାଠିମାଡ଼ ! ଗୁଳି !’’

 

‘‘ଦରକାର ପଡ଼ିଲେ ଆଉ ଉପାୟ କଣ ? ଶାନ୍ତିଶୃଙ୍ଖଳା ତ ରକ୍ଷା କରାଯିବ । ନ ହେଲେ ଏ ଦେଶରେ ଲୋକେ ଚଳିବେ କେମିତି ?’’

 

‘‘ଦେଖେଁ କଣ ହୋଇଛି, ଇନିସ୍‌ପେକ୍ଟର ବାବୁ, ଇନ୍‌କ୍ୱାରିଟା ସରୁ । ତା ଆଗରୁ, ଯଦି ପାରିବେ ତେବେ ନା, ଗାଁ, ବିବରଣୀ ସହିତ ମତେ ଟିକିଏ କହନ୍ତୁ ଆପଣମାନେ ଏଠି କଣ କଣ ବୁଝିଲେଣି ।’’

 

‘‘ରଘୁନାଥ ଦଳର ମୁଖିଆ ମୁଖିଆ ଗଣ୍ଡଗୋଳିଆ ଲୋକଙ୍କ ନାଁ କହିବି ।’’

 

‘‘କିଏ କି ଗଣ୍ଡଗୋଳ କଲେ, କେବେ କଲେ, ସେଇଟା ବି ?’’

 

‘‘ସେ ସବୁ ଟିକିନିଖି କରି କାଳକ୍ରମେ ଯୋଗାଡ଼ କରା ହେବ ଆଜ୍ଞା, ମକଦ୍ଦମା କଚିରିକି ପଠାହେବା ଆଗରୁ ସବୁକାମ ସରିଥିବ, ଅଇଛା କେବଳ ମୋଟାମୋଟି ଭାବେ ସେହି ଗଣ୍ଡଗୋଳିଆ ନେତାମାନଙ୍କ ନାଁ ଅଛି । ଆମର ଖବର, ଯେତେ ପ୍ରକାର ଦୁଷ୍କର୍ମ କଳ୍ପନା କରାଯାଇପାରେ ସେମାନେ ସବୁଥିରେ ଏକ୍‌ ନମ୍ୱର୍‌ ।’’

 

‘‘ଆଚ୍ଛା । ବୁଝିଲି, ଆର ପକ୍ଷର ନେତାମାନଙ୍କ ନାଁ ?’’

 

‘‘ଅଛି, ଦେବି । ସେହିମାନେ ଏ ଗାଁର ଭଦ୍ରଲୋକ । ସେମାନେ ଅଛନ୍ତି ବୋଲି ଗାଁଟା ଅଛି । ନ ହେଲେ ଚୁଲିକି ଯାଆନ୍ତାଣି ।’’

 

‘‘ସବ୍‌ଇନିସ୍‌ପେକ୍ଟର ବାବୁ, ଗୋଟିଏ ବିଷୟରେ କିଛି ତଥ୍ୟ ନେଇପାରିବେ ? ଏ ଦୁଇପକ୍ଷ ଭିତରେ ଆଗେ କେବେ କଳି ଲାଗିଥିଲା ?’’

 

‘‘କଳି ତ ଗଲା ଦଶବାର ବର୍ଷର, ଭିତରେ ଭିତରେ ଥାଏ, ମଝିରେ ମଝିରେ କୁହୁଳେ, କେତେ କେତେ ବେଳେ ମକଦ୍ଦମା ଲାଗେ ।’’

 

‘‘ଯେତେଦୂର ପାରନ୍ତି, ସେହି ମକଦ୍ଦମାଗୁଡ଼ାକର ତାଲିକା, ସମୟ, ପକ୍ଷମାନଙ୍କ ନାଁ, ଅଭିଯୋଗର ସାରାଂଶ, କଚିରିରେ ପରିଣାମ, ସେମିତି ଗୋଟିଏ ଲେଖାଁ ଯଦି ମିଳନ୍ତା–’’

 

‘‘ଆମ ଥାନାରୁ ଯାହା ଯାହା ମକଦ୍ଦମା ପଠା ହୋଇଥିଲା ତାର ତାଲିକା ତିଆରି କରି ଦେଇ ପାରିବି, ତା ଛଡ଼ା ଲୋକେ ପରସ୍ପର ବିରୁଦ୍ଧରେ ଯେଉଁ ମକଦ୍ଦମା ସବୁ କରିଥିଲେ ସେମାନେ ଅବା କହିପାରିବେ, ଆମ ପାଖରେ ତ ନାହିଁ ।’’

 

‘‘ଆଉ ଏ ଯାତ୍ରା ବେଳେ ପୂର୍ବେ କେବେ ଗଣ୍ଡଗୋଳ ଘଟିଥିଲା ?’’

 

‘‘ନାହିଁ ତ । ଏବର୍ଷ ହିଁ ଗଣ୍ଡଗୋଳଟା ବେଶି, ରଘୁନାଥ ଦଳିଆ ବେଶି ମାତିଛନ୍ତି ।’’

 

‘‘ଆପଣମାନେ ଯାଆନ୍ତୁ, ଘଣ୍ଟାଏ ପରେ କାହାକୁ ପଠେଇବେ, ଗାଁ ମଝିକି ମତେ ନେଇଯିବ ।’’

 

ଇନିସ୍‌ପେକ୍ଟର କହିଲେ,–‘‘ଲୋକଙ୍କୁ ତ ଏଇଠିକି ଡକେଇ ଆଣିଲେ ହୁଅନ୍ତା ଆଜ୍ଞା ।’’

 

ବିନୋଦ କହିଲା, ‘‘ଦେଖିବା ପଛେ ଯଦି ସେଭଳି ଦରକାର ପଡ଼ିବ । କିନ୍ତୁ ମୁଁ ଭାବୁଛି, ଗାଁ ମଝିରେ ହିଁ ଠାଏ ସମସ୍ତେ ବସନ୍ତେଁ ଭଲ ହ’ନ୍ତା, ସେମିତି ଜାଗା କଣ ନାହିଁ ଏ ଗାଁରେ, ଯେଉଁଠି ନିଶାପ ହୁଏ, ପଞ୍ଚାଏତ୍‌ ବସେ, ଯାନିଯାତ ହୁଏ ?’’

 

ଚୌକିଆ ହାତଯୋଡ଼ି କହିଲା, ‘‘ସାଆଁତ ଘର ମେଲା ଅଛି ହଜୁର୍‌, ବଡ଼ ବଖରା, ତା ଆଗରେ ଉଞ୍ଚ ପିଣ୍ଡା, ତା ତଳକୁ ଖୋଲା ଜାଗା । ଆଗେ ସାଆଁତ ଘର ସେଇ ମେଲାରେ ତ ତାଙ୍କ କଚିରି କରୁଥିଲେ ।’’

 

‘‘କିଏ ସେ ସାଆନ୍ତ ?’’

 

‘‘ପୂର୍ବାବଧି ଏ ଗାଁର ଜମିଦାର ଘର ଆଜ୍ଞା, ହରି ମହାନ୍ତି ଘର ଡାକ୍‌, ଏବେ ସିନା ତାଙ୍କ ଜମିଦାରୀ ଗଲାଣି, ନାଁ କୁଆଡ଼େ ଯିବ ? ଅଇଛା ତାଙ୍କ ପିଲାଏ ବି ଭାରି ପାରିବାର, ସହରରେ କାଠ ଗୋଦାମ କରିଛନ୍ତି, ଗାଁରେ ତାଷ କାହିଁରୁ କଣ ।’’

 

ବିନୋଦ କହିଲା, ‘‘ସେ କଥା ନୁହେଁ, ମୁଁ କହୁଥିଲି ଗାଁ ଲୋକଙ୍କ ପଞ୍ଚାଏତ୍‌ ଯେଉଁଠି ବସେ,–ସେମିତି ଜାଗା କଣ ନାହିଁ ?’’

 

‘‘ସେକଥା ପୁରୁଣା ହେଲାଣି ହଜୁର୍‌ । ଆଗେ ବସୁଥିଲା । ଗାଁ ମଝିରେ ମହାବୀରଙ୍କ ଆସ୍ଥାନ ଆଗରେ ବଡ଼ ମଣ୍ଡପ ଅଛି, ଚାରିକରେ ଖୋଲା ଜାଗା, ବଉଳ, ଚମ୍ପା ନାଗେଶ୍ୱର, କଦମ୍ୱ, ଏମିତି ଝଙ୍କା ଝଙ୍କା ଚାରିଟି ଗଛ, ଛାଇ ଘୋଡ଼େଇଛି । ସେଇଠି ପଞ୍ଚାତି ବସୁଥିଲା । ଯାନିଯାତ୍ରା ହେଉଥିଲା । ପଞ୍ଚାତି କାହିଁ ଆଉ ଏବେ ? ଗାଁ ତ ଦି’ଫାଙ୍କ୍‌, ସଭା କରନ୍ତି ବି ଅଲଗା ଅଲଗା, ସେଠି ନୁହେଁ ।’’

 

‘‘ତେବେ ସେଇଠି ବସା ଯାଉ, ଆସନ୍ତୁ ଦି’ପକ୍ଷ, କଣ ଆସିବେ ନାହିଁ ?’’

 

ସବ୍‌ଇନିସ୍‌ପେକ୍ଟର ହସିଲେ, କହିଲେ, ‘‘ଯୋଉଠିକି ଡକେଇଲେ ଆସିବେ ଆଜ୍ଞା ।’’

 

ଇନିସ୍‌ପେକ୍ଟର କହିଲେ, ‘‘ଯୋଡ଼ିଏ କଥା ପଚାରିବାର ଥିଲା ଆଜ୍ଞା, ଇନକ୍ୱାଇରି କରିବେ କି ପଦ୍ଧତିରେ ?’’

 

‘‘ମାନେ ?’’

 

‘‘ଯେମିତି ମକଦ୍ଦମା କରିବାକୁ କେହି ଦରଖାସ୍ତ ଦେଲେ ଇନ୍‌କ୍ୱାଇରି ହୁଏ, ସେମିତିଆ ତ ? ଦରଖାସ୍ତର ଆବେଦନକାରୀ ତାଙ୍କ ସାକ୍ଷୀ ତାଲିକା ଦେବେ, ଜଣକ ପରେ ଜଣେ କରି ସାକ୍ଷୀମାନେ ଆସିବେ, କହିବେ, ତାଙ୍କ କହିବା କଥାର ସାରାଂଶ ଲେଖା ହେବ, ସେଉଠୁ ଆପଣ ନିଜେ ଚାଲିଲେ ଯାହାକୁ ଯାହାକୁ ପଚାରିବେ–’’

 

‘‘କିନ୍ତୁ ଏଠି ମକଦ୍ଦମା ଦରଖାସ୍ତ କାହିଁ ? କେଉଁ ଦଫାରେ କି ମକଦ୍ଦମା ? ହୁଏତ ସେଭଳି କିଛି ପଛେ ବାହାରିବ । ଆଗ ସମସ୍ତେ ଥାଇ କଥାଟା ବୁଝାଯାଉ ତ ।’’

 

ଇନିସ୍‌ପେକ୍ଟର ମୁହଁ ଶୁଖାଇଲେ, କହିଲେ, ‘ଖାଲିଗୁଡ଼ାଏ ପାଟିତୁଣ୍ଡ ହେବ ଆଜ୍ଞା ।’’

 

‘‘ଯାହା ହେବ ଦେଖାଯିବ ।’’

 

‘‘ଆଉ ଗୋଟିଏ କଥା ଆଜ୍ଞା, ସେ ଇନକ୍ୱାଇରି ଜାଗାରେ ଆପଣ କଣ ଆମମାନଙ୍କୁ ଚାହାଁନ୍ତି ? ଆମେ ଥିଲେ ଯଦି ଅସୁବିଧା ହେବ,–’’

 

‘‘କି ଅସୁବିଧା ? ଆପଣମାନେ ବି ବସନ୍ତୁ, ଦେଖନ୍ତୁ, ଶୁଣନ୍ତୁ, କିଛି ମତାମତ ଦେବେ ନାହିଁ । କିଏ କାହିଁକି କହିବ ଯେ ପୁଲିସ୍‌ ଆମୁକୁ ୟା କହିଲେ ତା’ କହିଲେ ? ଏଠି ନ ଥାନ୍ତେ, ଭିନେ କଥା । ଅଛନ୍ତି ଯେତେବେଳେ, ଆପଣମାନେ ବି ସବୁ ଦେଖନ୍ତୁ, ଶୁଣନ୍ତୁ ।’’

 

‘‘ମୁଁ ଭାବୁଥିଲି,–’’ ଇନିସ୍‌ପେକ୍ଟର ଭାବିଲାପରି ହୋଇ ରହିଗଲେ ।

 

‘‘କହନ୍ତୁ ।’’

 

‘‘ଆପଣ କଚିରି କଲାପରି ଜଣଜଣଙ୍କୁ ଡକେଇ ଇଝାର କରନ୍ତେ ।’’

 

ବିନୋଦ ହସିଦେଇ କହିଲା, ‘‘ଇନ୍‌କ୍ୱାଇରି କରିବାର ଆଇନ୍‌ଗତ ପଦ୍ଧତି ଦାୟିତ୍ୱ ମୁଁ ନେଇଛି, ପଦ୍ଧତି କିଛି ଅଡ଼ୁଆ କରିବ ନାହିଁ ଯେ, ଛାଇତଳେ ବସି ସାକ୍ଷୀ ଇଝାର କଲେ ଯଦି କାମ ଛିଣ୍ଡି ଯାଇଥାନ୍ତା, ତେବେ ତ ଶିରୀପୁରରେ ମୋ ଇଜ୍‌ଲାସ୍‌ରେ କରିଥିଲେ ହୋଇଥାନ୍ତା, ଏତେ ବାଟ ଆସିଲି କାହିଁକି ? ମକଦ୍ଦମା ତ ଆପଣମାନେ ଅସଂଖ୍ୟ ତଦନ୍ତ କରନ୍ତି, ମୁଁ ବି ବହୁତ ବିଚାର କରେଁ-। କହିଲି ତ ଦରକାର ପଡ଼ିଲେ ସେ ସବୁ ତ ହେବ ହିଁ ପଛେ । କିନ୍ତୁ ଗାଁକୁ ଆସିଥାଇଁ, ଗାଁ ଭାଇଙ୍କି ଏକାଠି ଭେଟୁଁ ତ,’ କଥା ଭାଷା ହେଉଁ ଆଗେ–’’

 

‘‘ଆପଣ ଯାହା କହିବେ ଆଜ୍ଞା,–’’

 

ସେମାନେ ଗଲେ ।

 

‘‘ଭାତ ବାଢ଼ ଜଗୁ–’’ ବିନୋଦ କହିଲା ।

 

ବସି ବସି ଭାବୁଥାଏ,–ଖାଲି ମକଦ୍ଦମା ! ମକଦ୍ଦମା ! କଚିରି, ପୁଲିସ୍‌, ମ୍ୟାଜିଷ୍ଟ୍ରଟ୍‌, ଓକିଲ ! କେବଠୁଁ ଗାଁ ଗାଁକେ ପଶିଲାଣି ଏ ରୋଗ ?

 

କି ଦୋଷ ରହିଛି ଏ ମାଟିରେ, ଯେ ଟିକି, ତାତି ବାଜିଲେ ଠାଇ ଠାଇ ଫଡ଼ା ଫଡ଼ା ହୋଇ ଫାଟିଯାଏ, ଆମେ ହେଉଁ ଅଇରି ଖପରା ବଇରି ବାଆ ! ସେମିତି ପିଟାପିଟି ହେଉ ହେଉ ସବୁ ଗଲା, ସ୍ୱାଧୀନତା ଗଲା, ମାଡ଼ି ଆସିଲେ ମୁସଲମାନ୍‌ ଆକ୍ରମଣକାରୀ, ଯେତେ ରାଜ୍ୟର ଲୁଣ୍ଠନକାରୀ, ଆସିଲେ ଇଂରେଜ୍‌, କେଡ଼େ କଷ୍ଟରେ ପୁଣି ଆସିଲା ରାଜନୈତିକ ସ୍ୱାଧୀନତା, ତଥାପି ଏ ଚାଲିଛି, କଜିଆ ଘରେ ଘରେ, ଆଉ କେଉଁ ପ୍ରାନ୍ତୀୟ ଅଞ୍ଚଳରେ ଯେପରି ହୋଇଥାଉ, ଓଡ଼ିଶା ନାଁ କମେଇଛି କଳିକଜିଆ ପାଇଁ, ଖାଲି ଧରାଧରି, ପେଲାପେଲି, ଗୋଡ଼ ଓଟରା ଓଟରି, କଚଡ଼ା କଚଡ଼ି, ଶାଗଖିଆକୁ ପେଜଖିଆ ଦେଖିପାରେ ନାହିଁ, ଏଣେ ଯେ ଲେଙ୍କେଡ଼ା ଛିଣ୍ଡୁଛି !

 

ତଥାପି ଏତେ ଦେଉଳ ଏତେ ଠାକୁର ! ଏତେ ଯାନିଯାତ, ନାମ ସଂକୀର୍ତ୍ତନ, ତୁଣ୍ଡରେ ହରି ନାମ, ଯେ ଭାବିବ ବ୍ରହ୍ମକୁ ଏଇମାନେ ଚିହ୍ନିଛନ୍ତି, ଧର୍ମକୁ ଏଇମାନେ ରଖିଛନ୍ତି ।

 

ଏକା ଧୂଳିରେ ଘର, ଚାଳକୁ ଚାଳ, ବାରିକୁ ବାରି ଲଗାଲଗି, ଏକା ଗାତରେ ଜୀବନ ଆଉ ମରଣ, ଗାଁ ଏମୁଣ୍ଡେ ହଇଜା ଲାଗିଲେ ଗାଁ ସେମୁଣ୍ଡକୁ ବି ଡିଏଁ, ଏ ଚାଳରେ ନିଆଁ ଲାଗିଲେ ସେ ଚାଳକୁ ବି ଧରେ, ସକାଳୁ ଉଠିଲେ ମୁହଁ ଚାହାଁ ଚାହିଁ, ସୁଖରେ ଦୁଃଖରେ ଛନ୍ଦା ଛନ୍ଦି, ତଥାପି କଳି, ମୁଣ୍ଡ ପିଟାପିଟି, ମକଦ୍ଦମା ପାଇଁ ଅଣ୍ଟା ଭିଡ଼ାଭିଡ଼ି ।

 

ଏକାଠି ବସି ଭାବି ବାଟ ସ୍ଥିର କରିବାକୁ, କାମ କରିବାକୁ କେତେ କଥା ତ ଅଛି । କେଜାଣି କେତେ ପୁରୁଷ ବିତିଲାଣି, କଣ ହୋଇଛି ? ପେଟପୂରା ଖାଇବାକୁ ନାହିଁ, ଯେକୌଣସିମତେ ପେଟ ପୂରା ହୁଏ, ସେ ଖାଦ୍ୟରେ ବଳହୁଏ ନାହିଁ । କେତେ ଲୋକଙ୍କର ତା’ବି ନାହିଁ । ଜମି ନାହିଁ, କାମ ଧନ୍ଦା ନାହିଁ, ବୃତ୍ତି ଚଳେ ନାହିଁ । ଜମି ପଡ଼ିଆ ପଡ଼େ, ତାଷ ହେଲେ ଉପୁଜାଣ ଗଣା । ପନିପରିବା କେବେ କଦବା । ଗୋରୁଗାଈ ନଅଁକିଆ ଧେଡ଼ । ମଣିଷ ବି ହୀନବଳ,–ଏଇମାନେ ରାଜ୍ୟ ଜୟ କରୁଥିଲେ ! କେତେ ଢିଅ ଖାଲି, କେତେ କାନ୍ଥ କେତେ ଚାଳ ଫଟା, ଦଦରା । ଏଠି ସେଠି ଅରମା ଅଗଛିଆ, ପୋଖରୀରେ ପଙ୍କ, ପାହାଚ ଧସି ପଡ଼ିଛି, କୂଅ ଭିତରେ କାନ୍ଥରେ ଓସ୍ତଗଛ । କେତେ ଲୋକ ଶ୍ରୀଅକ୍ଷରବିବର୍ଜିତ, ମୂରୁଖ ପିଲାଏ ଫୁଙ୍ଗାରେ ଡିଅନ୍ତି-। ଯୁଆଡ଼େ ଚାହିଁଲେ ଯାହା କିଛି ଶିରୀ ତା’ ପ୍ରକୃତିର, ବିସ୍ତୃତିର, ଗଛବୁରୁଛଙ୍କର, ତା ଭିତରେ ଶ୍ରୀହୀନ ହୋଇ ବଞ୍ଚି ରହିଛି ମଣିଷ, ଉଦ୍ଦେଶ୍ୟ ନାହିଁ, ଉଦ୍ୟମ ନାହିଁ, ଧରି ନେଇଛି ସେ ଏମିତି ରହିଥିବ, ଯଦି କିଛି ହେବ ତା ସରକାର କଲେ କରିବେ, ସେ ନୁହେଁ । ପିମ୍ପୁଡ଼ି ମନ୍ଦାରେ ଗୋଟାଏ ଗୋଟାଏ ଜନ୍ଦାପରି ସେହି ଦଳରେ ଏଠି ସେଠି ଗୋଟାଏ ଗୋଟାଏ ଥିଲାବାଲା କେହି, ସେମାନେ ଚାହାନ୍ତି ସେହିମାନେ ସବୁ ଗ୍ରାସ କରିବେ । ଭଲରେ ରହିବେ, ଅନ୍ୟମାନେ ସତେକି କାହୁଁ ଅଇଲା, ଯାହାଙ୍କ ଉପରେ ତାଙ୍କ ଆଧିପତ୍ୟ କାଳକାଳକୁ ଜାରି ରହିଥିବ । ଆଉ, ଥିଲାବାଲା ହେଉନ୍ତୁ, ନ ଥିଲାବାଲା ହେଉନ୍ତୁ, କାଣୀ ବିରାଡ଼ି ବି କୁଜୀ ଅସରପା ଉପରକୁ ଟାଣ । ‘ହରିଜନ’ ସମସ୍ତିଙ୍କ ପାଇଁ ଅସ୍ପୃଶ୍ୟ । ସମସ୍ତିଙ୍କଠିଁ ବାଦଛେଦ, ସଂକୀର୍ଣ୍ଣତା, ନାନା ଅନ୍ଧବିଶ୍ୱାସ, କୁସଂସ୍କାର, ଜାତି ଅଜାତି ଭେଦ-

 

ଖାଉଥାଏ, ଭାବୁଥାଏ ।

 

ଏସି.ଡ଼ି.ଓ. ରାଘବ ଚୌଧୁରୀ ଯାହା କହିଥିଲେ, କୁଲି ବଳି ଭୋଇର କଥା, ପୁଲିସ୍‌ ଇନିସ୍‌ପେକ୍ଟର ଓ ସବ୍‌ଇନିସ୍‍ପେକ୍ଟରଙ୍କ କଥା ତାର ମନେ ପଡ଼ିଲା । ଏସ.ଡ଼ି.ଓ.ଙ୍କ ପରି ପୁଲିସ୍‌ ବି କଣ ବଡ଼ଲୋକଙ୍କ ପଟ ନେଇଛନ୍ତି ? ତା ମନରେ ଗୋଟାଏ ପ୍ରଶ୍ନ ଉଠିଥାଏ । ପୁଣି ଭାବିଲା, ନେଇଥିଲେ ମୁଁ ବା ତାଙ୍କୁ ବଦଳାଇବି କେମିତି ଓ ତହିଁରେ ମୋର କଣ ଯାଏ ? ଇଚ୍ଛା ହେଉଥାଏ, ସେ ତାର ଏକୁଟିଆ ବୁଲିବୁଲି ତଥ୍ୟ ଗୋଟେଇବ, କିନ୍ତୁ ଭାବିଚିନ୍ତି ସେ ଧାରଣାକୁ ସେ ନାପସନ୍ଦ କଲା । ଗାଁରେ ଦି’ବାଡ଼, ଏଠି କିଏ ନିରପେକ୍ଷ ତା କେମିତି ସେ ଜାଣି ପାରିବ ? ଜଣକଠୁଁ ଯାହା ଶୁଣିବ ତା’ଯେ ଅଭ୍ରାନ୍ତ ତା’ବି କେମିତି ବିଶ୍ୱାସ କରିବ ? ଦୁଇଦଳର କଳି, ଜିଦାଜିଦି, ଛକାଛକି, କିଏ ଡାଳେ ଡାଳେ ଗଲେ ଆଉ କିଏ ପତ୍ରେ ପତ୍ରେ ଯାଉଥିବ, ତେଣୁ ସେ ଏକୁଟିଆ ବୁଲିଲେ ବି କଥା ଅଛପା ରହିବ ନାହିଁ, ବରଂ ମିଛସତ ଯୋଡ଼ିଯାଡ଼ି ତା ବିରୁଦ୍ଧରେ କହିବାକୁ ଲୋକେ ସୁବିଧା ପାଇବେ । ତେଣୁ ସେ ଯେଉଁ ପଦ୍ଧତି ଭାବିଛି ସେଇଆ ଠିକ୍‌ ।

 

ଦିନ ଗୋଟାଏ ବେଳେ ଇନିସ୍‍ପେକ୍ଟର ବାବୁ ଆସି ତାକୁ ଡାକିନେଲେ । ଚାଲିଚାଲି ଗଲାବେଳେ ଦି’ପାଖର ଘର ଦୁଆରମୁହଁମାନଙ୍କରୁ ସ୍ତ୍ରୀଲୋକମାନେ ସେମାନଙ୍କୁ ଅନାଇଁ ଦେଖୁଥାନ୍ତି, କେତେ ପିଲା ପଛେ ପଛେ ଧାଉଁଥାନ୍ତି, କେତେ ମନ୍ତବ୍ୟ ଶୁଭୁଥାଏ, ବେଳେବେଳେ କେଉଁ ବୁଢ଼ା କି ବୁଢ଼ୀ କହିବାର ଶୁଭୁଥାଏ, ‘‘ଦୁଷ୍ଟଙ୍କୁ ସାଧ୍ୟକର’’ ‘‘ଜେଲ୍‌ଖାନାକୁ ନିଅ ।’’

 

ମହାବୀରଙ୍କ ପଖେ ମଣ୍ଡପ ଉପରେ ଦଳେ ବସିଥାନ୍ତି । କିନ୍ତୁ ଆଉଦଳେ, ତାଙ୍କ ସଙ୍ଗେ ବେଶି ଲୋକ, ଚେହେରା ଓ ଭେକରୁ ଦିଶୁଥାଏ ସେମାନେ ଥିଲାବାଲା ନୁହନ୍ତି, ସେମାନେ ତଳେ ବସିଥାନ୍ତି । ସମସ୍ତେ ଠିଆ ହୋଇ ପଡ଼ିଲେ । ଦଣ୍ଡବତ ଆଦାନ ପ୍ରଦାନ ହେଲା ।

 

ବିନୋଦ ପଚାରିଲା, ‘‘ଦୁଇପକ୍ଷର ସମସ୍ତେ ଅଛନ୍ତି ?’’

 

‘‘ହଁ ।’’

 

‘‘ମଣ୍ଡପ ଉପରେ ଏଗାଁର ସବୁ ମୁଖିଆମାନେ ଅଛନ୍ତି ତ ?’’

 

ମଣ୍ଡପ ଉପରୁ ଉତ୍ତର ଆସିଲା ‘‘ହଁ’’, ତଳୁ ଘୋ ଘା ହୋଇ ପ୍ରତିବାଦ ହେଲା, ‘‘ସେମାନେ ତାଙ୍କପଟର ମୁଖିଆ ହୋଇଥିବେ, ଆମ ମୁଖିଆ ସେ ନୁହନ୍ତି । ଆମେ ସମସ୍ତେ ଏଇଠି ଅଛୁଁ ।’’

 

ବିନୋଦ କହିଲା, ‘‘ଆପଣମାନଙ୍କ ମୁଖିଆମାନଙ୍କୁ ମଣ୍ଡପକୁ ପଠାନ୍ତୁ ।’’ ପୁଣି ଏକାଠି ଘୋ ଘା ହୋଇ ପ୍ରତିବାଦ ହେଲା, ‘‘ନା, କଦାପି ହେବ ନାହିଁ ।’’

 

‘‘କାହିଁକି ?’’

 

ତଳେଥିବା ଲୋକେ କହିଲେ, ‘‘ତାଙ୍କ ସଂଗରେ ଆମେ ବସୁ ନାହିଁ କି ବସିବୁ ନାହିଁ ।’’

 

ବିନୋଦ କହିଲା, ‘‘ହଉ ତାହେଲେ ଆମେସବୁ ବି କେହି ସେ ମଣ୍ଡପ ଉପରେ ବସିବୁ ନାହିଁ ।’’

 

ମଣ୍ଡପରେ ଥିବା ଦଳ ବି ତଳକୁ ଚାଲିଆସିଲେ, ଗୋଟିଏ ପାଖେ ବସିଲେ । ବିନୋଦ ଚାହିଁଥିଲା, ସେ ବି ତଳେ ବସିବ, ତେଣୁ ଦି ଦଳ ମଝିରେ ତା ପାଇଁ ଗୋଟିଏ ଖଜୁରୀ ଛାପା ପଡ଼ିଥିଲା, ତା ଆଗରେ ଥିଲା ଖଣ୍ଡିଏ ଖଟୁଲି ଯାହା ଉପରେ ସେ ତା ଖାତାଟି ଥୋଇଥିଲା । ତାଠୁଁ ଟିକିଏ ଛଡ଼ାରେ ଦିଖଣ୍ଡ ଚଟେଇରେ ଦୁଇ ପୁଲିସ କର୍ମଚାରୀ ବସିଥିଲେ ।

 

ବିନୋଦ କହିଲା, ‘‘ଆପଣମାନେ ଏଗାଁର ମୁରବିଲୋକେ, ଆଉମାନେ ବି ଏଠି ଅଛନ୍ତି-। ଗୋପୀନାଥ ମହାପୁରୁ ଓ ରଘୁନାଥ ମହାପୁରୁ ଦୁଇଠାକୁର ଏଇ ଗାଁର, ଏ ଦୁଇଠାକୁରଙ୍କୁ ଯାତ୍ରାକୁ ନେବା ଘେନି ଗାଁରେ ଦୁଇ ଦଳଙ୍କ ଭିତରେ ମନାନ୍ତର ହୋଇ କଲେକ୍ଟରଙ୍କୁ ଦରଖାସ୍ତ ଦିଆଦେଇ ହୋଇଛି । ଠାକୁର ପୂଜା ଯାନିଯାତ୍ରା ହେଲେ ସିନା ଲୋକେ ସ୍ନେହରେ ଏକାଠି ହୁଅନ୍ତି, ଭୋଗ ବଣ୍ଟାବଣ୍ଟି ହୁଅନ୍ତି, ଏକାଠି ଗାଁଯାକ ପର୍ବ କରନ୍ତି, ଯନ୍ତାଳ କରି ଖାଆନ୍ତି, ଏଠି କଣ ଦେଖୁଛି ଓଲଟା କଥା ! ଘର କଲେ କେତେବେଳେ କଳି ବି ଲାଗେ, ଘର କଳି ଘରେ ମେଣ୍ଟେ, ସେମିତି ଗାଁ କଳି ଗାଁରେ ମେଣ୍ଟିଯାଏ, ଯେଡ଼େବଡ଼ ଅଡ଼ୁଆ ହେଉ ଗାଁର ମୁଖିଆଲୋକେ ଏକାଠି ବସି ନିଜଭିତରେ ନିଶାପ କରି ଭାଙ୍ଗିଦିଅନ୍ତି, ଏଠି କଣ ଆପଣଙ୍କର କଳି ଲାଗିରହିଛି ଏତେ ଏତେ ବର୍ଷ ହେଲା-। କଣ ଏ କଥା ! କି ଅଶାନ୍ତି, କି ଉଦ୍‌ବେଗ ନ ହେଉଥିବ ! କେତେସମୟ କେତେ କାମ ମାରା ହେଉଥିବ ସେହି କଳିକଥାରେ ! କି କଥା ଏଇଟା ? ଏଇଟା କଣ ଗାଁକୁ ଭଲ ?’’

 

ଗୋପୀନାଥ ପଟର ବଡ଼ନେତା ଭାଗୁ ସାହୁ କହିଲେ, ‘‘କାହିଁକି କଳି ହଉଚି, କିଏ କଳି କରୁଚି ଆପଣ ବୁଝନ୍ତୁ । କଳି ଭାଙ୍ଗିବାକୁ ଆମେ କଣ ମନା କରୁଛୁଁ ? ମାନୁଛି କିଏ ? ଏପରା ଯେଝା ହାତରେ ଯେ ଚୌଦପା ।’’

 

‘‘ସେଇଆ ସେଇଆ,’’ ତାଙ୍କ ପଟରୁ ଅନ୍ୟମାନେ କହିଲେ ।

 

‘‘ରଖିଥାହୋ’ ତମ କୁହାଳିଆ ପଣ,’’ ଆର ପଟରୁ ଉଦ ପଧାନ ପାଟିକଲା, ‘‘ସବୁନାଟର ଗୋବର୍ଦ୍ଧନ ପରା ତେମେ କେଇଜଣ, ଆମ ନାଁରେ କେଇଦଫା ମକଦ୍ଦମା ଲଗେଇଲଣି ? ତେମେସବୁ କେତେ ମାଡ଼ ଫଉଜଦାରି ଲଗେଇଲଣି ? କେତେ ଲୋକଙ୍କୁ ଭାଗତାଷ ଜମିରୁ ଛଡ଼େଇଲଣି ?’’ ତାଙ୍କ ପଟଲୋକ ଏକାଥରକେ ଅଭିଯୋଗ ଗାଇ ବସିଲେ ଯେ ହୋ’ ହେଲା । ହାତ ହଲେଇ ହଲେଇ ବିନୋଦ ସେମାନଙ୍କୁ ନିରସ୍ତ କରୁଥାଏ ।

 

ଆରପାଖରୁ ବୁଢ଼ା ବୈରାଗୀ ପଟ୍ଟନାଏକେ ଚିଁ ଚିଁ ସ୍ୱରରେ ପାଟିକଲେ ‘‘ହଜୁର୍‌ ନିଜେ କାନରେ ଶୁଣୁଛନ୍ତି ସବୁ, ଏ ହୁର୍ଦ୍ଦୁଙ୍ଗାଙ୍କର କେଡ଼େ ବହପ ଦେଖୁଥାନ୍ତୁ । ହ୍ୟାପ୍‌ କୋଡ଼ିଏ ହାତ ଦୂରରେ ହାତଯୋଡ଼ି ତଳେ ଠିଆ ହେବା ଲୋକ, ଅଇଛା ଇନ୍ଦ୍ର ଚନ୍ଦ୍ର ମାନୁ ନାହାନ୍ତି, ମୁଣ୍ଡ ଉପରେ ଚଢ଼ୁଛନ୍ତି । ହଜୁର୍‌ ଏଠି ଥାଉ ଥାଉ, ପୁଲିସ୍‌ ଦାରୋଗା ମୁନ୍‌ସି ଥାଉ ଥାଉ ଡରଭୟ ନାହିଁ, ଅମରମତା ହଉଚନ୍ତି, ଆଉ ବେଳେ କଣ, ହଜୁର୍‌ ବୁଝୁଥିବେ ।’’

 

ବିନୋଦ ତାଙ୍କ ଆଡ଼କୁ ଚାହିଁଲା । ଶୁଆ ଥୁଣ୍ଟିଆ ନାକ, ସାନସାନ ଛଡ଼ାଛଡ଼ା ଆଖି, ମୁଣ୍ଡ ଚନ୍ଦା, ଧଳା ନିଶ ଓହଳି ପଡ଼ିଛି, ନାକଠୁଁ କପାଳଯାକେ ଚନ୍ଦନଚିତା, ସାନ ପାତଳ ହାଡ଼ୁଆ ହୋଇ ବୁଢ଼ାଟିଏ, ରାଗରେ ଥରୁଛନ୍ତି । ତାଙ୍କୁ ବି ହାତ ଦେଖାଇ ବିନୋଦ ବନ୍ଦ କରାଇଲା । କହିଲା, ‘‘ଶୁଣନ୍ତୁ, ଏମିତି କଜିଆଗୋଳ କଲେ ଆମେ କିଛି କଥାଭାଷା କରି ପାରିବା ନାହିଁ । ସାମ୍ନାକୁ ଅନାନ୍ତୁ, ୟେ ଆପଣଙ୍କର କେଉଁ କାଳର ଠାକୁର ।’’

 

ରଘୁନାଥ ଦଳରୁ ଶୁଭିଲା, ‘‘ହୋଓ–ଗାଁ ବସିଲା ଦିନରୁ ସେ ଅଛନ୍ତି ।’’

 

ବିନୋଦ କହିଲା, ‘‘ସେଇଆ । ଆଗରେ ସେହି ଠାକୁର । ସେ ଦେଖୁଛନ୍ତି । ଦେବତା ସ୍ଥାନ ୟେ, ଅତି ପବିତ୍ର । ଏଠି ପର ଉପରେ ଘୃଣା, ରାଗ, ହିଂସା ଭଲ ନୁହେଁ । ଏଠି ଜାଣ ସମସ୍ତେ ଏକା ଗାଁ ଭାଇ । ମୁଁ କି ଏ ପୁଲିସ ବାବୁମାନେ, ଆମେ ଆପଣଙ୍କ କୁଣିଆଁ ।’’

 

ଆରପାଖେ ରଘୁନାଥ ଦଳରେ ମୁହଁକୁ ତଳକୁ ପୋତି କେହିଜଣେ କହିଲା, ‘‘ହାକିମ ଗାଁ ଯାକର କୁଣିଆଁ ହ’ନ୍ତୁ । ପୁଲିସ ତ କୋଉକାଳୁ ଭାଗୁ ସାହୁ ଘର କୁଣିଆଁ’’–ସେ ପାଖୁ ହୋହୋ ହସ-

 

ବିନୋଦ କହିଲା, ‘‘ଆମେ କୁଣିଆଁ, ଅଇଛା ଅଛୁଁ, ଆଉଟିକକୁ ବାଟ ଧରିବୁଁ ଗାଁରେ ରହିବ, ଚଳିବ, ମୁହଁ ଦେଖା ଦେଖି ହେବ ତୁମେମାନେ । ଆଜି କଳି ଅଛି କାଲି ଶରଧା ଲାଗିବ । ଏଠି ଏକାଠି ବସିଥାଇଁ, ତେମେ ସବୁଦିନେ ଏକାଠି ବସ ଭଲରେ ଚଳ, ଆମେ କେବେ ଆସିଲେ ସବୁ ଘରୁ ପାନ ଖାଇବୁଁ ।’’

 

ସଙ୍ଗେ ସଙ୍ଗେ ଦୁଇ ପାଖରୁ ପାନ ବଟା ଆଣି କେତେଜଣ ଖୋଲି ଦେଖାଇଲେ ବିନୋଦ ଦୁଇ ପଟୁ ପାନ ନେଲା । କହିଲା, ‘‘ମୁଁ କହୁଚି, ଜଣେ ଲେଖାଁ କଥା କହନ୍ତୁ ସେତେବେଳେ ଅନ୍ୟମାନେ ପାଟି ନ ଫିଟାନ୍ତୁ । ମୁଁ ପୁଣି ଆର ପଟକୁ ପଚାରୁଥିବି । ଦେଖିବା କି କି କଥା ପରସ୍ପର ପ୍ରତି ମନକୁ ପିତା କରୁଛି ।’’ ରଘୁନାଥ ଦଳକୁ ଅନାଇଁ ପଚାରିଲା ‘‘ଆଗ ଜଣେ କହନ୍ତୁ । ଗାଳି ଗୁଲଜ ଦେଲେ ଶୁଣିବି ନାହିଁ । ଖାଲି ଠିକେଠିକେ ନାଁ ଗାଁ ଦେଇ ଗୋଟିକା ଗୋଟି ଘଟଣା କହିଯାଅ-। ସତ ସତ କହିଯାଅ, ଆଗରେ ଠାକୁର ବସିଛନ୍ତି । ମିଛ ବା କାହିଁକି କହିବ ? ମକଦ୍ଦମା ତ’ ହଉନାହିଁ, ଯାହା ସତକଥା ତା କହିବା ଲୋକ ବି ଜାଣେ, ଗାଁ ଲୋକ ବି ସମସ୍ତେ ଜାଣନ୍ତି, ଲୁଚେଇବ କାହାକୁ ?’’

 

ଗୋପୀନାଥ ଦଳର ଧୀର ବଳବନ୍ତରା କହିଲା, ‘‘ମକଦ୍ଦମା ହଉନାହିଁ କହିଲେ ?’’

 

ବିନୋଦ ତାଙ୍କୁ ଚାହିଁଲା, ବତିଶି ଚଉତିରିଶି ବର୍ଷ ହେବ । ଗୋଲ୍‌ ଗାଲ୍‌ ବଡ଼ ଚେକା ମୁହଁ, ପୁଚକା ଗାଲ, ଓସାର କାନ୍ଧ, ମୂନିଆଁ ନିଶ, ବଡ଼ ବଡ଼ ଡିମା ଡିମା ଆଖି, ଧଳା ଖଦଡ଼ କାମିଜଟିଏ ପିନ୍ଧିଥାନ୍ତି ।

 

ବିନୋଦ କହିଲା, ‘‘କୌଣସି ମକଦ୍ଦମା ଦାଏର ହୋଇଥିବା କଥା ମତେ ଜଣା ନାହିଁ ।’’

 

‘‘କିନ୍ତୁ ଆପଣ ପରା ଇନ୍‌କ୍ୱାଇରି କରିବାକୁ ଆସିଛନ୍ତି ?’’

 

‘‘କହିଲି ତ ଆପଣମାନଙ୍କ ଯାତ୍ରା–ଠାକୁରଙ୍କୁ ଯାତ୍ରାକୁ ନେବା ବିଷୟରେ ଦୁଇଦଳ ପରସ୍ପର ବିରୁଦ୍ଧରେ ଯେଉଁ ଅଭିଯୋଗମାନ କରି ଦରଖାସ୍ତ ଦେଇଥିଲେ ତାରି ବିଷୟରେ । ଗାଁ କଳିରୁ ତ ମନ ଫଟାଫଟି । ସେଉଠୁ ନାନା ଆଶଙ୍କା, ଉଦ୍‌ବେଗ, ସେଉଠୁ ଦରଖାସ୍ତ, ନା ନୁହେଁ ? ସେଥିପାଇଁ ମୁଁ ସେ ମୂଳ କଥା ପକାଉଛି ।’’

 

‘‘ଆଉ ସେ ପଛକଥା ପକାଇ ଲାଭ କଣ ? ସେଥିପାଇଁ ତ ନାନା ମକଦ୍ଦମା ହୋଇଯାଇଛି, ତଳକୋର୍ଟରୁ ଉପରକୋର୍ଟକୁ ଯାଇ ଫଇସଲା ହୋଇଛି ।’’

 

ବିନୋଦ କହିଲା, ‘‘ସେଇ ସବୁ କଥାକୁ କାନିରେ ଗଣ୍ଠି ପକେଇ ଧରି ରଖିଥିଲେ କେବେ କାଳ କାଳକେ ଏ ଗାଁରେ ଶାନ୍ତି ରହିବ ?’’

 

ଧୀର ବଳବନ୍ତରା କହିଲେ, ‘‘ସେଇଥିପାଇଁ ତ ଆମର ଫେରାଦି । ଆମେ ଏ ଗାଁରେ ଘରକରି ରହିବୁ ନାଇଁ ? ଯେଉଁ ଲୋକ ଗୁଡ଼ାକ ଗାଁରେ ଉତ୍ପାତ କରୁଛନ୍ତି, ତାଙ୍କୁ ଧରି ଦଣ୍ଡ ଦିଆଯାଉ, ଜେଲ ଖଟନ୍ତୁ ସେଗୁଡ଼ାକ ।’’

 

ରଘୁନାଥ ଦଳରୁ ପାଟିହେଲା, ‘‘ଆମେ ବି ଖୋଜୁଚୁଁ ସେଇଆ ଯେ, ତମ ଅଦୋଉତିରେ ଆମେ ମଲୁଣି, କୋଉ ବଞ୍ଚିକରି ଅଛୁଁ ? ହାତରେ ମାରିଲ, ଭାତରେ ମାରିଲ, ମକଦ୍ଦମା ଲଗେଇ କେତେ ଲୋକଙ୍କୁ ଝୁଣି ଖାଇଲ, ଅଇଛା ପନ୍ଦର ଷୋଳ ବଛା ବଛା ଗୁଣ୍ଡାଙ୍କୁ ସହରରୁ ଭଡ଼ାରେ ଆଣି ଆମୁକୁ ପିଟେଇବ ବୋଲି ରଖେଇଚ–’’

 

‘‘ମିଛ ମିଛ ମିଛ–’’

 

‘‘କଣ ଏଠି ଠାକୁରଙ୍କ ଆଗରେ ଭୁରୁଡ଼ି ମାରୁଛ ?’’

 

‘‘କଣ କରି ପାଇଲୁ କିରେ ? କଣ ଭାରି ବଢ଼ି ବଢ଼ି କହିଲୁଣି ?’’

 

ବିନୋଦ କହିଲା ‘‘ପୁଣି ଏମିତି ବୋଲାବୋଲି ଲଗାଇଲେ ମୁଁ ଆଉ କାମ କରିପାରିବି ନାହିଁ । ଆଗ ତମରି ପଟରୁ ଜଣେ କହ, କିଏ ତୁମମାନଙ୍କର କି କି ଅନିଷ୍ଟ କଲା । ସେଉଠୁ ତମ ପଟର କିଛି ଥିଲେ ଆଉ କେହି କହିବ । ସେମିତି ଆରପଟର ଅଭିଯୋଗ ଶୁଣା ହେବ, ଉତ୍ତର ଶୁଣା ହେବ, ସେଉଠୁ ତମ ପଟକୁ ଉତ୍ତର ପଚରା ହେବ । ମାନିବ ମୋ କଥା ? ତା ହେଲେ ମୁଁ ପଚାରିବି, ଲେଖିବ, ନ ହେଲେ ହାଉଯାଉ ହେଲେ ଏଇଠି ଥାଉ ।’’

 

‘‘ସେଇଆ ହେଉ, ସେଇଆ ହଉ,’’ ଦିପକ୍ଷ ଏକାସଙ୍ଗେ ଘୋ ଘା ହୋଇ ଉତ୍ତର ଦେଲେ-

 

‘‘ଦେଖ, ଏଠି କେହି କାହାକୁ ଗାଳି ଦବ ନାହିଁ, ଅଭଦ୍ର କଥା କହିବ ନାହିଁ, ମୁଣ୍ଡ ଥଣ୍ଡା ରଖ ଘଟନାମାନ କହିଯାଅ ।’’

 

‘‘ଆମେ ଆଗ କହିବୁଁ ।’’

 

‘‘ଆମେ ଆଗ ।’’

 

ବିନୋଦ କହିଲା ‘‘ଆଗ ଗୋପୀନାଥ ମହାପ୍ରଭୁଙ୍କ ଯାତ୍ରା ଆସୁଛି, ତେଣୁ ସେହିପଟ ଆଗ କହିଯାନ୍ତୁ ।’’

 

ଆରମ୍ଭ ହୋଇଗଲା । ଜଣେ କଥା କହିଲା ବେଳେ ବିନୋଦ ମଝିରେ ମଝିରେ ପ୍ରଶ୍ନ ପଚାରି ପଚାରି ତା କଥାକୁ ବାଟେଇ ନେଇଯାଏ, ସଂକ୍ଷିପ୍ତ କରାଇ ଦିଏ, ଅବାନ୍ତର କଥା ଓ ମତାମତ କୁହାଇ ଦିଏ ନାହିଁ, କଥାର ସାରାଂଶ ଟିପେ, ଅନ୍ୟମାନଙ୍କ ମୁହଁକୁ ଅନାଏ । ସେମିତି ଦୁଇପକ୍ଷର କଥାର ସାରାଂଶ ସେ ଟିପିନେଲା । କେତେ କଥା ଉଭୟ ପକ୍ଷ ସ୍ୱୀକାର କଲେ, ଯେ କେମିତି ଦଶବର୍ଷ ହେଲା ଗାଁରେ ଦୁଇଦଳ ହେଲେଣି, ଆଗ ଆରମ୍ଭ ହୋଇଥିଲା ଯେତେବେଳେ ଧୀର ବଳବନ୍ତରା ବୁଢ଼ା ମହନି ବେହେରା ଗଉଡ଼ର ବାଁ କାନ ଉପରେ ଜାବୁଡ଼ାଏ ପକେଇଲେ, ସେ କାନଟି କାଲ ହୋଇଗଲା ବୋଲି ଅଭିଯୋଗ କରି ମହନି ପଞ୍ଚାଏତ୍‌ ଡାକିଲା, ପଞ୍ଚାଏତ ଓଲଟି ତାକୁ ପାଞ୍ଚଟଙ୍କା ଜୋରିମାନା କଲେ, ସେମାନେ ଗାଁର ଉଚ୍ଚ ଜାତିର ଲୋକେ, ବଡ଼ଚାଷୀ ବେପାରି, ମହାଜନ । ତାପରେ ଅନ୍ୟମାନେ ଭାବିଲେ, ମେଣ୍ଟ କଲେ । କ୍ରମେ ବଡ଼ଲୋକଙ୍କର ନାନା ଜୁଲୁମ୍‌ବାଜୀକୁ ପ୍ରତିରୋଧ କଲେ । ବେଶି କଳି ଲାଗିଲା ଯେତେବେଳେ ଗଉଡ଼ମାନେ ଶବାରି କାନ୍ଧେଇବାକୁ ମନାକଲେ । ଲୋକେ ବେଠି ବେଗାଡ଼ିକୁ ମନାକଲେ, ଚଳନ୍ତି ଉଚିତ ଦରଠୁଁ ଶସ୍ତାରେ ଜିନିଷ ବିକିବାକୁ କି କାଳିବାସି ଦେବାକୁ ମନାକଲେ । ଆଗ ଏପଟୁ ନାନା ମକଦ୍ଦମା ହେଲା, ସେଉଠୁ ସେ ପଟୁ ବି ହେଲା । କଳିକଜିଆ, ଜିଦାଜିଦି, ମଜିରେ ମଝିରେ ଗାଳି ତକରାଳ ଗଣ୍ଡଗୋଳ ଘଟିଥାଏ, ଲମ୍ୱା କାହାଣୀ ।

 

ବିନୋଦ ବୁଝିପାରିଲା, ପରସ୍ପର ସହିତ ଶାନ୍ତିସୌହାର୍ଦ୍ଦ୍ୟ ଲାଗି ଉଦ୍ୟମ କରିବା ତ ଦୂରକଥା, ସେଭଳି ସାମାନ୍ୟତମ ଇଚ୍ଛାଠୁଁ ବି ବହୁତ ଦୂରରେ ଅଛନ୍ତି ଏମାନେ, ଖାଲି କୁହୁଳିବାରେ ଲାଗିଛନ୍ତି ।

 

କିନ୍ତୁ ଗାଁଲୋକଙ୍କ ନୈତିକତା ବଢ଼ାଇବା ପାଇଁ, ସେମାନଙ୍କ ଭିତରେ ସ୍ନେହମମତା ବଢ଼ାଇବା ପାଇଁ କେଉଁ ବିଭାଗ, କେଉଁ ସଂସ୍ଥା ଅଛି ସରକାରଙ୍କର ? ସେଥିପାଇଁ ବ୍ୟବସ୍ଥା ହିଁ ନାହିଁ-। ଯାହା କରିବେ ନିଜ ଗାଁଲୋକେ, ଅଥବା କେହି ପରୋପକାରୀ ବେସରକାରୀ ସଂସ୍ଥା କି ବ୍ୟକ୍ତି, ଯାହାର ଇଚ୍ଛା ହେବ । ଶାନ୍ତି ଗଢ଼ିବା କାମ ବକ୍ତୃତା ଦେଇ ହୁଏନାହିଁ, ଏକାଦିନକେ ହୁଏନାହିଁ-। ଯେ କରିବେ ସେ ଲାଗିରହିବେ ସେ କାମରେ କିଛିଦିନ । କିଏ ? ସରକାରୀ କର୍ମଚାରୀ ହିସାବରେ ସେ ଆଇନ୍‌ ଓ ଆଦେଶରେ ବନ୍ଧା, ତାର ଅନ୍ୟ ଧରାବନ୍ଧା କାମ ଅଛି । ସେ ତ ଆଉ ରଂପୁରରେ ରହିଯାଇ ପାରିବ ନାହିଁ !

 

ଏଇଆ ଅସଲ ସମସ୍ୟା, ପାଖେ ସରକାର, ସେ କେତୋଟି ନିର୍ଦ୍ଦିଷ୍ଟ ଧରାବନ୍ଧା କାମରେ ସଂପୃକ୍ତ, ସେଥିପାଇଁ ଆଇନ୍‌ କରାହୋଇଛି । ଆଉ ପାଖେ ଗାଁଲୋକେ, ଦେଶଲୋକେ, ତାଙ୍କ ବ୍ୟକ୍ତିଗତ ଓ ସାମାଜିକ ଜୀବନର ସୁଖଦୁଃଖ । ମଝିରେ ସିଢ଼ି ନାହିଁ । ସ୍ୱାଧୀନତା ଆସିଲା, ଲୋକଙ୍କ ମତରେ ସରକାର ହେଲା । ଶୁଧୁରିବ ଏ ଅବସ୍ଥା ? କେବେ ?

 

ଆଇନ୍‌ ଦେଖାଇ, ଠେଙ୍ଗା ଦେଖାଇ, ସାମୟିକ ବକ୍ତୃତା ଦେଇ, କେମିତି ଲୋକଙ୍କ ମନରେ ଉତ୍ତମ ନାଗରିକତା ଉପଯୋଗୀ ନାନା ପ୍ରବୃତ୍ତି ସଞ୍ଚାର କରିହେବ ? ଡେମୋକ୍ରାସି ରଖିବାକୁ ହେଲେ ତାର ମୂଳଦୁଆ ତ ଦେଶର ଲୋକଙ୍କ ଚରିତ୍ର ହିଁ ।

 

ସେହି ଅସଲ ମୂଳଦୁଆ ପକାଇବା, ଦମ୍ଭକରିବା ଦାୟିତ୍ୱ,–ଯେମିତି ତହିଁରେ ଏତେ ଟିକିଏ ବି ପୋଲା ନ ଥିବ, ଯେତେ ବୋଝ ଲଦା ହେଉ, ଆସୁ ଯେତେ ବର୍ଷା କି ଭୂମିକମ୍ପର ଝାଙ୍କ, ସେ ଦବିବ ନାହିଁ, ଚହଲିବ ନାହିଁ, ଯେମିତି ତଳୁ ଉଇ ଉଠିବାକୁ ବାଟ ନ ଥିବ,–ଦେଶଯାକର ସେ ଦାୟିତ୍ୱ ଦେଶର ସରକାର ମୁଣ୍ଡେଇ ନାହାନ୍ତି ।

 

ଖାଲି ଆଶା, ଖାଲି ଶୁଭେଚ୍ଛା,–ସେ ତା ମନକୁ ହେବ !

 

ଯେଉଁ ପରିସ୍ଥିତି ବିଷୟରେ ସେ ଇନ୍‌କ୍ୱାଇରି କରିବାକୁ ସେ ବିଷୟରେ ଦୁଇପଟର କାହାଣୀ ପରସ୍ପରଠୁଁ ଭିନେ, ୟା କଲେ, ତା କଲେ, ୟା କରିବାକୁ ବସିଛନ୍ତି, ତା କରିବାକୁ ବସିଛନ୍ତି ବୋଲି ଗୋଟିଏ ପଟରୁ ଆରପଟ ବିରୁଦ୍ଧରେ ନାନା ଅଭିଯୋଗ । ପୁଲିସ୍‌ ତାକୁ ଯାହା କହିଥିଲେ, ଗୋପୀନାଥ ପଟର ପ୍ରଧାନ ଅଭିଯୋଗ ସେଇଆ । ସେମାନେ ଗୋଟିଏ ବାଟରେ ଠାକୁରଙ୍କୁ ଯାତ୍ରାକୁ ନେଇଥାନ୍ତି, ଏବର୍ଷ ବି ସେଇଆ କରିବେ, ପୁଲିସ୍‌ଠୁଁ ଅନୁମତି ମିଳିଛି । କିନ୍ତୁ ମିଛଟାରେ ଆରତରଫ ଆପତ୍ତି କରୁଛନ୍ତି, ଗଲାବେଳେ ପିଟିବେ ବୋଲି ସଜ ହେଉଛନ୍ତି । କୁଲି ବଳି ଭୋଇଠୁ ସେ ଯାହା ଶୁଣିଥିଲା, ରଘୁନାଥ ପଟ ସେଇଆ କହିଲେ । ଅନ୍ୟାନ୍ୟ ବର୍ଷ ଠାକୁରଙ୍କୁ ଗୋପୀନାଥ ଦଳର ଲୋକଙ୍କ ଦାଣ୍ଡବାଟେ ଭୋଗ ଦେଇଦେଇ ନେଇସାରିଲା ପରେ ଗାଁ ବସ୍ତି ବାହାରେ ବାହାରେ ଖୋଲାଏ ଖୋଲାଏ, ଯାତ୍ରାପଡ଼ିଆକୁ ନିଆଯାଏ, ଏବର୍ଷ ପୁଲିସ୍‌ର ଆହୁରି ବଳ ପାଇଛନ୍ତି, ସହରରୁ ଗୁଣ୍ଡା ଆଣି ରଖିଛନ୍ତି, ଡାକିହାକି କହିଛନ୍ତି ରକ୍ତନଦୀ ବୋହିବ, ବାଟଟା ବଦଳେଇ ରଘୁନାଥ ଦଳିଆ ଲୋକେ ରହୁଥିବା ସାହିମାନଙ୍କ ବାଟେ ନେବାକୁ ଅନୁମତି ଆଣିଛନ୍ତି । ପଟୁଆର ଗଲାବେଳେ ଅପମାନକରି ଗୀତ ବୋଲିବେ, ବାଜା ବଜେଇବେ, ଘର ଓଳିତଳେ ବାଣ ମାରିମାରି ଯିବେ, ଉପରେ ପଡ଼ି ଖୁରି କରିବେ,–ଏପଟୁ ଯେମିତି ଆପତ୍ତି ହେବ, ସେମିତି ଚଢ଼େଇବେ ମାଡ଼ ।

 

‘‘କିଏ ଅଣପୁରୁଷା ହୋଇଛି ବାବୁ ଯେ ସହିଯିବ ? ବେକପଛେ ଛିଣ୍ଡିଯାଉ ଆମେ ଛାଡ଼ିବୁ ନାଇଁ ।’’

 

ଗୋପୀନାଥ ପଟରୁ ହୋ ହୋ, ‘‘ଦେଖନ୍ତୁ ହଜୁର୍‌, ହଜୁର୍‌ ଦେଖୁଛନ୍ତି–’’ ସେଇଠି ଦୁଇଦଳ ଭିତରେ ପିଟାପିଟି ହେବାକୁ ଉପକ୍ରମ ।

 

ବିନୋଦ କହିଲା ‘‘ଦେଖ ବାବୁ, ଏଠି କଳିକଲେ ଇନ୍‌କ୍ୱାଇରି ବନ୍ଦ୍‌ ରହିବ, କାହାରି ମଙ୍ଗଳ ହେବନାହିଁ ।’’

 

ବିନୋଦ କହିଲା, ‘‘ବର୍ତ୍ତମାନ ଚାଲନ୍ତୁ ଯିବା ଗୋପୀନାଥ ମହାପ୍ରଭୁଙ୍କ ମନ୍ଦିର ଦୁଆର ମୁହଁକୁ, ସେ ଜାଗାରୁ ବାହାରି, କେଉଁ ବାଟେ ଆପଣମାନେ ମହାପ୍ରଭୁଙ୍କୁ ଯାତ୍ରା ପଡ଼ିଆକୁ ନେଇଯିବେ ବୋଲି ସ୍ଥିର କରିଛନ୍ତି ମତେ ସେହିବାଟେ ନିଅନ୍ତୁ ।’’

 

ମନ୍ଦିର ଦୁଆର ମୁହଁରେ ପହଞ୍ଚିଲେ । ‘‘ଭିତରକୁ ଆସନ୍ତୁ, ପ୍ରତ୍ୟକ୍ଷ ଠାକୁର, ବନାରସରୁ ମୂର୍ତ୍ତି ଅଣା ହୋଇଥିଲେ, ଦର୍ଶନ କରି ଯିବେ ।’’ ବିନୋଦ ମନାକଲା, କହିଲା, ‘‘ଏମିତି, ଏଇ ଦେଶରେ ଯିବି ? କାହିଁକି ? କି ଦରକାର ? ମହାପ୍ରଭୁ ତ ସବୁଠି ଅଛନ୍ତି, ଯଦି କେହି ତାଙ୍କ ଦର୍ଶନ ପାଇବ ସେ ତ ତା’ ଅନ୍ତର ଭିତରେ ପାଇବ । ମୁଁ ମୋର ଏଇଠି ଗୋଡ଼ତଳେ ପଡ଼ିବି ।’’ ସେ ନଇଁପଡ଼ି ପାହାଚରେ ମୁଣ୍ଡ ଲଗାଇଲା । କହିଲା, ‘‘ଏଥର ମତେ ବାଟ କଢ଼ାଇ ନିଅନ୍ତୁ କେଉଁବାଟେ ଯାତ୍ରା ପଡ଼ିଆକୁ ଦିଅଁକୁ ନେବେ ।’’

 

ଦୁଇଦଳଯାକ ଥିଲେ । ଯୋଡ଼ିଏ ସାହିଗଲା । ମଝିରେ ଓସାର ଦାଣ୍ଡ । ସ୍ଥାନେ ସ୍ଥାନେ ସାହାଲା ସାହାଲା ଘର, ଉଚ୍ଚପିଣ୍ଡା, ବାରି ବଗିଚା, ବିନୋଦ ମଝିରେ ମଝିରେ ପଚାରି ବୁଝୁଥାଏ କାହାଘର । ଗୋପୀନାଥ ଦଳର କେତେଜଣ ବିଶିଷ୍ଟ ଲୋକ ନିଜ ଘର ଚିହ୍ନେଇ ଦେଲେ, ଡାକୁଥାନ୍ତି, ସେ ଟିକିଏ ପିଣ୍ଡାକୁ ହେଲେ ଆସୁ, ଟିକିଏ,–ମିନିଟଏ ହେଲେ,–ସେ ହସି ହସି ନମସ୍କାର କରି ମନା କରୁଥାଏ, ଆହୁରି ସାହି ପଡ଼ିଲା, ସରିଲା, ତାପରେ ଠାଏ, ଦୁଇଆଡ଼େ ଯୋଡ଼ିଏ ବାଟ ଯାଇଛି, ଗୋପୀନାଥ ଦଳ କହିଲେ, ‘‘ଏଇ ଡାହାଣେ ହଜୁର୍‌,’’ ରଘୁନାଥ ଦଳରୁ ହାଉଯାଉ ଶୁଭିଲା, ‘‘ନାଇଁ ହଜୁର୍‌, ବାଁଏଁ ହେଲା ସାବକ ବାଟ ।’’ ବିନୋଦ ଅଟକିଲା, ପଚାରିଲା, ‘‘ଆପତ୍ତି କେଉଁ ବିଷୟରେ ?’’

 

ରଘୁନାଥ ଦଳ କହିଲେ, ସବୁବର୍ଷ ଠାକୁର ନିଆ ହେଉଥିଲେ ବାଁ ରାସ୍ତାରେ, ସେ ବାଟେ ତୋଟା, ପୋଖରୀ, ଛାଡ଼ି ଛାଡ଼ିକା ମେଞ୍ଚାଏ ମେଞ୍ଚାଏ ଘର, ବାହାରେ ବାହାରେ ସେ ବାଟ ଯାଇଛି ଯାତ୍ରାପଡ଼ିଆକୁ ।’’

 

‘‘ସେ ବାଟ ନୁହେଁ, ମିଛ ମିଛ’’, ଗୋପୀନାଥ ଦଳ କହିଲେ, ‘‘ଡାହାଣେ ବାଟ ପଡ଼ିଛି ରଘୁନାଥଙ୍କ ମନ୍ଦିରଯାକେ, ସେଠୁ ଯାଇଛି ଯାତ୍ରା ପଡ଼ିଆକୁ ।’’

 

ବିନୋଦ ପୁଲିସ୍‌ ସବ୍‌ଇନିସ୍‌ପେକ୍ଟରଙ୍କୁ ପଚାରିଲା, ‘‘ଗତବର୍ଷ, ତା ପୂର୍ବ ବର୍ଷ, ଠାକୁର କେଉଁ ବାଟେ ଯାଉଥିଲେ ? ଆପଣମାନେ ଅନୁମତି ଦେଇଥିଲେ ପରା, ରେକର୍ଡ଼ ବି ଥିବ, କହନ୍ତୁ–’’

 

‘‘ମୋର ମନେନାହିଁ ସାର୍‌, ରେକର୍ଡ଼ ଦେଖିଲେ ଜଣାଯିବ ।’’

 

ବିନୋଦ ଇନିସ୍‌ପେକ୍ଟରଙ୍କୁ ପଚାରିଲା, ‘‘ଆପଣମାନେ ତ ଇନ୍‌କ୍ୱାଇରି କରିଥିଲେ, ଜାଣିଥିବେ ?’’

 

ଇନିସ୍‌ପେକ୍ଟର ସବ୍‌ଇନିସ୍‌ପେକ୍ଟରଙ୍କୁ କହିଲେ, ସବୁ ପୁରୁଣା ରେକର୍ଡ଼ ଥାନାରୁ ଆଣିଛନ୍ତି ଟି ? ମୁଁ କହିଥିଲି ।’’

 

‘‘ସାର୍‌, ବସାରେ ଅଛି ।’’

‘‘ନେଇ ଆସନ୍ତୁ । ମ୍ୟାଜିଷ୍ଟ୍ରେଟ୍‌ ସାହେବ ଦେଖିବେ ।’’ ବିନୋଦକୁ କହିଲେ, ‘‘ରେକର୍ଡ଼ରେ ଯାହାଥିବ ବାହାରିବ ସାର୍‌ । କିନ୍ତୁ କଥା ସେଠି ନାହିଁ । ଠାକୁରଙ୍କ ପଟୁଆର ଯିବବୋଲି ଗାଁଲୋକ ବାଟ ଚିହ୍ନଟ କରି ଦରଖାସ୍ତ ଦେଲେ, ସେ ବାଟ ଡାହାଣେ । ଇନ୍‌କ୍ୱାଇରି ହେଲା । ଦେଖାଗଲା ଅସୁବିଧା କିଛି ନାହିଁ । ଡାହାଣପଟେ ବସ୍ତିସବୁ ଅଛି । ଲୋକେ ଦର୍ଶନ କରିବେ । ଗାଁର ଉତ୍ସବ ତ ।’’

‘‘ହଜୁର ଆମେ ଇନକ୍ୱାଇରି କିଛି ଜାଣିନାହୁଁ,’’ ରଘୁନାଥ ।

ଦଳର ଉଦ୍ଧବ ଜେନା କହିଲେ, ଅନ୍ୟମାନେ ହୋ’ କଲେ ।

ଇନିସ୍‌ପେକ୍ଟର କହିଲେ, ‘‘କିଛି ଜାଣି ନାହିଁ ? ତମୁକୁ ଏସ୍‌.ଡ଼ି.ଓ. ସାହେବ୍‌ ନିଜେ ବୁଝେଇ ନାହାନ୍ତି ରଂପୁର ଆସିଥିଲାବେଳେ ? ତହସିଲଦାର ସାହେବ ବୁଝେଇ ନାହାନ୍ତି ?’’

ଉତ୍ତର ଖାଲି ହାଉଯାଉ ।

ବିନୋଦ କହିଲା, ‘‘ହଉ ହଉ । ସେହି ଡାହାଣେ ଚାଲନ୍ତୁ ଦେଖି ଆସିବା ।’’

ଡାହାଣେ ବାଟଚାଳିଲା ଯକାଯକି ବସ୍ତି ଭିତରକୁ ଭିତରକୁ । ଯେତେଠିଁ ସଳଖ ବାଟ ଓସାର ବାଟ ବି ଥିଲା, ତାକୁଛାଡ଼ି ବୁଲାବଙ୍କା ସରୁ ଗଳିବାଟେ ଗୋପୀନାଥ ଦଳର ମୁଖିଆମାନେ ବାଟ କଢ଼ାଇ ନେଉଛନ୍ତି ଗହଳିବସ୍ତି ଭିତରେ, କହୁଛନ୍ତି, ‘‘ଏଇବାଟେ ହଜୁର, ଏଇବାଟେ ।’’ ସରୁ ବାଟ ପଡ଼ିଛି ରଘୁନାଥ ମନ୍ଦିର ପାଖକୁ, ସେଠୁ ପୁଣି ବସ୍ତି ବାଟ ଦେଇ ବାଁକୁ ବଙ୍କେଇଛି, ବାଟ ସରିଛି ତୋଟା ସେପାଖେ, ପଡ଼ିଆରେ । ସେଠି ସାନ ମନ୍ଦିରଟିଏ, ସିଦ୍ଧେଶ୍ୱର ମହାଦେବଙ୍କର ।

 

ବିନୋଦ ପଚାରି ବୁଝିଲାଣି, ସେ ବସ୍ତିରେ ରହନ୍ତି ରଘୁନାଥ ଦଳର ଲୋକେ, ସାନ ଚାଷୀ, ମୂଲିଆ, ଗାଁର ନାନା ବୃତ୍ତିଜୀବୀମାନେ, ଏହିପରି । ଠାକୁରମାନଙ୍କ ଯାତ୍ରା ହୁଏ ସିଦ୍ଧେଶ୍ୱର ମହାଦେବଙ୍କ ମନ୍ଦିପାଖ ବଡ଼ ପଡ଼ିଆରେ ।

 

ବିନୋଦ ଇନିସ୍‌ପେକ୍ଟରଙ୍କୁ ପଚାରିଲା, ‘‘ସିଧା ସିଧା ପଟୁଆରକୁ ପଡ଼ିଆକୁ ନ ନେଇ ଏ ବାଟ ବାଛିବାର କାରଣ ?’’

 

‘‘ଆମଆଡ଼ୁ ତ କାରଣ କିଛି ନାହିଁ, ଦରଖାସ୍ତକାରିଏ ମାଗିଲେ, ଜଣାଗଲା ଆପତ୍ତି କାରଣ ବି ନାହିଁ, ମଞ୍ଜୁରି ଦିଆଗଲା ।’’

 

ଗୋପୀନାଥ ଦଳରୁ ଜଗୁ ପଣ୍ଡା କହିଲେ, ସର୍ବସାଧାରଣଙ୍କ ଯାତ୍ରା ଆଜ୍ଞା, ଠାକୁର ରହି ରହିକା ଯିବେ, ନାଟ ତାମସା, ସଂକୀର୍ତ୍ତନ, ରୋଶ୍ନି, ସମସ୍ତିଙ୍କର ବର୍ଷଯାକର ଗୋଟିଏ ପର୍ବ, ସମସ୍ତେ ଯେମିତି ଦେଖିବେ ସେଥିପାଇଁ ଏ ବାଟ । ପିଲାଛୁଆ ମାଇପେ ବୁଢ଼ାବୁଢ଼ୀ ଗାଁଯାକ ଲୋକଙ୍କର ଆନନ୍ଦ,–କେଇଟା ହିଂସିକା ଲୋକ ସିନା ଗଣ୍ଡଗୋଳ କରୁଛନ୍ତି ।’’

 

ରଘୁନାଥ ଦଳରୁ ପାଟି ଶୁଭୁଥାଏ, ‘‘ଦେଖିବା ରଇଥା ଦିନେ ନାଇଁ କାଳେ ନାଇଁ, ଆଗେ କେବେ ଏ ବାଟେ ଠାକୁରଙ୍କୁ ନେଇନା, ଖାସ୍‌ ଆମୁକୁ ବେଜିତ କରିବ ବୋଲି ଦେଖିବା ଏଥର ଏ ବାଟେ କେମିତି ତେମେ ନେବ ।’’

 

‘‘ନବୁ ନାଇଁ, ନାହିଁ କରିବୁ ।’’ ଗୋପୀନାଥ ଦଳରୁ ପାଟି ଶୁଭୁଥାଏ, ‘‘ତେମେ ଗୋଳାମାଳ କଲେ ହଳହଳ ହେଇ ବନ୍ଧା ହବ । ପୁଣି ତମ ରଘୁନାଥ ଯାତ୍ରା ତ ଆସୁଚି, ତାକୁ କେମିତି ନେବ ଦେଖିବା ନାହିଁ କି ?’’

 

ପୁଣି ବିନୋଦ ଦୁଇ ପକ୍ଷକୁ ଶାନ୍ତ କଲା । ବୁଲି ଦେଖିଲା । ଅନୁମାନ କଲା, ଏଇ ସଂକୀର୍ଣ୍ଣ ଗଳିରେ ଯେତେବେଳେ ଲୋକ ଖୁନ୍ଦାଖୁନ୍ଦି, ଆଗରେ ପଟୁଆର, କେତେ ଗାଁରୁ କେତେ ଦେଖଣାହାରି, ସ୍ତ୍ରୀ, ଶିଶୁ, ପୁରୁଷ, ପିଟାପିଟି ଢେଲା ଫୋପଡ଼ା ଲାଗିଗଲେ ହଠାତ ପଳାଇବାକୁ ବାଟ ନାହିଁ, ଜିଦାଜିଦିରେ ଦୁଇ ପକ୍ଷରୁ କ୍ରୋଧର ନିଆଁ ଜଳୁଛି, କେତେ ନିରୀହ ଲୋକ ବି ଖଣ୍ଡିଆ ଖାବରା ହେବେ, କେଡ଼େ ଭୟଙ୍କର ସେ ଅବସ୍ଥା ।

 

ସବଇନିସ୍‍ପେକ୍ଟର ଫେରି ଆସିଲେ, ଇନିସ୍‌ପେକ୍ଟରଙ୍କୁ ଡାକିନେଇ କଣ କହିଲେ । ଦିହେଁ ବିନୋଦ ପାଖକୁ ଲେଉଟି ଆସିଲେ । ବିନୋଦ ପଚାରିଲା, ‘‘ପୁରୁଣା ନଥି ଆଣିଲେ କି ?’’

 

ସବଇନିସ୍‌ପେକ୍ଟର କହିଲେ, ‘‘ସେଇଟା ଅଣାହୋଇ ନାହିଁ ସାର୍‌, ଥାନାରେ ଥିବ, ପଛେ ଖୋଜି ପଠାଇ ଦେବି ।’’

 

ବିନୋଦ ସେ ଦୁହିଁକ ମୁହଁକୁ ଅନାଇଲା, କହିଲା, ‘‘ହୁଁ, ଯାହାହଉ, ଲୋକେ କହିବା ଆରବାଟ ଟା ବି ଦେଖି ଚାଲିଯିବା ।’’

 

ଦୁଇପକ୍ଷ ପାଟି କରି କରି ତା ସଙ୍ଗରେ ଗଲେ ।

 

‘‘ଏଇ ବାଟେ ହଜୁର୍‌ ।’’ ରଘୁନାଥ ପକ୍ଷ କହିଲେ ।

 

‘‘କେଭେଁ ନୁହେଁ, ମିଛ ମିଛ,’’ ଗୋପୀନାଥ ପକ୍ଷ କହିଲେ ।

 

ବିନୋଦ ଦେଖି ଦେଖି ଗଲା । ମଝିରେ ଗୋଟାଏ ଖୋଲାବାଟ, ପନ୍ଦର ହାତ କୋଡ଼ିଏ ହାତ ଓସାରରୁ କମ୍‌ ନୁହେଁ, ଦି ପାଖେ ଦୂରେଇ ଦୂରେଇ ବାରି, ତୋଟା, ପୁଳିଏ ପୁଳିଏ ଛଡ଼ା ଛଡ଼ା ହୋଇ ବସ୍ତି, ଯାଇ ଯାଇ ଗାଁ । ସେମୁଣ୍ଡେ, ସେହି ଯାତ୍ରା ପଡ଼ିଆରେ ପହଞ୍ଚିଛି । ସିଦ୍ଧେଶ୍ୱର ମହାଦେବଙ୍କ ଦେଉଳ ପାଖେ, ସେଠୁ ସିଧା, ପୁଣି ବାଁକୁ ଡାହାଣକୁ ସେହି ଦଣ୍ଡା ଲମ୍ୱିଯାଇଛି, କ୍ଷେତକୁ ବାଟ, ଓ ଅନ୍ୟ ଗାଁକୁ । ସେହି ସିଦ୍ଧେଶ୍ୱରଙ୍କ ପଡ଼ିଆ ହିଁ ଯାତ୍ରା ପଡ଼ିଆ, ଦୋଳକୁ ଗାଁ ମେଲଣ ବି ସେଇଠି ବସେ । ରଘୁନାଥ ଦଳିଆଙ୍କ ବସ୍ତି ଭିତରକୁ ସେ ଯେଉଁ ସରୁବାଟେ ଯାଇଥିଲା ସେ ବାଟ ବି ଯାଇ ପହଞ୍ଚିଛି ସେହି ପଡ଼ିଆରେ ।

 

‘‘ଠାକୁରଙ୍କୁ ସେ ଗେଞ୍ଜବାଟେ ନ ଆଣି ଏ ଫରଚା ସଳଖ ବାଟେ ଆଣିଲେ ଆପତ୍ତି କଣ ?’’ ବିନୋଦ ପଚାରିଲା ।

 

‘‘ଏଇ ବାଟେ ତ ସବୁ ବର୍ଷ ଆସୁଥିଲେ,’’ ରଘୁନାଥ ଦଳ କହିଲେ ।

 

‘‘ମିଛ କଥା । ଏଇଟା ଘୁ’ ପଡ଼ିଆ ବାଟ, ଏ ବାଟେ ଠାକୁରଙ୍କୁ କେହି ଆଣନ୍ତି ନାହିଁ,’’ ଗୋପୀନାଥ ଦଳ କହିଲେ ।

 

‘‘ଆଣନ୍ତି କି ନାହିଁ ସେ କଥା ପଛେ । ଏ ତ ସିଧା ବାଟ, ଫରଚା ବାଟ, ପଟୁଆର ଆଉ ରୋଶନି କରିବାକୁ, ଲୋକ ଦେଖିବାକୁ ସୁବିଧା ବାଟ, ଏ ବାଟେ ଅସୁବିଧା କଣ ?’’

 

‘‘ତା କେବେ ହେବ ନାହିଁ, ଆମ ବେକ କାଟି ଦେଲେ ବି ହେବ ନାହିଁ, ଆମେ ସେହି ଆରବାଟେ ନେବୁଁ,’’ ଗୋପୀନାଥ ଦଳ ଉତ୍ତେଜିତ ହୋଇ ପାଟି କଲେ, ଆରପକ୍ଷ ବି ରାଗି ପ୍ରତିବାଦ କଲେ ।

 

ବିନୋଦ ପୁଣି ଗାଁ ମଝିକୁ ଆସିଲା, ଦୁଇପକ୍ଷଙ୍କୁ ବହୁତ ବୁଝାଇଲା, ଗାଁ କଳି ଆପୋଷିରେ ତୁଟେଇ ଭାଇ ଭାଇ ହୋଇ ରହିବାକୁ କହିଲା, କିନ୍ତୁ ଦୁଇ ପକ୍ଷରୁ ଉତ୍ତେଜନା ବଢ଼ିଲା ଚଜାଚଜି, ଗାଳି ଫଇଜତ୍‌, ବୁଝିବାକୁ କେହି ରାଜି ନୁହନ୍ତି ।

 

ଇସ୍କୁଲ ଘରକୁ ଫେରି ଆସିଲା, ତା ପଛେ ପଛେ ଦୁଇଦଳର ଲୋକେ ଏକାଠି ଆସିଲେ, ଦୁଇପକ୍ଷରୁ ମଝିରେ ମଝିରେ ଲୋକେ ତାକୁ ଅପରପକ୍ଷ ବିରୁଦ୍ଧରେ କହୁଥାନ୍ତି, ସେ ସେମାନଙ୍କୁ ଶାନ୍ତ କରୁଥାଏ ।

 

ବିନୋଦ ବୁଝିଥିଲା, ସାଢ଼େ ପାଞ୍ଚଟାରେ ବସ୍‌ ଆସେ । ଆଉ ପ୍ରାୟ ଅଧ ଘଣ୍ଟାଏ ବାକି, ତେଣୁ ସେ ବାହାରିବାକୁ ସଜ ହେଲା । ସଡ଼କରେ ଲୋକ ଜଗିଛି ।

 

ଇସ୍କୁଲ୍‌ ଘର ଭିତରେ ଦୁଇ ପୁଲିସ୍‌ ଅଫିସରଙ୍କ ସଙ୍ଗେ ଏକୁଟିଆ ସେ ପାଞ୍ଚ ମିନିଟ୍‌ କଥାଭାଷା କଲା ।

 

‘‘ରଘୁନାଥ ଦଳର ଲୋକେ, ଆଖ ପାଖର ଯେ ମନ ସେ କହୁଛନ୍ତି, ଆପଣମାନେ ଶୁଣିଲେ, ଯେ ଗୋପୀନାଥଙ୍କ ଯାତ୍ରା ପଟୁଆର ବାଁ ପଟର ଦଣ୍ଡାବାଟେ ହିଁ ସବୁଥର ଯାତ୍ରା ପଡ଼ିଆକୁ ଯାଏ, ଡାହାଣ ପାଖର ଗେଞ୍ଜଗଳି ବାଟେ କେବେ ଯାଏ ନାହିଁ, ଆପଣମାନେ କଣ ସେ ବିଷୟରେ କିଛି ବୁଝି ନାହାନ୍ତି ?’’

 

ଇନିସ୍‌ପେକ୍ଟର କହିଲେ ‘‘ଲୋକେ ମେଳି ହୋଇଛନ୍ତି, ତାଙ୍କ କଥାରେ କି ସତ ? ଆଗର କାଗଜ ବି ମିଳି ନାହିଁ, ଭଲକରି ଖୋଜା ଖୋଜି କଲେ ଜଣାଯିବ କଣ ଲେଖାଥିବ । କିନ୍ତୁ ସେଥିରେ ଆଉ ଥାଏ କଣ ? ସରକାରୀ ଅର୍ଡ଼ର ତ ହୋଇ ସାରିଛି, ଯେ ଡାହାଣ ବାଟେ ପଟୁଆର ଯିବ, ତାର ମର୍ଯ୍ୟାଦା ତ ରଖିବାକୁ ପଡ଼ିବ ।’’

 

‘‘କିନ୍ତୁ ଲୋକେ ଯେଉଁ ଅବସ୍ଥାରେ ଅଛନ୍ତି, ଗଣ୍ଡଗୋଳ ତ ନିଶ୍ଚୟ ହେବ, ସେ ଜକାଜକି ଗେଞ୍ଜ ଗଳିରେ ଗଣ୍ଡଗୋଳ ନ ହେଲାଭଳି, ନିରାପତ୍ତା ରକ୍ଷା କରି ହେବା ଭଳି ଆପଣମାନେ କଣ ନିର୍ଭର ପ୍ରତିଶ୍ରୁତି ଦେଇପାରିବେ ? କେତେ ଲୋକଙ୍କର କେତେ କ୍ଷତି ହେବ !’’

 

‘‘ଯାହା ହେବ ହେବସିନା, ଆଇନ୍‌ ତ ନିଶ୍ଚୟ କାଏମ୍‌ ରହିବ । ପୁଲିସ୍‌ ତାର ଯାହା କରିବାର କରିବ । ସେଥିପାଇଁ ଚିନ୍ତା କଣ ?’’

 

ଗାଁ ଲୋକେ ତା’ ସଙ୍ଗେସଙ୍ଗେ ରାସ୍ତାଯାକେ ଗୋଡ଼େଇ ଗୋଡ଼େଇ ଆସିଲେ । ରାସ୍ତାପାଖେ ସମସ୍ତେ ଠିଆ ହେଲେ । ପୁଲିସ୍‌ ବି ଥାଆନ୍ତି । ଦୁଇ ପକ୍ଷରୁ ଏକା ପ୍ରଶ୍ନ, ‘‘କି ରାୟ ହେଲା ଆଜ୍ଞା ?’’

 

ବିନୋଦ କହିଲା, ‘‘ମୋ ପାଖରେ କଣ ମକଦ୍ଦମା ପଡ଼ିଥିଲା ଯେ ମୁଁ ରାୟ ଦେବି ? ହାଲ୍‌ଚାଲ୍‌ ବୁଝିବାକୁ ଇନ୍‌କ୍ୱାଇରି କଲି । ଆପଣମାନେ ଯେଉଁଠିକି ଦରଖାସ୍ତ ପଠାଇଥିଲେ, ସେଠୁ ସେ ବିଷୟରେ ନିଷ୍ପତ୍ତିର ଆଦେଶ ପାଇବେ । ମୁଁ ଦେଖି ଭାରି ଦୁଃଖିତ ହେଲି ଯେ ଏକା ଗାଁକେ ଘରକରି ଏତେକାଳ ଏକାଠି ରହି ତଥାପି ଆପଣମାନେ ଏକାଠି ହୋଇପାରୁ ନାହାନ୍ତି, ପରସ୍ପର ପ୍ରତି ଏତେ ରାଗରୋଷ ଏତେ ବାଦଛେଦ, ହିଂସାରେ ହିଂସାରେ ଏ ଗାଁଟାଯାକ ବିଷାକ୍ତ ହୋଇଯାଉଛି । ଏମିତି ହେଲେ ଏଠି କି ସୁଖ କି ଶାନ୍ତି ? ମଣିଷ ଜୀବନର ବି କି ଥାଇତା ? ଘରର ପଇସା ପରକୁ ଦେବେ, ୟେ ତା’ର ସେ ୟାର ଉଜାଡ଼ି ବସିବେ, ପିଟାପିଟି ମରାମରି ହଉଥିବେ, ଏ ଅବସ୍ଥାରେ, ଏ ଗାଁରେ ଯେଉଁଠି ଯାହା ସାଧାରଣ ଅନୁଷ୍ଠାନଟିଏ ହେଉଥିବ, ତାକୁ ଆଳକରି କଳିକଜିଆ ପିଟାପିଟି ହିଁ ହେଉଥିବ, ସେ ଯାତ୍ରା ହେଉ କି ମେଲଣ ହେଉ । ମୋ ମତରେ, ଆଗ ଆପଣମାନେ ଏକାଠି ବସି କଥାଭାଷା ହୋଇ ନିଜ ଭିତରେ ସବୁ ମନାନ୍ତର ତୁଟାନ୍ତୁ, ଗାଁରେ ଭାଇଭାଇ ପଣ ଲେଉଟି ଆସୁ, ପଛକଥା ଆଉ ନ ଉଠୁ, ପରସ୍ପରକୁ ବିଶ୍ୱାସ କରି ପରସ୍ପର ସହିତ ସ୍ନେହ ସହଯୋଗ ରଖି ନିର୍ଭୟରେ ସମସ୍ତେ ଏ ସାହି ସେ ସାହି ଏ ଦାଣ୍ଡ ବୁଲିପାରନ୍ତୁ, ସେଉଠୁ ଯାତ୍ରା କି ମେଲଣ କି ମଉଛବ ଯାହା କିଛି କରିବେ, ସେ ପର୍ଯ୍ୟନ୍ତ ନୁହେଁ ।’’

 

‘‘ତା ହେଲେ କଣ ଠାକୁରଙ୍କ ଯାତ୍ରା ବନ୍ଦ୍‌ ହେବ ?’’ ଗୋପୀନାଥ ଦଳର ନେତା ଭାଗୁ ସାହୁ ପଚାରିଲେ ।

 

‘‘ସେପରି ଆଦେଶ ତ ମୁଁ ଦେଉ ନାହିଁ,’’ ବିନୋଦ କହିଲା, ଆଦେଶ ଦେବା ଲୋକ ଯାହା ଉଚିତ ଭାବିବେ ତା’ ଆଦେଶ ଦେବେ । ଗାଁଯାକର ସମସ୍ତିଙ୍କର ହିତଦୃଷ୍ଟିରୁ ମୁଁ ଆପଣମାନଙ୍କୁ ଜଣେ ଶୁଭାକାଙ୍‌କ୍ଷୀ ହିସାବରେ ମୋ ପରାମର୍ଶ ଦେଲି । ଠାକୁର ସମସ୍ତିଙ୍କର, ସମସ୍ତେ ତାଙ୍କରି ସନ୍ତାନ, ସେ କଣ ଚାହାନ୍ତି ଯେ ତାଙ୍କୁ ପତିଆରା କରି ତାଙ୍କରି ସନ୍ତାନମାନେ ନିଜ ନିଜ ଭିତରେ ତଣ୍ଟି ଝୁଣା ଝୁଣି ହୁଅନ୍ତୁ ? କଳିକଜିଆ, ମାଡ଼ ଫୌଜଦାରି, ଏସବୁ କଣ ଠାକୁର ପୂଜାରେ ଆଧିବିଧି ?’’

 

‘‘ଆମେ ତ କଳି କରୁ ନାହୁଁ, ସେମାନେ କରୁଛନ୍ତି !’’ ଭାଗୁ ସାହୁ କହିଲେ ।

 

‘‘ହଃ ! ତୁଳସୀ !’’ ଆରପକ୍ଷ କହିଲେ ।

 

ବିନୋଦ କହିଲା, ‘‘ଗାଁର ଯାହା ଅବସ୍ଥା, ଦୁଇପକ୍ଷ ଏକାଠି ଲେଖି ଦେଇ ପାରିବେ ଯେ ଯାତ୍ରା ହେଲେ ଆଦୌ ଗଣ୍ଡଗୋଳ ହେବ ନାହିଁ, ହେଲେ ଦଣ୍ଡ ପାଇବାକୁ ଆମେ ଦାୟୀ ରହିବୁ । ଲେଖି ଦେବେ ?’’

 

‘‘ଆମେ ଗଣ୍ଡଗୋଳ କରିବୁ ନାହିଁ ବୋଲି ଲେଖି ଦେବୁ, କିନ୍ତୁ ସେମାନେ ଆମୁକୁ ପିଟିଲେ ଆମେ ଛାଡ଼ିବୁ ନାଇଁ ।’’

 

‘‘ଆମର ବି ସେଇଆ,’’ ଆରପକ୍ଷ କହିଲେ ।

 

‘‘ସେମିତି ନୁହେଁ,’’ ବିନୋଦ କହିଲା, ‘‘ଦୁଇ ପକ୍ଷର ଲୋକ ଲେଖିଦେବେ ଯେ ଯାତ୍ରା ବାହାରିଲେ ଆଦୌ ଗଣ୍ଡଗୋଳ ଲାଗିବ ନାହିଁ, ଏ ଗାଁର କି ଆଉ କେଉଁ ଗାଁର ଦେଖଣାହାରିର କାହାରି ଦେହରେ କିଛି ଆଘାତ ଲାଗିବ ନାହିଁ, କାହାରି କିଛି କ୍ଷତି ହେବ ନାହିଁ, ଯଦି ସେମିତି ହୁଏ ତେବେ ପ୍ରତି ଦସ୍ତଖତକାରୀ ସେଥିପାଇଁ ପୂରା ଦାୟିତ୍ୱ ନେବେ ।’’

 

ଦୁଇପକ୍ଷ ହାଉ ଯାଉ ହୋଇ ଉତ୍ତର ଦେଲେ ଯେ ଏଭଳି ଦାୟିତ୍ୱ ନେବାକୁ ଲେଖିଦେବା ଆଦୌ ସମ୍ଭବ ନୁହେଁ ସେମାନେ ନିଜପଟୁ କିଛି ଗୋଳମାଳ କରିନାହାନ୍ତି କି କରିବେ ନାହିଁ, କିନ୍ତୁ ଆଉ କିଏ କଣ କରିବ ସେ ନିଜ ଦୋଷପାଇଁ ଦାୟୀ ହେବ, ଦଣ୍ଡ ପାଇବ ।

 

ବିନୋଦ କହିଲା, ‘‘ସରିଲା । ମୋର ଆଉ ଏଠି କିଛି କହିବାର ନାହିଁ । ଯାହା ବୁଝେଇବାର ସବୁ ବୁଝେଇଛି ।’’

 

ବସ୍‌ ଆସିଲା । ସେ ଓ ଜଗୁ ବସ୍‌ରେ ବସିଲେ ।

 

ଆରଦିନ ସକାଳେ ସେ ରିପୋର୍ଟ ଲେଖିଲା । ଯାହା ଯାହା ସେ ଦେଖିଲା ଶୁଣିଲା ସବୁ ସଂକ୍ଷେପରେ ସେ ଲେଖିଲା । ନକ୍‌ସା କାଟି ବସ୍ତି, ମନ୍ଦିରଗୁଡ଼ିକ ଓ ରାସ୍ତା ଯୋଡ଼ିକ ତହିଁରେ ଦେଖାଇଲା । ରିପୋର୍ଟରେ ସେ ଲେଖିଲା ଯେ ଗାଁରେ ଦଶବାର ବର୍ଷ ହେଲା ଦି’ଟା ଦଳହୋଇ ବହୁତ ମାଡ଼ ଫୌଜଦାରି ମାଲିମକଦ୍ଦମା ହେଲାଣି, ତଥାପି ଦୁଇ ଠାକୁରଙ୍କର ବର୍ଷିକିଆ ଯାତ୍ରା ହୁଏ-। ଏ ବର୍ଷ ଗୋପୀନାଥ ଠାକୁରଙ୍କ ଯାତ୍ରାବେଳେ ଗଣ୍ଡଗୋଳ ହେବାର ପୂରା ଆଶଙ୍କା ରହିଛି, ତାର କାରଣ ସମ୍ଭବତଃ ଗଣ୍ଡଗୋଳ ତେଜିବା ଉଦ୍ଦେଶ୍ୟ ଥାଇ ଗୋପୀନାଥଦଳ ତାଙ୍କ ଠାକୁରଙ୍କୁ ରଘୁନାଥ ଦଳଙ୍କ ବସ୍ତିର ଅନ୍ଧି ସନ୍ଧି ବାଟେ ବୁଲେଇ ବଙ୍କେଇ ପଟୁଆର କରି ନେବାକୁ ଚାହାନ୍ତି ଯଦିଚ ଗୋପୀନାଥ ମନ୍ଦିରରୁ ଯାତ୍ରାପଡ଼ିଆଯାକେ ସିଧା ଫାଙ୍କା ଫରଚା ହୋଇ ଅନ୍ୟ ରାସ୍ତା ଅଛି, ପୂର୍ବେ ସେହି ବାଟେ ଠାକୁର ଯାଉଥିଲେ ବୋଲି ରଘୁନାଥ ଦଳର ଲୋକେ ଓ କେହି କେହି ଅନ୍ୟମାନେ ବି କହୁଛନ୍ତି, କିନ୍ତୁ ପୁଲିସ୍‌ ପୂର୍ବ ବର୍ଷର କାଗଜ କାଢ଼ି ନାହାନ୍ତି କି ସେ ବିଷୟରେ କିଛି କହୁ ନାହାନ୍ତି, ଓଲଟି ଗୋପୀନାଥ ଦଳକୁ ରଘୁନାଥ ଦଳିଆଙ୍କ ସାହିର ସଂକୀର୍ଣ୍ଣ ଗଳିବାଟେ ଠାକୁର ନେବାକୁ ଲାଇସେନ୍‌ସ ଦେଇଛନ୍ତି । ବିନୋଦ ସୁପାରିସ୍‌ କଲା ଯେ ଗାଁ ଲୋକେ ଯେମିତି ଚଜାଚଜି ରଗାରଗି ହୋଇ ମୁହାଁମୁହିଁ ପିଟାପିଟି ହେବାକୁ ପ୍ରସ୍ତୁତ ହୋଇ ବସିଛନ୍ତି ଏ ଅବସ୍ଥାରେ ପାଖ ହୋଇ ଆସୁଥିବା ଗୋପୀନାଥଙ୍କ ଯାତ୍ରା ଓ ରଘୁନାଥଙ୍କ ଯାତ୍ରା ଏ ଉଭୟ ଉପରେ ନିଷେଧ ଆଜ୍ଞା ଜାରି କରିବା ଦରକାର ଯେ ସେ ଯାତ୍ରା ମନ୍ଦିର ଆଗରେ ହେଉ କି ନ ହେଉ, ସେଥିପାଇଁ ଠାକୁର ଗାଁର କୌଣସି ରାସ୍ତାକୁ ବାହାରି ପାରିବେ ନାହିଁ । ଗୋପୀନାଥ ଦଳର ଲୋକେ ବାହାରି ଗୁଣ୍ଡାଆଣି ଗାଁରେ ରଖିଛନ୍ତି ବୋଲି ଚାରିଆଡ଼ୁ ଅଭିଯୋଗ, ଯଦିଚ ଇନ୍‌କ୍ୱାଇରି ବେଳେ ସେମାନେ ଦିଶିଲେ ନାହିଁ; ପୁଲିସ୍‌ ସେ ବିଷୟରେ କଡ଼ା ନଜର ଦେବା ଦରକାର ଓ ପୁଲିସ୍‌ ଗୋପୀନାଥ ଦଳର ଜଣକର ବଗିଚା ଘରେ ନ ରହିବା ଦରକାର ଓ ନିରପେକ୍ଷ ରହି ଗାଁର ସମସ୍ତିଙ୍କର ବିଶ୍ୱାସଭାଜନ ହେବା ଦରକାର ।

 

ସେ ଆହୁରି ବି ସୁପାରିସ୍‌ କଲା ଯେ ଗାଁଲୋକଙ୍କ ମନାନ୍ତର ଓ କଳି ଆପୋଷରେ ତୁଟାଇ ଦେବା ଲାଗି ସବୁପ୍ରକାର ଚେଷ୍ଟା କରିବା ଦରକାର, କଳିଟି ଖୁବ୍‌ ଗୁରୁତର ଅବସ୍ଥାରେ ପରିଣତ ହେବାକୁ ବସିଛି, ମିଳାମିଶା କରାଇ ନ ଦେଲେ ତାର ପରିଣତି ଭୟାନକ ହେବ ।

 

ନିଜେ ବସି ରିପୋର୍ଟର ତିନିକିତା ସେ ଟାଇପ୍‌ କରେଇଲା, କିତାଏ ଡାକରେ ପଠାଇ ଦେଲା କଲେକ୍ଟରଙ୍କ ନାଁରେ, କିତାଏ ନିଜ ପାଖେ ରଖିଲା, ଆଉ କିତାଏ ଏସ୍‌.ଡ଼ି.ଓ.ଙ୍କ ପାଖକୁ ପଠାଇଲା, ତହିଁରେ ଉଲ୍ଲେଖ ଥିଲା ଯେ କିତାଏ କଲେକ୍ଟରଙ୍କ ପାଖକୁ ପଠାଯାଇଛି ।

 

ମନେ ପଡ଼ିଲା, ଏସ୍‌.ଡ଼ି.ଓ. କହିଥିଲେ ଯେ ତାଙ୍କ ସଙ୍ଗେ ପରମର୍ଶ କରିସାରି ତେବେ ଯାଇ ସେ ରିପୋର୍ଟ ଲେଖିବ, ତେବେ ଯାଇ ରଘୁନାଥ ଦଳର ଦୁଷ୍ଟଲୋକଗୁଡ଼ାକ ସାଧ୍ୟ ହେବେ ।

 

ସେ ହସି ଦେଲା ।

 

ସେମାନେ ଖୁବ୍‌ ଗହଳି କରୁଛନ୍ତି, ପାଟିତୁଣ୍ଡ କରୁଛନ୍ତି କଚିରି ଘରେ, ତୁନି ହେବାକୁ ଯେତେ ଅନୁରୋଧ କଲେ ବି ଶୁଣୁ ନାହାନ୍ତି । ସେମାନେ ଦର୍ଶକ, ଶ୍ରୋତା । କାରଣ ବି ବୁଝି ହୁଏ, ‘ସରକାର ବନାମ୍‌ ସାଧୁଚରଣ ମିଶ୍ର’ ବୋଲି ବିନୋଦର କଚିରିରେ ଯେଉଁ ମକଦ୍ଦମାଟି ଚାଲିଛି, ଯହିଁରେ ଅଭିଯୋଗ ହୋଇଛି ଯେ, ସାଧୁଚରଣ ମିଶ୍ର ବୋଲି ଏ ସହରର ଜଣେ ଚା’ ଜଳଖିଆ ଦୋକାନୀ ଦିନେ ଦି ପହରେ ତା ଦୋକାନ ଘରେ ଲଳିତା ବୋଲି ଗୋଟେ ଯୁବତୀ ପାନରାଣୀକୁ ହଠାତ୍‌ ପାଶବିକ ଆକ୍ରମଣ କଲା, ସେହି ମକଦ୍ଦମାରେ ସାକ୍ଷୀମାନଙ୍କୁ ଜେରା କରାଯିବ, ସେହି ମକଦ୍ଦମାଟି ପ୍ରଥମେ ପଡ଼ିବ ଓ ତହିଁରେ ପ୍ରଥମ ସାକ୍ଷୀ ଲଳିତା । ସରକାର ତରଫରୁ କୋର୍ଟ ସବ୍‌ଇନିସ୍‌ପେକ୍ଟର ତାଙ୍କ ନଥିପତ୍ର ଧରି ଆସିଲେଣି । ସାଧୁଚରଣ ମିଶ୍ର ତରଫରୁ ଓକିଲ ଅଛନ୍ତି ଶ୍ରୀଧର ନିଶଙ୍କ, ମୁକ୍ତିଆର, ବହୁତ ଗୁରେଇ ତୁରେଇ ପଚାରନ୍ତି । ବିନୋଦ ତାଙ୍କର ଜେରା, ଅନ୍ୟ ଓକିଲଙ୍କର ଏପରି ମକଦ୍ଦମାରେ ଜେରା, ବହୁତଥର ଶୁଣିଛି । ଭିଡ଼ର କାରଣ ଅନୁମାନ କରିପାରେ-

 

‘ଖୋଲା କଚିରି’, କାହାରିକି ମନା କରିହେବ ନାହିଁ । କିନ୍ତୁ ଏ ଗହଳି, ଏ ଅମାନିଆ ଘୋ ଘା ତାକୁ ଭଲ ଲାଗୁନାହିଁ । ଅଶୋଭନୀୟ ଦିଶୁଛି, ଭାବିବା, କାମ କରିବାରେ ବ୍ୟାଘାତ ଉପୁଜୁଛି । ଏମାନେ ପ୍ରକାର ପ୍ରକାର ଲୋକ, କୁଆଡ଼ କୁଆଡ଼ର, କିଛି କାମ ନାହିଁ ଖାଲି ଠିଆହୋଇ ଗପୁଛନ୍ତି ।

 

‘‘କାହାର କିଛି କାମ ଅଛି ? କାହିଁକି ଆପଣମାନେ ରୁଣ୍ଡ ହୋଇଛନ୍ତି ?’’

 

ସେମାନେ ଉତ୍ତର ଦେଉ ନାହାନ୍ତି । କିନ୍ତୁ ସେ ଜାଣେ–ଲଳିତା ଆସିବ, ସେମାନେ ଦେଖିବେ । ମୁକ୍ତିଆର ତାକୁ ବାରକଥା ପଚାରିବେ, ସେମାନେ ଆଁ କରି ଗିଳିଯିବେ । ମୁଦାଲା କଣ କଲା ? ଟିକିନିଖି କରି ବର୍ଣ୍ଣନା କର । ମୁକ୍ତିଆର ତାର ଚରିତ୍ର ବିଷୟରେ ନାନା କଥା ଆରୋପ କରି ପଚାରି ପାରନ୍ତି । ବିଚାରକ ଅଟକାଇ ପଚାରିଲେ କହିବେ ୟେ ମୋ ଡିଫେନ୍‌ସ ପ୍ଳା, ତା ଛଡ଼ା ମୁଁ ଦର୍ଶାଇବି ଯେ ତାର କଥା ଉପରେ ବିଶ୍ୱାସ କରାଯାଇ ପାରିବ ନାହିଁ । ସେମାନେ ମଜା ଦେଖିବେ, ଉପଭୋଗ କରିବେ । ଘା’ ଦେଖିଲେ ମାଛି ଯେମିତି ।

 

ସମସ୍ତେ ଶୁଣିଲା ପରି ସେ କହିଲା, ‘‘ମକଦ୍ଦମା ତ ପଡ଼ି ନାହିଁ, ତା ପୂର୍ବରୁ ଟିକିଏ ଜାତୀୟ–ସଞ୍ଚୟ–ସାର୍ଟିଫିକେଟ୍‌ କଥା ପଡ଼ୁ । ସେ ବିଷୟରେ ଆପଣମାନେ ତ ନିଶ୍ଚୟ ସବୁକଥା ଜାଣିଥିବେ, ବହୁତ ପ୍ରକାର କରାହୋଇଛି, ଏ ଘରେ କାନ୍ଥରେ ଓ ବାହାରେ ବି ତା ଛବି ଆପଣମାନେ ଦେଖି ପାରୁଥିବେ, ଟଙ୍କା ଗଛ ସେ, ତହିଁରେ ଟଙ୍କା ବଢ଼େ, ଯେ ଯେମିତି ପାରିବେ ରଖନ୍ତୁ । ଜଗୁ, ଫର୍ମଗୁଡ଼ାକ ସେମାନଙ୍କୁ ଦେଖାଅ, ସେମାନେ ଦସ୍‌କତ୍‌ କରି ସାର୍ଟିଫିକେଟ୍‌ କିଣିବେ ଯେ, ତାଙ୍କରି ହିତ ତ, ଆଉ କଣ ମନା କରିବେ ।’’

 

ଜାତୀୟ ସଞ୍ଚୟ ସାର୍ଟିଫିକେଟ୍‌ ପାଇଁ ସରକାରୀ ଫର୍ମଗୁଡ଼ିଏ ଧରି ଚପରାସି ଜଗୁ ହସି ହସି ସେଇ ଗହଳି ଆଡ଼କୁ ଧୀରେ ଧୀରେ ଚାଲିଲା, ‘‘ନିଅ, ନିଅ,’’ କହି କହି ।

 

ଯେ ଯୁଆଡ଼େ ଛୁ’ କଲେ ।

 

‘‘ଆରେ ! ଏଇଆ କଣ ନ୍ୟାସ୍‌ନେଲ୍‌ ସେଭିଂସ୍‌ ଡ୍ରାଇଭ୍‌’’, ବିନୋଦ ହସି ହସି କହିଲା । କୋର୍ଟ ସବ୍‌ଇନିସ୍‌ପେକ୍ଟର ଓ ମୁକ୍ତିଆର ନିଶଙ୍କ ହସିଲେ ।

 

କୋର୍ଟରୁମ୍‌ ଖାଲି । ‘‘ଆପଣମାନେ ରେଡ଼ି ?’’ ବିନୋଦ ପଚାରିଲା ।

 

ଉଭୟେ ହଁ କଲେ ଓ ସେତିକିବେଳେ ଏସ୍‌.ଡ଼ି.ଓଙ୍କ ଚପରାସି ଆସି କହିଲା ‘‘ସାହେବ୍‌ ସଲାମ୍‌ ଦେଇଛନ୍ତି, ଖାସ୍‌ କାମ୍ରାରେ ଅଛନ୍ତି ।’’

 

ଗମ୍ଭୀର ହୋଇ ରାଘବ ଚୌଧୁରୀ ବସିଛନ୍ତି, ବିନୋଦ ପର୍ଦ୍ଦା ଆଡ଼େଇ ପଶିଲା । ସେ ଦେଇଥିବା ଗଣ୍ଡିକଟା କଳିର ରିପୋର୍ଟକୁ ତା ହାତକୁ ବଢ଼ାଇ ଦେଇ ଚୌଧୁରୀ କହିଲେ–

 

‘‘ଆପଣ ୟେ କଣ କଲେ ?’’

 

ବିନୋଦ କହିଲା, ‘‘କଣ ହେଲା ? ସବୁ କଥା ତ ଏଥିରେ ଲେଖିଛି, ସାକ୍ଷୀ, ପ୍ରମାଣ, ନକ୍‌ସା, ମୋ ଅନୁସନ୍ଧାନର ଫଳାଫଳ, ଆଉ କିଛି ଲେଖିଥାନ୍ତି ସାର୍‌ ?’’

 

‘‘ଆପଣଙ୍କୁ ତ କହିଥିଲି ମତେ ପଚାରିକରି ଲେଖିବେ–’’

 

‘‘ମୁଁ ତ ଆପଣଙ୍କୁ କହିଯାଇଥିଲି ଯେ ତା’ ଦରକାର ପଡ଼ିବ ନାହିଁ, ଦେଖିଲି ବି ସେଇଆ-। ସାମାନ୍ୟ ଗୋଟାଏ ଇନ୍‌କ୍ୱାଇରି ରିପୋର୍ଟ, ମଣିଷ ଯାହା ଦେଖିବ ତା’ ଲେଖିବ, ସେଥିରେ ପରାମର୍ଶ ନେବାଭଳି କଣ ଥିଲା ? ମତାମତ ତ ମୋ ନିଜର, ତା ବି ମନଗଢ଼ା ନୁହେଁ, ଇନ୍‌କ୍ୱାଇରିରୁ ଯାହା ମିଳିଲା, ତାକୁ ହିଁ ଘେନି, ତାରି ଉପରେ ।’’

 

‘‘ଆପଣଙ୍କ ସୁପାରିସ୍‌ ଅନୁସାରେ କାମ କଲେ କଣ ଫଳ ହେବ ବୁଝୁଛନ୍ତି ତ ?’’

 

‘‘ସେ କଥା ତ ମୋ ରିପୋର୍ଟରେ ଅଛି । ଯେଉଁ ଶାନ୍ତିଭଙ୍ଗ ହେବାର ଅଛି, ସେ ବନ୍ଦ୍‌ ହେବ । ଦି ପକ୍ଷ ବୁଝିବେ, ସେମାନେ ନିଜ ଭିତରେ ମିଳାମିଶା ନ କଲେ, ଭବିଷ୍ୟତରେ ତାଙ୍କ ଗାଁରେ କୌଣସି ରାସ୍ତାରେ କି ଖୋଲା ଜାଗାରେ ସର୍ବସାଧାରଣ ଭାଗ ନେଲାଭଳି କୌଣସି ଯାନିଯାତ୍ରା କରିପାରିବେ ନାହିଁ । ଗାଁଲୋକଙ୍କୁ ଏକାଠି ମିଶେଇ ଦେବାକୁ ସରକାର ବି ଉଦ୍ୟମ କରିବେ ।’’

 

‘‘ଓଃ ! ଭାରି ବୁଝି ପକାଇଲେ !’’ ମୁହଁକୁ ଭୁର୍କୁଣ୍ଡା କରି ତମତମ ହୋଇ ଚୌଧୁରୀ କହିଲେ, ‘‘ଆଗ ତ ଗୋପୀନାଥ ମହାପ୍ରଭୁଙ୍କର କେଉଁକାଳର ଯାତ୍ରା ବନ୍ଦ ହେବ । ଗାଁର ଭଦ୍ରଲୋକମାନେ ସେଇଆ ହେବ ବୋଲି ଗନ୍ଧବାରି ବିଚଳିତ ହୋଇ ଆସି ମତେ କହି ସାରିଲେଣି-। ମନ୍ତ୍ରୀଙ୍କ ପାଖକୁ ଗଲେଣି ବା ଯିବେ, ଗାଁର ଛତରାମାନେ ଆହୁରି ବେଶି ହେରେମା ହୋଇ ହେଣ୍ଡି ମାଇଲେଣି, ବାର ଅନିଷ୍ଟ କରିବେ,–ଯଦି ଆପଣଙ୍କ ସୁପାରିସ୍‌ ଅନୁସାରେ କାମ ହୁଏ ଅବଶ୍ୟ-। ଅତଏବ ବୁଝୁଥିବେ ।’’ ସେ ବିରକ୍ତ ହୋଇ ବିନୋଦ ମୁହଁକୁ ଅନାଇଲେ ।

 

‘‘ମୋର କି ଦୋଷ ଆଜ୍ଞା, ଯାହା ଦେଖିଲି ତା’ ଲେଖିଲି ।’’

 

‘‘ଯାହା ଦେଖିଲି !’’ ଚୌଧୁରୀ ଖେଙ୍କିଲେ, ‘‘ଦେଖିବେ କଣ ? ଆଉ କେହି ଦେଖୁ ନାହାନ୍ତି ? ଆଉ କାହାରି ଆଖି ନାଇଁ ? ଅନ୍ତତଃ ପୁଲିସ୍‌ ଇନସ୍‌ପେକ୍ଟର ଆପଣଙ୍କୁ କହିଥିବେ ତ !’’

 

ବିନୋଦ ମନେ ମନେ ରାଗୁଥାଏ । କହିଲା, ‘‘ପୁଲିସ୍‌ ତ ଲାଗୁଚି ସବୁ ନାଟର ଗୋବର୍ଦ୍ଧନ । ନ ହେଲେ ସିଧା ସଳଖ ବାହାରେ ପଟୁଆର ଛାଡ଼ିଦେବା ବାଟ ଛାଡ଼ି,–ଯେମିତି ବି ସବୁବର୍ଷ ହେଉଥିଲା,–ଖାସ୍‌ ନୂଆକରି ଏବର୍ଷ ରଘୁନାଥ ପଟର ସାହିବାଟେ ଗେଞ୍ଜଗଳି ବାଟେ ବୁଲେଇ ବଙ୍କେଇ ପଟୁଆର ନେବାକୁ ବାଟ ଲାଗି ଅନୁମତି କାହିଁକି ଦେଇଥାନ୍ତେ ? ତାଙ୍କ ମତାମତରେ ମୋର କି ଯାଏ ?’’

 

‘‘ମୁଁ ଏସବୁ ତର୍କ ଚାହୁ ନାହିଁ, ଏ ରିପୋର୍ଟ ଚଳିବ ନାହିଁ । ମୁଁ କହୁଛି, ଆପଣ ଲେଖନ୍ତୁ । ପୁଣି ଉପରେ ପଡ଼ି ସିଧା ସିଧା କଲେକ୍ଟରଙ୍କ ପାଖକୁ ବି ରିପୋର୍ଟରୁ କିତାଏ ନ ପଠେଇ ଛାଡ଼ି ନାହାନ୍ତି, ନୁହେଁ । ଛାଡ଼, ପରବର୍ତ୍ତୀ ରିପୋର୍ଟ ସଙ୍ଗେ ଟିକିଏ ରିଗ୍ରେଟ୍‌ କରି ଚିଠି ଖଣ୍ଡେ ଲେଖି ଦେବେ, ଯେ ତରତରରେ ଆଗଟା ଲେଖି ଦେଇଥିଲି, ଠିକ୍‌ ନ ଥିଲା, ସେଇଟା ଫେରେଇ ଦିଆଯାଉ । କଲେକ୍ଟର କିଛି ଭାବିବେ ନାହିଁ । ମୁଁ କହିଦେବି ।’’

 

ବିନୋଦ କହିଲା, ‘‘ମୁଁ ଠିକ୍‌ ଭାବିଚିନ୍ତି ଲେଖିଥିଲି, ଯାହା ଦେଇଛି ସେହି ମୋର ରିପୋର୍ଟ, ଆଉ ବଦଳେଇବି ନାହିଁ ।’’

 

ଏସ୍‌.ଡ଼ି.ଓ. ରାଘବ ଚୌଧୁରୀ ରାଗରେ ତୁନି ହୋଇ ରହିଲେ, କଟମଟ କରି ତା ଆଖିକି ଅନାଇଁ ରହିଥାନ୍ତି, ଆଖିରୁ ନିଆଁ ବାହାରୁଥାଏ । ଟିକିଏ ରହି କହିଲେ, କଲେକ୍ଟରଙ୍କ ପାଖକୁ ସେ ରିପୋର୍ଟର ନକଲ ଆପଣ ସିଧା ପଠେଇଲେ କେଉଁ ଅଧିକାରରେ ?’’

 

ବିନୋଦ କହିଲା, ‘‘କଲେକ୍ଟର ଲେଖିଛନ୍ତି, ଇନ୍‌କ୍ୱାଇରି କରାହେଉ, ତା’ ରିପୋର୍ଟ ତାଙ୍କ ପାଖକୁ ପଠା ହେଉ । ଇନ୍‌କ୍ୱାଇରି କଲି ମୁଁ । ବିଷୟଟା ଜରୁରି, ତେଣୁ ରିପୋର୍ଟର କିତାଏ ବି ସିଧା ତାଙ୍କ ପାଖକୁ ପଠାଇ ଦେଲି, ତହିଁରେ ଅନ୍ତତଃ ଦିନେ ଦି ଦିନ ଡେରି କମିଗଲା ।’’

 

Unknown

‘‘ଆପଣ ସେପରି କରିବାଟା ଘୋର ବେ–ନିୟମ୍‌ ।’’

 

‘‘ମୁଁ ତା ଭାବୁ ନାହିଁ । ସେଥିପାଇଁ କୈଫିୟତ୍‌ ମଗା ହେଲେ ଲେଖିକରି ଦେବି ।’’

 

‘‘ସେ କଥା ପଛେ । ଅଇଛା, ଏଭଳି ରିପୋର୍ଟଟାଏ ପାଇ ମୁଁ କଣ କରିବି ? ଆପଣ ହେଲେ ମତେ କହନ୍ତୁ । ଓଃ ! ଭଲ ଲୋକ ! ଆପଣ ବୁଝୁନାହାନ୍ତି କାହିଁକି ? ସବୁ ତ କହିଥିଲି ।’’

 

‘‘ଆପଣ କଣ କରିବେ ତା’ ମୁଁ କଣ କହିବି ?’’ ବିନୋଦ କହିଲା, ‘‘ମୋ ସୁପାରିସ୍‌ ଗ୍ରହଣ କରି ସେହି ଅନୁସାରେ ଦୁଇପକ୍ଷଙ୍କ ଉପରେ ଆଗ ଶହେ ଚୌରାଳିଶି କରିପାରନ୍ତି, ପଛେ ଅନ୍ୟାନ୍ୟ କାର୍ଯ୍ୟକ୍ରମ । ଯେମିତି, ଦୁଷ୍ଟ ଲୋକଙ୍କ ଉପରେ ଶହେସାତ । ତଉସିଲ୍‌ଦାରଙ୍କୁ ବରଗି ଦୁଇପକ୍ଷଙ୍କ ଭିତରେ ଆପୋଷ ମିଳାମିଶା ଚେଷ୍ଟା । ନତୁବା ଯଦି ଆପଣ ମୋ ରିପୋର୍ଟ ସହିତ ଏକମତ ନୁହନ୍ତି ତେବେ ଆପଣ ସେଇଆ ଲେଖିଦେଇ ଅନ୍ୟ କାହା ଦ୍ୱାରା ଇନ୍‌କ୍ୱାଇରି କରନ୍ତୁ କି ନିଜେ ଇନ୍‌କ୍ୱାଇରି କରନ୍ତୁ । ଯାହା ଆପଣ ନିଷ୍ପତ୍ତି କରିବେ । ଆପଣଙ୍କୁ ପରାମର୍ଶ ଦେବାକୁ ମୁଁ କିଏ-?’’

 

‘‘ଆଚ୍ଛା !’’ ରାଘବ ଚୌଧୁରୀ ତା ମୁହଁକୁ ଅନାଇଁ ଆଗକୁ ପଛକୁ ମୁଣ୍ଡ ହଲାଇଲେ । ସେ ଭଙ୍ଗୀ ବୁଝେଇ ଦେଉଥିଲା,–‘‘ମତେ ଚିହ୍ନି ନାହୁଁ ? ନା ? ଦେବି ଯେ ପାଇବୁ । ଦେଖିବୁ ରଇଥା ।’’ କହିଲେ, ‘‘ଯାଆନ୍ତୁ ।’’

 

ନିଜ ମନୋଭାବକୁ ନିଜ ଭିତରେ ଦାବି ରଖି ବିନୋଦ ପଦାକୁ ଆସି ଲୋକଙ୍କ ଆଗରେ ମୁହଁ ଦେଖାଇଲା । ତା’ ବି ଅଭ୍ୟାସ, ଆପେ ଆପେ ଆସେ । ଭାବିଲା, ରାଘବ ଚୌଧୁରୀ ଆଉ ସମ୍ଭାଳି ପାରିଲେ ନାହିଁ, ମୁଖାଟା ଖୋଲି ଦେଲେ । ରାଗ ଓ ଘୃଣାରେ ତାର ମନ ଭିତର କୁହୁଳି ଉଠୁଥାଏ । ମନେ ପକାଇଲା, ଯେମିତି କେତେ ଥର ମନେ ପକାଏ, କବି ଗଙ୍ଗାଧର ମେହେରଙ୍କ ‘ଧର୍ମ ଅବତାର’ କବିତାର ଧାଡ଼ି କେଇଟି,–

 

‘‘ମନ ଯାର ରତ ସଦା ପରସ୍ୱ ହରଣେ

ଧନ ଯାର ବିଦଳିତ ଗଣିକା ଚରଣେ

ଜୀବନ ଯା ଲକ୍ଷ ଲକ୍ଷ ଲୋକଙ୍କର ଭାର

ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର ।’’

 

ଶାନ୍ତମୂର୍ତ୍ତି ନିରୀହ ପେଷ୍କାରଟିଏ, ମେହେର, ସବୁବେଳେ ସଚ୍ଚୋଟ, ତଳେ କଣରେ ଟେବୁଲ୍‌ ପାଖେ ବସି ଉଚ୍ଚରେ ଧର୍ମବିଚାରର ବେଦୀଉପରେ ବସିଥିବା ଏସ୍‌.ଡି.ଓ.ଙ୍କ ଆଡ଼କୁ ବେଳେବେଳେ ଚାହିଁ ଦେଉଥିବ, ସେହି ଗହୀର ଶାନ୍ତଦୃଷ୍ଟିରେ ଯାହା ନୀରବରେ ଅନ୍ତରକୁ ବୋଲି ଭେଦିଯାଏ, କଳିଯାଏ ଏମିତି କେତେମାସ, କେତେଦିନ, ସେଉଠୁ ଘରକୁ ଫେରି ଦିନେ ଲେଖିଥିବ ଧାଡ଼ି କେଇଟି, ସେହି ଗୋଟାଏ ଅପଦାର୍ଥ ଏସ୍‌.ଡ଼ି.ଓ.ର ଚିତ୍ର ହୋଇ ଉଠିଥିବ ଯୁଗଯୁଗର ଦୁର୍ନୀତିପରାୟଣ ଶାସକଙ୍କ ପ୍ରତୀକ । ଦିନେ ଲେଖିଥିବ ଧାଡ଼ି କେଇଟି, ସେତିକିରେ ଆଙ୍କିଦେଇ ଯାଇଥିବ, ଖାଲି ଗୋଟାଏ ଦୁର୍ନୀତି ପରାୟଣ କର୍ମଚାରୀର ଛବି ନୁହେଁ, ସବୁ ଦୁର୍ନୀତିପରାୟଣ ଶାସକଙ୍କୁ ରୂପ ଦେଲା ଭଳି ଛବିଟିଏ । ମୁହଁରୁ ଗ୍ରାସ ଛଡ଼େଇ ନେଲେ ହିଂସ୍ର ଶ୍ୱାପଦ କେବେ ଖୁସି ହୁଏ ନାହିଁ । ରାଘବ ଚୌଧୁରୀ ତାର ଅନିଷ୍ଟ କରିବେ । କଣ କରିବେ ? ମିଛ ଖଚ ଲେଖିବେ କି କହି ବୁଲିବେ, ଯେପରି ତାର ଚାକିରିରେ ଭବିଷ୍ୟତରେ ସେ ଆହୁରି ପଛେଇବେ, ଏବେ ତାକୁ ନାନା ପ୍ରକାରେ ହଇରାଣ କରିବେ । କିନ୍ତୁ ତାର ଦୋଷ ନ ଥିଲେ କିଏ ତାକୁ ଦଣ୍ଡି ପାରିବ ? ଆଉ ଚାକିରିର ଭବିଷ୍ୟତ,–ପଛେଇ ସାରିଛି ସେଇଟା ବହୁତ, ଯାହା ତା ହାତରେ ନାହିଁ ସେଥିପାଇଁ ଅନୁଶୋଚନା ବି ବୃଥା ।

 

ନିଜ ଉଜ୍‌ଲାସରେ ବସି ସେଦିନର ସେ ପ୍ରଥମ ମକଦ୍ଦମାର ନଥି ଉପରେ ସେ ଆଖି ବୁଲୋଉଥାଏ । କହିଲା, ‘‘ଏଥର ପଡ଼ୁ,–ସରକାର ବନାମ୍‌ ସାଧୁଚରଣ ମିଶ୍ର ।’’

 

କଲେକ୍ଟର ଅର୍ଥାତ୍‌ ଜିଲ୍ଲା ମ୍ୟାଜିଷ୍ଟ୍ରେଟ ନିର୍ଦ୍ଦେଶ ଦେଲେ, ସେହି ଅନୁସାରେ ଏସ୍‌.ଡ଼ି.ଓ. ରାଘବ ଚୌଧୁରୀ ଆଦେଶ ଜାରି କଲେ, ଗୋପୀନାଥ ମହାପ୍ରଭୁଙ୍କ ଯାତ୍ରା ଓ ରଘୁନାଥ ମହାପ୍ରଭୁଙ୍କ ଯାତ୍ରା ମାସେ ଭିତରେ ଗଣ୍ଡିକଟା ଗାଁର କୌଣସି ସଡ଼କବାଟେ ଯାଇ ପାରିବ ନାହିଁ, କାରଣ ଗାଁରେ ବିବାଦ ହେତୁ ସେହି ଉପଲକ୍ଷରେ ଘୋର ଶାନ୍ତିଭଙ୍ଗର ଆଶଙ୍କା ରହିଛି । କଲେକ୍ଟରଙ୍କଠୁଁ ନିର୍ଦ୍ଦେଶ ପାଇ ଏସ.ଡ଼ି.ଓ. ରଂପୁର ତହସିଲଦାରଙ୍କୁ ନିର୍ଦ୍ଦେଶ ପଠାଇଲେ, ସେ ଚେଷ୍ଟା କରନ୍ତୁ ଯଦି ଗାଁଲୋକଙ୍କୁ ବୁଝାଇ ସୁଝାଇ ସେମାନଙ୍କ କଳି ଭାଙ୍ଗି ହେବ, ସେମାନଙ୍କୁ ମିଳାମିଶା କରାଇ ହେବ । ଯଦି ଆହୁରି ଗଣ୍ଡଗୋଳ ତେଜେ ତେବେ ଗଣ୍ଡଗୋଳକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ କରାଯିବ । ମୋଟଉପରେ, ବିନୋଦର ସୁପାରିସ୍‌ ହିଁ ଗୃହୀତ ହେଲା, କିନ୍ତୁ ସେ କଥା ତାକୁ ଏସ.ଡି.ଓ. ଜଣାଇଲେ ନାହିଁ, ଜଣାଇବା ବିଧି ବି ନ ଥିଲା, ଏପରି କେତେ ଇନ୍‌କ୍ୱାଇରି କରାହୁଏ, ତା ଉପରେ ବିହିତ ଆଦେଶ ବି ଦିଆହୁଏ । ବିନୋଦ ଶୁଣିଲା ଅନ୍ୟମାନଙ୍କଠୁଁ ।

 

ଦିନେ ତା ଇଜ୍‌ଲାସରେ ମୁକ୍ତିଆର ଶ୍ରୀଧର ନିଶଙ୍କ ହସିହସି କହିଲେ, ‘‘ହଜୁର୍‌ ଆମ ଦାନାପାଣି ବୁଡ଼େଇଲେ ।’’

 

‘‘କେମିତି ଆଜ୍ଞା ?’’

 

‘‘ହେଇ ଦେଖନ୍ତୁ ସେ ଗଣ୍ଡିକଟା ଘଟନା, କେଡ଼େବଡ଼ ଫଉଜଦାରି ହେବାକୁ ବସିଥିଲା, କେତେକେତେ ମକଦ୍ଦମା ହୋଇଥାନ୍ତା । ବେଉସାଦାର୍‌ ଡାକ୍ତରମାନେ ସଜହୋଇ ବସିଥିଲେ, ଖଣ୍ଡିଆ ଖାଉଡ଼ା ହୋଇ ରୋଗୀ ଆସିବେ । ଆମେ ଅନେଇଁ ଥିଲୁ, ଦି ପଇସା ମିଳିବ । ହଜୁରଙ୍କ ରିପୋର୍ଟରେ ସବୁ ବନ୍ଦ । ଏଣେ ଆମର ପେଟ ଚଳେ କେମିତି ?’’

 

ଆଉ ଚାରିଜଣ ଓକିଲ ବସିଥିଲେ, ହୋ ହୋ ହସି କହିଲେ, ‘‘ଠିକ୍‌ କଥା ।’’

 

ବିନୋଦ ବି ହସିଲା । ଶୁଣିଲା, କିଛି କହିଲା ନାହିଁ ।

 

ଗଣ୍ଡିକଟା ଘଟନାଟା ଖବରକାଗଜରେ ବାହାରିଲା । ତହିଁରେ ବିନୋଦର ନାଁ ନ ଥିଲା । କିନ୍ତୁ ଏସ.ଡି.ଓ. ରାଘବ ଚୌଧୁରୀ ଠିକଣା ବେଳେ ଶହେ ଚୌରାଳିଶି ଜାରିକରି ଭାବିରକ୍ତପାତ ଓ କ୍ଷୟକ୍ଷତିରୁ ବହୁତ ଲୋକଙ୍କୁ ବଞ୍ଚାଇଲେ ବୋଲି ତାଙ୍କ କାର୍ଯ୍ୟକୁ ସମର୍ଥନ କରାଯାଇଥିଲା ।

 

ତାର କାମ ବହକି ଉଠୁଥାଏ । ରାଘବ ଚୌଧୁରୀ ଅଧିକରୁ ଅଧିକ ମକଦ୍ଦମା ତା ପାଖକୁ ବିଚାର ପାଇଁ ପଠାଇ ଦେଉଥାନ୍ତି, ତା ଛଡ଼ା ନାନା ଇନ୍‌କ୍ୱାଇରି, ନାନା ଫାଇଲ୍‌ । ସେ ଅଫିସ୍‌ରୁ ଫେରୁଫେରୁ ରାତି ହୁଏ । ଏସ.ଡି.ଓ. ବେଶି ବେଶି ଗସ୍ତରେ ବୁଲନ୍ତି, କଚିରିରେ ଦୁଇଘଣ୍ଟା ବସି ଚାଲିଆସି ଚାଲିଯାନ୍ତି ଯୁଆଡ଼େ ହେଲେ କାର୍‌ରେ ଗସ୍ତକରି, ଅନେକ ସମୟରେ ସପରିବାର । ମଝିରେ ମଝିରେ ତାକୁ ଲେଖି କୈଫିୟତ୍‌ ମାଗନ୍ତି କାହିଁକି କେଉଁ କାମ ଡେରିହେଲା । କଟୁମନ୍ତବ୍ୟ ଲେଖନ୍ତି । କାମରେ ତାର ନାକ ଘଷି ହେଉଥାଏ, ତା ଉପରେ କୈଫିୟତ ଲେଖି ଲେଖି ଦେବାକୁ ପଡ଼ୁଥାଏ । କ୍ଳାନ୍ତ ହୋଇ ଘରକୁ ଫେରିଲାବେଳେ ତା ମନରେ ଥାଏ ବିରକ୍ତି, ରାଗ, ନୈରାଶ୍ୟ, ଅଶାନ୍ତିରେ ମନ କୁହୁଳୁ ଥାଏ ।

 

‘‘ଏଇଆ ତେବେ କଣ ଜୀବନ ?’’ ସେ ନିଜକୁ ପଚାରେ, ‘‘ନିଜର ଚାରା ନାହିଁ, ନିଜ ମନଇଚ୍ଛା ବାଛି ପାରିବ ନାହିଁ, ଯେତେ ଯାହା ନିଜକୁ ଅରୁଚିକର, ଯନ୍ତ୍ରଣାଦାୟକ, ସେଇଆ ମିଳୁଥିବ, ମୁଁ ଆଦରୁଥିବି, ସହୁଥିବି ?’’

 

କିନ୍ତୁ ନୈରାଶର ଅନ୍ଧାର ବହଳ ହୋଇ ଘୋଟି ଆସୁ ଆସୁ ତାହାରି ଉହାଡ଼ରୁ ଆପଣା ଭିତରୁ ହିଁ କେଉଁଠୁ ଝଲସି ଉଠେ ଆଲୁଅର ଧାସ ଧାପେ,–ସେ ଭାବେ, ‘‘ମୁଁ ହାରିଯିବି ? କେବେ ନୁହେଁ ?’’

 

ଆଲୁଅ ଆହୁରି ଫିଟେ, ନିଜେ ସେ ଅନୁଭବ କରେ ଆଶା ଓ ବଳ, ସେ ଅନୁଭବ କରେ, ଅନ୍ୟାୟ ଅତ୍ୟାଚାର ଦୁର୍ନୀତି ବିରୁଦ୍ଧରେ ସେ ଲଢ଼ୁଛି, ଲଢ଼ିବ, ଯେ ଲଢ଼େ, ନିରଙ୍କୁଶ ସୁସ୍ଥି । ସୁଖ ଓ ଲାଭ ଭିତରେ ସାଇତା ହୋଇ ରହିବା ଭଳି ଭୋଗ ତା ପାଇଁ ନୁହେଁ । ଘରକୁ ଆସିଲା ବେଳକୁ ସେ ନିଜକୁ ବୋଧ ଦେଇ ସାରିଥାଏ ।

 

ପୁଣି ବେଳେବେଳେ, ତାର ଦୁଃଖକୁ ଉସ୍କେଇବାକୁ ନୂଆ ନୂଆ କାରଣ ଉପୁଜେ । ସେ ଚାକିରି କଲାବେଳେ ସରକାର ଆଇନ୍‌ କରିଥିଲେ, ସିଧା ସଳଖ କେହି ଡିପୋଟି ହେବେ ନାହିଁ । ଏବେ ହଠାତ୍‌ ଆଇନ୍‌ ବଦଳିଗଲା, ପଚିଶି ବର୍ଷ ବୟସ ହୋଇ ନ ଥିଲେ, ଯୋଗ୍ୟତା ଅନୁସାରେ ଲୋକେ ସିଧାସଳଖ ଡିପୋଟି ହୋଇ ପରିବେ, ମନ୍ତ୍ରୀ ଚାହିଁଛନ୍ତି । ସେ କୁଆଡ଼େ କହିଲେ, ‘‘ଏ ଚାକିରିରେ ନୂଆରକ୍ତ ଦରକାର ।’’ ଆସିଗଲେ ଦଶଜଣ, କଲେଜ୍‌ରେ ଓ ବୟସରେ ତାଠୁ ଅନ୍ତତଃ ଦଶବର୍ଷ ସାନ, କିଏ ବି.ଏ. ପାଶ୍‌କରି ସିଧା କଲେଜରୁ, କିଏ ବା ଏମ୍‌. ଏ. ପାଶ୍‌, କିଏ ଏମ୍‌. ଏ. ପାଶ୍‌ ପରେ ଛ ମାସ କି ବର୍ଷେ କେଉଁ କଲେଜରେ ଶିକ୍ଷକ । ତହିଁରୁ ସାତ ଜଣ ଉଚ୍ଚପଦସ୍ଥ କର୍ମଚାରୀଙ୍କ ଜୋଇଁ କି ପୁଅ ପୁତୁରା, ଯେଉଁ କର୍ମଚାରୀମାନେ ମନ୍ତ୍ରୀଙ୍କ ପରାମର୍ଶଦାତା, ଶାସନର ବଡ଼ବଡ଼ ଖୁଣ୍ଟ । ଆଉ ଆସିଗଲେ ଚାରିଜଣ ସେକ୍ରେଟେରିଏଟ୍‌ର କିରାନି, ତାଙ୍କ କାର୍ଯ୍ୟଦକ୍ଷତା ବିଷୟରେ ମନ୍ତ୍ରୀଙ୍କର ପ୍ରତ୍ୟକ୍ଷ ଧାରଣା ନିଶ୍ଚୟ ଥିବ । ସେତିକି ନୁହେଁ, ଗଡ଼ଜାତ ଶାସନ ଲୋପ ହେଲା, ଗଡ଼ଜାତ ମୁଲୁକ ପ୍ରଦେଶଶାସନର ଅନ୍ତର୍ଭୁକ୍ତ ହେଲା, ସେତେବେଳେ ମନ୍ତ୍ରୀ ଆଦେଶ ଦେଲେ, ଗଡ଼ଜାତ ଅଞ୍ଚଳରେ ରାଜାମାନଙ୍କ ଚାକିରିରେ ଯେଉଁ କର୍ମଚାରୀମାନେ ଥିଲେ, ସେମାନେ ସେହି ପାହ୍ୟାରେ ସରକାରୀ ଚାକିରିରେ ରହିଥିଲେ ବୋଲି ଧରା ହେବ, ସରକାରୀ ଚାକିରିରେ ତ ରହିବେ ହିଁ, ପୂର୍ବେ କେତେ ଦରମା ପାଉଥିଲେ ସେକଥା ଯାଉ, ଏବେ ସରକାରୀ ଚାକିରିରେ ସେହି ପାହ୍ୟାରେ ଯେଉଁ ଦରମା, କି ସେତିକି ବର୍ଷ ଚାକିରି ହୋଇଥିଲା ଯାହା ଦରମା ହୁଅନ୍ତା ତା ପାଇବେ ।

 

ଗଡ଼ଜାତ ଅଞ୍ଚଳରେ ରାଜ ଦରବାରରେ କାମ କରିଥିବା କର୍ମଚାରୀମାନଙ୍କ ପ୍ରତି ଏ ଉଦାର ନିଷ୍ପତ୍ତି ଖୁବ୍‌ ଆନନ୍ଦକର ହୋଇଥିବ,–ବିନୋଦ ଭାବିଲା, ଗଡ଼ଜାତ ସବୁ ସ୍ୱାଧୀନ ଭାରତରେ ମିଶିଲା ବୋଲି ସେମାନଙ୍କୁ ଉତ୍ସାହ ଓ ପ୍ରେରଣା ମିଳିଲା, ତାଙ୍କ ମନରେ ଅସନ୍ତୋଷ ପାଇଁ କାରଣ ରହିଲା ନାହିଁ । ଗଡ଼ଜାତର ହୁଏତ କୌଣସି ଚାକିରର ନାଁଟା ହିଁ ଥିଲା, କିନ୍ତୁ ଛୋଟ ରାଜ୍ୟ ବେତନ ବ୍ରିଟିଶ୍‌–ଭାରତର କେଉଁ ସାନ ଚାକିରିର ଦରମା ଭଳି, ଭବିଷ୍ୟତ୍‌ ବି ଥିଲା ଅତି ସୀମିତ, ସଙ୍କୁଚିତ, କିଏ କେତେ ବାଟ ବା ଯାଇ ପାରିଥାନ୍ତେ ? ବିନୋଦର ସହପାଠୀମାନଙ୍କ ଭିତରେ ଏପରି କେହି କେହି ଥିଲେ, ଯେଉଁମାନେ ଭଲଛାତ୍ର ତ ଆଦୌ ନ ଥିଲେ, ବି. ଏ. ପାଶ୍‌ କରି ସାରି ବ୍ରିଟିଶ୍‌ଭାରତରେ ନାନା ପ୍ରକାର ଚାକିରିପାଇଁ ପ୍ରାର୍ଥୀ ହୋଇ ଅକୃତକାର୍ଯ୍ୟ ହୋଇଥିଲେ, ତାପରେ ଚାକିରି ଖୋଜିଥିଲେ, ଗଡ଼ଜାତରେ ରାଜାମାନଙ୍କ ଦରବାରରେ, ପାଇ ଯାଇ ରହିଥିଲେ । ଦରମା ଅଳ୍ପ, ଚାକିରିର ଭବିଷ୍ୟତ୍‌ କ୍ଷୀଣ, ରାଜାଙ୍କୁ ଖୁସି ରଖିପାରିଲେ ରହିଲେ । ଏବେ ସେହିମାନେ ଗଣ୍ୟ ହେଲେ, ଯେପରି ତାଙ୍କ ଚାକିରି ଆରମ୍ଭରୁ ସେମାନେ ଗଡ଼ଜାତରେ ସବ୍‌ଡିପୋଟି ବା ଡିପୋଟି ଚାକିରିରେ ରହିଥିଲେ, ପ୍ରକୃତରେ ସେପରି ଚାକିରିରେ ଓ ସେପରି ଦରମାରେ କେବେ ପୂର୍ବେ ନ ଥାଉନ୍ତୁ ପଛେ, ସେହିମାନେ ସେତିକି ବର୍ଷ ସରକାରରେ ଚାକିରି କରିଥିଲେ ଭଳି ଗଣ୍ୟ ହୋଇ ଅନୁରୂପ ଦରମା, ପଦପଦବୀ ଓ ପଦୋନ୍ନତି ପାଇ ସରକାରଙ୍କ ଅଧୀନକୁ ଚାଲି ଆସିଲେ । ବିନୋଦ ଦେଖିଲା, ତାର ଡିପୋଟି ଚାକିରିକୁ ପ୍ରମୋସନ ନ ହେଉଣୁ ଗଡ଼ଜାତ ଚାକିରିରୁ ସେପରି ବିଶାଶହେ ଜଣ ଡିପୋଟି କଲେକ୍ଟର ହୋଇ ଚାଲି ଆସିଲେ, ତା ଉପରେ ରହିଲେ । ସେମାନଙ୍କ ଭାଗ୍ୟ ପ୍ରସନ୍ନ ହେଲା, କାହିଁ କେତେ ତଳେ ରହିଥିଲେ, ସବୁ ବଦଳିଗଲା, ଭଲକଥା,–ବିନୋଦ ଭାବିଲା, କେବେ ସବ୍‌ଡିପୋଟି ନ ଥାଇ ବି ଏକାଥରେ ଡିପୋଟି, କିନ୍ତୁ ଓଡ଼ିଶା ସରକାରରେ ଯେଉଁ ସବ୍‌ଡିପୋଟି ମାନେ ବର୍ଷ ବର୍ଷ ପର୍ଯ୍ୟନ୍ତ କାମକରି ସେ କାମରେ ଦକ୍ଷତା ଓ ଅଭିଜ୍ଞତା ଅର୍ଜନ କରିଛନ୍ତି, ତାଙ୍କ ପ୍ରତି କି ବିଚାର ୟେ ହେଲା ? ତା ନିଜର କି ଅପରାଧ ? ଅଦଭୁତ ୟେ ନ୍ୟାୟ ।

 

ତାର ମନେ ପଡ଼ିଲେ ତା’ ସାଙ୍ଗ ଭଗତ ପ୍ରଧାନ । କଲେଜ୍‌ରେ ୪ ବର୍ଷ ଫେଲ୍‌ ହୋଇ ତା’ର ସହପାଠୀ ହୋଇଥିଲେ । ପଢ଼ା ପଢ଼ିରେ ତାଙ୍କର ମନ ନ ଥିଲା, ଥଟ୍ଟା, ତାମସା, ହସ, ପ୍ରକାର ପ୍ରକାର ସାନ ସାନ ଦୁଷ୍ଟାମି, ଯହିଁରେ ହସି ହେବ ହସାଇ ହେବ, ସମସ୍ତିଙ୍କ ସଙ୍ଗେ ଅନ୍ତରଙ୍ଗତା, ସମସ୍ତିଙ୍କର ସେ ବଡ଼ଭାଇ । ବଡ଼ଭାଇ କୌଣସିମତେ ବି.ଏ.ପାଶ୍‌ କଲେ । ବ୍ରିଟିଶ୍‌–ଓଡ଼ିଶାରେ ଅବକାରି ସବ୍‌ଇନିସ୍‌ପେକ୍ଟର, କଲିଟରି କିରାନି, ସବ୍‌ଡିପୋଟି, ସବୁପ୍ରକାର ଚାକିରି ପାଇଁ ଚେଷ୍ଟା କଲେ, ହେଲା ନାହିଁ । ଗଲେ ଗଡ଼ଜାତ । ଦୁଇବର୍ଷ ପରେ ବିନୋଦ ସାଙ୍ଗରେ ଦେଖା, ବଡ଼ଭାଇ ସେତେବେଳେ ଖୁବ୍‌ ଫିଟ୍‌ପାଟ୍‌, ଦାମୀ ପୋଷାକ, ପକେଟ୍‌ରେ ଚାରିଟା ଦାମୀ ପାର୍କର ଫାଉଣ୍ଟେନ୍‌ ପେନ୍‌–ହସିଲେ, କହିଲେ, ‘‘ଏବେ ଛାମୁଙ୍କ ପ୍ରାଇଭେଟ୍ ସେକ୍ରେଟେରି ମୁଁ । ଛାମୁଙ୍କୁ ବୟସ ଚବିଶି, ରାଜ୍ୟଟି ପାଚିଆ ପରି, ମୋ ଦରମା ଚାଳିଶଟି ମୁଦ୍ରା, କିନ୍ତୁ ଦରମାକୁ କିଏ ପଚାରେ-? ଗୋଜା, ମନ ଜଗିଲେ ପେଟ ପୂରିଲା । ମୋ କାମ ତାଙ୍କ ସଙ୍ଗେ ଶିକାରକୁ ଯିବା, ନାଚ ଦେଖି ଯିବା, କେତେବେଳେ ରେଲ୍‍ ମଟର ଚଢ଼ି କେଉଁ ସହରରେ ମଉଜକରି ବୁଲିବା, ତାଙ୍କୁ ସବୁବେଳେ ପ୍ରଶଂସା କରିବା, ଚେହେରାକୁ ପୋଷାକକୁ, କଥାକୁ, ବିଚାରକୁ, କାର୍ଯ୍ୟକୁ, ତାଙ୍କର ମୁଡ଼୍‌ ଦେଖି ତାଙ୍କଦ୍ୱାରା ନିଜର କି ଆଉ କାହାର କିଛି ଲାଭ, କିଛି ସୁବିଧା କରେଇ ନେବା, ସେଥିପାଇଁ କେତେବେଳେ ତାଙ୍କ ଆଡ଼କୁ କେତେବେଳେ ପଦାକୁ ହାତ ବଢ଼େଇ ଦେବା, ବଢ଼ିଆ ଚାକିରି ଭାଇ-।’’

 

ପୁଣି ସେହି ‘ବଡ଼ଭାଇ’ଙ୍କ ସଙ୍ଗେ ଦେଖା । ସେ ଆସିଗଲେ ସରକାରୀ ପ୍ରଶାସନିକ ସଂସ୍ଥାରେ ଗଡ଼ଜାତରୁ ଆସିଥିବା ବିଶାଶହେ ଡିପୋଟି କଲେକ୍ଟରଙ୍କ ଭିତରୁ ଜଣେ ହୋଇ । ମୁହଁ ଶୁଖେଇ କହିଲେ, ‘‘ଦେଖ ଭାଇ କେଡ଼େ ଅବିଚାର, ମତେ ଏ.ଡ଼ି.ଏମ୍‌. କରି ଆଣିଲେ ନାହିଁ, ଆଣିଲେ ଡିପୋଟି କଲେକ୍ଟର କରି !’’ ଅନ୍ୟାନ୍ୟ ଗଡ଼ଜାତରୁ ଆସିଥିବା ଆଉ କେତେଜଣଙ୍କ ନାଁ ସେ କହିଲେ, କ୍ଷୁବ୍‌ଧ ହୋଇ କହିଲେ, ‘‘ସେ ସନାକୁ ଦେଖ, ସେଇଟା ଥିଲା ଗୋଟାଏ ଷ୍ଟେଟ୍‌ରେ ତହସିଲଦାର, ଦରମା ତିରିଶ ଟଙ୍କା, ଖଜଣା ଅସୁଲ କରୁଥିଲା ଗୋଟାଏ ଛୋଟ ଇଲାକାରୁ, ବୟସରେ ଆମଠୁଁ ସାତବର୍ଷ ସାନ, ସେ ବି ମୋରି ପରି ! ଆଉ ଜଗୁଆକୁ ଦେଖ, ସେ ସେହି ସନା ସାଙ୍ଗର, ତା ଷ୍ଟେଟରେ ସେ ଥିଲା ମାଇନ୍‌ର ସ୍କୁଲମାଷ୍ଟର, ସେ ବି ସେଇଆ !’’

 

‘‘କିନ୍ତୁ ଏମାନେ ଏତେ ଏତେ ବର୍ଷର ଡିପୋଟି କଲେକ୍ଟର ହେଲେ କେମିତି ବଡ଼ଭାଇ-?’’

 

ସେ ହୋ ହୋ ହସିଲେ, କହିଲେ, ‘‘ବୁଝିବ, ବୁଝିବ ସବୁ ଏଥର, ରଇଥା ଦେଖିବ, କ୍ରମେ ଡିପୋଟିଟା କଟି ଖାଲି କଲେକ୍ଟର ଯଦି ନ ହେଇଚନ୍ତି । ଏଇଟା ଶାଠ, ଏଇଟା ସଂସାରରେ ଚାଲେ, ଏଇ ବିଦ୍ୟା ଜାଣିଥିଲେ ଲୋକେ କାହିଁକା କାହିଁ ଉଠନ୍ତି । ଆମ ଗଡ଼ଜାତରେ ଏଇଟା ଆମେ ଶିଖୁଥିଲୁ, ଅଭ୍ୟାସ କରୁଥିଲୁ । ତେମେ ଅକର୍ମା କାହୁଁ ଜାଣିବ ? ତେମେ ତ ଧରିଚ ପାଠ, ବହି, ଲେଖା ଆଇନ୍‌, କାଗଜ, ଶୁଣାନୀତି, ଛୁଞ୍ଚି ମାଛି ପରଖ ?’’

 

‘‘ଆମେ ତ ନିକମା ସତ, କିନ୍ତୁ ୟେ ହେଲା କେମିତି ?’’

 

‘‘ହୁଅନ୍ତା ନାହିଁ ? ଗଡ଼ଜାତରେ ଯେଉଁ କର୍ମଚାରୀମାନେ ଥିଲେ ସେମାନେ ଅସନ୍ତୁଷ୍ଟ ହୋଇଥିଲେ ଲୋକଙ୍କୁ ମତେଇ ଗଣ୍ଡଗୋଳ ଲଗାଇ ଦେଇଥାନ୍ତେ । ତାଙ୍କୁ ତ ନେବା କଥା । ଅର୍ଡ଼ର ହେଲା, ଯେ ଯେଉଁ ପଦରେ ଥିଲେ ସେହି ପଦରେ ରହିବେ ।’’

 

‘‘କିନ୍ତୁ ସେମାନେ କଣ ଏଇପଦରେ ଥିଲେ ?’’

 

‘‘ଭାବ, ଥିଲେ କି ନ ଥିଲେ କିଏ କହିବ ? କହିବ ରାଜା । ଆମେ ତାଙ୍କୁ କହିଲୁଁ ମହିମାର୍ଣ୍ଣବ ମଣିମା ଶ୍ରୀଛାମୁ, ଛାମୁଙ୍କ ଅନ୍ନଖାଇ ଆମେ ବଞ୍ଚୁଥିଲୁ, ଏବେ ଦୈବଯୋଗକୁ ଛାମୁଙ୍କ ରାଜ୍ୟରାଜୁତି ଗଲା, ଏତିକିବେଳେ ଛାମୁ ଯଦି ଦୟାକରି ଲେଖିଦିଅନ୍ତେ ଆମେ ଛାମୁଙ୍କ ଦରବାରରେ ଅମୁକ ଅମୁକ ପଦପଦବୀରେ ଚାକିରି କରିଥିଲୁ, ସରକାର ବି ଛାମୁଙ୍କ କଥା ଉପରେ ଆମୁକୁ ସେହି ସେହି ପଦବୀରେ ଗ୍ରହଣ କରି ନିଅନ୍ତା, ଆମେ ଆଜୀବନ, ସଞ୍ଜେ ସକାଳେ, କରୁଣାବାରିଧି ଶ୍ରୀଛାମୁଙ୍କ ଗୁଣକୀର୍ତ୍ତନ କରୁଥାନ୍ତୁ, ଛାମୁଏଁ ତଥାଽସ୍ତୁ କହିଲେ, ହେଲା ।’’

 

ବିନୋଦ ବାରମ୍ୱାର ସେହି କଥା ଭାବିହେଲା ।

 

ଭାବିଲେ ସେ ନିରାଶ ହିଁ ହୁଏ, ବୁଝେ, ସମାଧାନ ତା’ ହାତରେ ନାହିଁ । ସେ ମନକଲେ ଚାକିରି ଛାଡ଼ିଦେବ, ମନଭିତରେ ଏଇଯେଉଁ ରୁଗୁରୁଗୁ ଛଟପଟ ଲାଗି ରହିଛି, ଗୋଟାଏ ଅଛିଣ୍ଡା ନଟରା ରୋଗପରି, ଏକାଥରକେ ଯେ ରୋଗ ଚାଲିଯିବ । ପୁଣି ଶଙ୍କି ଯାଏ ଭାବେ, ତା ପରେ ? ପିଞ୍ଜରା ଭିତରେ ଚଢ଼େଇ । ମନେ ପଡ଼ୁଛି, ଖୋଲା ଆକାଶ, ମନଇଚ୍ଛା ଉଡ଼ା, ପଖିରେ ଯେତେବେଳ ଯାଏ ବଳ ଅଛି, ଛାତିରେ ଅଛି ଦମ୍‌ । କିନ୍ତୁ ସବୁ ମନେମନେ ଯେ । ଡେଣା ଦି’ଟା ନାଠି ଗଲାଣି, ଆଉ ଖୋଲା ପିଞ୍ଜରାର କବାଟ, ଆକାଶକୁ ଚାହିଁଲେ ଛାତି ଭୟରେ ଥରୁଛି । ପରିବାର, ମା, ଛୁଆ, ନିରାପତ୍ତା, ସୁସ୍ଥି,–ସେହି ସୁସ୍ଥିର ବିଷ ଆଶଙ୍କା ହୋଇ ଦେହଯାକ ଚରିଛି । ଲାଗୁଛି, ସେ ଧରିପାରୁଛି କାହିଁକି ଏତେ ପାଠ ଏତେ କାର୍ଯ୍ୟଦକ୍ଷତା ଏତେ ସଦ୍‌ଗୁଣ ଥାଇ ବହୁତ ବହୁତ ଲୋକ ତୁଣ୍ଡମୁଣ୍ଡ ନ କରି ପରର ଅଧୀନ ହୋଇ ଚାଳିତ ହୋଇ ହୋଇ ଜୀବନ ବିତାନ୍ତି, ସେତେ ବିଦ୍ୟା ନ ଥାଇ, ନାନା ଦୁର୍ଗୁଣ ଥାଇ ଅନ୍ୟଲୋକ ବାରମ୍ୱାର ହୁଅନ୍ତି ଚାଳକ, ତାଙ୍କରି ଜୟଜୟକାର ପଡ଼େ । କାରଣ ସେମାନେ ସୁସ୍ଥି ନିରାପତ୍ତା ଛାଡ଼ିଥିଲେ, ଯେତେବେଳେ ହେଉ, ଡେଇଁ ପଡ଼ିଥିଲେ । ସେ ତା କରିପାରି ନାହିଁ, ତାର ମନଟା ହିଁ ଚାକରର ମନ ।

 

ନିଜ ସଙ୍ଗେ ଯୁଦ୍ଧ କରୁକରୁ ସେ ରାସ୍ତାରେ ଚାଲିଚାଲି ଘଣ୍ଟାଏ ବିତାଇ ଦେଇଥାଏ । ଡିସେମ୍ୱର ଆରମ୍ଭ, ସେ ଅଫିସ୍‌ରୁ ବାହାର ପଡ଼ିଥିଲା । ସଅଳ ସଅଳ, ପଶ୍ଚିମ ମୁହାଁ, ସେତେବେଳକୁ ନାଲି ସୂର୍ଯ୍ୟ ବାରପଣ ବୁଡ଼ିଯାଇଥାଏ । ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖିବାକୁ ତାକୁ ଭାରିଭଲ ଲାଗେ, ସେ ଦୃଶ୍ୟ ଦେଖୁ ଦେଖୁ ସେ ଆପଣାକୁ ଭୁଲିଯାଏ, ନିଜେ ଭାବରୂପ ହୋଇ କିଛି ବେଳ କେଉଁଠି ହଜିଯାଏ । କିନ୍ତୁ ଆଜି ସେ ସୂର୍ଯ୍ୟାସ୍ତକୁ ନିଘା ବି କଲା ନାହିଁ; ତା ପରେ ଆସିଲା ଯେଉଁ କ୍ଷଣିକ ବର୍ଣ୍ଣଚ୍ଛଟା ତାକୁ, ଅନ୍ଧାର ଆସିଲା ସେ ଗଲା ପଶ୍ଚିମ ମୁହାଁ, ପୁଣି ବାଟ ଭାଙ୍ଗିଲା, ପୋଖରୀ କୂଳ, ଦେଉଳ ପାଖ, ବସ୍ତି ଭିତରେ ଅରାଏ ତୋଟାତଳ, ସେ ଚାଲିଛି ଧୀରେଧୀରେ, ନିଜ ସଙ୍ଗେ ନିଜେ ମନେମନେ ବାଗ୍‌ବିତଣ୍ଡା, କେତେବେଳେ ନିସ୍ତେଜ ଆଉ ତୁନିତାନି । ବାଟରେ କେତେ ଚିହ୍ନା ଅଚିହ୍ନା ହାବୋଡ଼ିଛନ୍ତି, ସେ ଚାଲିଛି । ସେ ନୂଆ ସମୟ କଥା ଭାବିଥିଲା ।

 

ଶାସନ ଲାଗି ବାଛିବାଛି ଚିପିଚିପି ଲୋକ ରଖିବାକୁ ପଡ଼େ, ଯେ ବଡ଼ବଡ଼ ଦାୟିତ୍ୱ ତୁଲେଇବେ ସେ ହେବା ଦରକାର ସଚ୍ଚୋଟ, ସହୃଦୟ, ଦକ୍ଷ, ବିଜ୍ଞ ଓ ଅଭିଜ୍ଞ, ତାଙ୍କଠି ନାନା ସଦ୍‌ଗୁଣ ଥିବା ଦରକାର । ଏ ନୀତିରେ ଯଦି ବିଭ୍ରାଟ କରାଯିବ, ଲୋକ ବଛାହେବେ ମନମୁଖିଆ, ଦିନ ଯହୁଁ ଯାଉଥିବ ସେହିମାନେ ପାଉଥିବେ ବଡ଼ବଡ଼ ଦାୟିତ୍ୱ । ଏକମାତ୍ର ଗୁଣଥିବ ଖୁସାମତ କରିବା, ନିଜ ସ୍ୱାର୍ଥଜଗି କଳାକୁ ଧଳା କହିବା, ଭବିଷ୍ୟତରେ ହେବ କଣ ?

 

ପୁଣି ସେ ନିଜକୁ ଆକଟିଲା । ‘‘ଏପରି ଆଶଙ୍କାର କାରଣ କଣ ? ନିଜକୁ ଭାରି ଉପଯୁକ୍ତ ଭାବୁଥିଲୁ ବୋଲି ? ମନେମନେ ନିଜର ପଦୋନ୍ନତି ହେଉ ନାହିଁ ବୋଲି ? ପରକୁ ବିଚାର କରିବାକୁ ତୁ କିଏ ?’’

 

ପୁଣି ଚୁପଚାପ୍‌ । କିନ୍ତୁ ମନ ମାନୁ ନାହିଁ । ନିଜଠିଁ ନିରାଶା ଅନୁଭବ କରୁକରୁ ଦେଶରେ ଦେଖୁଛି ନୈରାଶ୍ୟ ।

 

ଅଥଚ, ଆଶ୍ଚର୍ଯ୍ୟ ହୋଇ ଅନୁଭବ କରୁଛି, ପଥର ବୋଝପରି ଯେଉଁ ହତାଶା ତାକୁ ମାଡ଼ି ବସିଛି, ଚିପି ଦେଉଛି, ସେହି କଳା ହତାଶାକୁ ଆସ୍ତେ କରକୁ ଠେଲି ଦେଇ ତା’ ଭିତରେ ଗୋଟିଏ ଛନଛନିଆ ଘାସଗଜା ପରି ଗଜୁରି ଉଠୁଛି ଆଶା, ତା ସଙ୍ଗେ ସଙ୍ଗେ ବଞ୍ଚିବାର ଆନନ୍ଦ, ଅନୁଭବ କରୁଛି, ସେ ଅଛି, ସୁସ୍ଥ ଦେହରେ ଅଛି । ସେ ବଞ୍ଚିବାକୁ ଚାହେଁ, ଜୀବନରେ ସୁଖ ଅଛି, ଆହୁରି ଭୋଗ କରିବାକୁ ଚାହେଁ, ହାରୁ ଜିତୁ ଚିନ୍ତା ନାହିଁ, ସେ ଲଢ଼ିବାକୁ ଚାହେଁ, ଏ ସଂସାରରେ, ଏ ପରିସ୍ଥିତିରେ, ନିଜ ବିବେକ ଓ ବିଚାରରେ କାମ କରି ବଞ୍ଚିବା ହିଁ ତା ପକ୍ଷରେ ସେହି ମନଉଲୁସା ଲଢ଼େଇ । ତେବେ ୟେ ସବୁ ଦୁଶ୍ଚିନ୍ତା, ମନସ୍ତାପ ? ଖାଲି ଅସାରା ଦୁଃସ୍ୱପ୍ନ ସେ ଭାବିଲା । ୟେ ସଂସାରରେ ଲୋକେ ପ୍ରକାରେ ପ୍ରକାର, ଯେ ଯେପରି ହେଲା, ବଢ଼ିଲା କି ଛିଡ଼ିଲା । ତୁଳନା କରି ମନ ଦୁଃଖ କରିବାକୁ କାରଣ ନାହିଁ ।

 

ନିଜକୁ ବୁଝାଇ ଘରମୁହାଁ ଶାନ୍ତ ହୋଇ ସେ ଚାଲିଥାଏ ।

 

କିନ୍ତୁ ପୁଣି ମନଟା ରୁଗୁରୁଗୁ ହେଲା, ସେଉଠୁ ହାକୁହାକୁ ହେଲା ତା ପରେ ଅଣାୟତ୍ତ ହୋଇ ଉଠୁପଡ଼ ଛଟପଟ ହେଲା ବିଷାଦ ଓ କ୍ଷୋଭରେ, ବିନୋଦ ଭାବିଲା,–ବୃଥା ଯେତେ ମନବୁଝା ଯୁକ୍ତିର ଠେକ, କେଡ଼େ ଦମ୍ଭ ଜଣାପଡ଼େ, କିନ୍ତୁ କାମକୁ ପାଏ ନାହିଁ । ଆଘାତ ତାକୁ ବାଧୁଛି, ଅପମାନ ତହିଁରେ ନିଆଁ ଜାଳିଛି, ସେ ନିଜକୁ ମଙ୍ଗାଇ ପାରିବ ନାହିଁ ତାର କିଛି ହୋଇନାହିଁ ବୋଲି । ତେଣୁ ସେ କଷ୍ଟ ପାଇବ ହିଁ, ଭଲ ହେବ ଯଦି, ଭଲହେବ ତା ମନକୁ ମନ ।

 

ସେ ମୁଣ୍ଡତଳକୁ କରି ବାଟ ଚାଲୁଥାଏ । ମନ ହେଉଥାଏ, ଥାଆନ୍ତେ କେହି ଜଣେ, ଯାହାଙ୍କ ଆଗରେ ପିଲାଦିନ ପରି ‘ମତେ କାଟୁଛି’ ବୋଲି କହି ସେ କାନ୍ଦି ପାରନ୍ତା, ଆଉ ସେ ଆଉଁସନ୍ତେ, ବୁଝାନ୍ତେ, ବୋଧ ଦିଅନ୍ତେ, ବାପା ଭାଇ ପରି କେହି ଜଣେ, ଅତି ଆପଣାର ଯେ ବୁଝିପାରନ୍ତେ, ତା ଅନ୍ତରକୁ, ତା ଦୁଃଖକୁ, ନିଜେ ଥାଆନ୍ତେ ଦୁଃଖ କି ଉଦ୍‌ବେଗ ଉପରେ, ବାଟ ଦେଖାଇବା ଲୋକ, ସାହସ ଦେବା ଲୋକ । କିନ୍ତୁ କାହୁଁ ସମ୍ଭବ ଏବେ ତା ? ଯୁଆଡ଼େ ଅନାଇଲେ ସବୁଠିଁ ନିଷେଧ,–ନା, ନା, ନା । ନିଜ ମନ ଭିତରେ ହିଁ ତ ସେ ନିଷେଧର ବସା, ଉପାଡ଼ି ହୁଏ ନାହିଁ-

 

ଆପଣା ବ୍ୟବହାରରେ ପିଲାଦିନେ କେତେ କଥା ଥାଏ ସରଳ, ସହଜ, ସ୍ୱାଭାବିକ, ଆଉ ବଡ଼ଦିନେ ତା ହୋଇଯାଏ ଅସଜ, କଷ୍ଟ, ଅସମ୍ଭବ ।

 

ବିନୋଦ ତା’ର ଚିନ୍ତାରେ ବୁଡ଼ି ବାଟ ଚାଲିଥାଏ । ପହିଲି ସଞ୍ଜ, ବାଟେବାଟେ ଲୋକ ଚଳପ୍ରଚଳ, ମଝିରେ ମଝିରେ ତୁଣ୍ଡଶବ୍ଦ, ପାଦଶବ୍ଦ କିନ୍ତୁ ତା ପାଇଁ ସବୁ ଶୂନଶାନ୍‌, ବହଳ ଅନ୍ଧାର, ମଝାରାତି, ସେ ଏକୁଟିଆ ଚାଲିଛି, ଆଗରେ ଅଛିଣ୍ଡା ବାଟ ।

 

ଅନ୍ଧାରରୁ ଡାକ ଶୁଭିଲା, ‘‘ଆଜ୍ଞା ନମସ୍କାର ।’’ ବିରକ୍ତ ହୋଇ ସେ ବାଁ କରକୁ ବେକ ମୋଡ଼ିଲା, ତା ପାଖେ ପାଖେ ଆଉ ଜଣେ, ଚିହ୍ନିଲା, ଶିକ୍ଷକ ଶଶୀ ମିଶ୍ର । ସେ ଉଦାସ ହୋଇ ହାତଯୋଡ଼ି ନମସ୍କାର କଲା, କିଛି ନ କହି ପୁଣି ଚାଲିଲା ।

 

‘‘ସବୁ ଭଲ ତ ଆଜ୍ଞା ?’’ ଶଶୀ ମିଶ୍ର ପଚାରିଲେ ।

 

‘‘ହଁ, ଭଲ ! କି ଭଲ ମନ୍ଦ ଆଜ୍ଞା !’’ ସେ ଯାହା ନ କହିବାକୁ ଚାହିଥିଲା ସତେ ଯେମିତି ତା’ ସ୍ୱର ଓ ତାର କଥା କହିବା ଭଙ୍ଗୀ ତାକୁ ପଦାରେ ପକାଇ ଦେବାକୁ ଖୋଜୁଥିଲା ।

 

ଶଶୀ ମିଶ୍ର ଗମ୍ଭୀର ହୋଇ କହିଲେ, ‘‘ସେପରି କହନ୍ତୁ ନାହିଁ ଆଜ୍ଞା, ଆଉ କାହାର ସବୁ ଭଲ ନ ଥାଉ, ଆପଣ ଯାହା, ଆପଣ ଯେମିତି, ଆପଣଙ୍କର ସବୁବେଳେ ସବୁ ଭଲ ହେବା ହିଁ ଉଚିତ । ସଂସାରରେ ଘଟନା ତ ବହୁ ପ୍ରକାରର, ସେ ମୁହୂର୍ତ୍ତ ମୁହୂର୍ତ୍ତକେ ଘଟିଯାଉଛି, ସବୁ ଭଗବାନଙ୍କ ଇଚ୍ଛା, କେଉଁ ମଣିଷ କେଉଁ ଘଟନାକୁ ସୁଖ ପାଉ କି ନ ପାଉ । କେଉଁ ମଣିଷ ନିଜେ ବି କଣ ? ଗୋଟାଏ ଘଟନା ତ ? ନା ଜନ୍ମ ହେବା ଆଗରୁ ନିଜେ ସେ ବାଛିଥିଲା, ମୁଁ ଜନ୍ମ ହେବି, ଅମୁକ ଲୋକ ଘରେ ଜନ୍ମ ହେବି, ହୋଇ ଏଇଆ ଏଇଆ ହେବି, ଏତେ କଥା ? କିନ୍ତୁ ଗୋଟିଏ କଥା ତା’ ହାତରେ ଥାଏ, ସେ ପରା ମଣିଷ, ତାର ବୁଦ୍ଧି ବିବେକ ଅଛି, ସେଇଥିପାଇଁ ଥାଏ । ଘଟନା ଯାହା ଘଟିଯାଉ, ସେ ଯଦି ନିଜକୁ ସମର୍ଥ କରି ତିଆରି ପାରେ ତେବେ ସେ ତା ମନକୁ ଶାନ୍ତ ରଖିପାରେ, ସୁଖ ଆସୁ ଦୁଃଖ ଆସୁ ତା ମନ ଚହଲେ ନାହିଁ, ତାର ସବୁଦିନେ ଭଲ, ଆପଣଙ୍କୁ ତ ମୁଁ ଜାଣିଲା ଦିନୁଁ ସେଇଆ ଭାବିଛି ଆଜ୍ଞା, ସେଥିପାଇଁ ଆପଣ ସବୁବେଳେ ପ୍ରସନ୍ନ, ସବୁବେଳେ ସାହସୀ, ସିଂହପରି ।’’

 

ବିନୋଦ ଅଟକି ଗଲା । ତା ପାଇଁ ସେହି କେତୋଟି ମୁହୂର୍ତ୍ତ ହଠାତ୍‌ ପାଲଟି ଯାଇ ହୋଇଥିଲା ସମୟ ସନ୍ଧିରେ କେଉଁ କିମିଆଁ ଲଗା ବେଳ ଚେନାଏଁ, ଯେତେବେଳେ ସତ ଆଉ ସ୍ୱପ୍ନ ଏକାକାର ହୁଏ, ସାଧାରଣ ଅସାଧାରଣ ହୁଏ । ସତେ ଯେମିତି ସେ ସେହି ଶିକ୍ଷକ ଶଶୀ ମିଶ୍ର ନୁହନ୍ତି ଯାହାଙ୍କୁ ସେ ଚିହ୍ନିଛି, ସେ ତା’ର ଅତି ଆପଣାର କେହି, ଯାହାଙ୍କୁ ସେ ମନେ ମନେ ଅପେକ୍ଷା କରିଥିଲା ଓ ତାଙ୍କ କଥାର ଶେଷ ଆଡ଼କୁ ତହିଁରେ ଥିଲା ତା ପାଇଁ ସେହି ମମତାମୟ ଆଉଁସାର ଶୀତଳ ସ୍ପର୍ଶ, ଯାହାପାଇଁ ସେ ଝୁରି ହେଉଥିଲା । ଅନ୍ଧାର ସେହି ଭାବରୂପ ଘେନିଥିଲା, ଅନ୍ଧାରରେ ସେ ମିଶି ଗଲାଣି, ସେ ସ୍ୱର ଶୁଭିଥିଲା ସ୍ୱପ୍ନରେ, ସତେ ଯେମିତି ତା’ ଶୁଭି ନାହିଁ । ଗାଲରୁ ତାରି ସ୍ମୃତି ପୋଛିଲା, ତତଲା ଟାଉଁସିଆ ଅନ୍ତର ଭିତରୁ ଦୁଇଧାର ଲୁହ । ଆଉ କିମିଆ ନାହିଁ, କତିରେ ଚାଲିଛନ୍ତି ଶଶୀ ମିଶ୍ର ହିଁ, କିନ୍ତୁ ସେ ଆଉ ପର ପର ଲାଗୁ ନାହାନ୍ତି, ଲାଗୁଛନ୍ତି ଯେମିତି ଜଣେ ସୁଖ ଦୁଃଖର ସାଥୀ, ଆପଣାର ହିତୈଷୀ ବନ୍ଧୁ ।

 

‘‘ମନଟା ଭଲ ନାହିଁ ଆଜ୍ଞା’’, ସେ କହିଲା, ‘‘ଚାକିରି କଥା ଭାବୁଥିଲି, ତେଣୁ । ଆପଣ ଠିକ୍‌ କହିଛନ୍ତି, ମୋ ବିବେକକୁ ମାନି ବାହାରେ ନିୟମକୁ ଜଗି ମୋ ସାଧ୍ୟ ଅନୁସାରେ ମୋ କାମ ମୁଁ କରୁଥାଏଁ, ତହିଁରେ ମୋ ଲାଭ କ୍ଷତି ମୁଁ ଭାବି ହୁଏ ନାହିଁ, ବେକ ସିଧା ଥାଉ, ବିବେକ ସଫା ଥାଉ, ସଳଖେ ଚାଲିଥାଏ, ସେତିକି । ତେଣୁ ମୋର ମୁଁ ଠିକ୍‌ ଥାଏଁ, ଅଭାବ ଅସୁବିଧା କଥା ଭାବେ ନାହିଁ । ମନ ଭଲଥାଏ ।’’

 

‘‘ସେଇଆ, ସେଇକଥା, ଆପଣଙ୍କର ସବୁଦିନେ ଭଲ, ମୁଁ କହିଚି ।’’ ସେ ଉତ୍ସାହ ଦେଇ କହିଲେ, ‘‘ଭଲ ଥିଲା, ଭଲ ଥିବ ।’’

 

‘‘କୋଉଠୁ ଆଉ ଭଲ ହେଉଛି ?’’ ବିନୋଦ ହତାଶ ହୋଇ କହିଲା, ‘‘ମୋ ସଂସାରି ଜୀବନ ପାଇଁ ଅନ୍ୟ ବୃତ୍ତି ତ’ ନାହିଁ, ଚାକିରି, ଯେମିତି ହଜାର ହଜାର ଅନ୍ୟ ଲୋକେ । କିନ୍ତୁ ତହିଁରେ କଷ୍ଟେ ମଷ୍ଟେ ଚଳୁଚି ସିନା, ମୋ ପ୍ରତି ଯେଉଁ ଅନ୍ୟାୟ ଅବିଚାର ଘଟୁଛି, ଯେତେ ଉପାୟରେ ଅନ୍ୟମାନଙ୍କୁ ଟେକି ମତେ ହୀନିମାନକରି ମୋର କ୍ଷତି କରାଯାଉଛି, ଅପମାନ କରାଯାଉଛି, ସେ ସବୁ ଯେତେବେଳେ ମନେ ପଡ଼ିଯାଉଛି, ମନ ଅସମ୍ଭାଳ ହେଉଛି । କାହିଁ ନ୍ୟାୟ-? କାହିଁ ବିଚାର ? କାହିଁ ମଣିଷପଣିଆ ? ଓଲଟା ପାଲଟା ହୋଇ ଭୁଷୁଡ଼ି ଭୁଷୁଡ଼ି କୁଆଡ଼କୁ ସବୁ ଚାଲିଛି ? ଯେତେ ବିଲେଇ ହାତରେ ପୋଡ଼ପିଠା, ଅଥଚ ଏଇମାନେ ସମସ୍ତେ ଦାୟିତ୍ୱଧାରୀ, ଦେଶର ମୁହଁ ଉଜ୍ଜ୍ୱଳ କରିବେ, ଦୁଃଖୀ ରଙ୍କୀଙ୍କ ମୁହଁରେ ହସ ଫୁଟାଇବେ,–ଉପରେ ନେତାମାନେ, ତାଙ୍କ ତଳେ ଦାୟିତ୍ୱଧାରୀ ବଡ଼ କର୍ମଚାରୀ, ପୁଣି ଦେଶଯାକର ଜାଣିଲା ବୁଝିଲା ସ୍ଥାନୀୟ ମୁରବିମାନେ, ଯେଉଁମାନେ ଭଲମନ୍ଦ ବାଛନ୍ତେ, ନ୍ୟାୟ ନୀତିକୁ ଜଗନ୍ତେ, ଉପରେ ପ୍ରଭାବ ପକାନ୍ତେ-। ମୋ ମନ ସ୍ଥିର ରଖିବା ଉଚିତ, ମୁଁ ଜାଣେଁ, ଯାହା ମୋ ଦେଇ ହେବ ନାହିଁ ସେଥିପାଇଁ ମୁଁ ଚିନ୍ତାକରି କିଛି ଫଳ ନାହିଁ । କିନ୍ତୁ ଯେତେହେଲେ ମୁଁ ବି ତ ମଣିଷ, ସବୁବେଳେ ମନ ଦମ୍ଭ କରିହୁଏ କାହୁଁ ? ଭାବୁଛି, ଇସ୍ତଫା ଦେଇଦେଲେ ଏ ଅଶାନ୍ତି ଆଉ ଭୋଗିବି ନାହିଁ, ତେଣିକି ଯାହା ହଉ-।’’

 

ଶଶୀ ମିଶ୍ର ତୁନି ହୋଇ ଶୁଣୁଥିଲେ । ବିନୋଦର ଘର ବାଟ ଛାଡ଼ି ଦିହେଁ ଯେପରିକି ମନେ ମନେ କଥାଭାଷା ହୋଇ ଏକା ନିଷ୍ପତ୍ତି କରି ବାଟଭାଙ୍ଗି ଏକାଠି ଚାଲିଥାନ୍ତି ଗୋଟିଏ ପଡ଼ିଆ କରେ କରେ, ଧୀରେ ଧୀରେ ।

 

ଶଶୀ ମିଶ୍ର କହିଲେ, ‘‘ମୁଁ ଜାଣିଛି ।’’ ତୁନି ହେଲେ । ଟିକିଏ ରହି କହିଲେ, ‘‘ସେଗୁଡ଼ାକ ଆପଣଙ୍କ ଆଗରେ କହିବା କଥା ନୁହେଁ, କିନ୍ତୁ ଆପଣଙ୍କ ବିଷୟରେ ସେ ସବୁ କଥା ଜଣେଇ ଜଣା-। ଗଛପତ୍ର, ସାଧାରଣ ମଣିଷ, କହି ବୁଲନ୍ତି ନାହିଁ, କିନ୍ତୁ ଦେଖନ୍ତି, ଶୁଣନ୍ତି, ଜାଣନ୍ତି । ଆପଣ ଆଦର୍ଶ ମନୁଷ୍ୟ, ଆଦର୍ଶ କର୍ମଚାରୀ, ନିଜ ଉଚ୍ଚ ଆଦର୍ଶ ଓ ସୁନୀତି ଜଗି ବାରମ୍ୱାର ଉପରିସ୍ଥମାନଙ୍କର ବିଷଦୃଷ୍ଟିରେ ପଡ଼ନ୍ତି, ଅନ୍ୟାୟ, ଅତ୍ୟାଚାର ଅବିଚାର ଅବହେଳାର ଶିକାର ହୁଅନ୍ତି, ତଥାପି ନିଜ ବାଟରୁ ତିଳେ ଅବାଟକୁ ଯାଆନ୍ତି ନାହିଁ । କିନ୍ତୁ ଆମେ ସିନା ଜାଣୁଁ, ଆପଣ ଜାଣୁ ନ ଥିବେ ତହିଁରେ ଅନ୍ୟମାନଙ୍କର କି ଉପକାର ହୁଏ । ପ୍ରତ୍ୟକ୍ଷ ଉପକାର କିଛି ଆପଣ ଦେଖୁଥିବେ, ଯେମିତି ଉଚିତ ନ୍ୟାୟ ଦେଲେ ହୁଏ, କିଛି ବୈଷୟିକ ଉପକାର କଲେ ହୁଏ । କିନ୍ତୁ ପ୍ରକୃତ ଉପକାର ତ ତାଠୁଁ ବହୁଗୁଣେ ବେଶି,–ଲୋକେ ଯେତେବେଳେ ଆପଣଙ୍କ ଉପଲକ୍ଷ ଦେଇ ଅନ୍ତର ଭିତରେ କହନ୍ତି,–ଏବେ ବି ଧର୍ମ ବୁଡ଼ି ନାହିଁ, ନ୍ୟାୟ ଅଛି, ବିଚାର ଅଛି, ସଦ୍‌ଗୁଣ, ମହତ୍‌ ଆଦର୍ଶ ଅଛି,–ସଂଶୟର ଅନ୍ଧାରରେ ହତାଶାରେ ଛଟପଟ ମଣିଷ ପକ୍ଷରେ ସେହି ବିଶ୍ୱାସ ହିଁ ପରମ ଉପକାର, କମ୍‌ ଆଶ୍ୱାସନା କମ୍‌ ବଳ ସେ ? ନିଜ କାମ ନୁହେଁ, ଈଶ୍ୱରଙ୍କ କାମ ହିଁ ଆପଣ କରୁଛନ୍ତି-। ତାର ମୂଲ୍ୟ ଦିଅନ୍ତି ଈଶ୍ୱର, କେଉଁ ବାଗରେ ଦେବେ କଣ ଦେବେ ସେ ଜାଣନ୍ତି । ଆପଣ ଭାବୁଛନ୍ତି ଇସ୍ତଫା ଦେବେ । ଆପଣ ମନକଲେ ଅଟକେିବ କିଏ ? କିନ୍ତୁ ଯେଉଁଠି ଅନ୍ୟାୟ ଅବିଚାର ଭିତରେ ଆପଣ ଲଢୁଥିଲେ, ଅନ୍ଧାର ଭିତରେ ଦୀପଟିଏ ଜାଳୁଥିଲେ, ସବୁ ଭୁଲି ସବୁ ଛାଡ଼ି ଚାଲିଯିବେ ? ଭାବନ୍ତୁ-।’’

 

‘‘ଯେ ନିଜେ ସତ୍‌ ରହି ନିଃସ୍ୱାର୍ଥପର ରହି ପରୋପକାର କରେ, ନ୍ୟାୟ ନୀତି ବିବେକ ପ୍ରକାରେ କାମ କରିଯାଏ, ସେ ଈଶ୍ୱରଙ୍କର ହିଁ କାମ କରେ, ସେ ଯେ ହେଉ, ଯେଉଁ କାମରେ ଥାଉ, ଆଉ ସେ ଗୌରବଠୁଁ ବଳି ଗୌରବ କଣ ?’’

 

‘‘କିନ୍ତୁ ମନରେ ଏ ଯେଉଁ ଅଶାନ୍ତି ହେଉଛି ସେଥିପାଇଁ କଣ କରିବି ? ଯାହା ଘଟୁଛି ଦେଖୁଛି, ଉପଶମ ନାହିଁ, ବଢ଼ି ବଢ଼ି ଚାଲିଛି, ସବୁ ଯଦି ସେମିତି ଚାଲିଥିବ, ତେବେ ଭବିଷ୍ୟତ୍‌କୁ ଅନାଇଁଲେ କି ଭରସା ପାଇବି ?’’

 

ଶଶୀ ମିଶ୍ର କହିଲେ, ‘‘ସବୁ ଦିନେ ଏକାକଥା ଚାଲିଥିବ କାହିଁକି ? ଏମିତି କେବେ ହେଲାଣି ? ୟେ ସଂସାରରେ କେଉଁ କଥା ସବୁଦିନିଆଁ ? ଆପଣଙ୍କର ବି ଦିନେ ପଦୋନ୍ନତି ହେବ, ଆହୁରି ଉଚ୍ଚରୁ ଉଚ୍ଚତର ଆସନକୁ ଯିବେ, ନାନା ସମୃଦ୍ଧି ନାନା ସୁଖ ପାଇବେ, ଯଶ ସମ୍ମାନ ବଢ଼ି ବଢ଼ି ଚାଲିବ । କିନ୍ତୁ ଅସଲ କଥା ସେଠି ନାହିଁ ଆଜ୍ଞା,–’’

 

‘‘ତେବେ ?’’

 

‘‘ଏଇ ଯାହା କହିଲେ, ମନର ଶାନ୍ତି, ସେଇଟି ଅସଲ । ପାଇବା ନ ପାଇବା ସଙ୍ଗେ ତାକୁ ଯୋଡ଼ୁଥିଲେ, ସେ ଖାଲି ପଦ୍ମପତ୍ରରେ ପାଣିପରି ଟଳ ଟଳ ହେଉଥିବ, ପଡ଼ି ଯାଉଥିବ, ଶାନ୍ତି ତ ସେ ନୁହେଁ ଆଦୌ, ଶାନ୍ତି ବୋଲି ଗୋଟାଏ ମିଛ କଳ୍ପନା । କାହାର କେଉଁଟା ପ୍ରଚୁର ଥିଲେ ଆଉ କେଉଁଟା ନାହିଁ, ସେତେବେଳେ ତା’ ମନରେ ଅଶାନ୍ତି । ମଣିଷ ଉଦ୍ୟମ ସିନା କରିବ, ପାଇବା ନ ପାଇବା ତ ନିଜ ହାତରେ ନାହିଁ । ସମୟକୁ, ସଂସାରକୁ ଭାଗ୍ୟ କହନ୍ତୁ, ଭଗବାନଙ୍କ ଇଚ୍ଛା କହନ୍ତୁ, ତାକୁ ଏ ସବୁ କିଏ ଆପଣ ଇଚ୍ଛା ଅଧିନ କରି ପାରିବ ଯେ ତା ମନଇଚ୍ଛା ସବୁ ପାଇବ ? କେହି ନୁହେଁ । ସେଉଠୁ, ଦିନେ ମଣିଷ ବି ମରିବ, ପୁଣି ଦିନ ଆସିବ ଯେତେବେଳେ ତା ସ୍ମୃତି ବି କୁଆଡ଼େ ହଜିଯିବ । କେଡ଼େ ଟିକିଏ ନାଁକୁ ୟେ ମଣିଷ ଜୀବନ, କାଲି ସକାଳେ ଜନ୍ମ ହୋଇଥିଲା, ଚାହୁଁ ଚାହୁଁ ବଢ଼ି ଉଠିଲା, ଦେଖୁ ଦେଖୁ କାଲିପରି ଲାଗୁଥିବ, ଯେ ଭୀମପରି ହୋଇଥିଲା ସେ କତରାଲାଗି, ସେଉଠୁ ସେ ନାହିଁ । ସ୍ନେହ, ଶତ୍ରୁତା, ଆଶା, ହତାଶା, ମାନ, ଅପମାନ, ନିଜ ପର ନାହିଁ, କିଛି ନାହିଁ-। ରୋପିଲା ଗଛ ପଛେ ଫଳୁଥିବ, ଆଉ କିଏ ଖାଉଥିବ, ସେ ନାହିଁ ।’’

 

‘‘ସତ, ଶଶୀବାବୁ, କିନ୍ତୁ ଯେଉଁ ଅଳ୍ପଦିନ ଥାଉଁ, ସୁଖ ଦୁଃଖ ଶାନ୍ତି ଅଶାନ୍ତି ଭୋଗୁଛୁଁ ତ, ଜୀବନ ବଞ୍ଚୁଛୁଁ, କାମ କରୁଛୁଁ । ସେଇ ଅଶାନ୍ତିଟା ଯିବ କେମିତି ? ଆପଣ କହିବେ, ‘ଭଗବାନ ଦୂର କରିବେ ।’ ସେଇଟା ତ ଶେଷ କଥା, ଯେତେବେଳେ ଦୂର ହେବ, କହିବା, ‘ଭଗବାନ ଅଶାନ୍ତି ଦୂର କଲେ’ । କେବେ ତା ହେବ ଜଣାନାହିଁ । ସେପର୍ଯ୍ୟନ୍ତ ଏଇ ମାନସିକ ଯନ୍ତ୍ରଣା ହିଁ ଥିବ । ଆପଣ କହିବେ,–ଗୀତା ପଢ଼, ଇନ୍ଦ୍ରିୟଙ୍କୁ ଆୟତ୍ତ କର । ସ୍ଥିତପ୍ରଜ୍ଞ ହୁଅ । କିନ୍ତୁ ଗୀତାକୁ ମୁଖସ୍ତ କରି ବୋଲି ପାରୁଥିଲେ କି କେହି ସେପରି କରିବା ସମ୍ଭବ କି ନାହିଁ ମୁଁ ଜାଣେ ନାହିଁ । ଏମିତି ଏମିତି କର ବୋଲି ସେଥିରେ ଲେଖା ହୋଇଛି ସିନା କରିବା ହୁଏ କାହାଦେଇ ? ମୁଁ ଜାଣେ ନାହିଁ କିଏ ସ୍ଥିତପ୍ରଜ୍ଞ, କିନ୍ତୁ ମୁଁ ତା’ ନୁହେଁ ।’’

 

ଶଶୀ ମିଶ୍ର କହିଲେ, ‘‘ଗୀତା ପଢ଼ି ମନ ଶାନ୍ତ କରିବା କଥା ମୁଁ ଆପଣଙ୍କୁ କହୁନାହିଁ ଆଜ୍ଞା, ଆପଣ କୋଉ ଏବେ ଶାସ୍ତ୍ର ପଢ଼ି ନ ଥିବେ ? ତେବେ, ଗୀତା ପଢ଼ିଲେ ଉପକାର ଅଛି, ଲୋକେ ତା’ ପାଆନ୍ତି । ମଣିଷ ଯେତେ ଜାଣିଥାଉ, କାମବେଳେ ମନେ ପଡ଼େନାହିଁ । ଗୀତା ପଢ଼ିବା ମାନେ ନିଜର ମନେପକାଇ ଦେବା ଯେ ମଣିଷ ତ ଏଇଆ, ସଂସାର ଏଇଆ, ଏଇବାଟେ ଶାନ୍ତି ମିଳେ ବୋଲି ଗୀତାରେ ଅଛି । କିଏ ଯଦି ଗୀତାକୁ ଭଗବାନଙ୍କ ବାଣୀ ବୋଲି ବିଶ୍ୱାସ କରିପାରିଲେ ତ ଆହୁରି ଭଲ, ଗୀତା ଶୁଣୁଥିଲେ କି ପଢ଼ୁଥିଲେ ତାଙ୍କୁ ଲାଗୁଥିବ ଭଗବାନ ୟା ମତେ କହୁଛନ୍ତି । ଶାସ୍ତ୍ରରେ ବିଶ୍ୱାସ ଥିଲେ, ଶାସ୍ତ୍ରକୁ ଭକ୍ତି ଥିଲେ ତହିଁରୁ ବେଶି ଉପକାର ମିଳେ, ଚଞ୍ଚଳ ମିଳେ । ବାରମ୍ୱାର ପଢୁପଢୁ ଶୁଣୁ ଶୁଣୁ ମନ ଉପରେ ପ୍ରଭାବ ପଡ଼େ । ମନହୁଏ,–କରେଁ । ଟିକିଏ କରୁଥିବ, ପୁଣି ଛାଡ଼ି ଦେଉଥିବ, ମନେ ପଡ଼ିଗଲେ ପୁଣି ଟିକିଏ କରୁଥିବ, ଦିନ ଦିନ ବାରମ୍ୱାର କରୁକରୁ ଆହୁରି ଆହୁରି କରିହେବ, ଜାଣନ୍ତି ତ, ଗୀତାରେ ଅଭ୍ୟାସ ଯୋଗ କଥା ବି ଅଛି ।’’

 

ବିନୋଦ ଅସହିଷ୍ଣୁ ହେଲାପରି କହିଲା, ‘‘ଆମେ ତ କହୁଁ ଆମ ଶାସ୍ତ୍ରରେ ସବୁ ଅଛି । କିନ୍ତୁ କାର୍ଯ୍ୟରେ ସବୁ ଭିନେ, ଯେତେବେଳେ ଛୋଟ ପିଲାପରି ଆଖିବୁଜି ବିଶ୍ୱାସ କରି ପାରୁଥିଲୁଁ ସେ କାଳ ଗଲାଣି, ଏଣିକି ଦେଖିବା ପରଖିବା ଯୁଗ, ଯୁକ୍ତି, ଆଉ ତର୍କର ଯୁଗ । ଏଇ ଯୁଗରେ ଜନ୍ମହୋଇ ବଢ଼ି ୟେ ମନକୁ ଆଉ କଣ ବିଶ୍ୱାସକର କହି ଭୁଲେଇ ହେଉଛି ? ଛାଡ଼ନ୍ତୁ, ଯେତେଦିନ ଦହଗଞ୍ଜ ହେବାକୁ ଥିବ ହେବି । ଏଗୁଡ଼ାକ କହିବା କଥା ନୁହେଁ ଶଶୀ ବାବୁ, ନିଜ ମନ ଭିତରେ ରଖିବା କଥା, ସହିବା କଥା । ଆଜି ମୋର କଣ ହେଇଚି କେଜାଣି ?’’

 

‘‘କିଛି ହେଇନାହିଁ,’’ ପିଲାଙ୍କୁ ବୁଝେଇଲା ପରି ଆଶ୍ୱାସନା ଦେଇ ଶଶୀ ମିଶ୍ର କହିଲେ, ‘‘ହେବ କଣ ? ମଣିଷ ଦେହ ହୋଇ କଣ କେତେବେଳେ କଳ ଅଖଞ୍ଜ ହୁଏ, ସର୍ଦ୍ଦି କି ଜର କି ଆଉ କିଛି, କି କାମ କରିକରି ଘୋଳା ବଥା । କେତେବେଳେ ଦେହ ନ ହେଲା, ମନ, ମନଟା ବି ଗୋଟାଏ ଇନ୍ଦ୍ରିୟ ନୁହେଁ କି ? କହୁଥିଲେ ଛୁଟି କେଉଁକାଳୁ ନେଇ ନାହାନ୍ତି, ଅନବରତ କଠିନ ପରିଶ୍ରମ କରି ଆସିଛନ୍ତି । ତା ଉପରେ କାର୍ଯ୍ୟକ୍ଷେତ୍ରରେ ଅଶାନ୍ତି ।’’

 

ବିନୋଦ ତୁନି ହୋଇ ରହିଲା ।

 

ଶଶୀବାବୁ ଟିକିଏ ଅଟକି ରହି କହିଲେ, ‘‘ମୋ ପ୍ରତି ଆପଣଙ୍କର ସେତିକି ସ୍ନେହ ଅଛି ବୋଲି ମନଦୁଃଖ ହେଲାବୋଲି ଆପଣ ମୋ ଆଗରେ କହିଲେ, ମୁଁ ଆପଣଙ୍କର କେହି ନୁହେଁ, ମୋ ଦ୍ୱାରା ଆପଣଙ୍କର କିଛି ଉପକାର ହେବନାହିଁ, କିନ୍ତୁ କ୍ଷତି କଣ, କହିଛନ୍ତି ବୋଲି ? ସଂସାରରେ କାହାର ଦୁଃଖ ନାହିଁ ? ନା ମୁଁ କଣ ସମଦୁଃଖୀ ନୁହେଁ ?

 

ବିନୋଦ କହିଲା, ‘‘ନାଇଁ ନାଇଁ, ସେ ସବୁ ଭାବୁନାହିଁ ।’’

 

ଶଶୀ ମିଶ୍ର କହିଲେ, ‘‘ମୋ କଥା ଶୁଣନ୍ତୁ । ମୋ ଦୁଃଖ ଗାଇଲେ ସରିବ ନାହିଁ । ଯେତେ ଚେଷ୍ଟାକଲେ ବାରମ୍ୱାର ଭାଗ୍ୟ ମୁରୁକି ହସା ଦେଲା, ଆଶା ତେଜୁତେଜୁ ନିରାଶା, ଅସହ୍ୟ ଜଞ୍ଜାଳ, ଯନ୍ତ୍ରଣା,–ମୋ ପାଇଁ ସବୁବେଳେ ଘୋଟି ରହିଲା ଦୁଃଖ ସନ୍ତାପର ଅମାସ୍ୟା ରାତି । ଭଗବାନଙ୍କୁ ଡାକୁଥାଏଁ, ଡାକୁଛି, ତାଙ୍କୁ ତ ଦେଖିବା କଥା ନାହିଁ, ଦୁଃଖ ଦୁର୍ଭାଗ୍ୟ ବି ସେ କରନ୍ତି, ତାଙ୍କ ଇଚ୍ଛାକୁ ମୋର କି ଚାରା ? ଶାସ୍ତ୍ର ଉପଦେଶ ସାଧି ଗୃହସ୍ଥ ଜୀବନରେ ମୁନିଋଷି ହେଲାଭଳି ଜ୍ଞାନ, ଯୋଗ୍ୟତା, କି ଭାଗ୍ୟ ମୋର ଏ ଜନ୍ମରେ ନାହିଁ, ଶୁଆପରି ପଢ଼ିଲେ ହେବ ବା କ’ଣ ? ତେଣୁ, ଦୁଃଖର କାରଣ ଥିବା ଯାଏ ଦୁଃଖ ଥିବ, ଦୁଃଖର କାରଣ କାଟିବା ମୋ ହାତରେ ନାହିଁ, ମୁଁ ଛଟପଟ ହେଉଥିବି ।’’

 

ଅଟକି ଗଲେ । କହିଲେ, ‘‘ତାପରେ ଦିନେ ଦୁଃଖରେ ଭାବୁଛି, ମନକୁ ମନ, ଭାବିଲି,–କିଏ କଷ୍ଟ ପାଉଛି ? ମୁଁ । ସେ ମୁଁ ଟା କିଏ ? ଏଇ ଦେହ, ଆଉ ୟା ସଙ୍ଗେ ଲାଖି ରହି ଏଇଟାକୁ ଯେ ମୋର ମୋର କହେ, ଯାହାକୁ ହେଲେ ଅନେଇଲେ କି କାନେଇଲେ ନିଜ ସମ୍ପର୍କରେ ମିଶେଇ ଗୋଳି ଅନାଏଁ କି ଶୁଣେ, ସେଇ, ସେଇଟି ମୁଁ । ଦିନାକେତେ ଠାଏ ଏକୁଟିଆ ଥିରି ହୋଇ କବାଟ କିଳି ଆଖିବୁଜି ବସି ନାନା ଅବସ୍ଥାରେ ଜଞ୍ଜାଳରେ ଅପମାନରେ ମୋ ଭିତରେ ଯେଉଁ ‘ମୁଁ’ ଟା ଅପମାନ ପାଉଛି ଯନ୍ତ୍ରଣା ମନସ୍ତାପ ପାଉଛି, ତାକୁ ଅନୁଭବ କରିବାକୁ ଚେଷ୍ଟା କଲି । ମତେ ଲାଗିଲା, ମୁଁ ନିଜେ ଅଲଗା, ସେ ‘ମୁଁ’ ଅଲଗା । ଯେ ଦୁଃଖ ଭୋଗୁଛି, ସେ ‘ମୁଁ’ ନୁହେଁ, ସେ ୟେ ରୂପ, ଶରୀର, ମନ । କେତେବେଳେ ତା ଦୁଃଖ ଭାବି କହେଁ ‘ଆହା !’, କିନ୍ତୁ ମତେ ବାଧେ ନାହିଁ । ମୁଁ ମୋ ଚେତନା ଭିତରେ ଥାଇ ତାଠୁଁ ଅଲଗା ରହି ‘ମୁଁ’ ହୋଇ ରହେ ।

 

ଆର ‘ମୁଁ’ ହୋଇ ରହିପାରିଲି ନାହିଁ ସବୁବେଳେ, କିନ୍ତୁ ଯେତିକି ଟିକିଏ ବେଳ ପାରିଲି ତହିଁରେ ଯେଉଁ ଶାନ୍ତି ପାଇଲି, ମନବଳ ବଢ଼ିଗଲା ।

 

କ୍ରମେ ଭାବିଲି ସାଧାରଣ ‘ମୁଁ’ଟା କଥା । ତାର ଗୁଡ଼ାଏ ଆଶା, ୟା ନ ହେଉ, ତା ହଉ । ଧର ହେଲା ବା ସବୁ । ଯେମିତି ସଂସାରରେ ସେହି ଅଳ୍ପ କେତେଜଣ ଲୋକ ଯାହାଙ୍କ ବିଷୟରେ ପୂରା ତଥ୍ୟ ନ ଜାଣି ସୁଦ୍ଧା ଆମେ ଅନୁମାନ କରୁଁ ସେମାନେ ସବୁ ବିଷୟରେ ଭାଗ୍ୟବନ୍ତ । କିନ୍ତୁ କଣ ହେବ ? ସେ ସୁଖ କଣ ସବୁଦିନେ ଥିବ ? ଧନ ଥିବ, ଭୋଗ କରିବାକୁ ଶକ୍ତି ଚାଲିଯିବ, ବଳ ଯିବ, ସ୍ୱାସ୍ଥ୍ୟ ଯିବ, ଆୟୁଷ ସରିବ, ପାଣି ଫୋଟକା ଫାଟିବ । ସେଉଠୁ ? ସୁଖ ତ ରହିବ ନାହିଁ, ଦୁଃଖ ବା କାହିଁକି ? ଯାହା ଘଟିଯାଉଛି ଘଟିଯାଉ, ମୋ କାମ ମୁଁ କରୁଥାଏଁ, ବିବେକକୁ ସାକ୍ଷୀ ରଖି, ସେତିକି ।

 

ଏମିତି ଭାବିଲି ବାରମ୍ୱାର, ଅଭ୍ୟାସ ହେଲା, ଦେଖିଲି ମୋ ଜୀବନ ସହି ହେଲା, ଆଉ କାଟିଲା ନାହିଁ । ବରଂ ତା’ ଭିତରେ ଏକ ପ୍ରକାର ଆନନ୍ଦ ଅନୁଭବ କଲି ।

 

ସେଉଠୁ କଣ କଲି ଜାଣନ୍ତି ? କବାଟ କିଳି ଯେତେବେଳେ ଟିକିଏ ଟିକିଏ ବେଳ ଏକୁଟିଆ ବସେଁ, ଚେଷ୍ଟା କରେ ଚେଇଁଥାଇ ନିଜକୁ ଭୁଲିବାକୁ । କିଛି ଦେଖିବି ନାହିଁ, କିଛି ଶୁଣିବି ନାହିଁ, କିଛି ଭାବିବି ନାହିଁ,–ସହଜ ନୁହେଁ ଆଦୌ, ଷୋଳ ଅଣା ପାରେଁ, ତା ବି ନୁହେଁ, କିନ୍ତୁ ସେଥିପାଇଁ କଣ ଯାଏ ? ଉଦ୍ଦେଶ୍ୟ ସ୍ଥିର ରଖି ସେଇ ଆଡ଼କୁ ଉଦ୍ୟମ ଚଳେଇଲେ ଯେଉଁ ଅନୁଭବ ହୁଏ ଲାଭ ସେତିକି, ହାତେ ହାତେ । ଆଉ, ସେତେବେଳେ ମୋ ଉଦ୍ଦେଶ୍ୟ ତ ସଂପୂର୍ଣ୍ଣ ଉଦ୍ଦେଶ୍ୟ–ଶୂନ୍ୟତା, କିଛି ଅନୁଭବ ନ କରି ଶୂନ୍ୟ ହୋଇ ବସିବି,–ତେବେ ସେ ବି ଉଦ୍ଦେଶ୍ୟ ।

 

ଦିନକୁ ଦିଥର ଥରେ ସେମିତି ବସୁ ବସୁ ମତେ ଲାଗୁଥାଏ, ମୋଠୁଁ ସବୁ ଚାଲିଗଲା ପରେ ନିଶ୍ଚଳ ଶୂନ୍ୟ ଭିତରେ ରହୁଛି ଆଉ କିଛି ସୂକ୍ଷ୍ମ ଚେତନା, ଯେଉଁଟାକୁ ମୁଁ ଆର ‘ମୁଁ’ ବୋଲି କହିଛି । ସେ ଦେଖେ, କିନ୍ତୁ ଲାଖେ ନାହିଁ । ତହିଁରେ କିଛି ବୋଳି ହୁଏ ନାହିଁ । ସେ ମୋ ଭିତରେ, ବାହାରେ ସବୁଠିଁ । କୌଣସି ଘଟନା, ସେ ଯେଡ଼େ ବଡ଼ ହୋଇଥାଉ, ତା ଆଗରେ କିଛି ନୁହେଁ ।’’

 

ବିନୋଦ କହିଲା, ‘‘ହୋଇପାରେ ସେ ଆପଣଙ୍କ ମନର କଳ୍ପନା, ନାହିଁ କରିବାକୁ ଆପଣଙ୍କର କଣ ପ୍ରମାଣ ଅଛି ? ବରଂ କଳ୍ପନା ବୋଲି ଭାବିବାକୁ ସମ୍ଭାବନା ବହୁତ, କାରଣ ଆପଣ ଶାସ୍ତ୍ର ପଢ଼ିଥାନ୍ତି, ଆତ୍ମା ବିଷୟରେ ନାନା କଥା ପଢ଼ିଛନ୍ତି, ସେ ଅଜନ୍ମା, ଅମର, ଅକ୍ଷୟ, ସର୍ବବ୍ୟାପୀ, ସବୁଠି ଅଛି, ସର୍ବଦ୍ରଷ୍ଟା, ନିର୍ଲିପ୍ତ, ଶୂନ୍ୟ ଭିତରେ ମହାଶୂନ୍ୟ, ଇତ୍ୟାଦି ଇତ୍ୟାଦି ।’’

 

ଶଶୀ ମିଶ୍ର କହିଲେ, ‘‘ଆପଣ ଯାହା ଭାବୁଛନ୍ତି ତା ବି ନ ହୋଇଥିବ ବୋଲି କେମିତି କହିବି ? କେଉଁ କାରଣରୁ କଣ ହେଲା ତା ମତେ ଜଣା ନାହିଁ । କିନ୍ତୁ ମୋ ମନର ଅବସ୍ଥା କଣ ଥିଲା, କେମିତି ଆଉ କଣ ହେଲା ସେଇଆ କହୁଛି । ଯେଉଁ କାରଣରୁ ହେଉ, ଯାହା ହେଲା, ତହିଁରେ ମୁଁ ଶାନ୍ତି ପାଇଛି, ଜୀବନକୁ ସଂସାରକୁ ସହୁଚି, ଆଦୌ ବିଚଳିତ ହେଉ ନାହିଁ, ମୁଁ ମୋ କାମ କରୁଛି, ଆଶା କରୁନାହିଁ, ଉଦ୍‍ବିଗ୍ନ, ଦୁଃଖିତ କି ହିତାଶ ହେଉ ନାହିଁ, ମୋର ଦୁଃଖ ନାହିଁ । ସେଇଟା ମୁଁ ଭାବୁଚି, ମୋର ବଡ଼ ଲାଭ ।’’

 

‘‘କିନ୍ତୁ ଆପଣଙ୍କ ଦୁଃଖ ଯନ୍ତ୍ରଣାର କାରଣ ବଦଳାଇବା ବି ସମ୍ଭବ ଥିଲା, ପୂରା ନ ହେଉ, ବହୁ ପରିମାଣରେ । ସାମାଜିକ ପରିସ୍ଥିତି ବଦଳି ସେଥିପାଇଁ ଅନୁକୂଳ ହୋଇଥାନ୍ତା, ଜ୍ଞାନ ବିଜ୍ଞାନର ଉତ୍କର୍ଷ ଆପଣଙ୍କୁ ସାହାଯ୍ୟ କରିବାକୁ ଯୋଗାଇ ଦିଆ ହୋଇଥାନ୍ତା, ଆପଣଙ୍କ ସେବାଲାଗି ସମାଜ କାମ କରିଥାନ୍ତା, ଆପଣ ବି ନିଜେ ନିଷ୍ପତ୍ତି ନେଇ କାମ କରିଥାନ୍ତେ । ତେବେ ସମ୍ଭବ ହୋଇଥାନ୍ତା । ମୋଟାମୋଟିରେ ପାଶ୍ଚାତ୍ୟ ସଭ୍ୟତା ତ ସେହିପରି ଭାବେ, ସେଠି ଲୋକେ ସେହି ବାଟରେ କାମ କରିଛନ୍ତି । ତେଣୁ ନାନା ଆବିଷ୍କାର ନାନା ଉନ୍ନତି କରିଛନ୍ତି, ମଣିଷ ଭାବିଛି ଓ କାମ କରିଛି ଯେମିତି ସେ ନିଜ ଭାଗ୍ୟ ନିଜେ ଗଢ଼ିବ, ଆଉ କେହି କରିଦେବ ବୋଲି ଅପେକ୍ଷା କରିବ ନାହିଁ, ଏପରିକି, ଭଗବାନଙ୍କୁ ବି ନୁହେଁ । କେହି କେହି ତ କହିଲେ,–ଭଗବାନ ଫଗବାନ ନାହାନ୍ତି, ସବୁ ଦାୟିତ୍ୱ ମଣିଷର, ସେ ନିରାଧାର, ତଥାପି ଯାହା କରିବ ଯେତିକି କରିବ, ସେ । ସେଥିପାଇଁ ତ ନାନା ଆବିଷ୍କାର ନାନା ଉନ୍ନତି ସେଇମାନ ହିଁ କରିଛନ୍ତି । ଆଉ ଆମେ ବେଳେ ବେଳେ ଆମ ସାଧ୍ୟ ଅନୁସାରେ ତହିଁରୁ କିଛି ସୁବିଧା ପାଉଁ ସିନା ଆମେ ନୂଆ କିଛି କରି ନାହୁଁ ।’’

 

ଶଶୀ ମିଶ୍ର କହିଲେ, ‘‘ମୁଁ ଯେଉଁ ଦେଶ ଦେଖି ବି ନାହିଁ ସେ ବିଷୟରେ କଣ ବା କହିବି-? ସେମାନେ ନାନା ଆବିଷ୍କାର ନାନା ପ୍ରକାର ବୈଷୟିକ ଉନ୍ନତି ପାଇଁ ସରଞ୍ଜାମ ଗଢ଼ିଛନ୍ତି ମୁଁ ଜାଣେ, କିନ୍ତୁ ସୁଖଶାନ୍ତି ପାଇଛନ୍ତି କି ପରକୁ ଦେଇଛନ୍ତି କେତେ ? କୂଟକପଟ, ଶୋଷଣ, ହିଂସା, ଉଦ୍‌ବେଗ ଲାଗି ରହିଛି ହିଁ, ଯୁଦ୍ଧପରେ ଯୁଦ୍ଧ ଚାଲିଛି, ଯୁଦ୍ଧ ନ ଥିଲେ ଯୁଦ୍ଧପାଇଁ ସଜବାଜ, ହଜାର ହଜାର କୋଶ ଦୂରରେ ଯାହା ଦେଶ, ସେ ଲାଗିଛି ପରଦେଶ ଉପରେ କେମିତି ତା ପ୍ରଭାବ ବଢ଼େଇବ ସେଥିପାଇଁ ସେ ଦେଶରେ ଯାହା ଅନର୍ଥ କରିବ ସେଇ କାମରେ । ଖାଲି କେହି ଦେହରେ ବଳୁଆ ହେଲା, ଧନରେ ବଳୁଆ ହେଲା ବୋଲି ସେ ଯେ ସୁଖୀ ହେବ କି ସଂସାରର ସୁଖ ବଢ଼ାଇବ ଆଦୌ ନୁହେଁ । ହିଂସ୍ର ଜନ୍ତୁ ବି ବଳୁଆ, ଅସୁର ବି ବଳୁଆ ଥିଲେ । ଜୀବନର ସୁଖ ଦୁଃଖ ପାଇଁ ନାନା ଘଟନା ବି ମଣିଷର କରାମତି ବାହାରେ, ପାଗ, ରୋଗ, ଯୋଗ ଘଡ଼ି ଘଡ଼ିକେ ସବୁ ଓଲଟ ପାଲଟ, ମଣିଷ କଣ କରିବ ସେଥିକି ? ମଣିଷ ଖାଲି ନିଜ ଚିତ୍ତକୁ ସମ୍ଭାଳି ପାରିବ,–ଯଦି ଅଭ୍ୟାସ କରି କରି ସାଧି ପାରିବ ତେବେ,–ନ ହେଲେ ତା ବି କାହୁଁ ?’’

 

ବିନୋଦ ହସିଲା । କହିଲା, ‘‘ଅତି ପୁରୁଣା କଥା । ରଜା ଘୋଡ଼ା ଚାବୁକରେ ପିଟୁଥାଉ, ଗୋରୁ ଜୋରୁ ଜୋରୁଥାଉ, ଖଣ୍ଟ ଲୁଟୁଥାନ୍ତୁ, ବର୍ଗୀ, ପିଣ୍ଡାରିମାନେ, ମହାଜନ ଭାଲୁଶୋଷା ଶୋଷୁଥାନ୍ତୁ, ଯେ ଯେତେ ଅନ୍ୟାୟ ଅନୀତି ଚୋରୀ ନାରୀ କରନ୍ତି, ବିଷ ଦିଅନ୍ତି, ମାରନ୍ତି ହାଣନ୍ତି ତାଙ୍କ ବଡ଼ତି ଆହୁରି ଆହୁରି ବଢ଼ୁଥାଉ, ଏଣେ ପଲପଲ ମଣିଷ ଗଛ ତଳେ ପଡ଼ିଥାନ୍ତୁ–ରୋଗରେ, ଭୋକ ଉପାସରେ, ଭାଉ ବଢ଼ୁଥାଉ, ଦାଉ ବଢ଼ୁଥାଉ, ହଜାର ହଜାର ଲୋକ ଦି’ମୁଠା ଖାଇବାକୁ ପାଉ ନ ଥାନ୍ତୁ, ଧିଅକୁ କନା ନ ମିଳୁ, ମୁଣ୍ଡ ଉପରେ ଚାଳ ନ ମିଳୁ, ଆମେ କହୁଥିବା, ନିଜ ମନକୁ ଶାନ୍ତ ରଖ, ଚିତ୍ତକୁ ନିର୍ମଳ ରଖ, ଏସବୁ କିଛି ନୁହେଁ, ଏଣିକି ମନଦିଅ ନାହିଁ ।

 

ଆଜ୍ଞା, ଏଣେ ଅଧେ ଝୁଙ୍କି କି ପାଗଳାଙ୍କ କଥା ନୁହେଁ, ସମାଜଯାକର କଥା । ଅନ୍ୟାୟ, ଅବିଚାର, ଅସମତା, ଅଭାବ, ଏଇଥିରୁ ମଣିଷର ଅଧଃପତନ ହୁଏ । ମଣିଷ ପଶୁ ହୁଏ । ପେଟ ହାକୁ ହାକୁ ହେଲେ, ମନରେ ରାଗ, ଅସନ୍ତୋଷ, ବିଦ୍ରୋହ କୁହୁଳିଲେ ସେତେବେଳେ କି ଚରିତ୍ର ! କି ଆଦର୍ଶ ! କି ବିଚାରବୁଦ୍ଧି ! ନା ଖାଲି ହିଂସା ! ପଶୁତ୍ୱ ! ଆଗ ସମାଜକୁ ବଦଳେଇବାକୁ ପଡ଼ିବ-।’’

 

ଶଶୀ ମିଶ୍ର କହିଲେ, ‘‘କଣ ମେଳି କରି ? ବଳ ଖଟେଇ ? ଖାଲି ତୁଣ୍ଡ କଥାରେ କେଉଁ ସମାଜ ବଦଳିବ ? ଆଉ ମେଳି, ଗୋଳ, ହିଂସା ଯଦି କରିବେ, ଜିତିବେ ବୋଲି ତ କହିହେବ ନାହିଁ, କିନ୍ତୁ ହିଂସାମାର୍ଗ ଧରିବେ ତ, ତହିଁରେ ନିଜକୁ ଆଉ ସମାଜକୁ ହିଂସ୍ରକ ପଶୁ ହିଁ କରିଦେବେ, ଲୋକଙ୍କ ଚଳଣି ଭଳି ନିମ୍ନତମ ଆୟୋଜନ କରିଦେଇ ପରିବେ, କିନ୍ତୁ ମନର ସୂକ୍ଷ୍ମ ପ୍ରବୃତ୍ତି କଠିନ ହିଂସ୍ର ହୋଇଯିବ, ସେ ସମାଜରେ ବି ହିଂସ୍ର ବଳୁଆମାନେ ଚକ୍ରୀମାନେ ବଡ଼ ବଡ଼ିଆ ହେବେ, ଭୟ ଦେଖାଇ, ଗୁପ୍ତରେ କି ପ୍ରକାଶ୍ୟରେ ହାଣିକାଟି, ମଣିଷଙ୍କୁ ମେଣ୍ଡାପରି ଅଡ଼େଇ ଅଡ଼େଇ ଚଳେଇବେ, ଲୋକେ ଡରରେ କଳପରି ଖଟିବେ, ତୁଣ୍ଡରୁ ଉଁ କି ଚୁଁ ବାହାରିବ ନାହିଁ ।’’

 

‘‘ଆପଣ ଜାଣିଲେ କେମିତି ?’’

 

‘‘ହିଂସାରୁ ହିଂସା ଉପୁଜେ, ପାପରୁ ପାପ, ଯେଉଁ ମଞ୍ଜିରୁ ଯେଉଁଫଳ, ସେହି ବିଚାରରୁ କହିବା କଥା, ନ ହେଲେ ମୁଁ ଜାଣେ କଣ ?’’

 

‘‘ହୁଏତ ଆଗ ଆଗ ସେମିତି ହେବ, କିଛିଦିନ, ତା ପରେ ଖାଇପିଇ ବଞ୍ଚିବା, ରୋଜଗାର କରିବାର ସବୁ ସୁଯୋଗ ସୁବିଧା ପାଇଥିବା ସମାଜ ଆପେ ସ୍ଥିର ହେବ, ତହିଁରୁ ଉନ୍ନତ ବିଚାର ବାହାରିବ, ପରିସ୍ଥିତି ମଣିଷକୁ ସେମିତି ଗଢ଼ିବ ।’’

 

‘‘କିନ୍ତୁ ମଞ୍ଜିକୁ ବଦଳେଇ ପାରିବ ନାହିଁ । ମଣିଷ ଭିତରେ ଯେଉଁ ପଶୁପ୍ରବୃତ୍ତିମାନ ଅଛି, ସେ ବି ମୁଣ୍ଡ ଟେକିବ । ଯଦି ଦେଖିବ ଡରଭୟ ନାହିଁ, ବାଧା ବନ୍ଧନ ନାହିଁ, ସେ ମାତିବ । ସ୍ୱାର୍ଥ, ଲୋଭ, ପରର ତଣ୍ଟି ଚିପି ଆପଣାର ସବୁକଥା ବଢ଼େଇବା । ହାଇଁପାଇଁ । ପର ଉପରେ ସାଆନ୍ତ ପଣିଆ । ସବୁ, ଏଣେ ମଣିଷ ବି ନିଜ ଦୁର୍ବଳତା ଯୋଗୁଁ ନିଜ ଭିତରେ ଶହେ ଖଣ୍ଡ, ନାନା ଦୁଃଖ ଅଶାନ୍ତି । ଚକ ପୂରା ଘୂରିଯିବ ।’’

 

ବିନୋଦ କହିଲା, ‘‘କିନ୍ତୁ ୟେ ବି କଣ ଆପଣଙ୍କର କଳ୍ପନା ନୁହେଁ ?’’

 

ଶଶୀ ମିଶ୍ର କହିଲେ, କେଉଁ କଥା କିଏ ଜାଣେ ? ଯେ ଯାହା ବୁଦ୍ଧିର ଦଉଡ଼ ଅନୁସାରେ ଯେତିକି ଭାବିପାରେ, ଅଧିକ କାହୁଁ ପାରିବ । ଏ ସଂସାର ଏ ଜୀବନ ଏମିତିଆ ଯେ ଗଣିତ ଖଟେ ନାହିଁ, କୁଆଡ଼ୁ କଣ ହୋଇଯିବ, ଦେଖିଲା ବେଳକୁ ସବୁ ଓଲଟା ଓଲଟା ! ଘଟନାଟା ଘଟିଗଲେ ସେଉଠୁ ଲୋକେ ବୁଦ୍ଧିଆ ହୋଇ କାରଣ ଗୁଡ଼ାଏ ଯୋଖନ୍ତି । ସଂସାର ଆଉ ଜୀବନ, ୟେ ସେତିକି ସମୁଦ୍ର ଭଳି, ସେଠି ମୋ ହାତ ଗୋଡ଼ ପାଇବ କଣ, ଆଖି ବି ପାଇବ ନାହିଁ, ସେ ମୋ ବୋଲ କାହୁଁ କରିବ ? କିନ୍ତୁ ମୋର ବି ଜଣେ ବୋଲକରା ଅଛି, ମୁଁ ଚଇତନ ହେଲେ ସେ ମୋ ମନ, କହଇ ମନ ଆରେ, ମୋ ବୋଲ କର ।’’

 

ବିନୋଦ ହସିଲା, କହିଲା, ‘‘ହଁ, ‘କଳା ଶ୍ରୀମୁଖ ବାରେ ଦେଖିବା ଚାଲ ।’ ମାନେ ଠାକୁର ପୂଜା, ପରମାର୍ଥ ।’’

 

ଶଶୀ ମିଶ୍ର କହିଲେ, ‘‘ପରମ ଅର୍ଥ ହିଁ, ଠାକୁର ପୂଜା ନୁହେଁ । ଜଗନ୍ନାଥଙ୍କୁ ପରା କହନ୍ତି ବୌଦ୍ଧ ଅବତାର ! କଳାଶ୍ରୀମୁଖ ମାନେ ଶୂନ୍ୟ ଶୂନ୍ୟ ମହାଶୂନ୍ୟ, ସେହି ପୁଣି ସଦାପୂର୍ଣ୍ଣ । ଅଭ୍ୟାସ କରି ବି ଯେମିତି ଇଚ୍ଛା ମାତ୍ରେ ସ୍ଥିର ହୋଇଯିବି, ସବୁ ଇନ୍ଦ୍ରିୟାନୁଭୂତି ଲୁପ୍ତ ହେବ, ସେତିକି କରି ପାରିଲେ ମୋର ମୁଁତ୍ୱ ଚାଲିଯିବ, ସେଉଠୁ ନିଦଭିତରେ ଆସିଯିବ ଚିତ୍‌–ଆନନ୍ଦ ଅନୁଭୂତି ହିଁ, ବାହାରେ ବି ସେଇଆ, ସବୁଠିଁ, ସେତେବେଳେ କଣ ଅଛି ମତେ ଡରେଇବ କି ପୀଡ଼ା ଦେବ କି ବାନ୍ଧି ପାରିବ ? ‘ନମୃତ୍ୟୁର୍ନଶଙ୍କା ନ ମେ ଜାତିଭେଦଃ । ପିତା ନୈବ ମେ ନୈବ ମାତା ନ ଜନ୍ମ । ନବନ୍ଧୁର୍ନମିତ୍ରଂ ଗୁରୁର୍ନୈବ ଶିଷ୍ୟ–ଶ୍ଚିଦାନନ୍ଦ ଋପଃ ଶିବୋଽହଂ ଶିବୋଽହମ୍‌ ।, କହି ନାହାନ୍ତି ଶଙ୍କରାଚାର୍ଯ୍ୟ ନିର୍ବାଣଷଟ୍‌କ ସ୍ତୋତ୍ରରେ ? ସେ କଣ ଧର୍ମ ନା ଠାକୁର ପୂଜା ? ସେ ଜଗତଜିତା ହେବା ପାଇଁ ଶ୍ରେଷ୍ଠ ଉପାୟ, ନିଜେ ସାଧିବାକୁ ପଡ଼େ ।’’

 

ବିନୋଦ କହିଲା ‘‘କିନ୍ତୁ ଯେଉଁ ଦୁଃଖ ପଡ଼ିଛି, ଚାରିପାଖେ ଯେଉଁ ଅବିଚାର ଅନ୍ୟାୟ ହେଉଛି, ଯାହାକୁ ଭାବିଲା ମାତ୍ରେ ମନରେ ଅଶାନ୍ତି ଜଳି ଉଠେ, ମଣିଷ ତାକୁ ଆଗ ନ ଭୁଲିବ କେମିତି ଯେ ମନକୁ ସ୍ଥିର ରଖିବ ?’’

 

‘‘ସେଇ ଅସଲ କଷ୍ଟ କାମଟା କରିବା ପାଇଁ ତ ୟେ ଉପାୟ । ତା ଆଗରୁ, ନିଜକୁ ବୁଝେଇ ପାରେ । ମନକଲେ ଏପରି ଅନେକ ଉଦାହରଣ ପାଇବ ଯେଉଁଠି ଲୋକେ ତାଠୁଁ ଅଧିକ ଦୁଃଖ କଷ୍ଟରେ ଅଛନ୍ତି, ଅନେକେ ତା’ରି ପରି ବା ତାଠୁଁ ବଳି ଯୋଗ୍ୟ, ଉପଯୁକ୍ତ, ସେମାନେ ବି ତାଠୁଁ ବହୁତ ବେଶି ଅସୁବିଧାରେ କଷ୍ଟରେ ଅଛନ୍ତି, ସେଇଟା ଭାବିଲେ ତା ଦୁଃଖ ଲାଗିବ ହାଲୁକା, ପୁଣି, ଯେଉଁମାନେ ମହା ସମୃଦ୍ଧିରେ ଅଛନ୍ତି, ଭାବିଲେ ଦେଖିବ ତହିଁରୁ ଅନେକେ ଅନ୍ୟ କେତେ କେତେ ବିଷୟରେ ହତଭାଗ୍ୟ, ତାଙ୍କ ମନ ବିଷ ଜ୍ୱାଳାରେ ଅହରହ ଛଟପଟ, ସିରା କରେଇରେ ପଡ଼ି କେତେ ପିମ୍ପୁଡ଼ି ମାଛି ବିରୁଡ଼ି ଛଟପଟ ହୋଇ ମରୁଛନ୍ତି । ଆଉ ଭାବିବ, ସବୁ ଜିନିଷ ଅଢ଼େଇଦିନିଆ, ରହିବ କଣ ? ତେବେ, ଆଦୌ ସେ ସବୁ ଭାବିବା ଦରକାର କଣ ? ଦୃଢ଼ ହୋଇ ମନ ଥଏ କରିବ, କହିବ ମୋ ମନକୁ ମୁଁ କିଳିବି, ସବୁ କାମ ବିବେକ ଅନୁସାରେ ନିକୁଟି ନାକିଟି ଖଟି ଖାଟି କରିଯାଉଥିବ, ଫଳ ଯାହା ହେଉ ସେଥିକି ଅନେଇଁବ ନାହିଁ, ଦୁଃଖରେ ମନଦୁଃଖ ନାହିଁ, ସୁଖରେ ହର୍ଷ ନାହିଁ, ଆସକ୍ତି କି ମୋହ ନାହିଁ, ଭୟ ନାହିଁ, କ୍ରୋଧ ନାହିଁ, ଚିତ୍ତ ସ୍ଥିର,–ଗୀତାରେ କହି ନାହାନ୍ତି ‘ଦୁଃଖେଷ୍ୱନୁଦ୍‌ ବିଗ୍ନମନଃ’ ଇତ୍ୟାଦି ? ସେଇଆ ଯେ ସେମିତି ହେବ ସେ ସୁଖଶାନ୍ତି ପାଇବ-। ଅନ୍ୟବାଟ ନାହିଁ ।’’

 

ବିନୋଦ କହିଲା, ‘‘ନିଜମନକୁ ଆୟତ୍ତ କରିବା କଣ ସହଜ ପଡ଼ିଛି ? ଖାଲି ପୋଥି–ବାଇଗଣ । ବାଡ଼ି–ବାଇଗଣ ଭିନେ ।’’

 

ଶଶୀ ମିଶ୍ର ହସିଲେ, କହିଲେ ‘‘ବାଡ଼ି–ବାଇଗଣ କେମିତି ଲଗେଇବାକୁ ପଡ଼େ ଫଳେଇବାକୁ ପଡ଼େ ବହୁତ ଅଭିଜ୍ଞତାରୁ ତା ଶିଖି ସେଇ କଥା ତ ପୋଥିରେ ଥାଏ, କିନ୍ତୁ ନ କଲେ କିଏ ପାଇବ ? କଷ୍ଟ ତ ନିଶ୍ଚୟ, ମୁଁ ଆପଣଙ୍କୁ କହିବି, ଆପଣ ମତେ, କଲା ବେଳକୁ ନିଜେ, ଏକୁଟିଆ, କାନ୍ଧରେ ପୂରା ଦାୟିତ୍ୱ ।’’

 

‘‘କିନ୍ତୁ କରିବା ବା କଣ ? ପଥର ପାଲଟି ସହି ଶିଖିବା । କାଲ ହେଲେ କେହି ଗାଳିଦେଲେ ଶୁଭେନାହିଁ, ଅନ୍ଧହେଲେ କୌଣସି ଭୟଙ୍କର ଦୃଶ୍ୟ ବି ଆଖିକି ଦିଶେ ନାହିଁ । ବାୟା ବାତୁଳା ହେଲେ କୌଣସି ହାନିଲାଭ ମୁଣ୍ଡରେ ପଶେ ନାହିଁ । ମୂରୁଖ ହେଲେ ଉନ୍ନତତର ଜୀବନ ଉନ୍ନତତର ଆନନ୍ଦର ସ୍ୱପ୍ନ ବି ନ ଥାଏ, ଅଭାବ ଧାରଣା କାହୁଁ ? ବେହିଆ ବେଲଜ୍ଜ ହେଲେ ଲାଜ ସରମ ନ ଥାଏ, ଯେଡ଼େ ଅପମାନ ମିଳୁ ଛଳ ବି ନ ଥାଏ । ଭୀରୁ, ଦୁର୍ବଳ ନିକମାଙ୍କର ଅନ୍ୟ ଗତି ନାହିଁ, ଅଙ୍ଗୁରଫଳ ଖଟା ବୋଲି ମନକୁ ଭୁଲାଇବା କଥା, କଣ ନା ସବୁ ମାୟା, ସବୁ ଭାଗ୍ୟ, ଯେ ନିଜକୁ ଯେମିତି ଭୁଲେଇ ପାରିଲା, କିଏ ନିଶା ଖାଇ, କିଏ ସ୍ୱର୍ଗର ସ୍ୱପ୍ନ ଦେଖି । ସେଥିରେ ଲାଭ କଣ ଓ ସେମିତି ଜୀବନ ବଞ୍ଚିବ ବା ମଣିଷ କାହିଁକି ?’’

 

ଶଶୀ ମିଶ୍ର କହିଲେ, ‘‘ବୁଦ୍ଧିମାନ, ଜ୍ଞାନବାନ୍‌, ସଚେତ୍‌, ସୁସ୍ଥ, ସାହସୀ, ମଣିଷର ଆନନ୍ଦ କଥା ମୁଁ କହୁଚି, ଯାହା କଲେ ମଣିଷ ସବୁ ବିଷୟରେ କୁଶଳୀ, ସବୁଥିରେ ଶ୍ରେଷ୍ଠ ହୁଏ, ସବୁବେଳେ ଆନନ୍ଦ ପାଏ ।’’

 

‘‘କେମିତି ?’’

 

‘‘ଯେପରି ତୋଫାନ, ଯେଡ଼େ ତୋଫାନ ଆସୁ ସେ ସ୍ଥିର, ନଇଁବ ନାଇଁ, ଟଳିବ ବି ନାଇଁ-। ତାର ସବୁ କାମ ସରସ ହେବ । ତାଠିଁ ସବୁ ସଦ୍‌ଗୁଣ ଆପେ ପଶିବ, ବଢ଼ିବ ।’’

 

‘‘କେମିତି ?’’

 

‘‘କାରଣ ନିଜ ସ୍ୱାର୍ଥ, ନିଜ ଚିନ୍ତା ଧରିଥିଲାଯାକେ ଆନନ୍ଦ ମିଳେନାହିଁ । ପରକୁ ଭଲ ପାଇଲେ ପରର ଉପକାର କଲେ ଯାଇ ମିଳେ, ତା ବି ହେବ ନିଃସ୍ୱାର୍ଥ, ତେବେ ଯାଇ ।’’

 

‘‘ଆପଣ ସମାଜର ପରିସ୍ଥିତି ବଦଳେଇବାକୁ ହାତ ବି ଟେକିବେ ନାହିଁ, ଆଉ ପରର ଉପକାର କରିପାରିବେ ?’’

 

‘‘ମୋ ଦେଇ ଯେତିକି ହେବ । ମୁଁ ସିନା ମୋ ଦାଣ୍ଡ କି ଆଖପାଖ ଓଳେଇ ପାରିବି, ସହରଯାକ କାହୁଁ ଓଳେଇ ପାରିବି ?’’

 

ବିନୋଦ ପଚାରିଲା, ‘‘ତେବେ ସମାଜ କେମିତି ବଦଳିବ ?’’

 

ଶଶୀ ମିଶ୍ର କହିଲେ, ‘‘ସବୁ ମଣିଷ ପୁରୁଷୋତ୍ତମ ହେଲେ ଯାଇ, ସେପର୍ଯ୍ୟନ୍ତ ପୂରା ବଦଳିବ ନାହିଁ, ଜଣେ ଓଳଉଥିଲେ ଆଉ ଦଶଜଣ ଅଳିଆ କୁଢ଼ୋଉଥିବେ । ମା’ ପେଟରୁ ସମାଜ ଜନ୍ମ ହୁଏ ନାହିଁ, ଗୋଟିଏ ମଣିଷ ଜନ୍ମ ହୁଏ । ମଣିଷ ଭଲ ନ ହେଲେ ସମାଜ କାହୁଁ ଭଲ ହେବ ? ନା ସମାଜ ଫର୍ମାସି ଦେଇ ପୁରୁଷୋତ୍ତମ ଜନ୍ମ କରାଇ ପାରିବ ? ସମାଜ ଫୁସୁଲେଇ ଡରେଇ ଧମକେଇ ଜଣେ ମଣିଷକୁ ସଫା ଲୁଗା କାମିଜ୍‌ ପିନ୍ଧେଇ ପାରିବ, କିନ୍ତୁ ମଣିଷର ମନ ଭିତରଟାକୁ ସଫା କରି ପାରିବ ନାହିଁ ।’’

 

ବିନୋଦ କହିଲା, ‘‘ମତେ ଲାଗୁଛି ଆପଣ ସାମ୍ୟବାଦ, ସମାଜବାଦ ଆଦିକୁ ଅସ୍ୱୀକାର କରୁଛନ୍ତି, ସେପଟେ ପୁଞ୍ଜିବାଦକୁ ବି, ଏଇଟା କି ବିଚାରରେ ଯିବ ?’’

 

‘‘ମୁଁ କୋଉ ଭୁଷ୍‌ ପଣ୍ଡିତ ଆଜ୍ଞା ! କି ବାଦ ବିବାଦ ବୁଝେଁ ।’’

 

ଶଶୀ ମିଶ୍ର ହସିଦେଇ କହିଲେ, ‘‘ଧରନ୍ତୁ ୟେ ମୋ ଭଳି ହୁଣ୍ଡା ଲୋକର ହୁଣ୍ଡାବାଦ । କି ଗୋଟାଏ ସାଧାରଣ ମଳିମୁଣ୍ଡିଆର ମଣିଷବାଦ । କେଉଁ ବାଦ, କେଉଁ ସଂଜ୍ଞା, କେଉଁ ସୂତ୍ର, ୟେ ମଣିଷକୁ ଖାପେ ! ତାଠିଁ ପ୍ରକାର ପ୍ରକାରଟି ! ବିଶାଳ କରୁକ୍ଷେତ୍ର, ଅନନ୍ତ ବ୍ରହ୍ମାଣ୍ଡ, ସବୁ ୟେ ମଣିଷଠିଁ । ଦେଖିଲେ ପୋକଟାଏ, ତହିଁରେ ଏତେ କଥା !’’

 

‘‘ଆପଣ ଚାଲିଲେ ମିଷ୍ଟିସିଜୁ ଆଡ଼କୁ–’’

 

‘‘ପାଶ୍ଚତ୍ୟ ଜଡ଼ବିଜ୍ଞାନ କଣ ମଣିଷଠିଁ ନାନା ବିସ୍ମୟକର ଆବିଷ୍କାର କରୁନାହିଁ ?’’

 

‘‘ଭଲ ହେଲା ପାଶ୍ଚାତ୍ୟ ଦେଶର ବିଜ୍ଞାନ କଥା କହିଲେ । ସେମାନେ ବିଶ୍ୱାସ କରିଛନ୍ତି ନିଜ ପୁରୁଷକାର ଦ୍ୱାରା ନିଜ ପରିସ୍ଥିତି ବଦଳେଇବେ, ନିଜ ଜୀବନ ବାଗେଇବେ ।’’

 

‘‘ଆମେ ବି କୋଉ କମ୍‌ ?’’

 

‘‘ସେମାନେ ତାଙ୍କ ସମାଜ ବଦଳାଇବାକୁ ଜାଣିଶୁଣି ନାନା କାମ କରି ଆସିଛନ୍ତି, ନାନା ପରିବର୍ତ୍ତନ କରି ପାରିଛନ୍ତି,–’’

 

‘‘କହିଲି ପରା, ତାଙ୍କ ବିଷୟରେ ମୋର ଧାରଣା ପ୍ରତ୍ୟକ୍ଷ ନୁହେଁ । ମୁଁ ଭାବେ, ସେଠି ବି ନାନା ମତର ଲୋକ, ପ୍ରକାର ପ୍ରକାର ମଣିଷ, କିଏ ମୁନିଋଷି ଭଳି ତ କିଏ ଦୁଷ୍ଟ ଦୁରାଚାର । ମୋଟାମୋଟିରେ ଦେଖିଲେ ସେଠି ବି ନାନା ଅସୁଖ ଅଶାନ୍ତି । ନ ହେବ କେମିତି ? ସଂସାରଯାକ ସେଇଆ । ମଣିଷ ନିଜ ପ୍ରବୃତ୍ତିମାନଙ୍କୁ ନିଜ ଚିତ୍ତକୁ ଅକ୍ତିଆର କରି ପାରିଲେ ତ ? ସେଠି ବି ଲୋକେ ନିଜ ସ୍ୱାର୍ଥ ପାଇଁ ଥାଆନ୍ତି, କାହାଠିଁ କି ବଦ୍‌ଗୁଣ, ଦେହରେ ମନରେ ଆଚରଣରେ ନାନା ଲୋକଙ୍କର ନାନାରୋଗ, କଳକାରଖାନା କଲେ, ଧନ ଅର୍ଜିଲେ, ଚନ୍ଦ୍ରକୁ କି ମଙ୍ଗଳକୁ ଗଲେ ବୋଲି କଣ ମଣିଷ ଦେବତା ହୋଇଗଲେ ?’’

 

‘‘ଆମେ କଣ ସେ ଜ୍ଞାନ ବିଜ୍ଞାନ, ସେ କୌଶଳ, ସେ କଳକାରଖାନା, ସେ ସମୃଦ୍ଧି, ସେ ସବୁ ଆଡ଼କୁ ପିଠି ବୁଲେଇ ଦେବା ?’’

 

‘‘ତା’ ତୁ ମୁଁ କହୁନାହିଁ । ଆମେ ଯାହା ଶିଖି ପାରିବୁଁ ଶିଖିବୁଁ, ଯହିଁରେ ଆଉ କାହା ଦୁଃଖ ଯିବ, କରିବାକୁ ଚେଷ୍ଟା କରିବୁଁ । କିନ୍ତୁ ଆମେ ଆଖିବୁଜି ଭାସି ଯିବୁ ନାହିଁ, ତେଣୁ ଦେଖି, ଏଠି ତା ଭଲ ହେବ କି କି ଖରାପ କରିବ ନ ଭାବି, ଖାଲି ଅନୁକରଣ କରିବୁଁ ନାହିଁ, ପର ଦେଶକୁ ଧ୍ୱଂସକାରୀ ଅସ୍ତ୍ର ବିକି ବଡ଼ଲୋକ ହେବାକୁ ଆମେ ମନ କରିବୁଁ ନାହିଁ । ଆମ କାମ ନ ହେଉ ଧ୍ୱଂସ ଆଉ ଶୋଷଣ ପାଇଁ ଉପାୟ ଆବିଷ୍କାର କରିବା, ପରକୁ ପରଦେଶକୁ ଦୁହିଁ ଖାଇବା । ଆମେ ଲୋଡ଼ିବୁଁ ସବୁଠି ଶାନ୍ତି, ଆନନ୍ଦ । ଏଠି ବିଦ୍ୟାର ଉଦ୍ଦେଶ୍ୟ ହେବା ଉଚିତ ଆଦର୍ଶ ମଣିଷ ଗଢ଼ିବା ।’’

 

‘‘କାନକୁ ଭାରି ସୁନ୍ଦର ଶୁଭୁଛି,’’ ବିନୋଦ କହିଲା, ‘‘କିନ୍ତୁ କାମ ବେଳକୁ ଅନ୍ୟ କଥା ହୁଏ-।’’

 

‘‘ସେଇଥିପାଇଁ ମଣିଷ ଆଗ ନିଜକୁ ସମ୍ଭାଳିବା ଉଚିତ, ନିଜ ମନକୁ ତିଆରି କରିବା ଉଚିତ । ହାରିଗଲି ଭାବିଲେ ସରିଗଲା, ଆଉ ମୋ ଦେଇ କିଛି ହେବ ନାହିଁ । ନିଜ ଚିନ୍ତା ଥିବା ଯାକେ ବୁଦ୍ଧି ଗୋଳିଆ, ଆଖି ଦୁର୍ବଳ, ହାତ ଦୁର୍ବଳ, ମନ ବିକଳ । ‘ମୁଁ’ ଟା ଆଗୁଳି ରହିଥିବା ଯାକେ ମଣିଷ ଇନ୍ଦ୍ରିୟ ଦ୍ୱାରା ଅପରକୁ ଅନୁଭବ କରିବ କେମିତି ? ଫୁଲକୁ ଅନେଇଁଥିବ, ଦେଖୁଥିବ ‘ମୁଁ’ ବିଷୟକୁ । ଗୀତ ଶୁଣୁଥିବ, ପ୍ରକୃତରେ ଗୀତକୁ ନୁହେଁ, ‘ମୁଁ’ ର ସୁଖ ଦୁଃଖ ଲହଡ଼ି ଶବ୍ଦ ଶୁଣୁଥିବ, ସବୁ ସେଇଆ । ତହିଁରେ ପ୍ରକୃତ ଆନନ୍ଦ କାହିଁ ? ମନେ ପକାନ୍ତୁ ଆପଣଙ୍କ ଜୀବନର ସେଇ ସବୁ ମୁହୂର୍ତ୍ତକୁ, ଅଳ୍ପ ମୁହୂର୍ତ୍ତକୁ, ଯେତେବେଳେ ଆପଣ ପ୍ରକୃତରେ ସବୁଠୁ ବେଶୀ ଆନନ୍ଦରେ ମଜ୍ଜି ଯାଇଥିଲେ । ମାନେ, ଯାହାକୁ କହନ୍ତି ଆତ୍ମହରା ହୋଇଥିଲେ । ସେତେବେଳେ ଆଉ କିଛି ବିଷୟରେ ହୋସ୍‌ଥିଲା କି ? ଚାକିରି, ପଦୋନ୍ନତି, ମାନ, ଅପମାନ, ଲାଭକ୍ଷତି କିଛି ? ନ ଥିଲା । ଆତ୍ମବିସ୍ମୃତ ହେଲେ, ସେଉଠୁ ଆପଣ ହୁଅନ୍ତି ଯାହାକୁ କୁହାଯାଏ ତନ୍ମୟ, ନିଜକୁ ଛାଡ଼ି ଦେଇ ସେହି ଆରଟାଠି ଆପଣ ମିଶିଯାନ୍ତି, ଆର ପଟୁ ଦେଖିଲେ, ଆପଣଙ୍କଠି ନିଜ ସତ୍ତାର ଚେତନା ହିଁ ନ ଥାଏ, ପୂରିଥାଏ ଆରଟାର ସତ୍ତାର ଚେତନା । ସେଇ ଅବସ୍ଥାରେ ଆପଣଙ୍କର ଯେଉଁ ଅନୁଭୂତି, ସେଇଟା ଜୀବନର ଆନନ୍ଦ, ଓ ସେଇ ଅବସ୍ଥାରେ ସେଇ ଆରଟି ସମ୍ପର୍କରେ ଆପଣ ଯେଉଁ କାମ କରନ୍ତି, ସେଇଟା ସେ ବିଷୟରେ ଆପଣଙ୍କର ଶ୍ରେଷ୍ଠ କାମ ।’’

 

ବିନୋଦ କହିଲା, ‘‘ମତେ ଲାଗୁଛି ଆପଣ ଏକାଗ୍ରତା କଥା କହୁଚନ୍ତି, ନୁହେଁ ?’’

 

‘‘ନିଜକଥା ନ ଭୁଲିଲେ ଏକାଗ୍ରତା ବି ଆସେ ନାହିଁ, ନିଜ କଥା ଭୁଲି ଅପର ବିଷୟରେ ଧ୍ୟାନ ଦେଲା ବେଳେ, ଯାହା କହନ୍ତି ଭୋକ ଶୋଷ ମନେ ପଡ଼େ ନାହିଁ, ଚୁମୁଟିଲେ କାଟେ ନାହିଁ, ନିଜ ଦୁଃଖ ଅନୁଭବ ବା ହେବ କାହୁଁ ? ଚିନ୍ତାରେ ନିଜ ଛାଇ ପଡ଼ିଲେ ଆନନ୍ଦ ଗଲା । ପାଣିରେ ମାଛ ଖେଳୁଛନ୍ତି, ଦେଖୁଥିଲେ ଆପଣ ଘଣ୍ଟା ଘଣ୍ଟା ଯାକେ ଆନନ୍ଦ ପାଉଥିବେ, କେଡ଼େ ସୁନ୍ଦର ସେ-! ଜୀବନର କି ବୈଚିତ୍ର୍ୟ ! କିନ୍ତୁ ମନେ ପଡ଼ିଯାଉ ଯେ ମାଛ ଆପଣଙ୍କ ଖାଦ୍ୟ, ସେ ସବୁ ଆନନ୍ଦ ଅନୁଭୂତି ଆଉ ନ ଥିବ, ମନେ ପଡ଼ିବ ସେ ମାଛ ଧରା ହୋଇ ପାରନ୍ତା ଆପଣ ଖାଆନ୍ତେ, କିନ୍ତୁ ତା ହେବ ନାହିଁ ଓ ତା ସଙ୍ଗେ ସଙ୍ଗେ ଆପଣ ନିଜର ନାନା କଥା ଭାବିଯିବେ, ହୁଏତ ବିରକ୍ତ ହୋଇ ସେଠୁ ଉଠିଯିବେ ।

 

ଯେ ନିଜକୁ ନିଜ ବିଷୟକୁ ପାଶୋରି ଅନ୍ୟ ଜିନିଷଠିଁ, ଅନ୍ୟ ମଣିଷଠିଁ ତନ୍ମୟ ହୋଇପାରନ୍ତି, ଏଣେ ଲାଭ କ୍ଷତି ନିନ୍ଦା ସ୍ତୁତି ଆଦିକି ନ ଅନେଇଁ ବିବେକ ପ୍ରକାରେ ନିଜ କର୍ତ୍ତବ୍ୟ ନିଠେଇ କରୁଥାନ୍ତି, କେଡ଼େ ସୁଖୀ ସେମାନେ ! ବାହାରେ ଏତେ ଲୋକ, ତାଙ୍କ ମନେମନେ ସମସ୍ତିଙ୍କ ସଙ୍ଗେ ସ୍ନେହରେ ସେ ଏକାଠି ବନ୍ଧା, ସେହି ସ୍ନେହଭାବ ହିଁ ଆନନ୍ଦ ହୋଇ ତାଙ୍କମନରେ ପୂରି ରହେ, ଆଖିରୁ ପୋଛେ କରୁଣାରେ ଲୁହ ବୋହୁ । ଏ ଅନନ୍ତ ପ୍ରକୃତି ଭିତରେ କି ସୌନ୍ଦର୍ଯ୍ୟ, କି ବୈଚିତ୍ର୍ୟ, କି ଆନନ୍ଦ ! ମନେ ମନେ ସେହି ଆନନ୍ଦରେ ସେ ନିଜେ ବି ମିଶି ଯାଆନ୍ତି, ନିଜେ ସତେକି ସବୁଠିଁ ।

 

ମୁଁ ଭାବେ, ଆପଣ ଅନେକ ସମୟରେ କରିଥାନ୍ତି ବି ସେଇଆ, ତେଣୁ ଆପଣ ସବୁବେଳେ ଉଜ୍ଜ୍ୱଳ, ସବୁବେଳେ ପ୍ରସନ୍ନ, ସେଇ କଥା ଖାଲି ସ୍ମରଣ କରାଇ ଦେଉଛି ଆଖି, ନ ହେଲେ ଆପଣଙ୍କୁ ବୁଝେଇବାକୁ ମୋର ବୁଦ୍ଧି କେତେ ?’’

 

ବିନୋଦ କହିଲା, ‘ଆପଣ ବିଜ୍ଞ, ଶାସ୍ତ୍ରଜ୍ଞ, ଭାବୁକ, ଚିନ୍ତାଶୀଳ । କହୁଛନ୍ତି ସାରକଥା ସବୁ-। ଯୁକ୍ତି କରିବା ତ ଅଲଗା କଥା, ଓଲଟା ଯୁକ୍ତି କେତେ ଆଡ଼ୁ କରାଯାଇପାରେ, ସେ କଥା କହୁନାହିଁ-। ଭାବୁଛି କଣ କି ମୁଁ ଯାହା, ମୋ ପରିସ୍ଥିତି ଯେପରି, ୟେ ସଂସାର ଯାହା, ମୁଁ ପ୍ରକୃତରେ ନୂଆ ପ୍ରକାରେ ନିଜକୁ ଗଢ଼ି ପାରିବି, ୟେ ସମ୍ଭବ ନୁହେଁ । ବୋଧହୁଏ, ସଂସାରରେ ସମସ୍ତିଙ୍କର ଏଇ ଏକା ଅବସ୍ଥା । କେତେବେଳେ ନିଜକୁ ଆୟତ୍ତ କରୁଥିବେ, କେତେବେଳେ ପବନରେ ଏଣେତେଣେ ଉଡ଼ୁଥିବେ, ସୁଅରେ ଭାସୁଥିବେ । ତେବେ, ମନର ବୋତଲ ଭିତରେ ଦୁଶ୍ଚିନ୍ତା ଗୁଡ଼ାକ ଠିପି ମାରିଦେଇ ସାଇତି, ସେଇ ବାମ୍ଫର ଚାପରେ ଛଟପଟ ହେବା ଅପେକ୍ଷା,–ଏମିତି କେତେବେଳେ ଠିପି ଖୋଲିଦେଇ ପାରିବା ସୁଯୋଗ ମିଳିଲେ ମନଟା ଉଶ୍ୱାସ ହୁଏ । ଆପଣ ମୋର ବଡ଼ ଉପକାର କଲେ ।’’

 

ସେମାନେ ବୁଲିଆସି ବିନୋଦର ଘର ଆଗରେ ଠିଆ ହୋଇଥିଲେ । ତା ପରେ ଦିହେଁ ନିଜ ନିଜ ଘରକୁ ଗଲେ ।

 

ବିନୋଦ କାବା ହୋଇ ଭାବିଲା, ୟେ କଣ ହେଲା ? ଘରମିଣିପିଙ୍କୁ ଛାଡ଼ିଦେଲେ ବାହାରେ ସେ ଆଉ କାହାସଙ୍ଗେ ଆପଣା ବ୍ୟକ୍ତିଗତ ଦୁଃଖ ବିଷୟରେ, କେବେ ଆଲୋଚନା କରେନାହିଁ, ଭାବେ ସେପରି କଲେ ତା ମୁଣ୍ଡ ତଳକୁ ହେବ । ଅଥଚ ଶଶୀ ମିଶ୍ର ତା’ର କିଏ ? ଭାବିଲା, କିନ୍ତୁ ସେ ତାଙ୍କୁ କହିଛି ବା କଣ ? ନା, ନ କହିଛି ବା କଣ ? ଆଲୋଚନାର ପ୍ରାସଙ୍ଗିକତାକୁ, ତାର ବିଷୟକୁ, ସେ ନାହିଁ ବି କରିନାହିଁ । ସବୁ ସେ ଠିକ୍‌ ବୁଝିଥିବେ ।

 

ନିଜକୁ ଦୋଷୀ କରି ସାରି ପୁଣି ତାର ମନର ଭାବ ବଦଳି ଗଲା । ହାଲୁକା ଲାଗିଲେ, କ୍ରମେ ଉସତ ବି ଲାଗିଲା । ତା ପରେ ମନର ଗୋଟିଏ ବିଚିତ୍ର ଅବସ୍ଥାରେ ତାକୁ ଲାଗିଲା, ଯେମିତି ଅଦୃଶ୍ୟ ଉହାଡ଼ରୁ ଅଚିହ୍ନା ଛାୟାମୂର୍ତ୍ତିଟିଏ ତା ଆଗରେ ଉଭା ହୋଇଥିଲା, ଆଉ ନାହିଁ । ଭାବିଲେ ଲାଗୁଛି, ତା ବାପାଙ୍କ ଢାଞ୍ଚାର ଥିଲା, ତାଙ୍କରି ଉପସ୍ଥିତିର ଅନୁଭବ ଆଣିଥିଲା, ଓ ତା ମନ ଯେତେବେଳେ ଆକୁଳ, ସେ ଆସିଥିଲା ଦମ୍ଭ ଦେବାକୁ, ବାଟ ବତେଇବାକୁ, ଚେତେଇବାକୁ, ଯେମିତି ‘‘ଜାଗ୍‌ ମଛନ୍ଦର୍‌ ଗୋରଖ ଆୟା’’–ଆରେ ତୁ ଏଠି ରାଜା ଖେଳ ଖେଳୁଚୁ ସିନା, ତୁ ୟା ନୋହୁଁ, ବା ୟା ନ ଥିଲୁ, ତୁ ତ,–ତୁ ପରମଯୋଗୀ ମତ୍ସ୍ୟେନ୍ଦ୍ର ନାଥ, ତୁ ଏ ସୁନାପରି ଦିଶୁଥିବା କାଦୁଅରେ ଆଦୌ ବନ୍ଦୀ ନୋହୁଁରେ, ଉଠିଆ, ତୋ ବାଟ ଧର ।

 

ନିଜ ଭିତରେ ଅନୁଭବ କରୁଚି ଆଉ ଜଣେ କିଏ ତା’ କଥା କହୁଚି । ତୁନି ତୁନି କଥା, ସ୍ପଷ୍ଟ ଶୁଭୁଛି । ତା ଭିତରେ ଥାଇ ତାରି ସଂସାରି ଜୀବନର ବିକଳପଣକୁ ହସରେ ଉଡ଼ୋଉଛି–

 

‘‘ଏଇଟା, କେମିତି ଦକଦକ କଲବଲ ହଉଚି ଦେଖ୍‌ ଦେଖ୍‌ । ଖାଲି ଖାଇବି ଖାଇବି ପାଇବି ପାଇବି ହାତ ବଢ଼ୋଉଚି, ପଡ଼ୁଛି, ଆଣ୍ଠୁଗଣ୍ଠି ଛିଣ୍ଡୋଉଛି, ଉଠି ସୁଁ ସୁଁ ହଉଛି । ବିଚରା ଅବୁଝା ମୂର୍ଖ । ତୁ ନୋହୁଁ ମ, ଏଇଟା ଶେଷରେ ମରିବ ବୋଲି ସେମିତି ହେଉଛି । ମୂଳରୁ ଝୁଲି ଝୁଲି ହଲି ହଲି ସିନା ବାଉଁଶ ଗଛ କାଳକ୍ରମେ ମରିବ, ନ ହେଲେ କେମିତି ! ତା ସଂସାରଟା ଏଇ ଦେହ ଖୋଳପାଟାକୁ ଘେନି, ସେଥିରେ ଆଞ୍ଚୁଡ଼ାଏ ଲାଗିଲେ ସେ ଛଟପଟ, ପୋକଟାଏ ତ, ସେତକ ଫାଟିଲେ ତାର ସବୁ ଗଲା । ତୋର କି ଯାଏ ? ତୁ ତୋର ଖୁସିରେ ଦେଖୁଥା ।’’

 

ତା ମନ ପୋଛା ପୋଛି, ଶାନ୍ତି । ଶାନ୍ତ ଅନ୍ଧାର ରାତି, ଜଳଜଳ ତାରା । ମଝିରେ ମଝିରେ ଦୂରରୁ ମଣିଷଙ୍କ ସ୍ୱରଶବ୍ଦ ଶୁଭୁଛି, କାନକୁ କେଡ଼େ ଭଲ ଶୁଭୁଛି । ସ୍ୱାଭାବିକ ଭାବେ ତୁଣ୍ଡ ଶବ୍ଦରେ କି ସୁନ୍ଦର ସଙ୍ଗୀତ !

 

ସେ ତା ଘର ହତାରେ ପଶୁଛି, ତା ମୁହଁରେ ହସ ଖେଳି ଉଠିଲା ।

 

ବାପା ଦୋଳଗୋବିନ୍ଦ ଦାସ ଏ ସଂସାରରୁ ଉଭେଇ ଯିବାର ସାତବର୍ଷ ହେଲାଣି, ବିନୋଦ ଭାବିଲେ ଲାଗେ କାଲିପରି, ହେଇ ତ ସେ ଗୋଟାସୁଦ୍ଧା, ବୟସ ସତୁରି ଚାଲିଥାଏ ସତ, କିନ୍ତୁ ଯେ ଦେଖିଲେ କହିବ ପଞ୍ଚାବନ କି ଷାଠିଏ, ଡେଙ୍ଗା ସଳଖ ଦେହ, ସରୁଆ ହୋଇ ଯାଇଥିଲେ ବି ଧଡ଼ିଆ ନୁହେଁ, ସମର୍ଥ, କାର୍ଯ୍ୟକ୍ଷମ, ଅଳ୍ପ କେଇଟା ଦାନ୍ତ ପଡ଼ିଥାଏ, ମୁଣ୍ଡ ମଝିରେ ବଡ଼ ଚନ୍ଦା ଅରାଏ, ବାକି ବାଳରୁ ଅଳ୍ପ ଧଳା । ପୁଅ ବାହାଘର ସରି ବର୍ଷେ ପୂରିଥାଏ । ପୁଅ ଯେତେ ଚାହିଁଲା ଯେ ବୋହୂ ତାଙ୍କ ପାଖେ ଆହୁରି ଦିନାକେତେ ଥାଉ ବାପା ମା’ଙ୍କ ଯତ୍ନ ନେଉ, ସେ ବଳେଇ ବଳେଇ ବୋହୂକୁ ପଠାଇଥିଲେ ପୁଅ ସାଙ୍ଗେ, ଚାକିରି ଗାଁକୁ, ନିଜେ ଦିହେଁ ଗାଁରେ ଥାନ୍ତି, ସବୁଦିନ ପରି ଆପଣା ଉପରେ ନିର୍ଭର, ଯାହା ମିଳିଲା ତହିଁରେ ସନ୍ତୁଷ୍ଟ । ଅଳ୍ପ କିଛି ଭାଇଭାଗ ଜମି, ତା ବି ସତର ସ୍ଥାନରେ ଚେନାଏ ଚାନାଏଁ, ସେତିକି ସେ ଭାଗ ଲଗାଇ ଦେଇଥିଲେ, ଯାହା ମିଳେ ଟାଣି ଓଟାରି ଦି ପ୍ରାଣୀଙ୍କର ବର୍ଷକ ଚଳିଯାଏ । ବିନୋଦ ପ୍ରତି ମାସରେ ଚାଳିଶି ଟଙ୍କା କରି ପଠାଏ, ଓଲଟି ସେ ଚିଠି ଲେଖନ୍ତି, ‘‘ବିଦେଶରେ ପରିବାର ଘେନି ଚଳୁଛୁ, ଦରମା କେଇଟା ଟଙ୍କା, ସବୁବେଳେ ନିଅଣ୍ଟ ବାଧୁଥିବ, ମୁଁ ନ ମାଗୁଣୁ ପଠୋଉଚୁ କାହିଁକି ?’’ ତହିଁରୁ କାଟି ବି ସେ ତା ପାଇଁ ସାଇତି ରଖିଥାନ୍ତି, ଆଉ ବୋଉ ତା ପାଇଁ ସମ୍ପାଦିଥାଏ ଘିଅ, ବଡ଼ି, ଚୁଡ଼ା, ପିଠା, ନଡ଼ିଆକୋରା, ମୁଆଁ, ନଡ଼ିଆ, ସଜନାଛୁଇଁ । ତାପରେ ହଠାତ୍‌ ସେ ଟଳି ପଡ଼ିଲେ । ପ୍ରକୃତରେ ଅତି ହଠାତ୍‌ । ସକାଳେ ଗାଧୋଇ ସାରିଲେ, ପୂଜା କରି ସାରିଲେ । କହିଲେ, ‘‘ଦେହଟା କେମିତି ଲାଗୁଛି, ଆରେ, ଆରେ ଜୟରାମ୍‌’’ ଆଉ ନାହିଁ ।

 

ବିନୋଦ ଶୁଣିଥିଲା ତା ବୋଉଠୁଁ ।

 

ଏମିତି ମାଘମାସ ଶେଷାଶେଷି । ସ୍ଥାନେ ସ୍ଥାନେ ଖଳାରେ ଧାନ ବେଙ୍ଗଳା ପଡ଼ୁଥାଏ, କାହା କାହା ଦାଣ୍ଡରେ ଧାନ ଶୁଖୁଥାଏ ଯେ କାଉ ଘରଚଟିଆ ବେଢ଼ୁଥାନ୍ତି । ଯାହା ବାରିରେ ବରକୋଳି ଗଛ ଥାଏ ପିଲାଏ ଜମା ହୋଇ ଢେଲା ଫୋପଡ଼ି ପକାଇ ବରକୋଳି ତୋଳୁଥାନ୍ତି । ସୋମେଶ୍ୱର ମହାଦେବଙ୍କ ଦେଉଳ ପାଖେ, ଏଠି ସେଠି ପୁରୁଷେ ଦେଢ଼ ପୁରୁଷ ଉଞ୍ଚ ପୁରୁଣା ହୁଙ୍କା, ତାକୁ ବେଢ଼ି କେତକୀ ବଣ, କେତକୀ ଫୁଟି ମହକ ଚହଟୁଥାଏ । ପାଖରେ ଦଣ୍ଡାରେ କଣ୍ଟେଇକୋଳି ନେସି ହୋଇଥାଏ । ସକାଳର ସେ କୁହୁଡ଼ି, ତାରି ଭିତରୁ ଇଟାପରି ନାଲି ଗୋଲାପ କଢ଼ପରି ସୂର୍ଯ୍ୟ ଉଏଁ, ତଳେ କାଳିଆ ପୋଖରି ପାଣି ଉପରେ ଭାସେ ନାଲି କଇଁ ।

 

ବିନୋଦ ଭାବୁଥାଏ,–ପୁରୁଣା, ସବୁ ପୁରୁଣା,–କେଉଁ କାଳର ସେ ପଥର ଦେଉଳ, କେଉଁ କାଳର ସେ ହୁଙ୍କା, ସେ କେତକୀ ବି, କେଉଁ କାଳର ସେ ଗା । ବିଲରେ ସାତଭଉଣୀ ଠାକୁରାଣୀଙ୍କ ପାଖେ ବାରପଣ ପୋତି ହୋଇ ଯେଉଁ ପୋଡ଼ାମାଟିର ଘୋଡ଼ାଗୁଡ଼ିକ ମିଳନ୍ତି ତାଙ୍କ ବୟସ ବି କଳନା କରିହୁଏ ନାହିଁ । ସେମାନେ ସବୁକାଳେ ଅଛନ୍ତି । ଋତୁ ଆଉ ସମୟ ପଡ଼ିଲେ ଆପଣା ଆପଣା ଜାଗାରେ ଠିକ୍‌ ଥିବେ । ମାଟିତଳେ ପରସ୍ତ ପରସ୍ତ ହୋଇ ଆହୁରି ସେମିତି । କେତେକାଳ ଯାକେ କେତେ ତଳ ଯାକେ କିଏ କହିବ ? ତାର ବୟସ ନାହିଁ ।

 

ସେମିତି ତା ବାପା । ସେମିତିଆ ଦିନରେ ଥରେ, ଗାଁକୁ ବୁଲିଯାଇ ସେଠି ସେ ଥିଲା, ଦେଖିଛି, ଫାଉଡ଼ାରେ ହାଣି ହାଣି ଦୁଆରେ ସେ ରୋଷେଇ ଘର ସଳଖେ ପଟାଳିଟିଏ କରୁଥାନ୍ତି, କୋଶିଳା ଶାଗ ବୁଣିବେ ବୋଲି, ଦେହରୁ ଝାଳ ଗମଗମ ବୋହୁଥାଏ । ବେଳ ନ’ଟା ଟପିଥିବ । ତା ବୋଉ ପାଟି କରୁଥାଏ ‘‘ଯେତେ ମନାକଲେ କାହିଁକି ଝଡ଼େଇ ହଉଚ କହିଲ ? ହଁ, ଝୁଙ୍କ ଧରିଚ, କୋଶିଳା ଶାଗ ଲଗେଇବ । ଥାନ୍ତେ ଭଲା ପିଲାଏ, ଗୋଟାଏ କଥା । ଆମର ତ ସଜନାଶାଗ କେରାଏ ଛିଣ୍ଡେଇ ଆଣିଲେ କାମ ଚଳିଲା, କାହାପାଇଁ ଏସବୁ ?’’ ହସୁଥାନ୍ତି । କହିଲେ, ‘‘ଦୟା ହଉଚି ତ ପାନ ଖଣ୍ଡେ ଦିଅ । ଦେଖ ଏସବୁ ବିଲାତି ବାଇଗଣ, ଫଳ ଲଦି ହେଇଛି, କେଡ଼େ ଛନଛନିଆ ! ପୁଅ ଗଲାବେଳେ ତ ଏଥିରୁ ପାଁସେର ପକେଇ ନବ । ବଜାରରୁ କିଣି କିଣି ଖାଉଥିବେ ସିନା, ଘର ଜିନିଷ, ସଜ, ଗଛରୁ, ପାଇବେ କୋଉଠୁ ? ଏଠି କୋଶିଳା ବି ଛନଛନିଆ ହେଇ ଠିଆ ହେବ, କାଳେ ସେତେବେଳେ ଆସିବେ, ପଖାଳ ଖାଇବେ ତ ! ଆରେ କେହି ନ ଖାଅ, ଗୋଟାଏ ଜିନିଷ ଉପୁଜାଇଲେ କେଡ଼େ ସୁଖ ଲାଗେ !’’

 

‘‘ଆପଣ ଛାଡ଼ନ୍ତୁ ବାପା, ମୁଁ ହାଣିଦିଏଁ,–’’

 

‘‘ଆରେ ତମମାନଙ୍କର ସବୁ ଅଭ୍ୟାସ ନ ଥିବ, ହାତ ବଥେଇବ । ୟେ କାମ ସେମିତି । ତୋର ବେଳ ବା କାଇଁ । କାଲି ସକାଳୁ ତ ଚାଲିଯିବୁ ।’’

 

ମରିବାକୁ ଦୁଇ ତିନି ବର୍ଷ ଥାଏ ।

 

ତାଙ୍କ କଥା ମନେ ପଡ଼ିଲେ ବିନୋଦର ମନେ ପଡ଼େ, ଜଣେ ସ୍ୱାବଲମ୍ୱୀ ସ୍ୱାଧୀନ ମଣିଷ, ନିଜ ମତରେ ଚଳେ, ନିଜ ଗୋଡ଼ରେ ଠିଆହୁଏ, ସିଧାବାଟରେ ଯାଏ ତାର ଲାଳଚା ନାହିଁ କି ହାଇଁ ପାଇଁ ନାହିଁ କି ଦକା ନାହିଁ । ସେ ଯେତିକି ପାରିଛି, କରିଛି, ଯାହା ନ କରିଛି ସେଥିପାଇଁ ତାର ଦୁଃଖ ନାହିଁ । ମୁହଁରେ ହସ, କଥା କହିଲେ ପଦେ ପଦେକେ ନିର୍ଦ୍ଦୋଷ ହସ ଉପୁଯାଏ, କିନ୍ତୁ ରୋକ୍‌ଠୋକ୍‌ ନିଜ ମତାମତ କହେ, ଗୁଁ ପୁଁ ନାହିଁ ।

ଗୋଟିଏ ଗଡ଼ଜାତ ରାଜ୍ୟରେ ସେ ଥିଲେ ଜଣେ ବଡ଼ ପ୍ରଶାସନିକ କର୍ମଚାରୀ । ରାଜା ପ୍ରଜା ଉଭୟଆଡ଼ୁ ଶ୍ରଦ୍ଧା ଆଦର ପାଉଥିଲେ, ଉଭୟେ ତାଙ୍କ ପରାମର୍ଶ ଘେନୁଥିଲେ । ଘୋଡ଼ାରେ ଚଢ଼ି, ପାଦରେ ଚାଲି, ବଣ ପର୍ବତ ମାଡ଼ି ସେ ନିଷ୍ଠାପର ନିରଳସ ଭାବେ ଗସ୍ତ କରୁଥିଲେ, ଲୋକଙ୍କ ଅବସ୍ଥା ବୁଝୁଥିଲେ, ଦୁଃଖ ଅଭିଯୋଗ ମେଣ୍ଟାଉଥିଲେ, ନ୍ୟାୟ ଦେଉଥିଲେ, ଫେରିଆସି ନାନା ବ୍ୟବସ୍ଥା କରୁଥିଲେ । ରାଜା ତାଙ୍କ ପାଇଁ ଯେତିକି ବେତନ ଓ ଅନ୍ୟାନ୍ୟ ପାଉଣା ଖଞ୍ଜି ଦେଇଥିଲେ ତହିଁରୁ ଅଧିକା ସେ କେବେ ନେଉ ନ ଥିଲେ, ନିଜ ଆୟରୁ ଗୋଟିଏ ଭାଗ ଦୁଃଖୀ ଦରିଦ୍ରଙ୍କ ସେବା ଲାଗି ଖର୍ଚ୍ଚ କରି ଦେଉଥିଲେ, ତାଙ୍କ ଚଳଣି ଥିଲା ସରଳ ସାଦାସିଧା ।

ସେଠି ରାଜା ତାଙ୍କୁ କେତେ ଖଣ୍ଡି ଗାଁ ଦେବାକୁ ଚାହିଁଥିଲେ । ସେ ନେବାକୁ ମନା କରିଥିଲେ, କହିଥିଲେ, ‘‘ଗାଁ ତ ମୋର ଅଛି, ପିତୃପୁରୁଷଙ୍କ ବାସସ୍ଥଳୀ, ଆପଣ କାମ ଦେଇଛନ୍ତି, ଖାଇବାକୁ ମିଳୁଛି, ସେତିକି ଯଥେଷ୍ଟ ।’’

କେତେ ଚଲାଖ ଲୋକ କହିଥିଲେ, ‘‘ୟେ ଓଲୁ, ୟେ ବେଡ଼ା; ୟେ କଳିଯୁଗରେ ଧର୍ମଯୁଜେଷ୍ଟି ସୁଆଙ୍ଗ କରୁଛନ୍ତି ।’’

କିନ୍ତୁ ଲୋକେ କହୁଥିଲେ ‘‘ୟେ ଧର୍ମାତ୍ମା, ୟେ ସାଧୁପୁରୁଷ ।’’ ଚାରିଆଡ଼େ ଜୟ ଜୟକାର ।

ସେଠି ଅନ୍ୟ କର୍ମଚାରୀମାନେ ତାଙ୍କ ନିଜ ଦିହାତି ଡେଇଁ ଆଗକୁ ଚାରି ପୁରୁଷଙ୍କ ପାଇଁ ଧନ ଓଟାରି ଲାଗିଥିଲେ, ସେମାନେ କହନ୍ତି ଅନ୍ଧାରି ମୁଲୁକ ସେ, କନ୍ଧ ଅନ୍ଧ ରଜା ଗୋଜା, ଯେ ବାଗ ଜାଣିଛି ସେ ସବୁ ପାଇବ । କିନ୍ତୁ ଦୋଳଗୋବିନ୍ଦ ଦାସ ଯେମିତି ସେମିତି ।

ଗଡ଼ରେ ଥିଲାବେଳେ ପ୍ରତିଦିନ ତାଙ୍କ ରାଜକୀୟ କାର୍ଯ୍ୟକରି ଘରେ ମନଖୁସିରେ ସେ ବାରିବଗିଚା କରନ୍ତି, ନିଜେ କୋଡ଼ି ହାଣନ୍ତି, ବହି ପଢ଼ନ୍ତି, ତାଙ୍କର ପାଞ୍ଚ ସାତୋଟି ବନ୍ଧୁଥିଲେ, ଜଣେ ଗୁଡ଼ିଆ, ମିଠେଇ ଦୋକାନ ଥାଏ, ଜଣେ ମାଳି, ଫୁଲକରେ ବିକେ, ଜଣେ ଶିକ୍ଷକ, ଦୁଇ ତିନିଜଣ ଅନ୍ୟାନ୍ୟ କର୍ମଚାରୀ । ସେମାନଙ୍କର ମନ ମିଳୁଥିଲା, ଯାହା ଘରେ ଯେତେବେଳେ ହେଲେ ଏକାଠି ହେଉଥିଲେ, ଗପୁଥିଲେ, ସେମାନେ ଗୀତା, ଚଣ୍ଡୀ, ଭାଗବତ, ରାମାୟଣ, ମହାଭାରତରୁ କେତେବେଳେ କଣ ଆଲୋଚନା କରୁଥିଲେ, ଆଧ୍ୟାତ୍ମିକ ଆଲୋଚନା, ମଣିଷର ଚରିତ୍ର ଆଚରଣ ଆଦିରେ ଉନ୍ନତି ବିଷୟରେ ଆଲୋଚନା, ତାଙ୍କ ଗପରେ ଏହିପରି ବିଷୟ ସବୁ ପଡ଼ିଥିଲା । ଘରେ ସେ କବାଟକିଳି ତାଙ୍କର ଏକୁଟିଆ କଣ ସକାଳେ ସଞ୍ଜେ ଘଣ୍ଟାଏ ଯାକେ କରୁଥିଲେ । କେବେ କେଉଁ ଦିଅଁ ଦର୍ଶନପାଇଁ ମନ୍ଦିରକୁ ଯାଉଥିଲେ । ସବୁଦିନେ ଅନ୍ତତଃ ପାଞ୍ଚଜଣ ଗରିବ ଲୋକଙ୍କୁ ସେ ଡାକି ଖାଇବାକୁ ଦେଉଥିଲେ, କେଉଁଦିନ ବା ପଚାଶ ଶହେ ଖୁଆଉଥିଲେ ।

ବୁଢ଼ା ରଜା ମରିଗଲେ । ତାଙ୍କ ବଡ଼ପୁଅ ରାଜା ହେଲେ । ସେ ତାଙ୍କ ବାପାଙ୍କ ପରି ମର୍ହଟ୍ଟିଆ ନ ଥିଲେ କି ନୈଷ୍ଠିକ ନ ଥିଲେ, ରଜାପିଲାଙ୍କ କଲେଜ୍‌ରେ ପଢ଼ି ପାଶ୍‌ କରିଥିଲେ, ସାହେବୀ ଖାଇବା, ପିଇବା, ପୋଷାକ, ଚଳଣି, ଖେଳ, ରୀତିନୀତି, ଠାଣି, ହାକିମାତି, ସବୁଥିରେ ପାଶ୍‌ କରି ସାରିଥିଲେ, ବିଲାତ ବି ବୁଲି ଆସିଥିଲେ । ତାଙ୍କର ସିନା ଗୋଟିଏ ଛୋଟିଆ ରାଜ୍ୟ, ଦରିଦ୍ର ପ୍ରଜା, ବଣପାହାଡ଼ ବାଘଭାଲୁ ଦେଶ, ତେଣୁ ରାଜକୋଷ ପାଇଁ ଆୟ କମ୍‌, ତାଙ୍କର ପଶ୍ଚିମ ମୁହାଁ ଆଖିଦୋ’ଟି କିନ୍ତୁ ବଡ଼ବଡ଼, ନାନା ଆକାଙକ୍ଷାରେ ଦାଉଦାଉ, ସେ ଲୋଡ଼ିଲେ ଯେ ପ୍ରଜାଏ ଯାହା ମନ ତା’ କରନ୍ତୁ, ରାଜକୋଷର ବାର୍ଷିକ ଆୟ ଆଗଠୁଁ ଅନ୍ତତଃ ପାଞ୍ଚଗୁଣ ବଢ଼ୁ, ତା ହେଲେ ସେ ବଡ଼ବଡ଼ ସହରରେ ରହି ବଡ଼ବଡ଼ ରାଜାଙ୍କ ଗହଣରେ ଟେକ ଦେଖାଇ ବସାଉଠା କରିପାରିବେ, ନିଜ ରାଜ୍ୟ ବାହାରେ କେଉଁଠି ବଦାନ୍ୟତା ଦେଖାଇ ଆଉ କେଉଁଠି କେଉଁଥିରେ ପଇସା ଉଡ଼ାଇ ସେହି ଉଡ଼ାଇ ସେହି ଲୋକଗହଳି ବଡ଼ ବଡ଼ ସହରରେ ବାହାଦୂରି ପାଇ ପାରିବେ, ସେଠି ଖବରକାଗଜରେ ତାଙ୍କ ଫଟୋ ବାହାରୁଥିବ, ବଡ଼ବଡ଼ ସଭାରେ ବଡ଼ବଡ଼ ଲୋକ ତାଙ୍କ ପ୍ରଶସ୍ତି ଗାଉଥିବେ, କେତେ ଅନୁଷ୍ଠାନର ବଡ଼ ବଡ଼ କୋଠା କାନ୍ଥରେ ଖଙ୍ଖମଲମଲ ପଥର ଉପରେ ତାଙ୍କ ନାଁ ଖୋଳା ହୋଇ ଅଙ୍କା ହୋଇ ରହିବ, ଯେ ପଢ଼ିବାକୁ ମନ କରିବ ପାଖକୁ ଗଲେ ଅନେଇଁଲେ ପଢ଼ିବ । ରାଜାର ନାଁ ଡାକ୍‌ ହେବ, ତାଙ୍କ ରାଜ୍ୟପାଇଁ ସେ କଣ ବଡ଼ କଥା ନୁହେଁ ? ପ୍ରଜାଙ୍କ ପକ୍ଷରେ ସେ କଣ ଗୌରବ ନୁହେଁ ? ‘‘ନା କଣ କହୁଛନ୍ତି ଦାସବାବୁ । ଆପଣ ବି ତ ଜଣେ ଜାଣିବା ଲୋକ ।’’

 

‘‘ମହାରାଜାଙ୍କ ନିଷ୍ପତ୍ତି ଉପରେ ମୋ ମତ କାହାର ଲୋଡ଼ା ଆଜ୍ଞା ? ସ୍ୱୟଂ ଦେବାନ୍‌ ସାହେବ୍‌ ଅଛନ୍ତି ।’’

 

‘‘ଲୋକଙ୍କୁ ଆପଣମାନେ ତ ଯାଇ ବୁଝେଇବେ । ଦବାକୁ ମରିବାକୁ ତ କେହି ରାଜି ହୁଅନ୍ତି ନାହିଁ, କିନ୍ତୁ କାମଟା କରିବାକୁ ପଡ଼ିବ ତ ? ମୁଁ ଜାଣେ ଆପଣଙ୍କ କଥାରେ ଲୋକଙ୍କ ବିଶ୍ୱାସ ଅଛି, ଆପଣ ବୁଝେଇ ଦେଲେ ଲୋକେ ବୁଝିବେ ।’’

 

‘‘ଯଦି ମୋ ପରାମର୍ଶ ଲୋଡ଼ିଲେ ତେବେ ମୁଁ କହିବି, ମହାରାଜା,–ଆମେ ସବୁ ହେଲୁ ପୁରୁଣାକାଳିଆ ମଣିଷ, ଆମ ଦେଶରେ ଯେମିତି ପୂର୍ବାବଧି ଚଳି ଆସିଛି ସେମିତି କଥା ମୁଁ କହିବି, ଲୋକେ ବି ସେଇଆ ବୁଝନ୍ତି । ଅସଲ କୀର୍ତ୍ତି ହେଲା ଧର୍ମକୀର୍ତ୍ତି । ରାଜାଙ୍କ ପାଇଁ ଅସଲ ଧର୍ମ ହେଲା ପ୍ରଜାପାଳନ, ପ୍ରଜାଙ୍କ ହିତ ପ୍ରଜାଙ୍କ ସୁଖଶାନ୍ତି ପାଇଁ ରାଜା ସବୁ କରନ୍ତି, ଦରକାର ପଡ଼ିଲେ ନିଜକୁ ବି ଆହୂତି ଦେଇ ଦେଇ ସ୍ୱର୍ଗକୁ ଯାଆନ୍ତି । ପ୍ରଜା ଆଶା କରିଛନ୍ତି ନୂଆ ମହାରାଜ ଏଡ଼େ ଉଚ୍ଚଶିକ୍ଷିତ, ଏତେ ଗୁଣରେ ପରିପୂର୍ଣ୍ଣ, ସେ ପ୍ରଜାଙ୍କର ଦାରିଦ୍ର୍ୟ ଦୂର କରିବେ, ତାଙ୍କ ସୁଖ ସମୃଦ୍ଧି ବଢ଼େଇବେ, ରାଜ୍ୟ ବାହାରେ ଟଙ୍କା ଖର୍ଚ୍ଚ କଲେ ପ୍ରଜାଙ୍କର କିଛି ଉପକାର ହେବ ନାହିଁ କି ତାଙ୍କର ଅବସ୍ଥା ଯାହା, ଆଉ କର ଭାର ସେମାନେ ବୋହି ପାରିବେ ନାହିଁ ।’’

 

ନୂଆ ରଜା ହସିଦେଲେ, କହିଲେ, ‘‘ଆପଣମାନେ ବି ସେ ପୁରୁଣାକାଳିଆ ବାଗ ଛାଡ଼ନ୍ତୁ, ଟିକିଏ ବାହାର ଦୁନିଆଁକୁ ଚାହାନ୍ତୁ । ହୁଁ ! ଖାଲି ଧରାବନ୍ଧା ଅନ୍ଧବିଶ୍ୱାସ, ଏଇଆ ହୁଏ, ଏଇଆ ହବ ନାହିଁ । ସବୁଠି ସେଇଆ, ସୁସ୍ଥିଆ ଅଳସୁଆ ପ୍ରଜା, ନିଦୁଆ ନିଦୁଆ ମାନ୍ଦା ମାନ୍ଦା, ଦିନକ କାମକୁ ମାସକେ ସାରିବେ, ନିକମା, କରମକୋଢ଼ି ଦଳ, ଉପୁଜେଇବେ ନାଇଁ ଖାଇବେ ନାଇଁ କି ଦେବେ ନାଇଁ, ଆଉ ତାଙ୍କୁ ସମର୍ଥନ କରିବାକୁ ବୁଢ଼ା ବୁଢ଼ା ଲୋକେ !’’

 

ଦୋଳଗୋବିନ୍ଦ ଦାସ ମାସେ ନ ପୂରୁଣୁ କାମ ଛାଡ଼ିଦେଇ ଚାଲି ଆସିଲେ, ଆଉ ଗଲେ ନାହିଁ । କହିଲେ, ‘‘ରଜାକୁ ଧରମ ଛାଡ଼ିଲାଣି, ଆଉ ମୋର ସେଠି କି କାମ ? କଂସର ଅମାତ୍ୟ ବୋଲେଇବି !’’

 

ଆସିଲେ, ଗାଁରେ ବସିଲେ । କହିଲେ, ‘‘ସରକାରୀ ଚାକିରି କରିଥିଲେ ପଞ୍ଚାବନ ବର୍ଷରେ ପେନ୍‌ସନ୍‌ ନେଇଥାନ୍ତି । ଅଠାବନ ପୂରି ଅଣଷଠି ହେଲା । ରଜାଘର ଚାକିରି ବୋଲି ରହି ପାରିଥିଲି, ଅବଶ୍ୟ ପେନ୍‌ସନ୍‌ ସେଠି ମିଳେ ନାହିଁ । ଯାହାହଉ, ସବୁଦିନେ ମଣିଷ ପର ଚାକିରି କରୁଥିବ ? ନିଜ ଚାକିରି କରିବ କେବେ ?’’ ବର୍ଷ ପରେ ବର୍ଷ ବିତିଲା, ଗାଁରେ କିଛି ରୋଜଗାର ଧନ୍ଦା ଫାନ୍ଦି ପାରିଲେ ନାହିଁ, ଅଥବା ତେଣିକି ମନ ଡାକିଲା ନାହିଁ । ମିଛ, ଟାଉଟରି, ଫିସାଦ,–ଏ ସବୁ ତାଙ୍କ ମୁଣ୍ଡରେ ବି ପଶେ ନାହିଁ । ଲୋକେ ପରାମର୍ଶ ନେବା ବାହାନାରେ ଆସି କେତେ ପରାମର୍ଶ ଗାଇ ଦେଇ ଗଲେ, ସେ କହନ୍ତି, ‘‘ଏମିତି ବି କିଏ କରେ ନା କଣ ?’’ ଲୋକେ ବୁଝିପାରିଲେ,–ଏଠୁ କିଛି ଝଡ଼େଇ ହେବ ନାହିଁ, ୟେ କାହା କଥାରେ ପଡ଼ିବେ ନାହିଁ, କୌଣସି ପଟକୁ ଆଉଜିବେ ନାହିଁ, କାହା ନାଁ କହି ଟିହାଇ କହିଲେ ବି ୟେ କାନରେ ପୂରାନ୍ତି ନାହିଁ, ଆଉ ଲୋକେ ହିତେଇ କହିବାକୁ ଆସିଲେ ନାହିଁ ।

 

‘‘ନିକମା ୟେ,’’ କେତେ ଲୋକ କହିଲେ, ‘‘ୟାଙ୍କ ଦେଇ କିଛି ହେବନାହିଁ । ଧର୍ମବକ ହୋଇ ବସିଥିବେ । ଗଡ଼ଜାତରେ କଣ କରୁଥିଲେ କେଜାଣି !’’

 

‘‘ଆଉ ପାରିଲାପଣ କେତେଦିନ ରହନ୍ତା ? ବୁଢ଼ା ହେଲେଣି । ଏଣିକି ଛାଇତଳେ ବସି ମାଳା ଗଡ଼େଇବା କଥା,’’ ଏପରି ବି ଥୋକେ ଲୋକ କହିଲେ । କିନ୍ତୁ ଦିନୁ ଦିନ ତାଙ୍କ ନାଁ ବ୍ୟାପିଲା, ବହୁତ ବହୁତ ଲୋକ ତାଙ୍କୁ ମାନ୍ୟ କରୁଥିଲେ, ଶ୍ରଦ୍ଧା କରୁଥିଲେ, ଟିକିଏ କିଛି ହେଲେ ତାଙ୍କ ପରାମର୍ଶ ଲୋଡ଼ୁଥିଲେ । କେତେବେଳେ ଛାଇଲେଉଟା ବେଳେ ସେ ନିଜେ ବୁଲୁବୁଲୁ ସେ କେଉଁ ସାହିରେ ଯାଇ ବସିପଡ଼ୁଥିଲେ, ସୁଖଦୁଃଖ ହେଉଥିଲେ, କେତେବେଳେ କାହାକୁ ସାନ୍ତ୍ୱନା କାହାକୁ ସଦ୍‌ବୁଦ୍ଧି ସତ୍‌ ପରାମର୍ଶ ଦେଉଥିଲେ ।

 

ବୋଉ କହେ, ‘‘ବୃଥା ଲୋକଙ୍କ ସଙ୍ଗେ ଭାକୁଚିଆଳି । କଣ ଦରକାର ?’’

 

‘‘ଟିକିଏ ସୁଖ ଦୁଃଖ ହେବା, ସେତିକି ତ ମଣିଷ ମଣିଷକୁ ଦିଏ ନାହିଁ, ଆଉ ଦେବ କଣ-? ଆହା, କଥା ଦିପଦ ଶୁଣିବାକୁ ମଣିଷ କେଡ଼େ ରଙ୍କ ସରସର !’’

 

‘‘ଖାଲି ଅଲଣା କଥାରେ କାହା ପେଟ ପୂରେ ?’’

 

ତା ବାପା ହସନ୍ତି, କହନ୍ତି, ‘‘ସଂସାରରେ କଥା ହିଁ ତ ସାର, ସେହି ବାଣୀ, ସରସ୍ୱତୀ, ଭଗବତୀ । ସେହି ତୁଣ୍ଡ କଥା ହିଁ ନାମ, ସେହି ଓଁ କାର, ସେହି ନାଦ, ତହିଁରୁ ବିନ୍ଦୁ, ତହିଁରୁ ସବୁ ସୃଷ୍ଟି-।’’

 

ବୋଉ କହେ, ‘‘ହଃ, ବାହାରିଲା ବ୍ରହ୍ମଜ୍ଞାନ ।’’

 

ବାପା ହସି ଦିଅନ୍ତି, କହନ୍ତି ‘‘କଣ ଏଡ଼େ ସହଜରେ ବ୍ରହ୍ମଜ୍ଞାନ ପାଇଗଲ ? ଭଲ ।’’

 

ବିନୋଦ ତାଙ୍କୁ ମନେ ପକାଉଥାଏ ଆଉ ଭାବୁଥାଏ । ହସଖୁସି ହୋଇ ନିରୀହ ମଣିଷଟିଏ, କାହାରି ଅନିଷ୍ଟ କରି ନାହାନ୍ତି, କାହାପାଖେ ହାତ ପତେଇ ନାହାନ୍ତି । କିଛି ସଂପାଦି ଛାଡ଼ି ଯାଇ ନାହାନ୍ତି । ସେ ସେଡ଼େ କିଛି ଅସାଧାରଣ ବ୍ୟକ୍ତି ଥିଲେ ବୋଲି ବିବରଣୀ ଲେଖା ଯାଇ ପାରିବ ନାହିଁ । ଅବଶ୍ୟ, କାହା ବିଷୟରେ କୌଣସି ତଥ୍ୟ ଜଣା ନ ଥିଲେ ବେଳେ ବେଳେ କେଉଁ ଚିହ୍ନା ଦୈନିକ ସମ୍ୱାଦପତ୍ର ତାଙ୍କ ମୃତ୍ୟୁସମ୍ୱାଦ ଛାପିବାକୁ ମନେକଲେ ଛପାନ୍ତି ‘‘ସେ ଅତ୍ୟନ୍ତ ଧର୍ମପରାୟଣ ଥିଲେ ।’’

 

କିନ୍ତୁ ସେ ‘ଅତ୍ୟନ୍ତ ଧର୍ମପରାୟଣ’ ଥିଲେ ବୋଲି କେବେ ସେ ଭାବିନାହିଁ ଲୋକେ ଧର୍ମକର୍ମ ବୋଲି ଯାହାକୁ କହନ୍ତି, ପୂଜକ–ପୁରୋହିତ–ଗୁରୁ ବାବାମାନେ ବଖାଣୁଥିବା ଆନୁଷ୍ଠାନିକ ଧର୍ମବିଶ୍ୱାସ ଓ ପଦ୍ଧତି, ସେ କେବେ କେବେ ତାଙ୍କୁ ସମାଲୋଚନା କରି କଥା କହୁଥିଲେ ।

 

‘‘ଠୁଣଠୁଣ୍‌ ଡାଇଁଡାଇଁ ଦୁମ୍‌ଦୁମ୍‌ ବଜେଇବ ଯେ ଠାକୁର ଆସିବେ, ଠୋ ଠୋ ତାଳି ପିଟିବ ଯେ ଠାକୁର ଆସିବେ, ଘୋ ଘୋ ପାଟିକଲେ ଠାକୁର ଆସିବେ, କାଇଁକି ଆସିବେ ? ତାଙ୍କୁ ଏଗୁଡ଼ା ଭାରି ଭଲ ଲାଗେ ବୋଲି ନା କଣ ? ଯଦି ଭଲଲାଗେ, କି ଠାକୁର ସେ, ଯେ ଏ ଆଗୁଡୁମ୍‌ ବାଗୁଡୁମ୍‌ ତାଙ୍କୁ ଭଲ ଲାଗେ ? ତେବେ ସେଭଳି ଜଣକଠିଁ ତମର କି କାମ୍‌ ? ପରମେଶ୍ୱର କଣ ଧାଇଁ ଆସିବେ ତମର ଏ ଅଶୁଦ୍ଧ ଉଚ୍ଚାରଣ ଅଶୁଦ୍ଧ ଭାଷା ଏ କୁତ୍ସିତ ସ୍ୱର ୟେ ପାଗଳ ପ୍ରଳାପ ଶୁଣିବାକୁ ନା ତମର ଏ ଖଇ ଦୋ’ଟି ପାଟିରେ ପକେଇବାକୁ ? ବିଶ୍ୱାସ ! କି ବିଶ୍ୱାସ ଅଛି ତମଠିଁ ? ନା ଗୁଡ଼ାଏ ଆଇଁଷିଣିଆ ସ୍ୱାର୍ଥପର ପର ହିଂସ୍ରକ ଆଶା ? କଣନା ଦୁନିଆଁ ପଛେ ଗଡ଼ି ମରୁ ତୁମର କେବେ କେଉଁଥିରେ ଊଣା ହେବନାହିଁ ।

 

ପୂଜା ଉଝା ବିଷୟରେ ବୋଉର ତାଙ୍କ ସଙ୍ଗେ କେତେଥର କେତେ କଜିଆ ।

 

ଯେମିତି ସେଥର । ବୋଉ ପୂଜା କରିବାକୁ ଆଣି ଥୋଇଲା ଜଣେ ମୋଟା ପେଟା ଦାଢ଼ିଆଙ୍କ ଛବି । ସେ ତା ପାଖେ ଆଣି ଥୋଇଲେ ଗୋଟାଏ ଠେଙ୍ଗା ଆବୁଆବୁହା ଦେହ ଗୁଣ୍ଢା ଷଣ୍ଢା ପହିଲ୍‌ମାନର ଛବି, ପଛଆଡ଼ର ଛବି, ଖାଲି ଦେହରେ କୌପୁନୀ ମାରି ମାଂସପେଶୀ ସବୁ ଟାଙ୍କି ଟୋଲେଇ ପଛଆଡ଼ କରି ଠିଆ ହୋଇଛି ।

 

କହିଲେ ‘‘ୟାଙ୍କୁ ବି ଠାକୁର କି ବାବାବୋଲି ପୂଜା କରିପାର, ଚୀନ୍‌ର ମଙ୍ଗୋଲିୟା ୟାଙ୍କ ଘର, ମୁସଲମାନ ହୋଇଥିବେ, ଆଉ ଅସଲ ମଙ୍ଗୋଲ ଯେମିତି ଥିଲେ ଚେଙ୍ଗିସ୍‌ ଖାଁ, କି ତୈମୁର୍‌ କି ବାବର୍‌ । ପୃଥିବୀଯାକରେ ପ୍ରବଳ ପ୍ରତାପୀ ପହିଲ୍‌ମାନ ୟେ ମହାପୁରୁଷ, ଦେଖ କେଡ଼େ ଶକତ୍‌ ଗଣ୍ଡି । ଏ ଛବିକୁ ଦେଖୁଥିଲେ କେତେବେଳେ ନିଜ ମନ ଡାକିବ,–ମଣିଷ ଦେହ ଯଦି ଏଡ଼ିକି ବଳୁଆ ହୋଇପାରୁଚି, ମୋ ଦେହରେ ବି ମାଉଁସ ଲାଗୁ, ବଳପଶୁ । ସେଉଠୁ ହେଲେ ତୁମେ ତୁମ ନିଜ ଦେହର ଯତ୍ନ ନିଅନ୍ତ, ଖାଦ୍ୟ ଖାଆନ୍ତ ଓଷଦ ଖାଆନ୍ତ ବିଶ୍ରାମ ନିଅନ୍ତ, ତୁମ ଦେହ ବି ଭଲ ରହନ୍ତା । ପଛ ଆଡ଼ଟା ଦେଖୁଚ, ଯେମିତି ଦି ଦିଟା ଗୁଡ଼ିଆଘର କଡ଼େଇ ।’’

 

ବୋଉ ରାଗରେ ସେ ଛବିକୁ ଚିରି ଦେଲା । ପାଟିତୁଣ୍ଡ କଲା । କିନ୍ତୁ ସେ ଆଉ ଛଳେଇଲେ ନାହିଁ । ହସି ହସି ପଦାକୁ ଚାଲିଗଲେ ।

 

ବୋଉର ଧର୍ମ ବିଶ୍ୱାସରେ ସେ ବାଧା ଦିଅନ୍ତି ନାହିଁ । କହନ୍ତି, ‘‘ତମ ମନ ଯାହାକଲେ ଖୁସି ହେଉଚି ତା’ ତୁମେ କର, ମୁଁ କାହିଁକି ନାହିଁ କରିବି ? ମୁଁ ଖାଲି ଚାହୁଁଥିଲି, ତୁମେ ନିଜେ ଟିକିଏ ବିଚାର ଖେଳାନ୍ତ, ଶାସ୍ତ୍ର ତ ସେଇଆ କହିଚନ୍ତି । ଭାରି ଖୋଲା ବିଚାର ଥିଲା ଶାସ୍ତ୍ର ଯୁଗରେ, ଯେତେବେଳେ ଋଗ୍‌ବେଦ, ଯେତେବେଳେ ଉପନିଷଦ, ଯେତେବେଳେ ବେଦ ଓ ଉପନିଷଦର ସବୁ ସାର ଏକାଠି କରି ହେଲା ଭଗବଦ୍‌ ଗୀତା । ଅଜ୍ଞାନଟା ଅବିଦ୍ୟା, କୁସଂସ୍କାର, ଅନ୍ଧବିଶ୍ୱାସ, ଏଗୁଡ଼ାକ ଅବିଦ୍ୟା । ଶାସ୍ତ୍ର କହିଛନ୍ତି, ଯେଉଁ ଲୋକେ ଅବିଦ୍ୟାକୁ ଉପାସନା କରନ୍ତି ସେମାନେ ସବୁ କିଲିବିଲି ଅନ୍ଧାର ତମୋଗୁଣ ଭିତରେ ଭାଁ ବୁଲୁଥାନ୍ତି । ଶାସ୍ତ୍ରରେ ସେ ଉପଦେଶ ଲୋକେ ଭୁଲିଗଲେ । ରଜା, ପୂଜକ, ଧନୀ, ସ୍ୱାର୍ଥନ୍ୱେଷୀ କ୍ଷମତାଶାଳୀ ଲୋକେ ସବୁ ମେଣ୍ଟ ବାନ୍ଧିଲେ, ଆପଣା ସ୍ୱାର୍ଥସିଦ୍ଧି ପାଇଁ ଶାସ୍ତ୍ରକୁ ଛାଡ଼ିଦେଇ ମନରୁ ଫାନ୍ଦି ଧର୍ମ ବୋଲି ନାନା ଅନ୍ଧବିଶ୍ୱାସ ଗଢ଼ିଲେ, ନ ମାନିଲେ ୟା ହବ ତା ହବ ବୋଲି ନାନା କୋକୁଆଭୟ ତିଆରି କଲେ, ଲୋକେ ତାଙ୍କରି ଜାଲରେ ପଡ଼ିଲେ । ସେଇଥିପାଇଁ କହେଁ,‘‘–ସତ୍ୟକୁ ବୁଝ, ଅନ୍ଧାରରେ ପଶ ନାହିଁ ।’’

Unknown

 

ବୋଉ କହେ, ‘‘କହ ଯାହା ମନ ହଉଚି । ମୋର ଯାଉଚି ଶୁଣିବାକୁ ।’’

 

ବିନୋଦ ମନେ ପକାଇଲା, ସେ ଚାକିରି ପାଇଲାବେଳେ ସେ ଯାହା କହିଥିଲେ । କହିଲେ, ‘‘ଭାରି ଖୁସି ହେଲି, ଏଇଥିପାଇଁ ଯେ ଏଥର ତୁ ନାନା ଦୁଃଖୀରଙ୍କୀଙ୍କ ସେବା କରିବାକୁ ଆହୁରି କ୍ଷେତ୍ର ପାଇବୁ, ଲୋକଙ୍କ ଉପକାର କରିବୁ । କିନ୍ତୁ ସେଥିପାଇଁ ତାଙ୍କଠୁଁ କି ଆଉ କାହାଠୁଁ କିଛି ପାଇବୁ ବୋଲି ଆଶା ରଖିବୁ ନାହିଁ, ରଖିଲେ, ତୋ କାମର ମର୍ଯ୍ୟାଦା ରହିବ ନାହିଁ, ନିଜର ବି ଅଧଃପତନ ହେବ । ତୋ ହାତକୁ କିଛି କ୍ଷମତା ଆସିବ, କିନ୍ତୁ ମନେ ରଖିଥିବୁ, ସେଇଟା ତୋ ପାଇଁ ନୁହେଁ, ସେଇଟା ସେ କାମର ସୁବିଧା କରିବା ପାଇଁ । କେବେ ଭାବିବୁ ନାହିଁ ଯେ ଚାକିରିଟା ତୋ ଜୀବନର ସବୁ, ମନେ ରଖିଥିବୁ ଚାକିରି ତାଳଗଛ ଛାଇ, ଆଜି ଅଛି, କାଲିକି ନ ଥିବ । ଚାକିରିରେ ରହିବାକୁ ଯଦି କେବେ ତୋ ବିବେକ ନାପସନ୍ଦ କରିବ, ଲାଗିବ ଯେ ତୋ ମଣିଷପଣିଆକୁ ଜଳାଞ୍ଜଳି ନ ଦେଲେ ସେ ଚାକିରି କରିହେବ ନାହିଁ, ତାକୁ ଦବୁ ଛାଡ଼ି, ଡରିବୁ ନାହିଁ । ଯାହାର ଆସକ୍ତି ବଢ଼େ ତାର ସାହସ କମେ, ଲୋକେ ଆଖିବୁଜି ପରଠୁଁ ଗୋଇଠା ଖାଆନ୍ତି ପୁଣି ତା ଗୋଡ଼ ଘଷୁଥାନ୍ତି । ମଣିଷ ହୋଇ ରଇଥା, ସେଇଆ ମୁଁ ଚାହେ, ତୋଠୁଁ ଅନ୍ୟ କିଛି ଲୋଡ଼େ ନାହିଁ ।’’

 

ଆଉ କେତେବେଳେ ସେ କହୁଥିଲେ,–‘‘ମଣିଷ କେଡ଼େ ଅନ୍ଧ ସତେ ! ଏ ପାଖେ ଭାଗ୍ୟ ଭାଗ୍ୟ କହେ, ପଣ୍ଡିତ ପରି କହେ ଭାଗ୍ୟରେ ଯେତେବେଳେ ଯାହା ଥାଏ ସେଇଆ ହୁଏ, ସେତିକି ମିଳେ, ସେତିକି ଦିନ ରହେ । ଆର ପାଖେ କଣ କରେ ? ସୁଖ ପାଇଲା ବେଳେ ଭାବେ ‘‘ୟେ ସବୁଦିନେ ଥିବ,’’ ବଡ଼ତି ହେଲେ ଭାବେ, ‘‘ୟେ ମୋରି ପାରିଲା ପଣ ।’’ ଦୁଃଖ ପାଇଲେ ବୋବାଏ, ଗାଇବୁଲେ,–‘‘ମୁଁ ମଲି ।’’ ଏ ପାଖେ ତୁଣ୍ଡରେ କହେ ‘‘ସଂସାରରେ କିଛି ଚିରକାଳକୁ ରହେ ନାହିଁ, କେତେବେଳେ ଭୁଷ୍‌କରି ସବୁ ଓଲଟି ପଡ଼ିବ ଜଣାନାହିଁ, ଏମିତି କାଳକାଳକେ ହୋଇ ଆସିଛି । ସେ ପାଖେ ଟିକିଏ କିଛି କ୍ଷତି ପଡ଼ିଲେ ତା’ଠିଁ ହା’ ପଶିଯାଏ, ଦଶଦିଗ ଅନ୍ଧାର !’’

 

ସେ ବଡ଼ଲୋକ ପରି ଚଳୁଥିଲେ, ବିନୋଦର ମନେପଡ଼େ, ସେତେବେଳେ ଘରେ ତିନି ଚାରି ଚାକର, ପଦାରେ ପଲପଲ ଗୁହାରିଆ, ଗୋଡ଼ାଣିଆ । ଆଉ ମନେପଡ଼େ ସେ ଚାକିରି ଛାଡ଼ିଦେଇ ଆସିଲେ, ଘରେ ଗରିବ ହୋଇ ରହିଲେ । ଚାକିରିରେ ଥିଲାବେଳେ ଚାରି ଝିଅଙ୍କୁ ବିଭା ଦେଇଥିଲେ । ଘରେ ବସିଲା ବେଳେ ବି ବିକିଭାଙ୍ଗି ହୋଇ ଆଉ ଗୋଟିଏ ଝିଅକୁ ବିଭାଦେଲେ । ପୁଅର ପଢ଼ା ଖର୍ଚ୍ଚ ବି ତୁଲାଇବାକୁ ପଡ଼ୁଥିଲା । କିନ୍ତୁ କେବେ ଦେଖିନାହିଁ ଅଭାବ ଅସୁବିଧା ଲାଗି ସେ ବିଚଳିତ ହେବା ଭଳି ‘‘ତୁ ଚିନ୍ତା କରନା, ଯେମିତି ହେଉ ଆମର ଚଳୁଛି ଚଳୁଥିବ,’’ ସେ କହନ୍ତି-

 

ଖାଲି ଦେହ, ପିନ୍ଧିଥିବେ ଖଣ୍ଡେ ଚିରାପଟା,–ଯେତେ ଚିରା ବୋଉ ତାକୁ ସବୁ ବିଛାମାଳିଆ କରି ସିଲେଇ କରି ଦେଇଥାଏ, କଦଳୀ ଖାରରେ ସିଝେଇ ସଫାକରେ,–ପାଚିଲା ପୁରୁଣା ଗାମୁଛା ଖଣ୍ଡିକ ବାଁ କାନ୍ଧରେ ପଡ଼ିଥିବ,–ଝାଳ ପୋଛିବାକୁ ପାଣି ପୋଛିବାକୁ ସେହି ରୁମାଲ, ଖରା କାଟିଲେ ମୁଣ୍ଡରେ ପକେଇବାକୁ ସେହି ଆଚ୍ଛାଦନ, ପଦାରୁ କିଛି ଜିନିଷ ବାନ୍ଧିଆଣିବାକୁ ସେହି ମୁଣି ବୁଜୁଳି କାମ କରେ,–ପଟାପରି ପେଟ, ହସିଲାପରି ଓଠର ଗାଲର ଭାଙ୍ଗ, କପାଳ ଚିକ୍‌ଚିକ୍‌,–ସବୁଦିନେ ଦମ୍ଭିଲା, ନିଶ୍ଚିନ୍ତ ।

 

ଦିଶିଯାଉଛି,–ସେ ବସିଛନ୍ତି, ଗାଁ ନଈ ବନ୍ଧ ଉପରେ, ଝଙ୍କା ଓଉଗଛ ଛାଇତଳେ, ଢାଲୁରେ ବସିଛନ୍ତି ଆଠ ଦଶଜଣ ଗାଁ ଲୋକ । ସେଇଟା ତାଙ୍କର ଗୋଟିଏ ବସିବା ଜାଗା, ପିଠିଆଡ଼େ ଗାଁର ଘର କେତୋଟି, ଗୋଟିଏ ତାଙ୍କ ନିଜର, କଦଳୀ ନଡ଼ିଆଠୁଁ ଦେବଦାରୁଯାକେ ନାନା ପତ୍ତନରେ ଗଛମାନଙ୍କ ଅଗ, ସାମ୍ନାରେ ନଈ କଣ୍ଡିଆ, ସେଠି ଛଡ଼ାଛଡ଼ାରେ ଦି ମେଞ୍ଚା ତୋଟା, ଆଗରେ କେତେ କାଳର ପ୍ରକାଣ୍ଡ ଓସ୍ତଗଛ, କଣ୍ଡିଆ ଛିଣ୍ଡିଛି, ଦିପୁରୁଷ ଗହୀର ଖାଲ ହୋଇ ଅଧ ମାଇଲିଏ ଯାଏ ନଈବାଲି, ସେଉଠୁ ନଈଧାର, ଏ ବନ୍ଧରୁ ସେ ବାଲିକି ପାଣି ଦିଶେନାହିଁ, ଶୂନ୍ୟେ ଶୂନ୍ୟେ ଦୃଷ୍ଟି ଚାଲିଯାଏ ଦୂରରେ ଆରପାଖ ଅତଡ଼ା ଉପରର ଅନ୍ଧାରି ତୋଟାମାଳ ଧାରକୁ । ସେହି ଆଡ଼କୁ ନିରାଧାର ଶୂନ୍ୟ ବିସ୍ତୃତି ଆଡ଼କୁ ସେ ଅନାଇଁ ବସିଥାନ୍ତି, ମଝିରେ ମଝିରେ କଥା କହୁଥାନ୍ତି–

 

ସତକୁ ଛାଡ଼ ନାହିଁ, ସତରେ ଚଳ, ତାହେଲେ ଜାଣି ସବୁ ପାଇଗଲ, ମଣିଷ ଜନ୍ମ ସାର୍ଥକ କଲ, ଆଉ ବଳକା କଣ ଅଛି ? ଈଶ୍ୱର ତ ସବୁଠିଁ ସମସ୍ତିଙ୍କ ଭିତରେ, ସେହି ଏକ ବ୍ରହ୍ମ । ଦ୍ୱିତୀୟ ନାସ୍ତି । ତୁମ ଭିତରେ, ତୁମ ବାହାରେ । ସତ୍ୟ ଯେ ଈଶ୍ୱର ସେ, ତାଙ୍କ ଛଡ଼ା ଅନ୍ୟ ସତ୍ୟ ନାହିଁ । ମଣିଷ ନିଜକୁ ଯେତେବେଳେ ଚିହ୍ନି ପାରିବ, ଜାଣିବ ସେ ନିଜେ ସତ୍ୟ, ସେ ନିଜେ ଈଶ୍ୱର, ତୁମେ ଆମେ ସେଭଳି ହେବାକୁ ବହୁତ ଅଭ୍ୟାସ ବହୁତ ବେଳ ଲାଗିବ, ସମସ୍ତେ ହୋଇପାରନ୍ତି ନାହିଁ । ତେବେ ସେହି ସତ୍ୟ ଆଡ଼କୁ ଧ୍ୟାନ ରଖି ସେଇବାଗରେ କାମ କରୁଥିଲେ ପ୍ରତି ନିଶ୍ୱାସ ପ୍ରଶ୍ୱାସ ସଙ୍ଗେ ସଙ୍ଗେ ଭଗବାନଙ୍କ ପୂଜା ଚାଲିଥିବ, ଅନ୍ୟପୂଜା ଦରକାର ନାହିଁ ।

 

ସେହି ସତଟି କଣ ? ଯାହା କହିବା ସତ କହିବା, ଖାଲି ଏତିକି ? ଲୋଭ କରିବା, ଚୋରି କରିବା, ପରକୁ କଷ୍ଟ ଦେବା, ପର ମନ୍ଦ ପାଞ୍ଚିବା, ଯେ ପଚାରିଲେ ସତ କହିବା, ଏଇଆ କଲେ କହିବେ ସତରେ ଚଳୁଛି ?

 

ନା ।

 

ସତ ତ କହିବ ହିଁ, ମିଛ ନୁହେଁ । ପରକୁ ସତ କହିବ ସେତିକି ନୁହେଁ, ନିଜଠିଁ ବି ସତ ରଖିବ, ଯାହା ମନରେ ଭାବିବ, ତା ତୁଣ୍ଡରେ କହିବ, ତା କାମରେ କରିବ ।

 

ଖାଲି ଏତିକି ନୁହେଁ । ସତରେ ଚଳିବା ମାନେ, କେତେଗୁଡ଼ିଏ ଗୁଣକୁ ଅର୍ଜିବା, ଆଉ କେତେଗୁଡ଼ାଏ ଗୁଣକୁ ଖୋଇକୁ ଛାଡ଼ିବା । ଆଗେ ଦେଖ ଏ ଦେହକୁ ସମସ୍ତେ ଆମେ ଭାବୁଥାଇଁ କହୁଥାଇଁ ‘ମୁଁ’ ବୋଲି, ସେଉଠୁ, ମୋର ତୋର ତାର ବୋଲି ଧାରଣା । ଯେତେବେଳଯାଏ ଦେହଟା ମୁଁ, କି ଅନ୍ୟମାନଙ୍କଠୁଁ ଭିନେ ଅଲଗା ମୁଁ ବୋଲି ଧାରଣାଟା ଥିବ, ଯେତେବେଳଯାକେ ସତରେ ଚଳିବା ହୋଇନାହିଁ, କାହିଁକି ନାଁ ସେ ଧାରଣାଟାଇ ଭୁଲ । ମିଛ । ସବୁଠିଁ ଏକ ‘ମୁଁ’ ସେ ଭଗବାନ । ନାନା ଦେହ ଖାଲି ନାନା ଘଟ, ସବୁ ଘଟ ଚୂନା ହେବ, ମୁଁ ତ ସେ, ଭଗବାନ ମୋର କି ମୃତ୍ୟୁ, କି ଦୁଃଖ କି ଶଙ୍କା ? ଦେହଟା ଚୂନା ହେବାଟା କେହି ଅଟକେଇ ପାରିବ ନାହିଁ, ପ୍ରାଣୀ ମରେ, ଜିନିଷ ଭାଙ୍ଗେ, ହଜେ, ଯେତେ ଯାହା ଦେଖୁଚୁଁ ସବୁ ଦିନେ ଧ୍ୱଂସ ହୋଇଥିବ, ଯୋଉଟା ଯେତେବେଳେ । ପ୍ରକୃତିର ନିୟମ ସେଇଆ । କୋଉଟା ଭାଙ୍ଗିଲା ହଜିଲା ଗଲା କି ମଲା ବୋଲି ଶୋକ କଣ ଚିନ୍ତା କଣ ? ଦିନେ ତ ଯାଇଥାନ୍ତା ।

 

‘ମୁଁ’ ବୋଲି ତ କିଛି ନାହିଁ, ସବୁ ଭଗବାନ, ତାହେଲେ କୋଉଥିକି କାମନା କରିବାକୁ ମୁଁ କିଏ ? ଅଥଚ ନାନା କାମନା ସବୁବେଳେ ଆମଠି ଭର୍ତ୍ତିହୋଇ ରହିଛି, ସେଥିପାଇଁ ମୁଣ୍ଡରେ ପୋକ କାମୁଡ଼ୁଛି । କାମନା ଅଛି ବୋଲି ସେଇଟାରେ ଟିକିଏ ଅଡ଼ୁଆ ଲାଗିଲେ କ୍ରୋଧ ଚାଲି ଆସୁଛି, ସେଉଠୁ ବୁଦ୍ଧି ବଣା ହେଉଛି । ମୁଁ ଏ ଦେହ ବୋଲି ଅହଂକାର, କାମ, କ୍ରୋଧ ତିନିହେଁ ମିଶି ଭ୍ରାନ୍ତି । ସେ ଭ୍ରାନ୍ତି ଥିବାଯାକେ ସତ ବାଟରେ ତେମେ ଚାଲିନା, ଖାଲି କହିଦେଲେ ହେବ ? ଏଇଟା ପ୍ରକୃତରେ କଣ, କାହିଁକି, ଏମିତି ନିଜ ଇଚ୍ଛା, ନିଜ କାମନା, ନିଜ କ୍ରୋଧ, ଭୟ, ଶୋକ ବିଷୟରେ ନିଜ ମନକୁ ମନ ଭାବି ତା ମୂଳକୁ ଖୋଜିଲେ ସିନା ସେ ଭ୍ରାନ୍ତି କଟିବ, ନଇଲେ କେମିତି ଆଉ ?

 

ଯାହା ଭାବୁଚ, ଯାହା କହୁଚ, ଭୋଗ କରୁଚ, କାମ କରୁଚ, ‘‘ଏଥିରେ ପରମେଶ୍ୱର ଖୁସି ହେବେ’’ ବୋଲି ଚେତି ରହି କରିବ,–ସତରେ ଚଳିବା ବାଗ ସେହିପରି ।

 

ନିଜଠିଁ ମଳି ସଫା ନ ହେବାଯାଏ ସତ ବାଟକୁ ଧରିବା ଅସମ୍ଭବ, ଖାଲି ମିଛ ମାୟାରେ ଭ୍ରାନ୍ତିରେ ଅନ୍ଧାରରେ ଭ୍ରମୁଥିବ, ଦୁଃଖ ଭୋଗୁଥିବ, ଶାନ୍ତି ନାହିଁ ।

 

ଲକ୍ଷ ଲକ୍ଷ ଲୋକେ ସେମିତି ଭ୍ରମୁଛନ୍ତି ବୋଲି କଣ ଅନ୍ଧାରଟାକୁ ଆଲୁଅ କହିବା ? ନାଇଁ ।

 

ମନ୍ଦ କଣ ତାକୁ ମନେ ରଖିବା ଦରକାର । ‘‘ୟେ କିଛି ନୁହେଁ’’, ‘‘ଏମିତି ହୋଇଥାଏ’’ ବୋଲି ଚଳେଇନେଲେ ଚଳିବ ନାହିଁ । ଗୋଟାଏ ଦୋଷଥିଲେ ସବୁ ସତ ଭଣ୍ଡୁର୍‌ । ଅମୃତ ହାଣ୍ଡିଏ, ବିଷ କଣିକାଏ । ‘କ୍ରୋଧ’ ତ ବୁଝୁଛ, ମାର୍‌–ପିଟ୍‌ କାଳି–ଗୁଲଜ୍‌ଠୁଁ ଯେ କିଛି ନ କହି ରାଗରେ ଗରଗର ହେବା, କି ରାଗରେ ରୁଷିବା, ସବୁ କ୍ରୋଧ । ‘କାମ’ ତ ବୁଝୁଛ, କାମନା ମାତ୍ରେ, ତେବେ ସାଧାରଣ ଅର୍ଥରେ ସେଇଟା ମାଇପିଜାତିଙ୍କ ପ୍ରତି । କାର୍ଯ୍ୟରେ କିଛି ନ କଲେ, ନ ଅନେଇଁଲେ କି କଥା ନ କହିଲେ କଣ ‘କାମ’ ନାହିଁ ବୋଲି କହିହେବ ? ମନ ଭିତରେ ଆସକ୍ତି ଆସିଗଲେ ହିଁ ‘କାମ’ ଆସିଗଲା । ମୈଥୁନ ଆଠ ପ୍ରକାର । କୋଉ ସ୍ତ୍ରୀଲୋକ ସଙ୍ଗେ ସହବାସ କରିବା ତ ମୈଥୁନ, କିନ୍ତୁ ସେତିକି ନୁହେଁ । ମାଇକିନିଆଙ୍କୁ ମନେପକାଇବା, ତାଙ୍କ ବିଷୟରେ କଥାଭାଷା ହେବା, ତାଙ୍କୁ ଛୁଇଁବା, ଅନେଇବା, ଏକୁଟିଆ ହୋଇ ତାଙ୍କ ସଙ୍ଗରେ କଥାଭାଷା ହେବା, ତାଙ୍କ ସଙ୍ଗେ ସମ୍ପର୍କ ରଖିବାକୁ ମନରେ ଇଚ୍ଛା ରଖିବା, ସେଥିପାଇଁ ଚେଷ୍ଟାକରିବା, ୟେ ସାତପ୍ରକାରଯାକ ବି ମୈଥୁନ । ତାକୁ ହୁସିଆର ।

 

‘ଲୋଭ’ ବି ଦୋଷ । କଣ କରିବା ଉଚିତ କଣ ଅନୁଚିତ ଏଇଟା ବିବେକ ପ୍ରକାରେ ଯେତେବେଳେ ତେମେ ଭାବି ନ ପାରିଲ, ତମର ମନର ସେଇ ଅବସ୍ଥାଟା ହେଲା ‘ମୋହ’ ଆଉ ଗୋଟାଏ ଦୋଷ ସେ, ଯାହା କହନ୍ତି–ସେତେବେଳେ କାଣ୍ଡଜ୍ଞାନ ରହେ ନାହିଁ । ଆଉ ଗୋଟାଏ ଦୋଷ ହେଲା ‘ଅକୃପା’, ଦୟା ନ ଥିବ । ନିଜକୁ ବଡ଼ ବୋଲି ମଣିବା, ମନ ଭିତରେ ସେ ଗର୍ବ, ଗଉଁ, ସେ ଦୋଷ ନା ‘ମାନ’ । କୌଣସି ପ୍ରିୟ ଜିନିଷ ଚାଲିଗଲା କି ନଷ୍ଟ ହେଲା, କି କେହି ଚାଲିଗଲା କି ମରିଗଲା, ସେଥିପାଇଁ କନ୍ଦାବୋବା କରିବା, ଚିନ୍ତା କରିବା, ମନ ଭିତରେ ଭିତରେ ଦୁଃଖ କରିବା, ସେ ଦୋଷ, ତା ନାଁ ‘ଶୋକ’ । ଦେଖିବା, ଶୁଣିବା, ଚାଖିବା, ଛୁଇଁବା, କି ଯୋଉ ବିଷୟରେ ହେଉ, କିଛି ଗୋଟାଏ ଭାଗ କରିବାକୁ ମନ କରିବା, ତା ବି ଦୋଷ, ତା ନାଁ ‘ସ୍ପୃହା’ । ପରର ସମ୍ପତ୍ତି ଦେଖିଲେ ସହି ନ ପାରିବା, ସେ ଦୋଷ ନାଁ ‘ଈର୍ଷା’ । ପରର ଭଲଗୁଣ ଥିଲେ ତାକୁ ସହି ନ ପାରିବା ନଇଲେ ତା ଦୋଷ ଖୋଜିବା, ସେ ଦୋଷଟା ‘ଅସୂୟା’ । ପରର ଭଲ ଗୁଣ ଦେଖିଲେ ତାକୁ ଘୃଣା କରିବା, ନଇଲେ ଅନ୍ୟମାନଙ୍କଠୁଁ ଲୁଚେଇ ଦେବା, ସେ ଦୋଷଟା ‘ଜୁଗୁପ୍‌ସା’-। ମନଟା ସବୁବେଳେ ଭୋଗ ପଛରେ ଧାଉଁଥିବ, ଆଉ କୋଉଠି ମନ ନ ଥିବ, ସେ ଏକ ମହାଦୋଷ, ସେ ମଣିଷଙ୍କୁ ‘ନୃଶଂସ’ କହନ୍ତି । ଅନ୍ୟ ମଣିଷ କି ପ୍ରାଣୀର ଅନିଷ୍ଟ କରି ଯେ ବଢ଼ୁଥାଏ, ସେ ବି ସେଇଆ । କାହାକୁ କିଛି ଦାନକରି ଯେ ପଛେ ସେଥିପାଇଁ ମନସ୍ତାପ କରେ, ସେ ବି ‘ନୃଶଂସ’ । ଯେ କାମ୍ପୀ ହୁଏ ସେ ବି ‘ନୃଶଂସ’ । ଯାହାଠିଁ ଜ୍ଞାନର ବଳ ନାହିଁ ସେ ବି ‘ନୃଶଂସ’ । ଆଖି, ନାକ, କାନ, ଜିଭ, ଚମ ଏଇ ସବୁ ଦ୍ୱାରା ଯେତେପ୍ରକାର ଭୋଗ କରିହୁଏ, ତାକୁ ଯେ ପ୍ରଶଂସା କରେ, ସେ ବି ‘ନୃଶଂସ’ । ଭାରିଯା ଉପରେ ଯେ ରାଗେ, ତା ଅନିଷ୍ଟ କରେ, ସେ ବି ନୃଶଂସ ।

 

ଆହୁରି କେତେ ଦୋଷ ଅଛି ଶୁଣ–

 

ମିଛ କହିବା, ଅନ୍ୟର ଦୋଷ ଗାଇବା, ଯାହା ମିଳିଲା ତହିଁରେ ସନ୍ତୁଷ୍ଟ ନ ହେବା । ସମସ୍ତିଙ୍କ ପ୍ରତି ଶତ୍ରୁତା କରିବା, ଲୋକଙ୍କ ମନରେ ଅଶାନ୍ତି, ଡର, ଆଶଙ୍କା ଉପୁଜେଇବା । ଲୋକଙ୍କ ସଙ୍ଗେ କଳି କରିବା । ନିଜ ଦେହକୁ ପୋଷିବାକୁ ଅନ୍ୟ ପ୍ରାଣୀଙ୍କି ହିଂସା କରିବା । କାହା ମୁହଁ ଉପରେ ତା ଦୋଷ କହିବା । ଗୁଡ଼ାଏ ବାଜେ କଥା ଗପିବା । ବୃଥା ମନ ଦୁଃଖ କରିବା । କେହି ବିରୋଧ କଲେ କି ଅନିଷ୍ଟ କଲେ ତାକୁ ସହି ନ ପାରିବା । ପାପ କାମ କରିବା, ହିଂସା କରିବା ।

 

ମଣିଷ ନିକୁଟି ନିକୁଟି ନିଜଠିଁ ଏଥିରୁ ଯାହା ଯାହା ଦୋଷ ଅଛି, ସବୁ ବାଛି ଅଭ୍ୟାସ କରି କରି ଶୁଧାରି ପକେଇବ, ତେବେ କହିହେବ ଯେ ସେ ସତ୍ୟରେ ଚଳୁଛି । ସତ୍ୟକୁ ଧରିବ । ଡର, ଭୟ, ଶୋକ, ଦୁଃଖ, ଛାଡ଼ିବ, ପରୋପକାର କରି କରି ଚଳିବ, ସବୁ କାମରେ ସବୁ ଚିନ୍ତାରେ ଈଶ୍ୱରଙ୍କୁ ସ୍ମରଣ କରି କରି ଦିନ ବିତେଇବ, ନିଜ ପିଲା କୁଟୁମ୍ୱଙ୍କ ଭାର ତାଙ୍କ ଉପରେ ଛାଡ଼ି ଦେବ, ସଞ୍ଚିବ ନାହିଁ କିଛି, ତା ହେଲେ ତ ହୋଇଗଲା, ତା ନାଁ ଯେ ମଣିଷ, ତାର ସବୁବେଳେ ଶାନ୍ତି ସବୁବେଳେ ଆନନ୍ଦ ।

 

ପୁରୁଷ ପୁରୁଷ ହୋଇ ହଜାର ହଜାର ବର୍ଷ ଏ ସଂସାରରେ ନାନା ଦେଶରେ ନାନା ଅବସ୍ଥାରେ ରହି କେତେ ଦେଖି କେତେ ଭାବି, କେତେ ଠିକି କେତେ ଶିଖି ମଣିଷ ୟେ ସୂତ୍ର ପାଇଥିଲେ, ଅନ୍ୟମାନେ ଜାଣନ୍ତୁ ବୋଲି ଶାସ୍ତ୍ରରେ ଲେଖି ଦେଇ ଯାଇଛନ୍ତି, ଆମେ ତାକୁ କଲେ ସିନା । ସବୁଦିନେ ସକାଳୁ ଉଠି ମନେ ପକାଇବା,–ଏଇଆ ଏଇଆ କରିବି । ପୁଣି ରାତିରେ ଶୋଇବା ଆଗରୁ ଦିନଯାକର କାମ ଭାବି ଭାବି ମନେ ପକାଇବା ଦରକାର ଆଉ ଉପରୋଧ ନ ରଖି ନିଜ ଦୋଷ ନିଜେ ବାଛିବା ଦରକାର, ଯେ ଆଜି ଏଇଆ ଏଇଆ ଭୁଲ୍‌ କଲି, କାଲିକି ଯେମିତି ନ କରେଁ । ଏମିତି କରୁ କରୁ ଅଭ୍ୟାସ ହୁଅନ୍ତା । ହେଲେ ଆଉ ଦୁଃଖ ରହିବ ନାହିଁ, ସବୁବେଳେ ଭଲ ।

 

କିନ୍ତୁ କରୁଛ କିଏ ? ତେଣୁ ସମସ୍ତେ ଛଟପଟ ହେଉଛ । ପାଠପଢ଼ା ହେଉଛି ଯେ ସେଠି ଏକଥା ପଢ଼ାନ୍ତି ନା ତାଲିମ୍‌ ଦିଅନ୍ତି ? ନା, ବାବାଜି ବଇଷମ ମୁରବି ଏ ତାଲିମ୍‌ ଦିଅନ୍ତି ? ମଣିଷ ତିଆରି କରନ୍ତି ? କୋଉଠି ? ମଣିଷ ତିଆରି ଆଡ଼କୁ କାହାରି ନିଘା ନାହିଁ । ଆଉ ସମାଜ କଣ ଶାସନ କଣ ଉନ୍ନତି କଣ ? ଗୋଡ଼ ତ ଟଳମଳ, ବୋଝ କିଏ ବୋହିବ ?

 

ଅଇଛା ଲୋକ ଚାଲିଛନ୍ତି ଓଲ୍‌ଟା ଆଡ଼େ, ଦୋଷତକ ହିଁ ଚାଷ ଅମଳ କରିବାରେ ଲାଗିପଡ଼ିଛନ୍ତି, ଗୁଣକୁ ଓପାଡ଼ି ଓପାଡ଼ି ଫୋପାଡ଼ୁଛନ୍ତି, ବାୟା ହେଲାପରି । ସୁଖ ଶାନ୍ତି କାହୁଁ ମିଳିବ ? ମନରେ ବାର ଅଶାନ୍ତି ବାର ଦୁଃଖ ବାର ପ୍ରକାର ଦକଦକ । ମଣିଷ ନିଜ ହାତରେ ନିଜପାଇଁ ବିଷାବଳୀ ସଜାଡ଼ି ରଖୁଛି । ଘରେ ଘରେ କଳି, ମନ ଫଟାଫଟି ରୁଷାରୁଷି, ଚଜାଚଜି, ସେମିତି ଗାଏଁ, ଗାଏଁ ସବୁଠି । ଆଗେ ହେଲେ ଗୋଟିଏ ଦୋଓଟି ଭଲଗୁଣ ସମସ୍ତିଙ୍କଠିଁ ଥିଲା, ସ୍ୱଭାବ ଶାନ୍ତ ଥିଲା, ଏବେ ସମସ୍ତେ ଉଗ୍ରଚଣ୍ଡା, ଉଦ୍ଧତ, କାହା କଥା କାହା ଦେହରେ ଯାଉ ନାହିଁ । ଆଗେ ଲୋକେ ଅଳ୍ପକେ ଚଳୁଥିଲା, ୟା କିଣିବା ତା କିଣିବା ବୋଲି ହକର ହକର ହେଉ ନ ଥିଲେ, ଯେ ଯେତିକି ପାଉଥିଲା ତହିଁରେ ସନ୍ତୋଷରେ ଚଳୁଥିଲେ । ଏବେ ଯେଉଁଠିକି ଚାହାଁ, ଦରକାର ‘‘ଆହୁରି ଆହୁରି’’ କିସମ କିସମ ଜିନିଷ, ‘‘ସେ କିଣୁଚି, ମୁଁ କିଣିବି’’ । ୟାଠୁଁ ଦେଖି ସେ, ତାଠୁଁ ଦେଖି ୟେ, ନ କିଣି ପାରିଲେ ସତେ ଅବା ଜୀବନ ବୃଥା । ସେ ସବୁ ଜିନିଷ ଆଦୌ ତାର ଦରକାର ଅଛି କି ନାହିଁ ସେକଥା ଭାବି କିଣା ଯାଉଛି ତା ନୁହେଁ, ନୂଆ ଦେଖିଲେ କିଣିଲା, ପରର ଦେଖିଲେ କିଣିବା, ଏଇ ଝୁଙ୍କ । ସେ ଶୋଷ ମେଣ୍ଟିବାର ନୁହେଁ, ଯେତେ ଚେଷ୍ଟାକରି ଯେତେ ଯାହା ଠୁଳ କଲେ ଆହୁରି ଆହୁରି ପାଇଁ ମନ ଅସ୍ଥିର, ତାକୁ ଯୋଗାଡ଼ କରୁ କରୁ ଦମ୍‌ ଫାଟି ଯାଉଛି । ମଣିଷର ଆବଶ୍ୟକକୁ ଦେଖିସିନା ଜିନିଷ ତିଆରି ହନ୍ତା, ଅଇଛା ସେ ଜିନିଷ ତିଆରି ହେବ, ବିକା ହେବ, ବିକାଳି ପଇସା କରିବେ ତାଙ୍କରି ପାଇଁ ତାଙ୍କରି ସ୍ୱାର୍ଥ ଲଗି ପଲପଲ ମଣିଷ ଜୀବନଯାକ ଉଦୁମୁଦା ହୋଇ ନାନା ଉପାୟକରି ଧନ କମେଇବାକୁ ଜନ୍ମ ହେଉଛନ୍ତି, ଜୀବନ ବିତୋଉଛନ୍ତି, ନିଜ ଭିତରୁ ବାର ଲାଳସା ବାର କାମନା ବାହାରକରି ଜୀବନଯାକ ସେହି ବୁଢ଼ିଆଣୀ ଜାଲରେ ପଡ଼ି ଛଟପଟ ହେଉଛନ୍ତି, କହୁଛନ୍ତି ତା’ରି ନା କୁଆଡ଼େ ସଭ୍ୟତା । ଆଉ ସଂସାରଯାକକୁ ନଚୋଉଚନ୍ତି ଜିନିଷ–ବିକାଳିଏ, ପଇସାବାଲା ଲୋକେ, ତାଙ୍କଠିଁ ଯେତେ ଖଳଦୋଷ ଥାଉ ଲୋକେ ତାଙ୍କରି ପଛରେ ଗୁଡ଼ୋଉଛନ୍ତି-। ପଇସାକୁ କଲେଣି ଦେବତା, କାରଣ ସେଇଥିରେ ସବୁ କିଣା ହୁଏ । ଯାହାଠିଁ ପଇସା ତାଠିଁ କ୍ଷମତା, କାରଣ ଲୋକଙ୍କ ଲାଳଚା ହେଲା ଆଗ, ପଇସା ଦେଖେଇଲେ ସେମାନେ ବୋଲ ମାନିବେ । ପଇସା କମେଇବାକୁ କ୍ଷମତା ଦରକାର, ନ ହେଲେ ମନଇଚ୍ଛା ଅନ୍ୟମାନଙ୍କୁ ବାନ୍ଧି ଅଡ଼େଇ ହେବ କିପରି ? କ୍ଷମତା ଆଉ ଧନ ପାଇବାକୁ ଯେ ଯେଡ଼େ ଅପକର୍ମ କରୁପଛେ-। ସବୁ ବିଷିର୍ପି ଯାଉଛି, ଏଥିରେ କି ସ୍ନେହ ମମତା, କି ସୁଖ ଶାନ୍ତି, କି ମଣିଷ ପଣିଆ ? କି ଲାଭ ମିଳୁଛି ? ମଣିଷ ଧାଉଁଥିବ, ଛଟପଟ ହେଉଥିବ, କୋଠା ତୋଳୁଥିବ, ଗାଡ଼ି ଚଢ଼ୁଥିବ, ବାର ଅଦରକାରି ଆବଶ୍ୟକ ବଢ଼ୋଉଥିବ, ଜାତି ଜାତି ଜିନିଷ ବୋଝ ବୋଝ ଧନ ଓଟାରୁ ଥିବ, ଗଦୋଉଥିବ, ତା ଜୀବନଟା ସେମିତି ବିତୁଥିବ, ଯାହା ଆଣିଲା ତାକୁ ସୁଖରେ ଭୋଗ କରିବାକୁ ମନରେ ଶାନ୍ତି ନାହିଁ, କି ଫୁରୁସତ୍‌ ବି ନାହିଁ, ବଞ୍ଚିଛି କାହିଁକି ? ନିଜେ ତ ସୁଖ ଶାନ୍ତି ପାଇବ ନାହିଁ, ଦୁନିଆଁକୁ ବି ଜଳେଇବ, ଅଶାନ୍ତି ଲଗେଇ ଦେବ ।

 

ମୋ କହିବା କଥା, ତୁମେମାନେ ଏ ପାଲରେ ପଡ଼ ନାହିଁ । ସରଳ ଜୀବନକୁ ଜଟିଳ କର ନାହିଁ । ଦୁନିଆଁକୁ ବାଇ ଲାଗୁଛି ବୋଲି ତେମେ କାହିଁକି ସେଥିରେ ମାତିବ ? କେତେ ମହା ମହା ପ୍ରତାପୀ ରାବଣେଶ୍ୱର ଗଲେଣି, ଯେତେ ଆଡ଼ା ଚୌଡ଼ା ଆଡ଼ମ୍ୱର କଲେ ଯେତେ ଧନ ଯେତେ କ୍ଷମତା ବଢ଼େଇଲେ ସୁଦ୍ଧା ସେ ବାଟରେ ସୁଖଶାନ୍ତି କେହି ପାଇଚି ? ମଣିଷ ଜୀବନର ଅସଲ ସୁଆଦ ଚାଖିଛି ? ଯେ ନିଜ ଭିତରଟାକୁ ସାଧିଛି ସେ ଶାନ୍ତି ପାଇଛି, ଯେଡ଼େ ସାଧାରଣ ମଳିମୁଣ୍ଡିଆ ହୋଇଥାଉ, ତା ଦେହରୁ ଲେଙ୍କୁଡ଼ି ଛିଣ୍ଡୁ ଥାଉ, ସେ ଆପଣା ଅକ୍ତିଆରରେ ରହିଲାବାଲା, ପରର ଉପକାର କଲାବାଲା, କୋଉ ଦେବତା ତାକୁ ସରି ନୁହେଁ ।

 

ବିନୋଦ ତାଙ୍କରି କଥା ଏତେ ବେଳଯାଏ ଭାବୁଥିଲା । ମଣିଷ ବଞ୍ଚିଥିଲା ବେଳେ ଆପଣା ଲୋକଙ୍କୁ ଲାଗୁଥାଏ କେଡ଼େ ଦେହଘଷା, ଯେମିତି ଆଖି ଆଗରେ ନିତି ଦିନର ସାଧାରଣ ଦୃଶ୍ୟ–ଖରାରେ ଘାସ ଝାଉଁଳୁଛି, କେଉଁଠି କାଉ ବୋବୋଉଛି, ତୁହାଇ ତୁହାଇ ଚଟର ଚଟର ଶୁଭୁଛି, ଗୁଣ୍ଡୁଚି ମୂଷା ବୋବାଳି ବୋଲି ନିଘା ଦେଲେ ବା ବାରିହେବ, ନ ହେଲେ ନୁହେଁ, ଠିକ୍‌ ତା ସଙ୍ଗେ ଖାପିଲାପରି କେତେ ଚଢ଼େଇଙ୍କ କିଚିରି ମିଚିରି । ପବନରେ ଗଛବୁରୁଛ ଆସ୍ତେ ଆସ୍ତେ ହଲୁଛି, କୋଉଠି ପିଲା ଦି’ଟା କଥାଭାଷା ହେଉଛନ୍ତି, ଆଉ କେଉଁ ମାଇପି ସ୍ୱର ଶୁଭୁଛି । ଏମିତି ତ ହୁଏ, ଏଥିରେ ବଳକା ତାତ୍ପର୍ଯ୍ୟ କଣ ? କିନ୍ତୁ କିଏ ଜାଣିଛି ? ଠିକ୍‌ ଏତିକିବେଳେ କିଏ କେଉଁଠି ସେହି ଦୃଶ୍ୟ ସେହି ସମୟ ଭିତରୁ କଣ ତାତ୍ପର୍ଯ୍ୟ ଖୋଜୁଛି । କାନଠିଆ କରିଛି, ଆଖି ଗୋଜ କରିଛି, ନିଶ୍ୱାସ ସତେକି ଅଟକି ଯାଇଛି । ନିଜେ ଜାଣେ ନାହିଁ କ’ଣ ଖୋଜୁଛି, କ’ଣ ପାଇବ, ଜାଣିଥିବ ତା ନିଜ ଚେତା ମନକୁ ଅଜଣା ହୋଇ ତା ଭିତରେ ଥିବା ତାର ଆଉ କେଉଁ ହୋସ୍‌, ତା ପାଇଁ ଏ ସମୟ ଏ ପରିବେଶ କେଡ଼େ ତାତ୍ପର୍ଯ୍ୟପୂର୍ଣ୍ଣ, ଆଣୁଛି ତା’ ଜୀବନକାଳ ଭିତରର କେଉଁ ବିଶିଷ୍ଟ ଅନୁଭୂତି, ସୁଖର ବା ଦୁଃଖର । ଅଥବା କେଉଁ ଘଟନା, ଯହିଁରେ ତାର ଜୀବନର ମଙ୍ଗ ବୁଲିଯିବ ।

ଓଃ ! ଏଇ ଗୋଟିଏ ମୁହୂର୍ତ୍ତରେ,–ସଂସାର ଭିତରେ ଠିକ୍‌ ଏତିକିବେଳେ କେତେଠିଁ କେତେ କଥା ! କେଉଁଠି ନୂଆଜନ୍ମ, କେଉଁଠି ମୃତ୍ୟୁ । କାହାର କି ଭାବ । କାହାର କି ଅବସ୍ଥା ! କେଉଁଠି ଟିକି ମାଛଟିଏ ଆହାର ଲୋଭରେ ବନ୍‌ସି ଥୋପକୁ ଏଇ ମୁହୂର୍ତ୍ତରେ ଗିଳିଦେଲା । କେଉଁଠି ଚଢ଼େଇଟିଏ ଟୁପ୍‌ କରି ଡିମ୍ୱଟିଏ ଥୋଇଦେଲା । କିଏ କେଉଁ ପୁରୁଣା ଦେଉଳ ଭିତରେ ନିଛାଟିଆ ଅନ୍ଧାରି ଗମ୍ଭୀରିରେ ଠାକୁରାଣୀମୂର୍ତ୍ତି ଆଗରେ ଲମ୍ୱହୋଇ ଉପାଧିଆ ପଡ଼ିଛି । ବେକ ଟେକି ଅନାଉଛି, ପୂଜକ ତା ନାଁରେ ତା ମାନସିକ ଫୁଲ ଠାକୁରାଣୀ ମୁଣ୍ଡରେ ଚଢ଼େଇ ଥିଲା, ଫୁଲ ଖସିଲେ ସେ ଜାଣିବ ତା ଗୁହାରି ଶୁଣାହେଲା, ତା କାମନା ପୂରଣ ହେବ, ଡାକୁଛି ‘‘ମା ! ମା !’’, କେଉଁଠି ପିଲାଟିଏ ବସି ପରୀକ୍ଷା ଲାଗି ପଢ଼ା ଘୋଷୁଛି । କେଉଁଠି ସଡ଼କ ଉପରେ ମରିପଡ଼ିଛି ଗଜାବୟସର କୁକୁରଟିଏ, ଅନ୍ତବୁଜୁଳି ବାହାରି ପଡ଼ିଛି, ଠିକ୍‌ ଏଇ ମୁହୂର୍ତ୍ତରେ ଗୋଟାଏ ମଟରଗାଡ଼ି ତାକୁ ଚିପି ଦେଇଗଲା । ଆଉ ତେଣେ, ଛାପାଖାନାରେ ଧଡ଼୍‌ଧାଡ଼୍‌ ମେସିନ୍‌ ଚାଲିଛି, ଖବରକାଗଜ ଛପା ହେଉଛି । କିନ୍ତୁ ଖବରକାଗଜରେ ଥିବନାହିଁ ଏସବୁ କଥା, ତାର ମୂଲ୍ୟବୋଧ ତ ଭିନେ ।

କିଏ ସାନ ? ପିମ୍ପୁଡ଼ି ନା ହାତୀ ? ମରନ୍ତି ତ ଉଭୟେ ।

ଖାଲି ସେତିକି ନୁହେଁ, ପିମ୍ପୁଡ଼ିର ଆଖିରେ ତ ହାତୀର ସମୁଦାୟ ରୂପ ବି ଦିଶୁ ନ ଥିବ, ଲାଗୁ ନ ଥିବ ସେ ଗୋଟିଏ ପ୍ରାଣୀ ବୋଲି । ପିମ୍ପୁଡ଼ି ଖାଲି ଜାଣିଥିବ, ସେ ଚାଲି ବୁଲିବା ସକାଶେ ଯେମିତି ନାନା ଢିପ ଢାଲୁ ଅଛି, ଆମେ ଯାହାକୁ ହାତୀ ବୋଲି କହୁଁ ସେଠି ବି ସେଇଆ ଅଛି ବୋଲି ପିମ୍ପୁଡ଼ିଟି ଅନୁଭବ କରିବ ।

କେହି ରହିବେ ନାହିଁ, କିଛି ରହିବ ନାହିଁ । ଥିବାବେଳେ ପ୍ରତି ମୁହୂର୍ତ୍ତରେ ଆପଣା ଆପଣା ସ୍ଥାନରେ ପ୍ରତ୍ୟେକର ହିଁ ତାତ୍ପର୍ଯ୍ୟ ଅଛି, ଆର ମୁହୂର୍ତ୍ତରେ ଭିନେ ପ୍ରକାଶ, ଭିନେ ତାତ୍ପର୍ଯ୍ୟ । ପଛକୁ ଚାହିଁ ନାନା ମୁହୂର୍ତ୍ତର କ୍ରମକୁ ଏକାଠି ସ୍ମରଣ କଲେ ସତେ ଯେମିତି ନାନା ସ୍ୱରର ସମନ୍ୱୟରେ ଗଢ଼ା ଗୋଟିଏ ରାଗିଣୀର ସ୍ମରଣ ସେ, ମନେ ପକାଉ ପକାଉ ତା ଶବ୍ଦ ଦୂରକୁ ଦୂରକୁ ଚାଲିଯାଏ, କ୍ଷୀଣରୁ କ୍ଷୀଣତର ହୁଏ, ହଜିଯାଏ, ରହିଯାଏ ଶୂନ୍ୟନିସ୍ତବ୍‌ଧତାର ସ୍ପର୍ଶ, ଗୋଟାଏ ‘କିଛି ନାହିଁ’ ର ଧୁକ୍‌ଧୁକିର ଅନୁଭବ, ସୁଖ ଦୁଃଖ ଭଲମନ୍ଦର ଧାରଣା ତହିଁରେ ଲାଖେ ନାହିଁ ।

ଖାଇସାରି ରାତିରେ ବିନୋଦ ଶୋଇଲା ନିଘୋଡ଼ ନିଦରେ ।

ବିନୋଦର ବସା ଆଗର ତୋଟା ଆଡ଼ୁ ପବନରେ ଭାସିଆସେ ନାଗେଶ୍ୱର ଫୁଲର ବାସ୍ନା, ତା ତଳେ ତଳେ ବାରିହୁଏ ବଉଳ ଫୁଲର ନରମ ମହକ । ଅଫିସକୁ ଗଲାବେଳେ ଠାଏ ଠାଏ ସୁନାରି ଗଛରୁ ହଳଦିଆ ଫୁଲର କାନ୍ଦି ଝୁଲୁଥାଏ, ପତ୍ରବିରଳ ଶିମୂଳୀ ଓ ପଳାଶ ଗଛରେ ନାଲିଫୁଲ ଜଳୁଥାଏ । ଶୀତ ଯାଇଛି, ବସନ୍ତ ବି ଯିବ, ସେ ଚାହେଁ ଆଉ ଭାବେ, ପଣସ ଗଛମାନଙ୍କ ଗଣ୍ଡିରେ ଏହି ଯେଉଁ ଖଞ୍ଜି ହେଲାଣି ଟିକି ଟିକି କଠା, ସେ ବି ଫୁଲିବ, ବଢ଼ିବ, ପାଚିବ, ଆଉ ନ ଥିବ-। ସେଉଠୁ ଟାଣ ଖରା, ଝାଞ୍ଜି ରଡ଼ି ରଡ଼ି ପୋଡ଼ି ପୋଡ଼ି ଯିବ । ସେଉଠୁ,–ଏମିତି କେତେ ଗଲାଣି, କେତେ ଯିବ । ଓ ତାରି ଭିତରେ ତୁହାକୁ ତୁହା କେତେ ଖେଳ, କେତେ ଅଭିନୟ । ବଢ଼ି ଭୋରରୁ ଉଠି ସେ ବୁଲିଯାଏ, ସେତେବେଳେ କଜଳପାତୀ ବୋବୋଉଥାନ୍ତି । ସେ ଦେଖେ କେତେ ପିଲା, ବୁଢ଼ା, ପୁରୁଷ, ସ୍ତ୍ରୀ ଗୋଟିଏ ଗୋଟିଏ ଫୁଲ ଚାଙ୍ଗୁଡ଼ି ଧରି, ୟା ତା ବାରିରେ ପଶି କି ପାଚିରି ଉପରେ ଠିଆ ହୋଇ ଫୁଲ ତୋଳୁଥାନ୍ତି, ନିଜ ଘରେ ଠାକୁରପୂଜା କରିବେ, କେଉଁ ମାଳି କି ପୁରୋହିତ ଟୋକେଇ ଆଉ ନଗି ଧରି ନାନା ଖଞ୍ଜରେ ପରର ବାରିରୁ ଫୁଲ ଚୋରି କରୁଛି-। ଚାଲିଥାଏ ବର୍ଷସାରା ଠାକୁର ପୂଜା ପାଇଁ ଫୁଲ ଚୋରି, ଆପଣା ପାରିଲାପଣ କରରେ ପ୍ରକାର ପ୍ରକାର ଚୋରି,–ନିଜ ଉପରେ ଆପଦ ନ ପଡ଼ିବାଯାକେ ମନରେ ଦକା ବି ଲାଗେ ନାହିଁ ଯେ ତହିଁରେ କିଛି ଦୋଷ ହେଉଛି । ଆକାଶ ବି ଭାଙ୍ଗିପଡ଼େ ନାହିଁ । ଅସନା ଆଉ ଚନ୍ଦନ ସବୁ ଖାପିଯାଏ ମାଟିରେ ।

ବିନୋଦ କେତେଥର ଭାତଥାଳି ପାଖେ ବସିଛି, କେତେଥର ଶୋଇଛି, ଅଫିସ ଯାଇ କେତେ କାଗଜ କେତେ ନଥିରେ ଲେଖିଛି, ଦସକତ୍‌ କରିଛି, କେତେ ଲୋକଙ୍କ ସଙ୍ଗେ କଥାଭାଷା ହୋଇଛି ତାର ହିସାବ ରଖିନାହିଁ, କଳନା କରିନାହିଁ କେତେ ଦିନ ଏ ରହଣି ସ୍ଥାନରେ ରହିଲାଣି । ଦିନେ ବଦଳି ହୋଇ ଆସିଥିଲା, ସେତେବେଳେ ଏ ସ୍ଥାନ ଥିଲା ଅଚିହ୍ନା, ତାପରେ ସତେ ଯେମିତି ଏଠି ସେ କେତେକାଳର, ଏଇଠି ଜନ୍ମ, ଏଇଠି ବଢ଼ିଛି, ଚାରିପଟେ ଯେତେବେଟକୁ ଦୃଷ୍ଟିଯାଏ, ସବୁଠି ତା ନିଜ ଶରୀରର ହିଁ ସ୍ପର୍ଶ ମିଳେ ! ନାନା ସ୍ତରରେ କେତେ ଘଟନା ତ ଘଟୁଥାଏ । ଗୁଣାକର ସିଂହ ଏସି.ଏସ୍‌. ଓ. ପଦରୁ ଜିଲ୍ଲା ସି.ଏସ୍‌. ଓ. ପଦକୁ ଉନ୍ନତି ପାଇ ବଦଳି ହୋଇ ଚାଲିଗଲେ । ବୁଢ଼ା ଭୀମାହାଡ଼ି ବେମାର ପଡ଼ି ମରିଗଲା । ମାରୁଆଡ଼ି ବ୍ୟବସାୟୀ ସେବାରାମ ଗୋଟାଏ ପ୍ରକାଣ୍ଡ ଚାଉଳକଳ ବସାଇବାକୁ ଘର ତୋଳିଦେଲେ । ଏସ୍‌. ଡ଼ି. ଓ. ଚପରାସି ପର୍ଶୁର ପୁଅ ବିଶୁ ପ୍ରଥମ ଶ୍ରେଣୀରେ ମ୍ୟାଟ୍ରିକ ପାଶ୍‌ କଲା, ଜିଲ୍ଲାସ୍ତରୀୟ ବୃତ୍ତି ବି ପାଇଲା । ଏସ୍‌.ଡ଼ି.ଓ. ରାଘବ ଚୌଧୁରୀ ବିନୋଦକୁ କ୍ୱଚିତ୍‌ ଡାକନ୍ତି, ତାକୁ କାଗଜରେ ଲେଖା ନିର୍ଦ୍ଦେଶମାନ ପଠାନ୍ତି । ବିନୋଦଠାରୁ ଚାକିରି ତାରିଖ ଅନୁସାରେ ପାଞ୍ଚବର୍ଷ ପଛର ଆଉ ଜଣେ ସବ୍‌ଡିପୋଟି, ଲଡ଼ୁକେଶ୍ୱର ନନ୍ଦ, ସେ ସବ୍‌ଡ଼ିଭିଜନରେ ଥାର୍ଡ଼ ଅଫିସର ହୋଇ ଆସିଥାନ୍ତି । କୁଞ୍ଚୁକୁଞ୍ଚୁ ବାଳ, ଗୋରା ଧାରମୁହଁ, ହସ ହସ ଚଞ୍ଚଳ ଆଖି, ଲହଲହକା ପାତଳ ଦେହ, ଯୁବକ ଲଡ଼ୁକେଶ୍ୱର ନନ୍ଦ । ରାଘବ ଚୌଧୁରୀ ତାଙ୍କୁ ବାରମ୍ୱାର ଡକାଇ ପଠାନ୍ତି ଓ ତାଙ୍କୁ ନାନା ଦାୟିତ୍ୱରେ ବରଗନ୍ତି । ସତେଯେପରି ସେ ବିନୋଦକୁ ଜଣାଇଦେବାକୁ ଚାହାନ୍ତି ଯେ ଲଡ଼ୁକେଶ୍ୱର ନନ୍ଦ ଚାକିରିରେ ତାଙ୍କଠୁ ଯେତେ ପଛରେ ହେଲେ ସୁଦ୍ଧା ସେ ତାଙ୍କୁ ହିଁ ଭାବୁଛନ୍ତି କାମିକା, ବିଶ୍ୱାସୀ ଓ ଦ୍ୱାୟିତ୍ୱପୂର୍ଣ୍ଣ, ବିନୋଦକୁ ନୁହେଁ । କଟାଘା’ରେ ଚୂନ ଛିଞ୍ଚିଲାଭଳି ଲଡ଼ୁକେଶ୍ୱର ନନ୍ଦ ବେଳେ ବେଳେ ବିନୋଦ ପାଖକୁ ଚାଲିଆସି ଅଯାଚିତ ଭାବେ ତାକୁ ଏସ୍‌.ଡ଼ି.ଓ. ରାଘବ ଚୌଧୁରୀଙ୍କର କେତେବେଳର କେଉଁ ମନ୍ତବ୍ୟ କହିଯାଆନ୍ତି,–‘‘ଏସ୍‌.ଡ଼ି.ଓ. ଗୁଣାକର ସିଂହଙ୍କ କଥାକୁ ଲପଲକ୍ଷ ଦେଉଥିଲେ, କହୁଥିଲେ କାର୍ଯ୍ୟଦକ୍ଷ ଆଉ ବିଶ୍ୱାସୀ ଦାୟିତ୍ୱବାନ୍‌ କର୍ମଚାରୀ ହୋଇ ପାରିଲେ ସବୁ ଯୁଗର ଚଞ୍ଚଳ ଉପରକୁ ଉଠିବାକୁ ସିଢ଼ି ମିଳିଥାଏ । ପ୍ରକୃତରେ ୟେ ଏସ୍‌.ଡ଼ି.ଓ. ନିଜେ ଖୁବ୍‌ କାର୍ଯ୍ୟଦକ୍ଷ ଖୁବ୍‌ ଗୁଣଗ୍ରାହୀ । ଚାହିଁ ଦେଉ ଦେଉ ମଣିଷଟାକୁ ଚିହ୍ନି ଦେବେ, କଳିଦେବେ, ଅଦ୍ଭୁତ ଶକ୍ତି, ଆଉ, ଯାହାକୁ ଟେକିବାକୁ ଚାହିଁବେ, ସଙ୍ଗେ ସଙ୍ଗେ ହାତ ଲଗେଇ ଟେକି ଦେବେ । ନା ଆପଣଙ୍କର କଣ ମତ ?’’

‘‘ଆପଣଙ୍କର ଯାହା ମତ ହେଉଛି ସେଇଟା ହିଁ ଆପଣଙ୍କପାଇଁ ପ୍ରଧାନ, ଲଡ଼ୁବାବୁ । ଅନ୍ୟକାହା ବିଷୟରେ ମତ ଜାରି କରିବା ମୋର ବି କଣ ଦରକାର ? ନିଜ ବୋଝ ମତେ ଯଥେଷ୍ଟ-। କାର୍ଯ୍ୟଦକ୍ଷ ତ ସମସ୍ତେ ହେବା ଦରକାର । ସେଥିପାଇଁ ଚାକିରି କରିଛୁଁ, ଦରମା ପାଉଛୁଁ । ବିଶ୍ୱାସୀ କଥାଟା ବୁଝିପାରୁ ନାହିଁ, ଯେ ଯେଉଁ ଦାୟିତ୍ୱ ତୁଲେଇବ ବୋଲି ନିୟମ ବନ୍ଧା ହୋଇଛି ସେ ଦାୟିତ୍ୱ ପ୍ରତି ସଚ୍ଚୋଟ ରହିଲେ ହିଁ ସେ ବିଶ୍ୱାସୀ । କିଏ ବିଶ୍ୱାସରେ ଆଉ କାହାକୁ କିଛି ଗୁପ୍ତକଥା କହିଛି, ତାକୁ ଅପର ଲୋକକୁ ନ ଜଣାଇବା ବି ବିଶ୍ୱାସୀ କାମ, ଗାଇ ବୁଲିଲେ, ବିଶ୍ୱାସଭଙ୍ଗ । ତେବେ କାହା ବିଷୟରେ ଅନ୍ୟ କାହା ସଙ୍ଗେ ଆଲୋଚନା କରିବାକୁ ମତେ ଭଲଲାଗେ ନାହିଁ ।’’

ଲଡ଼ୁକେଶ୍ୱର ନନ୍ଦ ମିଠା ହସ ହସିଦେଇ ଚାଲିଯାନ୍ତି ।

ଏମିତି କେତେଥର ।

ବୈଶାଖ ମାସ । ସକାଳୁଆ କଚିରି । କାମସାରି ଦିନ ଦି’ଟା ବେଳେ ଛତା ଖଣ୍ଡିଏ ଧରି ବିନୋଦ ଦାସ ଅଫିସରୁ ଘରକୁ ଫେରୁଥାଏ । ଆକାଶ ଖାଲି ଧୂଳି ବର୍ଣ୍ଣର ଥମ୍ୱିଲା ତାଉ, ତଳେ ସଡ଼କ ଉପରେ, ଖାଁ ଖାଁ ଖାଲି କ୍ଷେତରେ, ଢାଲୁ ଢାଲୁଆ ଲଣ୍ଡା ପଡ଼ିଆରେ ଭାଟି ଉପରର ତାଉ ପରି ସେହି ତାତିର ଶୂନ୍ୟ ଢେଉ ନାଚୁଛି, କେତେବେଳେ ଲାଗୁଛି ଦୂରରେ ଥିବା ପାଣି ପରି । ସଡ଼କ କରରେ ଠାଏ ଠାଏ ଖଜୁରୀ ଗଛ । ସେଠି ଅଧା ଅଧା ପାକେଲା ନାଲିଚା ଖଜୁରୀକୋଳି । ତଳେ ହୁଙ୍କାପାଖେ ଅରମାରେ ଅରାଏ ଅରାଏ ବେତବଣ, ଲମ୍ୱନାସି ଚାରିକରେ ବରିବିରି ହୋଇ ବେତକୋଳି । ସ୍ଥାନେ ସ୍ଥାନେ ଝଙ୍କା ଝଙ୍କା ଗଛ । ଜାମୁଗଛରେ ନାଲି ନାଲି କଅଁଳ ପତ୍ର । ଓସ୍ତ ଗଛର ପତ୍ର ଶୁଆପଖିଆ, ଚିକକ୍‌ଣ ବୋଳିହୋଇ ଜିକି ଜିକି କରୁଛି । ଶିରୀଷ ଫୁଲର ବାସ୍ନା ଚହଟୁଛି । ଖଣ୍ଡେ ଛଡ଼ାରେ ଆଗରେ ଦିଶୁଛି ନାଲିଫୁଲ ଛୁଆଣି ହୋଇ ଅରାଏ କୃଷ୍ଣଚୂଡ଼ା ଗଛ ।

ଆସିଲା ହଲପାଏ ଝାଞ୍ଜିପବନ, ବିନୋଦ ଛତା ବୁଜିଲା, ଭାବିଲା ସେ ଶୋଲ ଟୋପିଟି ନ ଆଣି ଭୁଲ କରିଛି, ମୁଣ୍ଡପାଇଁ ଟୋପି, ତହିଁରେ ଥୋମଣି ତଳେ ଚିପି ଧରିବାକୁ ଚମଡ଼ାପଟି, ଆଖି ପାଇଁ ଖରାବେଳିଆ ଚଷମା । ଖରାରେ ତାତି ତାତି ଖଣ୍ଡେ ଦୂର ଯାଇ ସେ ଗୋଟିଏ ବରଗଛ ଛାଇରେ ଟିକିଏ ଠିଆ ହୋଇ ଦମ୍‌ ନେଲା । ପାଚିଲା ବରଫଳ ଝଡ଼ି ଚାରିଆଡ଼େ ଏଠି ସେଠି ଗଦା ହୋଇଛି । ପାଖେ ପାଞ୍ଚ ସାତଟି ଛେଳି ଶୋଇ ଶୋଇ ପାଗୁଳି କରୁଛନ୍ତି । ଗଛମୂଳେ ଠାଏ ପଡ଼ିପଡ଼ି ଧକେଇ ହେଉଛି ଗୋଟିଏ କୁକୁର, ଚାଖଣ୍ଡେ ଲମ୍ୱ ଜିଭ କାଢ଼ିଛି, ଜିଭରୁ ଟପ୍‌ ଟପ୍‌ ହୋଇ ଝାଳ ନିଗୁଡ଼ୁଛି, ତାର ରୁମଗୁଡ଼ିକ ଉପୁଡ଼ି ପଡ଼ିଛି । ଗହଳି ପତ୍ର ଉହାଡ଼ରୁ କୋଇଲି ବୋବୋଉଛି । ଆଉ ଠାଏ ଗଛର ଉପର ଡାଳରୁ ଶୁଭୁଛି ବାଦୁଡ଼ିଙ୍କ ଚେଁ ଚେଁ । ହେଇ ସେଠି, ମାଳମାଳ କୋତରା ହାଣ୍ଡିପୋଛା କନାପରି ସେଗୁଡ଼ାକ ଓହଳିଛନ୍ତି, ତଳେ ଦି’ଟା ମରି ଖସି ପଡ଼ିଛନ୍ତି ।

ତା ମନରେ ଛାଁକୁ ଛାଏଁ ଇଚ୍ଛା ହେଲା, ସେ ଢେଲା ଫୋପାଡ଼ି ଆଗ କୁକୁରଟାକୁ ତଡ଼ନ୍ତି, ଆଉ ତଡ଼ନ୍ତା ଛେଳିଗୁଡ଼ାଙ୍କୁ, ଆଉ ବାଦୁଡ଼ିଗୁଡ଼ାଙ୍କୁ, ତପାରେ ବରଗଛ ତଳ ଛାଇର ନିରଙ୍କୁଶ ଏକାଧିପତ୍ୟ ଉପଭୋଗ କରନ୍ତା, ଯେତେବେଳଯାକେ ଇଚ୍ଛା । ନିଜ ପ୍ରବୃତ୍ତିକୁ ରୋକି ଦେଇ ଠିଆ ହେଲା । ଚାରିଆଡ଼କୁ ଅନାଇଁଲା । ଠା’ ଠା’ ହୋଇ ଛାଡ଼ି ଛାଡ଼ିକା କେତେଗୁଡ଼ିଏ ମୋଟ ମୋଟ ଖମ୍ୱ ପରି ପୁରୁଣା ବରଗଛର କାଣ୍ଡ ଠିଆ ହୋଇ ପ୍ରାଚୀନ ଗଛର ଡାଳପତ୍ରମୟ ଛାତକୁ ଟେକି ଧରିଛି,–ବର ଓହଳ, ମାଟିକୁ ଛୁଇଁ କାଳକ୍ରମେ ହେଲା ମା’ ଗଛର ପିଲା, ଆହୁରି କେତେ ଓହଳ ଲମ୍ୱିଛି, କେଉଁଟା ଗଜାଖୁଣ୍ଟ ହେଲାଣି, କେଉଁଟା ଏବେ ବି ସରୁ ସୂତା । ଉଦୁଉଦିଆ ଖାଁ ଖାଁ ନିଶୂନ୍‌ ଦି’ପହରେ ବଡ଼ ଚକଡ଼ାଏ ଭିତରେ ଏଇତକ ଛାଇ, ଏଇତକ ଶୀତଳ, ତା ବାହାରେ ଖରା ଜଳୁଛି, ତାତିର ଢେଉ ନାଚୁଛି, ଧୂଳି ଆଉ ଅଳିଆ ଘୂରେଇ ଘୂରେଇ ଧାଇଁ ଚାଲିଛି ମୁଣ୍ଡବୁଲା ଖଣ୍ଡିଆ ଭୂତ ।

ବାଦୁଡ଼ି, ଛେଳି, କୁକୁର, ଏମାନେ ଏ ଛାଇଶୀତଳ ଆଶ୍ରୟସ୍ଥଳୀ ଅରାକରେ ସେ ପହଞ୍ଚିବା ଆଗରୁ ଥିଲେ, ଆହୁରି ଅନେକେ ଥିବେ, କେତେ କାଇପୋକ, ବୁଢ଼ିଆଣୀ, ସାପ, ପୋକଯୋକ, କେଉଁ ଖୋଲରେ କୋରଡ଼ରେ ଗହଳିରେ ଆଉ କେଉଁ ସାନସାନ ଜନ୍ତୁ । ସେ ଆସିଲା, ସେମାନେ ଆପତ୍ତି କରି ନାହାନ୍ତି । ଲୋଡ଼ି ନାହାନ୍ତି ଏକୁଟିଆ ସବୁତକ ଭୋଗ କରିବେ । ଆଉ ସେ ନିଜେ !

ମଣିଷ କଣ ସ୍ୱଭାବତଃ ଏକଛତ୍ରବାଦୀ ! ପଶୁଠୁଁ ବଳି ତାଠିଁ ପଶୁ ପଣିଆଁ ! ବାଟରେ ତାର ମନେ ପଡ଼ୁଥିଲା, ଆଜି ବି ଅନୁରାଧା ପଖାଳ କରିଥିବ । ଘୋଳଦହି କାଗେଜି ରସ ଗୋଳି ଧଳା ତୋରାଣି ମନ୍ଦିକ, ମଲ୍ଲୀଫୁଲ ପରି ଭାତ, ପରସ୍ତ ପରସ୍ତ କଖାରୁ ପତ୍ର ପିନ୍ଧି ମଞ୍ଜିଆ ଛେଲା କେରାଣ୍ଡିର ବେସରଗୋଳା ପତ୍ରପୋଡ଼ା, ତହିଁରେ ଗୋଟା ଗୋଟା ସିଝା ରସୁଣ, ଗୋଟା ଗୋଟା ସିଝା ଲଙ୍କା, ବାଇଗଣ ଭଜା, ଆଳୁ ଭରତା, ବଡ଼ିଚୂନା, ପୋଦିନା ଚଟଣି, ଗୋଟା ଗୋଟା ପିଆଜ, ଲଙ୍କା, କାଗେଜି ଫାଳ, ସୋରିଷ ତେଲ ଓ ମସଲାରେ ବୁଡ଼ି ସାଇତା ହୋଇଥିବା ମସଲା ପୂର ପଶିଥିବା ପୁରୁଣା ଆମ୍ୱ ଆଚାରରୁ ଫାଳେ । ତା ସଙ୍ଗେ ସଙ୍ଗେ ମନେ ପଡ଼ୁଥିଲା ଶାନ୍ତିରେ ଗୋଟାଏ ‘ଆଃ’ ! ନିଜ ଉପରେ ପାହାରେ ପିଟି ତା ବି ଉଭେଇଗଲା ।

ଏଥର ସେ ଆଉ ନିର୍ଜନତା, ଯହିଁରେ ଛେଳି, କୁକୁର, ବାଦୁଡ଼ି, କୋଇଲି ସମସ୍ତେ ଉଭେଇଗଲେ, ବରଗଛଟି ରହିଗଲା ଅନନ୍ତ ଅତୀତର ଛାତିତଳର ଛାଇପରି, ତା ପାଇଁ ସେତିକି ତାର ପରିସର ଯେତିକି ତା ଚେତନାର ପହଞ୍ଚ ।

ୟେ କି ବେଶ ତା ନିଜର ! ନିଜକୁ ଅଚିହ୍ନା ଅଚିହ୍ନା ଲାଗୁଛି । କେଉଁ ସୁଆଙ୍ଗର କେଉଁ ଦୁଆରୀର ? ୟେ ଚମଡ଼ା ଖୁରା, ୟେ ଲମ୍ୱା ଗିଜ–ମୁଣା, ୟେ ଅଙ୍ଗୀ, ଅଣ୍ଟାରେ ୟେ ଚମ ଦଉଡ଼ି ! ହଁ, ଦେଢ଼ଶ ବର୍ଷତଳେ ସେହି ଯେଉଁମାନେ ଆସିଥିଲେ, ଶେଥାଧଳା ଚମ, ନେଳିଆ କି କହରା ଆଖି, ନାଲିଚା କି ହାଲୁକା ହଳଦିଆ ମୁଣ୍ଡବାଳ, ତାଙ୍କରି ସତେ ଅବା ଛଡ଼ା ପୋଷାକ ୟେ । ଦେଢ଼ଶହ ଦିଶହ ବର୍ଷ ଏ ଦେଶକୁ ଅମଳ କଲେ । ଗଲେଣି । ଛାଡ଼ିଦେଇ ଗଲେ ୟେ ସାଜ । ଆମେ ଆଦରରେ ନେଇ ଗଳେଇ ପକାଇଲୁ । ଆଉ ତାଙ୍କର ବୋଲି । ତାଙ୍କ ଅକ୍ଷର । ସେହି ହୋଇଥିଲା ବେପାର ଭାଷା, ରାଜଭାଷା, ଜ୍ଞାନ ବିଜ୍ଞାନର ଭାଷା, ରହିଗଲା । ସଂସ୍କୃତ ବୁଡ଼ୁ ବୁଡ଼ୁ ହେଉଥିଲା, ଓଡ଼ିଆ ତାକୁ ଜାଗା ଛାଡ଼ିଲା, ଅଧିକରୁ ଅଧିକ ବଳି ବଳି ଦିନୁ ଦିନ, ତାରି ଉପରେ ଲଟେଇଲା, କି ଗଜୁରିଲା, ଯେମିତି ଗଜୁରେ ମଲାଙ୍ଗ, ମାଡ଼େ ସୁନାଲତା ପରି ନିର୍ମୂଳୀ ।

ଆଉ ଛାଡ଼ି ଦେଇଗଲେ ଟେବୁଲ୍‌ ଉପରେ ସାଜି ମାଟିର ତାଟିଆରେ ଗୋଳିପାଣି ପରି ଅଇଁଠା ଚାହା, କାଚ ବୋତଲରେ ତାଙ୍କ ଆଡ଼ିକା ମଦ, ହ୍ୱିସ୍କି, ବିଅର୍‌, ରମ୍‌, ଆଦି । ଧଳାକାଗଜରେ ବଳାହୋଇ ସେମାନେ ଯେଉଁ ପିଙ୍କା ଟାଣନ୍ତି ତାହାରି ଜରିଖୋଳ, କାଗଜ ଖୋଳ, ତାକୁ ବି ଆମେ ଆଦରରେ ସାଉଁଣ୍ଟି ନେଲୁ ।

ସେମିତି, ତାଙ୍କଠୁଁ ଦେଖି ଅନୁକରଣ କରି ନେଲୁଁ ଭ୍ରୂଲତା, ଓଠ ଓ ମୁହଁରେ ନାନା ଭଙ୍ଗୀ, ବେଖାତିରି, ବିରାଗ କି ଉଦାସୀନତା ବୁଝାଇବାକୁ କାନ୍ଧ ନଚେଇବା ମୁଦ୍ରା, ହସିବା, ଠିଆ ହେବାର ନୂଆଠାଣି, ଠିଆ ଠିଆ ମୁତିବା ଆଦି କେତେ ଆଚାର ବ୍ୟବହାର, ରୀତିନୀତି, ଅନୁଷ୍ଠାନ, ଯେମିତିକି ତା ଆଗରୁ ଆମର କିଛି ସଭ୍ୟତା ନ ଥିଲା, ତାଙ୍କରିଠୁଁ ଶିଖି ଏଇ ଦେଢ଼ଶ ବର୍ଷ ହେଲା ଆମ ଲୋକେ ସଭ୍ୟହେଲେ, ଓ ତାଙ୍କର ଜଣେ ବଡ଼ କବି ଯାହାଙ୍କ ନାଁ, କିପ୍‌ଲିଙ୍ଗ୍‌, ଆମୁକୁ ବର୍ଣ୍ଣନା କରି ପଦ୍ୟରେ ଲେଖିଲେ,–

‘‘ଆମେ ନୂଆ ନୂଆ ଧରିଥିବା ମଣିଷ ସେମାନେ,

ଅହନ୍ତାରେ ଗମ୍ଭୀର ମୁହଁ,

ସ୍ୱଭାବରେ ଅଧେ ସଇତାନ୍‌ ଅଧେ ଶିଶୁ ।’’

 

ଦେଢ଼ଶହ ବର୍ଷରୁ ଟିକିଏ ବେଶି ହେବ,–ଆଉ ସେତିକିରେ ପାଶ୍ଚାତ୍ୟ ଅନୁକରଣ ଓ ପାଶ୍ଚାତ୍ୟ ପ୍ରଭାବ ଫଳରେ ଗୋଟିଏ ଜାତି ବଦଳି ଗଲା ! ତା ଚେହେରା, କଥାଭାଷା, ଢଙ୍ଗ ଏଭଳି ହୋଇଗଲା ଯେ ଏ ପୁଅଝିଅ ଏ ନାତି ନାତୁଣୀଙ୍କୁ ଆଉ ସେ ବାପ ମା’ ଅଜା ଆଈ ଚିହ୍ନି ପାରିବେ ନାହିଁ ! ଦେଖିଲେ ହୁରୁଡ଼ନ୍ତେ, ଦୂରଦୂର୍‌ କରି କବାଟ କିଳନ୍ତେ !

 

ଅଥଚ କିଏ ପୁରୁଷ ସ୍ୱରୂପ ବଦଳେଇଛି ସେଭଳି ଅଚିହ୍ନା ହେଲାଭଳି ? ଚେର କାଟିଛି ! ୟେ ବରଗଛ ନା ଏ ଛେଳିଜାତି ନା କୁକୁର ନା ବାଦୁଡ଼ି !

 

କେମିତି ଥିଲେ ସେ ଅତୀତର ଲୋକେ ? ଇଟା, ପଥର, ଭଙ୍ଗା କି ଦଦରା ହୋଇ ଦେଉଳ କି ମୂର୍ତ୍ତି ଗୁଡ଼ିଏ, କିଛି ଶିଳାଲେଖ, କିଛି ତାଳପତ୍ର ବିଡ଼ା, ଠାସୁକୁ ମାରି ତହିଁରୁ ଯାହା ଅନୁମାନ କରିହୁଏ ସେତିକି । ଅର୍ଥ କରି ବସେ ଏବର ମଣିଷ, ତାର ଏବର ମନ, ଏବର ସ୍ୱଭାବ, ଯାହା ଏହି ଦେଢ଼ଶ ବର୍ଷର ପ୍ରଭାବରେ ଯାଇଛି ବଦଳି, ସବୁ ପୋଲ ଆଉ ସିଢ଼ି ଭାଙ୍ଗିତୁଟି ଉଭେଇ ଯାଇଛି, ଜଣାନାହିଁ ୟେ ଅର୍ଥ ଭୁଲ୍‍ କି ଠିକ୍‌ ।

 

ବଞ୍ଚିବା ଚଳିବା ଭାବିବାର ବାଗ ଆଉ ମୂଲ୍ୟ ତ ଫୁଲ ଫୁଟିବା ପରି ସ୍ଥାନ ଆଉ ସମୟରୁ ରସ ଟାଣି ଟାଣି ନାନା ଦାଉ ଦାପଟ ସହି ସହି ଅଭ୍ୟାସ କରି କରି ଅଭିଜ୍ଞତା ସଞ୍ଚି ସଞ୍ଚି ଘଟିଥାଏ, ତା ହେଲେ ସେ ସ୍ଥାନ–କାଳ–ପାତ୍ର ସଙ୍ଗେ ଖାପେ, ସୁହାଏ, ୟେ କଣ ସେଇଆ ?

 

କୋଠାଟାଏ ଟାଉ ଟାଉ କରି ତୋଳି ଠିଆ କରି ଦେଲେ କହିହେବ ନାହିଁ ଯେ ସେ କେତେକାଳ ରହିବ, କେତେ ବର୍ଷା ଆଉ ଝାଞ୍ଜିର ପରଖ ଦରକାର, ପୁଣି, କେତେ ସମୟର, ନ ହେଲେ କିଏ କହି ପାରିବ ମୂଳଦୁଆ ଦବିବ କି ନାହିଁ, ଛାତ ଫାଟିବ କି ନାହିଁ, ଘଡ଼ିଘଡ଼ି ଶବ୍ଦରେ କି ଝଡ଼ି ତୋଫାନ ହାବୁକା ମାଡ଼ରେ କାନ୍ଥର ଭାରସାମ୍ୟ ଦୋହଲିବ କି ନାହିଁ ! ଏ ଯେଉଁ ଭାବିବା ଚଳିବା ବଞ୍ଚିବା ପ୍ରଣାଳୀ, ଯାହା ପୂରା ପାଶ୍ଚାତ୍ୟ ନୁହେଁ କି ପୂରା ଭାରତୀୟ ନୁହେଁ, ବର୍ଣ୍ଣସଙ୍କର, ନବଗୁଞ୍ଜର ପରି ଯାହା ରୂପ, ଆଜି ତ ବେକ ଫୁଲେଇ ଠିଆ ହୋଇଛି, ସତ, ଲାଗୁଥିବ ଏ ଜାତିର ବଳିଷ୍ଠ ବିକାଶ ପରି,–କାଲିକି ୟେ ଥିବ ତ ? ୟେ ନ ଥିଲେ ୟାର ଯେଉଁ ଚଳନ୍ତି ମୂଲ୍ୟବୋଧ,–ବଡ଼ ସାନ, ଭଲ ମନ୍ଦ, ନ୍ୟାୟ ଅନ୍ୟାୟ ବିଷୟରେ ଏ ସଭ୍ୟତାର ବିଚାର, ସେହି ଅନୁସାରେ ଏବଂ ଲୋକଙ୍କ ଆଶା ଆକାଙ୍‌କ୍ଷା, ସ୍ୱପ୍ନ, ଆଦର୍ଶ–ତା ବି ଅଳ୍ପକାଳ ପରେ ଅକାମୀ ହୋଇଥିବ ।

 

ସେମିତି ଏ ରାଜ୍ୟ ଶାସନ ପଦ୍ଧତି, ଏ ପଦ୍ଧତି ଅନୁସାରେ ନାନା ସ୍ତରରେ ନାନା କ୍ଷମତା, କ୍ଷମତା ପାଇବାକୁ, ଧରି ରଖିବାକୁ ନାନା ଉପାୟ, କୂଟ କପଟ, ସଂଘର୍ଷ, ସେମିତି ଏ ସମୟର ନାନା ସ୍ତରରେ ସାମାଜିକ ସ୍ଥିତି, ମର୍ଯ୍ୟାଦା ଓ ପ୍ରତିପତ୍ତିର ତାରତମ୍ୟ ।

 

ସେମିତି ଏ ସମୁଦାୟ ଛାଞ୍ଚ ଭିତରେ ସରକାରୀ ଚାକିରି, ତାର ପଦପଦବୀ । ‘ଦଳବେହେରା ଆଇଲେ’ ବୋଲି କହିଲେ ଆଜି କେଉଁ ଗାଁଲୋକେ ହାତଯୋଡ଼ି ଠିଆ ହେବ ? ‘‘ଭାରୋଇମଲ୍ଲ ଆସୁଛନ୍ତି’’ କହିଲେ ଆଜି କେଉଁ ରାଜ୍ୟ ଲୋକେ ଅଭ୍ୟର୍ଥନା କରିବାକୁ ବାହାରି ଆସିବେ ? ସେ ସବୁ ପଦବୀ କେବେ କେଉଁ କର୍ତ୍ତୃତ୍ୱ କି ଦାୟିତ୍ୱ ସୂଚାଉଥିଲା ଆଜି ଲୋକେ ତା ଜାଣନ୍ତି ବିନା ହିଁ ।

 

ଏଇ ବରଗଛ ଦେଖିଥିବ କେତେ ଅମଳର କେତେ ଭେକ, କେତେ କେତେ ଅବସ୍ଥାର ରୂପ । କେତେବେଳେ କାହାକୁ ଆଶ୍ରା ଦେଇଥିବ । କେତେବେଳେ ଏହାରି ଡାଳରୁ କାହାକୁ ଫାଶୀରେ ଝୁଲା ହୋଇଥିବ । କେତେବେଳେ ୟା ତଳେ ବସିଥିବ ଭୋଜି କି ଧର୍ମସଭା । ଗଛ ନୁହେଁ, କେତେ ଶହ ବର୍ଷର ହଜାର ହଜାର ଲୋକଙ୍କ ଚିହ୍ନା ମଣିଷ, ସ୍ନେହୀ ମଣିଷ, ଯୁଗ–ସାକ୍ଷୀ ।

 

ଏମିତି ଏ ଦେଶସାରା କେତେଠିଁ କେତେ ପୁରୁଣା ବରଗଛ, ଓସ୍ତଗଛ, ମଣିଷ ଆଉ ସେ ଜୀଅନ୍ତା ପରମ୍ପରାମାନଙ୍କୁ ଆଦର କରେ ନାହିଁ, ଅପେକ୍ଷା କରେ ଉପୁଡ଼ି ପଡ଼ିଲେ କି ହଣା ହେଲେ ଜାଗା ଖାଲି ହେବ, କିଛି ଜାଳେଣି କାଠ ବି ମିଳିଯିବ ।

 

ଯାହାର ଗୋଟାଏ ଗୋଟାଏ ଓହଳ–ପିଲ ଗୋଟାଏ ଗୋଟାଏ ପୁରୁଷର, ତା’ଭଳି ହଜାର ହଜାର ମଣିଷଙ୍କ ସୁଖର ଦୁଃଖର ଜୀବନ ଅଭିନୟ ଦେଖି ଦେଖି ଠିଆ ହୋଇଛି, ଶୁଣି ଆସିଛି ମଣିଷ ଜୀବନର ଅମେଣ୍ଟା ସମସ୍ୟାରେ ଛନ୍ଦାଛନ୍ଦି ନାନା ଭାବର ନାନା ରାଗିଣୀ, ତା ଆଗରେ ଠିଆ ହୋଇ କେମିତି ସେ ଖାଲି ଭାବୁଥିବ ନିଜକଥା । ଏ ଛୋଟିଆ ଗଛଟି ଯେ ନିଜ ସୁଖ ଦୁଃଖ ବିଷୟରେ ଉଦାସୀନ, ଆସୁ ଯାହା, ଯେଡ଼େ ଖରା କି ଝଡ଼ ବତାସି, ଯେମିତି କି ସେମିତି ଠିଆ ହୋଇଛି, ପ୍ରକାଣ୍ଡ, ବଳିଷ୍ଠ, ଉଦାର ।

 

ବିନୋଦ ଥମ୍ୱିଯାଇ ଠିଆ ହେଲା । ତା ପରେ ଛାଇ ତଳକୁ ଛାଡ଼ିଦେଇ ବାଟ ଧରିଲା, ଦାଉ ଦାଉ ଖରାରେ ।

 

ମେଘ ମୁଣ୍ଡେଇ ତାର ବଦଳି ଆଦେଶ ଆସି ପହଞ୍ଚିଲା, ଯିବ ବଡ଼ ସହରର ସଦର ମହକୁମା । ନାନା ଦାୟିତ୍ୱରେ ନାନା କର୍ମଚାରୀ ସେଠି ଅଛନ୍ତି । କିଏ ବଡ଼, କିଏ ସାନ । ସେ ବି ରହିବ ସେଠି ।

 

ଦିନ ଦିପହରେ ଅଫିସ ଘରେ ବସି ଡାକ ଖୋଲି ବିନୋଦ ତା’ ବଦଳି ଆଦେଶ ପଢ଼ିଲା-। ଦୀର୍ଘଶ୍ୱାସ ପକାଇଲା । ଦିଶିଲା ତାର ଅତୀତ, ସେହି ବଡ଼ ସହରରେ ସେ ଛଅ ବର୍ଷ କାଳ କଲେଜରେ ପଢ଼ିଥିଲା, ସେଇଠି ସେ ଟିଉସନ୍‌ କରି ଚଳିଥିଲା ଓ ଉଜ୍ଜ୍ୱଳ ଭବିଷ୍ୟତ୍‌ର ସ୍ୱପ୍ନ ଦେଖିଥିଲା । ସେଠିଥିଲେ ତାର କେତେ ସମ୍ପର୍କୀୟ ବନ୍ଧୁବାନ୍ଧବ । କେତେ ସାଙ୍ଗସାଥୀ, ଶୁଭେଚ୍ଛୁ-। ତା ଗାଁ ସେଠୁଁ ଚାରିକୋଶ । ତା ଶଶୁର ଘର ସେଠୁ କୋଡ଼ିଏ କୋଶ । ସହରର ଉପକଣ୍ଠରେ ଅଧା ମଫସଲରେ ଘର କରିଥାନ୍ତି ତାର ଶଳା, ସ୍ତ୍ରୀର ବଡ଼ଭାଇ ଯୁଧିଷ୍ଠିର, ଡାକ ନାଁ ଚଇଁବାକୁ, ସହରରେ ଜଣେ ବ୍ୟବସାୟୀ, ଇଟାଭାଟି ବି ଅଛି ।

 

ବିନୋଦ ଆଶା କରିଥିଲା ବଡ଼ ସହରରେ କେଉଁଠି ଠାଏ ସେ ଜାଗା କିଣିବ, ଘର କରିବ,–ସବୁଦିନ ପାଇଁ ସେଠି ବାସିନ୍ଦା ହେବ,–ପରେ, ଆହୁରି ବଡ଼ ହେଲେ । କିନ୍ତୁ ସେ ତ କେବକାର କଥା, ତାର ସ୍ୱପ୍ନଗୁଡ଼ାକ ଯେପରିକି ପଖି ଛିଣ୍ଡିଯାଇ ସେହି ସହରର ଧୂଳିରେ କେଉଁଠି ଝଡ଼ିପଡ଼ିଛି । ଗାଁକୁ ସେ ଭଲ ପାଉଥିଲା, କିନ୍ତୁ ଗାଁରୁ ସେ ଏକ ପ୍ରକାର ରିଫ୍ୟୁଜି, ତା ବାପାଙ୍କ ଭାଗ ଜମିତକ ବି ଚେନାଏଁ ଚେନାଏଁ ହୋଇ କେଉଁଠି ଅଛି କି କାହା ଜମିରେ ସାମିଲ୍‌ ହୋଇଛି ସେ କହିପାରିବ ନାହିଁ, ତାର ପୈତୃକ ଡିହ ପଡ଼ିଆ ପଡ଼ି ପଡ଼ି ତହିଁରୁ ବେଶି ଭାଗକ ଭାଇଆମାନେ ମାଡ଼ି ବସିଚନ୍ତି, ଯେଉଁ ଅଳ୍ପ ସୋରାଏ ରହିଥିଲା ତହିଁରୁ ଲୋକେ ମାଟି ତାଡ଼ି ନେଇ ନେଇ ବଡ଼ ଭାଗକ ଅଳିଆ ଖାତ କଲେଣି, ନିଜ ଦଖଲରେ ରଖିଲେଣି, ତଥାପି ପନ୍ଦର ହାତ ଜାଗା ଥିବ, ଘାସ ଅରମା ଗୋବର ଗଦା, ଥିବ କି ନ ଥିବ କିଏ ଜାଣେ ! ଚାକିରିରେ ବୁଲୁ ବୁଲୁ ଆଉ ବଡ଼ ସହରରେ ସେ ରହିନାହିଁ, କିନ୍ତୁ ଦେଖିଛି ଜାଣିଛି, ଏ ବଡ଼ ସହର ଆଉ ଆଗପରି ନାହିଁ । ୟେ ଅଚିହ୍ନା, ଯେମିତି ଓଡ଼ିଶାର କେଉଁ ଐତିହାସିକ ପ୍ରାଚୀନ ସହର ସେ ନୁହେଁ, ସେ ଭାରତର କୌଣସି ଜନବହୁଳ ସହର, ଏମିତି କୋଠା, ଏମିତି ପିଚୁରାସ୍ତା, ଏମିତି ପାର୍କ, ଏମିତି ବଜାର, ଏମିତି ପ୍ରକାଣ୍ଡ ଓସାର ଛକ, ସେଠୁ ସଳଖ ଫରଚା ସଡ଼କର ଅଖକଟା ହୋଇ ଲାଗିଛି କାହିଁକା କାହିଁ ଦୁଇକରେ ଦି ମାହାଲା ତିନି ମାହାଲା କୋଠା, ଏମିତି ଜାତି ଜାତି ବସ୍‌, କାର୍‌, ଟ୍ରକ୍‌, ରିକ୍‌ସା, ନାନା ଗାଡ଼ି, ମାଳ ମାଳ, ଏମିତି ସଜାସଜି ଏମିତି ଦୃଶ୍ୟ ଦିଶିବ ଭାରତର ଯେ କୌଣସି ଆଧୁନିକ ବୁଢ଼ିଆଳୀ ସହରରେ, ଦିଶିବ ଏମିତି ବଜାର–ତିଆରି ପୋଷାକ, ଶୁଭିବ ଏମିତି ନାନା ଭାଷା ଏକାଠି । ଖୁନ୍ଦା ଖୁନ୍ଦି, ତରତର, ମୁଣ୍ଡଘୂରା ବେଗରେ ଅଣନିଶ୍ୱାସୀ ସହର, ସେ ପଦଯାତ୍ରୀଙ୍କ ପାଇଁ ନୁହେଁ । ସୁସ୍ଥିଆ ଲୋକଙ୍କ ପାଇଁ ନୁହେଁ, ଯାହାଠିଁ ପଇସା ନାହିଁ ତା ପାଇଁ ନୁହେଁ, ସେଠି ଖାଲି ଜାଗା ଆଖିରେ ପଡ଼େ ନାହିଁ, ଲାଗିଛି କୋଠା ତିଆରି, କୋଠା ତିଆରି, ଉଠୁଛି ମାହାଲା ମାହାଲା ହୋଇ ଉପରକୁ, ପୁରୁଣା ଏକ ମାହାଲା ଭଙ୍ଗା ହୋଇ ଚାରି ମାହାଲା ତୋଳା ଚାଲିଛି, ପୋଖରୀ, ଖାଲ, ଝିଲ ଶୁଖା ହୋଇ ଘର ତୋଳା ଚାଲିଛି, ଚାରିଆଡ଼ୁ ମଣିଷ ସୁଅ ଛୁଟିଛି ସହର ଆଡ଼କୁ, ଯେତେଥର ସେ ସହରକୁ ଦେଖିଛି, ଦେଖିଛି ଆଗଠୁଁ ବଡ଼, ଆଗଠୁ ନୂଆ, ସେ ଭାବିପାରୁ ନାହିଁ ଯେ ତା ଭଳି ଘରଚଟିଆଙ୍କ ପରି ସେଠି ଆଉ ଗୋଟେ ବାସିନ୍ଦା ହେବାକୁ ଯୋଗ ପଡ଼ିବ, ଏକା ତା ଗାଁରୁ ନୁହେଁ, ତା ପ୍ରିୟ ସହରରୁ ବି ସେ ରିଫ୍ୟୁଜି ।

 

ସେଠିକି ବଦଳି । ସେ ଯିବ । ଖଣ୍ଡେ ବସା, ଆଗ ଖଣ୍ଡେ ବସା ମିଳିବ ତ ?

 

ରବିବାର ସକାଳ । ବିନୋଦ ଖବର କାଗଜ ପଢ଼ୁଥାଏ ‘‘ଆଜ୍ଞା, ଏସ୍‌.ଡ଼ି.ଓ. ଡାକୁଛନ୍ତି ।’’ ଏସ୍‌.ଡ଼ି.ଓ.ଙ୍କ ଚପରାସି ଠିଆ ହୋଇଛି । କହିଲା, ‘‘ବଙ୍ଗଳାରେ ଅଛନ୍ତି । କହିଲେ ‘ଡାକି ଆଣିବୁ’ ।’’

 

ବିନୋଦ ସାଇକଲ ଚଢ଼ି ଗଲା ।

 

‘‘ଆସନ୍ତୁ ଆସନ୍ତୁ,’’ ରାଘବ ଚୌଧୁରୀ ତାଙ୍କ କୋଠିର ଅଫିସ୍‌ ଘର ଭିତରୁ ଡ଼ାକ ପକାଇଲେ । ‘‘ବସନ୍ତୁ’’ ।

 

ଆଉ କେହି ନାହିଁ । ସେ ଏକୁଟିଆ ଅଛନ୍ତି । ହସି ହସି ଆରମ୍ଭ କଲେ, ‘‘ତାପରେ ? କେବେ ଯାଉଛନ୍ତି ?

 

ଆପଣଙ୍କର ଭଲ ହେଲା । ଯେଉଁ ବଡ଼ ସହରକୁ ବଦଳି ହେବା ପାଇଁ ଲୋକେ ଆପ୍ରାଣ ଚେଷ୍ଟା କରନ୍ତି, ହେଲେ ନାନା ବଡ଼ ବଡ଼ିଆଙ୍କ ସଙ୍ଗେ ଭେଟ ହେବ, ସବୁ ଖବର ସଙ୍ଗେ ସଙ୍ଗେ ମିଳି ଯାଉଥିବ, କେତେ ସୁବିଧା,–ଆପଣଙ୍କର ଆପେ ସେଇଟା ଆସିଛି, ତହିଁରେ ପୁଣି ଆପଣଙ୍କର ଆପେ ସେଇଟା ଆସିଛି, ତହିଁରେ ପୁଣି ଆପଣଙ୍କ ନିଜ ଜିଲ୍ଲାର ସଦର ମହକୁମା ।’’

 

‘‘ସବୁ ଆପଣଙ୍କ ଶୁଭ କାମନା ଓ ଦୟା । ସାର୍‌ !’’

 

ରାଘବ ଚୌଧୁରୀ ଘଣ୍ଟି ବଜାଇଲେ । ଚପରାସି ଆସିଲା । ‘‘ଆରେ, ସାହେବଙ୍କ ପାଇଁ ଚାହା ଆଣ୍‌, ପାନ ଦେଇ ଯା ।’’ ବିନୋଦ ଆଡ଼କୁ ବୁଲା ଚୌକିଟା ଘୂରେଇ ଦେଲେ, କହିଲେ,

 

‘‘ଶୁଭ କାମନା ତ ଆପଣଙ୍କ ସଙ୍ଗେ ଚିହ୍ନା ହେଲା ଦିନୁଁ, ଆପଣ ମତେ ଭୁଲ୍‌ ବୁଝୁଥିଲେ । କିନ୍ତୁ ପ୍ରକୃତରେ ମୁଁ ଆପଣଙ୍କର ହିତ କରିବାକୁ ଲାଗିଥାଏଁ, କୁହାପୋଛା, ଲେଖାଲେଖି, ଯେତିକି ମୋ ଦେଇ ସମ୍ଭବ ସବୁ କରିଛି । ଦୁଃଖ ରହିଗଲା, ଆପଣ ଏଇଠି ଥାଉ ଥାଉ ପ୍ରମୋଶନଟା ପାଇଲେ ନାହିଁ,–ହଉ, ତା’ ବି ହେବ । ହେବ, ସେତେବେଳେ ଆପଣ ମତେ ମନେ ପକାଇବେ ।’’

 

‘‘ଆପଣ ଯାହା ଲେଖିଥିବେ, ସବୁ ଆପଣଙ୍କ ଦୟା ।’’

 

‘‘କିନ୍ତୁ ମଣିଷ ଦ୍ୱାରା କଣ ହେବ ? ସବୁ ଆପଣା ଭାଗ୍ୟ । ଆପଣଙ୍କୁ ଏଠୁ ଛାଡ଼ିବାକୁ ମୋର ଆଦୌ ଇଚ୍ଛା ନ ଥିଲା, ଅନ୍ତତଃ ମୁଁ ଏଠି ଥିବାଯାକେ ଆପଣ ଥାନ୍ତେ । ଆପଣଙ୍କ ଉପରେ ସବ୍‌ଡିଭିଜନର ଅଧେ ଭାର ଦେଇ ମୁଁ ନିଶ୍ଚିନ୍ତ ରହୁଥିଲି, ଆଜିକାଲି ବୁଦ୍ଧିମାନ୍‌, ସଚ୍ଚୋଟ, ନିଷ୍ଠାପର, କର୍ମଠ, ଦୃଢ଼ କର୍ମଚାରୀ ହୋଇ କେତେଜଣ ଅଛନ୍ତି ?’’

 

ବିନୋଦ ତାଙ୍କ ମୁହଁକୁ ଅନାଇଲା । ଆଶ୍ଚର୍ଯ୍ୟ ହେଲା, ହସ ହସ ମୁହଁରେ ରାଘବ ଚୌଧୁରୀ ତା ମୁହଁ ଉପରେ ତାକୁ ସତେ ଯେମିତି ଖୁସାମତ କରୁଛନ୍ତି, ସେଇଟି ୟେ ? ତା ଗୋଛି କାଟୁଥିଲେ, ବର୍ତ୍ତମାନ କାହିଁକି ଏ ଅଭିନୟ ?

 

ରାଘବ ଚୌଧୁରୀ କହିଲେ, ‘‘ମୁଁ ଜାଣେ ଆପଣ ମତେ ଭୁଲ୍‌ ବୁଝୁଥିଲେ, ’’ ତା ମୁହଁକୁ ଚାହିଁ ହସିଲେ ।

 

ବିନୋଦ କହିଲା, ‘‘ମୁଁ ଆପଣଙ୍କର ବିନୋଦ କେବେ ନିନ୍ଦା କରି ନାହିଁ ଆଜ୍ଞା ।’’

 

‘‘ତା ବି ମୁଁ ଜାଣିଛି, ତେବେ ଆପଣ ନିଶ୍ଚୟ ମନେ ମନେ ରାଗୁଥିବେ । ଆମେ ହେଲୁ ପୁରୁଣା ଅମଳର ଅଫିସର । ଇଂରେଜ୍‌ ଏ ସଂସ୍ଥାଟା ବସେଇ ଥିଲେ । ଅଳ୍ପ କେତୋଟି ବଛା ବଛା ଲୋକ, ଏକାଠି ଗୋଟିଏ ସଂସ୍ଥା, ସର୍ଭିସ୍‌ । ସେଇ ଶାସନ କରିବେ, ଲକ୍ଷ ଲକ୍ଷ ଲୋକଥିବା ମସ୍ତବଡ଼ ଦେଶକୁ । ଶାସନ ଦାୟିତ୍ୱ ସମ୍ଭାଳିବେ, କେମିତି ? ଖାଲି କଣ ବିଦ୍ୱାନ୍‌ ହେଲେ ପରିଶ୍ରମ କଲେ ? ନା, ଆହୁରି କିଛି ଦରକାର । ସେହି ଆହୁରି କିଛି ବିଷୟଟାକୁ ଗୁରୁ ପରମ୍ପରା ଭଳିଆ ପୁରୁଖା ଅଫିସର ନୂଆ ଅଫିସରଙ୍କୁ ଶିଖାଇ ପୋଖତ କରନ୍ତି, ନୂଆ ଅଫିସର ବି ଟାଣୁଆ ପୁରୁଖା ହୋଇଯାନ୍ତି । ନାଁ କରନ୍ତି, ବଡ଼ ହ’ନ୍ତି । ଟୋକା ଅଫିସରଙ୍କୁ ଯେତେବେଳେ ମୁଁ କିଛି କହେଁ, କହେଁ ସେଇଥି ପାଇଁ । ଆପଣ ଉନ୍ନତି କଲେ ଶୁଣି ଖୁସି ହେଉଥିବି ମୁଁ, ସେତିକି ମୋ ଆନନ୍ଦ ।’’

 

‘‘ସର୍ଭିସ୍‌ରେ ଆପଣ ମୋ ଗୁରୁଜନ ସାର୍‌, ମୋର ଭଲ ଦେଖିଲେ ଆପଣ ଖୁସି ହେବେ ହିଁ ।’’

 

‘‘ସେଇଆ ବିନୋଦ ବାବୁ, ସେଇଆ । ସେହି ସ୍ନେହ ଟିକକ ରଖିଥିବେ । କର୍ମକ୍ଷେତ୍ରରେ କେଇଟା ଦିନ ପାଇଁ ଆମେ ଏକାଠି ହେଉଁ, ତା’ପରେ–କିଏ ଜାଣେ ? ଆମ ଭିତରେ ସେହି ସ୍ନେହ ସହାନୁଭୂତି ଥାଉ । ସଂସାରରେ ସେଇ ସାର । ଇଂରେଜ୍‌ମାନେ ଏଇ ଯେଉଁ ସଂସ୍ଥା ଗଢ଼ିଥିଲେ, ତା ସେମାନଙ୍କ ଅଭିଜ୍ଞତାରୁ, ୟା ଭିତରେ କିଏ କେତେବେଳେ କାହାକୁ ଆକଟିବାକୁ କଣ କହିବ, ଯାହା କୁହାଯାଏ ସବୁ ତ ତା’ ଭଲ ପାଇଁ ! ନ ହେଲେ ସଂସ୍ଥାର ମହତ ରହିବ ବା କେମିତି ? କିନ୍ତୁ ପଦାକୁ, ଗୋଟାଏ ନିବୁଜ ସଂସ୍ଥା । ସେଇଟା ବି ଥିଲା ତାଙ୍କ ନୀତି । ପଦାରେ ସେମାନେ ଗୋଇ ଖୋଳାଖୋଳି ହେଉ ନ ଥିଲେ । ପରଲୋକଙ୍କୁ ଛିଦ୍ର ଦେଖାଉ ନ ଥିଲେ ଯେ ପରଲୋକେ କାହାକୁ କାବୁ କରିବେ । ୟେ ପୁରୁଷର ଲୋକେ ସେଇଟା ବୁଝୁନାହାନ୍ତି, ପର ଲୋକେ ତ ସହଜେ ଏବେ ଖୋଜୁଛନ୍ତି ଚାକିରିଆଙ୍କୁ ବେଜିତ୍‌ କରିବାକୁ, ଡରେଇ ରଖିବାକୁ, ତାଙ୍କ ଦ୍ୱାରା ନିଜନିଜ ସ୍ୱାର୍ଥ ହାସଲ କରିବାକୁ । ଏଥିରେ ଏ ଦେଶରେ କେହି କାହାକୁ ମାନିବେ ନାହିଁ, ଅଫିସରଙ୍କ କଥା କାଟୁ କରିବ ନାହିଁ, ସେମାନେ ବି ଆଗପରି କାମ ଉଠେଇ ପାରିବେ ନାହିଁ, ଶାସନ ହୁଗୁଳି ଯିବ । ଇଂରେଜ୍‌ ଅମଳରେ ଏହି ସଂସ୍ଥା ବୋଲାଉଥିଲା ଷ୍ଟିଲ ଫ୍ରେମ୍‌, ଲୁହାରେ ତିଆରି, ସବୁ କଠିନ ଦାୟିତ୍ୱ ସମ୍ଭାଳୁଥିଲା,–ଏଇଥିପାଇଁ । ଭିତରେ ସେମାନେ ବୁଝାବୁଝି ହେଉଥାନ୍ତୁ, ବାହାରୁ ଦେଖିଲେ ଯେ କେହି ବିଶ୍ୱାସ କରିବ, ଯେ ସବୁ ଠିକ୍‍ ଅଛି ।’’

 

ଦୀର୍ଘଶ୍ୱାସ ପକାଇଲେ, କହିଲେ ‘‘ଏ ପିଲାଏ ତା’ ଜାଣିଲେ ନାହିଁ । ଫଳରେ ଏଡ଼େ ଗୌରବମୟ ସଂସ୍ଥାଟା ବିଗିଡ଼ି ଯାଉଛି । ଆପଣ ଦେଖିବେ, ଏଣିକି ଅଫିସରଙ୍କ ବଳବିକ୍ରମ ସାହସ ପ୍ରତିଷ୍ଠା ଆଉ ରହିବ ନାହିଁ, ମନରୁ ଫାନ୍ଦି କିଛି ବଡ଼କାମ କରିବା ତାଙ୍କ ପକ୍ଷରେ ଅସମ୍ଭବ ହେବ, ନିଜ ଭିତରେ ପରସ୍ପର ପ୍ରତି ରହିବ ସନ୍ଦେହ, ଈର୍ଷା, ରାଗ, ବାହର ଲୋକଙ୍କ ପ୍ରତି ରହିବ ଡର, ବାହାର ଲୋକଙ୍କ ହାତରେ କାଠ କଣ୍ଢେଇପରି ନାଚୁଥିବେ । ତାଙ୍କର ଆଉ ଗୌରବ ରହିବ ନାହିଁ । ସମସ୍ତେ ନିଜେ ଏକା ପରିବାରର ଲୋକ ବୋଲି ଭାବି ଭିତର ଗୁମର ଭିତରେ ରଖିଲେ ସିନା ସମସ୍ତିଙ୍କ ମର୍ଯ୍ୟାଦା ରହେ, ଏମାନେ ତା ବୁଝିବେ ନାହିଁ,–‘ମୁଁ ଭଲ ଆଉ ସମସ୍ତେ ଅପଦାର୍ଥ’–ଏଇଆ ଦେଖାଇ ହେବାକୁ ବାଦବୁଦିଆ ହୋଇ ବାହାର ଲୋକଙ୍କଠୁଁ ପିଠି ଆଉଁସା ଟିକିଏ ପାଇବା ମୋହରେ ପରସ୍ପର ନାଁରେ ଚୁଗୁଲି କୁହା କୋହି ହେବେ । ସେଉଠୁ ସେହି ବାହାର ଲୋକଙ୍କ ହାତରେ ସମସ୍ତେ ବେଇଜ୍ଜତ ହେଉଥିବେ । ଆସୁଛି ଆସୁଛି ସେ ଦିନ, ଦେଖିବେ ଆପଣ ।’’

 

ବିନୋଦ କହିଲା, ‘‘ଚୁଗୁଲି କହି ବୁଲିବା ଯାହାଙ୍କ ସ୍ୱଭାବ ସେମାନେ ଆଗେ ବି କହୁଥିଲେ, ଭବିଷ୍ୟତରେ ବି କହିବେ ।’’

 

‘‘ନା, ଆଗେ ସେତେ କହୁ ନ ଥିଲେ, କହିଲେ ବି ତା କାଟୁ କରୁ ନ ଥିଲା । କାରଣ ଦେଶରେ ସେହିମାନେ ତ ଥିଲେ ଶାସକ, ତାଙ୍କ ଉପରେ ଯେ ସେ ଇଂରେଜ୍‌, ସେ ସାଧାରଣଙ୍କ ପହଞ୍ଚ ଭିତରେ ନ ଥିଲେ, କିନ୍ତୁ ଏବର କଥା ଭିନେ । ସାଧାରଣ ଗଣଭୋଟ୍‌ ଦ୍ୱାରା ସରକାର ଗଢ଼ା ହୋଇଛି, ଯେତେବେଳେ ଯେଉଁମାନେ ମନ୍ତ୍ରୀ ସେତେବେଳେ ସେହିମାନେ ସରକାର । ଦେଶର ଦଶଜଣ ରାମା, ଶାମା, ଦାମାଙ୍କ ଭିତରୁ ଜଣେ ଜଣେ ସେମାନେ, ସେମିତି ଦେଶର ଏମ.ଏଲ.ଏ. ମାନେ । ସେମାନଙ୍କର ବିଶ୍ୱାସ ନିଜ ଦଳର ଲୋକଙ୍କ କଥାକୁ । ସେଇଲୋକେ ତାଙ୍କର ଆଖି କାନ, ଏକା ନାଡ଼ି ତ ! ସର୍ଭିସ୍‌ ଭିତରର ଲୋକଙ୍କୁ ତାଙ୍କର ମୂଳରୁ ସନ୍ଦେହ, ସେମାନେ ଭାବନ୍ତି ଏ ଲୋକଙ୍କର ତାଙ୍କ ପାର୍ଟିପ୍ରତି ଅନୁରକ୍ତି ଅଛି କି ନାହିଁ ତା’ ଜଣା ନାହିଁ, ଯେଉଁ ପାର୍ଟି ଶାସନକୁ ଆସିବ ସେମାନେ ତା ସେବା କରିବେ, କିନ୍ତୁ ଏମାନେ ନିଜ ନିଜ ଭିତରେ ମେଣ୍ଟ ବାନ୍ଧି ବେଶ୍‌ ଗୋଟାଏ ନିରାପଦ ଗୋଠ ହୋଇ ଖାଲି ନିଜର ସୁବିଧା କରୁଛନ୍ତି । ନିଜର ଧାରଣା ନ ଥିଲା କିଛି, ନୂଆ ନୂଆ ଆସି ସେମାନେ ଭାବନ୍ତି, ନିଶ୍ଚୟ ୟେ ସର୍ଭିସ୍‌ ସଂସ୍ଥା ଭିତରେ ନାନା ଅପାରଗତା, ନାନା ସଇତାନି, ନାନା ରହସ୍ୟ ଥିବ, ତାକୁ ଚଞ୍ଚଳ ପଦାରେ ପକାଇ ପୂରା ସଂସ୍କାର କରିଦେଲେ ସେମାନେ ବାହାଦୂରୀ ପାଇବେ, ତେଣୁ ସେମାନେ ଆଗ୍ରହରେ କାନ ଡେରିବେ କିଏ କଣ କହୁଛି ଶୁଣିବାକୁ । ଗୁଡ଼ାଏ ମନ୍ଥାଚକଟା ହଲାପଟା ଲଗେଇ ଦେଇ କହିବେ ଦେଖ ଭାଇ ଆମେ କେତେ କାମ କରୁଛୁଁ, ଏଥିରେ କାମ ତ ଯାହା ହେବ ଯେ ଛାଡ଼ନ୍ତୁ ଖାଲି କାମିକା ହତିଆରପାତି ହୋଇ ଯେଉଁମାନେ ଥିଲେ, ଯେଉଁମାନେ ତାଲିମ୍‌ ପାଆନ୍ତେ, ସେମାନେ ଅକାମୀ ହୋଇଯିବେ । ଦେଶର ଲାଭ ହେବ ନାହିଁ, ସର୍ଭିସ୍‌ ସଂସ୍ଥାର ଉପାଦେୟତା ବିଗିଡ଼ିବ । ଏଇଟା ଜଳଜଳ ଦିଶୁଛି, ଚାଲିବ ବେଶି ବେଶି । ଚୁଲିକି ଜାଳିଣି କାଠପରି ଏଥିକି ସହାୟକ ହେବ ସର୍ଭିସ୍‌ ସଂସ୍ଥାର ଭିତରର ଲୋକେ, ବାଜେ ଲୋକଙ୍କଠୁଁ ଶସ୍ତା ଜନପ୍ରିୟତା ଆଶାରେ ୟେ ତା ନାଁରେ ସେ ୟା ନାରେ ଫୁସୁରୁ ଫାସୁରୁ ପ୍ରଚାର ଚଳେଇବେ, ସେସବୁ ନୋଟ୍‌ କରୁଥିବେ ରାମା ଶାମା ଦାମାମାନେ, ସବୁ ପ୍ରକାର ନେତାଙ୍କ କାନରେ, ଏମ. ଏଲ. ଏ. ମାନଙ୍କ କାନରେ, ମନ୍ତ୍ରୀମାନଙ୍କ କାନରେ ପକାଇ ଦେଉଥିବେ, ଶେଷରେ କାହାରି ନିରାପତ୍ତା ରହିବ ନାହିଁ । ଆପଣ ବଡ଼ ସହରକୁ ଯାଉଛନ୍ତି ତ,–ନିଜେ ଜାଣିବେ ଯେ ।’’

 

ଚୌଧୁରୀ ତାକୁ ଚାହା ଦେଇ ସାରିଥିଲେ, ସମାନସ୍କନ୍ଧ ବନ୍ଧୁପରି ବ୍ୟବହାର କରୁଥିଲେ, ବିନୋଦର ମନ ଭିତରେ ତାଙ୍କ ପ୍ରତି ଯେଉଁ ସନ୍ଦେହ ଓ ସତର୍କତା ଥାଏ, ଯେଉଁଥିପାଇଁ ସେ ମାପି ଚୁପି ଅଳ୍ପ କହି ଅଥବା ତୁନି ହୋଇ ବସି ବେଳ ଟାଳି ଯାଉଥାଏ, ଟିକିଏ ବେଳ ତା’ ପାଶୋରି ହୋଇ ଯାଇଥିଲା, ସତେ ଯେମିତି ଜାଣି ଜାଣି ଚେଇଁ ରହୁରହୁ ଯେଉଁ ଅଣତରକା ବେଳରେ କାହା ଆଖିପତା ଟିକିଏ ମାଡ଼ି ହୋଇପଡ଼େ, ଆଉ ସେ ବିଳିବିଳେଇଲା ପରି କହିଥିଲା,

 

‘‘କିନ୍ତୁ ଆପଣ ତ ଜାଣନ୍ତି ଆଜ୍ଞା,–ଆମର ଏ ସର୍ଭିସ୍‌ ସଂସ୍ଥା ବୋଲି ଆପଣ ଯାହାକୁ କହୁଛନ୍ତି, ସରକାରୀ କାମ କଲାବେଳକୁ ସିନା ସେ ଗୋଟିଏ ସଂସ୍ଥା, ଯେ ଯାହାର ଯେଉଁ କାମ ସେତକ ସେ କରିବାକୁ ଅଛି, ୟା ଭିତରେ ବ୍ୟକ୍ତିଗତ ଏକତା ଲାଗି ଭିତ୍ତି ହିଁ ନାହିଁ । ତଳୁ ଉପରଯାକେ ନାନା ପାହାଚ, ତହିଁରେ ଭେଦ ଜାତିଆଣ ଭେଦଠୁଁ ବଳି । ଯେ କୌଣସି ଗୋଟାଏ ସ୍ତରରେ ବି, ହିଂସାବାଦ ପୂରିଛି, କ୍ୱଚିତ୍‌ କେହି କାହାରି ଶିରୀ ଦେଖିପାରେ, ପ୍ରତ୍ୟେକେ ଚାହାନ୍ତି ସମସ୍ତିଙ୍କି ଟପି ଉପରକୁ ଉଠିବାକୁ, ଚାହାନ୍ତି କ୍ଷମତା, ପ୍ରତିପତ୍ତି, ଲାଭ କେତେ କଥା । ଜାତିରେ ହେଲେ ଚାକିରିଆ, ଆଗ ନିଜ ସ୍ୱାର୍ଥପାଇଁ ଚାକିରିରେ ପଶିଛନ୍ତି, ନ ହେଲେ ପଶି ନ ଥାନ୍ତେ । ତେଣୁ ନିଜ ନିଜ ଭିତରେ ସବୁବେଳେ ତଳେ ତଳେ ରହିଛି ଈର୍ଷା, ଗୋଡ଼ ଟଣାଟଣି ନାନା କଥା । ସମସ୍ତେ ବି କର୍ତ୍ତବ୍ୟନିଷ୍ଠା କି ସଚ୍ଚୋଟପଣିଆର ଆଦର୍ଶ ନୁହନ୍ତି, ତୁଚ୍ଛାକୁ ପଦାକୁ ଲୋକ ଦେଖାଣିଆକୁ ଭେକ-। କେଡ଼େ କଷ୍ଟରେ ଦେଶ ସ୍ୱାଧୀନ ହେଲା, ଏଇ ସର୍ଭିସ୍‌ ଭିତରେ ଯେଉଁମାନେ ପଚାସଢ଼ା ହୋଇ ରହିଛନ୍ତି ସେମାନଙ୍କର କଣ ସଂସ୍କାର ଦରକାର ନାହିଁ ? ତା ହେଲେ କାମସବୁ କରିବ କିଏ-? ଏଠି କାମିକା ଲୋକ ଆଦର ପାଇବ ନାହିଁ, ଅକାମୀ ଲୋକ ଟାଉଟରି କରି ଉଠି ଉଠି ଚାଲିଥିବ, ଦୁଷ୍ଟ ଲୋକ ଭଲ ଲୋକର ଜୀବନକୁ ଦୁର୍ବହ କରୁଥିବ,–କି ଏକତା କି ମେଣ୍ଟ ଅଛି ଏଥିରେ ଯେ ଆହୁରି ଅଧିକ ଖରାପ ହେବ ?’’

 

କହିଦେଇ ସେ ମନେ ମନେ ପସ୍ତେଇଲା, ‘‘କଣ ମୁଁ କଲି ! କାହାକୁ କଣ କହିଲି !’’ କିନ୍ତୁ ତା କଥାର ପ୍ରତିକ୍ରିୟା ଦେଖି ବିସ୍ମିତ ହେଲା,–ରାଘବ ଚୌଧୁରୀ ମୁହଁ ଫୁଲାନ୍ତେ କଣ, ସେ ହୋ ହୋ ହସି ହସି ଗଡ଼ିଲେ, ତାଙ୍କ ହସ ଶବ୍ଦରେ ଘର ଉଠିଲା ପଡ଼ିଲା, ନିଜକୁ ସମ୍ଭାଳି ନେଇ ସେ କହିଲେ,

 

‘‘ମୁଁ ଜାଣେ ଆମ ସର୍ଭିସ୍‌ରେ ଯୁବକମାନଙ୍କ ଭିତରେ ବି ଏମିତି କେହି କେହି ଆଦର୍ଶବାଦୀ ଅଛନ୍ତି, ଯେମିତି ବାହାରେ । ସଂଖ୍ୟାରେ ଖୁବ୍‌ ଅଳ୍ପ ସତ, କିନ୍ତୁ ଯୁଗେ ଯୁଗେ ସେମାନେ ଥିଲେ, ତାଙ୍କରି ଭିତରୁ କେହି କେହି କେତେବେଳେ ତାଙ୍କ ସ୍ୱପ୍ନ ଆଦର୍ଶକୁ କାବ୍ୟ ଉପନ୍ୟାସ କରି ଲେଖି ଯାଇଛନ୍ତି, କେହି ଲେଖିଛନ୍ତି ନୀତି ଶ୍ଳୋକ । ଭଲ କଲେ, ମଣିଷ ଆଶା କରିବାକୁ ଅନ୍ତତଃ ଦି ଧାଡ଼ି ତ ରହିଗଲା, ଯେ ଭଲ କାମ କଲେ ପୁରସ୍କାର ମିଳେ, ଖରାପ କାମ କଲେ ଦଣ୍ଡ ଭୋଗନ୍ତି, ଭଗବାନ ଭଲ ଲୋକର ଭଲ କରନ୍ତି, ଦୁଷ୍ଟକୁ ସଂହାର କରନ୍ତି, ଓଳି ଘେନି କୋଳି, ତେଲାଉଣି ଘେନି ଚକୁଳି, ଇତ୍ୟାଦି ।’’ ଫେର୍‌ ସେ ହସିଲେ ।

 

ସେ କହିଲେ, ‘‘ସେଇ ଆଦର୍ଶବାଦୀମାନେ ଏ ସଂସାରରେ ଜୀବନ ବିତେଇ ମନେ ମନେ ଆଉ ଗୋଟିଏ ସଂସାରର ମନଲୋଭା ରୂପ ନିଜ ନିଜ କଳ୍ପନାରେ ଗଢ଼ନ୍ତି, ଯାହା ଏ ସଂସାରରେ କେବେ ନ ଥିଲା କି ନାହିଁ, ମନେ ମନେ ଅଭିନୟ କରନ୍ତି ଯେ ସେମାନେ ଦେଖୁଛନ୍ତି ଯେ କଣ ମ୍ୟାଜିକ୍‌ ଘଟିଯାଉଛି, ଏ ମାଟି ଗୋବର ବାଲି ପଥରର ସଂସାର ବଦଳି ଯାଉଛି, ତାଙ୍କ କଳ୍ପନାର ସଂସାର ସତ ହୋଇ ଯାଉଛି । ନାଟତାମସା ସିନେମା ଥିଏଟର୍‌ ଦେଖନ୍ତେ, ନ ହେଲା ବା ମନେ ମନେ ସେଇଆ ଦେଖି ମଉଜ୍‌ କଲେ, ଏଣେ ସାଧାରଣ ଲୋକଭଳି ଯେତିକି ହେଲା ସେତିକିରେ ଚଳି ଦିନ ବିତେଇ ଦେଲେ, ବଡ଼ତି ନ ହେଉ, ବେଶି କ୍ଷତି ହୁଏ ନାହିଁ, ଗୁଡ଼ିଏ ମନଗଢ଼ା ସ୍ୱପ୍ନ ଦେଖିବାରେ ଯେଉଁ ସମୟ ନଷ୍ଟ ହୁଏ ସେତିକି ଛଡ଼ା, ଯେମିତି ତାଆସ ଖେଳିଲେ ବି ହୁଏ । କିନ୍ତୁ ଯୋଡ଼ିଏ ଅବସ୍ଥାରେ ପ୍ରକୃତରେ କ୍ଷତିରେ ପଡ଼ନ୍ତି । ଗୋଟିଏ ହେଲା ଯେତେବେଳେ ନିଜ ସ୍ୱପ୍ନକୁ ସତ ମଣି ସେହି ଅନୁସାରେ କାମ କରିବାକୁ ବାହାରନ୍ତି ସେତେବେଳେ । କୁହୁଡ଼ି ଦେଖି ପାଣି ବୋଲି ଭ୍ରମକରି ଗାଧୋଇ ବସିଲେ ଆଣ୍ଠୁଗଣ୍ଠି ଛିଣ୍ଡେ । ‘ମୋ ଭାଇଲୋ’ ବୋଲି ସ୍ନେହରେ ଡାକି ମାରଣା ଷଣ୍ଢ ମୁହଁକୁ ଗଲେ କଣ ଫଳ ହେବ ? ଯୀଶୁଖ୍ରୀଷ୍ଟଙ୍କୁ କାଠ ଛକି ଉପରେ ଲଖେଇ ତାଙ୍କ ଦେହରେ କଣ୍ଟାପିଟି ଲୋକେ ତାଙ୍କୁ ଯନ୍ତ୍ରଣାଦେଇ ଜୀବନରୁ ମାରିଥିଲେ ଟି ! ଆହୁରି ବେଳେ ସେଭଳି ଲୋକ କ୍ଷତିରେ ପଡ଼ନ୍ତି ଯେତେବେଳେ ତାଙ୍କରି କହିବା କଥା ତାଙ୍କରି ଉପରେ ଓଲଟେ । କିଏ ଗରିବ ଗୁରୁବାଙ୍କୁ ମତେଇଲା, ଲଙ୍ଗଳ ଯାହାର ଜମି ତାର, ମୂଲିଆ ମର୍ଯ୍ୟାଦା ପାଉନ୍ତୁ, ତାଙ୍କର ମୂଲ ତିନିଗୁଣ ବଢ଼ୁ ଭଲ । ସେମାନେ ତା ପୈତୃକ ଜମିତକ ମାଡ଼ି ବସିବେ, ତା ତୋଟାବାଡ଼ି ଉଜାଡ଼ି ଖାଇବେ, ତା ଘରେ ଚାକର ହୋଇ କେହି ରହିବେ ନାହିଁ । ମୂଲିଆଙ୍କୁ ଡାକିଲେ ଗୋଡ଼ ଲମ୍ୱେଇବେ । ସେଇଆ ତ ହୋଇଛି, ଆହୁରି ହେଉଛି, ବୁଦ୍ଧିଜୀବୀ ମିଡ଼ଲ୍‌ କ୍ଳାସ୍‌ ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିଛି । ସେଉଠୁ ବଞ୍ଚିବାକୁ ଅନ୍ୟବାଟ ନ ଦେଖି ଭେକ ନାମାବଳୀ ଫୋପାଡ଼ି ଦେଇ ସେହି ହେବ ଟାଉଟର୍‌, ସେ ବାଟେ ହେଲେ ଲୋକଙ୍କୁ ଅକ୍ତିଆର କରି ନିଜକୁ ସୁବିଧା କରିବ-! ମୋଟ ଉପରେ, ସଂସାରଟା ଆଦୌ ସରଳ ନୁହେଁ ବିନୋଦ ବାବୁ, ଆଦୌ ସରଳ ନୁହେଁ-। ସର୍ଭିସ୍‌ ବିଷୟରେ ଆପଣ ଯାହା ଯାହା ଦୋଷ ତ୍ରୁଟି କଥା କହିଲେ ସେସବୁ ଅଛି ସେଥିରେ, କିନ୍ତୁ ଏକା କଣ ସେଇଠି ? ଯେମିତି ସଂସାରଯାକ ସବୁ କ୍ଷେତ୍ରରେ ତ ଅଛି । ଦୁନିଆଁଟା ଯାକ ସେଇଆ-। ମଣିଷ ଜନ୍ମ ଜୀବନ ସବୁ ସେଇଆ । ନାନା ଅସନା ବୋଳି ହୋଇ ନାଳ ସରସର ହୋଇ ମଣିଷ ଏ ସଂସାରରେ ଜନ୍ମ ହୁଏ । ଏଠି ସୁତୁରା ଖୋଜିବେ କଣ ? ନ୍ୟାୟ ବିଚାର ନୀତି ସଦ୍‌ଗୁଣ ଖୋଜିବେ କଣ ? ଏଠି ଯାହା ମିଳେ, ଯେଉଁଟା ଯାହା, ତାକୁ ଭଲକରି ଚିହ୍ନି କଣ୍ଟା କଥର ଦେଖି ଦେଖି ମଣିଷ ହୁସିଆର ହୋଇ କେମିତି ବାଟ ଚାଲିବ ସେଇଟା ଯେ କଥା । ଆପଣ ଭାବୁଛନ୍ତି ଏଇ ସର୍ଭିସ ସଂସ୍ଥା ଭିତରେ ଯେଉଁମାନେ ଆପଣଙ୍କ ଗୁରୁଜନ ପରି, ବଡ଼ ଭାଇ ପରି, ତାଙ୍କଠୁଁ ନ୍ୟାୟ ବିଚାର ନ ପାଇ ଆପଣ ପଦାରୁ ୟେ ଭୋଟ୍‌ଜିଣା ଲୋକମାନଙ୍କଠୁଁ ତା’ ପାଇବେ-? ତା ହେଲେ ଭୁଲ୍‌ ଭାବୁଛନ୍ତି ।’’

 

ବିନୋଦ ତାଙ୍କର ଲମ୍ୱା ବକ୍ତୃତାକୁ କାନ ପାରି ଶୁଣୁଥିଲା, ଭାବୁଥିଲା, କଣ ଥାଇପାରେ ଏହା ଉହାଡ଼ରେ ? ତାଙ୍କ ନିଜର କିଛି ଛପିଲା ଅଭିଯୋଗ କି ଛାନିଆ ? ସ୍ୱାର୍ଥସର୍ବସ୍ୱ ନିଃସଙ୍ଗ ମଣିଷର ନିଭୃତ ମନ ଭିତରେ କେଉଁଠି କୁହୁଳା ଘଷି–ନିଆଁ ? ତାଙ୍କର ହୋଇଛି କଣ ?

 

କିନ୍ତୁ ତାଙ୍କ ପ୍ରତି ତାର ଏତେ ଟିକିଏ ବି ଭୟ ନ ଥିଲା, ଭାବୁଥିଲା ସେ ତାଠୁଁ ପରାମର୍ଶ ହିଁ ମାଗୁଛନ୍ତି । ପୁଣି ତାର ମନ ପଡ଼ୁଥାଏ, ଏଇ ସେହି ଲୋକ,–ଦୁର୍ନୀତି ଅବିଚାର ମିଥ୍ୟା ଶଠତା ସ୍ୱାର୍ଥପରତା ମଦାନ୍ଧତାର ଗୋଟିଏ କୁତ୍ସିତ ମୂର୍ତ୍ତି ବୋଲି ଯାହାଙ୍କ ବିଷୟରେ ତାର ଧାରଣା ରହି ଆସିଛି, ଅଥଚ ପୁଣି ଲାଗୁଛି ସେ ନିଜର ତଳିଯାକେ ସବୁ ଦୀନତା ତାକୁ ଦେଖାଇ ଦେଉଛନ୍ତି, ଲୋକଟା ମାଡ଼ିବସି ଖାଇଲା ବେଳେ ବାଘପରି, ଅଥଚ ପ୍ରକୃତରେ ଗୋଟାଏ ଡରୁଆ ଦୁର୍ବଳିଆ ଚତୁର ବିଲୁଆ ।

 

ସେ ବି ହସିଦେଲା । କହିଲା, ‘‘ଆମେ ସବୁ କାଲିକାର, ଆପଣଙ୍କ ଆଗରେ ଆମେ କଣ ଜାଣୁ ! କେତେ ବାଟ ବା ଦେଖିପାରୁଁ ! ଆପଣଙ୍କ ଅଭିଜ୍ଞତା ଆମର କାହୁଁ ହେବ ? କିନ୍ତୁ କହନ୍ତୁ ସାର୍‌, ଏଇ ଯେଉଁ ନିର୍ବାଚିତ ପ୍ରତିନିଧି ଶାସନ ଚଳେଇବେ ତାଙ୍କଠୁଁ ଆମେ ନ୍ୟାୟ ବିଚାର ଆଶା ନ କରିବା କାହିଁକି ? ତାଙ୍କଠୁଁ ଆମର ଆଶଙ୍କା ବା କଣ ? ଆମର ନିଜର ଦୋଷ ଦୁର୍ବଳତା ନ ଥିଲେ କେହି ଆମର କିଛି ଅନିଷ୍ଟ କରିପାରେ ? ଆପଣ ତ ଦେଖିଥିବେ ସାର୍‌, ମୁଁ ମୋ ବିବେକ ଅନୁସାରେ ନିୟମ ମାନ ମାନି ମୋ କାମ କରିଯାଏଁ, ନିଜ ପାଇଁ କିଛି ଆଶା କରେ ନାହିଁ କି କାହାରିକି ଡରେ ନାହିଁ । ମୋ ବାଟରେ ମୁଁ, ସିଧାବାଟ, ଆଉ ଡରିବାର ଜଗିବାର କଣ ଅଛି ? ସତେ ସାର୍‌, ଆପଣଙ୍କ ଉପଦେଶ ମାଗୁଛି ।’’

 

ରାଘବ ଚୌଧୁରୀ କହିଲେ, ‘‘ଯେ ନିଜ ମନେ ମନେ ଯେଡ଼େ ଠିକ୍‌ ବାଟରେ ଚାଲିଥାଉ, ତା ବାଟଟା, ଭୁଲ୍‌ ବାଟ ବୋଲି ଆଉ ଜଣେ କହିଦେଇ ପାରିବ ନାହିଁ ?’’

 

‘‘କାହିଁକି କହିବ ?’’

 

‘‘ତାକୁ ନ ସୁହାଇଲେ କହିବ । ତା ସ୍ୱାର୍ଥରେ ବାଧା ପଡ଼ିଲେ କହିବ । ଆଉ ଯଦି ତା’ ହାତରେ କ୍ଷମତା ଥିବ ତେବେ ସେ ହଇରାଣ ବି କରିଦେବ । ଚାକିରିରେ ଅପଦସ୍ଥ କରିବା, ବାରମ୍ୱାର ଅଖାଡ଼ୁଆ ଜାଗାକୁ ଅବେଳାରେ ବଦଳି କରିବା ମିଛରେ ମକଦ୍ଦମାରେ ପକାଇବା,–ଆପଣ ତାକୁ ଅଟକେଇ ପାରିବେ ? କ୍ଷମତା ମଣିଷର ମୁଣ୍ଡ ବିଗାଡ଼ି ଦିଏ । ଯେଉଁମାନେ ଆସିବେ ତାଙ୍କ କଥା ଭାବନ୍ତୁ । ନାନା ଉପାୟରେ ଲୋକଙ୍କୁ ପଟେଇ ହାତ କରିବା, ତାଙ୍କ ସର୍ଦ୍ଦାର ହେବା, ଏଇଟା ସେ ଅଭ୍ୟାସ କରିଥିବେ ମୂଳୋହୁଁ, ଆଉ କିଛି କରି ନ ଜାଣିଥାନ୍ତୁ । ସେ ଶକ୍ତି ନ ଥିଲେ ଭୋଟ ଜିଣିବେ ? କହନ୍ତୁ, ଆପଣ ସେ ବିଦ୍ୟା ଅଭ୍ୟାସ କରିଥିଲେ ?’’

 

ବିନୋଦ ହସିଲା । କହିଲା, ‘‘ନାହିଁ ।’’

 

‘‘ଦେବା ଦିଆଇବା ଦେ’ ପଦ ବୋଲାଇବାଠୁଁ ଯେ ନାନା କାଇଦା କଦର, ଦିନୁଁ ଦିନ ଆହୁରି ଆହୁରି ଉଦଭାବନ ହେବ । ତାଙ୍କର ଦରକାର ଲୋକ ବଳ, ଯେ ତାଙ୍କୁ ପୁଣି ଦରକାର ବେଳେ ଭୋଟ୍‌ ଦେବେ, ଦିଆଇବେ । ନ ହେଲେ ଆଉ ଲେଉଟିବା ପଟିବ ନାହିଁ, କ୍ଷମତା ଗଲା । ଆଗ ସେଇଟା ଜରୁରି ନା ଆଗ ମୋ ପରି ଆପଣଙ୍କ ପରି ପାଞ୍ଚ ଗଣ୍ଡାଙ୍କ ହିତ ଖୋଜିବା ଜରୁରି ? ଆଗ ସେଇଟା ଜରୁରି ନା ଆପଣଙ୍କ ନୀତି, ବିବେକ, ସଦ୍‌ଗୁଣାବଳୀ, କାର୍ଯ୍ୟଦକ୍ଷତା, ଆପଣ କେଡ଼େ କଠିନ ଦାୟିତ୍ୱ ତୁଲେଇ ଦେଲେ ସେଇଆକୁ ବାହାବାହା ଦେବା ଜରୁରି ? ଭାବନ୍ତୁ । ତାଙ୍କର ବି ସେଇଆ, ବଚ୍ଚା ଅପ୍‌ନା ବଚା । ଆପଣ କି କାମଦାମ ସେସବୁ ସେମାନଙ୍କ ଆଖିରେ ସେହି ପରିମାଣରେ ଜରୁରି ଯେତିକି ପରିମାଣରେ ତାଙ୍କ କ୍ଷମତାଟା ଆହୁରି ଆହୁରି ପଟ୍ଟା ପାଇବାରେ ତା ସାହାଯ୍ୟ କରିବ, ନ ହେଲେ ଖାଲି ମାମୁଲି–ଜରୁରି ନୁହେଁ ।’’

 

ବିନୋଦ କହିଲା,–‘‘ଆଉ ଦେଶସେବା ?’’

 

ସେ ହସିଲେ, କହିଲେ ‘‘ଦେଖିବେ ।’’ ଟିକିଏ ରହି କହିଲେ ‘‘ଦେଶ ସେବାର ନାଁ ତ ସବୁଦିନେ ଥିବ ହିଁ, ଆଉ କୁଆଡ଼େ ଯିବ ? କିନ୍ତୁ ସେମାନେ ଭାବିବେ, ସେଥିପାଇଁ ସୁଯୋଗ ପାଇବାକୁ ଉପାୟ କରିବାଟା ତ ତାଠୁଁ ଆଗ । ଦେଖିବେ, ଦିନ ଯହୁଁ ଯିବ ସେହି ଉପାୟଟା ସର୍ବଗ୍ରାସୀ ହେବ ।’’

 

‘‘ଆମର କଣ ହେବ ?’’ ବିନୋଦ ପଚାରିଲା ।

 

‘‘ଆମର ? ବହୁତ କଥା ହେବ । ସବୁବେଳେ ଖୋଜା ଚାଲିବ ମାମକାଃ କିଏ ପାଣ୍ଡବାଃ କିଏ । ଘାଟି ମୁଣ୍ଡରେ ରଖା ହେବେ ମାମକାଃ, ଯେତେବେଳେ ଯେ, ଯାହାଠୁଁ ଯେତେବେଳେ ଯାକେ ଫାଇଦା ଉଠିବ । ତାପରେ ମଦଘଡ଼ା, କାମ ସରିଲେ ଗଡ଼ଗଡ଼ା । ଓଡ଼ିଆ ଲୋକେ ବେଶି ଧର୍ମଭୀରୁ କହନ୍ତି । ନାଁ ଅଛି, ପେଟରେ କଥା ରହେ ନାହିଁ, ପରବାୟ ନାହିଁ । ସେପରି ହେଲେ ଅନ୍ୟମାନେ ଅଛନ୍ତି । ଚାଲିବ ଠିକ୍‌ । ବିନା ପରୀକ୍ଷାରେ ବାଛି ବାଛି ଆଇ. ଏ. ଏସ୍‌. ଯେଉଁମାନେ ହେଲେ,–ଏମର୍ଜେନ୍‌ସି ରିକ୍ରୁଟ୍‌ମେଣ୍ଟ, ତାଲିକାଟା ଥରେ ଦେଖନ୍ତୁ ।’’

 

‘‘ଆରେ ସତେ ତ !’’ –ବିନୋଦ ଭାବିଲା, ‘‘ତା ହେଲେ କଣ ରାଘବ ଚୌଧୁରୀ ବି ଆଶା କରିଥିଲେ ହେବେ ବୋଲି !’’ କହିଲା, ‘‘କିନ୍ତୁ ମୁଁ ବିଶ୍ୱାସ କରୁଛି ସାର୍‌, ସବୁ ଭଲ ହେବ, ଲୋକ ପ୍ରତିନିଧିମାନେ ଲୋକଙ୍କ କଥା ଆମଠୁଁ କମ୍‌ ବୁଝିବେ ତା ମୁଁ ଭାବିପାରୁନାହିଁ ।’’

 

‘‘ଆରେ, ଆଉ ଟିକିଏ କଫି ଆଣ୍‌ରେ । ଯା, ଘରୁ ଆଣ ।’’ ରାଘବ ଚୌଧୁରୀ କହିଲେ । ପୁଣି ବିନୋଦକୁ କହିଲେ ‘‘ଆପଣ ଚାଲି ଯାଉଛନ୍ତି, ଆଜି କିନ୍ତୁ ଭାରି ମନ ହେଉଛି ଆପଣଙ୍କ ସଙ୍ଗେ ଗପିବି ବୋଲି । ଗୋଟିଏ ସ୍ୱଚ୍ଛ, ପବିତ୍ର, ସରଳ, ଉଦାର ମଣିଷ ଦେଖିଲେ’’,–ଟିକିଏ ଅପ୍ରସ୍ତୁତ ହୋଇଯାଇ କହିଲେ, ‘‘ମାନେ ଆପଣଙ୍କ ସଙ୍ଗେ ଆଗରୁ ଗପିଥିଲେ କେଡ଼େ ଖୁସି ହୋଇଥାନ୍ତି । ଏ ଚାକିରି କାମ ଯାହା, ୟେ ଗୋଟାଏ ରୋଗ, ମଣିଷ ସ୍ୱାଭାବିକ ହୋଇ ପ୍ରକୃତିସ୍ଥ ହୋଇ ଦଣ୍ଡେ ବସିବ, ମନ ଖୋଲି କାହାସଙ୍ଗେ ଗପିବ, ଆଦୌ ତା ନାହିଁ । ସବୁବେଳେ ମୁଖା ଆଉ ଲୁହା ସାଞ୍ଜୁ ଆଉ ତା ଉପରେ ଯାତ୍ରା ପୋଷାକ ! ଧନ୍ୟ !’’

 

ସେ ଶୂନ୍ୟକୁ ଅନେଇଁ ଫେଁ ଫେଁ ଦୀର୍ଘଶ୍ୱାସ ପକାଇଲେ । ଝରକା ବାଟେ ପଦାରେ ଦିଶୁଛି ଚେନାଏଁ ପଡ଼ିଆ, ଆଉ ନାଲି ଟାଙ୍ଗର ନାହିଁ, ସ୍ଥାନେ ସ୍ଥାନେ ହାଲୁକା ତୂଳୀରେ ପାଣିଚିଆ ଶାଗୁଆ, କେତୋଟି ଶାଗୁଆ ଅସରାର ଅବଦାନ, ଆଉ ଦିଶୁଛନ୍ତି ଏପଟୁ ସେପଟ ଯାଉଥିବା କେହି କେହି ଗାଁ ଲୋକେ, ଗୋରୁ, ଆମ୍ୱ ଗଛ ଅରାଏ । କେଉଁ କାଳର ମଠୁଆ ମଠୁଆ ପରୁଣା ଦୃଶ୍ୟ, ନୂଆ କିଛି ନାହିଁ, ବିନୋଦ ଭାବିଲା,–ଖାଲି ଏଇ ଲୋକଟି ଛଡ଼ା ।

 

ହଠାତ୍‌ ସେ କହିଲେ, ‘‘ମୁଁ ବି ଦିନେ ହୋଇଥିଲି ଅବିକଳ ଆପଣଙ୍କ ପରି ବିନୋଦ ବାବୁ, ଆପଣଙ୍କ କଥା ଭାବିଲେ ମୋର ସେହି ନିଜ ଅତୀତର ‘ମୁଁ’ କଥା ଭାବିଥାଏଁ, ତା ପ୍ରତି ମମତା ତ ଆସେ, ପୁଣି ତା’ ପ୍ରତି କଠୋର କଟୁ ଦୃଷ୍ଟି ବି ପଡ଼େ । ସେଥିରେ କିଛି ହେବ ନାହିଁ ବୋଲି ମୋର ଦୃଢ଼ ବିଶ୍ୱାସ ହେବାରୁ ତ ମୁଁ ତାକୁ ଛାଡ଼ି ନିଜକୁ ବଦଳେଇଲି, ନ ହେଲେ କାହିଁକି ? ସେହି ପରିବର୍ତ୍ତନର କାହାଣୀ ଆପଣଙ୍କୁ କହିଲେ ଆପଣ ଚମତ୍କୃତ ହୋଇଥାନ୍ତେ ବିନୋଦ ବାବୁ, ଥାଉ, ଦରକାର କଣ, ଦିନ ବୋହି ଯାଇଛି ।’’

 

ପୁଣି ସେ ଅନ୍ୟମନସ୍କ ହୋଇ ଗୁମ୍‌ ହୋଇ ରହିଲେ ।

 

ବିନୋଦ କାବାହୋଇ ତାଙ୍କୁ ଅନାଇଁଥାଏ, ଆଖି ବୁଲାଇ ନେଇପାରୁ ନ ଥାଏ, ତାଙ୍କ ପ୍ରତି ତାର ସବୁ ବିଦ୍ୱେଷର ଧାରଣା ଭୁଲିଯାଇଥାଏ, ଭାବୁଥାଏ,–ବାହାରକୁ ଦିଶୁଛନ୍ତି ଶୋଠଲ, ଢୋଲା, ଏଡ଼େ ମଣିଷ, ଭିତରେ ଟଳଟଳ ମେଢ଼ିଆ ବାଙ୍କୁଲି ବୁଢ଼ାଲୋକ, ବାଡ଼ିଟି ଉପରେ ମୁଠା ବି ଶିଥିଳ, ଥରଥର ତାର ମନରେ କ୍ଷୋଭ, ନିରାଶା, ଅସହାୟତା,–ଆଉ ଏଇଠି ତ ତାର କାମ, ବିନୋଦର, ସେ ଧରିପକାଇବ, ସାହାଯ୍ୟ କରିବ ।

 

ହଠାତ୍‌ ରାଘବ ଚୌଧୁରୀ ସତେ ଯେମିତି ନିଦରୁ ଉଠି ପଡ଼ିଲେ, କହିଲେ ‘‘ହଁ, ଯେଉଁ କଥା କହୁଥିଲି । ଆପଣ ଖୁବ ବିଶ୍ୱାସ କରିଛନ୍ତି ଲୋକପ୍ରତିନିଧି ଶାସକମାନେ ଆପଣଙ୍କ ଗୁଣ ବୁଝିବେ, ଆପଣଙ୍କୁ ଆଦର କରିବେ, ଟେକିବେ । ଏଭଳି ବିଶ୍ୱାସ ଆପଣଙ୍କ ଅମଳର ଆଉ କେତେଜଣଙ୍କର ବି ଥିବ । କିନ୍ତୁ ଆପଣମାନେ କଣ ଆଖିକାନ ବୁଜିଛନ୍ତି ? ଲୋକଗହଳିରେ ଥିଲାବେଳେ ଲୋକଙ୍କୁ ଦେଖାଇ ଦେଖାଇ ଆପଣମାନଙ୍କୁ ବେଠିଆ ବେଗାଡ଼ି ପରି ବ୍ୟବହାର ଦେଖାଇଲେ ସେମାନେ ଖୁସି, ଲୋକେ ଜାଣନ୍ତୁ, ତାଙ୍କୁ ଘୋଡ଼ାଚଢ଼ି ଆସେ । କାହା ସ୍ଥାନ କେତେ ତଳେ ତା ତାକୁ ଦେଖାଇ ଆସେ । ଗିଳୁଥାନ୍ତୁ ଆପଣଙ୍କ ଅଇ କି ପିତ୍ତ, ତାଙ୍କର କି ଯାଏ ? ଭାଷଣ ଦେଲାବେଳେ ଲୋକଙ୍କୁ ବୁଝାଇଥାନ୍ତି, ଏଣିକି ଏମାନେ ତୁମ ନୌକର, ସେଥିପାଇଁ ଦରମା ପାଆନ୍ତି, ତାଙ୍କୁ ଡର ନାଇଁ, ତାଙ୍କ ଦ୍ୱାରା କାମ କରାଇବା ତୁମ ଦାୟିତ୍ୱ । ସେମାନେ କାମରେ ଗଫଲ୍‌ତି କଲେ ଆମେ ଅଛୁ ।’’

 

ବିନୋଦ ହସିଲା, କହିଲା ‘‘ସେସବୁ ହୁଏତ ସେମାନଙ୍କର ଜନପ୍ରିୟ ହେବାର ବାଗବରଗ । ଆଉ ଗୋଟିଏ କଥା, ସ୍ୱାଧୀନତା ସିନା ଆସିଛି, ସାଧରଣ ଲୋକ ଅନୁଭବ କରିବା ଦରକାର ଯେ ସେ ସ୍ୱାଧୀନ ହେଲାଣି । ସରକାରୀ କର୍ମଚାରୀଙ୍କି ତାର ଯୁଗଯୁଗର ଡର, ସେ ଡର ନ ଭାଙ୍ଗିଲେ କେମିତି ସେ ତୁଣ୍ଡ ଖୋଲି ତାର ଅଭାବ ଅସୁବିଧା କଥା କହିବ ? ସହଯୋଗ ବି ଦେବ ?’’

 

‘‘ସେକଥା ମୁଁ ମାନୁଛି, କିନ୍ତୁ ସେମାନଙ୍କ ଉଦ୍ଦେଶ୍ୟ କେବେହେଲେ ତା ନୁହେଁ । ଭାବନ୍ତୁ, ସେମାନଙ୍କ ପୃଷ୍ଠଭୂମି, ଉପାଦାନ, କଣ ? ତହିଁରେ ମଣିଷ ମନ ଯେପରି ହୋଇଥିବ, ତାଙ୍କ ଆଖିରେ ଦୁନିଆ କେମିତି ଦିଶୁଥିବ । ଆପଣମାନେ କେମିତି ଦିଶୁଥିବେ । ତା ହେଲେ ଇ ବୁଝିପାରିବେ ।

 

ଆଗ ଆଗ ନିର୍ବାଚନରେ ଜିତି ନେତା ହୋଇ ଯେଉଁମାନେ ଆସିଲେ କି ଆସିବେ ଦିନାକେତେ, ସେମାନେ ସ୍ୱାଧୀନତା ଆନ୍ଦୋଳନରେ ଭାଗ ନେଇଥିବା ଲୋକ, ଆପଣମାନଙ୍କ ପରି ଅଫିସରମାନଙ୍କ କଚିରିରେ ଆସାମୀ ହୋଇ ଠିଆ ହୋଇଥିବେ, ଜାମିନ୍‌ ନ ଦେଇ ସେମାନଙ୍କୁ ଜେଲ ହାଜତକୁ ପଠାଇଥିବେ ଆପଣମାନେ, ଜେଲ୍‌ ବି ଦେଇଥିବେ । ଶହେ ଚୌରାଳିଶି ଧାରା, ଲାଠିମାଡ଼ ଅର୍ଡ଼ର, ଫାୟାରିଂ ଅର୍ଡ଼ର, ନାନା ହୀନସ୍ଥା, ସଂପତ୍ତି ବାଜ୍ୟାପ୍ତି, ସବୁ କରିଥିବେ ଏଇ ସର୍ଭିସ୍‌ର ଲୋକେ । ସେମାନେ ଜାଣନ୍ତି ସେ କର୍ମଚାରୀମାନେ ଇଂରେଜ ଶାସକଙ୍କ ଚାକିରି କରୁଥିଲେ, କିଏ ସେ ସରକାରର ପ୍ରିୟ ହେବାକୁ, କିଏ ଅବା ବାଧ୍ୟରେ ପଡ଼ି ବିବେକ ବିରୁଦ୍ଧରେ ଅପ୍ରିୟ କାମ କରୁଥିଲେ । ସେମାନେ ପଦାରେ ଯେତେ କହିଲେ ବି ଭୁଲି ପାରିବେ କି ? ତାଙ୍କର କି ବିଶ୍ୱାସ ଆପଣମାନଙ୍କ ଉପରେ ? କି ଶ୍ରଦ୍ଧା ? ସେମାନେ ଭାବୁଥିବେ,–ଏଇମାନେ ତ ! ଦରକାର ପଡ଼ିଲେ ନିଜ ବାପକୁ ବି ବିକିଦେବେ । ଲୋଭ ଦେଖାଇଲେ ଗୋଡ଼ାଇଥିବେ ।’’

 

ବିନୋଦ କହିଲା, ‘‘ଦରକାର ବୋଧହୁଏ ଥିଲା ସ୍ୱାଧୀନତା ସଙ୍ଗେ ସଙ୍ଗେ ଶାସନକଳର ନୂଆ କଳେବର, ଭିନେ ପ୍ରକାରେ । ବୋଧହୁଏ ସେ ବିଷୟରେ ଭାବିବାକୁ, କରିବାକୁ ଅଭିଜ୍ଞତା ନାହିଁ, ପୁଣି ବେଳ ବି ନ ଥିଲା, ତା ଉପରେ ପାହାଡ଼ ପରି ସମସ୍ୟା ।’’

 

‘‘ଆଉ ବେଳ ପାଇବେ ବି ନାହିଁ ବିନୋଦବାକୁ, ଯାହା ରହିଲା, ଇଂରେଜ ଯେଉଁ ଛାଞ୍ଚ ଯେଉଁ କଳ ଥୋଇ ଦେଇ ଗଲେ, ଏମାନେ ସେଇଆକୁ ରଖିଥିବେ, ତାକୁ ଘୃଣା କରୁଥିବେ ସନ୍ଦେହରେ ଦେଖୁଥିବେ, କିନ୍ତୁ ରଖିଥିବେ । ନିଜଗୋଡ଼ରେ ଭରାଦେବା ଆରମ୍ଭ ନ କଲେ କାଲି ଛାଡ଼ିବି କାଲି ଛାଡ଼ିବି କହି କେହି ବାଡ଼ି ଖଣ୍ଡିକର ଆଶ୍ରା ଛାଡ଼ିପାରେ ନାହିଁ ।

 

କିନ୍ତୁ ଆମ ଭିତରେ ବି ଥୋଡ଼ାଏ ଚଲାଖ ଚାଇଁ ଚତୁରିଆ ଅଛନ୍ତି, ସେମାନେ ନାନା ଉପାୟରେ ଉପରବାଲାଙ୍କ ମନମୋହି ତାଙ୍କ ଦ୍ୱାରା ଯାହା ଇଚ୍ଛା ତା କରାଇନେବେ, ସେମାନେ ଭାଲୁ–ନଚେଇବା ସାପ–ଖେଳେଇବା ଓସ୍ତାଦ୍‌, ତାଙ୍କୁ ଇ ପାଳକ ପଡ଼ିଲା । ବଡ଼ର ଗୋଡ଼ଧରି ପଡ଼ିଯିବା, ସାନକୁ ଗୋଇଠା ମାରିବା, ତାଙ୍କଠିଁ ଆଖି ପଲକ ପଡ଼ିଲାଭଳି ଆପେ ଆପେ ଘଟେ । ଏଇଟା ହେଲା ପୁରୁଣା ରଜା–ରାଜୋଡ଼ିଆ କି ବାଦ୍‌ଶା ଅମୀର ନବାବ୍‌ ଥିବା ଜାଗାମାନଙ୍କର ପାର୍ଶ୍ୱଚର ଓ ଗୋଡ଼ାଣିଆଙ୍କ କଳା, ସେଉଠୁ ତାଙ୍କ ଦୟାଦମାନଙ୍କଠିଁ ଅବତରି ଥାଏ । କିଏ ଦକ୍ଷିଣରୁ ଆସିବେ, କିଏ ଉତ୍ତରରୁ, କିଏ ଗଡ଼ଜାତରୁ, ସେଉଠୁ ଦେଖିବେ ଓଡ଼ିଶା କଣ ହେବ ।’’

 

ବିନୋଦ କହିଲା, ‘‘କେହି ଦେବତା ନୁହେଁ ସାର୍‌, ନିର୍ବାଚିତ ନେତାମାନେ ବି ସାଧାରଣ ମଣିଷ । ଆନ୍ଦୋଳନ ବେଳର ତାତି ଆଉ ତାଙ୍କଠିଁ ଦିଶିବ ନାହିଁ, ଧିମେଇଲେଣି । ଏଇଟା ବି ସତ ଯେ ସେମାନେ ଯେଡ଼େ ବିବେକୀ, ବିଚାରବନ୍ତ ହୁଅନ୍ତୁ ପଛେ ଅତୀତର ଧାରଣା ଅତୀତର ସ୍ମୃତି ତାଙ୍କ ମନରୁ ପୋଛି ପାରିବେ ନାହିଁ । କିନ୍ତୁ ସ୍ୱାଧୀନତାର କେଇଟା ବର୍ଷ ଅବା ହେଲାଣି; ଦିନ ଯହୁଁ ଯିବ, ସେମାନେ କଣ ମଣିଷ ଚିହ୍ନିବେ ନାହିଁ ? ସନ୍ଦେହ ପ୍ରତିହିଂସା ଭୁଲିବେ ନାହିଁ ? ଯେଉଁମାନେ କାମ କରିବାକୁ ଅଛନ୍ତି ତାଙ୍କୁ ଘେନି ସେମାନେ କାମ କରିବାକୁ ପଡ଼ିବ ତ ? ଅଇଛା ତ ସେଇ କାମର ଜଞ୍ଜାଳ ପ୍ରଧାନ ।’’

 

ରାଘବ ଚୌଧୁରୀ କହିଲେ, ‘‘ସେମାନେ ଅଭିଜ୍ଞ ହେବେ, ପାକଳ ହେବେ, ସତ କଥା । କିନ୍ତୁ ସବୁଦିନେ ସେଇମାନେ ନ ଥିବେ । ଅନେକ ବୁଢ଼ା, ଦରବୁଢ଼ା, ଆଉ ଅନେକ ଯେଉଁମାନେ ତା ନୁହନ୍ତି, ସେମାନେ ବି ରହିବେ ନାହିଁ, ୟେ ତ ଗୋଡ଼ ଟଣାଟଣି କାରବାର, ଜଣକୁ ଓଟାରି କାଢ଼ିଦେଲେ ଆଉ ଜଣେ ସେଠିକି ଯିବ । ବାଦବୁଦିଆ ସବୁବେଳେ ଲାଗିଥିବ । ଆପଣମାନେ ଥିବେ, ଯେମିତି ଶଚୀଦେବୀ ଥାଆନ୍ତି, ଇନ୍ଦ୍ରମାନେ ବଦଳୁଥାନ୍ତି । ଚାକିରି ସଂସ୍ଥାଟା ସେଇଆ ସେଇମିତି । ସେଉଠୁ କେମତିଆ ଲୋକେ ଆସିବେ ଆସିବେ ବୋଲି ଆପଣ ଭାବୁଛନ୍ତି ?’’

 

ବିନୋଦ କହିଲା, ‘‘ଗଣତନ୍ତ୍ର ବିଷୟରେ ଚେତାନା ଆହୁରି ଭିତରକୁ ଭିତରକୁ ଭେଦିଥିବ-। ଶିକ୍ଷା ତ ବ୍ୟାପୁଛି । ଆହୁରି ବ୍ୟାପିଥିବ, ବଢ଼ିଥିବ । ଅଧିକ ଶିକ୍ଷିତ ଅଧିକ ସମର୍ଥ ଲୋକ ବାହାରିବେ ।’’

 

‘‘ହଉ ହେଲା । ଅଧିକ ବି.ଏ, ଏମ୍‌.ଏ.,ବି.ଏଲ୍‌ ଆଦି ଉପାଧିଧାରୀ, କିଏ ଆଉ କେଉଁ ବିଦ୍ୟାରେ ପାରଙ୍ଗମ । କିନ୍ତୁ ସେଭଳି ତ ଦେଶରେ ଅନେକେ ଥିବେ, ସେହିମାନେ ଆସିବେ କେଉ ବଳକା କାରଣ ଯୋଗୁ ? କାରଣ ହେଲା ଗୋଟିଏ,–ଲୋକଙ୍କୁ ମତେଇବା ଶକ୍ତି ତାଙ୍କଠିଁ ଥିବ । ପ୍ରଭାବିତ କରିବା ଶକ୍ତି, ଉପାୟ ଭିନେ ଭିନେ ହୋଇପାରେ । କାରଣ ସେମାନେ ସ୍ୱାଧୀନତା ଆନ୍ଦୋଳନରେ ଭାଗୀ ନ ଥିଲେ ଯେ ସେଇଆ ମନେ ପକାଇ ଲୋକେ ତାଙ୍କପ୍ରତି ଗଦ୍‌ଗଦ ହେବେ-। ସେତେବେଳେ ସେମାନେ ପିଲା, କାହା ଜନ୍ମ ସ୍ୱାଧୀନତା ପରେ । ସେ ଶକ୍ତି, ପ୍ରଭାବ, ଅଭିଜ୍ଞତା କଣ ଏକା ଦିନକେ ଆସିବ ? ନା, ଆଗ ଇସ୍କୁଲ କଲେଜରେ ନେତା ହେବେ । ସେଉଠୁ ଝୁଣ୍ଟି ଝୁଣ୍ଟି ଆୟତ୍ତ କରିବେ କେମିତି ପଞ୍ଚାଏତ୍‌, ବ୍ଲକ୍‌, ମୁନିସିପାଲିଟି, ଜିଲ୍ଲାବୋର୍ଡ଼, କୋପରେଟିଭ ସଂସ୍ଥା ଆଦିରେ ନିର୍ବାଚନ ଜିତିବାକୁ ପଡ଼େ, ସେଠି ବି ମୁଖିଆ ହୋଇହୁଏ, ସେଥିପାଇଁ କି ପ୍ରକାର ବଳ ଦରକାର କି ପ୍ରକାର କୌଶଳ ଦରକାର । ତାଙ୍କ ପୂର୍ବ ଲୋକଙ୍କ ଅମଳରେ ଶାସନକଳର ମେରୁଦଣ୍ଡ ନମନୀୟ ହୋଇସାରିଥିବ, ସେମାନେ ତାରି ସୁଯୋଗ ନେବେ । ରଖିଦିଅ ତମ ନିୟମ କାନୁନ୍‌, ତୁମ କୁନ୍ତୁକୁନ୍ତୁ ଦୁଡ଼ୁଗୁଡ଼, ସେମାନେ କହିବେ, ଆମେ ଯାହା କରିବୁଁ ସେଇଟା ଆଇନ୍‌, ଆମେ ତ ଆଇନର କାରିଗର’ । ତେଣୁ ବାବୁ, ବୋଲମାନ, ନ ହେଲେ ବାଟ ଦେଖ ।’’

ଦିହେଁ ଗୁମ୍‌ ହୋଇ ରହିଗଲେ । ବିନୋଦ ସେତେବେଳେ ବି ଭାବୁଥାଏ,–କାହିଁକି ତା ସଙ୍ଗେ ଏସବୁ କଥା ? ହଠାତ୍‌ !

ରାଘବ ଚୌଧୁରୀ କହିଲେ, ‘‘ଏତେ ପ୍ରକାର ଘାଣ୍ଟଚକଟ ଭିତରେ ଆମ ସର୍ଭିସ ବି ବଦଳିଯିବ ଆପେ, ଅବସ୍ଥା ଅନୁସାରେ ମଣିଷ ବଦଳନ୍ତି, ସଂସ୍ଥା ବଦଳେ, ବଦଳି ବଦଳି ଖୋଜୁଥାନ୍ତି କେମିତି ଚଳିଲେ ବିପଦ ପଡ଼ିବ ନାହିଁ, ବରଂ ନିଜର ଲାଭ ହେବ । ଏବେ ଭାବନ୍ତୁ ଦେଶର ଚିତ୍ରଟା-। ପାଖେ ସାଧାରଣ ଲୋକ, କଷ୍ଟ ଭୋଗୁଛି, ଆଶା କରୁଛି, ଅଧୀର ହେଉଛି । ପାଖେ, ନିର୍ବାଚିତ ନେତାମାନେ,–ଦଳମତ ନିର୍ବିଶେଷରେ,–ପ୍ରଧାନ ଚିନ୍ତା ନିଜ ପାଇଁ, କଣ କଲେ କ୍ଷମତା ମିଳିବ, ରହିବ, ଫେର୍‌ ମିଳିବ,–କାଳେ ପୁଣି ନ ମିଳେ ତେଣୁ ଭବିଷ୍ୟତ ପାଇଁ କିଛି ଦମ୍ଭ ସଂସ୍ଥାନର ବ୍ୟବସ୍ଥା-। ପାଖେ ତାଙ୍କ ଶାସନକଳ,–ପ୍ରଧାନ ଚିନ୍ତା ନିଜ ନିରାପତ୍ତା, ନିଜ ସ୍ୱାର୍ଥ, ସବୁବେଳେ ସତର୍କ ରହି ନାନା ବୁଦ୍ଧି, କିଏ ଶତବୁଦ୍ଧି, କିଏ ସହସ୍ରବୁଦ୍ଧି । କିନ୍ତୁ ଜିତିବ ସେ ଯେ ଏକବୁଦ୍ଧି, ଆତ୍ମରକ୍ଷାର ବାଟ ଖୋଲା ରଖିଛି । ଅଇଚ୍ଛା ସ୍ଥାନ ଖୋଜନ୍ତୁ ଆପଣଙ୍କ ଆଦର୍ଶବାଦ ପାଇଁ ।’’

‘‘ଅଛି ସାର୍‌,’’ ବିନୋଦ ଗମ୍ଭୀର ହୋଇ କହିଲା ।

‘‘ଅଛି ? କେଉଁଠି ?’’

‘‘ଦେଶର କୋଟି କୋଟି ମଣିଷଙ୍କ ଭିତରେ । ସେମାନେ ଗୋଟି ଗୋଟିକିଆ ହୋଇ କିଏ କଣ, ଲୋଭୀ, ସ୍ୱାର୍ଥପର, ଯେ ଯାହା ହେଉ । ଏକାଠି ମିଶି ସେମାନେ ବାସୁକୀ, ଯେ ପୃଥିବୀର ଭାରା ସମ୍ଭାଳନ୍ତି । ଗୋଟି ଗୋଟିକିଆଙ୍କର ସବୁ ‘ଯୁକ୍ତ’ ‘ବିଯୁକ୍ତ’ ମିଶିଗଲେ ଗୋଟାଏ ମିଶାଣଫଳ ବାହାରେ, ଯେତେ ଯାହାହେଉ ମଣିଷଜାତି ମରିବାକୁ ଚାହେ ନାହିଁ ।’’

‘‘ଆପଣଙ୍କ ବାସୁକୀ କଣ କରିବ ? ସେ ତ ନିଜ ଭିତରେ ପରସ୍ପର ବିରୋଧୀ ଅବୟବଙ୍କ ସମଷ୍ଟି । ଯେତେ ଭାଇ ସେତେ ଘର, ଯେତେ କନିଆଁ ସେତେ ବର ।’’

‘‘ବାସୁକୀ କର ଲେଉଟେଇବ, ପୃଥିବୀରେ ଅନୀତିଭରା ବଳେଇଲେ ସେଇଆ ସେ କରେ । ସେଉଠୁ ଆସେ ନୂଆ ଯୁଗ ।’’

‘‘ଆପଣ କହୁଛନ୍ତି ବିପ୍ଳବ କରିବା କଥା ?’’

‘‘କେହି କରିଦେବା ବିପ୍ଳବ ସେ ନୁହେଁ ଆଜ୍ଞା, ସେ ଘୋଟିବା ବିପ୍ଳବ । କେଉଁ ପ୍ରକାରେ କେମିତି ହୁଏ କେହି କହିପାରିବ ନାହିଁ । ସେ ଏକ ପ୍ରଳୟ । ନିସ୍ତାର କାହାରି ନାହିଁ । ସରିଗଲେ ଦିଶେ ସବୁ ଛାରଖାର, ପାଉଁଶଗଦା । ଫେର୍‌ ତାହାରି ଭିତରୁ ନୂଆ କରି ସବୁ ଆରମ୍ଭ ହୁଏ ।’’

ରାଘବ ଚୌଧୁରୀ କହିଲେ, ‘‘ବାରହାତିଆ ଖଣ୍ଡାଧରି କଳା ଘୋଡ଼ାରେ ଚଢ଼ି କଳ୍‌କି ଅବତାର ଧ୍ୱଂସ କରି ବୁଲିବା କଥା ଆପଣ କହୁଛନ୍ତି, ଯେମିତି ନାନା ବାବାଜି ନାନା ମାଳିକାର ନାନା ପୁରାଣପଣ୍ଡାଏ କହିଥାନ୍ତି । ହଉ ବହୁତ ଗପିଲି, ଡେରି ହେଲାଣି, ଚାଲନ୍ତୁ ଏକାଠି ଗଣ୍ଡାଏ ଖାଇଦେବା ସେଉଠୁ ଆପଣ ଘରକୁ ଯିବେ ।’’

‘‘ନାଇଁ ମୁଁ ଯାଏ ସାର୍‌, ଘରେ ସେମାନେ ଅପେକ୍ଷା କରିଥିବେ ।’’

ରାଘବ ଚୌଧୁରୀ ହସିହସି କହିଲେ, ‘‘ଆପଣ ଅଇଛା ଘରେ ପହଞ୍ଚିଲେ ଦେଖିବେ ଭାତହାଣ୍ଡି ପଖଳା ହୋଇ ସାରିଥିବ । ମତେ କ୍ଷମା କରିବେ, ଆପଣଙ୍କ ଅନୁମତି ନ ନେଇ ମୁଁ ଗୋଟାଏ କାମ କରି ଦେଇଛି । ଆପଣଙ୍କ ଘରକୁ ଖବର ପଠାଇ ସାରିଛି ଆପଣ ଏଇଠି ଖାଇବେ ସେମାନେ ଆପଣଙ୍କୁ ଅପେକ୍ଷା କରିବେ ନାହିଁ ।’’

 

ଦିନ ଦୁଇଟା ବେଳେ ବିନୋଦ ଘରେ ପହଞ୍ଚିଲାପରେ ତା ସ୍ତ୍ରୀ ଅନୁରାଧା ପଚାରିଲା, ‘‘ବାଢ଼ିବି ?’’

 

‘‘ତୁମେ କଣ ଖବର ପାଇନା ମୁଁ ସେଇଠି ଏସ୍‌.ଡ଼ି.ଓ.ଙ୍କ ଘରେ ଖାଇଲି ବୋଲି ? ଉପାସରେ ବସିଛ ?’’

 

‘‘ଖବର ତ ତାଙ୍କ ଚପରାସି ଆସି କହିଦେଇ ଯାଇଛି, ଯେତେହେଲେ ତୁମକୁ ତ ପଦାରେ ସୁଖଲାଗେ ନାହିଁ । ହଉ କଣ ହେଲା ? ଖାଇକରି ଆସିଛ ତ, ଆଉ ଅଳ୍ପଗଣ୍ଡାଏ ଖାଇଦେଲେ କଣ ଖରାପ ହେବ ?’’

 

‘‘ତାହେଲେ ତମେ ସବୁ ବି ଖାଇନା ! ହଉ, ଅଳ୍ପ ବାଢ଼ । କଣ ଆଜି କିଛି ସୁଆଦିଆ ହେଇଚି କି ?’’

 

‘‘ମତେ ସୁଆଦିଆ ରାନ୍ଧିଆସେ ନାଇଁ,’’ ଅନୁରାଧା ହସିଲା, ‘‘ବାହାରେ ସିନା ପ୍ରକାର ପ୍ରକାର । ସୁଆଦ ଅସୁଆଦ ଖାଇବା ଲୋକର ମୁହଁରେ । ଆଜି କଣ ହେଲା ତମର ? ଭାରି ହସ ହସ ? କଣ ଏ ଦିକ୍‌ଦାରିଆ କାମରୁ ଯାଉଛ ବୋଲି ?’’

 

ବିନୋଦ ଭାବି ନ ଥିଲା ଯେ ରାଘବ ଚୌଧୁରୀଙ୍କ ସଙ୍ଗେ ଗପି ଫେରି ସେ ଖୁସିଖୁସି ଦିଶୁଛି । ଖୁସି ? କାହିଁକି ? କି ଆଶା ତାର ପୂରଣ ହୋଇଛି ! ସେ ଚାଇଁକିନା ଭାବିଭାବି ନିଜ ଭିତରକୁ ଅଣ୍ଡାଳିଲା । କହିଲା, ‘‘ସୁଆଦ ଅସୁଆଦ ଯେବେ ମୋ ପାଟି ଘେନି, ତେବେ କିଏ ହସହସ କିଏ କାନ୍ଦ କାନ୍ଦ ସେଇଟା ତମ ଆଖି ଘେନି । ସତରେ କହ, କଣ ତରକାରି କରିଛ ?’’

 

‘‘କିଛି ନାଇଁମ, ମଞ୍ଜିଆ କେରାଣ୍ଡି ଦିଟା ହାଟରୁ କିଣି ଆଣିଥିଲା, ସେଇଆକୁ ପୋଇ ପକେଇ ପତର ପୋଡ଼ା କରି ଦେଇଛି, ସେଇଥିରୁ ଦିଟା ଭାଜି ଦେଇଛି, ଆଉ ଆମ୍ୱୁଲ ପଡ଼ି ହରଡ଼ ଡାଲି, ନେଉଟିଆ ଶାଗ ଭାଜିଦିଟା, ସେଇମ, ବାରିରେ ହେଇଚି ।’’

 

ତା ପୁଅ କୁଟୁରୁ ଶୁଣୁଥିଲା, ପାଟିକରି କହିଲା ‘‘ବୋଉ ନୁଚୋଉଚି, ଆହୁରି ହେଇଚି ।’’

 

‘‘କଣ ହେଇଚିରେ ?’’

 

‘‘ଆଳୁଦମ୍‌ ଆଉ ନଡ଼ିଆ ଚଟଣି ?’’

 

ଅନୁରାଧା ହସିଲା, କହିଲା, ‘‘ହଉ, ବୋଉ ଖାଇବ ବୋଲି ନୁଚୋଉଚି । ଆଜିକାଲି ୟେ ମେଞ୍ଚଡ଼ ଟୋକାଖଣ୍ଡକମାନେ ବି ଗୋଟିଏ ଗୋଟିଏ, ସବୁ ହିସାବ ରଖିଥିବେ ।’’

 

‘‘ତେବେ ? ତୁମେ ଏତେ କଷ୍ଟ କରି ଏତେ ସୁଆଦିଆ ସବୁ କରିଛ ନିଜେ ଅଖିଆ ବସିଛ ମୁଁ ଖାଇବି ନାହିଁ ! ବାଢ । ବୋଉ ?’’

 

‘‘ତେମେ ନ ଖାଇବା ଖବର ପାଇ ତାଙ୍କୁ କହି ପୋଛି ମଙ୍ଗେଇ ବାଢ଼ି ଦେଲି, ମନା କରୁଥିଲେ ।’’

 

‘‘ମୁଁ ଅଳ୍ପ ଖାଇବି ।’’

 

‘‘ହଉ, ଯାହା ଇଚ୍ଛା ହଉଚି ।’’

 

ଖାଇବସି ରୋଷଇର ସୁଆଦ ପାଇ ସୁଖ ଅନୁଭବ କରିକରି ଖୁସି ଓ ସନ୍ତୋଷ ଲାଗୁଥାଏ, ବିନୋଦ ଭାବୁଥାଏ,–ସରଳ ବାଟରେ କେଡ଼େ ସହଜଭାବେ ଆପେ ତାକୁ ମିଳିଯାଏ ଏ ଆନନ୍ଦ ! ନିରବରେ ସ୍ନେହରେ ତାର ଦୃଷ୍ଟି ଖେଳିବୁଲୁଥାଏ ତା ସ୍ତ୍ରୀର ମୁହଁ ଉପରେ ଦେହ ଉପରେ, ତାର ସନ୍ତାନ କୁଟୁରୁ ମୁଟୁରୁ ମିଉଁ ଆଉ ଟୁଇଁ ଉପରେ, କୁଟୁରୁ ମୁଟୁରୁ ତା ପାଖେ ବସି ଖାଉଛନ୍ତି, ମିଉଁ ଖେଳୁଛି ପିଣ୍ଡାରେ, ଦିଶୁଛି, ଟୁଇଁ ଘର ଭିତରେ ଖଟରେ ଶୋଇଛି ।

 

‘‘ମୁଁ ଅଛି, ମୋର ସ୍ନେହର ସମସ୍ତେ ଅଛନ୍ତି, ଶରୀର ଭଲ ଅଛି । ପରିବେଷ୍ଟନୀ ସହିତ ମୋର ସମ୍ପର୍କ ଭଲ ଅଛି, ମନ ଖୁସି ଅଛି,’’ ଭାରିଜା ହାତର ରନ୍ଧା ମଞ୍ଜିଆ କେରାଣ୍ଡିମାଛ ପତ୍ରପୋଡ଼ା, ନଡ଼ିଆ ରସଦିଆ ଆଳୁଦମ୍‌, ସୁଆଦିଆ ଶାଗଭାଜି ଚୋବୋଉ ଚୋବୋଉ ବିନୋଦ ଭାବୁଥାଏ, ‘‘ଆଉ ଅଧିକା ମଣିଷର କଣ ଦରକାର ? ଚାକିରିରେ ପଦୋନ୍ନତି ନ ହେଲେ ନାଇଁ, ଧନୀ ହେବା ନ ହେଲା ବା ମୋ କପାଳରେ, କି ଅଭାବ ?’’

 

ପ୍ରସନ୍ନ ମୁହଁକରି ଚାଖିଚାଖି ଆସ୍ତେ ଆସ୍ତେ ଖାଉ ଖାଉ ଆପଣାର ଆନନ୍ଦ ବିଷୟରେ ଅବହିତ ହୋଇ ଭାବିଯାଉଥାଏ, ‘‘ସ୍ୱାମୀ ହୋଇ ଏଭଳି ସ୍ତ୍ରୀ ସୁଖ ପାଇବା, ଯେ ମୋ, ଏକାନ୍ନ ଭାବେ ମୋର, ପୁଅ ହୋଇ ମା’ ସୁଖ ପାଇବା, ବୁଢ଼ୀମା, ବାପ ହୋଇ ସନ୍ତାନ ସୁଖ ପାଇବା ମଣିଷ ହୋଇ ସୁସ୍ଥ, ସବଳ, ମନରେ ସୁଖଭାବ–ଆଉ ଏ ଜୀବନ ଅଧିକା ଆନନ୍ଦ କଣ ଦେଇପାରନ୍ତା ? ଏଇଆକୁ କଣ କହନ୍ତି ‘ଶାନ୍ତି’, ପୃଥିବୀରେ ଶାନ୍ତି, ପାଣିରେ ଶାନ୍ତି, ପବନରେ ଶାନ୍ତି-? ରହନ୍ତାକି ସବୁବେଳେ ଏ ଅବସ୍ଥା ? କିନ୍ତୁ ରହେ ନାହିଁ ?’’

 

ସତେ ଯେମିତି କାହା ପ୍ରତି ତା ମନରେ କୌଣସି ଅଭିଯୋଗ ନାହିଁ, ଯାହା କଥା ଭାବୁଛି ତା’ ପ୍ରତି ସ୍ନେହ ।

 

‘‘ଗଲାବେଳ ତ ହେଲା,’’ ସେ ହସି ହସି ତା ଭାରିଜାକୁ ପଚାରିଲା, ‘‘ଏଠି ଏତେ ଲୋକ ତମକୁ ଭଲ ପାଉଥିଲେ, ଏତେ ସ୍ନେହ, ମନ ଖରାପ ହେଉନାହିଁ ?’’

 

ଅନୁରାଧା କହିଲା, ‘‘ଏଇଥର କଣ ନୂଆ ? ତୁମ ସଙ୍ଗେ ସଙ୍ଗେ ଆମେ, ଠାଆକୁ ଠାଆ, କେଳା କେଲୁଣୀ ପରି, ଆଉ ମନ ଖରାପ କଲେ କଣ ହେବ ? ଖରାପ ଲାଗୁଛି କହିଲେ କେହି ବଦଳେଇ ଦେବେ ?’’

 

ବିନୋଦ କହିଲା, ‘‘ଗୋଟାଏ କଥା ଭାବି ଆଶ୍ଚର୍ଯ୍ୟ ଲାଗୁଛି । ଏଇ ରାଘବ ଚୌଧୁରୀ, ଆମ ଏସ୍‌.ଡ଼ି.ଓ., ମୁଁ ତ ଭାବୁଥିଲି ସବୁବେଳେ ମୋ ଗୋଛି କାଟିବାକୁ ଉଣ୍ଡୁଛନ୍ତି–’’

ଅନୁରାଧା କହିଲା, ‘‘ଲାଗିଲାଗି କିଏ କାହାର କଣ କରି ପାରିବ ? ଭଗବାନ କରିବେ, ଭାଗ୍ୟ କରିବ ଆଉ କିଏ ?’’

‘‘ନାଇଁ ନାଇଁ ସେ କଥା ନୁହେଁ ସେ କଥା ନୁହେଁ । ମୁଁ କଣ କହୁଛି କି, ଏବେ ମୁଁ ଗଲାବେଳକୁ ଏଡ଼େ ଭଲ ବ୍ୟବହାର, ଏଡ଼େ ସ୍ନେହ, ତା ହେଲେ କଣ ପ୍ରକୃତରେ ସେ ମତେ ଭଲ ପାଉଥିଲେ ?’’

ଅନୁରାଧା କହିଲା, ‘‘କାହା ଭିତରେ କିଏ ପଶିଛି ଯେ ଜାଣିବ, କଣ କିଏ, କିଏ ବଇରୀ ସାଧୁଛି କିଏ ଶରଧା କରୁଛି ? ଯାହା ତମରିଠୁଁ ଶୁଣିବା କଥା, ଯାହା କହୁଥିଲ ଶୁଣୁଥିଲୁ, ତୁମେ ଛଟପଟ ହେଉଥିଲ, ତମୁକୁ ଦେଖି ଆମେ । ଏବେ ସେ ଭଲ ପାଉଛନ୍ତି ତ ଭଲ । ଯଦି ମତେ କହିବ, ତାଙ୍କ ଘରକୁ ଯିବା ଚାଲ, ତାଙ୍କ ଭାରିଜାଙ୍କୁ ପିଲାଙ୍କୁ ଦେଖି ଆସିବାକୁ, ତ ଯିବି ।’’

‘‘ସେ କେବେ ଆସି ନାହାନ୍ତି କି ମୁଁ କେବେ ତମୁକୁ କହି ନାହିଁ, ତାଙ୍କର ମୋର ସଂପର୍କ ସରକାରୀ କ୍ଷେତ୍ରରେ, ଆଜି କାହିଁକି ତମୁକୁ କହିବି ?’’

ଅନୁରାଧା କହିଲା, ‘‘ତାହେଲେ ଥାଉ ।’’

ବିନୋଦ କହିଲା, ‘‘କିନ୍ତୁ ସତରେ, ସେ ଯେଉଁ ସ୍ନେହ ଦେଖାଉଛନ୍ତି, ଯେମିତି ଆପଣାର କେହି, ମୋ ମନ ଭିତରେ ଟିକିଏ ଅନୁତାପ ଆସୁଛି,–ଯେ ମୁଁ କଣ ତାଙ୍କୁ ଭୁଲ ବୁଝିଥିଲି ? କିନ୍ତୁ କେମିତି ? ମତେ ତ ଜଳଜଳ ଦିଶୁଥିଲା ସେ ପାରୁପର୍ଯ୍ୟନ୍ତ ଲାଗିଛନ୍ତି କେମିତି ମତେ ଅପଦସ୍ଥ କରିବେ ହଇରାଣ କରିବେ, ଆଉ–’’

 

ଅନୁରାଧା କହିଲା, ‘‘ଗଲା ଅଇଲାବେଳେ ସେ ଗୁଡ଼ାକ ଆଉ ମନେ ପକା’ ନାହିଁ, ଯାହା ଯେ କଲା ତ କଲା, ସେ କାମ ସରିଲାଣି, ଭାବିହେଲେ ମିଛରେ ନିଜ ମନ କୁହୁଳିବ । ଏବେ କାହିଁକି ତାଙ୍କର ସୋଗ ଉପୁଚି ପଡ଼ୁଚି ତା ଭାବି ବି ଲାଭ ନାହିଁ । ତାଙ୍କ ମନ ତାଙ୍କୁ ଦୋଷ ଦେଉଥିବ ଯେ କାହିଁକି ଏଡ଼େ ନିର୍ଦ୍ଦୋଷ ଲୋକର ଅନିଷ୍ଟ କଲି । କି ତାଙ୍କ ମନରେ ଏବେ ଆଉ କି ଉଦ୍ଦେଶ୍ୟ ଥିବ, ତାଙ୍କୁ ଜଣା ।’’

 

ଖାଇ ସାରିଲା ବେଳକୁ ବିନୋଦର ମନ, ବଦଳି ଯାଇଥିଲା । ଆଉ ପୂର୍ବର ସେ ସ୍ନେହ–ଆବେଶମୟ ଆନନ୍ଦକର ସ୍ଥିତିରେ ତା ନ ଥିଲା । ସେ ତାର ପରିସ୍ଥିତିକୁ ବାରୁଥିବା ସାଧାରଣ ମଣିଷ, ଚେଇଁ ରହିଛି, ହିତ–ଅହିତ, ଲାଭ–କ୍ଷତି ବୁଝୁଥିବା ସତର୍କ, ହିସାବୀ ମଣିଷ ।

 

‘‘ବସା କଥା କଣ ହେଲା କେଜାଣି ?’’ ସେ ଚିନ୍ତିତ ହୋଇ କହିଲା, ‘‘ତୁମ ଭାଇଙ୍କି ଲେଖିଥିଲି, ଚିଠି ଦେଲେ ନାହିଁ । ବଡ଼ ସହରରେ ବସାଟିଏ ପାଇବା କଣ ସହଜ ପଡ଼ିଛି ? ଦିନାକେତେ ବିତେଇବାକୁ ଡାକବଙ୍ଗଳା ମିଳୁଛି କି ନାହିଁ କିଏ ଜାଣେ ? ସେଠୁ ବି ଉତ୍ତର ନାହିଁ ।’’

 

‘‘ଆଗ ତ ଭାଇଙ୍କ ଘରେ ଯାଇ ଓହ୍ଲେଇ ପଡ଼ିବା, ବସା ମିଳୁମିଳୁ ଯେତେ ଦିନ ଯାଉ ସେଠି ରହି ତୁମେ କାମକୁ ଯା’ ଆସ କରିପାରିବ, ଏମିତି ବଦଳି ହେଲେ ଆଉ ଯାହାର ଯେଉଁ ଚିନ୍ତା ଥାଉ, ଆମର କି ଅସୁବିଧା ?’’

 

‘‘ତୁମ ଭାଇଙ୍କ ଉପରେ ବୋଝ ହେବି ନା ? ତାଙ୍କ ଘର ଝିଅ ଦେଲେ ବୋଲି ଆମର ସବୁ କାମକୁ ଲଗା ହୋଇଥିବେ, ଆମପାଇଁ ସବୁବେଳେ ଭାବୁଥିବେ, ଭଲମନ୍ଦରେ ଦେଇ ଲାଗିଥିବେ, ସେଉଠୁ,–ମୁଁ ଚାକିରି କରିବି ବୋଲି ମତେ ଘରେ ରଖି ଖୋଇପେଇ ମୋଅରି ସେବାରେ ଲାଗିଥିବେ, ଏଇଆ ନା ?’’

 

‘‘କଣ ଯେ କହୁଚ !’’ ଅନୁରାଧା କହିଲା, ‘‘ଆପଣା ଲୋକଙ୍କୁ କେହି ପର ବୋଲି ଭାବେ-? ତୁମର ଦରକାର ଅଛି, ତୁମେ ସେଠି ତାଙ୍କ ଘରେ ଦି’ ଦିନ ରହିବ, କଣ ମାରା ହେବ ? ଏତିକି ଯଦି ତମକୁ ଅଡ଼ୁଆ ଲାଗିବ, ଓଲଟି ସେ କାହିଁକି ମନ ଖରାପ ନ କରିବେ ? ଦେଖ, ତୁମ ଇଚ୍ଛା, ଯାହା କରିବ । ମତେ ପଚାରିବାରୁ କହିଲି ।’’

 

ବିନୋଦ ଗୁମ୍‌ ହେଲା, କିଛି ଉତ୍ତର ଦେଲାଭଳି ନାହିଁ, କିନ୍ତୁ ଭାବି ଖୁସି ଲାଗୁ ନାହିଁ ଯେ ସେ କାହାର ଗଳଗ୍ରହ ହେବ । ଅଭାବ ଅସୁବିଧା ଯେତେ ଥାଉ ଆପଣା ଘେନି ତା’ ମନରେ ଗର୍ବ ଥାଏ, ଯେ ସେ ନିଜ ଗୋଡ଼ରେ ଠିଆ ହୋଇଛି, କାହାକୁ କେବେ ତିରା କରି ନାହିଁ, ଭାବିଛି,–ଏଇଆ ତ ଅସଲ ମଣିଷ ପଣିଆ, ମଣିଷର ଇଜ୍ଜତ୍‌, ସେ ଦାନ୍ତ ନିକୁଟିବ ନାହିଁ, ହାତ ପତେଇବ ନାହିଁ, ସାହାଯ୍ୟ ଲୋଡ଼ିବ ନାହିଁ, ଚୋରି କରିବ ନାହିଁ, ଅନ୍ୟାୟକୁ ଯିବ ନାହିଁ, ସବୁ ଅଭାବ ଅସୁବିଧା ମନ ଭିତରେ ଗୁପ୍ତ ରଖି ସିଧା ହୋଇ ଠିଆ ହୋଇଥିବ ।

 

ଗାଁ ମାଟିରୁ ପିଲାଦିନୁ ଶିଖିଛି, ଏଇଆ ତ ସେ ମାଟିର ଆଭିଜାତ୍ୟର ସଙ୍କେତ । ସହିବାରେ ମର୍ଯ୍ୟାଦା, ନଇଁବାରେ ଅମର୍ଯ୍ୟାଦା, ଭାଙ୍ଗିଗଲେ ଯାଉସିନା, ସଂସାରରେ କଣ ବା ସବୁଦିନିଆଁ !

 

ମନେ ପଡ଼ୁଥାଏ, ଏ ମୂଲ୍ୟବୋଧ ଆଉ ଅତୁଟ ନାହିଁ, ଲୋକେ ଭାଙ୍ଗିଛନ୍ତି, ଭାଙ୍ଗୁଛନ୍ତି ବେଶି ବେଶି । ସୁବିଧା ପାଇବାକୁ ଭାଙ୍ଗୁଛନ୍ତି । ଯେମିତି ସବୁଦିନେ ଭାବେ ସେମିତି ଭାବୁଥାଏ–ସୁବିଧା ମିଳୁ ପଛେ ସେ ବାଗ ନୀଚତା ।

 

ତା’ ପରେ ହଠାତ୍‌ ବିଚାର ମୋହିଁ ଚାଲିଲା ଆଉ ଗୋଟିଏ ବାଗରେ ।

 

ସେତେବେଳକୁ ସେ ଖାଇ ସାରିଥାଏ, ଅଳସ ହୋଇ ଏକୁଟିଆ ତା’ ଦାଣ୍ଡ ପିଣ୍ଡାରେ ଚୌକିରେ ବସିଥାଏ, ଦୂରକୁ ଚାହିଁଥାଏ, ମେଘ ଲଦିଛି, ଆଲୁଅ ଦୁର୍ବଳ । ତା ଚିନ୍ତା ପଛରେ ଗୋଟିଏ ରାଗେଣୀର ରଙ୍ଗଚିତ୍ର ଥିଲା ଯେ ସେ ଆଶ୍ରା ଛାଡ଼ି ଏ ବସା ଛାଡ଼ି ଯିବ ଚାଲି, ଯେମିତି କେତେଠିଁ ଉଭା ହୋଇ ଦଣ୍ଡେ ରହି ପୁଣି ସେଠୁ ଆଉ କେଉଁଠିକି ଚାଲି ଯାଇଛି, ତା’ର ପରିସର ଆଦରି ହେଉ ହେଉ ହୋଇଛି ଦୂର, ଚିହ୍ନା ହେଉ ହେଉ ହୋଇଛି ଅଚିହ୍ନା, ସେ ଚାଲିଛି, ଯାହା ନିଶ୍ଚିତ ବୋଲି ଧାରଣା ହୋଇଗଲା ତାକୁ ଛାଡ଼ି ଚାଲି ଯିବାକୁ ପଡ଼ିଛି ଅନିଶ୍ଚିତ ଭିତରକୁ । ଏଇଆ କଣ ଜୀବନର ନିୟମ ?

 

ଆଉ, ତା’ର ନିଜ ବିଚାରରେ ଯାହା ମଣିଷ ପଣିଆର ନୀତି ଆଦର୍ଶ ସମାଜର ଅତୀତ ପରମ୍ପରାରେ ଯାହା ରହିଥିଲା ବୋଲି ଭାବି ସେ ବଳପାଏ, କେଉଁ କ୍ଷେତ୍ରରେ ଲୋକଙ୍କଠିଁ ତାହା ଦମ୍ଭ ହୋଇ ରହିଛି ବୋଲି ନିଜ ଅଭିଜ୍ଞତାରେ ସେ ଦେଖୁଛି ? କେଉଁ ସ୍ୱର୍ଣ୍ଣ ଯୁଗରେ ତାହା ଥିଲା ଅବ୍ୟାହତ ? ନା ଥିଲା ଖାଲି ତୁଣ୍ଡ କଥାରେ, ବହିରେ ? ନା, ଥିଲା ନିଶ୍ଚୟ, ସେ ଆପଣାକୁ ପ୍ରବୋଧିଲା, ତେବେ ଭାଙ୍ଗୁଛି କାହିଁକି ? ହଠାତ୍‌ କଣ ମଣିଷ–ସନ୍ତାନ ବଦଳିଯାଇ କିଛି ଅଜଣା ଜନ୍ତୁ ପାଲଟି ଗଲେ ? ଅଥବା ଯେଉଁ ଅତୀତ ଯୁଗକଥା ସେ ଭାବୁଛି, ସେତେବେଳେ ମଣିଷ ଅଳ୍ପଥିଲେ, ଯେ ଯେଉଁଠି ଥିଲେ ସେଠି ତାଙ୍କର ଚଳିବାକୁ ଊଣା ନ ଥିଲା, ଆବଶ୍ୟକ ସରଳ ଥିଲା, ବଞ୍ଚିବାପାଇଁ ସଂଘର୍ଷ ନ ଥିଲା, ଅବସ୍ଥା ଭିନେ ଥିଲା ? କଳକାରଖାନା ଶିଳ୍ପଯୁଗ ବେପାର ଯୁଗ ନ ଥିଲା, ଜନସାଧାରଣ ଆଦୌ ଅନୁଭବ କରୁ ନ ଥିଲେ ଯେ ନିତିଦିନର ଚଳଣି ଲାଗି ଏତେ ପ୍ରକାର ଏତେ ପଦାର୍ଥ ଦରକାର, ଏତେ ପ୍ରକାର ଦେହସୁଖ ସମ୍ଭବ ଓ ସେସବୁ ଦରକାର, ତା ନ ହେଲେ ବଞ୍ଚିବା ହିଁ ବୃଥା ? ତେଣୁ ବଢ଼ନ୍ତା ଅଭାବବୋଧର ଆସୁରୀ ଶୋଷ ନ ଥିଲା, ଆଖି ଆଗରେ ଜଟିଳ ଅଭାବମାନଙ୍କର ଲମ୍ୱା ଫର୍ଦ୍ଦ ନ ଥିଲା, ମନରେ ଅଶାନ୍ତି ନ ଥିଲା ।

 

କ୍ରମେ ସେ ଅବସ୍ଥା ବଦଳିଛି, ନାନା ଆବଶ୍ୟକ, ନାନା ଅଭାବବୋଧ ସମସ୍ତିଙ୍କ ମନରେ-। ସହଜରେ ଆଖ ପାଖରୁ ଖୁଣ୍ଟିନେବା ଗୋଟାଇ ନେବା ଭଳି କିଛି ମିଳିବ ନାହିଁ-। ଥିବା ପରିବେଷ୍ଟନୀ ଆଉ ପୋଷି ପାରୁ ନାହିଁ, ଲୋକ ବଢ଼ି ବଢ଼ି ହେଲେଣି ଅସୁମାରୀ, କେହି ତାଙ୍କୁ ଉପରୁ କିଛି ଆଣି ଅଜାଡ଼ି ଦେବ ନାହିଁ, ଆପଣା ଆବଶ୍ୟକ ଆପଣା ମନର ଅଭାବବୋଧକୁ ମେଣ୍ଟାଇ କେମିତି ୟେ ଜୀବନ ବଞ୍ଚିବେ ସେଇଟା ସେମାନଙ୍କର ପ୍ରଧାନ ସମସ୍ୟା ।

 

ସେମାନେ ଦେଖି ଶିଖିଲେଣି, ଆଗର ନ୍ୟାୟ ନୀତି, ଭଲ–ମନ୍ଦ ଧାରଣାକୁ ଭାଙ୍ଗି ସ୍ୱେଚ୍ଛାଚାର କରି ଯେ ଯେଉଁବାଟ ଫିଟାଇ ତାର ଉଦ୍ଦେଶ୍ୟ ସାଧି ପାରୁଛି । ନିହାତି ତାର ଭାଗ୍ୟ ଖରାପ ନ ହେଲେ, ସେଥିପାଇଁ ତାକୁ ଦଣ୍ଡ ସହିବାକୁ ପଡ଼ୁନାହିଁ । ପୁରୁଣା ନ୍ୟାୟ ନୀତି ତାଙ୍କ ବାଟେ ଥାଉନ୍ତୁ । କେହି କଳେବେଳେ କୌଶଳେ ଧନ ଓ କ୍ଷମତା ଛଡ଼ାଇ ନେଇ ନିଜେ ବଳୁଆ ହୋଇ ପାରିଲେ ହିଁ ସମାଜରେ ହୋଇ ପାରୁଛି ଆଖି ଦୁରୁଶିଆ ମଣିଷ, ତା ପରେ ବଡ଼ ବଡ଼ଙ୍କ ଦୃଷ୍ଟାନ୍ତ ସାନ ସାନଙ୍କୁ ବୁଦ୍ଧି ଓ ସାହସ ଯୋଗାଉଛି । ସମାଜରେ ଆଉ ଆଗ କାଳର ଆଇନ କି ଅଧିକାର ଲଙ୍ଘିବାକୁ ସଙ୍କୋଚ ନାହିଁ । କିମ୍ୱା ବଡ଼ସାନ ବିଚାରରେ ମାନମାନ୍ୟତା ଜ୍ଞାନ ଆଉ ନାହିଁ, ଯେ ଯେୁଁ ପନ୍ଥା ଧରୁ ଯେଉଁ ବିଚାର ଧରୁ, ସଫଳ ହେଲେ ଜିତି ପାରିଲେ ହିଁ ସେ ତା’ର ଠିକ୍‌ । ତେଣୁ ଏ ସମାଜ ପୁରୁଣା ପାରମ୍ପରିକ ନୀତି ଓ ମୂଲ୍ୟବୋଧକୁ ଗୁରୁତ୍ୱ ଦେଉ ନାହିଁ, ଅନୁସରଣ କରୁନାହିଁ ଅନ୍ତତଃ ତୁଣ୍ଡରେ ଯେ ତାକୁ ଅସ୍ୱୀକାର ନ କରୁଛି, ଖାଲି ମୋହମତ ଯୋଗୁଁ ସିନା, ତାପ୍ରତି ଶ୍ରଦ୍ଧାରେ ନୁହେଁ । ପୋଥି–ନ୍ୟାୟ–ନୀତିର ଦ୍ୱାହି ଦେଇ କେତେ ଲୋକ ଭୁକି ହେଉଥିଲେ ବି ଶୁଣିବେ ନାହିଁ, ଯେ ଭୁକି ହେଉଛନ୍ତି ସେମାନେ କଣ ଜନସଂଖ୍ୟା କମାଇ ପାରିବେ, ସେମାନେ କଣ ଲୋକଙ୍କ ମନୋବୃତ୍ତିକୁ ଏଭଳି ବଦଳାଇ ପାରିବେ ଯେ ପ୍ରତିଲୋକ ନିଜ ନିଜ ଆବଶ୍ୟକକୁ କମେଇ ଦେଇ ପାରିବ, ଭାବିବ ଯେ ସରଳ ନିରାଡ଼ମ୍ୱର ଭାବେ ନିମ୍ନତମ ପ୍ରୟୋଜନ ମେଣ୍ଟାଇ ଶାନ୍ତି ଓ ମର୍ଯ୍ୟାଦା ସହକାରେ ଜୀବନ ବଞ୍ଚିହେବ ? ସ୍ୱୟଂ ମହାତ୍ମାଜୀ କହି କହି ଥକିଲେ, ହେଲା ନାହିଁ ।

 

ସେମାନେ କଣ ନୀତି କହି କହି ଜନ ସମାଜରେ ଏଭଳି ମୂଲ୍ୟବୋଧ ସୃଷ୍ଟି କରି ପାରିବେ ଯେ ଲୋଭ, ହିଂସା, ଦ୍ୱେଷ, ସ୍ୱାର୍ଥପରତା, ମିଥ୍ୟାଚାର ସବୁଠୁ ବଳି ପାପ, ନିଜକୁ ଯେତେ ଯାହା ଛାଡ଼ିବାକୁ ପଡ଼ୁ, ତହିଁରୁ ବିରତ ନ ହେଲେ ଜୀବନ ହିଁ ବୃଥା ।

 

ସେମାନେ ନୀତି କହି ବୁଝାଇ ସୁଝାଇ କଣ ଏଭଳି ସମାଜ ବ୍ୟବସ୍ଥାକୁ ବାସ୍ତବ କରିପାରିବେ ଯହିଁରେ ମୁରବିମାନେ ନେତାମାନେ ହେବେ ସବୁ ସଦ୍‌ଗୁଣ, ନୀତି ଆଦର୍ଶର ଦୃଷ୍ଟାନ୍ତ, ଆଦର୍ଶ ମଣିଷ ଆଦର୍ଶ ସମାଜ ଗଢ଼ିବାକୁ ବାଟ ଦେଖାଇବେ ?

 

ସେମାନେ କଣ ଏଭଳି ରାଷ୍ଟ୍ରନୀତି ଚଳାଇ ପାରିବେ, ଯହିଁରେ କଳେ ବଳେ କୌଶଳେ ଜଣକୁ ତଳକୁ ଓଟାରି ତାଠୁଁ କ୍ଷମତା ଛଡ଼େଇ ନିଜ ହାତରେ ରଖିବା କାହାରି ଲକ୍ଷ୍ୟ ହେବ ନାହିଁ, ନେତା ହେବାର ଉଦ୍ଦେଶ୍ୟ ହେବ, ସବୁପ୍ରକାର ଆତ୍ମତ୍ୟାଗର ପରାକାଷ୍ଠା ଦେଖାଇ ଜନସେବା, ପରୋପକାରର ଉଚ୍ଚ ଆଦର୍ଶ ଦେଖାଇବା ? ତା ନ ହେଲେ ତ ସମାଜରେ ସବୁ ଅନିଷ୍ଟର ସୂତ୍ରପାତ– ? ଆଗେ ଥିଲା, ଏବେ ବି ଅଛି ଦେଶ ଦେଶ ଭିତରେ କ୍ଷମତା ଓ ପ୍ରଭୁତ୍ୱ ପାଇଁ ଲଢ଼େଇ, ଏକା ଦେଶ ଭିତରେ ବି ସେହି ଚିତ୍ର, ଲଢ଼େଇର ବାଗ ଓ ଆୟୁଧ ଯାହା ଭିନେ । ଯାହା କିଛି ଅନିଷ୍ଟ କରିବାକୁ ଚାହିଁଲେ ଏ ଯନ୍ତ୍ର ଯୁଗରେ ସମୟ ଓ ଦୂରତାର ବ୍ୟବଧାନ କମିଛି, ଉପାୟ ଆଗଠୁଁ ଆହୁରି ବିଚକ୍ଷଣ ତା’ ଫଳ ଆହୁରି ବ୍ୟାପକ ହୋଇଯାଉଛି ।

 

ଏ ଯୁଗ ଆଉ ମନୁଷ୍ୟ ପ୍ରବୃତ୍ତି,–ଅମଡ଼ା ମାଡ଼ି ବୋହି ଚାଲିଛି ନଈ ବଢ଼ିପରି କୁଆଡ଼େ କୁଆଡ଼େ, କେଉଁ ନୀତି ଆଦର୍ଶର କଥା ସେ ଶୁଣିଛି,–ତା ଢାଲୁ ଖାଲି ଆପଣା ସ୍ୱାର୍ଥ ଆପଣା ସୁବିଧା, ତରତରରେ ଯେତିକି ଆଗକୁ ଦିଶୁଛି ସେତିକି ।

 

ତଥାପି ସେ ବିନୋଦ, ସେ ରହିଛି ତା ମୂଲ୍ୟବୋଧକୁ ସାଇତି, ରହିଛି ତା’ ବାଗରେ । ଦେଖି ପାରୁଛି, ଜନଗହଳି ଭିତରେ ଥାଇ ସୁଦ୍ଧା ଏକୁଟିଆ ନିଛାଟିଆ ହୋଇ ସେ କେହି ଜଣେ, ଯାହା ମୁହଁକୁ ଅନାଇଁ ଦେଇ କେହି ଅଟକି ରହେ ନାହିଁ । ହାଉଘାଉ ଭିତରେ କ୍ଷୀଣ ସ୍ୱରଟିଏ । ସ୍ୱରଟି ଅଛି, ଜୀଅନ୍ତା, କିନ୍ତୁ କେହି କାନାଏ ନାହିଁ, ତା କୁହାରେ ସୁଅ ଓଲଟିବ ନାହିଁ ।

 

କିନ୍ତୁ ଏଇଆ ତାକୁ ରୁଚେ, ଆଉ ଯାହାକୁ ଯାହା ରୁଚୁ, ସେ ତାର ଥିବ, ବଦଳିବାକୁ ଚାହେଁ ନାହିଁ ।

 

ସାହା ସଖାହୀନ ଏକୁଟିଆପଣ ଭିତରୁ ସେ ପଦାକୁ ଚାହିଁ ଦେଖୁଛି, ପୋକମାଛି ପରି ମଣିଷ, ବଢ଼ି ବଢ଼ି ଚାଲିଛି ତା ବଂଶ, ଚାରିଆଡ଼େ ସାଲୁ ବାଲୁ, କାଲୁ ବାଲୁ । ଏଠି ଦିଶୁ ନାହାନ୍ତି ସନ୍ତୁଷ୍ଟ ସ୍ୱୟଂସଂପୂର୍ଣ୍ଣ ସ୍ୱାବଲମ୍ୱୀ ମଣିଷ, ଖୋଲା ଉପତ୍ୟକାରେ କି ଦୂରଦୂର ଲମ୍ୱିଥିବା ଅରଣ୍ୟରେ ଯାହାଙ୍କ ସାନସାନ ବସତି, ଯେ ପ୍ରକୃତି ଭିତରେ ପ୍ରକୃତି ସହିତ ମିଶି ଜୀବନ ବଞ୍ଚନ୍ତି, ନୀତି ଆଦର୍ଶକୁ ଜୀବନଠୁ ବଡ଼ ମନେକରି ପାଳନ୍ତି । ଇତିହାସର ସଂସାର ଏ, ବଢ଼ନ୍ତା, ଅକଳନ, ସଂଘର୍ଷ ଓ ସମସ୍ୟାମୟ, ହିଂସ୍ର, ସହାନୁଭୂତିହୀନ । ୟାର ବି ଉଦ୍ଦେଶ୍ୟ ଅଛି । ଆଉ ଯାହାର ଯାହା ପଛେ ହୋଇଯାଉ, ନିଜେ ବଞ୍ଚିବା, ନିଜର ସ୍ୱାର୍ଥ ବଢ଼ାଇବା, ଛଡ଼ାଛଡ଼ି, ଧରାପରା, ମରାମରି ଭିତରେ ମୁହୂର୍ତ୍ତେ ହେଉ ବା କେତେ ବର୍ଷ ହେଉ ଯେତେକାଳ ଯେ ବଞ୍ଚୁ ।

 

ସାଧାରଣ ସକାଳଟିଏ । ମେଘ ଘୋଡ଼େଇ ଥାଏ । ଶେଷା ଶେଷି ଦଣ୍ଡବତ ସାରି ବିନୋଦ ତାର ପରିବାର ସମେତ ଗାଡ଼ିରେ ବସିଲା ଜିନିଷ ପତ୍ର ଭଡ଼ା ଟ୍ରକ୍‌ରେ ବୋଝେଇ ହୋଇ ଆଗରୁ ପଠା ସରିଥାଏ, ୟେ ଗୋଟିଏ ଭଡ଼ା ଟ୍ୟାକ୍‌ସି, ଯିବ ରେଳଷ୍ଟେସନରେ ଛାଡ଼ି ଦେଇ ଆସିବ-

 

ବିନୋଦ ପଛକୁ ଅନାଇଁଲା, ଏ ବସାଟିରେ କଟିଗଲା ତା ଆୟୁଷରୁ ତିନୋଟି ବର୍ଷ, ଏହି ପରିସର ହୋଇଥିଲା ତା ଜୀବନର ପରିସର, ସଂସାର ଭିତରେ ୟେ ହୋଇଥିଲା ତା’ ଠିକଣା । ମନରେ ଖିଆଲ ଆସିଲା ଯେମିତି ଏ ବସା ଆବୋରି ରହିଛି କେଉଁ ମା’ ରୂପୀ ଅଶରୀରୀ ଦେବୀ, ଯେ ତାକୁ ସ୍ନେହରେ ପାଳିଥିଲେ, ଜଗି ରହିଥିଲେ, ଯେମିତି ସେଠି କାହାରି କିଛି ଅନିଷ୍ଟ ନ ହେଉ । ସେହି ଆଡ଼କୁ ଚାହିଁ ସେ ନମସ୍କାର କଲା ।

 

ଗାଡ଼ି ଷ୍ଟାର୍ଟ୍‌ ଦେଲା, ଚାଲିଲା, ବିନୋଦ ଦେଖି ପାରିଲା ଶଶୀମିଶ୍ର ଆସୁଛନ୍ତି, ପହଞ୍ଚି ପାରି ନାହାନ୍ତି, ଠିଆ ହୋଇପଡ଼ି ତା ଆଡ଼କୁ ଚାହିଁ ନମସ୍କାର କରୁଛନ୍ତି । ସେ ବି ନମସ୍କାର କଲା, ତାପରେ ମୁହଁ ବୁଲେଇ ନେଇ ସାମ୍ନାକୁ ଅନାଇଲା । ହୃଦ ଭିତର ମନ୍ଥି ଚକଟି ହେଲା, ଏଠି ପଛରେ ରହିଯାଉଛି ତା’ ପାଇଁ ଏତେ ସ୍ନେହ, ରହିଯାଉଛି ତା’ ଜୀବନର ଗୋଟେ ଅଂଶ, ଏଥର ତାହା ସମୟ ଭିତରେ ନିଶ୍ଚିହ୍ନ ହେବ, ସବୁ ଭଲମନ୍ଦ; ଠିକ୍‌, ଭୁଲ୍‌, ଜିତିବା ହାରିବା, ଗୋଟିଏ ସମୟ ମାପ ଭିତରେ ଗୋଟିଏ ମଣିଷର ସୁଖ ଆଉ ଦୁଃଖ ଅନୁଭୂତି ।

 

ପଛ ଆଡ଼େ ଧୂଳି ଉଡ଼ୁଛି, ତା’ବି ବସିଯିବ ।

Image